ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ପୁଚିଖେଳ (ଓଡ଼ିଶାର ପଶ୍ଚିମାଞ୍ଚଳରେ "ଛିଲୋ", ସମ୍ବଲପୁରରେ ଚିରେଲାଇ, ବାଲେଶ୍ୱରରେ ପୁଚ-ପୁଚି ନାମରେ ଜଣା) ଓଡ଼ିଶାର କେତେକ ଓଷାଆଦିରେ କୁଆଁରୀମାନେ ଖେଳୁଥିବା ଏକ ପାରମ୍ପାରିକ ଖେଳ । ରଜ, ଦଶହରା ଓ ବିଶେଷ କରି କୁମାର ପୂର୍ଣ୍ଣିମା ଆଦିରେ ପୁଚି ଖେଳ ହୁଏ । ଏଇ ଖେଳଟି ଝିଅମାନଙ୍କ ପାଇଁ ଏକ ବ୍ୟାୟାମ । ପୁଚି ଖେଳିଲାବେଳେ ସେମାନେ "ପୁଚିଲୋ ପୁଚି, ଯା ଯା ଯା ଘୁଞ୍ଚିଲୋ" ଗୀତ ବୋଲିଥାନ୍ତି । ବିଭିନ୍ନ ଅଞ୍ଚଳର ଗୀତ ଅଲଗା ଅଲଗା ହୋଇଥାଏ । ଖେଳରେ ପ୍ରତିଯୋଗିତା ଚାଲେ ଓ ଜିତିବା ଦଳ/ଝିଅ ଖେଳୁ ଖେଳୁ "ହଟେଇଲିରେ ହଟେଇଲି" ଚିହାଟେ । କୁଆଁର ପୁନେଇ ଭଳି ପର୍ବରେ କୁଆଁରୀମାନେ ସକାଳୁ ଗାଧୋଇ ସଞ୍ଜରେ ଏକାଠି ହୋଇ ତୁଳସୀ ଚଉରାରେ କଳସୀରେ ପାଣି ରଖି କଉଡ଼ି ଓ ଗୀତ ବୋଲି ବୋଲି ପୁଚି ଖେଳିଥାନ୍ତି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଅଶ୍ୱିନୀ କୁମାର ପାତ୍ର (ଜନ୍ମ: ୭ ସେପ୍ଟେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୨୦୦୪ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଛତା ଏକ ପ୍ରକାର ଚାନ୍ଦୁଆ, ଯାହା ସୂର୍ଯ୍ୟୋତ୍ତାପ ଏବଂ ବର୍ଷା ପାଣିରୁ ଶରୀରକୁ ରକ୍ଷା କରିଥାଏ । ଏହା ଏକ ସୁବହନୀୟ ଉପକରଣ ହିସାବରେ କାମ କରିଥାଏ, ଯାହାକୁ କି ସହଜ ଭାବେ ହାତରେ ଧରି କୌଣସି ସ୍ଥାନକୁ ନେଇ ହେବ । ଦୁନିଆରେ ବିଭିନ୍ନ ପ୍ରକାରର ଛତା ଦେଖିବାକୁ ମିଳେ । ଉଦାହରଣ ସ୍ୱରୁପ, ଜଳରୋଧକ ଛତା, ରଙ୍ଗୀନ ଛତା, ଉତ୍ତାପ ନିରୋଧୀ ଛତା ଇତ୍ୟାଦି । ଜଳରୋଧକ ଛତା ବିଶେଷ କରି ବର୍ଷା ଦିନେ ବ୍ୟବହାର କରାଯାଏ । ରଙ୍ଗୀନ ଛତା ତଥା ଉତ୍ତାପ ଅବଶୋଷକାରୀ ଛତା ଖରାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ଏହ ଜଳନିରୋଧୀ ଅଟନ୍ତି ନାହିଁ। ଛତାର ବ୍ୟବହାର କେବଳ ପାଣିପାଗ ଉପରେ ନିର୍ଭର କରେ ନାହିଁ, ବରଂ ଏହାକୁ ଭିନ୍ନ ଭିନ୍ନ ପର୍ବପର୍ବାଣୀ, ବିବାହୋତ୍ସବ, ଚିତ୍ରୋତ୍ତଳନ ଆଦିରେ ଉପଯୋଗ କରାଯାଇଥାଏ ।
ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ଵର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ ଦ୍ଵାରା ପ୍ରଣିତ ନିୟମାବଳୀକୁ ଫର୍ମୁଲା (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ ୧କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ । ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ ଗ୍ରଁ-ପ୍ରି (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ଵା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ । ପ୍ରତିଟି ଦୌଡ଼ରେ ଚାଳକ ଓ ଇଞ୍ଜିନ୍ ନିର୍ମାତାଙ୍କ ଗାଡ଼ି କେଉଁ ସ୍ଥାନରେ ରହିଲା – ତାହାକୁ ଭିତ୍ତି କରି ପଏଣ୍ଟ୍ ପ୍ରଦାନ କରାଯାଏ । କ୍ରୀଡ଼ାବର୍ଷ ଶେଷରେ ସର୍ବାଧିକ ପଏଣ୍ଟ୍ ହାସଲ କରିଥିବା ଗାଡ଼ି ଚାଳକ ଓ ଗାଡ଼ି ନିର୍ମାତାଙ୍କୁ ବିଜେତା ଘୋଷିତ କରାଯାଏ । ପ୍ରତି କ୍ରୀଡ଼ାବର୍ଷରେ ଏହିପରି ଦୁଇଟି ବାର୍ଷିକ ବିଜେତା ପୁରସ୍କାର ପ୍ରଦାନ କରାଯାଏ । ପ୍ରତିଟି ଦୌଡ଼ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଗାଡ଼ି ଚାଳକଙ୍କୁ ସେହି ଦୌଡ଼ ଶେଷରେ ସମ୍ମାନିତ କରାଯାଏ । ପ୍ରତି ଗାଡ଼ି ଚାଳକଙ୍କ ପାଖରେ ମହାସଂଘ ପ୍ରଦତ୍ତ ଓ ବୈଧ ବିଶେଷ ଅନୁମତି ପତ୍ର (ଏଫ୍. ଆଇ. ଏ.
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଅଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean ) ତଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
କାନ୍ଦଣା ଗୀତ ବା ବାହୁନା ଗୀତ ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁଦ୍ୱାରା ବୋଲାଯାଉଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁକବିତା ଉପରେ ଆଧାରିତ । ଝିଅ ନିଜ ପରିବେଶରେ ଦେଖୁଥିବା ଘଟଣା ଓ ଶାଶୂଘର ସମ୍ବନ୍ଧରେ ଯାହା ଶୁଣିଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ । ବାହାଘର ଆଅଗରୁ ଝିଅ ଶାଶୂଘର ବାବଦରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାରର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇନଥାଏ । ଅଜଣା ପରିବେଶରେ ନୂଆ ଲୋକଙ୍କ ସହିତ କିପରି ଚଳିବ ତାହା ଝିଅଟି କାନ୍ଦଣା ବୋଲି ଜଣାଇଥାଏ । ବାହୁନିବା ପ୍ରସଙ୍ଗରେ ଝିଅମାନେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲିଥାନ୍ତି । ପରିବାରର ବୟୋଜ୍ୟୋଷ୍ଠା ନାରୀମାନେ ଝିଅମାନଙ୍କୁ ଏହି ବାହୁନା ଶିଖାଇଥାନ୍ତି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆମ ଦେଶ ଭାରତର ଦ୍ୱିତୀୟ ପୁରାତନ ତଥା ଆମ ରାଜ୍ୟ ଓଡ଼ିଶାର ଏକ ମାତ୍ର କୃଷି ବିଶ୍ୱବିଦ୍ୟାଳୟ ଅଟେ। ୧୯୬୨ ମସିହାରେ ଏହା ଭୁବନେଶ୍ୱରରେ ସ୍ଥାପିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ମୁଖ୍ୟତଃ କୃଷି ସମ୍ବନ୍ଧୀୟ ବିଷୟ ଗୁଡିକରେ ଶିକ୍ଷାଦାନ, ଗବେଷଣା, ପ୍ରଚାର ଓ ପ୍ରସାର କରାଯାଇଥାଏ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୮ଟି ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷ୍ୟ କେନ୍ଦ୍ର ଗୁଡିକ ଶିକ୍ଷାଦାନ କରୁଛନ୍ତି। ଏହି ମହାବିଦ୍ୟାଳୟ ଗୁଡିକ ପ୍ରାୟତଃ ଭୁବନେଶ୍ୱରର ଶିରିପୁରଠାରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blod pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ Seizures, ରାବଡୋମାୟୋଲାଇସିସ, ବୃକ୍କ ଫେଲ (kidney failure) ଆଦି ଲକ୍ଷଣମାନ ଦେଖାଯାଏ ।ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । ଏହା ଏକ ପ୍ରକାର ହାଇପରଥର୍ମିଆ (hyperthermia) ବା ଉଚ୍ଚତାପମାତ୍ରା ବେମାରୀ । ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ ।ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ । ବରଫ ପ୍ୟାକ (ice packs) ରୁଟିନ ଭାବରେ ଦିଆଯାଏ ନାହିଁ ।ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।
ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
ଛ ମାଣ ଆଠ ଗୁଣ୍ଠ ହେଉଛି ଫକୀର ମୋହନ ସେନାପତିଙ୍କର ଲିଖିତ ଉପନ୍ୟାସ। ୧୮୯୭ରେ ପ୍ରଥମେ ଏହା ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫକୀର ମୋହନ ଏହାକୁ ଧୂର୍ଜଟି ଛଦ୍ମନାମରେ ପ୍ରକାଶ କରାଇଥିଲେ। ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା। ଏପରିକି କିଛି ଲୋକ ଏହି କାହାଣୀକୁ ସତ ବୋଲି ମଧ୍ୟ ବିଚାର କରୁଥିଲେ। ୧୯୮୬ରେ ପାର୍ବତୀ ଘୋଷ ଉପନ୍ୟାସକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
'ରବୀନ୍ଦ୍ରନାଥ ଠାକୁର ' ( /rəˈbindrəˈnɑ:t ˈtɑ:ɡɔr/; ଛାଞ୍ଚ:IPA-bn), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରଣା ଲାଭ କରିଥିଲା । ଗୋଟେ ପିରାଲୀ ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଜେସର ସହର ସହ ସମ୍ପର୍କିତ, ସେ ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ, ସେ ଭାନୁସିଂହ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ । ସେହି କବିତାଗୁଡିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା । ଅନୁବାଦରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା ।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରି ଥିଲେ । ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ । ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତର ସ୍ୱଧୀନ ପାଇଁ ଓକିଲାତି କରୁଥିଲେ । ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ , ୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା, ଇଚ୍ଛାପତ୍ର ସାମିଲ ଥିଲା, ତାଙ୍କଦ୍ୱାରା ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ସପ୍ତଗିରି ଶଙ୍କର ଉଲ୍ଲାକା (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦକୁ ପ୍ରଥମ ଥର ପାଇଁ ୧୭ଶ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଜଣେ ସଭ୍ୟ । ତାଙ୍କ ପିତା ରାମଚନ୍ଦ୍ର ଉଲାକା ମଧ୍ୟ କୋରାପୁଟରୁ ଦୁଇଥର ସାଂସଦ ଓ ରାୟଗଡ଼ାରୁ ସାତ ଥର ବିଧାୟକ ରହିଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର କୌଶଲ୍ୟା ହିକ୍କାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।ସପ୍ତଗିରି ଜଣେ ସଫୱେୟାର ଇଞ୍ଜିନିୟର ଭାବରେ ଇନ୍ଫୋସିସ ଓ ଏଚସିଏଲ ଭଳି କମ୍ପାନୀରେ କାମ କରିଛନ୍ତି ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ୱାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।