ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ସ୍ତ୍ରୀ ଶକ୍ତି ପୁରସ୍କାର (ନାରୀ ଶକ୍ତି ଆୱାର୍ଡ) ଅନେକ ଅସାଧାରଣ ଉପଲବ୍ଧି ପାଇଁ ଅଲଗା ଅଲଗା ମହିଳା ମାନଙ୍କୁ ପ୍ରଦାନ କରାଯିବାର ଭାରତର ରାଷ୍ଟ୍ରୀୟ ସମ୍ମାନର ଏକ ଶୃଙ୍ଖଳା ଅଟେ । ଭାରତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଏହି ଉପାଧି ୬ଟି ଅଲଗା ଅଲଗା ବିଭାଗରେ ପ୍ରଦାନ କରାଯାଇଥାଏ । କଠିନ ପରିସ୍ଥିତିରେ ଏକ ମହିଳା ଯିଏ ନିଜର ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ଜୀବନରେ ସାହସର ଏହି ଭାବନାକୁ ସ୍ଥାପନା କରିଥାଏ ସ୍ତ୍ରୀ ଶକ୍ତି ପୁରସ୍କାର ତାହାର ପରିଚୟ ଅଟେ । ଏହି ପୁରସ୍କାର ନାରୀ ସଶକ୍ତି କରଣ ଓ ନାରୀ ଅତ୍ୟାଚାରକୁ ରୋକିବାର ଉଦ୍ୟମ କରୁଥିବା ନାରୀ ମାନଙ୍କୁ ମଧ୍ୟ ମିଳିଥାଏ ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମେଲାଟୋନିନ (ଇଂରାଜୀ ଭାଷାରେ Melatonin) ଏକ ଅନ୍ତଃସ୍ରାବ ବା ହରମୋନ (hormone) ଯାହା ନିଦ୍ରା-ଜାଗ୍ରତ ଚକ୍ରକୁ (sleep-wake cycles) ନିୟନ୍ତଣ କରେ । ପାଇନିଆଲ ଗ୍ରନ୍ଥି (pineal gland) ନାମକ ଏକ ଅନ୍ତଃସ୍ରାବୀ ଗ୍ରନ୍ଥିରୁ ଏହା ନିର୍ଗତ ହୁଏ । ଜେଟ ଲାଗ (jet lag) ବା ସିଫ୍ଟ (shift work) କାମ ଭଳି କାମ କରୁଥିବା ଲୋକଙ୍କର ନିଦ୍ରାହୀନତା (trouble sleeping) ନିମନ୍ତେ ସ୍ୱଳ୍ପକାଳୀନ ଚିକିତ୍ସାରେ ପରିପୂରକ ଭାବରେ ବ୍ୟବହୃତ ହୁଏ । ଏହାର ଉପକାରୀତା ବିଷୟ କିନ୍ତୁ ସ୍ପଷ୍ଟ ହୋଇନାହିଁ । ଗୋଟିଏ ଅନୁଶୀଳନରେ ନିଦ୍ରା ୬ ମିନିଟ ପୂର୍ବରୁ ହେଲା କିନ୍ତୁ ନିଦ୍ରା ସମୟର କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ରାମେଲଟିଅନ (ramelteon) ଔଷଧ ମଧ୍ୟ ଏହା ଭଳି କାମ କରେ । ଏହା ପାଟିରେ ଦିଆଯାଏ । ସ୍ୱଳ୍ପ ମାତ୍ରାରେମେଲାଟୋନିନର ପ୍ରତିକ୍ରିୟା ଅତି କମ୍ ହୁଏ । ଏହାର ପ୍ରତିକ୍ରିୟାରେ ନିଦ୍ରାଭାବ, ମୁଣ୍ଡବଥା, ଅଇ ଓ ଅସାଧାରଣ ସ୍ୱପ୍ନ (dreams) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ନଦେବାକୁ କୁହାଯାଏ । ଯକୃତ ସମସ୍ୟା (liver problems) ଥିଲେ ମଧ୍ୟ ଏହା ଦିଆଯାଏ ନାହିଁ ।ପଶୁମାନଙ୍କ ଦେହରେ ମେଲାଟୋନିନ ହରମୋନଦ୍ୱାରା ରକ୍ତଚାପ (blood pressure) ନିୟନ୍ତ୍ରଣ, ସିରକାଡିଆନ ରିଦ୍ମରେ (circadian rhythm) ଥିବା ନିଦ୍ରା-ଜାଗ୍ରତ ଚକ୍ର ଓ ଋତୁ ପ୍ରଜନନ (reproduction) ସମ୍ଭବ ହୁଏ । ଏହି ଔଷଧ ମେଲାଟୋନିନ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାରା ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣଦ୍ୱାରା ବିଭିନ୍ନ ପ୍ରଭାବ ପକାଇପାରେ । ଚାରାରେ (plants) ଏହା ଅକ୍ସିଡେଟିଭ ଚାପକୁ (oxidative stress) ପ୍ରତିରୋଧ କରେ । ବିଭିନ୍ନ ଖାଦ୍ୟରେ ମଧ୍ୟ ମେଲାଟୋନିନ ଥାଏ ।ସନ ୧୯୫୮ରେ ମେଲାଟୋନିନ ଆବିଷ୍କୃତ ହୋଇଥିଲା । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାର ଦୋକାନରେ (over the counter) ଏହା ମିଳେ । ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏହା ପ୍ରେସକ୍ରିପସନରେ ମିଳେ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧-୪ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । ଏହା ଏଫଡିଏ (FDA-approved) ସ୍ୱୀକୃତି ପ୍ରାପ୍ତ ନୁହେଁ । ୟୁରୋପ ଓ ଅଷ୍ଟ୍ରେଲିଆରେ ୫୪ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ନିଦ୍ରା ସମସ୍ୟା ନିମନ୍ତେ ଏହା ସ୍ୱୀକୃତିପ୍ରାପ୍ତ ଅଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ନିତ୍ୟାନନ୍ଦ ମହାପାତ୍ର ଭଦ୍ରକ ଜିଲ୍ଲାର ତାଳପଦାଠାରେ ୧୭ ଜୁଲାଇ ୧୯୧୨, ରଥଯାତ୍ରା ଦିନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ତିନିଥର କାରାବରଣ କରିଥିଲେ ।୧୭ ଅପ୍ରେଲ ୨୦୧୨ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଭୀମବେଟ୍କା ଶୈଳାଶ୍ରୟ (ଇଂରାଜୀରେ Bhimbetka rock shelters) କେନ୍ଦ୍ରୀୟ ଭାରତରେ ଅବସ୍ଥିତ ଏକ ପ୍ରତ୍ନତାତ୍ତ୍ଵିକ ସ୍ଥଳ । ପୁରାତନ ପ୍ରସ୍ତର ଯୁଗ ଓ ମଧ୍ୟକାଳୀନ ପ୍ରସ୍ତର ଯୁଗରୁ ଏହି ଶୈଳାଶ୍ରୟ ଭୀମବେଟ୍କାଠାରେ ରହିଥିଲା ଓ ବ୍ୟବହୃତ ହେଉଥିଲା । ଭାରତୀୟ ଉପମହାଦ୍ଵୀପରେ ସର୍ବ ପୁରାତନ ଜନବସତି ଓ ପ୍ରସ୍ତର ଯୁଗ ଜନବସତିର ଏକ ଜ୍ଵଳନ୍ତ ପ୍ରମାଣ ହେଉଛି ଭୀମବେଟ୍କା । ଭାରତର ମଧ୍ୟ ପ୍ରଦେଶ ରାଜ୍ୟର ରାଜଧାନୀ ଭୋପାଳଠାରୁ ୪୫ କିଲୋମିଟର୍ ଦକ୍ଷିଣ-ପୂର୍ବ ଦିଗରେ ରାଇସେନ ଜିଲ୍ଲାରେ ଭୀମବେଟ୍କା ଅବସ୍ଥିତ । ଭୀମବେଟ୍କା ଏକ ୟୁନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ ଯେଉଁଠାରେ ୭ଟି ପାହାଡ଼ରେ ପ୍ରାୟ ପ୍ରାୟ ୭୫୦ଟି ଶୈଳାଶ୍ରୟ ୧୦ କିଲୋମିଟର୍ ଲମ୍ଵା ଅଞ୍ଚଳରେ ବ୍ୟାପ୍ତ ହୋଇ ରହିଛି । ପ୍ରାୟ ୧ ଲକ୍ଷ ବର୍ଷ ପୂର୍ବେ ଏହି ଶୈଳାଶ୍ରୟମାନଙ୍କରେ ଆଦିମ ମାନବ ବସବାସ କରୁଥିଲେ । ଭୀମବେଟ୍କା ଆଦିମ ଜନବସତିମାନେ ଶିକାରରୁ କୃଷି ଓ ତା’ ପରେ ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇବାର ଓ ସାଂସ୍କୃତିକ କ୍ରମବିବର୍ତ୍ତନର ଏକ "ବିରଳ ଉଦାହରଣ" ବୋଲି ବ୍ରିଟାନିକା ଜ୍ଞାନକୋଷରେ ଉଲ୍ଲିଖିତ ଅଛି ।ଭୀମବେଟ୍କାର କେତେକ ଶୈଳାଶ୍ରୟରେ ପ୍ରାୟ ୩୦ ହଜାର ବର୍ଷ ପୁରୁଣା କିଛି ପ୍ରାଗୈତିହାସିକ ଶୈଳଚିତ୍ର ମଧ୍ୟ ଦେଖିବାକୁ ମିଳେ । ଏହି ଶିଳାଚିତ୍ରମାନଙ୍କରେ ମୁଖ୍ୟତଃ ପଶୁପକ୍ଷୀ, ଶିକାର କରିବା ଓ ପ୍ରାଚୀନ ନୃତ୍ୟର ଚିତ୍ର ରହିଛି । ଭାରତୀୟ ଉପମହାଦ୍ଵୀପରେ ଅଦ୍ୟାବଧି ଆବିଷ୍କୃତ ସମସ୍ତ ଶିଳାଚିତ୍ର ମଧ୍ୟରେ ଭୀମବେଟ୍କା ସର୍ବପୁରାତନ ଓ ସର୍ବବୃହତ୍ ପ୍ରାଗୈତିହାସିକ ସ୍ଥଳ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଗୋପାଳ ଛୋଟରାୟ (୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ମାଉସ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳରେ ଦୁଇ ଦିଗରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନଦ୍ୱାରା କମ୍ପୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ । ଏହି ଠିକଣାଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ । ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ । ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା । ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବାପରେ ଅନେକ ପାଇକ ସର୍ଦାର ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ଭୋଗିଥିଲେ । ବହୁଦିନ ଜଙ୍ଗଲରେ ଲୁଚି ସଂର୍ଘଷ କରିବା ପରେ ବକ୍ସି ନିଜେ ଆତ୍ମ ସମର୍ପଣ କରିଥିଲେ ।
ଶ୍ରୀମା, (ଆଗରୁ ମିରା ଅଲଫାସା ଓ ପରେ ପରେ ମିରା ମୋରିସେଟ ନାମରେ ପରିଚିତ) ହେଉଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ । ଶ୍ରୀ ଅରବିନ୍ଦଙ୍କର ରଚନା ଓ ଶିକ୍ଷାକୁ ସରଳୀକୃତ କରି ସେ ସାଧାରଣ ଜନତା ପାଇଁ ସୁଲଭ କରିଥିଲେ । ମାର୍ଚ ୨୯, ୧୯୧୪ରେ ପଣ୍ଡିଚେରୀଠାରେ ସେ ଶ୍ରୀ ଅରବିନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତାଙ୍କୁ ପଣ୍ଡିଚେରୀ ଛାଡ଼ି ଜାପାନ ଯିବାକୁ ପଡ଼ିଥିଲା । ସେଠାରେ ସେ କବି ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟିଥିଲେ । ନଭେମ୍ବର ୨୪ ୧୯୨୬ପରେ ଶେଷରେ ସେ ପଣ୍ଡିଚେରୀ ଫେରି ଆସିଥିଲେ ଓ ସବୁଦିନପାଇଁ ସେଠାରେ ରହିଗଲେ । ସେତେବେଳେ ଶ୍ରୀ ଅରବିନ୍ଦ ମୌନରେ ରହୁଥିଲେ। ମୁଷ୍ଟିମେୟ କେତେକ ଶିଷ୍ୟଙ୍କୁ ନେଇ ସେ ପଣ୍ଡିଚେରୀସ୍ଥ ଅରବିନ୍ଦ ଆଶ୍ରମର ସ୍ଥାପନା କରିଥିଲେ। ନିଜର ମହାପ୍ରୟାଣ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦଙ୍କ ଅନୁସରଣକାରୀମାନଙ୍କପାଇଁ ସେ ଥିଲେ ପଥ ପ୍ରଦର୍ଶକ ।
ରବି ଶଙ୍କର ପଟ୍ଟନାୟକ, ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଅଟନ୍ତି । ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ । ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନରୁ ସେ ସମ୍ପାଦନା ଆରମ୍ଭ କରିଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ରଘୁନାଥ ମୁର୍ମୁ (୧୮ ମଇ ୧୯୦୫ – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।
ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'ମୟୂରଭଞ୍ଜ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ଏହି ବିଷୟଟି ମାନବ ଫୁସଫୁସ ବିଷୟରେ ଲେଖାଯାଇଛି । ଫୁସଫୁସ ଶ୍ୱାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି.
ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗnରୁ ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୁପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହାଦ୍ୱାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ୱାରା ବହିଷ୍କୃତ ହୁଏ ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ । ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ ।ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ( primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି.
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ପିଲାଙ୍କ ଉଦ୍ଦେଶ୍ୟରେ ଲିଖିତ ସାହିତ୍ୟ ହେଉଛି ଶିଶୁ ସାହିତ୍ୟ । ଓଡ଼ିଶାରେ ଶିଶୁ ସାହିତ୍ୟର ଏକ ବିସ୍ତୃତ ଇତିହାସ ଅଛି । ଆଈର କାହାଣୀ ପେଡି ,ମାଆର ଜହ୍ନମାମୁ ଗୀତ, ସାଙ୍ଗ ସାଥୀଙ୍କ ସହ ଖେଳିବା ବେଳେ ଶିଶୁ ମୁହଁର ଗୀତ ସବୁ ପୁରାକାଳରେ ଶିଶୁର ବିନୋଦନ ଓ ମନୋରଞ୍ଜନ କ୍ଷେତ୍ରରେ ସହାୟକ ହେଉଥିଲା । ଏସବୁ ଶିଶୁ ସାହିତ୍ୟ ଆରମ୍ଭ ପର୍ଯ୍ୟାୟର କଥା । ପରବର୍ତ୍ତୀ ସମୟରେ ବିଭିନ୍ନ ପୁରାଣ କାହାଣୀ ,ରହସ୍ୟ କଥା ଓ କଉତୁକ ଗୀତସବୁ ଶିଶୁର କଅଁଳ ମନକୁ ବେଶ କିଛି ବର୍ଷ ଧରି ପ୍ରଭାବିତ କରି ରଖିଥିଲା । ଓଡ଼ିଆରେ ରଚିତ ଶିଶୁ ଉପଯୋଗୀ ଲେଖା (କବିତା, ଗପ, ଉପନ୍ୟାସ) ଓଡ଼ିଆ ଶିଶୁ ସାହିତ୍ୟର ମୁଖ୍ୟ ବିଭବ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ରୀତା ସାହୁ (ଜନ୍ମ: ୧୬ ଜୁନ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୮ ମସିହାର ବିଜେପୁର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ତାଙ୍କ ପତି ସୁବଳ ସାହୁଙ୍କର ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।