ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ମୂତ୍ର ଅବଧାରଣ ବା ୟୁରିନାରି ରିଟେନସନ (ଇଂରାଜୀ ଭାଷାରେ Urinary retention) ଏକ ରୋଗ ଯେଉଁଥିରେ ମୂତ୍ରାଶୟରୁ (bladder) ମୂତ୍ର ସମ୍ପୁର୍ଣ୍ଣ ରୂପେ ଖାଲି ହୋଇପାରେନାହିଁ । ଏହି ରୋଗ ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ହଠାତ୍ ଆରମ୍ଭ ହେଲେ ମୂତ୍ର ତ୍ୟାଗ ହୋଇପାରେନି ଓ ତଳିପେଟରେ ଯନ୍ତ୍ରଣା ହୁଏ । ଧୀରେ ଆରମ୍ଭ ହେଲେ ମୂତ୍ରାଶୟର ନିୟନ୍ତ୍ରଣ ରୋଗୀ କରିପାରେନି ସାମାନ୍ୟ ଧରଣର ପେଟ ଯନ୍ତ୍ରଣା ହୁଏ ଓ ସରୁ ମୂତ୍ର ଧାର ବାହାରେ । ଦୀର୍ଘ ଅବଧିର ରୋଗ ହେଲେ ମୂତ୍ରନଳୀ ଶୈଳୀ ସଂକ୍ରମଣ (urinary tract infections) ହୋଇପାରେ ।ମୂତ୍ରମାର୍ଗ (urethra) ଅବରୋଧ, ସ୍ନାୟୁ ସମସ୍ୟା, କେତେକ ଔଷଧ ଓ ଦୁର୍ବାଳ ମୂତ୍ରାଶୟ ମାଂସପେଶୀ ଯୋଗୁ ଏହି ରୋଗ ହୁଏ । ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ, ୟୁରେଥ୍ରାଲ ସ୍ଟ୍ରିକଚର ବା ମୂତ୍ରମାର୍ଗ ସଙ୍କୋଚନ (urethral strictures), ମୂତ୍ରାଶୟ ପଥର (bladder stones), ସିସ୍ଟୋସିଲ (cystocele), କୋଷ୍ଠକାଠିନ୍ୟ ଓ ଅର୍ବୁଦ (tumors) ଥିଲେ ଏହି ଅବରୋଧ ହୋଇପାରେ । ମଧୁମେହ, ଆଘାତ, ମେରୁଦଣ୍ଡ ଆଘାତ (spinal cord problems), ସ୍ଟ୍ରୋକ ଓ ହେଭି ମେଟାଲ ବିଷକ୍ରିୟା (heavy metal poisoning) ଯୋଗୁ ସ୍ନାୟୁ ସମସ୍ୟା ଉପୁଜିପାରେ । ଏହି ରୋଗ କରାଉଥିବା ଔଷଧମାନଙ୍କର ନାମ: ଆଣ୍ଟିକଲିନର୍ଜିକ (anticholinergics), ଆଣ୍ଟିହିସ୍ଟାମିନସ (antihistamines), ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants), ଡିକଞ୍ଜେସ୍ଟାଣ୍ଟ (decongestants), ସାଇକ୍ଲୋବେଞ୍ଜାପ୍ରିନ (cyclobenzaprine), ଡାଏଜେପାମ, ଏନଏସଏଆଇଡି (NSAIDs), ଆମ୍ଫେଟାମିନ ଓ ଓପିଅଏଡ (opioid) ଇତ୍ୟାଦି ଔଷଧ ଯୋଗୁ ମଧ୍ୟ ଏ ରୋଗ ହୁଏ । ମୂତ୍ରତ୍ୟାଗ ପରେ ମୂତ୍ରାଶୟରେ ରହିଯାଉଥିବା ମୂତ୍ରର ପରିମାନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ କାଥେଟର ସାହାଯ୍ୟରେ ମୂତ୍ରମାର୍ଗ ପଥରେ ବା ତଳି ପେଟ (lower abdomen) ମଧ୍ୟଦେଇ ମୂତ୍ର ନିଷ୍କାସନ କରାଯାଏ । ଅନ୍ୟାନ୍ୟ ଚିକିତ୍ସା ମଧ୍ୟରେ ପ୍ରୋସ୍ଟେଟର ଆକାର କମେଇବାକୁ ଔଷଧ ଦିଆଯାଏ, ମୂତ୍ରମାର୍ଗ ସ୍ଫୀତ (urethral dilation) କରାଯାଏ, ୟୁରେଥ୍ରାଲ ସ୍ଟେଣ୍ଟ (urethral stent) ଦିଆଯାଏ ବା ଅପରେଶନ କରାଯାଏ । ଏହି ରୋଗ ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ହୁଏ । ଚାଳିଶ ବର୍ଷ ବୟସ ପରେ ବର୍ଷକୁ ପ୍ରତି ଏକ ହଜାରରେ ୬ ଜଣକୁ ଏ ରୋଗ ହୁଏ । ଅଶୀ ବର୍ଷ ବୟସ ପରେ ଏହି ରୋଗ ହାର ୩୦% ହୋଇଯାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ବଳିଆ କୁକୁର (ଭାରତରେ “ଢୋଲ୍” ଭାବେ ପରିଚିତ, ଜୀବ ବିଜ୍ଞାନ ନାମ Cuon Alpinus, ସମ୍ଵଲପୁରୀ ଭାଷାରେ କୋକବଲିଆ) ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ଶ୍ଵାନ ଜାତୀୟ ପ୍ରାଣୀ । ବଳିଆ କୁକୁରକୁ ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଲୋକେ ଢୋଲ୍, ଏସୀୟ ଜଙ୍ଗଲି କୁକୁର, ଭାରତୀୟ ଜଙ୍ଗଲି କୁକୁର, ହ୍ଵିସିଲ୍ ଶବ୍ଦକାରୀ କୁକୁର, ଲାଲ୍ କୁକୁର ଓ ପର୍ବତୀୟ ଗଧିଆ ମଧ୍ୟ କୁହନ୍ତି । ଜିନ୍ ଦୃଷ୍ଟିରୁ ଏହା ଶ୍ଵାନ ପ୍ରଜାତୀୟ ପ୍ରାଣୀଙ୍କ ନିକଟତମ, କିନ୍ତୁ ଏହାର ଖପୁରି ସମଜାତୀୟ ପ୍ରାଣୀଙ୍କ ଭଳି ଅବତଳ ନହୋଇ ସାମାନ୍ୟ ଉତ୍ତଳ ହୋଇଥାଏ । ଏହି ଦୁଇ ପ୍ରଜାତିଙ୍କ ଥୋଡ଼ି ବା ମୁହଁର ଗଠନରେ ମଧ୍ୟ ତଫାତ ଥାଏ । ପ୍ଲାଇଷ୍ଟୋସିନ୍ ସମୟରେ ବଳିଆ କୁକୁର ଏସିଆ, ଇଉରୋପ ଏବଂ ଉତ୍ତର ଆମେରିକାରେ ବହୁ ପରିମାଣରେ ଚଳପ୍ରଚଳ କରୁଥିଲେ କିନ୍ତୁ ପ୍ରାୟ ୧୨,୦୦୦ରୁ ୧୮,୦୦୦ ବର୍ଷ ପୂର୍ବେ ସେମାନଙ୍କ ଭୌଗୋଳିକ ଅବସ୍ଥିତି କ୍ରମେ ସୀମିତ ହେବାକୁ ଲାଗିଲା ।
ମଧ୍ୟ ଏସିଆ ଏସିଆ ମହାଦ୍ବୀପର ମଧ୍ୟ ଭାଗ ଅଟେ । ଏହାର ପୂର୍ବରେ "ଚୀନ"ରୁ ପଶ୍ଚିମରେ "କୌସ୍ପିୟନ ସାଗର" ପର୍ଯ୍ୟନ୍ତ, ଏବଂ ଉତ୍ତରରେ "ୠସ"ରୁ ଦକ୍ଷିଣରେ "ଆଫଗାନିସ୍ତାନ" ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଭୂବୈଜ୍ଞାନିକ ମାନଙ୍କଦ୍ୱାରା ମଧ୍ୟ ଏସିଆର ସମସ୍ତ ପରିଭାଷାରେ ଭୂତପୂର୍ବ ସୋବିୟତ ସଂଘର ପାଞ୍ଚଟି ଦେଶ ସର୍ବଦା ଗଣା ଯାଏ :- କାଜାଖସ୍ତାନ , କିରଗୀଜସ୍ତାନ , ତାଜିକିସ୍ତାନ , ତୁର୍କମେନିସ୍ତାନ , ଉଜବେକୀସ୍ତାନ । ଏହା ଛଡ଼ା ମଙ୍ଗୋଲିୟା , ଆଫଗାନିସ୍ତାନ , ଉତ୍ତର ପାକିସ୍ତାନ , ଭାରତର ଲଦାଖ ପ୍ରଦେଶ , ଚୀନର ଶିନଜିୟଙ୍ଗ , ତିବ୍ବତ କ୍ଷେତ୍ର ଏବଂ ୠସର ସାଇବେରିୟ କ୍ଷେତ୍ରର ଦକ୍ଷିଣ ଭାଗକୁ ମଧ୍ୟ ପ୍ରାୟତଃ ମଧ୍ୟ ଏସିଆର ଅଂଶ ବୋଲି ବୁଝାଯାଏ ।
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ସଙ୍ଗୀତକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଓଡ଼ିଶୀ ସଙ୍ଗୀତଜ୍ଞ ।ବାଳକୃଷ୍ଣ ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ଵରରେ ଅବସ୍ଥାନ କରିବା ସମୟରେ କଟକର ସତ୍ୟପ୍ରିୟ ମହାନ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସତ୍ୟପ୍ରିୟ ବାବୁ, କିଶୋର ବାଳକୃଷ୍ଣଙ୍କୁ କଟକ ନେଇ, ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ ପରିଚୟ କରାଇଦେଇଥିଲେ । ଏହାପରେ ବାଳକୃଷ୍ଣଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା କଟକ ସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷୀତିଷ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ, ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇଥିଲେ ଓ ସେଠାରେ ରାଇଚାନ୍ଦ ବରାଳଙ୍କ ବାସଭବନରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ । ବଡେ ଗୁଲାମ ଅଲ୍ଲୀ ଖାନଙ୍କଦ୍ଵାରା ବାଳକୃଷ୍ଣ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦେଖିବାକୁ ମିଳିଥିଲା । ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ"ର ସଙ୍ଗୀତ ସଂଯୋଜନା କରିଥିଲେ । ରାଇଚାନ୍ଦ ବରାଳଙ୍କଠାରୁ, ବାଳକୃଷ୍ଣ ସଙ୍ଗୀତ ନିର୍ଦ୍ଦେଶନା ଓ ଅର୍କେଷ୍ଟା କମ୍ପୋଜିସନ ଶିଖିଥିଲେ । ସେତେବେଳେ ବାଳକୃଷ୍ଣ, ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଦାନ କରୁଥିଲେ ।
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।
ବଂଶୀଧର ପଣ୍ଡା, (୨୬ ନଭେମ୍ବର ୧୯୩୨- ୨୨ ମଇ ୨୦୧୮) ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା । ବିଜୁ ବାବୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବଂଶୀଧର ବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ସେତେବେଳେ, ବଂଶୀଧର ଯୁକ୍ତରାଷ୍ଟ୍ର ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଶିଳ୍ପସମୃଦ୍ଧ ଓଡ଼ିଶାର ସ୍ଵପ୍ନ ଦେଖିଥିବା ବଂଶୀଧର, ବିଜୁ ବାବୁଙ୍କ ନିମନ୍ତ୍ରଣ ରକ୍ଷାକରି, ନିଜ ଚାକିରୀ ଛାଡି ଓଡ଼ିଶା ଫେରିଆସିଥିଲେ ଓ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର(ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ଥେରୁବାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ, ଇମ୍ଫା ଓଡ଼ିଶାର ନିଜସ୍ଵ ପ୍ରଯୁକ୍ତିରେ ନିର୍ମିତ ଦ୍ଵିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା । ଇମ୍ଫା ବହୁ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ, ପାରିପାର୍ଶ୍ଵର ବହୁ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିଥିଲା । ବଂଶୀଧର "ଉତ୍କଳ ଚାମ୍ବର ଅଫ କମର୍ସ", "ଏନ ଆଇଟି ରାଉରକେଲା ପରିଚାଳନା ସମିତି", "ଆଇ ଆଇଟି ଖଡ଼ଗପୁର ପରିଚାଳନା ସମିତି"ର ଅଧ୍ୟକ୍ଷ ଏବଂ "ଆଇ ଆଇ ଏମ କଲିକତା ପରିଚାଳନା ସମିତି"ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।ବଂଶୀଧର ବାବୁ କେବଳ ଜଣେ ଶିଳ୍ପପତି ନହୋଇ, ସମାଜର ଅନଗ୍ରସର ବର୍ଗର କଲ୍ୟାଣ ନିମନ୍ତେ ଚେଷ୍ଟିତ ଥିଲେ । ୨୦୧୧ରେ 'ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ' ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟକରୁଥିଲେ । ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ ।
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର (୧୫ ସେପ୍ଟେମ୍ବର ୧୯୨୧ - ୩୦ ନଭେମ୍ବର, ୨୦୧୫) ଜଣେ ଭାରତୀୟ ରାଜା ଓ ବ୍ରିଟିସ ଭାରତର ଶେଷ ରାଜା ଥିଲେ । ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆର ରାଜା ଥିଲେ । ତାଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିଥିଲେ । ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭–୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭାକୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ । ବୀରେନ, ୧୯୧୭ ମସିହାରେ କଟକର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା "ବିପିନ ବିହାରୀ ମିତ୍ର" । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ଅଗଷ୍ଟ ବିପ୍ଳବ"ରେ ଅଂଶଗ୍ରହଣ କରିଥିଲେ । ହରେକୃଷ୍ଣ ମହତାବ ଥିଲେ ବୀରେନଙ୍କ ରାଜନୈତିକ ଗୁରୁ ଓ ସହକର୍ମୀ ।
ନାଗ ଚତୁର୍ଥୀ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ପାଳନ କରାଯାଏ । ଏହି ପର୍ବଟି ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଏହି ପର୍ବରେ ନାରୀମାନେ ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ପାଳନ କରିଥାନ୍ତି । ବିଶ୍ଵାସ ରହିଛି ଏହି ପୂଜା କଲେ ସର୍ପ ଦଶଂନର ଭୟ ରହେ ନାହିଁ । ଏହି ପୂଜା ଦୀପାବଳି ଅମାବାସ୍ୟା ପରବର୍ତ୍ତୀ ଚତୁର୍ଥୀ ଦିନ ପରେ ପାଳନ କରାଯାଏ । ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା । ନାରୀ ମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ, ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ, କଦଳୀ, ଗୁଡ଼ ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ ଅଣ୍ଡା ଓ କ୍ଷୀର ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ । ହୁଙ୍କା ପୂଜାରେ ଖିର ଓ ସିରିଣି ଦିଆ ଯାଇଥାଏ।
ରାଧାକୃଷ୍ଣ ପାତ୍ର, ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଥିଲେ । ସେ, ୧୯୯୨ ଜୁନ ୨୨ରୁ ୨୦୦୩ ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୦୦୩ ଜୁଲାଇ ୯ରୁ ୨୦୦୪ ନଭେମ୍ବର ୨୩ରେ ନିଜ ଅବସର ସମୟ ପର୍ଯ୍ୟନ୍ତ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଓଡ଼ିଶା ମାନବିକ ଅଧିକାର ଆୟୋଗ ତଥା ଓଡ଼ିଶା ରାଜ୍ୟ ଗ୍ରାହକ ଅଧିକାର ସୁରକ୍ଷା ଆୟୋଗ(State Consumer Disputes Redressal Commission) ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୩ ଜୁଲାଇ ୯ରେ ସେ ଓଡ଼ିଶାରେ ଘଟିଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନର ଭାବରେ ଓଡ଼ିଶା ସରକାରଙ୍କଦ୍ଵାରା ନିଯୁକ୍ତ ହୋଇଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ଜଷ୍ଟିସ ପାତ୍ରଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।