ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷ ଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପୁଣି ଦେଖା ହବ ଆର ଜନମରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ମହାନ୍ତି । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ', ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ଵାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ଵର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଫ୍ଲୋରାଇଡ ଚିକିତ୍ସା (ଇଂରାଜୀ ଭାଷାରେ Fluoride therapy) ଅର୍ଥ ଚିକିତ୍ସା କ୍ଷେତ୍ରରେ ଫ୍ଲୋରାଇଡର (fluoride) ବ୍ୟବହାର ପଦ୍ଧତି । ୬ ମାସ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କର ଦନ୍ତ କ୍ଷୟ (tooth decay) ହେଉଥିଲେ ଓ ରହୁଥିବା ସ୍ଥାନରେ ପାନୀୟ ଜଳରେ (drinking water) ଫ୍ଲୋରାଇଡ (fluoride) ପରିମାଣ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଫ୍ଲୋରାଇଡ ପରିପୂରକ ଦିଆଯାଏ । ଏହା ତରଳ, ବଟିକା ବା ପେଷ୍ଟ ଆକାରରେ ବ୍ୟବହାର କରାଯାଏ । ଯେଉଁ ସ୍ଥାନରେ ଜନ ସାଧାରଣଙ୍କ ନିମନ୍ତେ ଫ୍ଲୋରାଇଡ ମିଶ୍ରିତ ଜଳ (fluoridated) ସରବରାହ କରାଯାଏ ସେ ସ୍ଥାନରେ ଅଧିକ ଫ୍ଲୋରାଇଡ ପାଟିରେ ଦେବା ଆବଶ୍ୟକ ନୁହେଁ । କେତେକ ହାଡ଼ ବେମାରୀରେ (bone diseases) ଏହା ବ୍ୟବହାର ହୁଏ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କ ଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ସରୋଜିନୀ ନାଇଡୁ ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା । ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ । ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ । ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ଷଠି ଓଷା (ଷଠୀ ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି । ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
ଦୁର୍ଗା ପୂଜା ଆଶ୍ଵିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ଵାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାମୁନୀ କଶ୍ୟପ ଓ ଦକ୍ଷ –ପୁତ୍ରୀ କଦ୍ରୂଙ୍କଠାରୁ ଜନ୍ମିତ ଅନନ୍ତଙ୍କୁ ପୁରାଣମାନଙ୍କରେ ଶେଷ, ବାସୁକୀ ଓ ଶୋନସ ନାମରେ ସ୍ତୁତି କରାଯାଇଛି । ହରିବଂଶ ପୁରାଣ ମତରେ ଜନ୍ମ ପରେ ଅନନ୍ତଦେବ ମାତାଙ୍କୁ ପରିତ୍ୟାଗ କରି ବାୟୁଭକ୍ଷ ବ୍ରତ ଅବଲମ୍ବନ କଲେ । ଜିତେନ୍ଦ୍ରିୟ ରୂପେ ଅନନ୍ତ ଅନେକ ତୀର୍ଥ ଭ୍ରମଣ ପୂର୍ବକ କଠୋର ତପସ୍ୟା କରିଥିଲେ । ଉଗ୍ର ତପସ୍ୟାରେ ପ୍ରୀତ ହୋଇ ପିତାମହ ବ୍ରହ୍ମା ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ଦେଇଥିଲେ । ସେବେଠାରୁ ଦେବକାର୍ଯ୍ୟ ପାଇଁ ଅନନ୍ତ ନିଜ ମସ୍ତକରେ ଭୂମଣ୍ଡଳକୁ ଧାରଣ କରିଛନ୍ତି । ଯେତେବେଳେ ଅନନ୍ତ ନିଜ ଶିର ଚାଳନ କରନ୍ତି ସେ ସମୟରେ ଭୂମିକମ୍ପ ଆଦି ପିତ୍ପାତ ଘଟେ ବୋଲି ବିଶ୍ୱାସ କରାଯାଏ । ଏହି ଅନନ୍ତଙ୍କୁ କୁଣ୍ଡଳି ଶଯ୍ୟାକରି କ୍ଷୀର ସାଗରରେ ଶ୍ରୀହରି ଯୋଗନିଦ୍ରା ରତ ଥିବା ସର୍ବତ୍ର ବର୍ଣ୍ଣନା କରାଯାଇଛି । ତ୍ରେତୟା ଯୁଗରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣଙ୍କୁ ଶେଷନାଗଙ୍କ ଅବତାର ଭାବେ କୁହାଯାଇଥିବା ବେଳେ ଦ୍ୱାପରରେ ବଳଭଦ୍ର ବଳରାମ ଅନନ୍ତ ନାମରେ ପରିଚିତ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗ ଦ୍ଵାରା ପ୍ରଚଳିତ ହେଉଛି |
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳ ଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ଵର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ବନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ଵର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ଠାରୁ ରହିଛି ଅନେକ ଆଗରେ । ବିଶ୍ଵର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ଵର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ରାଉରକେଲା pronunciation ଭାରତର ଓଡ଼ିଶା ରାଜ୍ୟର ଉତ୍ତର-ପୁର୍ବରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀ ଠାରୁ ୩୪୦ କିଲୋମିଟର (୨୧୧ mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ଵିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀ ଦ୍ଵାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଅଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କ ଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଇସରୋ ପୃଥିବୀର ଛଅଟି ବଡ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ESA, ଚୀନର CNSA ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ସ୍ଵାର୍ଥରେ ଏହାର ପ୍ରୟୋଗ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।