ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
କବିଚନ୍ଦ୍ର ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ । ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତର ପଶ୍ଚିମ କୂଳରେ ସ୍ଥିତ ମୁମ୍ବାଇ (ପୂର୍ବ ନାମ ବମ୍ବେ), ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ଅଟେ। ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର ଅଟେ। ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ୱୀପପୁଞ୍ଜକୁ ମିଶାଇ ହେଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ୱାରା ଯୋଡି ହେଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର ଅଟେ। ମୁମ୍ବାଇର ଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ ଅଟେ। ଇଉରୋପ, ଆଫ୍ରିକା, ଆମେରିକା ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇକୁ ଭାରତର ପ୍ରବେଶଦ୍ୱାର ମଧ୍ୟ କୁହାଯାଏ।
ଗୌରହରି ପରିଚ୍ଛା (୧୭୯୪-୧୮୯୩, ମତାନ୍ତରରେ ୧୭୯୪-୧୮୮୪, ୧୭୯୮-୧୮୯୭ ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭) ଓଡ଼ିଶାର ଜଣେ ପୁରାତନ କବି । ପାରଳାଖେମୁଣ୍ଡିରେ ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମଣ୍ଡପସବୁ ହେଲା: ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମୁକ୍ତି ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ରତ୍ନ ମଣ୍ଡପ (ରତ୍ନ ବେଦୀ), ଦୋଳ ମଣ୍ଡପ (ଦୋଳ ବେଦୀ) ଓ ଯଜ୍ଞ ମଣ୍ଡପ ।
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସତ୍ୟପ୍ରିୟ ମହାଳିକ (ଜନ୍ମ: ୧୯୬୨) ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖନ୍ତି । ଜଣେ ଖବରକାଗଜ ସ୍ତମ୍ଭକାର ଭାବରେ ମଧ୍ୟ ସେ ପରିଚିତ । ୨୦୧୧ ମସିହାରେ ନିଜ ଉପନ୍ୟାସ "ଶୂନ୍ୟକାଳ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଓ ବର୍ତ୍ତମାନ ଝାଡ଼ଖଣ୍ଡର ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଗଜପତି ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ପାରଳାଖେମୁଣ୍ଡିର ପୂର୍ବତନ ପାଟଦେଓ(ରାଜ ଭ୍ରାତା) ଥିଲେ । ସମ୍ବନ୍ଧରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାଦା ଥିଲେ । ସେ ଜଣେ ସିଦ୍ଧହସ୍ତ ନାଟ୍ୟକାର ହେବା ସଙ୍ଗେ ସଙ୍ଗେ ଅନେକ ଚଉପଦୀ ଓ ଜଣାଣ ମଧ୍ୟ ରଚନା କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରୋଟି ଭାଷାରେ ପାରଙ୍ଗମ ଥିଲେ । ଗୀତ ସ୍ତବକ, ରାଧାଗୋବିନ୍ଦ ଜଣାଣ ନାମକ ଗ୍ରନ୍ଥଗୁଡ଼ିକର ଲେଖକ । ତାଙ୍କରି ଯୋଗୁଁ ପାରଳାର ଗଜପତି ପ୍ରେସ ଓ ପଦ୍ମନାଭ ରଙ୍ଗାଳୟ (ପରେ ଗୌରଚନ୍ଦ୍ରଙ୍କ ଦେବଙ୍କଦ୍ୱାରା ପଦ୍ମନାଭଙ୍କ ସ୍ମୃତିରେ) ସ୍ଥାପିତ ହୋଇଥିଲା । ପାରଳାଖେମୁଣ୍ଡିରେ ଓଡ଼ିଶୀ ସଙ୍ଗୀତର ଉନ୍ନତି ପାଇଁ ଏହାଙ୍କର ଅନେକ ଅବଦାନ ରହିଛି ।ପଦ୍ମନାଭ ଦେବ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚନା ଅନୁକରଣରେ ନିଜେ ଏକ ପ୍ରହ୍ଲାଦ ନାଟକ ଲେଖିଥିଲେ । ଏହି ଗ୍ରନ୍ଥ ସଙ୍ଗୀତବହୁଳ ଥିବାରୁ ତାକୁ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ଭାବେ ନାମିତ କରିଥିଲେ ।
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି । ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ୱୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମୃଣାଳ ସେନ (୧୪ ମଇ ୧୯୨୩ - ୩୦ ଡିସେମ୍ବର ୨୦୧୮) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ବଙ୍ଗଳା ଓ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ସାମାଜିକ ବିଷୟବସ୍ତୁକୁ ନେଇ କଳାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତି ଥିଲା ତାଙ୍କର ବୈଶିଷ୍ଟ୍ୟ । ସେ ବାମପନ୍ଥୀ ଦୃଷ୍ଟିଭଙ୍ଗୀର ସମର୍ଥକ ଥିଲେ । ତାଙ୍କୁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।
ହେମୋଫିଲିଆ (ଇଂରାଜୀରେHaemophilia also spelled hemophilia) ଏକ ଅନୁବଂଶିକ (inherited) ଜେନେଟିକ (genetic disorder) ରୋଗ ଯେଉଁଥିରେ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ ଓ ରକ୍ତ ସ୍ତମ୍ଭନ (ରକ୍ତସ୍ରାବ ବନ୍ଦ) ହୁଏନି । ଫଳରେ ଆଘାତ ପରେ ରକ୍ତସ୍ରାବ ଅଧିକ ସମୟ ଧରି ଚାଲିଥାଏ, ସହଜରେ ଅଧଃଚର୍ମ କ୍ଷତ (bruising) ହୁଏ ଓ ଗଣ୍ଠି ରକ୍ତସ୍ରାବ (bleeding inside joint) ବା ମସ୍ତିସ୍କରେ ରକ୍ତସ୍ରାବ ସଙ୍କଟ ରହେ । ସାମାନ୍ୟ ରୋଗରେ ଦୁର୍ଘଟଣା ବା ଅପରେଶନ ପରେ ଲକ୍ଷଣ ବାହାରେ । ରକ୍ତସ୍ରାବ ଫଳରେ ଗଣ୍ଠି ସ୍ଥାୟୀ ଭାବରେ ନଷ୍ଟ ହୋଇଯାଏ ଓ ମସ୍ତିଷ୍କରେ ରକ୍ତସ୍ରାବ ଫଳରେ ମୁଣ୍ଡବଥା, ଅପସ୍ମାର ବାତ ଓ ଚେତନା କମ ରହେ । ଦୁଇ ପ୍ରକାର ହେମୋଫିଲିଆ ଅଛି: ହେମୋଫିଲିଆ କ ଯେଉଁଥିରେ ଯଥେଷ୍ଟ ଫ୍ୟାକ୍ଟର ୮ (factor VIII) ନ ଥାଏ ଓ ହେମୋଫିଲିଆ ଖ ଯେଉଁଥିରେ ଯଥେଷ୍ଟ ଫ୍ୟାକ୍ଟର (factor IX) ନ ଥାଏ । ପିତା ବା ମାତାଙ୍କଠାରୁ ଆସିଥିବା ଏକ୍ସ କ୍ରୋମୋଜୋମରେ (X chromosome) ଏକ ଅଣକାର୍ଯ୍ୟକାରୀ ଜିନ (gene) ଥିବା ଯୋଗୁ ଏହି ରୋଗ ହୁଏ । ବିକାଶର ପ୍ରଥମାବସ୍ଥାରେ ଏକ ନୂଆ ମ୍ୟୁଟେସନ ହେଲେ ବା ଜୀବନର ପର ପର୍ଯ୍ୟୟରେ କ୍ଲଟିଙ୍ଗ ଫ୍ୟାକ୍ଟର ବିରୁଦ୍ଧରେ ଆଣ୍ଟବଡି ତିଆରି ହୋଇଗଲେ ହେମୋଫିଲିଆ ହୁଏ । ଅନ୍ୟ ଦୁଇ ପ୍ରକାର ହେମୋଫିଲିଆର ନାମ ଯଥାକ୍ରମେ ହେମୋଫିଲିଆ ଗ (ଫ୍ୟାକ୍ଟର XI ଅଭାବ ଯୋଗୁ) ଓ ପାରାହେମୋଫିଲିଆ (ଫ୍ୟାକ୍ଟର V ଅଭାବ ଯୋଗୁ) । କର୍କଟ ରୋଗ, ଅଟୋଇମ୍ମ୍ୟୁନ ରୋଗ (autoimmune disorder) ଓ ଗର୍ଭାବସ୍ଥାରେ ଉପାର୍ଜ୍ଜିତ ହେମୋଫିଲିଆ ହୋଇପାରେ । ରକ୍ତର ଜମାଟ ବାନ୍ଧିବା କ୍ଷମତା ଓ ବିଭିନ୍ନ କ୍ଲଟିଙ୍ଗ ଫ୍ୟାକ୍ଟର ସ୍ତର ମାପ କରି ରୋଗ ନିର୍ଣ୍ଣୟ କରାଯାଏ ।ମହିଳାର ଅଣ୍ଡା ବାହାର କରି ତାହାକୁ ନିଷେଚନ (fertilizing) କରିବା ପରେ ଭୃଣ (embryo) ପରୀକ୍ଷା କରି ଜରାୟୁ ଭିତରେ ରଖିଲେ ଏ ରୋଗ ପ୍ରତିଷେଧ କରିହୁଏ । ଏହାର ଚିକିତ୍ସାରେ ଦେହରେ ନ ଥିବା କ୍ଲଟିଙ୍ଗ ଫ୍ୟାକ୍ଟର ପୁନଃସ୍ଥାପନ କରାଯାଏ । ଏହି ପ୍ରଥା ନିୟମିତ ବା ରକ୍ତସ୍ରାବ ସମୟରେ କରାଯାଇପାରେ । ଘରେ ବା ଡାକ୍ତରଖାନାରେ ପୁନଃସ୍ଥାପନ କରାଯାଇପାରେ । ମାନବ ରକ୍ତରୁ ବା ପ୍ରୋଟିନରୁ କ୍ଲଟିଙ୍ଗ ଫ୍ୟାକ୍ଟରରୁ (recombinant methods) ପ୍ରସ୍ତୁତ କରାଯାଏ । ଆଣ୍ଟିବାୟୋଟିକ ବିରୁଦ୍ଧରେ ଆଣ୍ଟିବଡି ପ୍ରସ୍ତୁତ ହେଉଥିବା ୨୦% ଲୋକଙ୍କର ଚିକିତ୍ସା କଷ୍ଟସାଧ୍ୟ । ସାମାନ୍ୟ ଧରଣର ହେମୋଫିଲିଆ କ ହୋଇଥିଲେ ଡେସମୋପ୍ରେସିନ (desmopressin) ଔଷଧ ଦିଆଯାଇପାରେ । ଅଧୁନା ଜିନ ଥେରାପି (gene therapy) ପରୀକ୍ଷଣ ଅବସ୍ଥାରେ ଅଛି । ପ୍ରତି ୫,୦୦୦ରୁ ୧୦,୦୦୦ ଲୋକରେ ଜଣେ ହେମୋଫିଲିଆ କ ରୋଗରେ ଆକ୍ରାନ୍ତ ହୁଏ ଓ ପ୍ରତି ୪୦,୦୦୦ରେ ଜଣେ ପୁରୁଷ ହେମୋଫିଲିଆ ଖ ରୋଗରେ ଜନ୍ମରୁ ଆକ୍ରାନ୍ତ ହୁଏ । କେତେକ ମହିଳାଙ୍କର ଏକ୍ସ କ୍ରୋମୋଜୋମ ସହିତ ଅଣକାର୍ଯ୍ୟକାରୀ ଜିନ ଥିଲେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇପାରେ । ହେମୋଫିଲିଆ ଗ ଉଭୟ ପୁରୁଷ ଓ ମହିଳାଙ୍କୁ ସମ ଭାଗରେ ଆକ୍ରମଣ କରେ ଓ ମୂଖ୍ୟତଃ ଆସ୍କେନାଜି ଜିଉଙ୍କର (Ashkenazi Jews) ଏ ରୋଗ ହୁଏ । ୧୮୦୦ଶତାବ୍ଦୀରେ ୟୁରୋପର ରାଜକୀୟ ପରିବାରରେ ସାଧାରଣତଃ ଏହି ରୋଗ ଥିଲା । ସନ ୧୯୫୨ରେ ହେମୋଫିଲିଆ କ ଓ ଖ ମଧ୍ୟରେ ଥିବା ପାର୍ଥକ୍ୟ ଜଣାଯାଇଥିଲା । ଗ୍ରୀକ ଭାଷାରୁ ଅଣାଯାଇଥିବା ଶବ୍ଦ ହାଇମା/haima αἷμα ଅର୍ଥ ରକ୍ତ ଓ ଫିଲିଆ/philia φιλία ଅର୍ଥ ପ୍ରେମ ।
ଉପେନ୍ଦ୍ରନାଥ ନାୟକ, ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୧୯୯୮ ମସିହା ଲୋକ ସଭା ସାଧାରଣ ନିର୍ବାଚନରେ ଓଡ଼ିଶାର କେଉଁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକସଭା ସଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମଧ୍ୟରେ ମେଣ୍ଟ ହୋଇଥିଲା । ଉପେନ୍ଦ୍ରନାଥ ନାୟକ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ମସ୍ତିଷ୍କ ହେଉଛି ଏକ ଅଙ୍ଗ ଯାହା ସମସ୍ତ ମେରୁଦଣ୍ଡୀ ଓ ଅଧିକାଂଶ ଅମେରୁଦଣ୍ଡୀ ପ୍ରାଣୀମାନଙ୍କରେ ସ୍ନାୟୁ ତନ୍ତ୍ରର କେନ୍ଦ୍ର। କେବଳ କେତେକ ଅମେରୁଦଣ୍ଡୀ ପ୍ରାଣୀ ଯଥା ସ୍ପଞ୍ଜ, ଜେଲିଫିଶ, ଷ୍ଟାରଫିଶ ଆଦିଙ୍କରେ ମସ୍ତିଷ୍କ ନଥାଏ । ମସ୍ତିଷ୍କ ମୁଣ୍ଡରେ ଅନ୍ୟାନ୍ୟ ସମ୍ବେଦକ ଅଙ୍ଗ ଯଥା ଦୃଷ୍ଟି, ଶ୍ରବଣ, ସ୍ୱାଦ ଆଦି ନିକଟରେ ରହିଛି । ଏହା ଶରୀର ସବୁଠୁ ଜଟିଳ ଅଙ୍ଗ । ମସ୍ତିଷ୍କର ସବୁଠୁ ବଡ ଅଂଶ ହେଉଛି ପ୍ରମସ୍ତିଷ୍କ (cerebral cortex) ଯେଉଁଥିରେ ୧୫୦୦-୩୩୦୦ କୋଟି ନ୍ୟୁରନ ବା ସ୍ନାୟୁ କୋଷିକା ରହିଛି। ଏହି କୋଷିକା ଗୁଡିକ ସିନାପ୍ସ ମାଧ୍ୟମରେ ଅନ୍ୟ ସ୍ନାୟୁ କୋଷିକାମାନଙ୍କ ସହ ସଂଯୁକ୍ତ । ମସ୍ତିଷ୍କ ଉପରେ ବୈଜ୍ଞାନିକ ମାନେ ବହୁତ ଗବେଷଣା କରିଛନ୍ତି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ସାବିତ୍ରିବାଇ ଜ୍ୟୋତି ରାଓ ଫୁଲେ (୩ ଜାନୁୟାରୀ ୧୮୩୧ରୁ ୧୦ ମାର୍ଚ୍ଚ ୧୮୯୭) ଭାରତର ଜଣେ ଶିକ୍ଷିକା ,ସମାଜ ସୁଧାରକ ଏବଂ କବୟତ୍ରୀ ଥିଲେ। ବ୍ରିଟିସ୍ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀ ମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ ଭୁତ କାର୍ଯ୍ୟ କରିଛନ୍ତି । ସାବିତ୍ରୀବାଇ ଭରତର ପ୍ରଥମ କନ୍ୟା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷକ ଥିଲେ । ତାଙ୍କୁ ଲୋକମାନେ ଆଧୁନିକ ମରାଠି କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ (ଈଂରାଜୀରେ Christmas, ଉଚ୍ଚାରଣ – କ୍ରିସ୍ମସ୍) ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍ଧାମ୍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।ବାଇବେଲ୍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ । ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ (angels) ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା । ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ବର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି । କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ର ଡିସେମ୍ବର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ । ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି । ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ।ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି । ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା "ସାଣ୍ଟା କ୍ଲସ୍" (ଈଂରାଜୀରେ Santa Claus) ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ । ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨) ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ରାଧା କୃଷ୍ଣଙ୍କ ପ୍ରେମଲୀଳା ଉପରେ ଆଧାରିତ ଶୃଙ୍ଗାରରସ ଭିତ୍ତିକ ଅନେକ କବିତା, କିଛି ଛାନ୍ଦ, ଚଉପଦୀ, ଭକ୍ତି ସଙ୍ଗୀତ, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ସନ୍ଦେଶ ଗୀତିକା ସମେତ ବାତ୍ସଲ୍ୟ ରସ ମିଶ୍ରିତ କେତେକ କବିତା ରଚନା କରିଥିଲେ । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ଗଜରାଜ ଗମନୀ ଆଜ କି ରେ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ତାଙ୍କ ରଚିତ ଲୋକପ୍ରିୟ ରଚନା ମଧ୍ୟରୁ ଅନ୍ୟତମ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।
ଜାହିରା ପୀଠ ବା ଜାହେର୍ ଗାଳ୍ (ᱡᱟᱦᱮᱨ ᱜᱟᱲ) ସାଧାରଣ ଭାବରେ ଜାହେର୍ କୁହାଯାଏ । ଏହା ଅଷ୍ଟ୍ରାେ ଏସିୟାଟିକ୍ ଶ୍ରେଣୀର ଅାଦିବାସୀ ଯଥା ସାନ୍ତାଳ, ହୋ, ମୁଣ୍ଡା, ମାହାଲେ, ବିର୍ ହଳମାନଙ୍କର (ଏହି ଶ୍ରେଣୀର ସମ୍ପ୍ରଦାୟ ନିଜର ଧର୍ମ ସାର୍ନା,ସାରି ସାର୍ନା, ସାରି ଧରମ ଇତ୍ୟାଦି ଭାବରେ ପରିଚୟ ଦେଇଥାନ୍ତି) ମୁଖ୍ୟ ଧର୍ମୀୟ ସ୍ଥଳୀ । ଗ୍ରାମର ପୂର୍ବ ଦିଗରେ ଅବସ୍ଥାପିତ ଶାଳବୃକ୍ଷ ପରିବେଷ୍ଟିତ କ୍ଷୁଦ୍ର ବନାଞ୍ଚଳଟି ହେଉଛି ଏହି ଜାହିରା ପୀଠ ବା ଜାହେର ଗାଳ୍ । ଜାହେର ଗାଳଟି ପୂର୍ବ ଦିଗକୁ ମୁହାଁଇ ଥାଏ । ଜାହିରାରେ ମାରାଂବୁରୁ, ଜାହେର ଅାୟ, ଲିଟା ଗସାଁୟ, ମଣେକ ତୁରୁୟକ ଇତ୍ୟାଦି ଦେବା ଦେବୀ ପୂଜା ପାଇଥାନ୍ତି । ଜାହେର ଗାଳ୍ ସାର୍ନା ଧର୍ମାଲମ୍ବୀଙ୍କର ଏକ ପବିତ୍ର ସ୍ଥାନ । ଜାହେରଗାଳ୍ରେ ପୂଜା କରୁଥିବା ବ୍ୟକ୍ତି ବିଶେଷଙ୍କୁ ନାୟକେ କୁହାଯାଏ, ଜାହେରଗାଳ୍ର ସମସ୍ତ ପୂଜାକୁ ନାୟକେ ସମ୍ପାଦନ କରିଥାନ୍ତି ।
ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।
ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାର ସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ ।
ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଓଡ଼ିଶାର ଜଣେ ସୁପ୍ରସିଦ୍ଧ ପୁରାତନ ଗାୟକ ଓ ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମ୍ଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା । ଓଡ଼ିଶୀ ସଙ୍ଗୀତର ଅଳ୍ପପ୍ରସିଦ୍ଧ ଦକ୍ଷିଣୀ ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଏର୍ଗୋକ୍ୟାଲସିଫେରଲ, ଅନ୍ୟାନ୍ୟ ନାମ ଭିଟାମିନ ଡି୨ ଓ କ୍ୟାଲସିଫେରଲ (ଇଂରାଜୀ ଭାଷାରେ Ergocalciferol, ) also known as vitamin D2 and calciferol,) ଏକ ପ୍ରକାର ଜୀବସାର ଘ ବା ଭିଟାମିନ ଡି (vitamin D) ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ମଧ୍ୟ ଦିଆଯାଇଥାଏ । ଭିଟାମିନ ଡି ଅଭାବର (vitamin D deficiency) ପ୍ରତିଷେଧ ଓ ଚିକିତ୍ସାରେ ଏହା ଏକ ଖାଦ୍ୟ ଅନୁପୂରକ ଭାବରେ ଦିଆଯାଏ । ଅନ୍ତନଳୀରେ ଖାଦ୍ୟ ଅବଶୋଷଣ ଅଭାବ (poor absorption by the intestines) ବା ଯକୃତ ରୋଗ (liver disease) ଥିଲେ ଏହି ଭିଟାମିନ ଅଭାବ ହୋଇପାରେ । ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହାଇପୋକ୍ୟାଲସେମିଆ (low blood calcium) ହୋଇଥିଲେ ମଧ୍ୟ ଏହା ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ଗ୍ରହଣ କଲେ ଅଧିକ ପରିସ୍ରା ତିଆରି ହୁଏ, ଉଚ୍ଚ ରକ୍ତଚାପ, ବୃକ୍କ ପଥର (kidney stones), ବୃକ୍କ ଫେଲ (kidney failure), ଦୁର୍ବଳତା ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ । ଅନେକ ଦିନ ଧରି ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ନେଲେ ତନ୍ତୁ କ୍ୟାଲସିଫିକେସନ (tissue calcification) ହୋଇଯାଏ । ତେଣୁ ଅଧିକ ମାତ୍ରା ନେଉଥିଲେ ନିୟମିତ ରକ୍ତ କ୍ୟାଲସିଅମ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଗର୍ଭାବସ୍ଥାରେ ସାଧାରଣ ଡୋଜ ଦେଲେ ବିପଦ ନ ଥାଏ । ଅନ୍ତନଳୀ ଓ ବୃକ୍କଦ୍ୱାରା ଅବଶୋଷିତ ହେଉଥିବା କ୍ୟାଲସିଅମ (calcium) ପରିମାଣ ଏହା ବୃଦ୍ଧି କରେ । କେତେକ ଛତୁରେ ଏହା ଥିବା ଦେଖାଯାଏ ।ସନ ୧୯୩୬ରେ ପ୍ରଥମେ ଏର୍ଗୋକ୍ୟାଲସିଫେରଲ ବିଷୟ ବର୍ଣ୍ଣନା କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ନୁହେଁ । ଇଂଲଣ୍ଡରେ ଏକ ଡୋଜର ମୁଲ୍ୟ ୧୦ ପାଉଣ୍ଡରୁ କମ୍ରେ ମିଳେ । ଅନେକ ଦେଶରେ କେତେକ ଖାଦ୍ୟ ଯେପରିକି ବ୍ରେକଫାସ୍ଟ ସେରିଆଲ ଓ ମାର୍ଗାରିନରେ ଏର୍ଗୋକ୍ୟାଲସିଫେରଲ ଯୋଗ କରାଯାଇଥାଏ ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।