ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା]
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ତ୍ରିପାଠୀ ସାହି ଗାଁ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗାଁ ମଝିରେ ଥିବା ରାସ୍ତାଟି ଗାଁକୁ ଦୁଇ ଭାଗରେ ବିଭକ୍ତ କରିଥାଏ । ରାସ୍ତାର ଦକ୍ଷିଣ ପାର୍ଶ୍ଵକୁ ଥିବା ଅଧା ଗାଁ ପୁରଣ ମୌଜା ତଥା ଉତ୍ତର ପାର୍ଶ୍ଵ ଅଧା ଗାଁ ଓଡି଼ଶୋ ମୌଜା ଅନ୍ତର୍ଗତ ହୋଇଥାଏ । ଏକ ମାତ୍ର 'ମିଶ୍ର' ପରିବାରକୁ ଛାଡିଦେଲେ, ଗାଁରେ ରହୁଥିବା ଅନ୍ୟ ସମସ୍ତଙ୍କର ସାଙ୍ଗିଆ 'ତ୍ରିପାଠୀ' ହୋଇଥିବାରୁ ଗାଁଟିର ଏପରି ନାମକରଣ ହୋଇଛି । ଗାଁଟି 'ତିଆଡ଼ି ସାହି' ନାମରେ ମଧ୍ୟ ପରିଚିତ ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ୱେଷ୍ଟ ନାଇଲ ଫିଭର (ଇଂରାଜୀ ଭାଷାରେ West Nile fever) ଏକ ଭୂତାଣୁ ଜନିତ (viral infection) ସଂକ୍ରମଣ ଯାହା ମଶାଙ୍କଦ୍ୱାରା (mosquito) ବ୍ୟାପିଥାଏ । ସଂକ୍ରମଣ ପରେ ପ୍ରାୟ ୭୫% ଲୋକଙ୍କର ସାମାନ୍ୟ ଲକ୍ଷଣ (few) ଦେଖାଯାଏ ଓ ଅନେକ ଲୋକଙ୍କର ଆଦୌ ଲକ୍ଷଣ ଦେଖାଯାଏ ନାହିଁ (no symptoms) । ପ୍ରାୟ ୨୦% ଲୋକଙ୍କର ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ରାସ୍ (rash) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏକ ଶତାଂଶରୁ କମ ଲୋକଙ୍କର ରୋଗ ଜଟିଳ ହୋଇ ଏନସେଫାଲାଇଟିସ (encephalitis) ଓ ମେନିଞ୍ଜାଇଟିସ୍ ଆଦି ରୋଗ ହୁଏ ଯେଉଁଥିରେ ଅନମନୀୟ ବେକ, ମାନସିକ ଦ୍ୱନ୍ଦ୍ୱ ହୁଏ ଓ ବାତ ମାରେ । ଏହାର ଉପଶମ ହେବା ନିମନ୍ତେ ସପ୍ତାହ ଓ ମାସ ବ୍ୟାପି ସମୟ ଲାଗେ । ସ୍ନାୟୁ ମଣ୍ଡଳ (nervous system) ପ୍ରଭାବିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । ୱେଷ୍ଟ ନାଇଲ ଭୂତାଣୁ (West Nile virus) ସଂକ୍ରମିତ ମଶାଙ୍କଦ୍ୱାରା ବ୍ୟାପିଥାଏ । ସଂକ୍ରମିତ ପକ୍ଷୀଙ୍କର ରକ୍ତ ଶୋଷିନେଲେ ମଶାମାନେ ସଂକ୍ରମିତ ହୁଅନ୍ତି । ଏହି ରୋଗ ରକ୍ତାଧାନ (blood transfusion), ଅଙ୍ଗ ପ୍ରତିରୋପଣ, ଗର୍ଭାବସ୍ଥାରେ ମାତାଠାରୁ ଶିଶୁ, ପ୍ରସବ ବା ସ୍ତନ୍ୟପାନ ଇତ୍ୟାଦି ମାଧ୍ୟମରେ ବ୍ୟାପେନାହିଁ । ମଣିଷଠାରୁ ମଣିଷକୁ ମଧ୍ୟ ବ୍ୟାପେନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବା ୬୦ ବର୍ଷ ବୟସରୁ ଅଧିକ ହୋଇଥିଲେ ରୋଗ ସାଂଘାତିକ ହୁଏ । ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।ମଣିଷ ନିମନ୍ତେ ଏହି ରୋଗର କୌଣସି ଟିକା (vaccine) ଆବିଷ୍କୃତ ହୋଇନାହିଁ । ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ମଶା କାମୁଡ଼ାରୁ ରକ୍ଷା ପାଇବା ଉପାୟ ସାଧନ କରିବା ଆବଶ୍ୟକ । କୌଣସି ସ୍ଥାନରେ ସ୍ଥିର ଜଳ ଥିଲେ, ଯେପରିକି ପୁରୁଣା ଗାଡ଼ି ଟାୟାର, ବାଲ୍ଟି, ନାଳ ଓ ସ୍ୱିମିଙ୍ଗ ପୁଲ, ତାହାକୁ ବାହାର କରିବାକୁ ଉପଦେଶ ଦିଆଯାଏ । ମଶା ତଡ଼ିବା ଔଷଧ (Mosquito repellent), ଝରକା ପରଦା (window screens), ମଶାରୀ (mosquito nets) ବ୍ୟବହାର କରାଯାଏ ଓ ଅଧିକ ମଶା ଥିବା ସ୍ଥାନ ନ ଯିବାକୁ ଉପଦେଶ ଦିଆଯାଏ । ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ ଯନ୍ତ୍ରଣା ନିବାରକ ଔଷଧ (pain medications) ଦିଆଯାଏ । ୱେଷ୍ଟ ନାଇଲ ଫିଭର ରୋଗ ସାଧାରଣତଃ ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକା ମହାଦେଶମାନଙ୍କରେ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ହଜାର ହଜାର ଲୋକଙ୍କୁ ଏହି ରୋଗ ହେଉଥିବାର ରିପୋର୍ଟ ମିଳେ ଓ ଅଗଷ୍ଟ ଓ ସେପ୍ଟେମ୍ବର ମାସମାନଙ୍କରେ ଅଧିକ ହୁଏ । ମହାମାରୀ ଆକାର ମଧ୍ୟ ଏ ରୋଗ ଧାରଣ କରିପାରେ । ସନ ୧୯୩୭ରେ ଉଗାଣ୍ଡା (Uganda) ଦେଶରେ ଓ ଉତ୍ତର ଆମେରିକାରେ ସନ ୧୯୯୦ରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଏହି ରୋଗ ଘୋଡ଼ା ମାନଙ୍କୁ ହୁଏ ଓ ତାଙ୍କ ନିମନ୍ତେ ଟିକା ମିଳେ । ସମ୍ଭାନ୍ୟ ରୋଗ ନିମନ୍ତେ ପକ୍ଷୀ ପର୍ଯ୍ୟବେକ୍ଷଣ ପ୍ରଣାଳୀ ନିଯୁକ୍ତ କରିବା ଆବଶ୍ୟକ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ବ୍ରୁଗାଡା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Brugada syndrome/ BrS) ଏକ ଜେନେଟିକ ରୋଗ ଯେଉଁଥିରେ ହୃତ୍ପିଣ୍ଡରେ ଅସାଧାରଣ ଇଲେକଟ୍ରିକ କ୍ରିୟା ସୃଷ୍ଟି ହେବା ଫଳରେ ହଠାତ ହୃତ୍ପିଣ୍ଡ ଜନିତ ମୃତ୍ୟୁ ସଙ୍କଟ ଆସିପାରେ । ଏଭଳି ରୋଗୀ ହଠାତ୍ ବେହୋସ ହୋଇଯାଆନ୍ତି । ରୋଗୀ ବିଶ୍ରମ ନେଉଥିବା ସମୟରେ ଅସାଧାରଣ ହୃତ୍ପିଣ୍ଡ ତାଳ (abnormal heart rhythm) ଆରମ୍ଭ ହୋଇପାରେ ଯାହା ଜ୍ୱର ଯୋଗୁ ଟ୍ରିଗର ହୋଇଯାଏ । ଏହା ଏକ ବଂଶାନୁକ୍ରମିକ (inherited from a person's parent) ରୋଗ ଯେଉଁଥିରେ ଏକ ଚତୁର୍ଥାଂଶ ଲୋକଙ୍କର ପାରିବାରିକ ଇତିହାସ ଥାଏ । କେତେକ କ୍ଷେତ୍ରରେ ଏହା ମ୍ୟୁଟେସନ (mutation) ଯୋଗୁ ବା ଔଷଧ ଯୋଗୁ ହୋଇପାରେ । ସାଧାରଣତଃ କାର୍ଡ଼ିଆକ ସୋଡ଼ିଅମ ଚାନେଲ (sodium channel) ସୃଷ୍ଟି କରୁଥିବା ଏକ ଜିନ (gene) (SCN5A) ସମ୍ପୃକ୍ତ ଥିବା ଦେଖାଯାଏ । ଇସିଜି (electrocardiogram/ ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଗଲେ ମଧ୍ୟ ସର୍ବଦା ସମାନ ଫଳ ଦେଖାଯାଏନି । ଆଜମାଲିନ (ajmaline) ଭଳି ଔଷଧ ପ୍ରୟୋଗ କରି ଇସିଜି ଦେଖାଯାଇପାରେ । ଇଲେକଟ୍ରୋଲାଇଟ ଇମ୍ବାଲାନ୍ସ (electrolyte disturbances) ବା ହୃତ୍ପିଣ୍ଡରେ ଇସକେମିଆ (blood supply to the heart has been reduced) ଥିଲେ ସମାନ ଧରଣର ଇସିଜି ଚିତ୍ର ଦେଖାଯାଏ ।ପର୍ଯ୍ୟବେକ୍ଷଣକାରୀ ଅପେକ୍ଷା (Watchful waiting), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD)
ଜବରଦସ୍ତ ପ୍ରେମିକ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅରୁଣ ପାଣ୍ଡିଆନ୍ ଏବଂ କବିତା ପାଣ୍ଡିଆନ୍ । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଦକ୍ଷିଣ ଭାରତର ନିର୍ଦ୍ଦେଶକ ରାଜୁ ସରଭାୟା । ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଗୀତିକାର ନିଜାମ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ସୌରିନ ଭଟ୍ଟ, ସତ୍ୟଜିତ ପ୍ରଧାନ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ । ମିହିର ଦାସ, ଅପରାଜିତା ମହାନ୍ତି, ପୁଷ୍ପା ପଣ୍ଡା, ସରୋଜ ଦାସ, ପ୍ରିୟଙ୍କା ମହାପାତ୍ର, ଦେବୁ ପଟ୍ଟନାୟକ, ହରିହର ମହାପାତ୍ର, ସିଦ୍ଧାର୍ଥ ଅଙ୍କିତା ରାଉତ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ତାମିଲ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମକରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଅାଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଯାହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪ ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା। ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ଵୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଅାଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ଵନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।
ମିଳିମିଳା (ଇଂରାଜୀରେ ମିଜିଲ୍ସ ବା ରୁବିଓଲା ବା ରେଡ ମିଜିଲ୍ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ । ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ । ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । ପାଟି ଜଳଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ । ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ ।
ଛତିଆ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ଵଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ। ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ଵର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା । ଜଜାନ ନଗର' ବର୍ତମାନ ଚୌଦ୍ଵାର ନାମରେ ପରିଚିତ । ସନ୍ଥ ହାଡ଼ିଦାସଙ୍କ ରଚିତ ମାଳିକାରେ ଛତିଆର ସ୍ଵତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ । ମହାପୁରୁଷ ହାଡ଼ିଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ଵଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣୀ ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ଵନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ଵନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ଵାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ବର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ବର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଟ୍ୱିଙ୍କଲ ଖାନ୍ନା (ଜନ୍ମ: ୨୯ ଡିସେମ୍ବର ୧୯୭୪) ଜଣେ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା ଏବଂ ଖବରକାଜଗର ଜଣେ ସ୍ତମ୍ଭକାର । ଟ୍ୱିଙ୍କଲଙ୍କର ଲିଖିତ ପ୍ରଥମ ପୁସ୍ତକ ମିସେସ୍ ଫନିବୋନ୍ସ୍ ଭାରତବର୍ଷରେ ଏକ ଲକ୍ଷ ଖଣ୍ଡରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ୨୦୧୫ରେ ଜଣେ ମହିଳା ଲେଖିକାଙ୍କର ଅଧିକ ବିକ୍ରିହୋଇଥିବା ବହି ଥିଲା । ଏହି ବହି ପାଇଁ ତାଙ୍କୁ ୨୦୧୬ରେ କ୍ରସ୍ୱାର୍ଡ଼ ବୁକ୍ ଆୱାର୍ଡ଼-୨୦୧୬ରେ ସମ୍ମାନିତ କରାଯାଇଥିଲା । ଟ୍ୱିଙ୍କଲ ତାଙ୍କର ଦ୍ୱିତୀୟ ବହି ଲକ୍ଷ୍ମୀ ପ୍ରସାଦ ପାଇଁ ୨୦୧୭ରେ ସେ ଇଂରାଜୀ ଖବରକାଗଜ India Today ଦ୍ୱାରାର ଶ୍ରେଷ୍ଠ ଲେଖିକା ସମ୍ମାନ ପାଇଥିଲେ, ଯାହାକି ପ୍ରକାଶ ହେବା ପରେ ଆମାଜନ୍ରେ ଦ୍ୱିତୀୟ ସ୍ଥାନରେ ରହିଥିଲା।୨୦୧୬ରେ ଶ୍ରେଷ୍ଠ ପ୍ରେରଣାଦାୟିକା ମହିଳା ଭାବରେ ଟ୍ୱିଙ୍କଲଙ୍କୁ ସମ୍ମାନିତ କରାଯାଇଥିଲା । ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସହ ବରଷାତ୍ ଚଳଚ୍ଚିତ୍ରର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ନବାଗତା ସମ୍ମାନ୍ନ ପ୍ରଦାନ କରାଯାଇଥିଲା । ସେ ୧୯୯୯ରେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଟ୍ୱିଙ୍କଲ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସୁପୁତ୍ରୀ । ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୦୧ରେ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୟ ଜଗତରୁ ବିଦାୟ ନେଇଥିଲେ, ମାତ୍ର ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରୁଛନ୍ତି । ନାୟିକା ଭାବରେ ଟ୍ୱିଙ୍କଲଙ୍କର ଶେଷ ଅଭିନୀତ କଥାଚିତ୍ର ହେଉଛି ଲଭ୍ କେ ଲିୟେ କୁଛ୍ ଭି କରେଗା, ଯାହାକି ୨୦୦୧ରେ ମୁକ୍ତିଲାଭ କରିଥିଲା । ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ତାମ୍ରଲିପ୍ତ ,ବଙ୍ଗୋପସାଗରରେ ଅବସ୍ଥିତ ଥିବା ଏକ ପ୍ରାଚୀନ ଦ୍ଵିପ । ଆଧୁନିକ ଭାରତରେ ଏହା ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅଧୀନରେ ରହିଛି । ପୁରାତତ୍ଵର ବିଦ୍ଵାନ ମାନଙ୍କ ମତରେ ଏହା ପ୍ରାଚୀନ କାଳରେ ଓଡ଼ିଶା ଅଧୀନରେ ଥିଲା । ବିଶ୍ଵାସ କରାଯାଏ ଯେ ତାମ୍ରଲିପ୍ତ ଦକ୍ଷିଣ ଭାରତ ଓ ଦକ୍ଷିଣ -ପୂର୍ବ ଭାରତର ର ମୌର୍ଯ୍ୟ ସାମ୍ଭରାଜ୍ୟର ବାଣିଜ୍ୟ ପଥର ଶେଷ ଅଂଶ ଥିଲା । ମୋଗଲମାରୀଠାରେ ଖନନଦ୍ଵାରା ଜଣାପଡେ ଯେ ଚୀନ ପରିବ୍ରାଜକ ଫା ହିଏନ କହିଥିବା ବୌଦ୍ଧ ବିହାର ସେହି ଆଞ୍ଚଳରେ ଥିଲା । ଏହା ରୂପନାରାୟଣ ନଦୀ ତୀରରେ ଥିଲା ।ମହାଭାରତରେ ଏହି ସ୍ଥାନ ଭୀମା ଅଧିଗ୍ରହଣ କରିଥିବା ଉଲ୍ଲେଖ ରହିଛି । ଏହା ସେ ସମୟର ସମସ୍ତ ମୁଖ୍ୟ ସ୍ଥାନ ସହ ସଡକଦ୍ଵାରା ସଂଯୁକ୍ତ ଥିଲା ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ଵନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।
ସୁନ୍ଦରଗଡ଼ର ସଲମନ ଖାଁ, ୨୦୧୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ରଜ ସମୟରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଥିଲା ଏହି କଥାଚିତ୍ରଟି । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ମହାନ୍ତି । ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ବବି ମିଶ୍ର, ପପୁ ପମ ପମ, ମିହିର ଦାସ, ଉଷସୀ ମିଶ୍ର ସାତ୍ୱକୀ ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'ୟୁ' ମାନ୍ୟତା ପ୍ରଦାନ କରାଯାଇଥିଲା ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି । ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା । ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି.
ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ । ଏହା ଦ୍ୟାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟାବ ହାରକାରୀକୁ ବାର୍ତ୍ତା ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷାଣତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ଵର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।