ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଗାୟତ୍ରୀ ସରାଫ (୧୭ ଅଗଷ୍ଟ ୧୯୫୨) ଓଡ଼ିଆର ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା । ୨୦୧୭ ମସିହାରେ ସେ ନିଜ ଗଳ୍ପ ସଂକଳନ "ଇଟାଭାଟିର ଶିଳ୍ପୀ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ, ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିସାରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି । "ଆଲୋକିତ ଅନ୍ଧାର" ତାଙ୍କ ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ । ଏହା "ଆତ୍ମ ପ୍ରକାଶନୀ, ବଲାଙ୍ଗୀର"ଦ୍ଵାରା ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । "ଅସିତ ମୁଖାର୍ଜୀ" ବହିଟିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ତପସ୍ଵିନୀ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କଦ୍ଵାରା ରଚିତ ଏକ ପ୍ରମୁଖ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ରଚିତ ଏହି କାବ୍ୟଟି ଓଡ଼ିଆ ସାହିତ୍ୟର ଏକ ଅନବଦ୍ୟ କୃତି । ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ବିଭୂତି ଭୂଷଣ ପ୍ରଧାନ (୩ ଅପ୍ରେଲ ୧୯୫୭ - ୨୪ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ୧୯୫୭ ଅପ୍ରେଲ ୩ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ଛତିଶଗଡ଼ର 'କୋର୍ବା'ଠାରେ ନବୋଦୟ ବିଦ୍ୟାଳୟର ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।୨୦୧୬ ଅଗଷ୍ଟ ୨୪ତାରିଖରେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ।
ମାରୁଦୁରୁ ଗୋପାଲନ ରାମଚନ୍ଦ୍ରନ (17 January 1917 – 24 December 1987), ( ଏମ. ଜି. ରାମଚନ୍ଦ୍ରନ ବା MGR ନାମରେ ଲୋକପ୍ରିୟ) ହେଉଛନ୍ତି ଜଣେ ଭାରତୀୟ କଥାଚିତ୍ର ତାରକା, କଥାଚିତ୍ର ନିର୍ମାତା ତଥା ରାଜନିତୀଜ୍ଞ ଯିଏ କି ୧୯୭୭ରୁ ୧୯୮୭ ଯାଏଁ ତାମିଲନାଡୁର ମୁଖ୍ୟମନ୍ତୀ ଥିଲେ । ତାମିଲ କଥାଚିତ୍ର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ସହ ସେ ତାମିଲନାଡୁ ସଂସ୍କୃତିର ପ୍ରତିମା ଭାବେ ଗଣ୍ୟ ହୁଅନ୍ତି । ତାମିଲ ଜଗତର ଏହି ଅଭିନେତା ତଥା ମାନବବାଦୀ ନେତା "Makkal Thilagam" (ଲୋକଙ୍କ ରାଜା), "Puratchi Thalaivar" (କ୍ରାନ୍ତିକାରୀ ନେତା) & "Vathiyar" (ଗୁରୁ) ନାଆଁରେ ମଧ୍ୟ ସେ ସୁପରିଚିତ ।ଯୁବାବସ୍ଥାରେ ରନଚନ୍ଦ୍ରନ ଓ ତାଙ୍କ ବଡ ଭାଇ ଏମ.
ଶ୍ରୀ ବିନାୟକ ଆଚାର୍ଯ୍ୟ ୧୯୧୮ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ଵର୍ଗୀୟ ଶ୍ରୀ ରଘୁନାଥ ଆଚାର୍ଯ୍ୟ । ସେ କଳା ବିଭାଗରେ +୩ କରିସାରି ଶିକ୍ଷକତା ନିମନ୍ତେ ତାଲିମ ନେଇଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ଶିକ୍ଷକତା କରୁଥିଲେ । ପତ୍ରିକା ଅଧ୍ୟୟନ ତାଙ୍କର ଅନ୍ୟତମ ରୁଚି ଥିଲା ଓ ସେ ତାଙ୍କ ବନ୍ଧୁମାନକଙ୍କ ସହିତ ଭାରତ ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ, ଯାହା ତାଙ୍କୁ ଭବିଷ୍ୟତ ଜୀବନରେ ରାଜନୀତିରେ ଯୋଗ ଦେବାପାଇଁ ପ୍ରେରଣା ଯୋଗାଇଥିଲା । ୧୯୪୨ ମସିହାରେ ହୋଇଥିବା ଭାରତଛାଡ଼ ଆନ୍ଦୋଳୋନରେ ସେ ଯୋଗଦେଇ ବନ୍ଦୀମାନଙ୍କ ପରିବାର ଲୋକଙ୍କୁ ଦେଖାଶୁଣା କରିଥିଲେ । ତେଣୁ ପୁଲିସର ସନ୍ଧାନବେଳେ ତାଙ୍କ ଭାଇ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧରାପଡ଼ିଥିଲେ ଓ ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା । ତାଙ୍କର ରାଜନୈତିକ ଜୀବନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା ଓ ସେ ବିଧାୟକ ପାଇ ନିର୍ବାଚନରେ ଭାଗ ନେଇଥିଲେ । ସେ ୧୯୬୭ ଓ ୧୯୭୧ରେ ୨ଥର ବିଧାୟକ ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ବିରୋଧିଦଳର ନେତୃତ୍ଵ ମଧ୍ୟ ନେଇଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୯ ଡିସେମ୍ବର ୧୯୭୬ ଠାରୁ ୩୦ ଅପ୍ରେଲ ୧୯୭୭ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । ୧୧ ଡିସେମ୍ବର ୧୯୮୩ରେ ସେ ପ୍ରାଣତ୍ୟାଗ କରିଥିଲେ । ଆଚାର୍ଯ୍ୟଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ବ୍ରହ୍ମପୁରଠାରେ ସରକାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ତାଙ୍କ ନାମରେ ନାମିତ ହୋଇଛି ।
ସ୍କନ୍ଦ ପୁରାଣ, ପୁରାଣ ମାନଙ୍କରେ ସବୁଠାରୁ ବଡ଼ ପୁରାଣ ଅଟେ । ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଦ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଦ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ । ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଅପୂର୍ବ ରଞ୍ଜନ ରାୟ (୨ ଅକ୍ଟୋବର ୧୯୪୭ - ୨୭ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ, ସମ୍ପାଦକ, ସାମ୍ବାଦିକ ଏବଂ ସଙ୍ଗଠକ ଥିଲେ । ସେ ପ୍ରାୟ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ ଏବଂ ଏକାଧିକ ପତ୍ରପତ୍ରିକା ସମ୍ପାଦନା କରୁଥିଲେ । ଦୂରଦର୍ଶନ ଓ ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)ର ସେ ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର ଥିଲେ । ସେହି ସମୟରୁ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର କିଛି ଜଣାଶୁଣା ରଚନାବଳୀ ମଧ୍ୟରୁ କୁନ୍ତଳା କୁମାରୀ ଜୀବନୀ ଓ ପ୍ରତିଭା ଓ କବିତା ଶିକ୍ଷା ତଥା ତାଙ୍କ ସମ୍ପାଦିତ ପତ୍ରିକା ମଧ୍ୟରୁ କଥା କାହାଣୀ ଅନ୍ୟତମ । ସାହିତ୍ୟ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହିତ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ମନୋନୀତ କରାଯାଇଥିଲା । ତାଙ୍କୁ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସିନେଟ ସଦସ୍ୟତା ମଧ୍ୟ ଦିଆଯା ଇଥିଲା ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ହୃଦାନନ୍ଦ ପାଣିଗ୍ରାହୀ, ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୫୫ ମସିହା ଅଗଷ୍ଟ ୬ ତାରିଖରେ ଭଦ୍ରକ ଜିଲ୍ଲାର ଝାଡ଼ପଟାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭଦ୍ରକ କଲେଜରୁ ସ୍ନାତକ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । ୧୯୭୯ମସିହାରୁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅଧ୍ୟାପକ ଭାବରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି, ୨୦୧୪ମସିହାରେ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟଭାବେ ସେବାନିବୃତ ହୋଇଥିଲେ ।
ପାରମିତା ଶତପଥୀ (ଜନ୍ମ ୩୦ ଅଗଷ୍ଟ ୧୯୬୫) ଜଣେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖିକା ଓ ଔପନ୍ୟାସିକା । ମାତା ପ୍ରତିଭା ଶତପଥୀ ଜଣେ ଆଧୁନିକ ଓଡ଼ିଆ କବି ଓ ପିତା ନିତ୍ୟାନନ୍ଦ ଶତପଥୀ ଜଣେ ସାହିତ୍ୟ ସମାଲୋଚକ । ୧୯୮୯ ମସିହାରେ ଭାରତୀୟ ରାଜସ୍ଵ ସେବାରେ ଯୋଗ ଦେଇଥିବା ପାରମିତା ଆୟକର ବିଭାଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ।ପାରମିତା ଶତପଥୀଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ରେ ପ୍ରମୁଖ ଓଡ଼ିଆ ପତ୍ରିକା ଝଙ୍କାରରେ ପ୍ରକାଶ ପାଇଥିଲା । ପରେ ପରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଲା । ତାଙ୍କର ଅନେକ ଗଳ୍ପ ଅନ୍ୟାନ୍ୟ ଭାରତୀୟ ଭାଷା ଯଥା ତେଲୁଗୁ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ ଆଦି ଭାଷାରେ ଅନୁବାଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । 'ପ୍ରାପ୍ତି'ର ଭିସିଡି ଅଗଷ୍ଟ ୨୦୧୫ରେ ମୁକ୍ତିଲାଭ କରିଥିଲା ।କବି ପ୍ରତିଭା ଶତପଥୀ ଏବଂ ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀଙ୍କ ଝିଅ ପାରମିତାଙ୍କ ଜନ୍ମ ହୋଇଥିଲା ୩୦ ଅଗଷ୍ଟ ୧୯୬୫ରେ । ବାପା ମାଙ୍କ ପ୍ରଭାବରେ ପିଲାଟିଦିନରୁ ସେ ସାହିତ୍ୟ ପ୍ରତି ଅାକର୍ଷିତ ହୋଇଥିଲେ ଓ ପ୍ରଚୁର ପଢ଼ାପଢ଼ି କରୁଥିଲେ । ୧୯୮୯ରେ ଭାରତୀୟ ରାଜସ୍ଵ ସେବାରେ କୃତକାର୍ଯ୍ୟ ହୋଇଥିବା ପାରମିତା ଶତପଥୀ ଅଧୁନା ଅାୟକର ବିଭାଗର କମିସନର ପଦବିରେ କାର୍ଯ୍ୟରତ । ତାଙ୍କର ପ୍ରଥମ ଗଳ୍ପ 'ତାଙ୍କ ସହ ସବୁ ଦିନ' ୧୯୮୫ ମସିହାରେ 'ଝଙ୍କାର' ପତ୍ରିକାରେ ପ୍ରକାଶିତ ହୋଇଥିଲା ।
ଦାଶ ବେନହୁର (ଜନ୍ମ ୩ ଅଗଷ୍ଟ ୧୯୫୩) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର । ଶିଶୁ ସାହିତ୍ୟ, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ଅବଦାନ ରହିଛି । ପ୍ରବନ୍ଧ ଓ ଗବେଷଣାତ୍ମକ ନିବନ୍ଧ ଆଦି ଲେଖିବାକୁ ସେ ନିଜ ନାମ ଜିତେନ୍ଦ୍ର ନାରାୟଣ ଦାଶ ବ୍ୟବହାର କରୁଥିବା ସମୟରେ ଗଳ୍ପ ଓ ଶିଶୁ ସାହିତ୍ୟ ଦାଶ ବେନହୁର ନାମରେ ଲେଖିଥାନ୍ତି । ଅଧ୍ୟାପନାକୁ ପେସା ଭାବରେ ଗ୍ରହଣ କରିଥିବା ଦାଶ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସେବା ନିବୃତ ହୋଇସାରିଛନ୍ତି । ସାହିତ୍ୟ ଓ ଅଧ୍ୟାପନା ବ୍ୟତିତ ସେ ଜଣେ ସଂଗଠକ ହିସାବରେ 'ପ୍ରଫୁଲ୍ଲ କର ଫାଉଣ୍ଡେସନ, ଇଟିକିଲି ମିଟିକିଲି, ଆମ ଓଡ଼ିଶା ଆଦି ଅନୁଷ୍ଠାନମାନଙ୍କ ସହିତ ଜଡ଼ିତ ଅଛନ୍ତି । ସେ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ 'ସର୍ଗୀଫୁଲ' ନାମକ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି ।
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।
ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଜଣେ ଓଡ଼ିଆ କବି, ଗାୟକ, ନାଟ୍ୟକାର, କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜନକ ବୋଲି ଅଭିହିତ କରାଯାଏ ।୧୮୯୨ ମସିହା ଅଗଷ୍ଟ ୮ତାରିଖରେ ପିତା ହରିଦେବ ଗୋସ୍ଵାମୀ ଓ ମା ସୁଲକ୍ଷଣା ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ମୋହନସୁନ୍ଦର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ସୁମଧୁର କଣ୍ଠରେ ଗାଇବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ । ଚଳଚ୍ଚିତ୍ର ନିର୍ମାଣରେ ପାଦଦେବା ଆଗରୁ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିଥିଲେ ।
ଜ୍ୟୋତ୍ସ୍ନା ରାଉତରାୟ, ଓଡ଼ିଶାର ଜଣେ ବରିଷ୍ଠ ମହିଳା ଓଡ଼ିଆ ସାମ୍ବାଦିକ, ସମ୍ପାଦକ ଏବଂ ସାହିତ୍ୟିକା ଥିଲେ । ସେ ୧୯୫୮ ମସିହା ମଇ ମାସ ୧୧ ତାରିଖରେ ବାଲେଶ୍ଵରଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ 'ଗାଈର ଆତ୍ମକାହାଣୀ' ପ୍ରକାଶ ପାଇଥିଲା । ୧୯୮୪ ମସିହାରେ ସମ୍ବାଦ ଖବରକାଗଜରେ ଯୋଗଦାନ କରି, ସେ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶାରେ ମହିଳା ସାମ୍ବାଦିକମାନଙ୍କ ସଂଖ୍ୟା ଖୁବ ନଗଣ୍ୟ ଥିଲା ।
ସଂଯୁକ୍ତା ପାଣିଗ୍ରାହୀ (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ ଭାରତୀୟ ଶାସ୍ତ୍ରୀୟ ନାଟ ଓଡ଼ିଶୀର ଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ ଓଡ଼ିଆ ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ବହନ କରିଥିଲେ । ଓଡିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ବରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶ ଗୁଡିକ ଭ୍ରମଣ କରି ସେଠାରେ ଓଡିଶୀ ନୃତ୍ୟର ପ୍ରଚାର କରିଥିଲେ | ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ଵରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ଅନୁବାଦକ । ସେ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ୯ଟି ଓଡ଼ିଆ ଓ ଗୋଟିଏ ହିନ୍ଦି କବିତା ପୁସ୍ତକ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ "ସାଗୁଆ କ୍ଷତର ସହର" ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତା ଗୁଡିକ ନିୟମିତ ପ୍ରକାଶିତ ହୋଇଥାଏ । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ଵାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦିତ କରିଛନ୍ତି । ବର୍ତ୍ତମାନ, ସେ "ଭାରତୀୟ ଜୀବନ ବିମା ନିଗମ"ରୁ ଅବସର ଗ୍ରହଣ କରି ସମ୍ବଲପୁରରେ ବସବାସ କରୁଛନ୍ତି ।
ନିରଞ୍ଜନ ରାଉତ, ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ସେ, ୧୯୫୪ ମସିହା ଅଗଷ୍ଟ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକର ଚଅଁରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଳରାମ ରାଉତ ଓ ମାତାଙ୍କ ନାମ ଲବଣୀ ରାଉତ ଅଟେ । ଗାଁରେ ହେଉଥିବା ରାମଲୀଳା ଦେଖି, ତାଙ୍କର ନୃତ୍ୟପ୍ରତି ଆଗ୍ରହ ବଢିଥିଲା । ଚାକିରି କରିବା ପାଇଁ ସେ ଭୁବନେଶ୍ୱର ଚାଲି ଆସି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଓ ଛଉ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରୁଛନ୍ତି । ନୂପୁରୁ ଡାନ୍ସ ଏକାଡେମୀ ନାମରେ, ଭୁବନେଶ୍ଵରଠାରେ, ସେ ନିଜର ଏକ ନୃତ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ତାଙ୍କ ପତ୍ନୀ ଜ୍ୟୋତି ରାଉତ ମଧ୍ୟ ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ ।