ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଡୋପାମିନ୍, ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ସ୍ପନ୍ଦନ ହାର ଓ ହୃଦ୍ରୋଧ ଚିକିତ୍ସା ନିମନ୍ତେ ଏପିନେଫ୍ରିନ ନ ମିଳୁଥଲେ ଦିଆଯାଏ । ନବଜାତ ଶିଶୁଙ୍କର ନିମ୍ନ ରକ୍ତଚାପ ଥିଲେ ଏହା ପସନ୍ଦ ଯୋଗ୍ୟ ଔଷଧ ହୁଏ । ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ ବା ଇଣ୍ଟ୍ରାଓସିଅସ ଇନଫ୍ୟୁଜନ ଆକାରରେ ଦିଆଯାଏ । ଔଷଧ ପ୍ରଭାବ ୫ ମିନିଟ ମଧ୍ୟରେ ଆରମ୍ଭ ହୁଏ । ଡୋଜ ଆବଶ୍ୟକତା ଅନୁସାରେ ବଢ଼େଇ ଦିଆଯାଏ ।
ଦୁର୍ଗା ପୂଜା ଆଶ୍ଵିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ଵାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସିନ୍ଦୂର, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଣୟ ଜେଠୀ । ସୀମାଞ୍ଜଳ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ବଦ୍ରିନାରାୟଣ ମହାନ୍ତି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ । ଅରୁଣ ମନ୍ତ୍ରୀ ଏବଂ ଯତିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Stevens–Johnson syndrome ବା ଏସଜେଏସ/ SJS) ଏକ ପ୍ରକାର ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ରୋଗକୁ କୁହାଯାଏ । ଏସଜେଏସ ଅଳ୍ପ ସାଂଘାତିକ ହୋଇ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis ବା ଟେନ/ TEN) ସହିତ ମିଶି ଏକ ସ୍ପେକ୍ଟ୍ରମ ସୃଷ୍ଟି କରେ । ଆରମ୍ଭରେ ଫ୍ଲୁ ଭଳି ଲକ୍ଷଣ ଓ ଜ୍ୱର ହୁଏ । ଅଳ୍ପ କିଛି ଦିନ ପରେ ଫୋଟକା ହୁଏ ଓ ଚୋପା ଛାଡ଼ି ସେ ଯାଗା ଖୋଲା ରହିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ପ୍ରଭାବିତ ହୁଏ । ରୋଗ ଜଟିଳ ହେଲେ ନିର୍ଜଳନ (dehydration), ସେପ୍ସିସ୍, ନିମୋନିଆ, ଓ ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ହୁଏ ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ଵାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ଵର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ପାଂଗୋଂଗ୍ ତ୍ସୋ (ତିବ୍ବତୀୟ ଭାଷାରେ: སྤང་གོང་མཚོ, ୱାଇଲି ଭାଷାରେ: ସ୍ପାଂଗ୍ ଗୋଂଗ୍ ମତ୍ସୋ; ହିନ୍ଦୀ ଭାଷାରେ: पांगोंग त्सो; ଚୀନୀ ଭାଷାରେ: 班公错; ପିନ୍-ୟିନ୍ ଭାଷାରେ: ବାଂଗୋଂଗ୍ ଚୁଓ) ନାମର ତିବ୍ବତୀୟ ଭାଷାରେ ଅର୍ଥ ହେଲା : ଉଚ୍ଚ ତୃଣଭୂମୀୟ ହ୍ରଦ । ଏହାକୁ ପାଂଗୋଂଗ୍ ହ୍ରଦ ମଧ୍ୟ କୁହାଯାଏ । ତିବ୍ବତୀୟ ଭାଷାରେ “ତ୍ସୋ (Tso)” ଶବ୍ଦର ଅର୍ଥ ହ୍ରଦ । ସମୁଦ୍ରପତନରୁ ପ୍ରାୟ ୪୩୫୦ ମିଟର୍ (୧୪୨୭୦ ଫୁଟ୍) ଉଚ୍ଚତାରେ ଓ ହିମାଳୟରେ କୋଳରେ ରହିଥିବା ଏକ ସ୍ଥଳଭାଗବଦ୍ଧ ହ୍ରଦ । ଏହି ହ୍ରଦର ଦୈର୍ଘ୍ୟ ପ୍ରାୟ ୧୩୪ କିଲୋମିଟର୍ ବା ୮୩ ମାଇଲ୍ । ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାରେଖା ଏହି ହ୍ରଦର ମଧ୍ୟଭାଗରେ ରହିଛି । ହ୍ରଦର ପ୍ରାୟ ୬୦% ଭାଗ ଚୀନର ଅଧୀନରେ ରହିଛି । ଏକ ସ୍ଥାନରେ ଏହି ହ୍ରଦର ସର୍ବାଧିକ ପ୍ରସ୍ଥ ୫ କିଲୋମିଟର୍ ବା ୩.୧ ମାଇଲ୍ ଅଟେ । ହ୍ରଦର କ୍ଷେତ୍ରଫଳ ପ୍ରାୟ ୬୦୪ ବର୍ଗ କି.ମି.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀ ମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା । ପୁର୍ବରୁ "ନାଥୁରାମ ଗଡସେ" ୫ ଥର ହତ୍ୟା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ପ୍ରଥମେ ୧୯୩୪ରେ ହତ୍ୟା ପାଇଁ ପ୍ରୟାସ କରିଥିଲେ ।
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ଵାରା ବିଶେଷ ଆଦୃତ ହୋଇଅଛି ।
ଭାଇନା, କ'ଣ କଲା ସେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଏଥିରେ ହାସ୍ୟ ଅଭିନେତା ବାଳକୃଷ୍ଣ, ପପୁ ପମ ପମଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ଏକ୍ସକ୍ୟୁଜ ମି କ'ଣ କଲା ସେ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକକୁ ବଦଳାଇ ଭାଇନା, କ'ଣ କଲା ସେ କରାଯାଇଥିଲା ।
ଆର୍କ୍ମିଡ଼ିସ୍ (ଖ୍ରୀଷ୍ଟପୂର୍ବ ୨୮୭-୨୧୨) ସିରାକସରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରୀସର ଅଧିବାସୀ ଥିଲେ । ସେ ଏକାଧାରରେ ଜଣେ ଗଣିତଜ୍ଞ, ପଦାର୍ଥ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ ଏବଂ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ପ୍ରାଚୀନକାଳର ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଆଧୁନିକ ପଦାର୍ଥ ବିଜ୍ଞାନରେ ଉଦସ୍ଥିତି ବିଜ୍ଞାନ (Hydrostatics)ର ମୂଳଦୂଆ ପକାଇ ଥିଲେ ଏବଂ ଭାରଦଣ୍ଡର ସୂତ୍ରକୁ ବ୍ୟାଖ୍ୟା କରିଥିଲେ । ବହୁତ ଗୁଡ଼ିଏ ଦର୍ପଣଦ୍ଵାରା ବଡ଼ ବଡ଼ ଜାହାଜରେ ନିଆଁ ଲଗାଇ ଦେଇ ପାରୁଥିଲେ । ତାଙ୍କୁ ଜଣେ ସର୍ବକାଳୀନ ଶ୍ରେଷ୍ଠ ଗଣିତଜ୍ଞ ରୂପେ ଗଣନା କରାଯାଏ।
କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣାରେ ଅବସ୍ଥିତ । ଏହା ବାଲେଶ୍ଵରଠାରୁ ୯ କିମି ପୂର୍ବରେ ହାଉଡ଼ା ଓ ଭୁବନେଶ୍ଵର ମଝିରେ ପଡ଼େ । ରେମୁଣା ନାମଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କଦ୍ଵାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ଵ), ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ଵ), ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ଵ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ବର୍ଷ ସାରା ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।
ଭାରତର ସ୍ଵାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା "ଲବଣ ସତ୍ୟାଗ୍ରହ " ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ |
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଡେଙ୍ଗୁ ଜ୍ୱର ଏକ ମଶା ବାହିତ ଗ୍ରୀଷ୍ମ ମଣ୍ଡଳୀୟ ରୋଗ ଯାହା ଡେଙ୍ଗୁ ଭୁତାଣୁଦ୍ୱାରା ହୁଏ । ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡବଥା, ବାନ୍ତି, ମାଂସପେଶୀ, ଗଣ୍ଠି ଯନ୍ତ୍ରଣା ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ ହୁଏ । ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ, ସ୍ୱଳ୍ପ ପ୍ଲାଟେଲେଟ ସ୍ତର, ରକ୍ତ ପ୍ଲାଜ୍ମା ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ ହୁଏ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ଵାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ପଶ୍ଚିମ ଓଡ଼ିଶା ( ଇଂରାଜୀ : Western Odisha ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । କେତେକ ଏହାକୁ କୋଶଳ ଅଞ୍ଚଳ ବୋଲି କହି ଥାଆନ୍ତି । ୨ ଫେବୃଆରୀକୁ ପଶ୍ଚିମ ଓଡ଼ିଶା ଦିବସ ହିସାବରେ ପାଳନ କରାଯାଏ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ଵରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ବୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ଵତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେଇ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।