ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦–୯ ସେପ୍ଟେମ୍ବର ୧୯୮୦), ଜଣେ ଓଡ଼ିଆ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୨୧ ଫେବୃଆରୀ ୧୯୬୫ ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ସେ ଅନେକ ବିଷୟ ବିଧାନ ସଭାରେ ଉପାସ୍ଥାପନ କରିଥିଲେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ଵାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ଵାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କ ଗୁଡିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ଵରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ପ୍ରତିବର୍ଷ ଅପ୍ରେଲମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ ଡେ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମେ ଆର୍ଥ ଡେ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ଵର ୧୭୫ଟି ଦେଶରେ ଆର୍ଥ ଡେ ପାଳିତ ହେଉଛି ।
ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଅଛନ୍ତି । ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୮ ଏପ୍ରିଲ ୩ରେ ଦ୍ଵିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱର ସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ବଳରାମ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର କବି ଥିଲେ । ସେ ଓଡ଼ିଆରେ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିୟାଇଛନ୍ତି । ତାହାଙ୍କ ରଚିତ ଓଡ଼ିଆ ରାମାୟଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୂତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦) ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି । ଏହାର ବ୍ୟବହାର ଓ ସିଦ୍ଧାନ୍ତ ଗୁଡିକ ଉପରେ ଗବେଷଣା କରି ଏହାର ବିଭାଗୀକରଣ କରାଯାଇଛି । ଏହାର କିଛି ବିଷୟକୁ ଆମର ଦୈନନ୍ଦିନ ଜୀବନରେ ସଫଳ ଭାବେ ବ୍ୟବହାର କରାଯାଇପାରୁଥିବା ବେଳେ, ଅନ୍ୟ କଛି ବିଷୟକୁ କେବଳ ସମ୍ୟକ ଧାରଣା ଓ ଅନୁମାନକୁ ଆଧାର କରି ଭବିଷ୍ୟତରେ ଗବେଷଣା ପାଇଁ ବିଷୟବସ୍ତୁ ଭାବରେ ନିଆଯାଉଛି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ଵାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ଉଇକିପିଡ଼ିଆ' (i /ˌwɪkɪˈpiːdi.ə/ or i /ˌwɪkiˈpiːdi.ə/ wik-i-pee-dee-ə) ଏକ ଖୋଲା ୱେବକୁ ନେଇ ତିଆରି ମିଳିତ ବହୁଭାଷୀ ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର ଉଇକିଆଳିଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ । ଉଇକିପିଡ଼ିଆ ୨୦୦୧ ମସିହାରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ । ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r
ମହାବଳ ବାଘ (Panthera tigris tigris), ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବାଘ ପ୍ରଜାତି ଅଟେ । ଭାରତରେ ଏହାର ସଂଖ୍ୟା ୧୭୦୬-୧୯୦୯ ହୋଇଥିବାବେଳେ ବଙ୍ଗଳାଦେଶରେ ୪୪୦, ନେପାଳରେ ୧୬୩-୨୫୩ ଓ ଭୁଟାନରେ ଏମାନଙ୍କ ସଂଖ୍ୟା ୬୭-୮୧ ଅଟେ । ୨୦୧୦ ମସିହା ଠାରୁ ଏହାକୁ ଏକ ବିପଦ ସଙ୍କୁଳ ପ୍ରଜାତି ଭାବେ IUCN (International Union for Conservation of Nature) ଘୋଷଣା କରିଛି । ବାଘ, ଉଭୟ ବଙ୍ଗଳାଦେଶ ଓ ଭାରତର ଜାତୀୟ ପଶୁ ଅଟେ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଫେସନ ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଧୁର ଭଣ୍ଡାରକର, ଦେବେନ୍ ଖୋଟେ, ରୋନୀ ସ୍କୃବାଲା, ଜରିନ୍ ମେହେତା । ଅଜୟ ମୋଙ୍ଗା ଏହି କଥାଚିତ୍ରଟିର କାହାଣୀ ଏବଂ ଚିନତ୍ରନାଟ୍ୟ ରଚନା କରିଥିଲେ । ମଧୁର ଭଣ୍ଡାରକର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପାକିସ୍ତାନୀ ସଙ୍ଗୀତକାର ଭାଇ ଦ୍ୱୟ ସଲିମ-ସୁଲେମାନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଏବଂ ଗୀତିକାର ଇର୍ଫାନ ସିଦ୍ଦିକ୍ ଓ ସନ୍ଦୀପ ନାଥ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ଵାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ High body temperature, ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ Seizures, ରାବଡୋମାୟୋଲାଇସିସ, ବୃକ୍କ ଫେଲ (kidney failure) ଆଦି ଲକ୍ଷଣମାନ ଦେଖାଯାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ। ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ। ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ। କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ।
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
କୌଣସି ସୁ-ଗଠିତ ବୈଦୁତିକ ପରିପଥର ଯଦି ଉତ୍ପାଦ-ଅଗ୍ର ଥାଏ, ତେବେ ଏହି ଅଗ୍ରକୁ ଯୋଡା ହୋଇଥିବା ପରିପଥକୁ ଭାର କୁହାଯାଏ । (ଏହି ଶବ୍ଦ 'ଭାର', ପରିପଥଦ୍ଵାରା ବ୍ୟବହୃତ ଶକ୍ତିକୁ ମଧ୍ୟ ସୁଚେଇଥାଏ ।) ଭାର, ବୈଦୁତିକ ପରିପଥର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ଯାହାର ଉତ୍ପାଦ ଗୁଡ଼ିକ ବିଦୂତ ବିଭବ କିମ୍ବା ବିଦ୍ୟୁତ ସ୍ରୋତଗୁଡ଼ିକ ଅଟେ, ଯେପରିକି ସେନ୍ସରଗୁଡ଼ିକ, ବିଦ୍ୟୁତ ବିଭବ ଉତ୍ସଗୁଡ଼ିକ, ଏବଂ ଅମ୍ପ୍ଲିଫାୟରଗୁଡ଼ିକ. ମୁଖ୍ୟ ଶକ୍ତି ନିର୍ଗମଦ୍ଵାରଗୁଡ଼ିକ ଏକ ସହଜ ଉଦାହରଣ ଯୋଗେଇଦେଇଥାଏ: ସେମାନେ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ ବିଭାବାନ୍ତରରେ ଶକ୍ତି ଯୋଗେଇଥାନ୍ତି, with electrical appliances connected to the power circuit collectively making up the load.
ପଣିକିଆ (ଅନ୍ୟନାମ: ପଣକିଆ) ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ଏକ ଓଡ଼ିଆ ଗାଣିତିକ ହିସାବ ପ୍ରଣାଳୀ ଯାହା ଓଡ଼ିଶାରେ ବିଦ୍ୟାଳୟମାନଙ୍କରେ ଶିଶୁମାନଙ୍କୁ ଶିଖାଯାଇଥାଏ । ଆଗ କାଳରେ ବ୍ୟବହୃତ ହେଉଥିବା ପଣ (ବା ଅଣା)କୁ ନେଇ କରାଯାଉଥିବା ହିସାବରୁ ଏହାର ଆରମ୍ଭ । ପଣିକିଆ ପ୍ରତି ସଂଖ୍ୟାର ଏକଗୁଣ ଠାରୁ ଦଶ ଗୁଣ ପର୍ଯ୍ୟନ୍ତ ଥାଏ । ପ୍ରତି ସଂଖ୍ୟା ବା ଖନ୍ଦାର ପଣିକିଆକୁ ଉକ୍ତ ସଂଖ୍ୟାରେ 'କ' ଲଗାଇ ଏକକ, ଦୁଇକ, ତିନିକ ଏହିପରି ପଚିଶିକ ପଣିକିଆ ପର୍ଯ୍ୟନ୍ତ ମୁଖସ୍ଥ କରିବାକୁ ପଡ଼େ । ଗୁଣନ ମନେରଖିବାରେ ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ପଣକିଆ/ପଣିକିଆ ଶିଖାଯାଏ । ଯଥା- ଦୁଇକ, ପଣକିଆ- ଦୁଇ କୋ ଦୁଇ. ଦୂଇ ଦୂଣେ/ଦୂଗୁଣ ଚାରି, ଦୁଇ ତିରି ଛଅ...
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ନରସିଂହ (नरसिंह - Narasiṃha) ବା ନୃସିଂହ (नृसिंह, Nṛsiṃha), ହେଉଛନ୍ତି ଏକାଧାରରେ ନର ଓ ସିଂହ। ଶ୍ରୀମଦ୍ଭାଗବତ, ସ୍କନ୍ଧ ପୁରାଣ ଏବଂ ଗୀତ ଗୋବିନ୍ଦରେ ବର୍ଣ୍ଣିତ ଦଶ ଅବତାର ଭିତରୁ ସତ୍ୟ ଯୁଗୀୟ ଚତୁର୍ଥ ଅବତାର ହେଲେ ନରସିଂହ। ନିଜ ଭକ୍ତ ପ୍ରହ୍ଲାଦର ମାନ ରକ୍ଷା କରିବାକୁ, ଭକ୍ତର ବଚନ "ଭଗବାନ ସବୁ ଜାଗାରେ ଅଛନ୍ତି"କୁ ସତ୍ୟ ପ୍ରମାଣିତ କରିବାକୁ ଓ ଦୁଷ୍ଟ ଅସୁର ହିରଣ୍ୟକଶିପୁର ବଧ କରିବାକୁ ଭୀଷଣକାୟ ନୃସିଂହ ରୂପରେ ସେ ଖମ୍ବରୁ ପ୍ରକଟ ହୋଇଥିଲେ ଓ ନିଜର ତୀକ୍ଷ୍ଣ ନଖପଂକ୍ତିରେ ହିରଣ୍ୟକଶିପୁର ବକ୍ଷକୁ ଚିରି ତାକୁ ହତ୍ୟା କରିଥିଲେ।