ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା]
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖ, ପୀଢ଼ ଓ ଖାକରା ଶୈଳୀର ହୋଇଥାଏ । ରେଖ ଓ ପୀଢ଼ ଶୈଳୀର ମନ୍ଦିର ବିଷ୍ଣୁ, ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖ ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପୀଢ଼ ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ଵାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ବେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି ।ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ମୂଳଭୂତ ଗଣିତରେ ସଂଖ୍ୟା ରେଖା ହେଉଛି ଏକ ମାନକ ଚିହ୍ନିତ ଜ୍ୟାମିତିକ ସରଳ ରେଖାଚିତ୍ର ଯେଉଁଥିରେ ବାସ୍ତବ ସଂଖ୍ୟା ଜଗତର ସମସ୍ତ ସଂଖ୍ୟାକୁ ଚିହ୍ନିତ କରାଯାଇପାରିବ । ଏହି ଜ୍ୟାମିତିକ ସଂଖ୍ୟା ରେଖା ଉପରିସ୍ଥ ପ୍ରତ୍ୟେକ ବିନ୍ଦୁ ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟାକୁ ଚିହ୍ନଟ ବା ପ୍ରକାଶ କରିଥାଏ । ଚିତ୍ରରେ କେବଳ ଧନାତ୍ମକ ୯ ଏବଂ ଋଣାତ୍ମକ ୯ ମଧ୍ୟବର୍ତ୍ତୀ ସଂଖ୍ୟା ସବୁ ଦର୍ଶାଯାଇଥିଲେ ବି ସଂଖ୍ୟାରେଖାରେ ସମସ୍ତ ବାସ୍ତବ ସଂଖ୍ୟା ଯଥା; ପୂର୍ଣ୍ଣସଂଖ୍ୟା (ଧନାତ୍ମକ ଏବଂ ଋଣାତ୍ମକ ), ଗଣନ ସଂଖ୍ୟା, ପରିମେୟ ସଂଖ୍ୟା, ଅପରିମେୟ ସଂଖ୍ୟା ଇତ୍ୟାଦି ସମସ୍ତ ବାସ୍ତବ ସଂଖ୍ୟା ଚିହ୍ନଟ କରାଯାଇପାରିବ । ଅର୍ଥାତ ସଂଖ୍ୟାରେଖା ଉପରିସ୍ଥ ପ୍ରତ୍ୟେକ ବିନ୍ଦୁ କୌଣସି ନା କୌଣସି ବାସ୍ତବ ସଂଖ୍ୟାକୁ ପ୍ରକାଶ କରେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଓଡ଼ିଶା ପର୍ବପର୍ବାଣୀର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣୀ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନ ଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣୀ ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣୀ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ ଉତ୍କଳୀୟ ପର୍ବପର୍ବାଣୀ ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।
ଗୋପୁରମ ବା ଗୋପୁର (ଏକବଚନ ), ଏକ ଅଳଙ୍କୁରୁତ ସ୍ଥାନଭାକାର ସ୍ଥାପତ୍ୟ ଯାହା ବିଶେଷତଃ ଦକ୍ଷିଣ ଭାରତୀୟ ଶୈଳୀର ମନ୍ଦିରରେ ଦେଖାଯାଇଥାଏ । ଏହା ଦ୍ରାବିଡ ସ୍ଥାପତ୍ୟ କଳାରେ ନିର୍ମିତ ମନ୍ଦିର ସମୂହର ଏକ ବିଶେଷତା । ମନ୍ଦିରର ପ୍ରବେଶ ଦ୍ଵାରରେ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ ପାଇଁ ରାସ୍ତା ଥାଏ । ଏହା ସାଧାରଣତ ମନ୍ଦିର ପରିସରର ପ୍ରାଚୀରଠାରେ ଅବସ୍ଥିତଥାଏ । .ଗୋପୁରମର ଉପତ୍ତି ପ୍ରାଚୀନ ଚୋଳ , ଛେରା , ପଣ୍ଡିଆ ଓ ପଲ୍ଲବ ରାଜବଂଶ ସମୟରୁ ଆରମ୍ଭ ହେଇ ଦ୍ଵାଦଶ ଶତାବ୍ଦୀର ପଣ୍ଡିଆ ରାଜୁତି ସମୟରେ ନିର୍ମିତ ମନ୍ଦିର ସମୂହର ଏକ ମୁଖ୍ୟ ବହିଃ- ଅଳଙ୍କରିକ ଭାବରେ ରହିଆସିଥିଲା । ଅନେକ କ୍ଷେତ୍ରରେ ଗୋପୁରମର ବିଶାଳତା ମନ୍ଦିର ଭିତର ନିର୍ମାଣ ଆଗରେ ରହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଇଥାଏ । କେତେକ କ୍ଷେତ୍ରରେ କେତେକ ମନ୍ଦିରରେ ଏକାଧିକ ଗୋପୁରମ ଦେଖା ଯାଇଥାଏ । ଏହି ସ୍ଥାପତ୍ୟ କଳା ଭାରତ ବାହାରେ ମଧ୍ୟ ସେ ଯୁଗରେ ଭାବହୃତ ହେଇଥିବାର ଜଣାଯାଇଥାଏ । ଅଂକୋର ୱାଟ ଓ ଖାମେର ସ୍ଥାପତ୍ୟରେ ଏହାର ନକଲ ଦେଖିବାକୁ ମିଳେ । "କୋଇଲ" ଜାତୀୟ ମନ୍ଦିରରେ ଏକାଧିକ ପ୍ରାଚୀର ରହି ଅନେକ ସଂଖ୍ୟା ଚତୁର୍ଭୁଜାକାର ଗୋପୁରମ ରହି ବାହ୍ୟ ପ୍ରାଚୀରରେ ଗୋପୁରମ ଗୁଡିକ ନିର୍ମିତ ହେଇଥାଏ । ମନ୍ଦିରର ଆରାଧ୍ୟ ପିଠାଠାରେ ମଧ୍ୟ ସ୍ଥାମ୍ଭାକାର ଛାତ ରହିଥାଏ ଓ ତାହାକୁ "ବିମାନମ " କୁହାଯାଇଥାଏ.
ଜାଏଣ୍ଟ ସେଲ ଆର୍ଟେରାଇଟିସ ବା ଜିସିଏ , ଅନ୍ୟ ନାମ ଟେମ୍ପୋରାଲ ଆର୍ଟେରାଇଟିସ (ଇଂରାଜୀ ଭାଷାରେ Giant-cell arteritis/ GCA, also called temporal arteritis) ଏକ ପ୍ରଦାହ (inflammatory) ରୋଗ ଯାହା ରକ୍ତନଳୀକୁ (blood vessels) ଆକ୍ରମଣ କରିଥାଏ । ଏହି ରୋଗ ହେଲେ ମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବାକୁ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ରୋଗ ଜଟିଳ ହେଲେ ଅଫଥାଲମିକ ଧମନୀ ଅବରୋଧ ହେବା ଯୋଗୁ ରୋଗୀ ଅନ୍ଧ ହୋଇପାରେ, ଆଓର୍ଟିକ ଡିସେକସନ (aortic dissection), ଆଓର୍ଟିକ ଆନିଉରିଜ୍ମ (aortic aneurysm) ଆଦି ରୋଗ ସୃଷ୍ଟି ହୁଏ । ଏହି ରୋଗ ସାଥୀରେ ଅନେକ ସମୟରେ ପଲିମ୍ୟାଲଜିଆ ରିଉମାଟିକା (polymyalgia rheumatica) ରୋଗ ଥାଏ ।ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ବଡ଼ ଧମନୀର କାନ୍ଥରେ ଥିବା କ୍ଷୁଦ୍ର ରକ୍ତନଳୀମାନଙ୍କର (small blood vessels) ପ୍ରଦାହ ହେବା ଯୋଗୁ ରୋଗ ହୁଏ । ମୂଖ୍ୟତଃ ମୁଣ୍ଡ ଓ ବେକର ରକ୍ତନଳୀମାନ ଆକ୍ରାନ୍ତ ହୁଅନ୍ତି, ଛାତିରେ ମଧ୍ୟ ଆକ୍ରମଣ ହୋଇପାରେ । ଲକ୍ଷଣ, ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (en:medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଟେମ୍ପୋରାଲ ଧମନୀର (temporal artery) ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ । ରୋଗ ଥାଇ ମଧ୍ୟ ୧୦% ରୋଗୀଙ୍କର ଟେମ୍ପୋରାଲ ଧମନୀରେ କୌଣସି ଅସୁବିଧା ନଥାଏ । ପ୍ରେଡନିସୋନ (prednisone) ଭଳି ଗ୍ଲୁକୋକର୍ଟିକଏଡସ (Steroids) ଅଧିକ ମାତ୍ରାରେ ଦେଇ ଏହାର ଚିକିତ୍ସା କରାଯାଏ । ଲକ୍ଷଣ ଉପଶମ ହୋଇଯିବା ପରେ ଔଷଧ ମାତ୍ରା ମାସକୁ ୧୫% କମେଇ ଦିଆଯାଏ । କମ ମାତ୍ରା ଦିଆଯିବା ପରେ ପରବର୍ତ୍ତୀ ବର୍ଷ ଧୀରେ ଧୀର ଆହୁରି କମ ଦିଆଯାଏ । ଅସ୍ଥି କ୍ଷୟ ରୋକିବାକୁ ବାଇଫସଫୋନେଟ (bisphosphonates) ଓ ପାକସ୍ଥଳୀ ସମସ୍ୟା ଲାଘବ ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (proton pump inhibitor) ଦିଆଯାଏ ।ବର୍ଷକୁ ୫୦ ବର୍ଷ ବୟସରୁ ଅଧିକ ପ୍ରତି ୧୫,୦୦୦ ଜଣ ବୟସ୍କ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ । ୫୦ ବର୍ଷ ବୟସ ଉପରେ ରୋଗ ହେଉଥିଲେ ମଧ୍ୟ ୭୦ ବର୍ଷ ବୟସ ପରେ ସାଧାରଣତଃ ଅଧିକ ହୁଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୋଇଥାଆନ୍ତି । ଉତ୍ତର ୟୁରୋପ ଜାତ ବ୍ୟକ୍ତି ଅଧିକ ଆକ୍ରାନ୍ତ ହୁଅନ୍ତି । ଆୟଷ ପ୍ରାୟ ସାଧାରଣ ରହେ । ସନ ୧୮୯୦ରେ ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ଵିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ଵଦ୍ଵାରା ସେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ଵାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ । ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।
କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି । ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରିଆସୁଛନ୍ତି । ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ଵରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
କ୍ଲାଉଡ଼ ଟେକ୍ନୋଲୋଜି ଏକ ଇଣ୍ଟରନେଟଦ୍ଵାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍ରେ ଯୋଡିହୋଇରହିଥିବା କମ୍ପୁଟର ମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ଵାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପୁଟର ରିସୋର୍ସକୁ ନିଜର କ୍ଲାଉଡ୍ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ଵର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୁହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାଷ୍ଟ୍ରକ୍ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ଵିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ପଦାର୍ଥ ବିଜ୍ଞାନରେ ବଳ କହିଲେ, କୌଣସି ବିରୋଧ ନଥିବା ବେଳେ ଏକ ବସ୍ତୁର ଗତିରେ ପରିବର୍ତ୍ତନକୁ ବୁଝାଏ । ଅନ୍ୟ ଅର୍ଥରେ ଏକ ବଳ ବସ୍ତୁତ୍ଵ ଥିବା ଏକ ବସ୍ତୁର ବେଗରେ ପରିବର୍ତ୍ତନ (ଯେଉଁଥିରେ ସ୍ଥିରାବସ୍ଥାରୁ ଗତିଶୀଳ ହେବା ମଧ୍ୟ ଅନ୍ତର୍ଭୁକ୍ତ) ଅଥବା ତ୍ଵରିତ କରିବାକୁ ବୁଝାଏ । ବଳକୁ ମଧ୍ୟ ଠେଲା ବା ଟଣା ବଳ ଭାବେ ବର୍ଣ୍ଣନା କରାଯାଇପାରେ । ବଳର ଉଭୟ ପରମମାନ ଓ ଦିଗ ଥିବାରୁ ଏହା ଏକ ସଦିଶ ରାଶି । ଏସ୍ ଆଇ ଏକକରେ ଏହାକୁ ନିଉଟନ୍ସଦ୍ଵାରା ମପାଯାଏ ଏବଂ F ପ୍ରତୀକଦ୍ଵାରା ଦର୍ଶାଯାଏ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ମା’ ଶାରଳାଙ୍କ ମନ୍ଦିର ଓଡ଼ିଶା ରାଜ୍ୟର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବହିରେ ସପ୍ତମ ପରିଚ୍ଛେଦରେ ଲିଖିତ ଅଛି - ରତ୍ନଗିରି ଦକ୍ଷିଣକୁ ସିଧାସଳଖ ପ୍ରାୟ ୨୦ ମାଇଲ ଦୂରରେ ପ୍ରସିଦ୍ଧ ତିର୍ତ୍ତୋଳ ଭୂବନ୍ଦର । ଏହାକୁ ହୁଏନସାଂ ଚେଲିତାଲେ କହିଛନ୍ତି । ତିରିତୋଳର ବର୍ତ୍ତମାନ ନାମ ତିର୍ତ୍ତୋଲ । ଏହା ନିକଟରେ ଥିବା ଝଙ୍କଡ଼ଠାରେ ଦେବୀ ଶାରଳାଙ୍କ ପୀଠ। ସାରଳା ମହାଭାରତରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର କୁହାହୋଇଛି । ପୂର୍ବେ ପୂର୍ବଭାରତର ପ୍ରସିଦ୍ଧ ବନ୍ଦର ଚେଳିତାଳୋ ଥିବା ଯୋଗୁଁ ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ରହିବା ସ୍ୱାଭାବିକ। ତେଣୁ ଜଙ୍ଖମାନେ ରହୁଥିବା ଅଞ୍ଚଳକୁ ଜଙ୍ଖେରପୁର କୁହାଯାଉଥିବା ସମ୍ଭବ। ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ବର୍ତ୍ତମାନ ସେହି ବୃଦ୍ଧନଦୀ ବୁଢ଼ାନଈ ନାମରେ ନାମିତ । ସାରଳା ଦାସ ବୃଦ୍ଧନଦୀକୁ ବୁଧମାତା ନାମେ ନଦୀ’ବର୍ଣ୍ଣନା କରିଛନ୍ତି । ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗ୍ରାମ ଅଛି । ସେହି ଗ୍ରାମ ନିକଟରେ ପୂର୍ବେ ଶାରଳା ଠାକୁରାଣୀଙ୍କ ମନ୍ଦିର ଥିଲା ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ଵାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ବର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ବର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଭାରତୀୟ ସଂଖ୍ୟା ପ୍ରଣାଳି ମୁଖ୍ୟତଃ ଭାରତୀୟ ଉପମହାଦେଶରେ (ଭାରତ, ନେପାଳ, ବର୍ମା, ପାକିସ୍ଥାନ, ମାଳଦ୍ଵୀପ ଏବଂ ଶ୍ରୀଲଙ୍କା) ବ୍ୟବହୃତ ସଂଖ୍ୟା ପଦ୍ଧତି ଉପରେ ଆଧାରିତ । ଏହି ପ୍ରଣାଳିରେ ବ୍ୟବହୃତ ଲକ୍ଷ (୧,୦୦,୦୦୦) ତଥା କୋଟି(୧,୦୦,୦୦,୦୦୦), ବିଶେଷ ଭାବରେ ଇଂରାଜୀ ପ୍ରଣାଳିରେ ବୃହତ୍ତର ସଂଖ୍ୟାର ପ୍ରକାଶ ନିମିତ୍ତ ବ୍ୟବହାର କରାଯାଏ । ଉଦାହରଣ ସ୍ଵରୂପ, ୧୫୦,୦୦୦ ଟଂକାକୁ ୧.୫ ଲକ୍ଷ ଟଂକା କିମ୍ବା ୩୦,୦୦୦,୦୦୦ ଟଂକାକୁ ୩ କୋଟି ଭାବେ ବ୍ୟବହାର କରିବା ବିଶେଷ ଭାବେ ଦେଖାଯାଏ । କୋଟିଏରୁ ବୃହତ୍ତର ସଂଖ୍ୟା ପାଇଁଁ ନିର୍ଦ୍ଦିଷ୍ଟ ପରିଭାଷା ଥିଲେ ହେଁଁ ଏହାର ବିଶେଷ ବ୍ୟବହାର ଦେଖିବାକୁ ମିଳେ ନାହିଁଁ ।