ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ସେ ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଦେଶର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ଵୀକୃତି ଲାଭ କରିଥିଲା । ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ । ପରବର୍ତ୍ତୀ ସମୟରେ ଏହା ସାତଟି ଭାଷାରେ ଅନୁବାଦିତ ହୋଇଥିଲା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ଭାରତ ଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୀଳାନାଟକ ଶୈଳୀ । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବା ଦ୍ୱାରୀଲୀଳା କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ । ଗଞ୍ଜାମରେ ଭାରତ ଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ବୋଲି କୁହାଯାଏ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରତ ଲୀଲା ପରିବେଷଣ କରାଯାଇଥାଏ । ଜନପ୍ରିୟତା ଦୃଷ୍ଟିରୁ ଗଞ୍ଜାମରେ ପରିବେଷିତ ଭାରତ ଲୀଳାର ସମକକ୍ଷ ସେମାନେ ହୋଇପାରିନାହାନ୍ତି । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି । ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଉଇକିପିଡ଼ିଆ' (i /ˌwɪkɪˈpiːdi.ə/ or i /ˌwɪkiˈpiːdi.ə/ wik-i-pee-dee-ə) ଏକ ଖୋଲା ୱେବକୁ ନେଇ ତିଆରି ମିଳିତ ବହୁଭାଷୀ ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର ଉଇକିଆଳିଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ । ଉଇକିପିଡ଼ିଆ ୨୦୦୧ ମସିହାରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ । ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସହ ଦିଆଯାଏ । ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ଵିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ଵଦ୍ଵାରା ସେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ଵାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥଶାସ୍ତ୍ରୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥଶାସ୍ତ୍ରୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।
ହାପି ଲକି, ୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନଦ୍ୱାରା ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ସଞ୍ଜୟ ମହାକୁଡ଼ ଏବଂ ଦେବୀଦତ୍ତ ମହାନ୍ତି । ସୁଧାଂଶୁ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଚିତାବାଘ (ଈଂରାଜୀରେ The Cheetah ଓ ଜୀବ ବିଜ୍ଞାନ ନାମ Acinonyx jubatus) ଏକ ବିଲେଇ ଜାତୀୟ ମାଂସଭୋଜୀ ଜୀବ । ବର୍ତ୍ତମାନ ସମୟରେ ଏହି ଜୀବ ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖାଯାଏ । ଏକିନୋନିକ୍ସ୍ ପ୍ରଜାତିର ଚିତାବାଘର ପ୍ରଥମ ବର୍ଣ୍ଣନା ୧୭୭୫ ମସିହାରେ ଜୋହାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍ (Johann Christian Daniel von Schreber)ଙ୍କ ଲେଖାରେ ମିଳେ । ଚିତାବାଘର ଶରୀର ପତଳା, ମୁଣ୍ଡ ଛୋଟ, ଶରୀର ଚିତାଦାଗରେ ପୂର୍ଣ୍ଣ, ଗୋଡ଼ଗୁଡ଼ିକ ପତଳା ଓ ଲମ୍ଵା ଓ ଲାଞ୍ଜ ଲମ୍ଵା । ଏହାର ନାକ ଓ ଆଖି ମଝିରେ ଲୁହ ଗଡ଼ିଲା ପରି ଏକ କଳାଚିହ୍ନ ଥାଏ । ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ଯାହା ବିଲେଇ ପ୍ରଜାତିର ଅନ୍ୟ ଜୀବ ଯଥା ମହାବଳ ବାଘ, ସିଂହ, କଲରାପତରିଆ ବାଘ ଇତ୍ୟାଦିଙ୍କ ଶରୀର ଗଠନର ସମ୍ପୂର୍ଣ୍ଣ ବିପରୀତ । ବରଂ କୁଗାର୍ ପ୍ରଜାତିର ଜୀବଙ୍କ ସହ ଏହାର ଅଧିକ ସାମଞ୍ଜସ୍ୟ ରହିଛି । ଭୂମିରୁ ଚିତାବାଘର କାନ୍ଧର ଉଚ୍ଚତା ପ୍ରାୟ ୭୦-୯୦ ସେଣ୍ଟିମିଟର୍ ହୋଇଥିବା ବେଳେ ଏମାନଙ୍କ ଓଜନ ପ୍ରାୟ ୨୧-୭୨ କିଲୋଗ୍ରାମ୍ ମଧ୍ୟରେ ରହିଥାଏ । ଏମାନେ କଲରାପତରିଆ ବାଘଠାରୁ ସାମାନ୍ୟ ଉଚ୍ଚ ହୋଇଥିବା ବେଳେ ସିଂହମାନଙ୍କ ତୁଳନାରେ ଖୁବ୍ ଛୋଟ । ଏମାନଙ୍କ ହଳଦିଆ ବା ଧୁସରିଆ ରଙ୍ଗର ଚମଡ଼ା ପ୍ରାୟ ୨୦୦୦ ଚିତା ଚିତା ଦାଗରେ ସଜାଇ ହୋଇଥାଏ । ଚିତାବାଘ ମୁଖ୍ୟତଃ ଏକ ଦିବାଚର ପ୍ରାଣୀ ଓ ଏମାନେ ଦିନବେଳେ ଶିକାର କରନ୍ତି । ପ୍ରାପ୍ତବୟସ୍କ ଅଣ୍ଡିରା ଚିତାବାଘ ଶିକାର ପାଇଁ କ୍ଷେତ୍ର ନିୟନ୍ତ୍ରଣ କରନ୍ତି, କିନ୍ତୁ ଏମାନଙ୍କଠାରେ ସାମାଜିକ (ମିଳିମିଶି ଦଳରେ ରହିବା) ମନୋଭାବ ମଧ୍ୟ ଦେଖାଯାଇଥାଏ । କେତେକ ସମୟରେ ଚିତାବାଘ ଭାଈମାନଙ୍କ ଗୋଷ୍ଠୀ ମିଳିମିଶି ରହିବା ଓ ଶିକାର କରିବା ଦେଖାଯାଏ । ମାଈ ଚିତାବାଘମାନଙ୍କଠାରେ ଶିକାର କ୍ଷେତ୍ର ନିୟନ୍ତ୍ରଣ ପ୍ରବୃତ୍ତି ଦେଖାଯାଏ ନାହିଁ । ମାଈମାନେ ଏକାକୀ କିମ୍ଵା ନିଜ ପରିବାର ସହିତ ରୁହନ୍ତି । ଚିତାବାଘ ମାଂସଭୋଜୀ ପ୍ରାଣୀ ଓ ସାଧାରଣତଃ ଆଣ୍ଟିଲୋପ୍ ହରିଣ (କୁଟୁରା ଭଳି ଜୀବ) ବା ଥୋମସନ୍ ଗ୍ୟାଜେଲ୍ ହରିଣଙ୍କ ଶିକାର କରନ୍ତି । ଚିତାବାଘ ଶିକାରର ଅଜାଣତରେ ତାହାର ୧୦୦ରୁ ୩୦୦ ମିଟର୍ ଦୂରତା ପର୍ଯ୍ୟନ୍ତ ଛପି ଛପି ତା’ର ଅନୁସରଣ କରେ ଓ ତାହାପରେ ଶିକାରକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରେ । ଦୌଡ଼ୁଥିବା ଅବସ୍ଥାରେ ଶିକାରକୁ ପକାଇ ଦେଇ ଓ ତାହାର ଶ୍ଵାସରୁଦ୍ଧ କରି ହତ୍ୟା କରେ । ଚିତାବାଘର ଦ୍ରୁତ ବେଗର କାରଣ ହେଉଛି ତାହାର ଶରୀର ଗଠନ । ସ୍ଥଳଚର ପ୍ରାଣୀଙ୍କ ମଧ୍ୟରେ ଚିତାବାଘ ଦ୍ରୁତତମ । ଶିକାର କରୁଥିବା ଅବସ୍ଥାରେ ଚିତାବାଘର ହାରାହାରି ବେଗ ପ୍ରାୟ ୬୪ କି.ମି. ପ୍ରତି ଘଣ୍ଟା ହୋଇଥାଏ । ଶିକାରକୁ ଗୋଡ଼ାଇବା ବେଳେ ଚିତାବାଘ ଖୁବ୍ କମ୍ ସମୟପାଇଁ ପ୍ରାୟ ୧୧୨ କି.ମି.
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କ ଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ପଞ୍ଜାବୀ ଭାଷା ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ । ପଞ୍ଜାବୀ /pʌnˈdʒɑːbi/ (ସାମୁଖୀ: پنجابی paṉjābī; ଗୁରୁମୁଖୀ: ਪੰਜਾਬੀ pañjābī) ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ଯାହା ବିଶ୍ୱବ୍ୟାପୀ ୧୧୦ ନିୟୁତ ସ୍ଥାନୀୟ ଲୋକଙ୍କଦ୍ୱାରା କୁହାଯାଇଥାଏ, ଯାହା ଏହାକୁ ପୃଥିବୀରେ ୧୦ମ ଅଧିକ କୁହାଯାଉଥିବା ଭାଷା (୨୦୧୫))ରେ ପରିଣତ କରିଛି । ଏହା ପଞ୍ଜାବୀ ଲୋକଙ୍କର ସ୍ଥାନୀୟ ଭାଷା, ଯେଉଁମାନେ ଭାରତ ଓ ପାକିସ୍ତାନର ଐତିହାସିକ ପଞ୍ଜାବ ଅଞ୍ଚଳରେ ରହିଆସୁଛନ୍ତି । ଏହା ଇଣ୍ଡୋ-ଇଉରୋପୀୟ ଭାଷାମାନଙ୍କ ମଧ୍ୟରେ ଏକମାତ୍ର ଜୀବନ୍ତ ଭାଷା, ଯାହା ଏକ ସମ୍ପୂର୍ଣ୍ଣ ସ୍ୱର ସମ୍ବନ୍ଧୀୟ ଭାଷା ।
ବିଜୟ କୁମାର ଜେନା ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଗୁରୁ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ବହୁବାର ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ସେ ଏହାର ଲୋକପ୍ରିୟତା ବୃଦ୍ଧି କରିବାର ପ୍ରଚେଷ୍ଟା କରିଛନ୍ତି । ସେ ୬୦ଟି ଦେଶରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିସାରିଛନ୍ତି । ଗୁରୁ ରାମହରି ଦାସଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଛନ୍ତି ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ପ୍ରାୟ ଦଶବର୍ଷ ଧରି ସଙ୍ଗୀତ ପରିବେଷଣ କରିଛନ୍ତି । ସେ ଏକକ ସଙ୍ଗୀତ ମଧ୍ୟ ପରିବେଷଣ କରନ୍ତି । ୨୦୧୮ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।
ରଘୁନାଥ ପାଣିଗ୍ରାହୀ (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ । ସେ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି.
ଭଞ୍ଜନଗର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁର ଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ଵର ଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ
ଅକ୍ଷୟ ମହାନ୍ତି (୧୨ ଅକ୍ଟୋବର ୧୯୩୭ – ୧୭ ନଭେମ୍ବର ୨୦୦୨) (ଅନ୍ୟନାମ: ଖୋକା ଭାଇ) କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ବୌଦ୍ଧ ଜିଲ୍ଲା ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.