ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
କ୍ରିକେଟ ଏକ ଖେଳର ନାମ ଯାହା ବ୍ୟାଟ ଏବଂ ବଲକୁ ନେଇ ୧୧ଜଣ ବିଶିଷ୍ଟ ଦୁଇ ଦଳ ଏକ କ୍ରିକେଟ ପଡ଼ିଆରେ ଖେଳନ୍ତି ଓ ପ୍ରତି ଦଳରେ ୧୧ ଜଣ ଖେଳାଳୀଙ୍କୁ ନେଇ ଖେଳାଯାଇଥାଏ । ପଡ଼ିଆର ମଧ୍ୟ ଭାଗରେ ୨୨ଗଜ ବିଶିଷ୍ଟ ଏକ ଆୟତ୍ତାକାର କ୍ଷେତ୍ର ଥାଏ ଯାହାକୁ ପିଚ୍ କୁହାଯାଏ । ଏହାର ଦୁଇ ମୁଣ୍ଡରେ ତିନୋଟି କରି କାଠ ନିର୍ମିତ ବାଡ଼ି ପୋତା ଯାଇଥାଏ ଯାହାକୁ ଉଇକେଟ କହନ୍ତି ଯେଉଁଥିରେ ତିନୋଟି ସ୍ଟମ୍ପ ଥାଏ । ପ୍ରତି ଉଇକେଟ ଆଗରେ ଗୋଟିଏ କରି କ୍ରିଜ ଥାଏ । ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳକୁ ବ୍ୟାଟିଙ୍ଗ ଦଳ ଓ ଅନ୍ୟଟିକୁ କ୍ଷେତ୍ରରକ୍ଷକ ଦଳ କୁହାଯାଏ । ଏଥିରେ ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରି ଅଧିକରୁ ଅଧିକ ଦୌଡ(Run) ସ୍କୋର କରିବାକୁ ଚେଷ୍ଟା କରିବା ବେଳେ, ଦ୍ୱିତୀୟ ଦଳ ବୋଲିଂ ତଥା କ୍ଷେତ୍ରରକ୍ଷଣ (ଫିଲ୍ଡିଂ | Fielding) କରିଥାନ୍ତି । ବ୍ୟାଟିଂ କରୁଥିବା ଦଳର ସମସ୍ତ ଖେଳାଳୀ ଆଉଟ କିମ୍ବା ଏକ ନିର୍ଦ୍ଧାରିତ ଓଭରର ବୋଲିଂ ଶେଷ ହେବା ପରେ ଦ୍ୱିତୀୟ ଦଳ ବ୍ୟାଟିଂ କରି, ପ୍ରଥମ ଦଳ ସ୍କୋର କରିଥିବା ଦୌଡ (Run)କୁ ହାସିଲ କରିବାକୁ ଚେଷ୍ଟା କରିଥାନ୍ତି । ଖେଳର ପରିଣାମ ସର୍ବାଧିକ ଦୌଡ(Run) ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଭାରତର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମାଟରେ ଖେଳା ଯାଊଛି, ଯଥା ଟେଷ୍ଟକ୍ରିକେଟ, ଏକ ଦିବସୀୟ ବା ୱନ୍ ଡେ କ୍ରିକେଟ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ରୀତା ସାହୁ (ଜନ୍ମ: ୧୬ ଜୁନ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୮ ମସିହାର ବିଜେପୁର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ତାଙ୍କ ପତି ସୁବଳ ସାହୁଙ୍କର ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ରଘୁନାଥ ମୁର୍ମୁ (୧୮ ମଇ ୧୯୦୫ – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ । ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପରଜା ଭାରତୀୟ ଉପନ୍ୟାସ ସାହିତ୍ୟରେ ଏକ ଅଭିଜାତ ଅଭିବ୍ୟକ୍ତି । ଏହା ବିଭିନ୍ନ ଭାରତୀୟ ଭାଷାରେ ତଥା ଇଂରାଜୀରେ ମଧ୍ୟ ଅନୁବାଦିତ ହୋଇସରିଛି । ଇଂରାଜୀରେ ଏହାର ଅନୁବାଦ କରିଥିଲେ ପ୍ରଫେସର ବିକ୍ରମ ଦାସ । ନିରୁତା ଓଡ଼ିଆ ଭାଷାରେ ଲେଖାଯାଇଥିବାରୁ ଅନୁବାଦକମାନଙ୍କୁ ଏଥିପାଇଁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା । ଏହାର ପ୍ରଥମ ପ୍ରକାଶ ସମୟରେ ଲେଖକ ଗୋପୀନାଥ ମହାନ୍ତି ଯୁବକ ଥିଲେ । ବହିଟିର ପ୍ରକାଶକ ଲେଖିଥିଲେ "ଉପନ୍ୟାସ ଭିତରକୁ ଭେଦିଗଲେ ଲାଗେ ସତେଯେପରି ତରୁଣ କବି ଗୋପୀନାଥଙ୍କ ଆଗ୍ନେୟ ଅନୁଭବର ଅନୁପମ ଆଲେଖ୍ୟ ।"ପରଜାର ମୁଖ୍ୟ ବିଭାବ ହେଲା ବାସ୍ତବବାଦୀ ଉପନ୍ୟାସ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହିପରି ଉପନ୍ୟାସର ଚାହିଦା ଫ୍ରାନସ ତଥା ୟୁରୋପର ଅନ୍ୟାନ୍ୟ ପ୍ରାନ୍ତରେ ବହୁତ ପରିଲକ୍ଷିତ ହେଉଥିଲା ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କ ଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ମାନସୀ ଦାସ (ଜନ୍ମ: ୬ ମଇ ୧୯୪୩) ଜଣେ ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା । ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ରଚନା ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୫ ମସିହାରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନୀତ । ତାଙ୍କ ରଚନାବଳୀ ଛୋଟ ଛୋଟ ସହରନିବାସୀଙ୍କ ଜୀବନ ଓ ଅଙ୍ଗେନିଭା ପାରିବାରିକ ଘଟଣା ଆଧାରରେ ଲିଖିତ । ଦାସ ଓଡ଼ିଶାର ଜଣାଶୁଣା ନାରୀବାଦୀ ଲେଖିକାମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଉପନ୍ୟାସ ନିସ୍ତବ୍ଧ କୋଳାହଳ ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ବ୍ରାହ୍ମ ସମାଜ ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହା ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠିତ ଏକ ଧାର୍ମିକ ଅନୁଷ୍ଠାନ। ବ୍ରହ୍ମ ସମାଜ ଥିଲା ରାଜା ରାମମୋହନ ରାୟଙ୍କର ଏକ ଅନବଦ୍ୟ ସୃଷ୍ଟି। ଏହି ଅନୁଷ୍ଠାନ ମାଧ୍ୟମରେ ହିଁ ସେ ଜନସାଧାରଣମାନଙ୍କୁ ତାଙ୍କ ବାଣୀ ପ୍ରଚାର କରିଥିଲେ। ଆଧ୍ୟତ୍ମିକତା, ସହିଷ୍ଣୁତା ଓ ସର୍ବ ଧର୍ମସମନ୍ୱୟ ଥିଲା ବ୍ରାହ୍ମ ସମାଜର ଆଦର୍ଶ। ରାମସେ ମେକଡୋନାଲଡଙ୍କ ଭାଷାରେ ବ୍ରାହ୍ମ ସମାଜ ହିନ୍ଦୁ ଧର୍ମକୁ ପରିତ୍ୟାଗ ନକରି ପାଶ୍ଚାତ୍ୟ ଜଗତର ଧର୍ମ ବିଶ୍ୱାସ ପ୍ରତି ଉଦାର ଓ ସହାନୁଭୂତି ସମ୍ପନ୍ନ ହେବାକୁ ଚେଷ୍ଟା କରୁଥିଲା। ଏହି ସମାଜଦ୍ୱାରା ରାମମୋହନ ହିନ୍ଦୁ ଧର୍ମର ରକ୍ଷଣଶୀଳତାକୁ ଦୂର କରିବା ନିମନ୍ତେ ଚେଷ୍ଟା କରି କେତେକାଂଶରେ କୃତକାର୍ଯ୍ୟ ହୋଇଥିଲେ। ବାସ୍ତବପକ୍ଷେ ଭାରତୀୟମାନଙ୍କ ମନରେ ସ୍ୱାଧୀନ ଚିନ୍ତାଧାରା ଓ ଦୁଃସାହାସିକ ମନୋଭାବର ବୀଜ ବପନ କରିବାରେ ସାହାର୍ଯ୍ୟ କରିଥିଲା ବ୍ରହ୍ମ ସମାଜ। ପରେ ପରେ ଏହି ବୀଜ ଏକ ବିରାଟ ବୃକ୍ଷରେ ପରିଣତ ହୋଇ ସ୍ୱାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଏହା ଏକ ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା, ଯାହା ଆଧୁନିକ ଭାରତ ନିର୍ମାଣର ବିଶ୍ୱାସଯୋଗ୍ୟ ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ୱାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ବିଷ୍ଣୁପ୍ରିୟା ବେହେରା (ଜନ୍ମ: ୧୭ ସେପ୍ଟେମ୍ବର ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାର ନବୀନ ପଟ୍ଟନାୟକଙ୍କର ପ୍ରଥମ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବେଳେ ବିଷ୍ଣୁପ୍ରିୟା ସ୍ଥାନ ପାଇଥିଲେ । ସେ ୨୦୦୨ ମସିହାରୁ ୨୦୦୪ ମସିହାରେ ଏହି ବିଧାନ ସଭା ଶେଷ ହେବାଯାଏଁ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଗ୍ଲିପିଜାଇଡ (ଇଂରାଜୀ ଭାଷାରେ Glipizide, ଏକ ବ୍ୟବସାୟୀକ ନାମ ଗ୍ଲୁକୋଟ୍ରଲ/ Glucotrol) ଏକ ସଲଫୋନିଲୟୁରିଆ (sulfonylurea) ଶ୍ରେଣୀର ମଧୁମେହରୋଧୀ ଔଷଧ (anti-diabetic medication) ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ । ଏହା ସହିତ ମଧୁମେହ ଖାଦ୍ୟ (diabetic diet) ଖାଇବାକୁ ଉପଦେଶ ଦିଆଯାଏ । ମଧୁମେହ ଟାଇପ ୧ ରୋଗରେ ଏହା ଦେବାକୁ ନିର୍ଦ୍ଦେଶ ଦିଆଯାଏନାହିଁ । ଏହା ପାଟିରେ ଦିଆଯାଏ । ଏହାର ପ୍ରଭାବ ଅଧ ଘଣ୍ଟାଏ ମଧ୍ୟରେ ଆରମ୍ଭ ହୋଇ ଗୋଟିଏ ଦିନ ପର୍ଯ୍ୟନ୍ତ ରହେ । ଗ୍ଲିପିଜାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ଶର୍କରା (low blood sugar) ଓ ମୁଣ୍ଡ ବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁ ଭାବ, ଚର୍ମ ରାସ୍ ଓ ଅସ୍ଥିରତା ବା କମ୍ପନ ହୋଇପାରେ । ଯକୃତ ରୋଗ (liver) ବା ବୃକ୍କ ରୋଗ (kidney disease) ଥିଲେ ଗ୍ଲିପିଜାଇଡ ମାତ୍ରା ବ୍ୟବସ୍ଥିତ କରିବାକୁ ପଡ଼େ । ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦିଆଯାଏନାହିଁ । ଏହା ଅଗ୍ନାଶୟକୁ (pancreas) ଉତ୍ତେଜିତ କରି ଇନସୁଲିନ ବିମୋଚନ କରେ ଓ ତନ୍ତୁମାନଙ୍କର ଇନସୁଲିନ ପ୍ରତି ସମ୍ୱେଦନଶୀଳତା ବୃଦ୍ଧି କରାଏ ।ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଗ୍ଲିପିଜାଇଡ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା । ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ଏହା ନିମନ୍ତେ ଏନଏଚଏସକୁ (NHS) ଏକ ଡୋଜ ପିଛା ୦.୦୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୭ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୪ତମ ସ୍ଥାନ ଅଧିକାର କରିଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଶ୍ରୀନିବାସ ରାମାନୁଜନ FRS ( pronunciation ) (୨୨ ଡିସେମ୍ବର ୧୯୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ’ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ବାମାଚରଣ ମିତ୍ର (୧୭ ଡିସେମ୍ବର ୧୯୧୫ - ୨୧ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ସେ ଓଡ଼ିଆରେ ନବେରୁ ଅଧିକ କ୍ଷୁଦ୍ରଗଳ୍ପ (ଯହିଁରୁ ୨୪ଟିକୁ ନେଇ "ବାମାଚରଣ ଗଳ୍ପ ସମ୍ଭାର" ନାମରେ ସଂକଳନ ପ୍ରକାଶିତ), ତିନୋଟି ଉପନ୍ୟାସ ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ୨୦୧୫ ମସିହାରେ ତାଙ୍କର ସମସ୍ତ ରଚନା ଡିଜିଟାଲ ରୂପରେ ସୃଜନିକା ତରଫରୁ ଏକ ସିଡିରେ ପ୍ରକାଶିତ । ତାଙ୍କ ରଚିତ ପ୍ରମୁଖ ଉପନ୍ୟାସମାନ ହେଲେ "କୀର୍ତ୍ତିଶଯ୍ୟ" (ପ୍ରଥମ ରଚିତ ଉପନ୍ୟାସ), "ନରଛଞ୍ଚାଣ" ତଥା ଗଳ୍ପସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" । ସେ ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ଏହି ଆକ୍ରମଣରେ କିଛି ଭାରତୀୟ ସୈନ୍ୟବାହିନୀଙ୍କୁ (CRPF) ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ, ଏଥି ସହ ବିସ୍ଫୋରଣକାରୀର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇଥିବା ଦାବି କରିଛି ।