ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱାପୁର୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବା, ତାଙ୍କର ଦକ୍ଷତାର ପ୍ରମାଣ ଦିଏ । ତାଙ୍କର ଏହି ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ "ର ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଟେଲଜିଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବନ୍ନା ମିର୍ଜା (ଜନ୍ମ: ୯ ସେପ୍ଟେମ୍ବର ୧୯୭୫) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରିବା ସହିତ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରନ୍ତି । ବନ୍ନା ଅଭିନୟ ବ୍ୟତୀତ ସାମାଜିକ କର୍ଯ୍ୟରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ହଜାରେରୁ ଅଧିକ ଦୂରଦର୍ଶନ ନାଟକରେ ଏବଂ କିଛି ମାର୍ମିକପୂର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମିର୍ଜା ୧୯୯୨ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ସେତେବେଳେ ସେ ଏହି ଥିଏଟର ସମୂହର 'ଦେଶନାଟକ' ନାମକ ଏକ ଥିଏଟର ସଂସ୍ଥାରେ ଯୋଗ ଦେଇ ତାଙ୍କ ପେଶା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ବଙ୍ଗଳାଦେଶ ଦୂରଦର୍ଶନ ଏବଂ ବଙ୍ଗଳାଦେଶ ବେତାର ସଂସ୍ଥାର ଜଣେ ନାମକରା କଳାକାର । ତାଙ୍କର ପ୍ରସିଦ୍ଧ ଥିଏଟର ନାଟକ ହେଲା 'ନିତ୍ୟପୂରାଣ', 'ଦର୍ପଣେ ଶରତଶଶୀ', 'ଏ ଡଲ୍', 'ହାଉସ୍', 'ଘରଲୋପଟ' ଏବଂ ଆହୁରି ଅନେକ । ସେ ୧୦୦୦ରୁ ଅଧିକ ଦୂରଦର୍ଶନ ଧାରାବାହିକ ଏବଂ ନାଟକରେ ଅଭିନୟ କରିଛନ୍ତି । ସେ ଅନେକ ଥିଏଟର ସ୍କୁଲରେ ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଚାରୁନିଗମ ଅଥବା ପ୍ରାଚ୍ୟାନ୍ତ ଭଳି ନାଟ୍ୟ ସଂସ୍ଥା ବନ୍ନାଙ୍କୁ ଜଣେ ଶିକ୍ଷକ ଭାବରେ ଯୋଗ ଦେବାକୁ ବାରମ୍ବାର ନିମନ୍ତ୍ରଣ କରିଥାନ୍ତି, କିନ୍ତୁ କିଛି ସାମାଜିକ ସଂସ୍ଥା ତାକୁ ଖାଲି ଶିକ୍ଷକ ନୁହେଁ, ନାଟକର ପ୍ରଶିକ୍ଷଣ ସହିତ ଜଣେ ସାର୍ବଜନିନ ବକ୍ତା ଭାବରେ ନିମନ୍ତ୍ରଣ କରିଥାନ୍ତି । ଜଣେ ସାମାଜିକ କର୍ମୀ ଭାବରେ ସେ ୟୁଏନ୍ଏଫ୍ପିଏ, ୟୁଏସ୍ଏଆଇଡି, ୱାରଲ୍ଡ ଭିଜିଅନ୍ ଭଳି ବେସରକାରୀ ଆଦି ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ଯୁବ ଏବଂ ମହିଳା ସଶକ୍ତିକରଣ ତଥା ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଏତଦ୍ ବ୍ୟତୀତ ସେ ଏଡ୍ସ୍, ଗୁଟୁଖା, ଆତଙ୍କବାଦୀ ତଥା ଯୁବଶକ୍ତି ଉପରେ ବିଭିନ୍ନ ସାମାଜିକ ସଚେତନତା ଅଭିଯାନ ଆଦି ପାଇଁ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ଆଦି ସହ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି । ଆକ୍ଟରସ୍ ଇକ୍ୟୁଟି, ଦୂରଦର୍ଶନ କଳାକାରମାନଙ୍କ ପାଇଁ ଏକ ବ୍ୟବସାୟୀ ସଂସ୍ଥାର କାର୍ଯ୍ୟକାରୀ ସମ୍ପାଦକ ଭାବରେ ନିର୍ବାଚିତ ହୋଇ ସେ ୨୦୧୮ରୁ କାର୍ଯ୍ୟ କରୁଛନ୍ତି । ଏଥି ସହିତ ସେ ଶିକ୍ଷାନୁଷ୍ଠାନ, ସାମାଜିକ ସେବା ସଂସ୍ଥା, ଦୂରଦର୍ଶନ ଚେନାଲ ଭଳି ସାମାଜିକ ମଞ୍ଚରେ ବିଭିନ୍ନ ସାମାଜିକ ଅସୁବିଧା ଉପରେ ବକୃତା ଦେଇଥାନ୍ତି ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଦୁର୍ଗା ପୂଜା ଆଶ୍ଵିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ଵାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ବର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ବର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ସ୍ତନ କର୍କଟ (ଇଂରାଜୀରେ Breast cancer) ରୋଗ ସ୍ତନ ତନ୍ତୁରୁ ବାହାରୁଥିବା ଏକ କର୍କଟ ରୋଗର ନାମ । ସ୍ତନ ଭିତରେ ଗୋଟାଳି ବାହାରିବା, ସ୍ତନ ଆକାରରେ ପରିବର୍ତ୍ତନ ଆସିବା ଓ କ୍ଷୁଦ୍ର ଗାତ ଦେଖାଯିବା। ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା ଓ ଚମରେ ଲାଲ କାତି ଚକଡ଼ା ଦେଖାଯିବା ଇତ୍ୟାଦି ଲକ୍ଷଣ ସମସ୍ତ ଏହି ରୋଗରେ ଦେଖାଯାଏ । ଦୂରବର୍ତ୍ତୀ ବ୍ୟାପନ ହେଲେ ହାଡ଼ ଯନ୍ତ୍ରଣା, ଲସିକା ଗ୍ରନ୍ଥି ଫୁଲା, ଛୋଟ ଶ୍ୱାସ କ୍ରିୟା କିମ୍ବା ହଳଦିଆ ଚମ ଲକ୍ଷଣମାନ ଦେଖାଯାଏ ।ସ୍ତନ କର୍କଟ ରୋଗର ସଙ୍କଟାବସ୍ଥାମାନଙ୍କ ନାମ: ସ୍ଥୌଲତା ବା ମୋଟାପଣ, ବ୍ୟାୟାମ ଅଭାବ, ମଦ୍ୟପାନ, ଋତୁବନ୍ଦ ସମୟରେ ହରମୋନ ପ୍ରତିସ୍ଥାପନ, ଆୟୋନାଇଜିଙ୍ଗ ରାଡିଏସନ, ଅଳ୍ପ ବୟସରେ ଋତୁଦର୍ଶନ(menarche), ଡେରିରେ ବା ଆଦୌ ଛୁଆ ନ ହେବା । ପ୍ରାୟ ୫ରୁ ୧୦ % ବଂଶାନୁକ୍ରମିକ ଭାବେ ପିତାମାତାଙ୍କ ଜିନରୁ (BRCA1 ଓ BRCA2) ଆସେ । କ୍ଷୀର ତିଆରି ହେଉଥିବା ଲୋବ୍ୟୁଲ ଓ କ୍ଷୀରବାହିନଳୀର ଜୀବକୋଷରୁ ଆରମ୍ଭ ହୁଏ । କ୍ଷୀରନଳୀରୁ ହେଉଥିବା କର୍କଟକୁ ଡକ୍ଟାଲ କର୍କଟ ଓ [[ଲୋବ୍ୟୁଲରୁ ହେଉଥିବା କର୍କଟକୁ ଲୋବ୍ୟୁଲାର କର୍କତ କୁହାଯାଏ । ଏହା ବ୍ୟତୀତ ୧୮ ପ୍ରକାର ଅନ୍ୟ ସ୍ତନ କର୍କଟ ହୁଏ । ସ୍ଥିତାବସ୍ଥା-ଡକ୍ଟାଲ କର୍କଟରୁ ମଧ୍ୟ କେତେକ କର୍କଟ ରୋଗ ହୁଏ । କର୍କଟ ଗୋଟାଳିରୁ ବାୟୋପ୍ସି ନେଇ ପରୀକ୍ଷା କରି ରୋଗ ନିଣ୍ଣୟ କରାଯାଏ । ଥରେ ରୋଗ ଜଣାପଡ଼ିଗଲେ ଏହାର ବ୍ୟାପିବା ଅବସ୍ଥା ନିମନ୍ତେ ଅଧିକ ପରୀକ୍ଷା କରାଯାଏ । ସ୍ତନ କର୍କଟ ରୋଗରେ ସ୍କ୍ରିନିଙ୍ଗର ଉପକାରିତା ଓ ଅପକାରିତାର ଚର୍ଚ୍ଚା ଦ୍ୱାନ୍ଦାତ୍ମକ ଅଟେ । ସନ ୨୦୧୩ର କକ୍ରେନ ସମୀକ୍ଷା ଅନୁସାରେ ଏହାର ସଠିକ ପ୍ରମାଣ ମିଳୁନାହିଁ । ସନ ୨୦୦୯ର ସମୀକ୍ଷା ଅନୁସାରେ ୟୁ ଏସ ସର୍ଭିସ ଟାସ୍କ ଫୋର୍ସ ସଂସ୍ଥା ୪୦ରୁ ୭୦ ବର୍ଷ ବୟସ୍କ ଲୋକ ଉପକାର ପାଆନ୍ତି, ତେଣୁ ଏହି ସଂସ୍ଥା ପ୍ରତି ଦୁଇ ବର୍ଷରେ ଥରେ ୫୦ରୁ ୭୪ ବର୍ଷ ବୟସ୍କ ଲୋକଙ୍କର ସ୍କ୍ରିନିଙ୍ଗ କରିବାକୁ ଉପଦେଶ ଦେଇଥିଲେ । ଅଧିକ ସଂକଟାପନ୍ନ ଲୋକଙ୍କୁ ଟାମୋକ୍ସିଫେନ କିମ୍ବ ରାଲୋକ୍ସିଫେନ ଔଷଧ ବ୍ୟବହାର କରି ଅଧିକ ସଙ୍କଟ ଥିବା ଲୋକଙ୍କର ସ୍ତନ କର୍କଟ ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ । ଏହି ଲୋକମାନଙ୍କର ଉଭୟ ସ୍ତନ ଅପରେଶନଦ୍ୱାର ବାହାର କରିଦେଇ ରୋଗ ରୋକିବାକୁ ଉପଦେଶ ଦିଆଯାଏ । କର୍କଟ ରୋଗ ହୋଇସାରିଥିଲେ ଅପରେଶନ, ରାଡିଏସନ ଥେରାପି, କେମୋଥେରାପି କିମ୍ବା ଟାର୍ଗେଟେଡ ଥେରାପିଦ୍ୱାରା ଚିକିତ୍ସା କରାଯାଏ । ସ୍ତନ କର୍କଟର ପରିସ୍ଥିତି ନେଇ ଅପରେଶନ କରାଯାଏ; ସୁରକ୍ଷାତ୍ମକ ବା ସମ୍ପୁର୍ଣ୍ଣ ନିଷ୍କାସନ । ଅପରେଶନ ସମୟରେ ବା ପରେ ସ୍ତନର ପୁନନିର୍ମାଣ କରାଯାଇପାରେ । ପ୍ରାରମ୍ଭ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଥିଲେ କେବଳ ଆରାମ ଓ ପରିବର୍ତ୍ତିତ ଜୀବନ ନିମନ୍ତେ ଚେଷ୍ଟା କରାଯାଏ । ସ୍ତନ କର୍କଟର ପ୍ରକାର, ଅଗ୍ରସର ବା ରୋଗ ସ୍ଟେଜ ଓ ରୋଗୀର ବୟସ ଉପରେ ଫଳାଫଳ ନିର୍ଭର କରେ । ବିକଶିତ ଦେଶମାନଙ୍କରେ ବଞ୍ଚିବା ହାର ଅଧିକ, ଆମେରିକା ଓ ଇଂଲଣ୍ଡରେ ପାଞ୍ଚ ବର୍ଷ ଆୟୁଷ ହାର ୮୦ %ରୁ ୯୦ % । ବିକାଶଶୀଳ ଦେଶମାନଙ୍କରେଏହି ଆୟୁଷ ହାର ଅତି କମ । ପୃଥିବୀରେ ମହିଳାମାନଙ୍କଠାରେ ହେଉଥିବା ସମୁଦାୟ କର୍କଟ ମଧ୍ୟରେ ସ୍ତନ କର୍କଟ ହାର ସର୍ବାଧିକ, ପ୍ରାୟ ୨୫ % । ସନ ୨୦୧୨ର ହିସାବ ଅନୁସାରେ ୧.୬୮ ନିୟୁତ ସ୍ତନ କର୍କଟ ହୋଇଥିଲା ଓ ୫୨୨,୦୦୦ ମୃତ୍ୟୁ ହୋଇଥିଲା । ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ଦେଖାଯାଏ ଓ ପୁରୁଷମାନଙ୍କ ରୋଗ ଅପେକ୍ଷା ଏହା ୧୦୦ ଗୁଣ ଅଧିକ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ଵେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ଵାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।
କମ୍ପୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ଵଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଏକତାର ପ୍ରତିମୂର୍ତ୍ତି ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମୀ ବଲ୍ଲଭ ଭାଇ ପଟେଲଙ୍କର (୧୮୭୫-୧୯୫୦) ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା ଏକ ପ୍ରତିମୂର୍ତ୍ତି । ଏହି ୧୮୨ ମିଟର (୫୯୭ ଫୁଟ) ଉଚ୍ଚ ପ୍ରତିମୂର୍ତ୍ତି ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ । ପଟେଲଜୀ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ପ୍ରତିମୂର୍ତ୍ତିଟି ସର୍ଦାର ସରୋବର ଡ୍ୟାମ ବା ନର୍ମଦା ଡ୍ୟାମ ଆଡ଼କୁ ମୁହଁ କରି ଏକ ନଦୀ ଟାପୁ ଉପରେ ନିର୍ମିତ୍ତ ହୋଇଛି । ଏହା ବଡୋଦରାର ଦକ୍ଷିଣ-ପୂର୍ବରେ ରାଜପି୍ପଲା ନିକଟରେ ଅବସ୍ଥିତ ।
କଳାପାହାଡ଼ ନାମରେ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନିଙ୍କର (Sulaiman Karrani) ଜଣେ ସେନାପତିଙ୍କୁ ଡକାଯାଉଥିଲା । କେତେକ ଐତିହାସିକ ତଥ୍ୟରୁ ଜଣାଯାଏ, ସେ କଳିଙ୍ଗ-ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦଦେବଙ୍କର ହିନ୍ଦୁ (ଓଡ଼ିଆ)ସେନାପତି ଥିଲେ, ଜାତିରେ କାୟସ୍ଥ ଥିଲେ ଓ ତାଙ୍କର ନାମ ରାଜିବ ଲୋଚନ ରାୟ ଥିଲା । ଧର୍ମ ପରିବର୍ତ୍ତନ କରି ସେ ମୁସଲମାନ ହେଲେ। ସେଖ୍ କବିର ବାତିନିଙ୍କର ମତରେ କଳାପାହାଡ଼ ଆଫଗାନ ଲୋକ ଥିଲେ । ଲୋକମୁଖରେ ସେ କଳାପାହାଡ଼ ନାମରେ ପରିଚିତ ଥିଲେ । ଓଡ଼ିଶାର କେତେକ ସ୍ଥାନ ସେ ବଙ୍ଗଳାର ଆଫଗାନ ଶାସକଙ୍କ ନିମନ୍ତେ ଦଖଲ କରିଥିଲେ ।କଳା ପାହାଡ ବହୁତ ନିଷ୍ଠୁର ଥିଲେ ସେ ଆକବରଙ୍କ ବାପାଙ୍କ ମାଉସୀ ପୁଅର ପୁଅ ଥିଲେ
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କ ଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ହସ୍ତମୈଥୁନ ଯୌନ ଉତ୍ତେଜନା ନିମନ୍ତେ ଜଣଙ୍କର ନିଜ ଯୌନାଙ୍ଗର ଏକ ପ୍ରକାର ଯୌନ ଉଦ୍ଦୀପନାକୁ ଓ ଯୌନ ଉଦ୍ଦୀପନାର ଶିଖର ଅବସ୍ଥା ଯାଏ କରାଯାଉଥିବା କାର୍ଯ୍ୟକଳାପକୁ ବୁଝାଇଥାଏ । ଏହି ଉଦ୍ଦୀପନା ସାଧାରଣତଃ ହାତ, ଆଙ୍ଗୁଳି, ନିତିଦିନିଆ ବ୍ୟବହାରରେ ଲାଗୁଥିବା ବସ୍ତୁ, ଭାଇବ୍ରେଟର ଆଦି ଯୌନ ଖେଳନା ବା ଏସବୁର ସାମଗ୍ରୀକ ବ୍ୟବହାରଦ୍ୱାରା ମିଳିଥାଏ ।ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି ।
ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ଵାରା ବିଭାଜ୍ୟ ଅର୍ଥାତ ୨ଦ୍ଵାରା ଭାଗ କଲେ ଭାଗଫଳ ଶୁନ (୦) ରହେ ସେହି ସବୁ ସଂଖ୍ୟା ହେଉଛି ଯୁଗ୍ମ ସଂଖ୍ୟା । ଏହାର ବୀପରିତ ସଜ୍ଞା ହେଉଛି ଅଯୁଗ୍ମ ସଂଖ୍ୟା । ପ୍ରତ୍ୟେକ ଯୁଗ୍ମ ସଂଖ୍ୟାର ୨ ହେଉଛି ଅନ୍ୟତଃ ଏକ ଗୁଣନୀୟକ । ଗାଣିତିକ ସଂକେତରେ ଯୁଗ୍ମ ସଂଖ୍ୟାକୁ ୨n (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।
ବିଶ୍ଵନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ମାଉସ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳରେ ଦୁଇ ଦିଗରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନଦ୍ଵାରା କମ୍ପୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।