ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଅଧକପାଳି (ଇଂରାଜୀ: migraine; ମିଗ୍ରେନ /ମାଇଗ୍ରେନ ) ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ଏହି ମିଗ୍ରେନ/ମାଇଗ୍ରେନ (migraine) ଶବ୍ଦ ଏକ ଗ୍ରୀକ ଶବ୍ଦରୁ (Greek ଶବ୍ଦ ἡμικρανία (hemikrania)ର ଅର୍ଥ "ମୁଣ୍ଡର ଗୋଟିଏ ପାଖରେ ଯନ୍ତ୍ରଣା"; ἡμι- (hemi-), "ଅଧା", ଓ κρανίον (kranion), "ଖପୁରି" ନିଆହୋଇଛି । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ ଓ ପ୍ରାୟ ୭୨ଘଣ୍ଟା ପର୍ଯ୍ୟନ୍ତ ରହେ । ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ଵା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ । ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ । ଏକ ତୃତୀୟାଂଶ ଲୋକଙ୍କର ଅରା ବା ଦୃଷ୍ଟି ସମସ୍ୟା ହୁଏ ଯାହାଦ୍ୱାରା ଆଗକୁ ଅଧକପାଳି ଆସିବା ସଙ୍କେତ ଦିଏ । ଅରାରେ ଦୃଷ୍ଟି ଭିତ୍ତିକ, ସେନ୍ସରୀ, ମୋଟର ବା ଭାଷା (Language) ଗୋଳମାଳ ହୁଏ । ଅରା ପରେ କ୍ଵଚିତ ମୁଣ୍ଡବଥା ହୁଏ ନାହିଁ । ପରିସ୍ଥିତି ଓ ଜେନେଟିକର ମିଶ୍ରିତ ପ୍ରଭାବ ଯୋଗୁ ଅଧକପାଳି ହେବା ବିଶ୍ଵାସ କରାଯାଏ । ଦୁଇ ତୃତୀୟାଂଶ ରୋଗୀଙ୍କର ବଂଶରେ ଏହି ରୋଗ ଥାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହୋଇପାରେ ଯେହେତୁ ପୂର୍ଣ୍ଣାବୟବ ହେବା ପୂର୍ବରୁ ପୁଅମାନଙ୍କର କିନ୍ତୁ ପରେ ପୁରୁଷଙ୍କ ଅପେକ୍ଷା ମହିଳା ସଂଖ୍ୟା ୩ ଗୁଣ ହୁଏ । ଗର୍ଭାବସ୍ଥାରେ ଅଧକପାଳି କମିଯାଏ । ଗର୍ଭାବସ୍ଥାରେ ଏହି ସଙ୍କଟ କମିଯାଏ । ଏହି ରୋଗ କେଉଁ ଉପାୟରେ ହୁଏ ତାହା ଜଣାନାହିଁ । ତେବେ ଏହା ଏକ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ରୋଗ । ପ୍ରାଥମିକ ଥିଓରି ଅନୁସାରେ ସେରେବ୍ରାଲ କର୍ଟେକ୍ସ ଅତ୍ୟଧିକ ଉତ୍ତେଜିତ ହୋଇ ବ୍ରେନଷ୍ଟେମର ଟ୍ରାଇଜେମିନାଲ ନ୍ୟୁକ୍ଳିଅସରେ ଥିବା ସ୍ନାୟୁ ଉପରେ ଅସାଧାରଣ ପ୍ରତିକ୍ରିୟା କରାଏ ।ସର୍ବ ପ୍ରଥମେ ମୁଣ୍ଡବଥା ନିମନ୍ତେ ଆଇବୁପ୍ରୋଫେନ ଓ ପାରାସେଟାମୋଲ ଭଳି ସାଧାରଣ ପିଡ଼ାନାଶକ ଔଷଧ ଦିଆଯାଏ, ବାନ୍ତି ନ ହେବା ଔଷଧ ଦେଲେ ଓକାଳ କମ ହୁଏ ଓ ଟ୍ରିଗର ନ ଗେବା ଚେଷ୍ଟା କରାଯାଏ । ସାଧାରଣ ପିଡ଼ାନାଶକ ଦେଇ ଭଲ ନ ହେଲେ ଟ୍ରିପ୍ଟାନ କିମ୍ବା ଏରଗୋଟାମିନ ବା ଦିଆଯାଇପାରେ । ଜଣ ସଂଖ୍ୟାର ୧୫ % ଲୋକ ଜୀବନରେ କେବେ ନା କେବେ ଏହି ରୋଗ ଭୋଗ କରନ୍ତି । ଏହା ସହିତ କେଫିନ୍ ଯୋଗ କରିଦିଆଯାଇ ପାରେ । ଏହାର ପ୍ରତିଷେଧ ନିମନ୍ତେ ଅନେକ ଔଷଧ ମିଳୁଛି ଯଥା:- ମେଟୋପ୍ରୋଲୋଲ, ଭାଲପ୍ରୋଏଟ ଓ ଟୋପିରାମେଟ ।ସାରା ପୃଥିବୀର ଜନସଂଖ୍ୟାର ପ୍ରାୟ ୧୫% ଲୋକଙ୍କୁ ଅଧକପାଳି ରୋଗ ହୁଏ । ଏହି ରୋଗ ଅଧିକାଂଶ କେଶ୍ରେ ଯୁବକ୍ରାନ୍ତି ବା ପ୍ୟୁବର୍ଟି ବେଳେ ହୁଏ । କେତେକ ମହିଳାଙ୍କର ଋତୁବନ୍ଦ ସମୟଠାରୁ ରୋଗ କମିଯାଏ । ପୁରାତନ ମିଶରରେ ଖ୍ରୀ:ପୂ: ୧୫୦୦ରେ ଏବର୍ସ ପାପିରସ୍ରେ କେତେକ ବେମାରୀ ବର୍ଣ୍ଣନା ଏହି ରୋଗ ସାଥୀରେ ମେଳ ଖାଉଛି । ମିଗ୍ରେନ ଶବ୍ଦଟି ଗ୍ରୀକ ଶବ୍ଦ ἡμικρανία (hemikrania)ରୁ ନିଆଯାଇଛି ଯାହାର ଅର୍ଥ , "ମୁଣ୍ଡର ଗୋଟିଏ ପଟରେ ଯନ୍ତ୍ରଣା", ଓ ἡμι- (hemi-)ର ଅର୍ଥ "ଅଧା" ଓ κρανίον (kranion)ର ଅର୍ଥ "ଖପୁରି".
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
କସର୍ଦା, କଟକ ଜିଲା ନିଆଳି ବ୍ଲକର ଅନ୍ତର୍ଗତ ଏକ ବଡ ଗ୍ରାମ । ଏହା ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ । ଛିଣ୍ଡା ନଦୀକୂଳରେ ପ୍ରାକୃତିକ ପରିବେଶ ଭରା ଏହି ଗ୍ରାମଟି ବିଶେଷ କାରଣରୁ ଗୁରୁତ୍ୱ ରଖେ । ଏହି ଗ୍ରାମରେ ପ୍ରସିଦ୍ଧ ଦିପୋଟି ମେଳଣ ଅନୁଷ୍ଠିତ ହୁଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହି ମେଳଣ ଦେଖିବାକୁ ଆସନ୍ତି । ଗ୍ରାମ ଉନ୍ନତିରେ ଶ୍ରେୟ ଦିଆଯାଏ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ । ଏଠାରେ ହାଟ, ଡାକ୍ତରଖାନା, ଡାକଘର, ପଶୁ ଡାକ୍ତରଖାନା ପ୍ରତିଷ୍ଠା ପଛରେ ତାଙ୍କର ଅବଦାନ ଅତୁଳନୀୟ । ଗ୍ରାମରେ ଦୁଇଟି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି । ଧ୍ୟାନ ଦାସ ଗାଦୀ ପୀଠ ମଧ୍ୟ ଅଛି । ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ ନାମରେ ଏକ କଲେଜ ଅଛି । କସର୍ଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ବହୁ ପୁରାତନ ଅନୁଷ୍ଠାନ । ଗ୍ରାମର ଜଣେ ଶିକ୍ଷାବିତ ଗଙ୍ଗାଧର ମହାପାତ୍ର ଅଂକୁର ନାମରେ ଏକ ପତ୍ରିକା ସଂପାଦନା କରୁଛନ୍ତି । ଏଥିରେ ଗ୍ରାମାଞ୍ଚଳ ଲେଖକଙ୍କ ଲେଖା ପ୍ରକାଶ ପାଉଛି । ଗ୍ରାମର ବହୁ ବ୍ୟକ୍ତି ବିଶେଷ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ବିଷ୍ଣୁ (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି । ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା । ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ । ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ । ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା । ତାଙ୍କର ଅନ୍ୟନାମ ନାରାୟଣ ।
ସୁନାମି (ଇଂରାଜୀ: tsunami; ଏହା ଜାପାନୀ: 津波ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)") ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । ଭୂମିକମ୍ପ, ଅଗ୍ନି ଉଦ୍ଗିରଣ, ଓ ପାଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।ସୁନାମି ସାଧାରଣ ସାମୁଦ୍ରିକ ଢେଉ ନୁହେଁ, କାରଣ ଏହାର "ତରଙ୍ଗ ଦୈର୍ଘ୍ୟ" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ tidal waves କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ ଭାରତ ମହାସାଗରରେ ଥିବା ୧୪ଟି ଦେଶରେ ୨୩୦,୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା । ଖ୍ରୀ.ପୂ.
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ ଶିଳ୍ପକୁ କେବଳ ବ୍ୟବସାୟିକ ଦୃଷ୍ଟିରେ ଦେଖାଯାଏ ନାହିଁ, ବରଂ ଏହା ଆମ ସଂସୃତିର ଏକ ପରିଭାଷା । ପିଢି ପିଢି ଧରି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ତପସ୍ଵିନୀ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କଦ୍ଵାରା ରଚିତ ଏକ ପ୍ରମୁଖ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ରଚିତ ଏହି କାବ୍ୟଟି ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ କୃତି । ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
ଭାରତର ସ୍ଵାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ଵତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ଦେବୁ ବୋଷ ଜଣେ ଓଡ଼ିଆ କଥାଚିତ୍ର ଜଗତ ଅଭିନେତା ଥିଲେ । ତପସ୍ୟା କଥାଚିତ୍ରରୁ, ସେ ଓଡ଼ିଆ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ । ଅଭିନୟ ବ୍ୟତିତ, ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷାଗ୍ରହଣ କରିଥିବା, ଦେବୁ ଓଡ଼ିଆ ସିନେମାରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତିତ, ଦେବୁ ବୋଷ 'ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ । ୨୦୧୮ ଅଗଷ୍ଟ ୨୨ତାରିଖରେ ହାଇଦ୍ରାବାଦଠାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ରାସ୍ତା ୨୦୧୪ମସିହାରେ ମୁକ୍ତିଲାଭ କରିଥିଲା ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ତମ୍ବାଖୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆଲୋଚନାରେ ଏହାର ସ୍ଥିତି, ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟ ରହିବ । ପ୍ରାଥମିକ ସ୍ତରରେ ସିଗାରେଟ ତମ୍ବାଖୁ ବା ଟବାକୋ ଉପରେ ଏହାର ଅନୁଶୀଳନ କେନ୍ଦ୍ରୀଭୁତ ହୋଇଛି ଓ ଅନ୍ୟାନ୍ୟ ତମ୍ବାଖୁ ଅପେକ୍ଷା ଏହା ଉପରେ ଏହାର ଅଧିକ ଅନୁଶୀଳନ ହୋଇଛି। ସଂସାରରେ ତମ୍ଵାଖୁ ହେଉଛି ଏକ ମାତ୍ର ସର୍ବାଧିକ ମୃତ୍ୟୁ ନିବାରଣକାରୀ ପଦାର୍ଥ । ହୃତପିଣ୍ଡ, କଲିଜା ଓ ଫୁସଫୁସ ଏହାର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି । ହୃଦଘାତ, ସ୍ଟ୍ରୋକ୍, କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ (ଏମ୍ଫିସେମା, କ୍ରନିକ ବ୍ରୋଙ୍କାଇଟିସ୍), ସ୍ଵର ପେଟିକା ପାଟି ଓ ଅଗ୍ନାଶୟରେ କର୍କଟ ଧୁମ୍ରପାନ ଧୁମ୍ରପାନ ଯୋଗୁ ହୁଏ । ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁ ହୁଏ । କେତେ ସମୟ ଧରି ଓ କେତେ ସଂଖ୍ୟକ ଧୁମ୍ରପାନ ହେଉଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ । ଅଳ୍ପ ବୟସରୁ ଆରମ୍ଭ ଓ ସିଗାରେଟରେ ଥିବା ଟାର ଏହି ରୋଗ ସଙ୍କଟ ବଢେଇ ଦିଏ । ଧୁମପାୟୀଙ୍କ ନିକଟରେ ରହି ଧୁଆଁ ପ୍ରଶ୍ଵାସରେ ନେଲେ ମଧ୍ୟ ସବୁ ବୟସ ନିମନ୍ତେ କ୍ଷତି କାରକ ହୁଏ । ଏହାକୁ ସେକଣ୍ଡ ହ୍ୟାଣ୍ଡ ଧୁମ୍ରପାନ କହନ୍ତି । ଅବିକଶିତ ଦେଶମାନଙ୍କରେ ମିଳୁଥିବା ସିଗାରେଟରେ ଟାର ଅଧିକ ଥାଏ ଓ ଏଥିରେ ଫିଲ୍ଟର ନ ଥିବାରୁ ଅଧିକ ସଂଙ୍କଟ ଜନକ ହୁଏ। ଡବ୍ଲ୍ୟୁ,ଏଚ.ଓ. ହିସାବରେ ୨୦୦୪ ମସିହାରେ ୫.୪ ନିୟୁତ ଓ ବିଂଶ ଶତାବ୍ଦିରେ ୧୦୦ ନିୟୁତ ମୃତ୍ୟୁ ହୋଇଥିଲା । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ଵାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"। ଅନେକ ଦେଶମାନଙ୍କରେ ଏହାର ବ୍ୟବହାର ଓ ବିକ୍ରି ଉପରେ ଅଙ୍କୁଶ ଓ ସତର୍କ ବାର୍ତ୍ତା ମାଧ୍ୟମରେ ତମ୍ବାଖୁ ବ୍ୟବହାର ରୋକିବାକୁ ଚେଷ୍ଟା କରୁଛନ୍ତି । ଧୁମ୍ରରେ ଥିବା କର୍କଟ ସୃଷ୍ଟିକାରୀ ପାଇରୋଲାଇଟିକ ପଦାର୍ଥ ଶରୀରରେ ଥିବା ଡି.ଏନ.ଏ.
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ କୁହାଯାଏ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ଵରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ଵର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ୍ ପ୍ରଥମ ।
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଧାତୁ ଭଳି କୌଣସି ଏକ ପଦାର୍ଥ ଉପରେ ପ୍ରଜ୍ଜ୍ଵଳିତ ତୀବ୍ର ଆଲୋକରଶ୍ମୀ ପକାଇଲେ, ସେଥିରୁ ଇଲେକ୍ଟ୍ରନ୍ ବିକିରଣ/ନିର୍ଗତ ହୁଏ । ଏହାକୁ ଆଲୋକ-ବୈଦୁତିକ ପ୍ରଭାବ (ଈଂରାଜୀରେ Photoelectric Effect) କୁହାଯାଏ । ଏହି ପ୍ରକ୍ରିୟାରେ ନିର୍ଗତ ଇଲେକ୍ଟ୍ରନ୍ ମାନଙ୍କୁ “ଫୋଟୋ-ଇଲେକ୍ଟ୍ରନ୍” କୁହାଯାଏ । ଏହି ପ୍ରଭାବ ବିଦ୍ୟୁତ୍ ସମ୍ଵନ୍ଧୀୟ ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନରେ ଖୁବ୍ ଜଣାଶୁଣା ।
ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦ ଗୁଡିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ଵୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ଵକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ଵାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ଵକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।
ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ । ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର । ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଗାଁ ଓ ସହରରେ ଏହି ଖେଳ ଖେଳାଯାଏ । ଏହା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଜଣାଶୁଣା । ଏହା ସାଧାରଣରତଃ ଯୁବକମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ । ମଣିଷମାନଙ୍କ ବ୍ୟତିତ ପଶୁମାନେ ମଧ୍ୟ ଏଥିରେ ଭାଗନେବା ଦେଖାଯାଏ । ଚାଷୀମାନେ ବଳଦମାନଙ୍କୁ ଜମିକୁ ନେଇ ଯାଇଥାନ୍ତି । ଏକ ଉଚ୍ଚ ପିଣ୍ଡି ବା "ଗହ୍ମା ବେଦୀ" ଗଢ଼ାଯାଇ ବଳଦମାନଙ୍କୁ ଏଥି ଉପରେ ଡିଆଁମାରିବାକୁ ଛଡ଼ାଯାଇଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ । ଏହି ଠିକଣାଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ସ୍କନ୍ଦ ପୁରାଣ, ପୁରାଣ ମାନଙ୍କରେ ସବୁଠାରୁ ବଡ଼ ପୁରାଣ ଅଟେ । ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଦ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଦ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ । ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।
ଅବଦୁଲ ଗଫର ଖାଁ ବା ସୀମାନ୍ତ ଗାନ୍ଧୀ ବା ବଚ୍ଚା ଖାଁ ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ । ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ଗାନ୍ଧୀଜୀଙ୍କର ଅହିଂସା ନୀତିର ଭରପୁର ସମର୍ଥନ କରିଥିଲେ ଏବଂ ନିଜେ ମଧ୍ୟ ଅହିଂସାପ୍ରେମୀ ଥିଲେ । ସେ ୧୯୨୯ ମସିହାରେ ଖୁଦାଇ ଖିଦମତ୍କର (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।ମୁସଲିମ ଲିଗ ଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତାମାନଙ୍କୁ ନପଚାରି ଯେବେ ଭାରତୀୟ ଜାତୀୟ କଂଗ୍ରେସ ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହେଇ ସେ କହିଥିଲେ "ତମେମାନେ ଆମକୁ ଗଧିଆ ମାନଙ୍କ ପାଖକୁ ଫୋପାଡ଼ିଦେଇଛ" । ଜୁନ ମାସ ୧୯୯୪ ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ ପାଶୁନିସ୍ଥାନ ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।୧୯୮୪ ମସିହାରେ ସେ ଶାନ୍ତି ବିଭାଗରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ପରେ ୧୯୮୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ପିଲାଙ୍କ ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ହେଉଛି ଶିଶୁ ସାହିତ୍ୟ । ଓଡ଼ିଶାରେ ଶିଶୁ ସାହିତ୍ୟର ଏକ ବିସ୍ତୃତ ଇତିହାସ ଅଛି । ଆଈର କାହାଣୀ ପେଡି ,ମାଆର ଜହ୍ନମାମୁ ଗୀତ, ସାଙ୍ଗ ସାଥୀଙ୍କ ସହ ଖେଳିବା ବେଳେ ଶିଶୁ ମୁହଁର ଗୀତ ସବୁ ପୁରାକାଳରେ ଶିଶୁର ବିନୋଦନ ଓ ମନୋରଞ୍ଜନ କ୍ଷେତ୍ରରେ ସହାୟକ ହେଉଥିଲା । ଏସବୁ ଶିଶୁ ସାହିତ୍ୟ ଆରମ୍ଭ ପର୍ଯ୍ୟାୟର କଥା । ପରବର୍ତ୍ତୀ ସମୟରେ ବିଭିନ୍ନ ପୁରାଣ କାହାଣୀ ,ରହସ୍ୟ କଥା ଓ କଉତୁକ ଗୀତସବୁ ଶିଶୁର କଅଁଳ ମନକୁ ବେଶ କିଛି ବର୍ଷ ଧରି ପ୍ରଭାବିତ କରି ରଖିଥିଲା । ଓଡ଼ିଆରେ ରଚିତ ଶିଶୁ ଉପଯୋଗୀ ଲେଖା (କବିତା, ଗପ, ଉପନ୍ୟାସ) ଓଡ଼ିଆ ଶିଶୁ ସାହିତ୍ୟର ମୁଖ୍ୟ ବିଭବ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ଵାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।
ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସ
ଓଡ଼ିଶା ପ୍ରଚୀନ ସମୟରେ କଳିଙ୍ଗ ନାମରେ ଜଣାଶୁଣା ଥିଲା । କଳିଙ୍ଗବାସୀଙ୍କର ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ପୂର୍ବରୁ ଆରମ୍ଭ ହୋଇସାରିଥିଲା ବୋଲି କେତେକ ପ୍ରାଚୀନ ସୂତ୍ରରୁ ଜଣାପଡେ । ଏହି ଅଞ୍ଚଳର ବ୍ୟବସାୟୀ/ସାଧବମାନେ ବଙ୍ଗୋପସାଗର ପାରକରି ଦକ୍ଷିଣ-ପୂର୍ବ ଏସିଆ ଓ ଚୀନ ସହିତ ବ୍ୟବସାୟିକ ସମ୍ବନ୍ଧ ସ୍ଥାପନ କରି ପାରିଥିଲେ । ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନରେ କଳିଙ୍ଗର ସଂସ୍କୃତିର ଛାପ ଦେଖିବାକୁ ମିଳେ । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି । ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲି ଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ଉଲିପ୍ରିସ୍ଟଲ ଆସେଟେଟ (ଇଂରାଜୀ ଭାଷାରେ Ulipristal acetate, ଏକ ବିକ୍ରୟ ନାମ ଏଲ୍ଲା/Ella) ଏକ ଔଷଧ ଯାହା ଆଶୁ ଜନ୍ମ ନିରୋଧ (emergency birth control) ଓ ଜରାୟୁ ଫାଇବ୍ରଏଡ (uterine fibroids) ରୋଗ ଚିକିତ୍ସାରେ ଦିଆଯାଏ । ଆଶୁ ଜନ୍ମ ନିରୋଧ ନିମନ୍ତେ ଏହା ଯୌନ ସଙ୍ଗମର ୧୨୦ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଆବଶ୍ୟକ । ଫିବ୍ରଏଡ ଚିକିତ୍ସାରେ ଏହା ୬ ମାସ ପର୍ଯ୍ୟନ୍ତ ଦିଆଯାଇପାରେ ।ଏହା ପାଟିରେ ଦିଆଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଥକ୍କାଣ ଓ ଉଦର ଯନ୍ତ୍ରଣା ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯିବା ଉଚିତ ନୁହେଁ । ଏହା ସିଲେକ୍ଟିଭ ପ୍ରୋଜେସ୍ଟିରନ ରିସେପ୍ଟର ମୋଡ୍ୟୁଲେଟର (selective progesterone receptor modulator (SPRM) ଶ୍ରେଣୀର ଔଷଧ । ଏହା ପ୍ରୋଜେସ୍ଟେରନର (progesterone) ପ୍ରଭାବକୁ ପ୍ରତିରୋଧ କରି ଡିମ୍ବ କ୍ଷରଣ (ovulation) ବନ୍ଦ କରାଏ ।ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଉଲିପ୍ରିସ୍ଟଲ ଆସେଟେଟ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସଂଯୁକ୍ତ ରାଷ୍ଟରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୫ରେ ୧୭ ପାଉଣ୍ଡ ଥିଲେ । ଗର୍ଭ ସମ୍ଭାବନା ଥିବା ମହିଳାଙ୍କୁ ଏହା ଦେବାକୁ ଅନେକ ଉପଦେଶ ଦିଅନ୍ତି ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖ ଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡ଼ିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ବାଲୁଙ୍କେଶ୍ୱର ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଥିବା କଷବା-ଷାଠିବାଟିରେ ଅବସ୍ଥିତ ଏକ ପୁରାତନ ଶିବ ମନ୍ଦିର । ଏଠାରେ ବାଲୁଙ୍କେଶ୍ୱର ପୂଜା ପାଇଥାନ୍ତି । ଆଗରୁ କଷବା ଓ ଷାଠିବାଟିରେ ବହୁଥିବା ଜୁଣେଇ ନଦୀର ଶୁଖିଲା ଶଯ୍ୟାରେ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହା ଏକାଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ଯାଜପୁରର କଇଆଁଗୋଲା ରାସ୍ତାର ମଙ୍ଗଳପୁରଠାରୁ ବଡକୁଆଁଲ ରାସ୍ତାରେ ୧.୫ କି.ମି.ଗଲେ ଥାଲକୁଡ଼ି ପଞ୍ଚାୟତର କଷବା ଏବଂ ପାଲଟପୁର ପଞ୍ଚାୟତର ଷାଠିବାଟିରେ ବାଲୁଙ୍କେଶ୍ୱର ମନ୍ଦିର ରହିଛି ।
ରିୟା ସେନ (ଜନ୍ମ: ରିୟା ଦେବ ବର୍ମା; ୨୪ ଜାନୁଆରୀ ୧୯୮୦) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରିୟାଙ୍କର ପରିବାର ଚଳଚ୍ଚିତ୍ର ଦୁନିଆ ସହ ଜଡ଼ିତ । ତାଙ୍କର ଆଇ ସୁଚିତ୍ରା ସେନ, ମାଆ ମୁନ୍ମୁନ୍ ସେନ ଓ ଭଉଣୀ ରାଇମା ସେନ ସମସ୍ତେ ଅଭିନେତ୍ରୀ । ରିୟା ୧୯୯୧ ମସିହାରେ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ହିନ୍ଦୀ କଥାଚିତ୍ର ବିଷକନ୍ୟା ଜରିଆରେ ସେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ରିୟା ଏହାପରେ ରିୟା ନାୟିକା ଭାବରେ ତାମିଲ କଥାଚିତ୍ର ଜଗତରୁ ଆମ୍ଭର କରିଥିଲେ । ୧୯୯୯ ମସିହାରେ ସେ ତାମିଲ କଥାଚିତ୍ର ତାଜ ମହଲରେ ପ୍ରଥମଥର ପାଇଁ ନାୟିକା ଭୂମିକାରେ ଅଭିନୟ କରିଥିଲେ । ୨୦୦୧ ମସିହାରେ ରିୟାଙ୍କୁ ହିନ୍ଦୀ କଥାଚିତ୍ର ଷ୍ଟାଇଲରେ ନାୟିକା ଭୂମିକାରେ କାମ ମିଳିଥିଲା । ସ୍ୱଳ୍ପ ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଏହାପରେ ରିୟାଙ୍କୁ କିଛି ସଫଳ ଚଳଚ୍ଚିତ୍ର ଝଙ୍କାର ବିଟ୍ସ୍, ହିଙ୍ଗ୍ଲିସ୍, ସାଦି ନଂ ୱାନ୍ ଓ ଭୂତ କାହାଣୀ ଉପରେ ଆଧାରିତ ମାଲାୟଲମ ଚଳଚ୍ଚିତ୍ର ଅନନ୍ତଭଦ୍ରମ୍ ଆଦିରେ କାମ ମିଳିଥିଲା ।
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ଵିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ଵେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ଵାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର , ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ଵନ୍ଦର ସମାଧାନ କରିବା ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।