ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜ୍ୟୋତି ରଞ୍ଜନ ନାୟକ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ଡୋପାମିନ୍, ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ସ୍ପନ୍ଦନ ହାର ଓ ହୃଦ୍ରୋଧ ଚିକିତ୍ସା ନିମନ୍ତେ ଏପିନେଫ୍ରିନ ନ ମିଳୁଥଲେ ଦିଆଯାଏ । ନବଜାତ ଶିଶୁଙ୍କର ନିମ୍ନ ରକ୍ତଚାପ ଥିଲେ ଏହା ପସନ୍ଦ ଯୋଗ୍ୟ ଔଷଧ ହୁଏ । ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ ବା ଇଣ୍ଟ୍ରାଓସିଅସ ଇନଫ୍ୟୁଜନ ଆକାରରେ ଦିଆଯାଏ । ଔଷଧ ପ୍ରଭାବ ୫ ମିନିଟ ମଧ୍ୟରେ ଆରମ୍ଭ ହୁଏ । ଡୋଜ ଆବଶ୍ୟକତା ଅନୁସାରେ ବଢ଼େଇ ଦିଆଯାଏ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ଓଡ଼ିଶା ପର୍ବପର୍ବାଣୀର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣୀ ସାଧାରଣତଃ ଧର୍ମ ଓ ପୌରାଣୀକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନ ଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣୀ ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣୀ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ ଉତ୍କଳୀୟ ପର୍ବପର୍ବାଣୀ ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଚିନି - ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ଵାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ଵେତସାର ଥାଏ । ସାଧାରଣ ଚିନିକୁ monosaccharides ବୋଲି କୁହାଯାଏ । ଏଥିରେ glucose ଓ fructose ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ disaccharide କୁହାଯାଏ । ଏଥିରେ maltose ଓ lactose ଥାଏ । ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଅଧିକ ଆଖୁ ଚାଷ କରାଯାଇଥାଏ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ଵ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।
ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ ।ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ , ନାରୀ ମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ଫଳରେ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ଘଟିଥିଲା । ସେହି ସମୟରେ ଏହାର ପ୍ରଭାବ ଓଡ଼ିଶାର ନାରୀ ମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ , ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ । ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ । ସେ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗ ନେଇଥିଲେ । ସ୍ଵାଧୀନତା ଆନ୍ଦଳୋନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।
ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ଅଭିନୟ କରିଥିଲେ । ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ । ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ। ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ। ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ। କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ।
ନିରୁପମା ରଥ(୧୯୨୫-୨୦୧୧) ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସିକ ଏବଂ ଓଡ଼ିଆ ସାହିତ୍ୟିକା ଥିଲେ । ୧୯୫୩ ମସିହାରୁ ଆରମ୍ଭକରି ସେ କଟକ ସହରରେ ପ୍ରାୟ ୫୦ବର୍ଷ ଧରି ଲୋକଙ୍କ ସେବା କରିଥିଲେ । ସେ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ସାହିତ୍ୟ, ଭ୍ରମଣ କାହାଣୀ ଆଦି ମଧ୍ୟ ରଚନା କରିଥିଲେ । ଚିକିତ୍ସା ସେବା ଓ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ସେ ବହୁବାର ପୁରସ୍କୃତ ହୋଇଥିଲେ ।
ରମେଶ ପ୍ରସାଦ ମହାପାତ୍ର (୧ ଅକ୍ଟୋବର ୧୯୩୯ – ୧୪ ଜାନୁଆରୀ ୧୯୮୯) ଜଣେ ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ ଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ ବିଭାଗରେ ସନ ୧୯୬୩ରୁ ୧୯୮୯ ପର୍ଯ୍ୟନ୍ତ ସେ କ୍ୟୁରେଟର ଥିଲେ । ସେହି ସମୟରେ ପ୍ରତ୍ନତତ୍ତ୍ୱ କ୍ଷେତ୍ର, କଳା ଇତିହାସ, ଧର୍ମ ଓ ଓଡ଼ିଶା ସଂସ୍କୃତିର ଅନ୍ୟାନ୍ୟ ଦିଗମାନଙ୍କ ଉପରେ ଐତିହାସିକ ଗବେଷଣା କରି ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ଵାରା ବିଶେଷ ଆଦୃତ ହୋଇଅଛି ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଇଲେକ୍ଟ୍ରୋନିକ କମର୍ସ (ସାଧାରଣତ ଇ-କମର୍ସ (e-commerce ବା e-comm) ଭାବେ ଜଣାଶୁଣା) ଅଥବା ଇଲେକ୍ଟ୍ରୋନିକ ବିପଣନ ଇଣ୍ଟରନେଟ କିମ୍ବା ଅନ୍ୟାନ୍ୟ କମ୍ପୁଟର ନେଟୱର୍କ ଜରିଆରେ କୌଣସି ଉତ୍ପାଦର କିଣାବିକାକୁ ବୁଝାଇଥାଏ । ଇଲେକ୍ଟ୍ରୋନିକ ଇ-କମର୍ସ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର, ସପ୍ଲାଇ ଚେନ ମାନେଜମେଣ୍ଟ, ଇଣ୍ଟରନେଟ ମାର୍କେଟିଂ, ଅନଲାଇନ ଟ୍ରାଞ୍ଜେକସନ ପ୍ରସେସିଂ, ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ଇନଭେଣ୍ଟରି ମାନେଜମେଣ୍ଟ ସିଷ୍ଟମ ଆଉ ସ୍ଵୟଂଚାଳିତ ଡାଟା କଲେକସନ ସିଷ୍ଟମ ଆଦି ଟେକନୋଲୋଜିର ବ୍ୟବହାର କରିଥାଏ । ଯଦିଓ ଏହା ଅନେକ ଗୁଡିଏ ଟେକନୋଲୋଜି ଯଥା; ଇ-ମେଲ, ମୋବାଇଲ ଉପକରଣ ଓ ଟେଲିଫୋନ ଆଦିର ବ୍ୟବହାର କରିଥାଏ ତେବେ ଆଧୁନିକ ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ୱାର୍ଲଡ଼ ୱାଇଡ଼ ୱେବ ବ୍ୟବହାର କରି ଅର୍ଥ-ପରିବହନ (ଟ୍ରାଞ୍ଜେକସନ)ର ଜୀବନକାଳ ବ୍ୟବହାର କରିଥାଏ ।
ଅକ୍ଷୟ ମହାନ୍ତି (୧୨ ଅକ୍ଟୋବର ୧୯୩୭ – ୧୭ ନଭେମ୍ବର ୨୦୦୨) (ଅନ୍ୟନାମ: ଖୋକା ଭାଇ) କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।