ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ବ୍ଲାକ୍ମେଲ୍, ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ମା ସିଂହବାହିନୀ ମୁଭିଜ୍ । ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅମିତ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅମିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ପୂର୍ବରୁ କାମ କରୁଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜିନା ସାମଲ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ, ଅପା ଏବଂ ତରଙ୍ଗ ଟିଭିରେ ପ୍ରସାରିତ କେମିତି ଏ ବନ୍ଧନରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଧାରାବାହିକ ସହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ଉଇକିପିଡ଼ିଆ' (i /ˌwɪkɪˈpiːdi.ə/ or i /ˌwɪkiˈpiːdi.ə/ wik-i-pee-dee-ə) ଏକ ଖୋଲା ୱେବକୁ ନେଇ ତିଆରି ମିଳିତ ବହୁଭାଷୀ ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର ଉଇକିଆଳିଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ । ଉଇକିପିଡ଼ିଆ ୨୦୦୧ ମସିହାରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ । ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ସାହାରା (ଜନ୍ମ: ୧୯ ଜୁନ ୧୯୯୦) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୪ ମସିହାରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରୁଖେ ଦରୱା । ଏହି ଚଳଚ୍ଚିତ୍ରରେ ସେ ଶକିବ ଖାନଙ୍କ ସହ ଅଭିନୟ କରିଥିଲେ । ବଙ୍ଗଳାଦେଶ କଥାଚିତ୍ର ଜଗତର ଆଧୁନିକ ଯୁଗରେ ଦୁଇ ଜଣ ମହାନ ମୁଖ୍ୟ ନାୟିକାଙ୍କ ମଧ୍ୟରେ ସେ ଅନ୍ୟତମ । ୨୦୦୩ରୁ ଆରମ୍ଭ କରି ତାଙ୍କର ଅଭିନୟ ଯାତ୍ର ୨୦୧୩ ଯାଏଁ ଚାଲିଥିଲା । ସେ ଏହି ୧୦ ବର୍ଷର ସମୟ ଅବଧି ମଧ୍ୟରେ ପାଖାପକାହି ଅର୍ଦ୍ଧ ଶତକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୩ରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସେ ଚଳଚ୍ଚିତ୍ର ଜଗତରୁ ସନ୍ୟାସ ନେବର ନିଷ୍ପତ୍ତି ନେଇଥିଲେ । ତେଣୁ ସେ ଏହାପରେ ଆଉ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୫ରେ ବିବାହ କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ବଳିଆ କୁକୁର (ଭାରତରେ “ଢୋଲ୍” ଭାବେ ପରିଚିତ, ଜୀବ ବିଜ୍ଞାନ ନାମ Cuon Alpinus, ସମ୍ଵଲପୁରୀ ଭାଷାରେ କୋକବଲିଆ) ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ଶ୍ଵାନ ଜାତୀୟ ପ୍ରାଣୀ । ବଳିଆ କୁକୁରକୁ ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଲୋକେ ଢୋଲ୍, ଏସୀୟ ଜଙ୍ଗଲି କୁକୁର, ଭାରତୀୟ ଜଙ୍ଗଲି କୁକୁର, ହ୍ଵିସିଲ୍ ଶବ୍ଦକାରୀ କୁକୁର, ଲାଲ୍ କୁକୁର ଓ ପର୍ବତୀୟ ଗଧିଆ ମଧ୍ୟ କୁହନ୍ତି । ଜିନ୍ ଦୃଷ୍ଟିରୁ ଏହା ଶ୍ଵାନ ପ୍ରଜାତୀୟ ପ୍ରାଣୀଙ୍କ ନିକଟତମ, କିନ୍ତୁ ଏହାର ଖପୁରି ସମଜାତୀୟ ପ୍ରାଣୀଙ୍କ ଭଳି ଅବତଳ ନହୋଇ ସାମାନ୍ୟ ଉତ୍ତଳ ହୋଇଥାଏ । ଏହି ଦୁଇ ପ୍ରଜାତିଙ୍କ ଥୋଡ଼ି ବା ମୁହଁର ଗଠନରେ ମଧ୍ୟ ତଫାତ ଥାଏ । ପ୍ଲାଇଷ୍ଟୋସିନ୍ ସମୟରେ ବଳିଆ କୁକୁର ଏସିଆ, ଇଉରୋପ ଏବଂ ଉତ୍ତର ଆମେରିକାରେ ବହୁ ପରିମାଣରେ ଚଳପ୍ରଚଳ କରୁଥିଲେ କିନ୍ତୁ ପ୍ରାୟ ୧୨,୦୦୦ରୁ ୧୮,୦୦୦ ବର୍ଷ ପୂର୍ବେ ସେମାନଙ୍କ ଭୌଗୋଳିକ ଅବସ୍ଥିତି କ୍ରମେ ସୀମିତ ହେବାକୁ ଲାଗିଲା ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ । ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିଲେ । ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା । ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବାପରେ ଅନେକ ପାଇକ ସର୍ଦାର ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ଭୋଗିଥିଲେ । ବହୁଦିନ ଜଙ୍ଗଲରେ ଲୁଚି ସଂର୍ଘଷ କରିବା ପରେ ବକ୍ସି ନିଜେ ଆତ୍ମ ସମର୍ପଣ କରିଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ। ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ। ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ। କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ।
ଏସିଆ ରାଜମାର୍ଗ ୧ (ଏ ଏଚ ୧) "ଏସିଆ ରାଜମାର୍ଗ ଜାଲ" ର ସବୁଠାରୁ ଲମ୍ବା ରାଜମାର୍ଗ ଅଟେ । ଏହାର ମୂଳ ଲମ୍ବା ୨୦,୫୫୭ କିଲୋମିଟର (୧୨,୭୭୪ ମିଲି) ଅଟେ । ଏହା ଟୋକିୟୋ, ଜାପାନରୁ ଆରମ୍ଭ କରି କୋରୀୟା, ଚୀନ ଜନବାଦୀ ଗଣରାଜ୍ୟ, ହଙ୍ଗକଙ୍ଗ, ଦକ୍ଷୀଣ-ପୂର୍ବ ଏସିଆ, ବଙ୍ଗଳା ଦେଶ, ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ହୋଇ ତୁର୍କୀ ଏବଂ ବୁଲ୍ଗାରିୟା ପର୍ଯ୍ୟନ୍ତ ଯାଇଥାଏ ।
ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁକା ରଙ୍ଗର ଥାଏ ଏହାକୁ କେହି କେହି 'ଗୌରୀ ତୁଳସୀ' ମଧ୍ୟ କହିଥାନ୍ତି । କୃଷ୍ଣ ତୁଳସୀ ପତ୍ରଗୁଡ଼ିକ ଗାଢ଼ କଳା । ଏହା ବ୍ୟତୀତ ବଣ ତୁଳସୀ ନାମକ ଆଉ ଏକ ଜାତି ରହିଅଛି । ଏହାକୁ ହିନ୍ଦୀରେ 'କାଠେରକ୍' କୁହାଯାଏ । ଔଷଧୀୟ ବ୍ୟବହାର ପାଇଁ ତୁଳସୀ ମୁଖ୍ୟତଃ କାମରେ ଲାଗିଥାଏ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ Sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନକ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । . ୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁ ଓ ପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍ସ୍ ଓ ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନକ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ । ଏହି ରୋଗମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ଶ୍ରେଷ୍ଠ ଉପାୟ ହେଉଛି ଯୌନ ସମ୍ଭୋଗ ନ କରିବା । ହେପାଟାଇଟିସ ବି ଓ ଏଚ.ପି.ଭି. ଟିକା ନେଲେ କେତେକ ସଂକ୍ରମଣ କମିଯାଏ । କଣ୍ଡୋମ ବ୍ୟବହାର କରି ସୁରକ୍ଷିତ ଯୌନକ୍ରିୟା କଲେ, ସଳ୍ପ ଯୌନ ସାଥୀ ବା କେବଳ ଦୁଇ ଜଣ ଯୌନ ସମ୍ପର୍କ ରଖିଲେ ଏହି ରୋଗ ସମ୍ଭାବନା କମିଯାଏ । ସୁନ୍ନତ କରିବାଦ୍ୱାରା ଅନେକ ସଂକ୍ରମଣ ପ୍ରତିରୋଧ କରାଯାଇପାରେ । ଅଧିକାଂଶ ଯୌନ ସଂକ୍ରମଣ ଚିକିତ୍ସା କରିହୁଏ ଓ ଆରୋଗ୍ୟ କରିହୁଏ । ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗ ଆରୋଗ୍ୟସାଧ୍ୟ ଓ ହର୍ପିସ୍, ହେପାଟାଇଟିସ୍ ବି, ଏଚ ଆଇ ଭି/ଏଡ୍ସ ଓ ଏଚପିଭି ରୋଗ ଚିକିତ୍ସାସାଧ୍ୟ କିନ୍ତୁ ଆରୋଗ୍ୟସାଧ୍ୟ ନୁହେଁ । ଗନୋରିଆ ଜୀବାଣୁ ଭଳି କେତେକ ଜୀବାଣୁ ନିମନ୍ତେ ଦିଆଯାଉଥିବା ଆଣ୍ଟିବାୟୋଟିକ୍ର ପ୍ରତିରୋଧ ହେଉଛି । ସନ ୨୦୦୮ର ହିସାବ ଅନୁଯାୟୀ ୫୦୦ ନିୟୁତ ଲୋକ ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗରେ ପିଡ଼ିତ ହୋଇଥିଲେ । ୫୩୦ ନିୟୁତ ଲୋକଙ୍କର ଗୁପ୍ତାଙ୍ଗ ହର୍ପିସ୍ ଓ ୨୯୦ ନିୟୁତ ମହିଳାଙ୍କର ମାନବ ପାପିଲୋମା ଭୁତାଣୁ ସଂକ୍ରମଣ ହୋଇଥିଲା । ଏଚ.ଆଇ.ଭି.
କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବହାର କରାଯାଏ । ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ । ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ । କିନ୍ତୁ ସାଧାରଣ ବ୍ୟବହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ । କଣ୍ଡୋମ ବ୍ୟବହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବି ଓ ଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍ ।
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜୀବାଣୁ ଭାଜିନୋସିସ (ସଂକ୍ଷେପରେ ବିଭି) ବା ଯୋନିପଥ ଜୀବାଣୁ ରୋଗ ବା ଗାର୍ଡନେରେଲା ଯୋନିପଥ ପ୍ରଦାହ (ଇଂରାଜୀରେ ଯଥାକ୍ରମେ Bacterial vaginosis (BV), also known as vaginal bacteriosis or Gardnerella vaginitis), ଏକ ଯୋନିପଥ ରୋଗ ଯାହା ଅତ୍ୟଧିକ ଜୀବାଣୁ ବୃଦ୍ଧିଦ୍ଵାରା ହୁଏ । ଏହି ରୋଗରେ ଯୋନୀପଥରୁ ଅଧିକାଂଶ ସମୟରେ ମାଛ ଭଳି ଗନ୍ଧ ହେଉଥିବା ତରଳ ସ୍ରାବ ବାହାରେ । ଏହି ତରଳ ସ୍ରାବର ରଙ୍ଗ ଧଳା ବା ପାଉଶିଆ ଦେଖାଯାଏ । ପରିସ୍ରା କଲାବେଳେ ଜ୍ୱାଳା ହୁଏ । କ୍ୱଚିତ ଗଲୁ ହୁଏ । ବେଳେ ବେଳେ କୌଣସି ଲକ୍ଷଣ ନ ଥାଏ । ବିଭି ରୋଗ ଥିଲେ ଅନ୍ୟ ଅନେକ ଯୌନସଙ୍ଗମ ସଞ୍ଚାରିତ ସଂକ୍ରମଣ ରୋଗ ହେବା ସଙ୍କଟ ରହେ ଯେପରିକି ଏଚଆଇଭି/ଏଡସ । ଗର୍ଭାବସ୍ଥାରେ ଏହି ରୋଗ ହେଲେ ସଠିକ ସମୟ ପୂର୍ବରୁ ପ୍ରସବ ହେବା ସଙ୍କଟ ରହେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ଵାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ । ଅଖିଳମୋହନଙ୍କ ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଥିଲା ବେଳେ ତାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ । ୧୯୪୮ ମସିହାରେ, ତାଙ୍କର ପ୍ରଥମ ଗଳ୍ପ "ସପନ" ପ୍ରକାଶିତ ହୋଇଥିଲା । ୧୯୮୧ ମସିହାରେ ଓ ଅନ୍ଧଗଳି ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇସାରିଛି । ଅଖିଳ ମୋହନ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । "ଜନତା ରଙ୍ଗମଞ୍ଚ"ର ପୁନରୁଦ୍ଧାର ଦିଗରେ, ସେ କାର୍ଯ୍ୟ କରିଥିଲେ ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କ ଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ ।ବାଲେଶ୍ଵର ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ । ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । । ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ । ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ । ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ । ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ । ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ । ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି.
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ଵାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
'ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ,kṛṣṇa janmāṣṭami), କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା । ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ଵର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ମେଦ ବହୁଳତା ବା ଓବେସିଟି ଏକ ମେଡିକାଲ ରୋଗ ଯେଉଁଥିରେ ଅତ୍ୟଧିକ ଶରୀର ଚର୍ବି ଜମାହୋଇଯାଏ ଯାହା ସ୍ୱାସ୍ଥ୍ୟ ଉପରେ ପ୍ରତିକୁଳ ପ୍ରଭାବ ପକାଏ । ଯାହାର ବଡି ମାସ ଇଣ୍ଡେକ୍ସ (ବିଏମଆଇ) (ଲୋକର ଓଜନ ହରଣ ଲୋକର ମିଟରରେ ଉଚ୍ଚତାର ବର୍ଗ) ୩୦ରୁ ଅଧିକ ଥାଏ, ତାହାକୁ ମେଦ ବହୁଳତା କୁହାଯାଏ ଓ ୨୫ରୁ ୩୦ ଭିତରେ ଥିଲେ ଅଧିଭାର କୁହାଯାଏ । କେତେକ ପୂର୍ବ ଏସିଆ ଦେଶମାନଙ୍କରେ ଏହାଠାରୁ କମ ମୂଲ୍ୟାୟନ କରନ୍ତି । ମେଦ ବହୁଳତା ଥିଲେ ଅନେକ ରୋଗ ହେବା ସମ୍ଭାବନା ଥାଏ ଯଥା; ହୃତ୍ପିଣ୍ଡ ରୋଗ, ଡାଏବେଟିସ ୨, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, କେତେକ କର୍କଟ ଓ ଓଷ୍ଟିଓଆର୍ଥ୍ରାଇଟିସ ।ମେଦ ବହୁଳତାର କେତେକ ପ୍ରତିଶବ୍ଦମାନଙ୍କର ନାମ: ସ୍ଥୌଲ୍ୟତା, ମେଦୋବୃଦ୍ଧି, ସ୍ଥୁଳକାୟତ୍ତ୍ୱ, ନୁଦ୍ବୁଦ ବ୍ୟାଧି
ଲିଓନାର୍ଡୋ ଦା ଭିନ୍ସି (Leonardo di ser Piero da Vinci: Italian pronunciation: [leoˈnardo da vˈvintʃi] pronunciation (help•info); 15 April 1452 – 2 May 1519, Old Style) ଜଣେ ଇତାଲିୟ ବ୍ୟକ୍ତି ଥିଲେ ଓ ଏକା ଧାରରେ ଜଣେ ଚିତ୍ରକର, ସ୍ଥପତି, ଆର୍କିଟେକ୍ଟ, ସଙ୍ଗୀତଜ୍ଞ, ଗଣିତଜ୍ଞ, ଯନ୍ତ୍ରୀ (ଇଞ୍ଜିନିଅର), ଉଦ୍ଭାବକ, ଶରୀର ଗଠନ ବିଶେଷଜ୍ଞ (ଆନାଟମିଷ୍ଟ), ଭୂତତ୍ତ୍ଵବିଦ (ଜେଓଲୋଜିଷ୍ଟ), କାର୍ଟୋଗ୍ରାଫର, ଉଭିଦବିଜ୍ଞାନୀ ଓ ଲେଖକ ଥିଲେ । ସେ ଅତ୍ୟଧିକ କୌତୁହଳି ଓ ଅନୁସନ୍ଧିତ୍ସୁ ଥିଲେ । ତାଙ୍କୁ ରେନାସାଁ ମଣିଷ ବା ଅତୃପ୍ତ କୌତୁହଳି ଓ ଅତ୍ୟଧିକ ଉଦ୍ଭାବନୀ ଚିନ୍ତାଧାରା ସମ୍ପର୍ଣ୍ଣ କୁହାଯାଉଥିଲା । ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଚିତ୍ରକର ଓ ବିବିଧ କଳାସମ୍ପର୍ଣ୍ଣ ମଣିଷ କୁହାଯାଏ । ଐତିହାସିକ ହେଲେନ ଗାର୍ଡନରଙ୍କ ମତରେ ତାଙ୍କ ଭଳି ଅନୁସନ୍ଧାନ ଆଗ୍ରହୀ ସଂସାରରେ ଅଦ୍ଵିତୀୟ ଓ ଅବିଦିତ । ତାଙ୍କର ମନ personality ସେ ଅତିମାନବୀୟ ଥିଲେ ତଥା ସେ ନିଜେ mysterious ଓ remote ଥିଲେ । ମାର୍କୋ ରୋଷୀ ମତରେ ଲିୟନାର୍ଡୋଙ୍କ ବିଷୟରେ ବହୁତ ଜିଜ୍ଞାସା ଥିଲେ ମଧ୍ୟ ସେ ତତ୍ତ୍ଵାନୁମୋଦିତ ଥିଲେ । ତାଙ୍କର ଦୃଷ୍ଟିରେ ସଂସାର ରହସ୍ୟମୟ ନ ହୋଇ ତାତ୍ଵିକ ଥିଲା । ତାଙ୍କର କର୍ମ ପଦ୍ଧତି ସେ ଯୁଗ ନିମନ୍ତେ ଅସାଧାରଣ ଥିଲା।
ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଟେ।
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ସେନ୍ଦାଇ (仙台 市 ସେନ୍ଦାଇ ଶି) ଜାପାନର ମିୟାଗୀ ପ୍ରାନ୍ତର ରାଜଧାନୀ ଅଟେ । ଏହା ତୋହୋକୁ କ୍ଷେତ୍ରର ସବୁଠାରୁ ବଡ ସହର ଏବଂ ଟୋକିଓର ଉତ୍ତରରେ ଦ୍ୱିତୀୟ ବଡ ସହର ଅଟେ । ୧ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ, ସହରର ଜନସଂଖ୍ୟା ୧,୦୮୬,୦୧୨ ଥିଲା ଏବଂ ଜାପାନର ୨୦ ମନୋନୀତ ସହର ମଧ୍ୟରୁ ଗୋଟିଏ ଅଟେ । ସହରର ସମ୍ପୁର୍ଣ୍ଣ କ୍ଷେତ୍ରଫଳ ୭୮୬.୩୦ ବର୍ଗ କିଲୋମିଟର (୩୦୩.୫୯ ବର୍ଗ ମିଲି) ଅଟେ ।