ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ରଘୁପତି ରାଘବ ରାଜାରାମ (ଓଡ଼ିଆ କଥାଚିତ୍ର)
ରଘୁପତି ରାଘବ ରାଜାରାମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହା ସାର୍ଥକର ୧୪ ତମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ ଶ୍ରୀକାନ୍ତ ଗୌତମ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ', ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସହ ଦିଆଯାଏ । ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନ ଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବର ଦ୍ୱାରା କାର୍ଯ୍ୟାନ୍ବିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ । ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍)ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେଇ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହା ଦ୍ଵାରା ଇଣ୍ଟରନେଟ ରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ ର ସାହାଯ୍ୟ ନିଆଯାଇଥାଏ । ଏହା ଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର)
ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର) (ଇଂରାଜୀ ଭାଷାରେ Salicylic acid) ଏକ ଔଷଧ ଯାହା ଏପିଡର୍ମିସ (outer layer) (ଚର୍ମର ବାହ୍ୟ ସ୍ତର) କାଢ଼ିବା ନିମନ୍ତେ ବ୍ୟବହାର କରାଯାଏ । ଭାତୁଡ଼ି (warts), ସୋରିଆସିସ, ରୂପି (dandruff), ବ୍ରଣ (acne), ରିଙ୍ଗୱର୍ମ (ringworm) ଓ ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବହୃତ ହୁଏ । ଭାତୁଡ଼ି ବ୍ୟତୀତ ଅନ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଇପାରେ । ପ୍ରଭାବିତ ଚର୍ମରେ ଏହା ଲଗାଯାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚମରେ ଜଳାପୋଡ଼ା ଓ ସାଲିସିଲେଟ ବିଷକ୍ରିୟା (salicylate poisoning) ହୋଇପାରେ । ପିଲାଙ୍କ ଦେହରେ ଗୋଟିଏ ବଡ଼ ଆକାରର ସ୍ଥାନରେ ଲଗେଇଲେ ସାଲିସିଲେଟ ବିଷକ୍ରିୟା ହୋଇପାରେ । ଦୁଇ ବର୍ଷ ବୟସରୁ କମ୍ ପିଲାଙ୍କୁ ଏହା ଲଗେଇବାକୁ ମନାକରାଯାଏ । ଏହା ବିଭିନ୍ନ ଭାଗମାପରେ ମିଳେ । ହିପୋକ୍ରାଟିସଙ୍କ (Hippocrates) ଅମଳରୁ ଚିକିତ୍ସା କ୍ଷେତ୍ରରେ ସାଲିସିଲିକ ଏସିଡ ବ୍ୟବହାର ହୋଇଆସୁଛି ।.
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗ ଦ୍ଵାରା ପ୍ରଚଳିତ ହେଉଛି |
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ା ଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
କେତେକ ରୋଗ, ବିକଳାଙ୍ଗତା ଓ ସ୍ଵାସ୍ଥ୍ୟ ସମସ୍ୟା ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନେକ ରୋଗର ସଙ୍କଟଦାୟୀ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରିକରଣର ପ୍ରଧାନ ବାଧା କାରକ ରୁପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପି ଥାଏ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣ ଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ର ଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କ ଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।
ଶୂଚୀବାଇ ଏକ ମାନସିକ ରୋଗ । ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥାଏ । ଏଥିରେ ରୋଗୀ ନିଜ ଜାଣତରେ/ଜ୍ଞାତସାରରେ ବାରମ୍ବାର ଗଣନା କରେ,ଯାଞ୍ଚକରେ ଓ ଧୁଆଧୋଇ କରେ । ଦୃଢ଼ ଆଗ୍ରହ(Obsession)ଚିନ୍ତା ବା ଉଦ୍ବେଗ ବଢାଇଥାଏ । ବାଧ୍ୟତାମୂଳକ(Compulsion)ବ୍ୟବହାର କରିବା ଦ୍ଵାରା ଏହି ଚିନ୍ତା ବା ଉଦ୍ବେଗ କମ୍ ହୋଇଥାଏ । ମାତ୍ର ଯଦି କୌଣସି ରୋଗୀ ଏହି ବାଧ୍ୟତାମୂଳକ ଚିନ୍ତାଧାରାକୁ ବାଧା ଦିଏ, ତା'ହେଲେ ତାହାର ଉଦ୍ବେଗ ବଢିଥାଏ ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ମାଇକ୍ରୋସଫ୍ଟ କର୍ପୋରେସନ ହେଉଛି ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏହାର ମୁଖ୍ୟାଳୟ ୱାସିଂଟନର ରେଡମୋଣ୍ଡ (redmond) ଠାରେ ସ୍ଥିତ । ଏହା କମ୍ପ୍ୟୁଟର ସମ୍ବନ୍ଧୀୟ ଉତ୍ପାଦମାନ ପ୍ରସ୍ତୁତ କରିଥାଏ । ଏହାକୁ ପ୍ରଥମେ ବିଲ୍ ଗେଟ୍ସ୍ ଓ ପଲ ଆଲେନ ଏପ୍ରିଲ ୪,୧୯୭୫ ରେ ଗଢିଥିଲେ । ମାଇକ୍ରୋସଫ୍ଟ ହେଉଛି ରେଭିନ୍ୟୁ ଅନୁସାରେ ପୃଥିବୀର ସର୍ବବୃହତ ସଫ୍ଟୱେର କମ୍ପାନୀ ।
ଦେବୀ ତାରା ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ । ଜୀବଜଗତକୁ ତ୍ରାଣ କରୁଥିବାରୁ ଦେବୀ ତାରା ନାମରେ ନାମିତ । ସେ ନୀଳବର୍ଣ୍ଣା ଓ ନୀଳନୟନା । ସେ ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କ ତିନୋଟି ରୂପ ରହିଛି – ଏକଜଟା ତାରା, ନୀଳସରସ୍ଵତୀ, ଉଗ୍ରତାରା । ଦେବୀ ମୁକ୍ତକେଶୀ ଏବଂ ରିଦ୍ର ତାଙ୍କର ଜଟା ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତ୍ରାଣ କରନ୍ତି ବୋଲି ଉଗ୍ରତାରା । ଦେବୀ ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ଵତୀ ନାମରେ ପରିଚିତା ।