ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି । ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା । ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି.
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ରାଉରକେଲା pronunciation ଭାରତର ଓଡ଼ିଶା ରାଜ୍ୟର ଉତ୍ତରରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀ ଠାରୁ ୩୪୦ କିଲୋମିଟର (୨୧୧ mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀଦ୍ୱାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଅଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଚର୍ଚ୍ଚିକା ମନ୍ଦିର କଟକ ଜିଲ୍ଲାର, ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି "ମା" ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ କରାଯାଏ । ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଧର୍ମପଦ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ସେ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗରଙ୍କୁ ନେଇ ମନ୍ଦିର ନିର୍ମାଣ କଲେ, ମନ୍ଦିରର ଶୃଙ୍ଗ ପର୍ଯ୍ୟନ୍ତ କାମ ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ବୁଦ୍ଧି ବଳରେ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥାକୁ ଗୋପନ ରଖିବାକୁ ସାଗରକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପାରାଦୀପ , ଜଗତସିଂହପୁର ଜିଲ୍ଲାର ଏକ ପ୍ରମୂଖ ସହର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ଭାରତର ଏକ ପ୍ରଧାନ ବନ୍ଦର ରହିଛି । ପାରାଦୀପ ପୂର୍ବ ଭାରତରେ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଏଠାରେ ବନ୍ଦର ବ୍ୟତୀତ ଅନେକ ଛୋଟ ବଡ଼ କଳ କାରଖାନା ଗଢ଼ି ଉଠିଛି । କଞ୍ଚାମାଲ ଆମଦାନୀର ସୁବିଧା ହେତୁ ସାର କାରଖାନା, ତୈଳ ବିଶୋଧନାଗାର ଆଦି ଶିଳ୍ପ ସ୍ଥାପିତ ହୋଇଛି ।କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଓ ଜନସଂଖ୍ୟା ଯୋଗୁ ଏହି ସହର ଧୀରେ ଧୀରେ ପ୍ରସାରିତ ହେଉଛି । ଏହି ସହର ଓଡ଼ିଶାର ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟ ସ୍ଥାନ ରୂପେ ଓଡ଼ିଶା ଅର୍ଥନୀତିକୁ ବିପୁଳ ଭାବେ ପ୍ରଭାବିତ କରିଛି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ଉଦୟଗିରି ଓଡ଼ିଶାରେ ଥିବା ଏକ ବୌଦ୍ଧ ସ୍ତୂପ ଓ ବିହାରସମୂହର ସମାହାର । ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । ୧୯୫୮ରୁ କରାଯାଇଥିବା ଏ.ଏସ.ଆଇ.ର ଅନେକ ଖନନରୁ ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।
ଓପିଅଏଡ ବ୍ୟବହାର ବେମାରୀ (ଇଂରାଜୀ ଭାଷାରେ Opioid use disorder) ଓପିଅଏଡ (opioid) ବ୍ୟବହାର କରିବାଦ୍ୱାରା ହୁଏ ଯାହା ଅନେକ ଅସୁବିଧା ଓ ସଙ୍କଟ ଆଣିଥାଏ । ଓପିଅଏଡ ସେବନ କଲେ ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସହନଶୀଳତା (tolerance), ଦାୟିତ୍ୱ ତୁଲେଇବାର ଅସାମର୍ଥ୍ୟ, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ କରିବା ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ଆଦି ଲକ୍ଷଣ ଦେଖାଯାଏ । ଓପିଅଏଡ ବନ୍ଦ କରିଦେଲେ ଅଇ, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ନିଦ୍ରା ସମସ୍ୟା ଓ କମ୍ ମନୋଭାବ (low mood) ରହେ । ସବସ୍ଟାନ୍ସ ବ୍ୟବହାର ବେମାରୀରେ (substance use disorder) ନିଶାଗ୍ରସ୍ତ (Addiction) ଓ ନିର୍ଭରଶୀଳତା (dependence) ଆଦି ଲକ୍ଷଣ ଥାଏ । ଜଟିଳ ଅବସ୍ଥା ହେଲେ ମାତ୍ରାଧିକ ଓପିଅଏଡ , ଆତ୍ମହତ୍ୟା, ଏଚଆଇଭି/ଏଡସ, ହେପାଟାଇଟିସ ସି, ବିବାହ ସମସ୍ୟା ଓ ବେକାରୀ ହୋଇପାରେ । ଓପିଅଏଡ ମଧ୍ୟରେ ହିରୋଇନ , ମର୍ଫିନ, ଫେଣ୍ଟାନିଲ , କୋଡିନ , ଅକ୍ସିକୋଡୋନ (oxycodone) ଓ ହାଇଡ୍ରୋକୋଡୋନ (hydrocodone) ଇତ୍ୟାଦି ପଦାର୍ଥମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ପ୍ରେସକ୍ରିପସନ ନେଇ ଅନେକ ଲୋକ ବ୍ୟବହାର ଆରମ୍ଭ କରନ୍ତି । କେତେକ ଲୋକ ପ୍ରେସକ୍ରିପସନ ନେଇ ଓ କେତେକ ବେନିୟମ ଭାବରେ କିଣନ୍ତି । ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଆମେରିକାଲ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ପ୍ରଦତ୍ତ ନିୟମାବଳି ଅନୁସରଣ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଏଗାରଟି ମାନଦଣ୍ଡରୁ ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଥିଲେ ରୋଗ ନିର୍ଣ୍ଣୟ କରାଯାଏ । ଡାକ୍ତରୀ ପ୍ରେସକ୍ରିପସନ ଅନୁସାରେ ଔଷଧ ସେବନ କଲେ ଉଇଥଡ୍ରଆଲ ଓ ସହନଶୀଳତା ଭଳି ସମସ୍ୟା ଉପୁଜେ ନାହିଁ । ଅଧିକାଂଶ ସମୟରେ ଓପିଅଏଡ ବ୍ୟବହାର ବେମାରୀର ଚିକିତ୍ସା ନିମନ୍ତେ ବୁପ୍ରେନର୍ଫିନ ଓ ମେଥାଡନ ଭଳି ଓପିଅଏଡ ରିପ୍ଲେସମେଣ୍ଟ ଥେରାପି (Opioid replacement therapy) ଦିଆଯାଏ । ଏହି ଚିକିତ୍ସାରେ ମୃତ୍ୟୁ ସଙ୍କଟ ଟଳିଯାଏ । ଅଧିକନ୍ତୁ ରୋଗୀ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଇଣ୍ଡିଭିଜୁଆଲ ବା ଗୃପ ଥେରାପି, ଟୁଏଲଭ୍-ସ୍ଟେପ ପ୍ରୋଗ୍ରାମ (twelve-step program) ଓ ସାହାଯ୍ୟକାରୀ ଥେରାପିରେ ଉପକୃତ ହୁଅନ୍ତି । ରିଲାପ୍ସ ନହେବା ନିମନ୍ତେ ନାଲଟ୍ରେକ୍ସୋନ ଦିଆଯାଇପାରେ । ମାତ୍ରାଧିକ ଓପିଅଏଡ ସେବନ ଚିକିତ୍ସା ନିମନ୍ତେ ନାଲୋକ୍ସୋନ (Naloxone) ଉପକାର କରେ । ସନ ୨୦୧୩ରେ ଓପିଅଏଡ ବ୍ୟବହାର ବେମାରୀ ପ୍ରାୟ ୦.୪% ଲୋକଙ୍କୁ ହୋଇଥିଲା । ସନ ୨୦୧୫ରେ ୧୫ ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିଲେ । ଯନ୍ତ୍ରଣା ନିବାରଣ ନିମନ୍ତେ ୪% ଲୋକ ଓପିଅଏଡ ବ୍ୟବହାର କରନ୍ତି । ଅଳ୍ପ ବୟସର ଯୁବକମାନେ ଏହା ସେବନ କରିବା ଆରମ୍ଭ କରନ୍ତି । ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ସେବନ କରନ୍ତି । ସନ ୨୦୧୫ରେ ଏହା ଯୋଗୁ ପୃଥିବୀରେ ୧୨୨,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ, ଯାହା ସନ ୧୯୯୦ର ୧୮,୦୦୦ ମୃତ୍ୟୁ ଅପେକ୍ଷା ବହୁତ ଅଧିକ ଥିଲା । ମାତ୍ରାଧିକ ଓପିଅଏଡ ଯୋଗୁ ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୦୦୦ରୁ ଅଧିକ ମୃତ୍ୟୁ ହୋଇଥିଲା ଓ ଏଥିରୁ କେବଳ ହିରୋଇନ ଯୋଗୁ ୧୫,୦୦୦ ମୃତ୍ୟୁ ହୋଇଥିଲା ।
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଭୁବନେଶ୍ୱର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ୱାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ 6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି । ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପିର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ .ଲେଖାଟି ସମ୍ରାଟ ଖାରବେଳଙ୍କ ରାଜୁତିର 13 ତମ ବର୍ଷର ହେଇଥିବାର କିଛି ଗବେଷକ ମତ ଦେଇଥିଲେ ଭି ତାହାର ପୂର୍ଣ ପ୍ରମାଣ ମିଳିନାହିଁ ।.
ସତ୍ୟପ୍ରିୟ ମହାଳିକ (ଜନ୍ମ: ୧୯୬୨) ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖନ୍ତି । ଜଣେ ଖବରକାଗଜ ସ୍ତମ୍ଭକାର ଭାବରେ ମଧ୍ୟ ସେ ପରିଚିତ । ୨୦୧୧ ମସିହାରେ ନିଜ ଉପନ୍ୟାସ "ଶୂନ୍ୟକାଳ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଓ ବର୍ତ୍ତମାନ ଝାଡ଼ଖଣ୍ଡର ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।
ପାରାଦୀପ ବନ୍ଦର (20°15′55.44″N 86°40′34.62″E) ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ। ଏହା ଓଡ଼ିଶାର ଏକମାତ୍ର ଓ ଭାରତର ୧୧ଶ ବୃହତ ବନ୍ଦର ଅଟେ । ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା ନିମନ୍ତେ ଫସପେଟ ଆଦି ଆମଦାନୀ କରାଯାଇଥାଏ ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ ।ଏହି ଜାଗାରେ ଆପଣ କଣ ଦେଖିବେ :- 1. ହିଲ୍ ଭିୟୁ ପାର୍କ- ମନ ମୁଗ୍ଧ କଲା ଭଳି ପରିବେଶ, ଚାରିପଟେ ପର୍ବତମାଳା ଏବଂ ଦାରିଙ୍ଗିବାଡ଼ି ଗ୍ରାମର କିଛି ଅଂଶ ଦେଖାଯାଏ, ତା ସହିତ ପିଲାଙ୍କ ନିମନ୍ତେ ହେଇଥିବା ଚିଲ୍ଡ଼ରେଂସ୍ ପାର୍କ ଏବଂ ଅନେକ କିଛି । ଏଠାରେ ଭୋଜି କରିବା ପାଈଁ ଅନେକ ଯାଗା ମଧ୍ୟ ଅଛି । ଏହା ଦାରିଙ୍ଗବାଡ଼ି ଠାରୁ ୧ କିମି. ଦୁରରେ ଅବସ୍ଥିତ ।[୧] 2.
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି । ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ୱୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଅନୀଲ କୁମାର ପାଢ଼ୀ (ଜନ୍ମ: ୦୯ ଅପ୍ରେଲ ୧୯୬୯), ଜଣେ ଓଡ଼ିଆ ସାହିତ୍ୟିକ । ସେ ଗଳ୍ପ ଓ ଉପନ୍ୟାସ ଉଭୟରେ ନିଜ ଲେଖନୀ ଚାଳନା କରନ୍ତି । ବିଭିନ୍ନ ଓଡ଼ିଆ ଖବରକାଗଜରେ ସେ ସ୍ତମ୍ଭକାର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ୧୪ଟି ଗଳ୍ପ ସଂକଳନ, ୫ଟି ଉପନ୍ୟାସ, ଗୋଟିଏ କବିତା ଓ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ବୃତ୍ତିରେ ସେ ଜଣେ ଶିକ୍ଷାବିତ ଓ ବର୍ତ୍ତମାନ ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ।ଅନୀଲ, ୧୯୬୯ ମସିହାରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଏମଫିଲ୍ କରିଛନ୍ତି ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଅରବିନ୍ଦ ରାୟ (ଜନ୍ମ: ୧୯୬୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୧୦ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ବାଟ ବସାଘର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ । କ୍ଷୁଦ୍ରଗଳ୍ପ ବ୍ୟତିତ ଉପନ୍ୟାସ ଓ ଶିଶୁ ସାହିତ୍ୟରେ ମଧ୍ୟ ସେ ନିଜ ଲେଖନୀ ଚାଳନା କରିଥାନ୍ତି । ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତାଙ୍କ ଧର୍ମପତ୍ନୀ "ଲିଲି ଦାସ" ମଧ୍ୟ ଜଣେ ସାହିତ୍ୟିକ ଅଟନ୍ତି ।
ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର,ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ପାତାଳଗରୁଡ଼ ଏକ ବହୁଦେଶୀୟ ଓ ବହୁବର୍ଷୀୟ ଔଷଧୀୟ ଗୁଳ୍ମ । ଏହା ଏକ ଚିରହରିତ ବୁଦାଳିଆଉଦ୍ଭିଦ । ଉଚ୍ଚତା ପ୍ରାୟ ୭୫ ସେ.ମି.ରୁ ୧ ମିଟର । ପତ୍ର ବଳୟରେ ରହେ । ପୁଷ୍ପ ଧବଳ କିମ୍ବା ଗୋଲାପି ଫଳ କ୍ଷୁଦ୍ର ୦.୫ ସେ.ମି. ବ୍ୟାସ, କଞ୍ଚା ବେଳେ ସବୁଜ, ପାଚି ଗଲେ ଚିକ୍କଣ, ଘନ ଲୋହିତ ବା କଳାରଙ୍ଗ । ଗଛର ଚେର ବର୍ତୁଳ, ବେଶ ଲମ୍ବା, ସର୍ପାକୃତି । ତେଣୁ ଏହାକୁ ସର୍ପେଣ୍ଟିନା କୁହାଯାଏ । ଏହାର ଚେରର ବ୍ୟାସ ୦.୫ରୁ ୨.୫ ସେ.ମି । ଚେର ବକ୍କଳରେ ସମୁଦାୟ ଚେରର ୪୦-୬୦ ପ୍ରତିଶତ ଉପକ୍ଷାର ବା ଆଲକାଲଏଡ (alkaloid) ଥାଏ । ଚେର ମାଟି ତଳକୁ ୪୦ରୁ ୬୦ ସେ.ମି.
ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ । ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ ପ୍ରଦର୍ଶିତ ହୋଇଥିଲା ।