ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା, ଇଂରାଜୀ: Madhusudan Das) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଭଲପାଏ ତତେ ୧୦୦ ରୁ ୧୦୦, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ରୱାଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରର ସଂଳାପ ଲେଖିଥିଲେ । ନିର୍ଦ୍ଦେଶନ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି ଚଳଚ୍ଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ । ଏହି ଠିକଣା ଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URI ଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URL ଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ । ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ଵିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଦ୍ଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ଵୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋଗରଲିପି ସୂଚି କରାଯାଏ । ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚପ୍ରକାର ଫୁଲ, ପାଞ୍ଚପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ଵଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ଵତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ବିଶ୍ଵାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗ ଦ୍ଵାରା ପ୍ରଚଳିତ ହେଉଛି |
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ଵାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହା ଦ୍ଵାରା ଇଣ୍ଟରନେଟ ରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ ର ସାହାଯ୍ୟ ନିଆଯାଇଥାଏ । ଏହା ଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବର କୁ ଉଇକିପିଡ଼ିଆ ରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ଵକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ । ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତା କୁ ସ୍ୱୀକାର କରାଯାଏ । ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନା ର ବିପରୀତ, ଉଇକିଖବର ର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କ ଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସହ ଦିଆଯାଏ । ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ପୋଟାସିଅମ ପରମାଙ୍ଗାନେଟ (ଡାକ୍ତରୀ ବ୍ୟବହାର)
ପୋଟାସିଅମ ପରମାଙ୍ଗାନେଟ (ଇଂରାଜୀ ଭାଷାରେ Potassium permanganate) ଏକ ଔଷଧ ଯାହା ଅନେକ ଗୁଡ଼ିଏ ଚର୍ମ ରୋଗର (skin condition) ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କର ନାମ ଟିନିଆ ପେଡିସ (fungal infections of the foot), ଇମ୍ପେଟିଗୋ (impetigo), ପେମ୍ଫିଗସ (pemphigus), ଚର୍ମର ବାହ୍ୟ କ୍ଷତ (wounds), ଡର୍ମାଟାଇଟିସ (dermatitis) ଓ ଟ୍ରପିକାଲ ଅଲସର (tropical ulcers) । ଟ୍ରପିକାଲ ଅଲସର ରୋଗରେ ଏହି ଔଷଧ ସହିତ ପ୍ରୋକେନ ବେଞ୍ଜାଇଲ ପେନିସିଲିନ (procaine benzylpenicillin) ବ୍ୟବହାର କରାଯାଏ । ପ୍ରଚୁର ତରଳ ପଦାର୍ଥ ଉତ୍ପନ୍ନ ହେଉଥିବା ଚର୍ମ ରୋଗରେ ଏହା ସ୍ୱାଭାବିକ ଭାବରେ ବ୍ୟବହାର କରାଯାଏ । ଭିଜା ଡ୍ରେସିଙ୍ଗ ବା ଧୋଇବା (ବାଥ) ଆକାରରେ ବ୍ୟବହାର କରାଯାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ', ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ । ଏହା ଦ୍ୟାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟାବ ହାରକାରୀ କୁ ବାର୍ତ୍ତା ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷାଣତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ । ଇମେଲ ସର୍ଭର ବାର୍ତ୍ତା ଗ୍ରହଣ କରିବା ପରେ ସଞ୍ଚିତ କରି ରଖିଥାଏ ଯଦ୍ୱାରା ବ୍ୟବହାରକାରୀ ଯେତେବେଳେ ମଧ୍ୟ ଅନଲାଇନ ଆସିଲେ ବାର୍ତ୍ତା ପାଇପାରେ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ର ଜନ୍ମ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ। ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ। ସହଜ ରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ। କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ବେଶ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ନାମରେ ପ୍ରସିଦ୍ଧି ଲାଭ କରିଛି ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲା ଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଝାଡ଼ଖଣ୍ଡ ଭାରତର ଏକ ରାଜ୍ୟ ଯାହା ବିହାର ରାଜ୍ୟ ଭାଗ ହୋଇ ତିଆରି ହୋଇଥିଲା । ବିହାର, ଓଡ଼ିଶାର ସଢେ଼ଇକଳା ଓ ଖରସୁଆଁ ତଥା ପଶ୍ଚିମବଙ୍ଗର କିଛି ଅଞ୍ଚଳ ମିଶି ଏହି ରାଜ୍ୟ ତିଆରି ହୋଇଛି । ରାଞ୍ଚି ଏହାର ରାଜଧାନୀ | ଜାମସେଦପୁର, ବୋକାରୋ ଇତ୍ୟାଦି ଏହାର କେତେକ ମୁଖ୍ୟ ସହର । ଜାମସେଦପୁର ସହରଟି 'ଜାମସେଦଜି ଟାଟା'ଙ୍କ ନାମ ଅନୁସାରେ ତିଆରି । ଟାଟା କମ୍ପାନିର ଇସ୍ପାତ (ଷ୍ଟିଲ) କାରଖାନା ଏଠାରେ ଅଛି ।
ଡାର୍କ ୱେବ ହେଉଛି ୱାର୍ଲଡ଼ ୱାଇଡ଼ ୱେବର ଏପରି ଏକ ଅଂଶ ଯାହା ଡାର୍କ ନେଟରେ ପରିଚାଳିତ ହୋଇଥାଏ । ଡାର୍କ ୱେବରେ ଥିବା ତଥ୍ୟକୁ ହାସିଲ କରିବା ପାଇଁ କିଛି ବିଶେଷ ସଫ୍ଟୱେର ଏବଂ ପ୍ରଣାଳୀ ଆବଶ୍ୟକ । ଡାର୍କ ୱେବ ଡିପ ୱେବର ଏକ ଛୋଟ ଅଂଶ ପ୍ରସ୍ତୁତ କରିଥାଏ । ଡ଼ିପ ୱେବ ଇଣ୍ଟରନେଟର ଏପରି ଏକ ଅଂଶ ଯାହା କି ସନ୍ଧାନୀ ସଫ୍ଟୱେୟାର ଦ୍ୱାରା ଈଂଡେ଼କ୍ସ ହୋଇ ନଥାଏ । ଡାର୍କ ୱେବ ଏବଂ ଡ଼ିପ ୱେବ ଏକା ପ୍ରକାରର ଲାଗୁ ଥିଲେ ମଧ୍ୟ ସେମାନଙ୍କୁ ସମାନ ବୋଲି ଭାବିନେବା ଠିକ ନୁହେଁ ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣ ରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ) (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗିମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ଵର-ହଲଦିପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୨୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।