ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ବିଶ୍ଵ ଏଡ୍ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍ସ ଦିବସ ପାଳନ କରାଯାଇଥାଏ ।
ପ୍ୟାର ଅଲଗା ପ୍ରକାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିହତିଲେ ବିବେସିତା ଘଡ଼େଇ ଓ ଅକ୍ଷୟ ପ୍ରଧାନ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହୀରା ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଝିଲିକ ଭଟ୍ଟାଚାର୍ଯ୍ୟ । ବିଜୟ ମହାନ୍ତି, ମିହିର ଦାସ, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ସାଥୀ ତୁ ଫେରିଆ ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ଵାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ଵାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ଵର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା
ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନଖକୁ (nail) ଆକ୍ରମଣ କରେ । ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ, ମୋଟା ହୋଇଯାଏ ଓ ନଖ ସ୍ଥାନଚ୍ୟୁତ (separation of the nail from the nail bed) ହୋଇଯାଏ । ଉଭୟ ପାଦ (Toenails) ଓ ହାତ ନଖ (fingernails) ସଂକ୍ରମିତ ହୁଅନ୍ତି କିନ୍ତୁ ପାଦ ନଖ ଅଧିକ ସଂକ୍ରମିତ ହୁଏ । ରୋଗ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ୍ ହୁଏ । ବିଭିନ୍ନ ପ୍ରକାରର କବକ ଏହି ଓନିକୋମାଇକୋସିସ, ଡର୍ମାଟୋଫାଇଟ (dermatophytes) ଓ ଫୁସାରିଅମ (Fusarium) ସଂକ୍ରମଣ କରନ୍ତି । ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ରହିବ । ନଖ ଚେହେରା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।ଓନିକୋମାଇକୋସିସ ରୋଗର ଚିକିତ୍ସା ଆବଶ୍ୟକ ହୁଏନାହିଁ । ଆଣ୍ଟିଫଙ୍ଗାଲ ଔଷଧ (anti-fungal medication) ମଧ୍ୟରେ ଟରବିନାଫାଇନ ପାଟିରେ ଦେଲେ ପ୍ରଭାବଶାଳୀ ହୁଏ କିନ୍ତୁ ଏହାଦ୍ୱାର ଯକୃତ ସମସ୍ୟା ସୃଷ୍ଟି ହୋଇପାରେ । ରୋଗା ନଖ ଠିକ ଭାବରେ କାଟିଦେଲେ ଉପଯୋଗୀ ହୁଏ । ସାଇକ୍ଲୋପାଇରକ୍ସ (ciclopirox) ଥିବା ନେଲପଲିସ (nail polish) ଏତେ ଉପକାର କରେନି । ଚିକିତ୍ସା କଲେ ମଧ୍ୟ ପ୍ରାୟ ଅଧା ରୋଗୀଙ୍କର ରୋଗ ଲେଉଟିଆସେ । ଚିକିତ୍ସା ପରେ ପୁରୁଣା ଜୋତା ବ୍ୟବହାର ନକଲେ ଏହି ରୋଗ ସଙ୍କଟ କମିଯାଏ । ଜନସଂଖ୍ୟାର ୧୦% ଲୋକଙ୍କର ଏହି ରୋଗ ହୁଏ । ବୟସାଧିକ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ସମୁଦାୟ ନଖ ରୋଗ ମଧ୍ୟରୁ ଅଧା ସଂଖ୍ୟକ ରୋଗ ଏହି ଓନିକୋମାଇକୋସିସ ଯୋଗୁ ହୁଏ । ସନ ୧୮୫୩ରେ ଜର୍ଜ ମେଇସନର (Georg Meissner) ପ୍ରଥମେ ଏହା କବକ ଯୋଗୁ ହେଉଥିବା ପ୍ରକାଶ କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଏଚ.ଆଇ.ଭି. (ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ) ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରୁଥିବା ଏକ ପ୍ରକାର ଭୁତାଣୁ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖିରେ ଦେଖାଯାଏ ନାହିଁ । ଏହି ଭୂତାଣୁ ଯୋଗୁଁ ଏଡସ ରୋଗ ହୋଇଥାଏ ।ଏହି ଭୂତାଣୁ ୨ ପ୍ରକାରର । ଯଥା:- ଏଚ.ଆଇ.ଭି. -୧ ଏଚ.ଆଇ.ଭି -୨ । ଏଡସ୍ ହେଉଛି ଆକ୍ଵାର୍ଡ୍ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ । ଏହାର ଅର୍ଥ ଯଥାକ୍ରମେ ଜଣେ ଅନ୍ୟ ଜଣଙ୍କ ଠାରୁ ଏଚ.ଆଇ.ଭି.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହେଉଛି । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିବ । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ । ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ ପ୍ରଦର୍ଶିତ ହୋଇଥିଲା ।
ହାଡ଼ଫୁଟି, (ଇଂରାଜୀରେ Chickenpox ବା varicella), ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶରେ ଆସିଲେ ହୁଏ । ଏହି ରୋଗର ବିଶେଷତା ହେଲା ଛୋଟ ଛୋଟ ଗଲୁକାରୀ ଫୋଟକା (small blisters) ହୋଇ ଅବଶେଷରେ ତା ଉପରେ ବକଳା ହୁଏ । ଏହା ମୁହଁ, ଛାତି ଓ ପିଠିରେ ଆରମ୍ଭ ହୋଇ ଦେହା ସାରା ମାଡ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାଣ ଓ ମୁଣ୍ଡବଥା ହୁଏ । ଏହି ଲକ୍ଷଣ ଗୁଡ଼ିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ନିମୋନିଆ, ଏନ୍କେଫାଲାଇଟିସ କିମ୍ବା ଚର୍ମରେ ଜୀବାଣୁ ସଂକ୍ରମଣ ହୁଏ । ପିଲାଙ୍କ ଅପେକ୍ଷା ବଡ଼ମାନଙ୍କୁ ଏହି ରୋଗ ଅଧିକ ମାରାତ୍ମକ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବାର ୧୦ରୁ ୨୦ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ । ହାଡ଼ଫୁଟି ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ସହଜରେ ବିସ୍ତାର ଲାଭ କରେ । ଫୋଟକା ବା ରାସ ବାହାରିବାର ୨ ଦିନ ପୂର୍ବରୁ ଏହା ବ୍ୟାପିଯାଏ ଓ ସବୁ ଫୋଟକା ବକଳା ହୋଇସାରିବା ପର୍ଯ୍ୟନ୍ତ ସଂକ୍ରାମକ ହୋଇ ରହେ । ଫୋଟକାକୁ ଛୁଇଁଲେ ମଧ୍ୟ ଏହା ବ୍ୟାପିଯାଏ । ହର୍ପିସ ଜୋସ୍ଟର ରୋଗୀ ହାଡ଼ଫୁଟି ରୋଗକୁ ଫୋଟକା ଇମ୍ମୁନିଟି ନ ଥିବା ଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରନ୍ତି । ରୋଗୀର ଲକ୍ଷଣ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ; ଯଦିଓ ଅସାଧାରଣ କେଶରେ ବକଳା ବା ଫୋଟକା ତରଳ ପଦାର୍ଥ ନେଇ ପଲିମରେଜ୍ ଚେନ ରିଆକ୍ସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ । ଏହି ରୋଗ ସାଧାରଣତଃ ଲୋକଙ୍କୁ ଥରେ ମାତ୍ର ହୁଏ । ହାଡ଼ଫୁଟି ଟିକା ଦେବା ଫଳରେ ରୋଗ ସଂଖ୍ୟା ଓ ଜଟୀଳତା କମିଯାଇଛି । ଟିକାଦ୍ୱାରା ଏହି ରୋଗରୁ ୭୦ରୁ ୯୦ % ଲୋକ ଉପକୃତ ହେଉଛନ୍ତି । ପିଲାମାନଙ୍କୁ ନିୟମିତ ହାଡ଼ଫୁଟି ଟିକା ଦେବାକୁ ଅନେକ ଦେଶରେ ସୁପାରିସ କରାଯାଏ । ରୋଗୀ ସଂସ୍ପର୍ଶରେ ଆସିବାର ୩ ଦିନ ମଧ୍ୟରେ ପିଲାମାନେ ଟିକା ନେଲେ ଫଳାଫଳ ଉନ୍ନତି କରେ । ରୋଗ ହୋଇସାରିବା ପରେ ଗଲୁରୁ ରକ୍ଷା ପାଇବା ନିମନ୍ତେ କାଲାମିନ ଲୋସନ ଲଗେଇବାକୁ ଦିଆଯାଏ, ନଖ କାଟି ଛୋଟ କରିବାକୁ ଉପଦେଶ ଦିଆଯାଏ ଯାହା ଫଳରେ କୁଣ୍ଡେଇଲେ ଆଘାର ହେବ ନାହିଁ, ଜ୍ୱର ହେଲେ ଆସେଟାମିନୋଫେନ ବା ପାରାସେଟାମୋଲ ଦିଆଯାଏ । ରୋଗ ଜଟିଳ ହେବା ଆଶଙ୍କା ଥିଲେ ଆସାଇକ୍ଲୋଭିର ଭଳି ଭୁତାଣୁରୋଧୀ ଔଷଧ ଦିଆଯାଏ । ପୃଥିବୀର ସବୁ ସ୍ଥାନରେ ହାଡ଼ଫୁଟି ହୁଏ । ନିୟମିତ ଟିକା ଦିଆଯିବା ପୂର୍ବରୁ ପ୍ରତି ବର୍ଷ ଜନ୍ମ ହେଉଥିବା ପିଲା ସଂଖ୍ୟା ସଙ୍ଗେ ହାଡ଼ଫୁଟି ରୋଗୀ ସଂଖ୍ୟା ସମାନ ରହୁଥିଲା । ଆମେରିକାରେ ଟିକା ଦିଆଯିବା ପରେ ଏହି ରୋଗ ସଂକ୍ରମଣ ୯୦% କମିଯାଇଛି । ପୃଥିବୀରେ ସନ ୧୯୯୦ରେ ଏହି ରୋଗମୃତ୍ୟୁ ସଂଖ୍ୟା ୮୯୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୭,୦୦୦ ମାତ୍ର ହୋଇଥିଲେ । ପ୍ରତି ୬୦,୦୦୦ ରୋଗୀ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରୁଥିଲା । ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ରୋଗ ବସନ୍ତ ରୋଗଠାରୁ ଅଲଗା ବୋଲି ଜଣା ନ ଥିଲା । ସନ ୧୮୮୮ରେ ହର୍ପିସ ଜୋସ୍ଟର ସହ ଏହାର ସମ୍ପର୍କ ନିରୂପଣ କରାଯାଇ ଥିଲା । ସନ ୧୬୮୪ରେ ପ୍ରଥମେ ଚିକେନପକ୍ସ ବା ହାଡ଼ଫୁଟି ନାମରେ ଏହି ରୋଗ ଲିପିବଦ୍ଧ ହୋଇଥିଲା । ଏହି ନାମ କାହିଁକି ବ୍ୟବହୃତ ହୋଇଥିଲା ତାହା ଜଣାନାହିଁ, ବୋଧହୁଏ ରୋଗ ଅପେକ୍ଷାକୃତ ମୃଦୁ ହୋଇଥିବାରୁ ଏହାର ନାମ ସାଥୀରେ ଚିକେନ ଯୋଡ଼ି ଦିଆଯାଇଥିଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ବିଦ୍ୟୁତପ୍ରଭା ଦେବୀଙ୍କୁ, ଓଡ଼ିଆ ଭାଷାର ଶ୍ରେଷ୍ଠ ମହିଳା କବିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । ନିଜ କାବ୍ୟ ସଙ୍କଳନ 'ସଞ୍ଚୟନ' ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।ରେଭେନ୍ସା ବାଳିକା ବିଦ୍ୟାଳୟରେ ମାତ୍ର ନବମ ଶ୍ରେଣୀ ଯାଏଁ ପଢିଥିବା ବିଦ୍ଯୁତପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷା,ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ । ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କଦ୍ଵାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ 'ସବିତା' ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ବିବାହ ପରେ, ତାଙ୍କ ସ୍ଵାମୀ ପଞ୍ଚାନନ ମହାନ୍ତି ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ ଏବଂ ତାଙ୍କର କବିତା ରଚନା ଅନବରତ ଚାଲିରହିଥିଲା । ୧୯୫୨ ମସିହାରେ ମାତୃତ୍ଵ ଲାଭ କରିବା ପରେ, ବିଦ୍ୟୁତପ୍ରଭା ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କଲେ ଏବଂ ଖୁବ ଲୋକପ୍ରିୟ ହୋଇପାରିଥିଲେ ଓ ବହୁବାର ପୁରସ୍କୃତ ହୋଇଥିଲେ ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ଵର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ଵଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ଵ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ଵତନ୍ତ୍ର ।
ସାଥୀ ତୁ ଫେରିଆ, ୨୦୧୮ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଅନୁଭା ସୌର୍ଯ୍ୟା । ମହାଶ୍ୱେତା ରାୟ, ଶ୍ରୀତମ ଦାସ, ସୁବାଶିଷ ଶର୍ମା, ଆନିଷା ଶର୍ମା, ପିଙ୍କି ପ୍ରଧାନ, ପ୍ରଜ୍ଞା ଖଟୁଆ, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ପ୍ୟାର ଅଲଗା ପ୍ରକାର ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।
ଆକାଶବାଣୀ କଟକ କେନ୍ଦ୍ର ୧୯୪୮ ଜାନୁଆରୀ ୨୮ତାରିଖରେ କଟକର ମିଶନରୋଡ଼ସ୍ଥିତ ମଧୁପୁରକୋଠିଠାରେ ପ୍ରତିଷ୍ଠିତ ହୋଇଥିଲା । ସେହି ଦିନ ଠାରୁ ଆକାଶବାଣୀ କଟକ, ଓଡ଼ିଶା ତଥା ଓଡ଼ିଶା ବାହାର ଲୋକଙ୍କୁ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ପ୍ରଦାନ କରିଆସିଛି । ଓଡ଼ିଶାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା କରିବାରେ, ଡକ୍ଟର ହରେକୃଷ୍ଣ ମହତାବ, ଲକ୍ଷ୍ମୀନାରାୟଣ ସାହୁ, ଭୁବନାନନ୍ଦ ଦାସ, ଆର୍ତ୍ତବଲ୍ଲଭ ମହାନ୍ତି, କାଳିଚରଣ ପଟ୍ଟନାୟକ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି ।ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ "ଭଏସ ଅଫ ଓଡ଼ିଶା ସିଜନ-୨"ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସେ ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ଜୈନଧର୍ମ ଏକ ପ୍ରାଚୀନ ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ । ପଖାଳ ସାଧାରଣତଃ ଦିନରେ (ସକାଳେ) ଖିଆଯାଏ । ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇଥାଆନ୍ତି ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ରେ ବ୍ୟଭିଚାରର ପରିଭାଷା ତଥା ବ୍ୟଭିଚାର ନିମନ୍ତେ ଦଣ୍ଡ ବିଷୟରେ ଉଲ୍ଲେଖ ରହିଅଛି । ଏହି ପରିଭାଷା ଅନୁସାରେ ଜଣେ ପୁରୁଷ ଯଦି ଅନ୍ୟ ସ୍ତ୍ରୀସହ, ଯାହାକୁ ସେ ଅନ୍ୟର ବିବାହିତ ସ୍ତ୍ରୀ ବୋଲି ଜାଣେ, ଉକ୍ତ ପୁରୁଷର ସହମତି ବିନା ସେହି ସ୍ତ୍ରୀର ସହମତିରେ ଯୌନ ସମ୍ଭୋଗ କରେ ତାହା ଆଇନଗତ ଭାବେ ବ୍ୟଭିଚାର ଅପରାଧର ଅନ୍ତର୍ଭୁକ୍ତ ଅଟେ । ବ୍ୟଭିଚାର ଅଭିଯୁକ୍ତ ପୁରୁଷ ପାଇଁ ଦଣ୍ଡର ପ୍ରାବଧାନ ଥିଲେ ବି ବ୍ୟଭିଚାରୀ ସ୍ତ୍ରୀ ପାଇଁ ଦଣ୍ଡର ବ୍ୟବସ୍ଥା ଭାରତୀୟ ଆଇନରେ ନାହିଁ । ତେବେ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ପ୍ରବଧାନ ଅନୁସାରେ ବ୍ୟଭିଚାର ଭଳି ଅପରାଧରେ ଲିପ୍ତ ଥିବା କାରଣରୁ ପତି କିମ୍ବା ପତ୍ନୀ ନିଜର ଜୀବନ ସାଥୀ ବିରୁଦ୍ଧରେ ବିବାହ ବିଚ୍ଛେଦ ପାଇଁ ମକଦ୍ଦମା କରିପାରିବେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ସୁନ୍ଦରଗଡ଼ର ସଲମାନ୍ ଖାନ୍, ୨୦୧୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ରଜ ସମୟରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଥିଲା ଏହି କଥାଚିତ୍ରଟି । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ନବାଗତା ଅଭିନେତ୍ରୀ ଦିବ୍ୟା ମହାନ୍ତି । ଅଭିନେତ୍ରୀ ଦିବ୍ୟା ପୂର୍ବରୁ ତରଙ୍ଗ ଟିଭିରେ ଜୟ ମା ଲକ୍ଷ୍ମୀ ଧାରାବାହିକରେ ମାଆ ଲକ୍ଷ୍ମୀଙ୍କ ଭୂମିରେ ଅଭିନୟ କରିଥିଲେ ଏବଂ ପରେ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ବବି ମିଶ୍ର, ପପୁ ପମ ପମ, ମିହିର ଦାସ, ଉଷସୀ ମିଶ୍ର ସାତ୍ୱକୀ ମିଶ୍ର, ପୁଷ୍ପା ପଣ୍ଡା, କାଳିଆ, ତ୍ରିଭୁବନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'ୟୁ' ମାନ୍ୟତା ପ୍ରଦାନ କରାଯାଇଥିଲା ।