ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬
ମହିଳାଙ୍କୁ ଅଶ୍ଳୀଳ ଭାବେ ପ୍ରଦର୍ଶନ (ନିଷେଧ) ଅଧିନିୟମ, ୧୯୮୬ ହେଉଛି ଭାରତୀୟ ପାର୍ଲିଆମେଣ୍ଟରେ ପାରିତ ଏକ ଅଧିନିୟମ ଯାହାକି ବିଭିନ୍ନ ମାଧ୍ୟମରେ ମହିଳାଙ୍କୁ ଅବାଞ୍ଛିତ କିମ୍ବା ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଅପରାଧକୁ ରୋକିବା ପାଇଁ ଲାଗୁ କରାଯାଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ଵିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପାଟୁଆ ଯାତ୍ରା ଓଡ଼ିଶାର ଏକ ପ୍ରମୁଖ ଲୋକନୃତ୍ୟ । ଏହା ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ନାମରେ ପାଳିତ ହୁଏ । ପାଟୁଆ ଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇ ବୈଶାଖ ସଂକ୍ରାନ୍ତି ଦିନ ଶେଷ ହୁଏ । ଏଥିରେ ଭକ୍ତମାନେ ନିଷ୍ଠା ସହିତ କଠିନ କାୟକ୍ଳେଶ ବରଣ କରିଥାନ୍ତି । ଏହାକୁ ଗଣ୍ଡ ଜାତିର ଲୋକମାନେ 'ମେଘନାଦ', ବିହାରର ଛୋଟନାଗପୁର ଅଞ୍ଚଳର ଲୋକମାନେ 'ମାଣ୍ଡା', ତାମିଲନାଡୁରେ 'ଚେଡ଼ତୁଲ', ଦାକ୍ଷିଣାତ୍ୟର ଅନ୍ୟ କେତେକ ଅଞ୍ଚଳରେ 'ବାଗଡ଼', ବଙ୍ଗଳାରେ 'ଚଡକ ପୂଜା', ପ୍ରଭୃତି ନାମରେ ନାମିତ । ଉତ୍ତର ଓଡ଼ିଶାରେ ଏହାକୁ 'ପାଟୁଆ ଯାତ୍ରା' କୁହାଯାଇଥିଲା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଚ ଓ ଝାମୁ ଯାତ୍ରା ବୋଲି କୁହାଯାଏ । ପୁଣି ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଓ ଝାମୁ ଯାତ୍ରା ମଧ୍ୟରେ ବିଶେଷ ପାର୍ଥକ୍ୟ ଦେଖା ଯାଇନଥିଲେ ମଧ୍ୟ ଏହି ତିନି ପ୍ରକାର ଯାତ୍ରା ଆଞ୍ଚଳିକ ବୈଷମ୍ୟ ଦେଖାଯାଏ । ଯଦିଓ ଏସବୁକିଛି ମୂଳ ଗୋଟିଏ ବୋଲି ଗ୍ରହଣ କରାଯାଏ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ମାଗରିଟ୍ ଏଲିଜାବେଥ୍ ନୋବେଲ୍ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା। ତାଙ୍କ ମାତାଙ୍କ ନାମ ମୈରୀ ଇସାବେଲ୍ ଓ ପିତାଙ୍କ ନାମ ସୈମୁଅଲ୍ ରିଚ୍ମଣ୍ଡ୍ ନୋବେଲ୍ ଥିଲା।ନୋବେଲ୍ଙ୍କ ବଂଶଜ ସ୍କଟିଜ୍ ଥିଲେ କିନ୍ତୁ କିନ୍ତୁ ସେ ନିଜ ପିଲାଦିନ ଆୟର୍ଲ୍ୟାଣ୍ଡରେ ଅତିବାହିତ କରିଥିଲେ।ତାଙ୍କ ପିତା ଜଣେ ପୂଜାରୀ ଥିଲେ,ଯିଏକି ଭଗିନୀ ନିବେଦିତାଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ,"ମଣିଷର ପୂଜା କରିବା ଭଗବାନଙ୍କ ପୂଜା କରିବା ସହ ସମାନ"।ଯେତେବେଳେ ଭଗିନୀ ନିବେଦିତା ଏକ ବର୍ଷର ହୋଇଥିଲେ ସେତେବେଳେ ସୈମୁଅଲ୍ ଇଂଲଣ୍ଡର ମଞ୍ଚେଷ୍ଟର୍ ଚାଲିଗଲେ।ସେତେବେଳେ କିଶୋରୀ ନିବେଦିତା ନିଜ ଆଇଙ୍କ ସହ ହୈମିଲ୍ଟନ୍, ଆୟାର୍ଲ୍ୟାଣ୍ଡ୍ରେ ରହୁଥିଲେ।ସେ ଯେତେବେଳେ ୪ ବର୍ଷର ହେଲେ ସେତେବେଳେ ସେ ନିଜ ପିତାଙ୍କ ସହ ରହିଲେ।
ଯୁଗେ ଯୁଗେ ମନ୍ୟୁଷ୍ୟ ଧନକୁ ପୂଜା କରି ଆସିଛି ଓ ଧନପତିର ଦାସତ୍ଵ ସ୍ଵୀକାର କରିଛି । ଏହି ମର୍ମରେ ବୋଧହୁଏ ନରବାହାନ , ଧନପତି କୁବେରଙ୍କ ପରିକଳ୍ପନା । ବୈଦିକ ବିଶ୍ଵାସରେ ଦିବପାଳମାନଙ୍କ ମଧ୍ୟରେ ସେ ଉତ୍ତର ଦିଗର ଅଧିପତି । କୁବେର ପୁଲଶ୍ୟଙ୍କ ପୁତ୍ର ହୋଇଥିବାରୁ ତାଙ୍କ ଅନ୍ୟନାମ ବୈଶ୍ରବଣ । ଏହା ବ୍ୟତିତ ତାଙ୍କ କୁତ୍ସିତ ରୂପଯୋଗୁଁ ସେ କୁବେର , ଧନପତି ଯୋଗୁ ଧନଦ, ଅଷ୍ଟନିଧିର ପ୍ରଭୁ ହେଇଥିବାରୁ ନିଧିପତି, ଯକ୍ଷମାନଙ୍କ ରାଜା ହେଇଥିବାରୁ ଯକ୍ଷପତି ବା ଯକ୍ଷେନ୍ଦ୍ର, ଗୁହ୍ୟିକମାନଙ୍କ ସ୍ଵାମୀ ହେଇଥିବାରୁ ଗୁହ୍ୟପତି ନାମରେ ମଧ୍ୟ ପରିଚିତ ।
ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭାରତର ସ୍ଵାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା "ଲବଣ ସତ୍ୟାଗ୍ରହ " ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ |
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ସାତକଡ଼ି ହୋତା, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି । ସେ ଭାରତୀୟ ରେଳସେବାରୁ ଅବସର ନେଇସାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ଵଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣୀ ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ଵନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ଵରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ଵନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ମୁଦ୍ରା ଦେବାରାଧନା ସମୟରେ କରାଙ୍ଗୁଳିଦ୍ଵାରା ରଚିତ ଭଙ୍ଗୀ ବିଶେଷ । ଦେବତାମାନେ ଏହି ମୁଦ୍ରାମାନଙ୍କଦ୍ଵାରା ମୁଦିତ ହେବା ୟୋଗୁଁ ଏହା ମୁଦ୍ରା ନାମରେ ଖ୍ୟାତ ହାତର ଆଙ୍ଗୁଠି ମାନଙ୍କୁଦ୍ଵାରା ଭିନ୍ନ ଭିନ୍ନ ରୂପ ଓ ଆକୃତି ରଚନା କରି 'ମୁଦ୍ରା' କରାଯାଏ ଓ ପୂଜା ସମରେ ଉକ୍ତରୂପ ମୁଦ୍ରାକୁ ଦେବତାଙ୍କୁ ଦେଖାଇବାକୁ ହୁଏ । ଭିନ୍ନ ଭିନ୍ନ ଦେବତାଙ୍କର ପୂଜା ପାଇଁ ଭିନ୍ନ ଭିନ୍ନ ମୁଦ୍ରାର ବ୍ୟବସ୍ଥା ଅଛି ତନ୍ତ୍ର ଓ ପୁରାଣମାନଙ୍କରେ ନାନା ପ୍ରକାର ମୁଦ୍ରାର ବର୍ଣ୍ଣନା ଅଛି ଏବଂ ମୁଦ୍ରାର ରଚନା ସମ୍ବନ୍ଧରେ ଉପଦେଶ ଓ ମୁଦ୍ରାମାନଙ୍କର ବିଶିଷ୍ଟ ପ୍ରୟୋଗମାନ ଲିପିବଦ୍ଧ ହୋଇଅଛି । ପ୍ରତ୍ୟେକ ପ୍ରକାର ସାଧାରଣ ପୂଜାରେ ନଅ ଗୋଟି ମୁଦ୍ରା କିମ୍ବା ଷଡ଼ଙ୍ଗ ମୁଦ୍ରା ଦେଖାଇବାକୁ ହୁଏ ବିଷ୍ଣୁ ପୂଜାରେ ୨୯ ଗୋଟି ଶିବ ପୂଜାରେ ୧ ଗୋଟି, ସୂର୍ଯ୍ୟପୂଜାରେ ଗୋଟିଏ; ଗଣେଶଙ୍କର ୭ ଗୋଟି; ଶକ୍ତି ବା ଦୁର୍ଗାଙ୍କର ୯ ଗୋଟି, ଏହିପରି ଭିନ୍ନ ଭିନ୍ନ ଦେବତାଙ୍କ ପୂଜାରେ ଓ ଜପରେ ଭିନ୍ନ ଭିନ୍ନ ମୁଦ୍ରାମାନ ପ୍ରଯୋଗ କରାଯାଏ । କାଳିକା ପୁରାଣରେ ୬୫ ଅଧ୍ୟାୟରେ ବହୁଶତ ମୁଦ୍ରାର ବର୍ଣ୍ଣନା ଅଛି । କେତେଗୁଡ଼ିଏ ମୁଦ୍ରାର ନାମ ଯଥା: ଆବାହନ, ସଂସ୍ଥାପନ; ସନ୍ନିରୋଧନ; ଧେନୁ ମହା ମୁଦ୍ରା; ଅବଗୁଣ୍ଠନ; ଶଙ୍ଖ; ଚକ୍ର; ପଦ୍ନ; ଗଦା; ନାରାଗ; ଅଙ୍କୁଶ; ତ୍ରିଶୂଳ, ଲିଙ୍ଗ; ୟୋନି; ମତ୍ସ୍ୟ; କର୍ମ; ବରାହ; ନରସିଂହ; ମୃଗ; ଶାଳିନୀ; ଲେଲିହା; ସନ୍ନିଧାପନ, ସଂବୋଧନ, ବର ଅଭଯ; ସ୍ଥାପନୀ 'ପରଚେ ଗୀତା'ର ଦ୍ଵାଦଂଶ ଅଧ୍ୟାୟରେ ଚଚେରି, ଭୂଚରୀ, ତନୁମୁନା, ଖେଚରୀ ଓ ଗୋଚରୀ ନାମରେ ପାଞ୍ଚ ପ୍ରକାର ମୁଦ୍ରାର ଉଲ୍ଲେଖ ଦେଖାଯାଏ ।
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଆହେ ଦୟାମୟ ବିଶ୍ଵ ବିହାରୀ ଓଡ଼ିଆ ଭାଷାର ଏକ ପାର୍ଥନା । ଏହା ଓଡ଼ିଆ ଶିକ୍ଷକ ଓ କବି ରାମକୃଷ୍ଣ ନନ୍ଦଙ୍କ "ଝୁମୁକା" କବିତା ସଂକଳନରୁ ଆନୀତ । ଏହି ପାର୍ଥନାଟି ଗାନ୍ଧୀଙ୍କର ସାବରମତି ଆଶ୍ରମର ପ୍ରାର୍ଥନା ସଭାରେ ବୋଲାଯାଉଥିଲା। ପାରମ୍ପରିକ ଭାବେ ଏହି ଗୀତଟିକୁ ଓଡ଼ିଶୀ ସଙ୍ଗୀତର ଚକ୍ରକେଳି ବୃତ୍ତର ଛାନ୍ଦ ଭାବେ ଗାୟନ କରାଯାଏ । ଗୀତଟି ଓଡ଼ିଆ ଚଳଚ୍ଚିତ୍ର ବଳିଦାନରେ ମଧ୍ୟ ସ୍ଥାନ ପାଇଥିଲା ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ପଶ୍ଚିମ ଓଡ଼ିଶା ( ଇଂରାଜୀ : Western Odisha ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । ଏହାକୁ କୋଶଳ ଅଞ୍ଚଳ ବୋଲି କହାଯାଏ । ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା । ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ ସାଂସ୍କୃତିକ ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା । ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ KBK ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ଵାରା ସ୍ଵତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି । ପୁଣି ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ' ( WODC ) ଗଠନ କରିଛନ୍ତି ।
ମୁଥୁବେଲ କରୁଣାନିଧି (୩ ଜୁନ ୧୯୨୪ – ୭ ଅଗଷ୍ଟ ୨୦୧୮; କଳାଇଙ୍ଗର ଭାବରେ ଜଣାଶୁଣା), ଜଣେ ଭାରତୀୟ ରାଜନୈତିଜ୍ଞ ଯିଏକି ୧୯୬୯ରୁ ୨୦୧୧ ମଧ୍ୟରେ ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ଦ୍ରାବିଡ଼ ଲୋକଙ୍କର ଜଣେ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୦ ଥର ଦ୍ରାବିଡ଼ ମୁନ୍ନେତ୍ରା କାଜଗମ୍ ରାଜନୈତିକ ଦଳର ସଭାପତି ଥିଲେ । ସେ ରାଜନୀତିରେ ପ୍ରବେଶ କରିବା ଆଗରୁ ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରୁଥିଲେ । ସେ ତାମିଲ ସାହିତ୍ୟ ପାଇଁ ମଧ୍ୟ ଗପ, ନାଟକ, ଉପନ୍ୟାସ ଆଦି ରଚନା କରିଛନ୍ତି । କରୁଣାନିଧି ୭ ଅଗଷ୍ଟ ୨୦୧୮ରେ ଚେନ୍ନାଇର କାବେରୀ ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ରାଷ୍ଟୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହାଯାଏ ଯେ, ହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ୟ ସ୍ଵୀକାରଯୋଗ୍ୟ । ଏବେ ମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ୟ କରିବାକୁ ପଡ଼ିଲା । କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ୟତା ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଐକ୍ୟ ଉପରେ ବିଶ୍ଵାସ ରଖେ । ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ର ଭୂମିକାକୁ ଯେ କେହି ମଧ୍ୟ ସ୍ଵୀକାର କରିବ । କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ୟା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି" ର ଅର୍ଥ "ଶୀଘ୍ର" କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କ ଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟ ରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ଥିଆମିନ ଅଭାବ (Thiamine deficiency) ଏକ ଡାକ୍ତରୀ ସମସ୍ୟା ଯେଉଁଥିରେ କମ୍ ପରିମାଣର ଥିଆମିନ ବା ଜୀବସାର କ ଖାଦ୍ୟ ଖାଇବାକୁ ମିଳେ । ଏହା ସାଂଘାତିକ ଧରଣର ହେଲେ ବେରିବେରି କୁହାଯାଏ । ବୟଃପ୍ରାପ୍ତ ଲୋକଙ୍କର ୨ ପ୍ରକାର ଅଭାବ ଦେଖାଯାଏ ଯଥା:- ଆର୍ଦ୍ର ବେରିବେରି ଓ ଶୁଷ୍କ ବେରିବେରି । ଆର୍ଦ୍ର ବେରିବେରି ରୋଗରେ ହୃତ୍ପିଣ୍ଡ ରକ୍ତନଳୀ ମଣ୍ଡଳ (cardiovascular system) ପ୍ରଭାବିତ ହେବା ଫଳରେ ଦୃତ ହୃଦ୍ଗତି, ଅଣନିଶ୍ୱାସୀ ଓ ପାଦଫୁଲା ହୁଏ । ଶୁଷ୍କ ବେରିବେରି ରୋଗରେ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେବା ଫଳରେ ପେରିଫେରାଲ ନିଉରୋପାଥି ହୋଇ କାଲୁଆ ଅନୁଭବ (numbness of the hands and feet), ମାନସିକ ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା ହୁଏ । ଅନ୍ୟ ଏକ ପ୍ରକାର ଅଭାବରେ ଅରୁଚି ଓ କୋଷ୍ଠକାଠିନ୍ୟ ହୁଏ । ଶିଶୁମାନଙ୍କର ଆକ୍ୟୁଟ ବେରିବେରି ହୋଇ ଅରୁଚି, ବାନ୍ତି, ଲାକ୍ଟିକଏସିଡୋସିସ (lactic acidosis), ହୃଦ୍ଗତି ହାର ପରିବର୍ତ୍ତନ ଓ ବଡ଼ ହୃତ୍ପିଣ୍ଡ ହୋଇଯାଏ ।ଅଧିକାଂଶ ଲୋକ ଧଳା ଭାତ (white rice) ଖାଇବା ଯୋଗୁ, ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଅଧିକ ଡାଇୟୁରେଟିକ (diuretics) ବ୍ୟବହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । କ୍ୱଚିତ ଜେନେଟିକ (genetic) ରୋଗ ଥିଲେ ଖାଦ୍ୟରେ ଥିବା ଥିଆମିନ ଅବଶୋଷଣ ହୋଇନପାରିବାରୁ ଏହି ରୋଗ ହୁଏ । ଶୁଷ୍କ ବେରିବେରିରେ କେର୍ନିକ ଏନସେଫାଲୋପାଥି (Wernicke encephalopathy) ଓ କୋର୍ସାକୋଫ ସିଣ୍ଡ୍ରୋମ (Korsakoff syndrome) ରୋଗ ମଧ୍ୟ ହୋଇପାରେ । ଲକ୍ଷଣ, ପରିସ୍ରାରେ ସ୍ୱଳ୍ପ ପରିମାଣ ଥିଆମିନ, ଅଧିକ ରକ୍ତ ଲାକ୍ଟିକ ଏସିଡ (lactate) ଓ ଚିକିତ୍ସାରେ ଉନ୍ନତି ଦେଖାଦେଲେ ରୋଗ ନିର୍ଣ୍ଣୟ ହୁଏ ।ପାଟିରେ ବା ଇଞ୍ଜେକସନ ଆକାରରେ ଥିଆମିନ ପରିପୂରକ (thiamine supplementation ଦେଇ ଏହାର ଚିକିତ୍ସା କରାଯାଏ । ପ୍ରାୟ ୨ ସପ୍ତାହ ମଧ୍ୟରେ ରୋଗ ଉପଶମ ହୋଇଯାଅଏ । ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।ଯୁକ୍ତରାଷ୍ଟ୍ର ଆମେରିକାରେ ଥିଆମିନ ଅଭାବ କ୍ୱଚିତ ଦେଖାଯାଏ । ସାଧାରଣତଃ ଏହା ସବ-ସାହାରା ଆଫ୍ରିକାରେ (sub-Saharan Africa) ଦେଖାଯାଏ । ରିଫ୍ୟୁଜି କ୍ୟାମ୍ପରେ (refugee camps) ଏହି ରୋଗର ମଡ଼କ ଦେଖାଯାଏ । ହଜାର ହଜାର ବର୍ଷ ଧରି ଏସିଆରେ ଏହି ରୋଗ ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ ଓ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଚାଉଳକୁ ଅଧିକ ଶୁଭ୍ର କରିବାକୁ ପ୍ରସେସିଙ୍ଗ କରିବାରୁ ଏ ରୋଗ ଅଧିକ ହୋଇଥିଲା ।
କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି । ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରିଆସୁଛନ୍ତି । ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ସ୍କନ୍ଦ ପୁରାଣ, ପୁରାଣ ମାନଙ୍କରେ ସବୁଠାରୁ ବଡ଼ ପୁରାଣ ଅଟେ । ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଦ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଦ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ । ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'କଳାହାଣ୍ଡି' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: