ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ଵୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ପାରବୀନ ସୁଲତାନା ଦିତି (ବଙ୍ଗାଳୀ: পারভীন সুলতানা ୩୧ ମାର୍ଚ୍ଚ ୧୯୬୫ – ୨୦ ମାର୍ଚ୍ଚ ୨୦୧୬) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ଦିତି ନାମରେ ପରିଚିତା ଥିଲେ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରିଥିଲେ । ୧୯୮୭ ମସିହାରେ ସ୍ୱାମୀ ସ୍ତ୍ରୀ କଥାଚିତ୍ର ପାଇଁ ତାଙ୍କୁ ସହ-ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସେ ତାଙ୍କର ଅଭିନୟ ଜୀବନ ଭିତରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ।
ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀ ଦ୍ବାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଗୌର ହରି ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରମୀ । ସେ ଏବେ ମୁମ୍ବାଇରେ ରହୁଛନ୍ତି ଏବଂ ଜାତୀୟ ଦୁର୍ନୀତି ନିବାକରଣ ଏବଂ ଅପରାଧ ନିୟନ୍ତ୍ରଣ ପରିଷଦର (GNACCPC-National Anti Corruption and Crime Preventive Council) ମହାସଚିବ ଭାବେ କାମ କରୁଛନ୍ତି ତାଙ୍କର ସ୍ୱାଧୀନତା ସଂଗ୍ରାମୀ ପ୍ରମାଣପତ୍ର ମିଳିବାରେ ହୋଇଥିବା ଅସୁବିଧା ପାଇଁ ସେ ଚର୍ଚ୍ଚାକୁ ଅସିଥିଲେ ।
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ 'ବକ ପଞ୍ଚକ' କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଅର୍ଜୁନ ବାଣଦ୍ଵାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ଵାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ । ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି ।କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି I “ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନକରନ୍ତି I ଗୋଟିଏ ଗୋଟିଏ ତୁଳସୀ ଦଳ ଗୋଟିଏ ଗୋଟିଏ ମୋତି ହୋଇଯାଏ I ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣକଲେ ଅକ୍ଷୟପୁଣ୍ୟ ପ୍ରାପ୍ତିହୁଏ I “ଗୋବିନ୍ଦ ଗୋବିନ୍ଦ ହରେ ମୁରାରେ ଗୋବିନ୍ଦ ଗୋବିନ୍ଦ ମୁକୁନ୍ଦକୃଷ୍ଣ / ଗୋବିନ୍ଦ ଗୋବିନ୍ଦ ରଥାଙ୍ଗ ପାଣେ ଗୋବିନ୍ଦ ଦାମୋଦର ମାଧବେତି I” ଭାଗବତ ଏବଂ ଗୀତା ପାଠ କରିବା ବିଧେୟ I ଏହିସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇଯିବ । ସ୍କନ୍ଦ ପୁରାଣ ମତେ: “ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍ ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I” ଏହିପାଞ୍ଚଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ I ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ମନ୍ତ୍ର ହେଉଛି- “ ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ I” ଆଜନ୍ମ ବ୍ରାହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସନ୍ତାନହୀନ ବ୍ୟକ୍ତିଙ୍କ ପାଇଁ ଭୀଷ୍ମପଞ୍ଚକ ପାଳନୀୟ- ଏକଥା ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ରରୁ ସୁସ୍ପଷ୍ଟ ହୋଇଥାଏ I ଅର୍ଘ୍ୟଦାନ ମନ୍ତ୍ର ହେଉଛି- “ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚ ଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I” ଯାହାଙ୍କର ବ୍ୟାଘ୍ରପଦ ଗୋତ୍ର ଏବଂ ସାଂକୃତ ପ୍ରବର, ସେହିପୁତ୍ର ରହିତ ଭୀଷ୍ମବର୍ମାଙ୍କୁ ମୁଁ ଏହିଜଳ ଦେଉଛି I ବସୁମାନଙ୍କ ଅବତାର, ଶାନ୍ତନୁଙ୍କ ପୁତ୍ର, ଆଜନ୍ମ ବ୍ରହ୍ମଚାରୀ ଭୀଷ୍ମଙ୍କୁ ମୁଁ ଅର୍ଘ୍ୟ ଦେଉଛି I ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରିବ I ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବ I ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବ I କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍ ଯାପନ କରିବ । ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ I ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ I ଅତଃ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ କରନ୍ତି I ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି I ଏହିକାରଣରୁ ବୈଷ୍ଣବମାନେ “ଉତ୍ତିଷ୍ଠୋତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ” ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାନ୍ତି I ହେ ଗୋବିନ୍ଦ ! ଉଠନ୍ତୁ, ଉଠନ୍ତୁ, ହେ ଗରୁଡଧ୍ୱଜ ! ଉଠନ୍ତୁ I ହେ କମଳାକାନ୍ତ !
ନିଲୁଫର ବେଗମ (୨ ଫେବୃଆରୀ ୧୯୩୬ - ୬ ଜାନୁଆରୀ ୨୦୦୪) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ହେନା ଭଟ୍ଟାଚାର୍ଯ୍ୟ ଏବଂ ପରେ ଅଭିନୟ ଜଗତରେ ସୁମିତା ଦେବୀ ନାମରେ ପରିଚିତ ହୋଇଥିଲେ । ତାଙ୍କର ୪୫ ବର୍ଷର ଅଭିନୟ ଜୀବନ ଭିତରେ ସେ ପାଖାପାଖି ୨୦୦ ଚଳଚ୍ଚିତ୍ର ଏବଂ ୧୫୦ଟି ରେଡ଼ିଓ ଓ ଟିଭି ନାଟକରେ କାମ କରିଥିଲେ । ୧୯୭୧ ମସିହାରେ ସେ ସ୍ୱାଧୀନ ବାଂଲାର ବେତାର କେନ୍ଦ୍ରର ଜଣେ କଳାକାର ଭାବରେ କାମ କରିଥିଲେ । ଜଣେ ପ୍ରଯୋଜିକା ଭାବରେ ସେ ୫ଟି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ବୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ବ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ବସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ବାନ ଦେଇଥାନ୍ତି ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଲାବନ୍ୟା ତ୍ରିପାଠୀ ଜଣେ ଭାରତୀୟ ମଡେଲ ଏବଂ କଥାଚିତ୍ର ଅଭିନେତ୍ରୀ । ୨୦୦୬ରେ ଉତ୍ତରାଖଣ୍ଡରେ ଆୟୋଜିତ ମିସ୍ ଉତ୍ତରାଖଣ୍ଡ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଲାବନ୍ୟା ୨୦୧୨ରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଅନ୍ଦଲା ରାକ୍ଷସୀ ଚଳଚ୍ଚିତ୍ର ଜରିଆରେ ସେ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କଥାଚିତ୍ରରେ ଅଭିନୟ ପୂର୍ବରୁ ସେ କିଛି ଦୂରଦର୍ଶନର ଧାରାବାହିକରେ ଅଭିନୟ କରିଥିଲେ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସୁନ୍ଦରଗଡ଼ର ସଲମାନ୍ ଖାନ୍, ୨୦୧୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ରଜ ସମୟରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଥିଲା ଏହି କଥାଚିତ୍ରଟି । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ମହାନ୍ତି । ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ବବି ମିଶ୍ର, ପପୁ ପମ ପମ, ମିହିର ଦାସ, ଉଷସୀ ମିଶ୍ର ସାତ୍ୱକୀ ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'ୟୁ' ମାନ୍ୟତା ପ୍ରଦାନ କରାଯାଇଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ଲିନକ୍ସ (ଇଂରାଜୀ:linux) ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ରେ , ଯେତେବେଳେ ଜଣେ ଫିନ୍ (Finnish) ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ଵାରା ଲିନକ୍ସର ଇତିହାସକୁ ସାରା ବିଶ୍ଵର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା ।
ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ପେରିଓଡୋଣ୍ଟାଲ ଡିଜିଜ (ଇଂରାଜୀ ଭାଷାରେ Periodontal disease, ଅନ୍ୟ ଏକ ନାମ ମାଢ଼ି ରୋଗ/gum disease) ଏକ ସଂକ୍ରମଣ ଶ୍ରେଣୀ ଯାହା ଦାନ୍ତ ଚତୁର୍ପାର୍ଶ୍ୱରେ ଥିବା ତନ୍ତୁମାନଙ୍କୁ (tissues surrounding the teeth) ସଂକ୍ରମିତ କରେ । ଆରମ୍ଭ ସମୟରେ ଏହାକୁ ଜିଞ୍ଜିଭାଇଟିସ (gingivitis) କୁହାଯାଏ ଯେଉଁଥିରେ ମାଢ଼ି ଫୁଲି ଲାଲ ଦେଖାଯାଏ ଓ ରକ୍ତସ୍ରାବ ହୁଏ । ଏହା ଅଧିକ ଅଗ୍ରଗତି କଲେ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ମାଢ଼ି ଦାନ୍ତଠାରୁ ଦୁରେଇ ଯାଏ, ହାଡ଼ ନଷ୍ଟ ହୋଇପାରେ, ଦାନ୍ତ (tooth) ହଲିପାରେ ଓ ଖସିପଡ଼ିପାରେ (fall out) । ଦୁର୍ଗନ୍ଧଯୁକ୍ତ ନିଶ୍ୱାସ (Bad breath) ବାହାରେ । ପେରିଓଡୋଣ୍ଟାଲ ଡିଜିଜରେ ଜୀବାଣୁମାନେ (bacteria) ସାଧାରଣତଃ ଦାନ୍ତ ଚାରିପାଖକୁ ସଂକ୍ରମିତ କରି ପ୍ରଦାହ ସୃଷ୍ଟି କରନ୍ତି । ଏହି ରୋଗର ସଙ୍କଟ ଧୂମ୍ରପାନ (Smoking), ମଧୁମେହ, ଏଚଆଇଭି/ଏଡସ, କେତେକ ଔଷଧ ଯୋଗୁ ସୃଷ୍ଟି ହୋଇପାରେ । ଦାନ୍ତ ଚାରିପାଖ ମାଢ଼ି (gum tissue) ପରିଦର୍ଶନ, ପେରିଓଡୋଣ୍ଟାଲ ପ୍ରୋବ (probe) ଓ ଏକ୍ସରେ (X-ray) ସାହାଯ୍ୟରେ ଦାନ୍ତ ଚାରିପାଖର ଦାନ୍ତ କ୍ଷୟ ଦେଖି ଏ ରୋଗ ନିର୍ଣ୍ଣୟ କରାଯାଏ ।ଉତ୍ତମ ମୁଖ ସ୍ୱାସ୍ଥ୍ୟରକ୍ଷା (oral hygiene) ଓ ନିୟମିତ ଦନ୍ତ ବିଶେଷଜ୍ଞଦ୍ୱାରା ଦାନ୍ତ ପରିଷ୍କାର (teeth cleaning) ରଖିବାହିଁ ଏହାର ଚିକିତ୍ସା । ପ୍ରତିଦିନ ଉତ୍ତମରୁପେ ଦାନ୍ତ ଘସିବା (brushing) ଓ ଫ୍ଲସିଙ୍ଗ (flossing) କରିବାକୁ ସୁପାରିସ କରାଯାଏ । କେତେକ କେଶ୍ରେ ଆଣ୍ଟିବାୟୋଟିକ (antibiotics) ବା ଦାନ୍ତ ଅପରେଶନ (en:dental surgery) ଆବଶ୍ୟକ ହୁଏ । ପୃଥିବୀରେ ସନ ୨୦୧୫ରେ ପ୍ରାୟ ୫୩୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ୩୦ ବର୍ଷ ବୟସ ଉପରେ ପ୍ରାୟ ଅଧା ଲୋକ ଆକ୍ରାନ୍ତ ହୁଅନ୍ତି ଓ ୬୫ ବର୍ଷ ବୟସ ଉପରେ ପ୍ରାୟ ୭୦% ଆକ୍ରାନ୍ତ ହୋଇଥାଆନ୍ତି । ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଶି ଜିନପିଙ୍ଗ ( /ʃiː/; Chinese: 习近平; ଜନ୍ମ ୧୫ ଜୁନ ୧୯୫୩) ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସାଧାରଣ ସଚିବ, ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ତଥା ଚୀନ ଦେଶର ରାଷ୍ଟ୍ରପତି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଜନ୍ମ ଗ୍ରହଣ କରିଥିବା ସାଧାରଣ ସଚିବ ହିସାବରେ ଶି ହେଉଛନ୍ତି ଚୀନରେ ପ୍ରଥମ । ସାଂସ୍କୃତିକ ସଂଗ୍ରାମ ପରେ ସେ ନିଜ ପିତାଙ୍କ ସହ ଏକ ଗ୍ରାମ ଯାନଚୁଁଆନ କାଉଣ୍ଟି ରେ ରହୁଥିଲେ । ସିଂହୱା ବିଶ୍ୱବିଦ୍ୟାଳୟରେ ପଢି ସାରିବା ପରେ ସେ ଚୀନର ଉପକୂଳୀୟ ରାଜ୍ୟଗୁଡ଼ିକରେ ରାଜନୈତିକ ଭାବେ କ୍ଷମତା ବଢାଇବାରେ ଲାଗିଲେ । ଶି ୧୯୯୯ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଫ୍ୟୁଜିଆନ ରାଜ୍ୟର ରାଜ୍ୟପାଳ ଥିଲେ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଶି ଜଜିଆଙ୍ଗ ରାଜ୍ୟର ଦଳ ସଚିବ ଭାବେ କାର୍ଯ୍ୟ କଲେ । ୨୦୦୭ରେ କିଛି ସମୟ ପାଇଁ ସେ ସାଂଘାଇ ରାଜ୍ୟର ଦଳୀୟ ସଚିବ ହୋଇ ଯାଇଥିଲେ । ସେହି ବର୍ଷ ୨୦୦୭ ରେ ସେ ମୁଖ୍ୟ ସଚିବ ଭାବେ, ତତ୍କାଳୀନ ରାଷ୍ଟ୍ରପତି ହୁ ଜିନ୍ତାଓ ଙ୍କର ଉତ୍ତରାଧିକାରୀ ଭାବେ ପାଞ୍ଚ ବର୍ଷ କାଳ ରହିଥିଲେ । ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସେ ଉପ-ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପାଧ୍ୟାକ୍ଷ ଥିଲେ ।
ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ । ଏହା ଦ୍ୟାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟାବ ହାରକାରୀକୁ ବାର୍ତ୍ତା ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷାଣତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ଵର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ବନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ଵର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ଠାରୁ ରହିଛି ଅନେକ ଆଗରେ । ବିଶ୍ଵର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ଵର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ଅଣତିରିଶିଟି ରାଜ୍ୟ ଓ ସାତଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି ।.
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ଗୁରୁ ନାନକ ଲାହୋର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ ଭାରତର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ ଇସଲାସ ଧର୍ମର ମୂଳତତ୍ତ୍ଵ ଅବଗତ ହେବା ନିମିତ୍ତ ସୁଦୂର ମକ୍କା ଓ ବାଗଦାଦକୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ ପଞ୍ଜାବର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ଵ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।