ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭାରତୀୟ ସଂଖ୍ୟା ପ୍ରଣାଳି ମୁଖ୍ୟତଃ ଭାରତୀୟ ଉପମହାଦେଶରେ (ଭାରତ, ନେପାଳ, ବର୍ମା, ପାକିସ୍ଥାନ, ମାଳଦ୍ଵୀପ ଏବଂ ଶ୍ରୀଲଙ୍କା) ବ୍ୟବହୃତ ସଂଖ୍ୟା ପଦ୍ଧତି ଉପରେ ଆଧାରିତ । ଏହି ପ୍ରଣାଳିରେ ବ୍ୟବହୃତ ଲକ୍ଷ (୧,୦୦,୦୦୦) ତଥା କୋଟି(୧,୦୦,୦୦,୦୦୦), ବିଶେଷ ଭାବରେ ଇଂରାଜୀ ପ୍ରଣାଳିରେ ବୃହତ୍ତର ସଂଖ୍ୟାର ପ୍ରକାଶ ନିମିତ୍ତ ବ୍ୟବହାର କରାଯାଏ । ଉଦାହରଣ ସ୍ଵରୂପ, ୧୫୦,୦୦୦ ଟଂକାକୁ ୧.୫ ଲକ୍ଷ ଟଂକା କିମ୍ବା ୩୦,୦୦୦,୦୦୦ ଟଂକାକୁ ୩ କୋଟି ଭାବେ ବ୍ୟବହାର କରିବା ବିଶେଷ ଭାବେ ଦେଖାଯାଏ । କୋଟିଏରୁ ବୃହତ୍ତର ସଂଖ୍ୟା ପାଇଁଁ ନିର୍ଦ୍ଦିଷ୍ଟ ପରିଭାଷା ଥିଲେ ହେଁଁ ଏହାର ବିଶେଷ ବ୍ୟବହାର ଦେଖିବାକୁ ମିଳେ ନାହିଁଁ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ଵାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) ମାସ କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣା ସଙ୍କ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ । ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ କଂସଙ୍କଦ୍ୱାରା ଦଣ୍ଡିତ ହୋଇଥିଲେ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୁରୁବାରୀ ମେହେର, ବ୍ରିଟିଶ ଶାସନ ଶେଷ କରିବା ସଂଗ୍ରାମର ଏକ ଅଂଶ ଭାବେ ଭାରତର ଜଣେ ରାଜାଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ପ୍ରଜା ମଣ୍ଡଳରେ ତାଙ୍କର ଯୋଗଦାନ, ଏହି ଅବଦାନର ଛୋଟିଆ ସୂଚନା ବ୍ୟତୀତ ତାଙ୍କ ସମ୍ବନ୍ଧରେ ଆଉ କେଉଁଠି ଜାଣିବାକୁ ମିଳେନି । ଭାରତ ସ୍ୱାଧୀନତା ପାଇବାର ଅଳ୍ପ କିଛି ମାସ ପୂର୍ବରୁ, ୨୮ ଜାନୁଆରୀ ୧୯୪୭ରେ, ପ୍ରାଦେଶିକ ରାଜ୍ୟ ସୋନପୁରର ରାଜା ବିନିକାରେ ଆତଙ୍କ ହେତୁ କିଛି ଅଞ୍ଚଳ ହରାଇଥିଲେ । ରାଜାଙ୍କ ବ୍ରିଟିଶ୍ ପ୍ରୀତି ପାଇଁ ଲୋକମାନେ ଆନ୍ଦୋଳନ କରିଥିଲେ । ଗୁରୁବାରୀ ମେହେରଙ୍କ ନେତୃତ୍ୱରେ, ୨୦୦୦୦ ସ୍ୱାଧୀନତା ସଂଗ୍ରାମୀ ରାଜାଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲେ । ପୋଲିସ୍ର ଲାଠି ଚାଳନାରେ ଗୁରୁବାରୀଙ୍କର ମୃତ୍ୟୁ ହୋଇଥିଲା । ସମ୍ବଲପୁରରୁ ପ୍ରକାଶିତ ଦୈନିକ ଆଶାରେ, 'ଭିକ୍ଟରି ଫର୍ ଦି ପିପୁଲ୍ ଅଫ୍ ସୋନ୍ପୁର୍' ଶୀର୍ଷକରେ ଏକ ଖବର ବାହାରିଥିଲା, ଯାହା ତାଙ୍କର ଅବଦାନର ଏକମାତ୍ର ସାକ୍ଷୀ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ (ହିନ୍ଦୀ : कंचन चौधरी भट्टाचार्य) ଜଣେ ଉତ୍ତରାଖଣ୍ଡର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଓ ବର୍ତ୍ତମାନ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ଉତ୍ତରାଖଣ୍ଡର ହରିଦ୍ୱାର ଲୋକସଭା ମଣ୍ଡଳୀରୁ ଆମ୍ ଆଦମୀ ପାର୍ଟି ତରଫରୁ ଲଢ଼ିଥିଲେ । ସେ ଆରକ୍ଷୀ ମହାନିର୍ଦ୍ଦେଶକ ହେବାରେ ପ୍ରଥମ ମହିଳା ଥିଲେ ଓ ୩୧ ଅକ୍ଟୋବର ୨୦୦୭ ଅବସର ଗ୍ରହଣ କରିଥିଲେ । ସେ କିରଣ ବେଦୀଙ୍କ ପରେ ଦେଶର ଦ୍ୱିତୀୟ ଆଇପିଏସ୍ ଅଫିସର୍ ଥିଲେ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ବେଜିଂ , ଚୀନର ରାଜଧାନୀ ଅଟେ। ଏହା ପୃଥିବୀର ଦ୍ୱିତୀୟ ଜନାକୀର୍ଣ୍ଣ ସହର। ଏହି ସହର ଚୀନର ଉତ୍ତର ଭାଗରେ ଅବସ୍ଥିତ। ଚୀନର ସରକାର ଏହି ସହରକୁ ସିଧାସଳଖ ମହାନଗର ନିଗମ ଭାବେ ପରିଚାଳିତ କରୁଛନ୍ତି ଓ ଏହା ସହିତ ଜାତୀୟ ସରକାର ଅଧୀନରେ ୧୬ଟି ପୌରାଞ୍ଚଳ, ଉପ-ପୌରାଞ୍ଚଳ ଓ ଗ୍ରାମ୍ୟାଞ୍ଚଳ ଶାସିତ ହେଉଛନ୍ତି। ବେଜିଂ ଉଭୟ ଆଧୁନୀକ ଓ ପାରମ୍ପରିକ ସ୍ଥାପତ୍ୟର ମିଶ୍ରଣ ଅଟେ। ବେଜିଂ ଶିକ୍ଷା,ରାଜନିତୀ,ଅର୍ଥନିତୀ,ଇତିହାସ,ପରମ୍ପରା,ପ୍ରଯୁକ୍ତି ବିଦ୍ୟା ଆଦିରେ ଅନେକ ପ୍ତିପତ୍ତି ହାସଲ କରିସାରିଛି। ସିଙ୍ଘଘାଇ ପରେ ବେଜିଂ ଦ୍ୱିତୀୟ ଚାଇନିଜ୍ ସହର ଯେଉଁଟାକି ପୌରଞ୍ଚଳବାସୀଙ୍କ ଦ୍ୱରାରା ଜନାକୀର୍ଣ୍ଣ ଏବଂ ଏହା ଦେଶର ରାଜନିତୀ,ପରମ୍ପରା ଓ ଶିକ୍ଷାର କ୍ଷେତ୍ର ମଧ୍ୟ ଅଟେ। ୨୦୧୦ ମସିହା ପରଠାରୁ ବେଜିଂ ରାଜଧାନୀ ଅନ୍ତର୍ଜାତୀୟ ବିମାନବନ୍ଦର ପୃଥିବୀର ବହୁଳ ଯାତ୍ରୀମାନଙ୍କ ପାଇଁ ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଲଟିଛି।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ଥର୍ମୋପିଲୀ ଯୁଦ୍ଧ ଗ୍ରୀକ ନଗର ରାଜ୍ୟ ମାନଙ୍କର ଏକ ସଂଗଠନ ଏବଂ ପାରସ୍ୟ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଏକ ଯୁଦ୍ଧ, ଯାହା ପାରସ୍ୟର ଦ୍ୱିତୀୟ ଗ୍ରୀକ ଆକ୍ରମଣ ସମୟରେ ତିନିଦିନ ଧରି ହୋଇଥିଲା । ୧ମ ଜେରକ୍ସେସଙ୍କ ନେତୃତ୍ତ୍ୱରେ ଆକ୍ରମଣ କରିଥିବା ପାରସ୍ୟ ସୈନ୍ୟବାହିନୀକୁ ଗ୍ରୀକମାନେ ରାଜା ଲିଓନାଇଡ଼ସଙ୍କ ନେତୃତ୍ତ୍ୱରେ ସାମନା କରିଥିଲେ । ଏହି ଯୁଦ୍ଧ ଆର୍ଟମେସିୟମର ନୌଯୁଦ୍ଧ ସହ ଏକ ସମୟରେ, ଖୀ.ପୂ. ୪୮୦ ର ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଥର୍ମୋପିଲୀଠାରେ ସଂଗଠିତ ହୋଇଥିଲା । ଏହି ଆକ୍ରମଣ ପାରସ୍ୟର ଖୀ.ପୂ. ୪୯୦ ର ପ୍ରଥମ ଗ୍ରୀକ ଆକ୍ରମଣ ଓ ମାରାଥନ ଯୁଦ୍ଧରେ ଏଥେନ୍ସଠାରୁ ପରାସ୍ତ ହେବାର ବିଳମ୍ବିତ ପ୍ରତିକ୍ରିୟା ଥିଲା । ଖୀ.ପୂ.
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । , ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି ।
ଉଇକିପିଡ଼ିଆ' (i /ˌwɪkɪˈpiːdi.ə/ or i /ˌwɪkiˈpiːdi.ə/ wik-i-pee-dee-ə) ଏକ ଖୋଲା ୱେବକୁ ନେଇ ତିଆରି ମିଳିତ ବହୁଭାଷୀ ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର ଉଇକିଆଳିଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ । ଉଇକିପିଡ଼ିଆ ୨୦୦୧ ମସିହାରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ । ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ସମାଜ ବିଜ୍ଞାନ ସାମାଜିକ ବ୍ୟବହାର ଓ ଅନୁଷ୍ଠାନର ଏକାଡେମିକ୍ ପାଠ ଅଟେ । ଗୋଟିଏ ସମାଜଶାସ୍ତ୍ର ଭାବରେ ଏହା ଅନୁଭବଜନ୍ୟ ଓ ସମୀକ୍ଷାତ୍ମକ ପଦ୍ଧତି ବ୍ୟବହାର କରି ସାମାଜିକ ବ୍ୟବସ୍ଥା,ସାମାଜିକ ଅବ୍ୟବସ୍ଥା ତଥା ସାମାଜିକ ପରିବର୍ତ୍ତନ ବିଷୟରେ ଜ୍ଞାନ ଅର୍ଜନ କରିବାରେ ସାହାଯ୍ୟ କରେ । ପାରମ୍ପରିକ ଭାବରେ ସମାଜବିଜ୍ଞାନର ଫୋକସ୍ ସାମାଜିକ ସ୍ତରୀକରଣ, ସାମାଜିକ ବର୍ଗ, ସାମାଜିକ ଗତିଶିଳତା, ଧର୍ମ, ଆଇନ୍, ଯୌନତା ଓ ବିପତତା ଆଦି ବିଷୟରେ ରହିଆସିଅଛି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍ର ଶେହେନ୍ଶାହ, ସୁପର୍ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା । ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ । ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍ସ୍ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍ଫ୍ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍ରେ ନିଜ ପାଦ ଥାପିଥିଲେ ।
ଷଠି ଓଷା (ଷଠୀ ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି । ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
ଦୀପକ ମିଶ୍ର, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୪୫ତମ ମୁଖ୍ୟ ବିଚାରପତି । ୨୮ ଅଗଷ୍ଟ ୨୦୧୭ରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରି ୨୦୧୮ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ । ଏହି ପଦ ଅଳଙ୍କୃତ କରିବାରେ ସେ ତୃତୀୟ ଓଡ଼ିଆ । ତାଙ୍କ ପୂର୍ବରୁ ରଙ୍ଗନାଥ ମିଶ୍ର ୨୧ତମ ମୁଖ୍ୟ ବିଚାରପତି ଭାବେ ୨୫ ସେପ୍ଟେମ୍ବର ୧୯୯୦ରୁ୨୪ ନଭେମ୍ବର ୧୯୯୧ପର୍ଯ୍ୟନ୍ତ ଓ ଗୋପାଳବଲ୍ଲଭ ପଟ୍ଟନାୟକ ୩୨ତମ ମୁଖ୍ୟ ବିଚାରପତି ଭାବରେ ୮ ନଭେମ୍ବର ୨୦୦୨ରୁ ୧୯ ଡିସେମ୍ବର ୨୦୦୨ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ଥିଲେ ।
ଆଲୋପେସିଆ ଏରିଆଟା (ଇଂରାଜୀ ଭାଷାରେ Alopecia areata, also known as spot baldness) ଏକ ବେମାରୀ ଯେଉଁଥିରେ ଦେହର ଯେ କୌଣସି ଗୋଟିଏ ବା ସବୁ ସ୍ଥାନରୁ ବାଳ ଝଡ଼ିଯାଏ (hair is lost) । ଅଧିକାଂଶ ସମୟରେ ମୁଣ୍ଡ ଉପରେ ମୁଦ୍ରା ଆକାରର କିଛି ସ୍ଥାନ ନଣ୍ଡା (bald spots) ଦେଖାଯାଏ । ଏହି ବେମାରୀ ଯୋଗୁ ମାନସିକ ଚାପ (Psychological stress) ବୃଦ୍ଧି ପାଏ । ଏହି ଲୋକମାନେ ସାଧାରଣତଃ ସୁସ୍ଥ ରହନ୍ତି । କେତେକ ଲୋକଙ୍କର ବାଳ ଶୂନ୍ୟ ମଥା (all the hair on the scalp) ବା ବାଳ ଶୂନ୍ୟ ଶରୀର (all body hair is lost) ହୋଇଯାଏ ଓ ଏହା ସ୍ଥାୟୀ ହୋଇ ରହେ ।
ଆହେ ଦୟାମୟ ବିଶ୍ଵ ବିହାରୀ ଓଡ଼ିଆ ଭାଷାର ଏକ ପାର୍ଥନା । ଏହା ଓଡ଼ିଆ ଶିକ୍ଷକ ଓ କବି ରାମକୃଷ୍ଣ ନନ୍ଦଙ୍କ "ଝୁମୁକା" କବିତା ସଂକଳନରୁ ଆନୀତ । ଏହି ପାର୍ଥନାଟି ଗାନ୍ଧୀଙ୍କର ସାବରମତି ଆଶ୍ରମର ପ୍ରାର୍ଥନା ସଭାରେ ବୋଲାଯାଉଥିଲା। ପାରମ୍ପରିକ ଭାବେ ଏହି ଗୀତଟିକୁ ଓଡ଼ିଶୀ ସଙ୍ଗୀତର ଚକ୍ରକେଳି ବୃତ୍ତର ଛାନ୍ଦ ଭାବେ ଗାୟନ କରାଯାଏ । ଗୀତଟି ଓଡ଼ିଆ ଚଳଚ୍ଚିତ୍ର ବଳିଦାନରେ ମଧ୍ୟ ସ୍ଥାନ ପାଇଥିଲା ।
ଲୈଲା ଓ ଲୈଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ରୱାଲ । ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ୨୦୧୮ ମସିହା ନୂଆବର୍ଷ ପୂର୍ବରୁ ଡିସେମ୍ବର ୨୯ରେ ମୁକ୍ତିଲାଭ କରିବାର ଅଛି ।
ମାୟାଧର ମାନସିଂହ (୧୯୦୫-୧୯୭୩) ଖୋର୍ଦ୍ଧା ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ଵବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ବଳରାମ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର କବି ଥିଲେ । ସେ ଓଡ଼ିଆରେ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିୟାଇଛନ୍ତି । ତାହାଙ୍କ ରଚିତ ଓଡ଼ିଆ ରାମାୟଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୂତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।