ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ । ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳ ଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ତବସୁମ୍ ଫାତିମା ହାସିମ୍ (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯେ କଥାଚିତ୍ର ଜଗତରେ ତବୁ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସହ ସେ ୬ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଗାୟନ ଏପରି ଏକ କ୍ରିୟା ଅଟେ ଯାହା ଦ୍ୱାରା ମାନବର ସ୍ୱର ର ସହାୟତାରେ ସଙ୍ଗୀତ ଧ୍ୱନି ଉତ୍ପନ କରାଯାଇଥାଏ ଏବଂ ସାମାନ୍ୟ କଥା ବାର୍ତ୍ତାକୁ ରାଗ ଏବଂ ତାଳ ଦୁହିଁଙ୍କ ପ୍ରୟୋଗରେ ବଢିଥାଏ । ଯେଉଁ ବ୍ୟକ୍ତି ଗାଇଥାଏ ତାଙ୍କୁ ଗାୟକ କିମ୍ବା ସଙ୍ଗୀତକାର କୁହାଯାଇଥାଏ । ଗାୟନ ସର୍ବଦା ଅନ୍ୟ ସଙ୍ଗୀତକାର ମାନଙ୍କ ସମୂହରେ କରାଯାଇଥାଏ , ଯେପରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଥିବା ବହୁ ଗାୟକ ମାନଙ୍କ ସହିତ କିମ୍ବା ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବାଯାଉଥିବା କଳାକାର ମାନଙ୍କ ସହିତ । ସମସ୍ତ ପ୍ରକାରର ବ୍ୟକ୍ତି, ଯିଏ କଥା କହିପାରେ ସେ ମଧ୍ୟ ଗୀତ ଗାଇପାରେ । କାରଣ ଗାୟନ କଥା କହିବାର ଏକ ପରିସ୍କୃତ ରୂପ ଅଟେ ।
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ର ଜନ୍ମ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ', ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପ୍ରୁଷ୍ଠା, ଖେଳ ପ୍ରୁଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।
ଆଇସୋନିଆଜିଡ/ରିଫାମ୍ପିସିନ (ଇଂରାଜୀ ଭାଷାରେ Isoniazid/rifampicin ବା isoniazid/rifampin) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଏହା ଏକ ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ ଯେଉଁଥିରେ ଆଇସୋନିଆଜିଡ ଓ ରିଫାମ୍ପିସିନ/ରିଫାମ୍ପିନ ଥାଏ । ଏହା ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସହିତ ଦିଆଯାଏ । ଏହା ପାଟିରେ ଦିଆଯାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା, ଇଂରାଜୀ: Madhusudan Das) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
କେତେକ ରୋଗ, ବିକଳାଙ୍ଗତା ଓ ସ୍ଵାସ୍ଥ୍ୟ ସମସ୍ୟା ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନେକ ରୋଗର ସଙ୍କଟଦାୟୀ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରିକରଣର ପ୍ରଧାନ ବାଧା କାରକ ରୁପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପି ଥାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେଇ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହା ଦ୍ଵାରା ଇଣ୍ଟରନେଟ ରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ ର ସାହାଯ୍ୟ ନିଆଯାଇଥାଏ । ଏହା ଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK /ˈhɛmərɔɪdz/), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ ସ୍ଫିତ ହୋଇଯାଏ ସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ । ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ । ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]]. କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ । କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ । ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ । ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ । ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ । ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।.
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲା ଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ବୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ବ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ବସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ବାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ,୨-ଧର୍ମ ଟିନ୍ତନ,୩-କୃଷି ସଭ୍ୟତା,୪-ସାମରିକ ପରମ୍ପରା,୫- କାରୁକଳା,୬-ଆଦିବାସୀ ଓ ଓଡଶୀ ନୃତ୍ୟ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଯନ୍ତ୍ରଣା (Pain) ଏକ ଅରୁଚିକର ବା ଦୁଃଖଦ ଅନୁଭବ ଯାହା ଛୁଞ୍ଚି ଫୋଡିହେବା, ନିଆଁ ଧାସ/ ପୋଡି ହେବା, କୌଣସି ଟାଣ ଯାଗାରେ ବାଜିଯିବା ଭଳି ତୀବ୍ର ବା ବିନଷ୍ଟକାରୀ ଉଦ୍ଦୀପକ ଦ୍ଵାରା ସଂଘଟିତ ହୁଏ । ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଷ୍ଟଡି ଅଫ ପେନ ସଂସ୍ଥାର ସଂଜ୍ଞା: ଯନ୍ତ୍ରଣା (Pain) ଏକ ଅରୁଚିକର ସଂବେଦୀ ବା ଭାବପ୍ରବଣ ଅନୁଭବ(sensory and emotional experience) ଯାହା ପ୍ରକୃତ ବା ସଂଭାବ୍ୟ ତନ୍ତୁ କ୍ଷୟ ଦ୍ଵାରା ସଂଘଟିତ ହୁଏ ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ବିବାହ କହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ସାମାଜିକ ଓ ଆଇନଗତ ସ୍ୱିକୃତି ସହିତ ସହାବସ୍ଥାନ ଓ ପରସ୍ପର ପ୍ରତି ତଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ । ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୂଖ୍ୟତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କେତେକ ସଂସ୍କୃତିରେ କୌଣସି ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ୟତାମୂଳକ । କେତେକ ସଂସ୍କୃତିରେ ସ୍ଥିରିକୃତ ବିବାହ, ବାଲ୍ୟ ବିବାହ, ଏକାଧିକ ବିବାହ ଓ ବଳପୂର୍ବକ ବିବାହ ପ୍ରଥା ଅଛି । ଅନ୍ୟ ପକ୍ଷରେ ଏହି ଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥି । ବିବାହକୁ ସ୍ୱୀକୃତ ଦିଏ ରାଜ୍ୟ, ସଂଗଠନ, ଆଦିବାସୀ ଦଳ, ସ୍ଥାନୀୟ ଗୋଷ୍ଟି ବା ସମ୍ମାନନୀୟ ବ୍ୟକ୍ତି । ବିବାହକୁ ଅନେକ ଏକ ଅନୁବନ୍ଧିତ କାନୁନୀ ବିବାହ ମନେକରନ୍ତି । କାନୁନୀ ବିବାହରେ ଧାର୍ମିକ କ୍ରିୟା ସମ୍ପାଦିତ ହୁଏ ନାହିଁ । ବିଂଶ ଶତାବ୍ଦୀରେ ଆଗରୁ ଅଣସ୍ୱିକୃତ ଥିବା ଭିନ୍ନ ଜାତି ବିବାହ, ଭିନ୍ନ ବିଶ୍ୱାସ ବିବାହ ଓ ସମଲିଙ୍ଗୀ ବିବାହକୁ ଅନେକ ଦେଶ ସ୍ୱିକୃତି ଦେଇସାରିଛନ୍ତି । ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର(ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରୁ ଗୋଟିଏ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସ ଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଓଡ଼ିଆ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡ଼ିଆ ବାହାଘର ମୂଖ୍ୟତଃ ଓଡ଼ିଆ ହିନ୍ଦୁମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି। ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏ।
ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ଵର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ବନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ଵର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ଠାରୁ ରହିଛି ଅନେକ ଆଗରେ । ବିଶ୍ଵର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ଵର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା । ସାରା ପୃଥିବୀରେ ଭାରତ ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ।
ଲିଓନ ହେଉଛି ଏକ ପ୍ରାଚୀନ ତଥା ଐତିହାସିକ ସହର।ପୂର୍ବ କେନ୍ଦ୍ରୀୟ ଫ୍ରାନ୍ସର ରୋନ-ଆଲପସ ଅଞ୍ଚଳ ଅନ୍ତର୍ଗତ ପ୍ୟାରିସ ଓ ମର୍ଶାଇଲ ମଧ୍ୟରେ ଏହା ଅବସ୍ତିତ।ପ୍ୟାରିସଠାରୁ ଏହାର ଦୂରତା ୪୭୦କିମି ଓ ମର୍ଶାଇଲ ଠାରୁ ୩୨୦କି.ମି। ଲିଓନ ହେଉଛି ରୋନ୍ ଅଞ୍ଚଳ ତଥା ରୋନ୍ ଅଞ୍ଚଳର ରାଜଧାନୀ ।ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ଏଠାରେ ଆଧୁନିକ ସହରର ମୂଳଦୁଆ ପଡ଼ିଥିଲା।ପରେ ଲୋକସଂଖ୍ୟା ବୃଦ୍ଧି ଓ ସହରର ବିକାଶ ଘଟି ତାହା ଫ୍ରାନ୍ସର ଦ୍ଵିତୀୟ ସର୍ବ ବୃହତ ସହରର ମାନ୍ୟତା ଲାଭ ପାଇଥିଲା।
ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ । ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । ଖାଦ୍ୟ ଅସହନଶୀଳତା ଓ ଖାଦ୍ୟ ବିଷାକ୍ତତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ ।
ହ୍ୟାକିଂ କହିଲେ ଫେସବୁକ, ଜି-ମେଲ କିମ୍ବା ୱେବସାଇଟକୁ ବିନା ପାସୱାର୍ଡରେ ଖୋଲିଦେବା କେବଳ ନୁହେଁ, ବରଂ ବୃହତ ଅର୍ଥରେ ସାଇବର ସୁରକ୍ଷା ପ୍ରଣାଳୀରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ହିଁ ଏହାର ମୂଳଲକ୍ଷ୍ୟ । ସମର୍ପଣ ଭାବ ସହ ପ୍ରଯୁକ୍ତି ବିଦ୍ୟାରେ ନିତ୍ୟ ପ୍ରତିଦିନ ଘଟୁଥିବା ପରିବର୍ତ୍ତନର ଖବର ରଖୁଥିବା ବ୍ୟକ୍ତି ହିଁ ଜଣେ ଭଲ ହ୍ୟାକର ହୋଇପାରିବେ ।
ଅକ୍କିନେନି ନାଗା ଚୈତନ୍ୟ(ଜନ୍ମ ୨୩ ନଭେମ୍ବର ୧୯୮୬) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ଯୋସ୍ ଚଳଚ୍ଚିତ୍ର ଜରିଆରେ ୨୦୦୯ରେ ନାଗା ଚୈତନ୍ୟ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ନିର୍ଦ୍ଦେଶକ ଗୌତମ ମେନନ୍ଙ୍କ ନିର୍ଦ୍ଦେଶତି ଚଳଚ୍ଚିତ୍ର ୟେ ମାୟା ଚେସଭେରେ ଚୈତନ୍ୟ ନାୟକ ରୂପେ ଅଭିନୟ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଚୈତନ୍ୟଙ୍କର ପିତା ନାଗାର୍ଜୁନଙ୍କର ଅଭିନୀତ ୧୯୮୯ର ଚଳଚ୍ଚିତ୍ର ଗୀତାଞ୍ଜଳୀକୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କ ସହ ତାଙ୍କର ପିଉସୀ ଝିଅ ସାମନ୍ତା ମଧ୍ୟ ଚଳଚ୍ଚିତ୍ର ଜଗତରେ ନାୟିକା ରୂପେ ପ୍ରବେଶ କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ା ଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ରକ୍ତ ଶ୍ରେଣୀ ବା ରକ୍ତ ଦଳ ବା ବ୍ଲଡ଼ ଗ୍ରୁପ ଦେହରେ ଥିବା ରକ୍ତର ଏକ ବର୍ଗୀକରଣର ନାମ ଯାହା କେତେକ ଆଣ୍ଟିବଡି ଓ ଲୋହିତ ରକ୍ତ କଣିକା ପୃଷ୍ଠରେ ବଂଶଗତ ଆଣ୍ଟିଜେନର ଉପସ୍ଥିତି ବା ଅନୁପସ୍ଥିତି ଉପରେ ନିର୍ଭର କରି ଦିଆଯାଏ । ରକ୍ତ ଶ୍ରେଣୀ ଅନୁସାରେ ଏହି ଆଣ୍ଟିଜେନଗୁଡ଼ିକ ପୁଷ୍ଟିସାର, ଶ୍ୱେତସାର, ଗ୍ଲାଇକୋପ୍ରୋଟିନ ବା ଗ୍ଲାଇକୋଲିପିଡ଼ ହୋଇପାରେ । ଏହି ଆଣ୍ଟିଜେନ ବିଭିନ୍ନ ତନ୍ତୁମାନଙ୍କ ଇଉକାରିଓଟିକ ଲୋଷ|ଜୀବକୋଷରେ ମଧ୍ୟ ଥାଏ । ଏମାନଙ୍କ ମଧ୍ୟରୁ ଅନେକ ପୃଷ୍ଠ ଆଣ୍ଟିଜେନ ଗୋଟିଏ ଆଲେଲେରୁ ସୃଷ୍ଟି ହୋଇଥାଆନ୍ତି ଓ ସାମୁହିକ ଭାବରେ ଗୋଟିଏ ରକ୍ତ ଶ୍ରେଣୀ ସୃଷ୍ଟି କରନ୍ତି । ଉଭୟ ମାତା ଓ ପିତାଙ୍କଠାରୁ ରକ୍ତ ଶ୍ରେଣୀ ବଂଶଗତ (inherited) ଭାବରେ ଆସିଥାଏ । ଅଧୁନା ରକ୍ତ ସଞ୍ଚାର ଆନ୍ତର୍ଜାତୀୟ ସୋସାଇଟି (ISBT) ପ୍ରାୟ ୩୫ ପ୍ରକାର ମାନବ ରକ୍ତ ଶ୍ରେଣୀ ପ୍ରଣାଳୀ ଚିହ୍ନଟ କରିସାରିଲେଣି । ଏମାନଙ୍କ ମଧ୍ୟରୁ ଦୁଇଟି ଶ୍ରେଣୀ ଯଥା ଏବିଓ (en:ABO) ଓ ଆରଏଚଡି (RhD antigen) ଶ୍ରେଣୀ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେଗୁଡ଼ିକ ଦ୍ୱାରା ଏବିଓ ରକ୍ତ ଶ୍ରେଣୀ ପ୍ରସ୍ତୁତ ହୁଏ । ଏମାନଙ୍କଦ୍ୱାରା ରକ୍ତ ଶ୍ରେଣୀ (ଏ,ବି,ଏବି,ଓ ସହ +,-) ସ୍ଥିରୀକୃତ ହୁଏ ।
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି । ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଓ ପରବର୍ତ୍ତୀ ମାସ ମାର୍ଗଶୀର । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁ ରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।
ଲାଇମ ରୋଗ ବା ଲାଇମ ବୋରେଲିଓସିସ ଏକ ପ୍ରକାର ସଂକ୍ରମକ ରୋଗ ଯାହା ବୋରେଲିଆ ଟାଇପର ଏକ ଜୀବାଣୁଦ୍ୱାରା ହୁଏ । ଏହି ସଂକ୍ରମଣର ମୂଖ୍ୟ ଲକ୍ଷଣ ହେଉଛି ବିସ୍ତାର ହେଉଥିବା ଏକ ଲାଲ କ୍ଷେତ୍ର ଯାହା ଏରିଦେମା ମାଇଗ୍ରାନସ ନାମରେ ପରିଚିତ; ଏକ ପ୍ରକାର ଟିଙ୍କ କାମୁଡ଼ିବାର ଏକ ସପ୍ତାହ ପରେ ଏହି କାମୁଡ଼ା ସ୍ଥାନରେ ଆରମ୍ଭ ହୁଏ । ଏହି ଲାଲ ଦାଗ ରାସ କଷ୍ଟପ୍ରଦ ନୁହେଁ ବା କୁଣ୍ଡେଇ ହୁଏ ନାହିଁ । ପ୍ରାୟ ୨୫ % ଲୋକଙ୍କର ଏହି ଦାଗ ମଧ୍ୟ ହୁଏନାହିଁ । ଅନ୍ୟ ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବଥା, ଥକ୍କାଣ ଦେଖାଯାଏ । ଅଣଚିକିତ୍ସିତ ହେଲେ ମୁହଁର ଗୋଟିଏ ପାଖ ଚଳତ ଶକ୍ତିହୀନ, ଗଣ୍ଠିକଷ୍ଟ, ଦୃଢ଼ ବେକ ସହିତ ସାଙ୍ଘାତିକ ମୁଣ୍ଡବଥା ଓ ଦୃତ ହୃଦଗତି ଆଦି ଲକ୍ଷଣ ଦେଖାଯାଏ । ମାସ ମାସ ଓ ବର୍ଷ ବର୍ଷ ପରେ ଗଣ୍ଟି ଯନ୍ତ୍ରଣା ଓ ଫୁଲା ବାରମ୍ବାର ଦେଖାଯାଏ । ବାହୁ ଓ ଗୋଡ଼ରେ ସାମୟିକ ଗତିଶୀଳ ଯନ୍ତ୍ରଣା ହୁଏ । ଉପଯୁକ୍ତ ଚିକିତ୍ସା ସତ୍ତ୍ୱେ ୧୦ ରୁ ୨୦ % ରୋଗୀଙ୍କର ଗଣ୍ଠି ଯନ୍ତ୍ରଣା, ସ୍ମରଣ ଶକ୍ତି ହ୍ରାସ ଓ ଅଧିକାଂଶ ସମୟରେ ଥକ୍କା ଅନୁଭବ ହୁଏ ।
ଜୀବସାର ଖ ବା ଭିଟାମିନ ଖ (ଇଂରାଜୀରେ Vitamin B) ଗୋଟିଏ ଭିଟାମିନ ଗୋଷ୍ଠିର ନାମ । ଏହି ଭିଟାମିନ ଦେହର ଜୀବକୋଷ ବିପାକରେ (metabolism) ସାହାଯ୍ୟ କରେ । ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ଵାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି । ଏହି ଗୋଷ୍ଠିରେ ଆଠଟି ଭିଟାମିନ ଥାଏ । ସମସ୍ତଙ୍କୁ ବର୍ଣ୍ଣମାଳାର ଗୋଟିଏ ଅକ୍ଷର 'ଖ' ସାଥୀରେ ଗୋଟିଏ ସଂଖ୍ୟା ଦିଆଯାଇଥାଏ, ଯେପରିକି ଖ୧, ଖ&nଖsp;୨ ଇତ୍ୟାଦି ।