ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସ୍କନ୍ଦ ପୁରାଣ, ପୁରାଣ ମାନଙ୍କରେ ସବୁଠାରୁ ବଡ଼ ପୁରାଣ ଅଟେ । ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଦ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଦ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ । ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।
ଦିଲ୍ ଦିୱାନା ହେଇଗଲା ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସାର୍ଥକ ମୁଭିଜ୍ର ୨୦ ତମ ଚଳଚ୍ଚିତ୍ର ଥିଲା , ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।
'ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ,kṛṣṇa janmāṣṭami), କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା । ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ଵର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଏକ୍ସକ୍ୟୁଜ ମି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ । ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାଶ ଓ ମେଘା ମହାନ୍ତି । ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ମୋକ୍ସିଫ୍ଲୋକ୍ସାସିନକୁ (ଇଂରାଜୀ ଭାଷାରେ Moxifloxacin, ଏକ ବିକ୍ରୟ ନାମ ଆଭେଲକ୍ସ) ଏକ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣରେ ଦିଆଯାଏ । ନିମୋନିଆ, ନେତ୍ରାବରଣ ପ୍ରଦାହ, ଏଣ୍ଡୋକାର୍ଡ଼ାଇଟିସ, ଯକ୍ଷ୍ମା, ଓ ସାଇନୁସାଇଟିସ ଇତ୍ୟାଦି ରୋଗରେ ଏହି ଔଷଧ ଦିଆଯାଏ । ଏହା ପାଟିରେ, ଶିରାଭ୍ୟନ୍ତର ଇଞ୍ଜେକସନ ଓ ଆଖି ଟୋପା ଆକାରରେ ଦିଆଯାଏ ।ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଦବୁଲା ଓ ମୁଣ୍ଡ ବିନ୍ଧା ହୁଏ । ସାଂଘାତିକ ପ୍ରତିକ୍ରିୟା ହେଲେ ପେରିଫେରାଲ ନିଉରୋପାଥି (nerve damage), ସଙ୍କଟ ଜନକ ମାୟୋପାଥି (mayopathy) ଓ ପେଶୀ ରାଜ୍ଜୁ ଛିଣ୍ଡିଯାଏ (en:tendon rupture) । ଗର୍ଭାବସ୍ଥା ବା ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଛି । ଫ୍ଲୋରୋକୁଇନୋଲିନ (fluoroquinolone ଶ୍ରେଣୀର ଏହା ଏକ ଔଷଧ । ଜୀବାଣୁର ଡିଏନଏ ଦ୍ୱିଭାଗ ନ ହୋଇପାରିବାରୁ ବାକ୍ଟେରିସାଇଡାଲ ମୃତ୍ୟୁ ହୁଏ ।ଆମେରିକାରେ ସନ ୧୯୯୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏହ ସ୍ୱୀକୃତ ହୋଇଥିଲା ।ବିକାଶଶୀଳ ଦେଶମାନଙ୍କରେ ସନ ୨୦୧୫ରେ ଏହାର ଏକ ଦିନର ଖର୍ଚ୍ଚ ୦.୪୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଦିନର ଖର୍ଚ୍ଚ ୪ଡଲାର ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ବିହତ ସହସ୍ରର୍ଦ୍ଧୀ ଧରି ଭାରତୀୟ ମହିଳା ମାନଙ୍କ ସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ସେମାନଙ୍କ ଜୀବନ ଧାରଣ ଶୈଳୀ , ସ୍ଵାଧୀନତା , ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପାଟଣା ଘଟିଛି । . ଅତି ପ୍ରାଚୀନ କାଳରୁ ମାଧ୍ୟମ କାଳ ମଧ୍ୟରେ ତାଙ୍କର ସ୍ଥିତି ଦ୍ରୁତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାର , ଯାହା ପୁରୁଷ ମାନେ ପାଉଥିଲେ , ସେଥିରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂଶର ବଶତା ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା । ତେବେ ମାଧ୍ୟମ କାଳରେ ( ବ୍ରିଟିଶ ଶାସନ ସମୟରୁ ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁ-ସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଲୋକ ସଭାର ବାଚସ୍ପତି , କେନ୍ଦ୍ର ମନ୍ତ୍ରୀ , ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ , ରାଜ୍ୟପାଳ , ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର , ଯଥା କ୍ରିଡା , ଆନ୍ତର୍ଜାତୀୟ କୂଟନୀତି ରେ ଅବସ୍ଥାପିତ ହେଇପାରିଛନ୍ତି । ସ୍ଵାଧୀନ ଭରତର ସମ୍ବିଧାନରେ ମହିଳା ମାନଙ୍କ ଅଧିକାରକୁ ପୁରୁଷ ମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି ।ମହିଳା ମାନଙ୍କ ପୂର୍ଣା ସ୍ଵାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ଵାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦ୍ରୁଷ୍ଟି ଦିଆ ଯାଇଛି । .ଏପରି ଏକ ସମୟ ଥିଲା ଯେ 2011 ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି ( ଶ୍ରୀମତୀ ପ୍ରତିଭା ପାଟିଲ ) , ଲୋକ ସଭାର ବାଚସ୍ପତି ( ମୀରା କୁମାର ) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳା ମାନେ ରହିଥିଲେ । ଏହା ସତ୍ବେ ଭାରତରେ ମହିଳା ମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳତ୍କାର , ଏସିଡ ଫିଙ୍ଗା , ଯୌତୁକ ଜନିତ ହତ୍ୟା , ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି ।. ୨୦୧୨ ମସିହାରେ ଥୋମସନ୍ ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶ ଠାରୁ ଭରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା ।.
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
ଶପଥ ଅଧିନିୟମ,୧୯୬୯ ହେଉଛି ଭାରତରେ ନ୍ୟାୟୀକ ଶପଥ ଏବଂ କେତେକ ଅନ୍ୟ ପ୍ରୟୋଜନ ସମ୍ବନ୍ଧୀ ବିଧିର ଏକୀକରଣ ଏବଂ ସଂଶୋଧନ ନିମିତ୍ତ ୧୯୬୯ ମସିହାରେ ଭାରତୀୟ ସଂସଦ ଦ୍ୱାରା ପାରିତ ଏକ ଅଧିନିୟମ । ତେବେ ଏଥିରେ ଥିବା କୌଣସି ବିଷୟ ସଶସ୍ତ୍ର ସେନା, ସାମରିକ ଅଦାଲତ ସମ୍ମୁଖରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ବିହିତ ଶପଥ, ପ୍ରତିଜ୍ଞାନ ବା ଘୋଷଣାମାନଙ୍କ ପ୍ରତି ଲାଗୁ ହେବ ନାହିଁ ।
ମାଗରିଟ୍ ଏଲିଜାବେଥ୍ ନୋବେଲ୍ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା। ତାଙ୍କ ମାତାଙ୍କ ନାମ ମୈରୀ ଇସାବେଲ୍ ଓ ପିତାଙ୍କ ନାମ ସୈମୁଅଲ୍ ରିଚ୍ମଣ୍ଡ୍ ନୋବେଲ୍ ଥିଲା।ନୋବେଲ୍ଙ୍କ ବଂଶଜ ସ୍କଟିଜ୍ ଥିଲେ କିନ୍ତୁ କିନ୍ତୁ ସେ ନିଜ ପିଲାଦିନ ଆୟର୍ଲ୍ୟାଣ୍ଡରେ ଅତିବାହିତ କରିଥିଲେ।ତାଙ୍କ ପିତା ଜଣେ ପୂଜାରୀ ଥିଲେ,ଯିଏକି ଭଗିନୀ ନିବେଦିତାଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ,"ମଣିଷର ପୂଜା କରିବା ଭଗବାନଙ୍କ ପୂଜା କରିବା ସହ ସମାନ"।ଯେତେବେଳେ ଭଗିନୀ ନିବେଦିତା ଏକ ବର୍ଷର ହୋଇଥିଲେ ସେତେବେଳେ ସୈମୁଅଲ୍ ଇଂଲଣ୍ଡର ମଞ୍ଚେଷ୍ଟର୍ ଚାଲିଗଲେ।ସେତେବେଳେ କିଶୋରୀ ନିବେଦିତା ନିଜ ଆଇଙ୍କ ସହ ହୈମିଲ୍ଟନ୍, ଆୟାର୍ଲ୍ୟାଣ୍ଡ୍ରେ ରହୁଥିଲେ।ସେ ଯେତେବେଳେ ୪ ବର୍ଷର ହେଲେ ସେତେବେଳେ ସେ ନିଜ ପିତାଙ୍କ ସହ ରହିଲେ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ବାଲୁଙ୍କେଶ୍ୱର ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଥିବା କଷବା-ଷାଠିବାଟିରେ ଅବସ୍ଥିତ ଏକ ପୁରାତନ ଶିବ ମନ୍ଦିର । ଏଠାରେ ବାଲୁଙ୍କେଶ୍ୱର ପୂଜା ପାଇଥାନ୍ତି । ଆଗରୁ କଷବା ଓ ଷାଠିବାଟିରେ ବହୁଥିବା ଜୁଣେଇ ନଦୀର ଶୁଖିଲା ଶଯ୍ୟାରେ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହା ଏକାଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ଯାଜପୁରର କଇଆଁଗୋଲା ରାସ୍ତାର ମଙ୍ଗଳପୁରଠାରୁ ବଡକୁଆଁଲ ରାସ୍ତାରେ ୧.୫ କି.ମି.ଗଲେ ଥାଲକୁଡ଼ି ପଞ୍ଚାୟତର କଷବା ଏବଂ ପାଲଟପୁର ପଞ୍ଚାୟତର ଷାଠିବାଟିରେ ବାଲୁଙ୍କେଶ୍ୱର ମନ୍ଦିର ରହିଛି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ଵାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.