ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। , ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ଵାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ଵାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ଵର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ଵା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ଵିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ଵଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ । ବୟଃପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ର ମିଥିଳା ନରେଶ ରାଜର୍ଷି ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ବିବାହ ହୋଇଥିଲା । ବାଲ୍ମିକୀ ରାମାୟଣ ମତେ ମାର୍ଗଶିର ଶୁକ୍ଳପଞ୍ଚମୀ ଦିନ ସେହି ବିବାହ ଅନୁଷ୍ଠିତ ହୋଇଥିଲା । ରାଜସୁଖକୁ ପରିହାର ପୂର୍ବକ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ରାମଚନ୍ଦ୍ର ଦେବୀସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସ ଯାଇଥିଲେ । ଅରଣ୍ୟରୁ ଅରଣ୍ୟ ଘୂରିବୁଲୁଥିଲେ ଦୁଃଖ ଯନ୍ତ୍ରଣାକୁ ପାଥେୟ କରି । ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା । ରାବଣ ଓ ସମସ୍ତ ରାକ୍ଷାସ ମାନଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର ବେଳକୁ ଚଉଦ ବର୍ଷର ବନବାସ ପୂରିଯାଇଥିଲା । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜସିଂହାସନରେ ଅଭିସିକ୍ତ ହୋଇ ରାଜଧର୍ମ ପାଳନ ଅବସରରେ ପ୍ରଜାକୁଳକୁ ସମ୍ମାନ ଜଣାଇବାକୁ ଯାଇ ଲଙ୍କାରୁ ଉଦ୍ଧାର ସମୟରେ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ । ଶ୍ରୀରାମଙ୍କ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବଜୀବନ ଯାପନ କରିଥିଲେ । ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ଚାଲେ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ସାରୁଙ୍ଗମ୍ ବିମଳା କୁମାରୀ ଦେବୀ ଜଣେ ଭାରତୀୟ ଡାକ୍ତର ଓ ମଣିପୁରର ଇମ୍ଫାଲ ଠାରେ କାର୍ଯ୍ୟରତ ମୁଖ୍ୟ ଚିକିତ୍ସା ଅଧିକାରୀ ସେ ୧୯୭୯ରୁ ମଣିପୁରରେ ମୁଖ୍ୟତଃ ଗ୍ରାମାଞ୍ଚଳରେ କାମ କରି ଆସୁଛନ୍ତି ଓ ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିଦର୍ଶନ ସମୟରେ ସେ ଦୁଇଥର ଖାଦ୍ୟ ନିରାପଦ କାର୍ଯ୍ୟାଳୟର ଅଧ୍ୟକ୍ଷ ହୋଇଛନ୍ତି । ସେ ୨୦୧୪ରେ ଡଃ ବି ଆର୍ ଆମ୍ବେଦକର ଆନ୍ତର୍ଜାତୀୟ ସମ୍ମାନ ଓ ୨୦୧୫ରେ ଚତୁର୍ଥ ବୃହତ୍ତ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ଶିବ ବା ମହାଦେବ ହିନ୍ଦୁମାନଙ୍କ ଶ୍ରେଷ୍ଠ ଦେବତାତ୍ରୟଙ୍କ ମଧ୍ୟରୁ ଅନ୍ୟତମ ଓ ପରମେଶ୍ୱରଙ୍କ ସଂହାରଶକ୍ତି । ମହାଦେବଙ୍କୁ ଶକ୍ତିନିହିତ ଲିଙ୍ଗମୂର୍ତ୍ତିରେ ପୂଜା କରାଯାଏ । ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ। ଅତ୍ରିମୁନି ଏହାଙ୍କର ଗୁରୁ । ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚାଳନାରେ ଏ ଦକ୍ଷ । ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ। ଏହାଙ୍କ ଧନୁର ନାମ ପିନାକ । ଡମରୁ ଏହାଙ୍କ ବାଦ୍ୟ ।ଏହାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର । ଏହାଙ୍କ ବାସ କୈଳାଶଶିଖର । ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ।ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ । ଦେହ ଭସ୍ମ ବୋଳା, ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବହମାନା । ନନ୍ଦୀ ଏହାଙ୍କ ପ୍ରଧାନ ପାର୍ଶ୍ୱଚର । ପ୍ରମଥଗଣ ବା ଭୁତପ୍ରେତ ଏହାଙ୍କର ସହଚର ।ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି଼।ଶିବ ପରାଶକ୍ତିଦ୍ଵାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ଵୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ଵିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ଵେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ଵାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର , ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ଵନ୍ଦର ସମାଧାନ କରିବା ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଆର୍ଯ୍ୟାବର୍ତ୍ତ ଭାରତ ବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଦ୍ଧାମ ରାମେଶ୍ଵର, ପୁରୀ, ବଦ୍ରୀନାଥ ଓ ଦ୍ଵାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ – ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ଵର ଏବଂ ଦ୍ଵାରକା ସାଗର କୂଳରେ ଓ ବଦ୍ରୀନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ଵରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ଵାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି । କାର୍ତ୍ତିକ ଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ଵାର ବନ୍ଦ ରହେ ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ଆପେଣ୍ଡିକ୍ସର ପ୍ରଦାହକୁ ବୁଝାଏ । ଏହି ରୋଗକୁ ଏପିଟାଇଫ୍ଲାଇଟିସ (epityphlitis) ମଧ୍ୟ କୁହାଯାଏ । ଏହି ରୋଗ ହେଲେ ଉଦରର ବାମ ପାର୍ଶର ତଳ ଭାଗରେ ଯନ୍ତ୍ରଣା (abdominal pain), ଅଇ (nausea), ବାନ୍ତି (vomiting) ଓ ଅରୁଚି (decreased appetite) ଭଳି ଲକ୍ଷଣ ଦେଖାଯାଏ । ସୁଖର କଥା ପ୍ରାୟ ୪୦% ରୋଗୀଙ୍କର ଏହି ଭଳି ଲକ୍ଷଣ ଦେଖାଯାଏ ନାହିଁ । ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଯନ୍ତ୍ରଣାଦାୟକ ପେରିଟୋନାଇଟିସ (inflammation of the inner lining of the abdominal wall) ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କଦ୍ଵାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ ବା ଲାପରୋସ୍କୋପିଦ୍ଵାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ଵର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା । କେବଳ ଓଡ଼ିଶାର ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ଏହାର ଶିକାର ହୋଇଥିଲେ ।
ବାନୋ ଜାହାଙ୍ଗୀର କୋୟାଜୀ (୨୨ ଅଗଷ୍ଟ ୧୯୧୮ – ୧୫ ଜୁଲାଇ ୨୦୦୪) ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣରେ ଜଣେ ଭାରତୀୟ ଡାକ୍ତର । ସେ ପୁନେର କିଙ୍ଗ୍ ଏଡୱାର୍ଡ୍ ମେମୋରିଆଲ୍ ଚିକିତ୍ସାଳୟର ନିର୍ଦ୍ଦେଶକ ଥିଲେ ଓ ଭାରତର ତୃତୀୟ ବୃହତ୍ତ ରାଜ୍ୟ ମହାରାଷ୍ଟ୍ରର ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କାମ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଥିଲେ ।
ଓଡ଼ିଶା ପର୍ବପର୍ବାଣୀର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣୀ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନ ଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣୀ ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣୀ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ ଉତ୍କଳୀୟ ପର୍ବପର୍ବାଣୀ ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ଦି ସନ ଅଫ ନେପ୍ଚୁନ ୨୦୧୧ ରେ ଆମେରେକିୟ ଲେଖକ ରିକ ଋଓରଡାନ ଦ୍ଵାରା ଲିଖିତ ଏକ କାଳ୍ପନିକ ଉପନ୍ୟାସ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ଦ୍ଵିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନ ଙ୍କ ପୁତ୍ର ପରସି ଜ୍ଯାକସନ ର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ପ୍ରଥମ ପୁସ୍ତକ ର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକ ର ନାମ "ଦି ମାର୍କ ଅଫ ଏଥେନା"। ଏହି ଉପନ୍ୟାସ ଟି ଗୁଡରିଡସ ଚୟେସ ପୁରସ୍କାର ରେ ମଧ୍ୟ ପୁରସ୍କୃତ ହେଇ ସାରିଛି। ଏହା ଅନେକ ସମୟ ଧରି ସର୍ବଶ୍ରେଷ୍ଠ ବିକ୍ରେତା ଲିଷ୍ଟ ରେ ମଧ୍ୟ ରହିଥିଲା। ଏହା ପ୍ରଥମେ ଅକ୍ଟୋବର ୪ ୨୦୧୧ ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତମାନ ଏହା ଇବୂକ ଅଡିଓ ବୂକ ଭାବରେ ମଧ୍ୟ ଉପଲବ୍ଧ । ବର୍ତମାନ ଏହା ୩୭ ଟି ଭାଷା କୁ ଅନୁବାଦ କରା ସରିଛି।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କୁ ହିନ୍ଦୁଧର୍ମ ବିଶ୍ଵାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ଵର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।
ପ୍ରମୁଖ ଅବସାଦ ବେମାରୀ (ଇଂରାଜୀ ଭାଷାରେ Major depressive disorder/ MDD) ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ । ଏହା ସହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ । ଏହା ସହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ (false beliefs) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା (see or hear things that others cannot) ଦେଖାଯାଏ । କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ସର୍ବଦା ଅବସାଦ ରହେ । ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ । ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି, ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ/ (mood disorder) ଥାଏ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି । ଏହାର ବ୍ୟବହାର ଓ ସିଦ୍ଧାନ୍ତ ଗୁଡିକ ଉପରେ ଗବେଷଣା କରି ଏହାର ବିଭାଗୀକରଣ କରାଯାଇଛି । ଏହାର କିଛି ବିଷୟକୁ ଆମର ଦୈନନ୍ଦିନ ଜୀବନରେ ସଫଳ ଭାବେ ବ୍ୟବହାର କରାଯାଇପାରୁଥିବା ବେଳେ, ଅନ୍ୟ କଛି ବିଷୟକୁ କେବଳ ସମ୍ୟକ ଧାରଣା ଓ ଅନୁମାନକୁ ଆଧାର କରି ଭବିଷ୍ୟତରେ ଗବେଷଣା ପାଇଁ ବିଷୟବସ୍ତୁ ଭାବରେ ନିଆଯାଉଛି ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସ
ଓଡ଼ିଶା ପ୍ରଚୀନ ସମୟରେ କଳିଙ୍ଗ ନାମରେ ଜଣାଶୁଣା ଥିଲା । କଳିଙ୍ଗବାସୀଙ୍କର ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ପୂର୍ବରୁ ଆରମ୍ଭ ହୋଇସାରିଥିଲା ବୋଲି କେତେକ ପ୍ରାଚୀନ ସୂତ୍ରରୁ ଜଣାପଡେ । ଏହି ଅଞ୍ଚଳର ବ୍ୟବସାୟୀ/ସାଧବମାନେ ବଙ୍ଗୋପସାଗର ପାରକରି ଦକ୍ଷିଣ-ପୂର୍ବ ଏସିଆ ଓ ଚୀନ ସହିତ ବ୍ୟବସାୟିକ ସମ୍ବନ୍ଧ ସ୍ଥାପନ କରି ପାରିଥିଲେ । ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନରେ କଳିଙ୍ଗର ସଂସ୍କୃତିର ଛାପ ଦେଖିବାକୁ ମିଳେ । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି । ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲି ଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ ।