ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା। ଏହି ଭାଷା ମୁଖ୍ୟତଃ Applicationକୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere"ର ଅର୍ଥ, compile ହୋଇଥିବା ଜାଭା codeକୁ ଅନ୍ୟ ଯେ କୌଣସି platformରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ। ଜାଭା Application ଗୁଡିକ compile ହେଲାପରେ ଏହା bytecodeକୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପୁଟର OSର JVM(Java Virtual Machine)ରେ run ହୋଇପାରିବ। ୯୦ ଲକ୍ଷ developerଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା। ଜାଭାକୁ Sun Microsystemsରେ କାର୍ଯରତ ଜେମ୍ସ ଗସଲିଙ୍ଗ ଉନ୍ନତ କରିଥିଲେ ଓ ୧୯୯୫ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntax ଗୁଡିକ ସି (ପ୍ରୋଗ୍ରାମିଂ ଭାଷା) ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ ।ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହେବ: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ । ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହେବ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'ମୟୂରଭଞ୍ଜ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ହୃଦାନନ୍ଦ ମଲ୍ଲିକ (୧ ଅଗଷ୍ଟ ୧୯୨୭ - ୧ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳ ଏବଂ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ବିଧାନ ସଭା ନିର୍ବାଚନ ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର ଲୋକ ସଭା ଆସନଗୁଡ଼ିକର ନିର୍ବାଚନ ସହ ମିଶିକରି ହେବ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ସରକାରଙ୍କର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିବ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭାଇଲାଜୋଡନ Vilazodone, ଏକ ବିକ୍ରୟ ନାମ ଭାଇବ୍ରିଡ/ Viibryd) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବହାର କରାଯାଏ । ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder) ରୋଗର ଚିକିତ୍ସା ନିମନ୍ତେ ହେଉଥିବା ଏହାର ଅନୁଶୀଳନ ସନ ୧୯୧୭ରେ ବନ୍ଦ କରିଦିଆଗଲା । ପାଟିରେ ଏହି ଔଷଧ ଦିଆଯାଏ ।ଭାଇଲାଜୋଡନର ସାଧାରଣ ପ୍ରତିକ୍ରିୟରେ ଅଇ ତରଳ ଝାଡ଼ା ଓ ନିଦ୍ରା ସମସ୍ୟା ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନଙ୍କର ଆତ୍ମହତ୍ୟା ପ୍ରବଣ, ମାନିଆ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ ଓ ଏସଆଇଡିଏଚ (SIADH) ହୋଇପାରେ । ଏହାର ମାତ୍ରା ଦୃତ ଗତିରେ କମେଇଲେ ଅବସାଦରୋଧୀ ବିରତି ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ କରେଇବା ସମୟରେ ଏହାର ସେବନ ନିଷେଧ । ଏହା ଏକ ସେରୋଟୋନିନ ମୋଡ୍ୟୁଲେଟର (serotonin modulator) ଶ୍ରେଣୀର ଔଷଧ ଯାହା ଏସଏସଆରଆଇ (SSRI) ଭାବରେ ଓ ୫-ଏଚଟି୧ଏ ରିସେପ୍ଟରକୁ (5-HT1A receptor|) ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।ଭାଇଲାଜୋଡନ ସନ ୨୦୧୧ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ସନ ୨୦୧୬ ସୁଦ୍ଧା ଏହା ଅନ୍ୟାନ୍ୟ ଦେଶମାନଙ୍କରେ ସ୍ୱୀକୃତ ହୋଇନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୬୧ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୮ତମ ସ୍ଥାନରେ ଥଲା ।
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା
ଓଡ଼ିଶାର ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ତାଲିକା ।ସୂଚନା:
ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଅଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean ) ତଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
ଚୈତ୍ର ପୂର୍ଣ୍ଣିମା (ଚଇତିପୁନେଇଁ ଓ ଚଇତ ପୁନେଇଁ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ଏହା କେଉଟ ଜାତିର ଲୋକଙ୍କଦ୍ୱାରା ଚୈତ୍ର ମାସ ପୂର୍ଣ୍ଣମୀ ତିଥିରେ (ମାର୍ଚ୍ଚ-ଅପ୍ରେଲ ଭିତରେ) ପାଳିତ ହୋଇଥାଏ । କେଉଟମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି । ଏହା ଚଇତିଘୋଡ଼ା ନାଚ ନାମରେ ଜଣା । ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି "ଚଇତି ପର୍ବ" ପାଳନ କରାଯାଏ । ଆଦିବାସୀମାନେ ଏହି ପର୍ବରେ ଦିନ ରାତି ବ୍ୟାପୀ ଭୋଜିଭାତ, ନାଚ, ଶିକାର ଆଦି କରିଥାନ୍ତି । ଘରର ମୁଖ୍ୟ ଏହିଦିନ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଘରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ ପୂର୍ବକ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଏହି ଦିନ ପଶୁବଳି ଦେବା ବିଧି ମଧ୍ୟ କିଛି ସମ୍ପ୍ରଦାୟରେ ରହିଛି । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ "ଚଇତିଘୋଡ଼ା ନାଚ" ଅନୁଷ୍ଠିତ ହୋଇଥାଏ । ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗୁରୁବାର ହେଲା ସପ୍ତାହର ଏକ ଦିନ ଯାହା ବୁଧବାର ପରେ ଓ ଶୁକ୍ରବାର ପୂର୍ବରୁ ଆସେ । ଗୁରୁବାର ଦିନ ମା'ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଗ୍ରହରାଜ ବୃହସ୍ପତି ହେଉଛନ୍ତି ଏହି ଦିବସର ଆରାଧ୍ୟ ଦେବତା । ଗ୍ରହ ଶାନ୍ତି ନିମନ୍ତେ ଚୈତ୍ର, ଭାଦ୍ରବ ଏବଂ କାର୍ତ୍ତିକ ମାସରେ ବ୍ରତ କରାଯାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ସେହି ରଙ୍ଗର ସାମଗ୍ରୀ ଦାନ କରାଯାଏ ।
ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା । ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA)(SSY) ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଏହା ବିତ୍ତ ମନ୍ତ୍ରଣାଳୟ ଅଧିସୂଚନା ସଂଖ୍ୟା G.S.R.୮୬୩ (E) ତା ୨/୧୨/୨୦୧୪ ରିଖ ଏହି ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ,୨୦୧୪ ଅଧିନରେ ଅଛି ।
କ୍ଲାଉଡ଼ ଟେକ୍ନୋଲୋଜି ଏକ ଇଣ୍ଟରନେଟଦ୍ୱାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍ରେ ଯୋଡିହୋଇରହିଥିବା କମ୍ପୁଟର ମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ୱାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପୁଟର ରିସୋର୍ସକୁ ନିଜର କ୍ଲାଉଡ୍ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ୱର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୁହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାଷ୍ଟ୍ରକ୍ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ବସନ୍ତ (ଇଂରାଜୀ ଭାଷାରେ Smallpox) ଏକ ସଂକ୍ରମକ ରୋଗ (infectious disease) ଏକ ଭୁତାଣୁର ଦୁଇ ପ୍ରକାର ଭାରିଆଣ୍ଟ ଭାରିଓଲା ମେଜର ଓ ଭାରିଓଲା ମାଇନର (Variola major and Variola minor) ଯୋଗୁ ସଂଘଟିତ ହୁଏ । ବସନ୍ତ ରୋଗ ଏକ ନିର୍ମୁଳିତ ସଂକ୍ରାମକ ରୋଗ (Eradicated) ଓ ଏହାର ଶେଷ ରୋଗୀ ୧୯୭୭ରେ ଚିହ୍ନଟ ହୋଇଥିଲା ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ସନ ୧୯୮୦ରେ ଏହି ସାର୍ଟିଫିକେଟ ଦେଇଥିଲେ । ପିଲାମାନେ ସଂକ୍ରମିତ ହେବା ପରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦% ରହୁଥିଲା । ବଞ୍ଚିଯାଉଥିବା ରୋଗୀର ଚର୍ମରେ କ୍ଷତଦାଗ ରହିଯାଉଥିଲା ଓ ଅନ୍ଧ (blind) ହେବା ସମ୍ଭାବନା ରହୁଥିଲା ।ବସନ୍ତର ପ୍ରାଥମିକ ଲକ୍ଷଣ ଜ୍ୱର ଓ ବାନ୍ତିରୁ ଆରମ୍ଭ ହୁଏ । ଏହା ପରେ ପାଟି ଘାଆ (sores) ଓ ଚର୍ମ ରାସ (skin rash) ଦେଖାଯାଏ । କିଛି ଦିନ ମଧ୍ୟରେ ରାସ ପରିବର୍ତ୍ତିତ ହୋଇ ଫୋଟକାରେ (bumps) ପରିଣତ ହୁଏ ଯାହାର ମଝିରେ ଗୋଟିଏ କ୍ଷୁଦ୍ର ଗାତ ଥାଏ । ଏହା ପରେ ଘାଆ ଶୁଖିବାକୁ ଆରମ୍ଭ କରି ସ୍କାବ (scabbed) ମାଡ଼ିଯାଏ ଓ ପରେ ଏହା ବାହାରି ଯାଇ ଚମରେ ସ୍କାର (scars) ରହିଯାଏ । ଏହି ରୋଗ ମାନବରୁ ମାନବକୁ ବା ସଂକ୍ରମିତ ପଦାର୍ଥ ସଂସ୍ପର୍ଶ ହେଲେ ବ୍ୟାପିଯାଏ । ବସନ୍ତ ଟିକା (smallpox vaccine) ସାହାଯ୍ୟରେ ଏହା ପ୍ରତିଷେଧ କରାଯାଏ । ରୋଗ ଥରେ ଆରମ୍ଭ ହୋଇଗଲେ କେତେକ ଭୁତାଣୁ ବିରୋଧୀ ଔଷଧ (antiviral medication) ସାହାଯ୍ୟ କରିପାରେ ।ଏହି ରୋଗ କେବେ ଆରମ୍ଭ ହେଲା, ସେ ବିଷୟ ଅନ୍ଧକାରରେ ଅଛି । ପ୍ରଥମ ତଥ୍ୟ ଖ୍ରୀ:ପୂ: ୩ୟ ଶତାବ୍ଦୀରେ ମିଶରୀୟ ମମିଙ୍କ (Egyptian mummies) ଦେହରେ ଥିବା ଦେଖାଯାଇଛି । ଏହା ପୂର୍ବରୁ ମଡ଼କ ଆକାରରେ ଆବିର୍ଭାବ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ପ୍ରାୟ ଚାରି ଲକ୍ଷ ଲୋଗ ପ୍ରାଣତ୍ୟାଗ କରିଥିଲା ଓ ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଅନ୍ଧ ହୋଇଯାଇଥିଲେ । ଏହି ମୃତକମାନଙ୍କ ମଧ୍ୟରେ ଅତି କମ୍ରେ ୫ ଜଣ ସମ୍ରାଟ (monarch) ଥିଲେ । ବିଂଶ ଶତାବ୍ଦୀରେ ପ୍ରାୟ ୩୦୦-୫୦୦ ବ୍ୟକ୍ତି ମରିଥିଲେ । ସନ ୧୯୬୭ରେ ପ୍ରାୟ ୧୫ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ସନ ୧୭୯୮ରେ ଏଡୱାର୍ଡ଼ ଜେନର (Edward Jenner) ପ୍ରଥମେ ବସନ୍ତ ଟିକା (vaccination) ଆବିଷ୍କାର କରିଥିଲେ । ସନ ୧୯୬୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ବସନ୍ତ ରୋଗକୁ ସନିର୍ମୁଳେ ବିନାସ କରିବାକୁ ପ୍ରୟାସ ଆରମ୍ଭ କରେ । ବସନ୍ତ ଓ ରିଣ୍ଡରପେସ୍ଟ ନାମକ ଆଉ ଏକ ସଂକ୍ରାମକ ରୋଗ ସନ ୨୦୧୧ରେ ଧରାପୃଷ୍ଠରୁ ନିର୍ମୁଳ କରାଯାଇଥିଲା । ଇଂଲଣ୍ଡରେ ସିଫିଲିସ ରୋଗକୁ ପୂର୍ବରୁ ଗ୍ରେଟପକ୍ସ ନାମ ଦିଆଯାଉଥିଲା ଓ ବସନ୍ତ ରୋଗକୁ ୧୫ଶ ଶତାବ୍ଦୀରେ ଏହାଠାରୁ ପୃଥକ୍ କରିବା ନିମନ୍ତେ ସ୍ମଲପକ୍ସ (ବସନ୍ତ) ନାମ ଦିଆଯାଇଥିଲା । ଏହାର ଅନ୍ୟାନ୍ୟ ଐତିହାସିକ ନାମ ଯଥାକ୍ରମେ ପକ୍ସ, ସ୍ପେକ୍ଲ୍ଡ ମନସ୍ଟର ଓ ରେଡ ପ୍ଲେଗ ଦିଆଯାଇଥିଲା ।
ଡକ୍ସେପିନ (ଇଂରାଜୀ ଭାଷାରେ Doxepin) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଉଦ୍ବେଗ ଅବ୍ୟବସ୍ଥା, କ୍ରନିକ ହାଇଭ୍ସ ଓ ନିଦ୍ରା ସମସ୍ୟା (trouble sleeping) ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ହାଇଭ୍ସ ରୋଗରେ ଆଣ୍ଟିହିସ୍ଟାମିନ (antihistamines) ଅଧିକ ପସନ୍ଦ କରାଯାଏ । ନିଦ୍ରା ମମସ୍ୟାରେ ଏହା ସାମାନ୍ୟ ବା ମଧ୍ୟମ ଧରଣର ଉପକାର ଦିଏ । ଆଟୋପିକ ଡର୍ମାଟାଇଟିସ, ଲାଇଚେନ ସିମ୍ପ୍ଲେକ୍ସ କ୍ରନିକସ lichen simplex chronicus ରୋଗରେ ହେଉଥିବା ଗଲୁ ନିମନ୍ତେ ଏହା ଏହାର କ୍ରିମ (cream) ବ୍ୟବହାର କରାଯାଏ ।ଡକ୍ସେପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ଅଇ ଓ ଝାପ୍ସା ଦୃଷ୍ଟି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନେ ଆତ୍ମହତ୍ୟା ପ୍ରବଣ, ମାନିଆ ଓ ୟୁରିନାରି ରିଟେନସନ ହୋଇପାରେ । ଏହାର ମାତ୍ରା ଶୀଘ୍ର କମେଇ ଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ଏହା ଏକ ପ୍ରକାର ଟ୍ରାଇସାକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ବା ଟିସିଏ (tricyclic antidepressant/ TCA) ଔଷଧ । ଏହାର କାର୍ଯ୍ୟଧାର ଅସ୍ପଷ୍ଟ ଥିଲେ ମଧ୍ୟ ନର୍ଏପିନେଫ୍ରିନ ସ୍ତର ବୃଦ୍ଧି କରୁଥାଇପାରେ । ଏହାର ଆଣ୍ଟିହିସ୍ଟାମିନ (antihistamine), ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟସେରୋଟୋନର୍ଜିକ (antiserotonergic) ପ୍ରଭାବ ଅଛି । ସନ ୧୯୬୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡକ୍ସେପିନ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୯ତମ ସ୍ଥାନରେ ଥଲା ।
ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'ସମ୍ବଲପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ବାଞ୍ଛାନିଧି ମହାନ୍ତି ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ କବି । ତାଙ୍କ ଜୀବନର ଦୁଇଟି ଲକ୍ଷ୍ୟ ଥିଲା; ପ୍ରଥମଟି ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦ୍ୱିତୀୟଟି ହେଲା ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ । ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ଦେଶାତ୍ମବୋଧକ ଗୀତ ରଚନା କରି ନିଜେ ଗାନ କରିଥିଲେ, ଫଳରେ ଆଖପାଖରେ ଲୋକମାନେ ତାଙ୍କ ଗୀତ, କବିତା ଆଦିଦ୍ୱାରା ଆକୃଷ୍ଟ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କର ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା । ତାଙ୍କ ରଚିତ ଦୁଃଖିନୀ କନିକା ଗୀତଟି ଜନାଦୃତ । ସେ ଜାତୀୟତାଭରା ଗୀତ ଗାଇ ଗାଇ ଗାଁ ଗାଁରେ ବୁଲୁଥିବାରୁ ତାଙ୍କୁ ଜାତୀୟ କବି ବୋଲି ପରିଚୟ ମିଳିଥିଲା । ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା ।
୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା , ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ନିଜର ଯୋଗ୍ୟତା ବଳରେ ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇପାରିଥିଲେ । ପାଇକ ସର୍ଦାରମାନଙ୍କର ସମ୍ମିଳିତ ସହଯୋଗରେ ୧୮୧୭ ମସିହାରେ ସେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ । ଇଂରେଜମାନଙ୍କର କଠୋର ଦମନ ନୀତି ସତ୍ତ୍ୱେ ବକ୍ସିଙ୍କ ବୀରତ୍ୱ ଓ ପାଇକମାନଙ୍କର ମିଳିତ ସଂଘର୍ଷ ଯୋଗୁଁ ବିଦ୍ରୋହ ଦମନ କରିବା ସହଜ ହୋଇନଥିଲା । ଦୀର୍ଘଦିନ ଧରି ସଂଗ୍ରାମ ଚାଲୁ ରଖିବାପରେ ଅନେକ ପାଇକ ସର୍ଦାର ଧରାପଡ଼ି ଦ୍ୱୀପାନ୍ତର ଦଣ୍ଡ ଭୋଗିଥିଲେ । ବହୁଦିନ ଜଙ୍ଗଲରେ ଲୁଚି ସଂର୍ଘଷ କରିବା ପରେ ବକ୍ସି ନିଜେ ଆତ୍ମ ସମର୍ପଣ କରିଥିଲେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ପୃଥିବୀ ପୃଷ୍ଠଭାଗରେ ମୌଳିକ ଗୁଡ଼ିକର ବହୁଳତା
ଏହି ଟେବୁଲଟି ପୃଥିବୀ ପୃଷ୍ଠରେ ମୌଳିକ ଗୁଡ଼ିକର ବହୁଳତା ଦର୍ଶାଉଛି । ସଂଖ୍ୟା ଗୁଡ଼ିକ ପ୍ରତିଶତ (percentage) କିମ୍ବା parts per million (ppm) in mass; ୧୦,୦୦୦ ppm = ୧% ସୁଚାଉଛି ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।