ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ଵକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ଵାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ଵେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ହାଇପରଥାଇରଏଡିଜମ, ଅନ୍ୟ ନାମ over active thyroid ଓ ହାଇପରଥାଇରିଓସିସ, ଏକ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥିରୁ ଅତ୍ୟଧିକ ଥାଇରଏଡ ହରମୋନ ନିର୍ଗତ ହୁଏ । ଯେ କୌଣସି କାରଣରୁ ଅତ୍ୟଧିକ ଥାଇରଏଡ ହରମୋନ ସ୍ରାବ ହେଲେ ଥାଇରୋଟକ୍ସିକୋସିସ ରୋଗ ହୁଏ ଓ ହାଇପରଥାଇରଏଡିଜମ ଏହାର ଅନ୍ତର୍ଭୁକ୍ତ । ଏହି ଦୁଇ ନାମକୁ ଅନେକ ଇଚ୍ଛାନୁଯାୟୀ ବ୍ୟବହାର କରନ୍ତି । ଲୋକ ଅନୁସାରେ ଚିହ୍ନ ଓ ଲକ୍ଷଣ ବିବିଧ ହୁଏ । ଏହି ଲକ୍ଷଣ ଗୁଡ଼ିକ: ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ୍ ସ୍ପନ୍ଦନ, ଉତ୍ତାପ ଅସହିଷ୍ଣୁତା, ତରଳ ଝାଡ଼ା, ବର୍ଦ୍ଧିଷ୍ଣୁ ଥାଇରଏଡ ଗ୍ରନ୍ଥି ଓ ଓଜନ ହ୍ରାସ । ବୟସ୍କ ଲୋକ ଓ ଗର୍ଭାବସ୍ଥାରେ ଏହି ରୋଗ ଲକ୍ଷଣ କମ ଦେଖାଯାଏ । ଏକ ଅସାଧାରଣ ଜଟିଳତାର ନାମ ଥାଇରଏଡ ଝଡ଼ ଯେଉଁଥିରେ ସଂକ୍ରମଣ ହୋଇ ମାନସିକ ଦ୍ୱନ୍ଦ ଓ ଉଚ୍ଚ ଉତ୍ତାପ ହୁଏ ଓ ଶେଷରେ ମୃତ୍ୟୁ ହୁଏ । ଏହି ରୋଗର ଏକ ବିପରୀତ ଅବସ୍ଥା ହେଉଛି ହାଇପୋଥାଇରଏଡିଜମ ଯେଉଁଥିରେ ସ୍ୱଳ୍ପ ଥାଇରଏଡ ହରମୋନ ସ୍ରାବ ହୁଏ । ଆମେରିକାରେ ହେଉଥିବା ହାଇପରଥାଇରଏଡିଜମ ରୋଗର କାରଣ ମଧ୍ୟରୁ ୫୦ %ରୁ ୮୦% କେବଳ ଗ୍ରେଭସ ଡିଜିଜ । ଅନ୍ୟାନ୍ୟ କାରଣ: ମଲ୍ଟିନୋଡ୍ୟୁଲାର ଗଏଟର, ଟକସିକ ଆଡେନୋମା, ଥାଇରଏଡ ପ୍ରଦାହ ଓ ଅତ୍ୟଧିକ ଆୟୋଡିନ ଖାଦ୍ୟ ବା ସିନଥେଟକ ଥାଇରଏଡ ହରମୋନ ଖାଇଲେ ଏହି ରୋଗ ହୁଏ । ଅସାଧାରଣ କେଶ ମଧ୍ୟରେ ପିଟୁଇଟାରି ଆଡେନୋମା ସମ୍ଭବ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ । ରକ୍ତ ପରୀକ୍ଷାରେ କମ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ଓ ଅଧିକ ଟି୩ କିମ୍ବା ଟି୪ ଥାଏ ।.
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରା ୧୮୬୧ ମସିହାରେ ଭାରତରେ ବ୍ରିଟିଶ ଶାସନ (୧୫୩୩ ବଗେରି ଆଇନ ଅନୁସାରେ ପ୍ରଣୀତ) ସମଲିଙ୍ଗୀ ସମ୍ବନ୍ଧ ସମେତ "ପ୍ରକୃତି ନିୟମ ବିରୋଧୀ" ଯୌନସମ୍ବନ୍ଧକୁ ବେଆଇନ ଓ ଦଣ୍ଡନୀୟ କରିଥିଲା । ଏହି ଧାରାରେ ପୂର୍ବରୁ ଦଣ୍ଡନୀୟ ଥିବା "ପ୍ରାପ୍ତବୟସ୍କଙ୍କ ସହମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କ"କୁ ୨୦୧୮ ମସିହାରେ ଉଚ୍ଚତମ ନ୍ୟାୟାଳୟ ଅଣସାମ୍ବିଧାନିକ ଭାବେ ଘୋଷଣା କରି ଦଣ୍ଡମୁକ୍ତ କରିଦେଇଛନ୍ତି । ଏହି ଧାରାକୁ ପ୍ରଥମେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ୨୦୦୯ରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଅନୁସାରେ ଯୌନସଂଗମ ଆଧାରରେ କାଟିଦିଆଯାଇଥିଲା । ଏହି ବିଚାର ଭାରତୀୟ ଉଚ୍ଚତମ ନ୍ୟାୟାଳୟଦ୍ୱାରା ୨୦୧୩ ଡିସେମ୍ବର ୧୧ରେ ନାକଚ କରିଦେଇଥିଲେ ଓ ୩୭୭ ଧାରାରେ ପରିବର୍ତ୍ତନ ନ୍ୟାୟତାନ୍ତ୍ରିକ ନ ହୋଇ ଭାରତୀୟ ସଂସଦଦ୍ୱାରା ହେବା ଉଚିତ ବୋଲି ମତଦେଇଥିଲେ । ୨୦୧୬ ଫେବୃଆରୀ ୬ରେ ନାଜ ଫାଉଣ୍ଡେସନ ଓ ଅନ୍ୟମାନଙ୍କଦ୍ୱାରା ପ୍ରେରିତ ଏକ ନିବାରକ ଆବେଦନର ବିଚାର କରାଯାଇଥିଲା । ତତ୍କାଳୀନ ମୁଖ୍ୟ ବିଚାରପତି ଟି.ଏସ. ଠାକୁରଙ୍କ ନେତୃତ୍ୱରେ ପରିଚାଳିତ ଏକ ତିନିଜଣିଆ ବେଞ୍ଚ କହିଥିଲେ ଯେ ଆଠଟି ଯାକ ଆବେଦନ ଆଉଥରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ବେଞ୍ଚଦ୍ୱାରା ସମୀକ୍ଷା ହେବ ।୨୦୧୭ ଅଗଷ୍ଟ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଗୋପନୀୟତାର ଅଧିକାରକୁ "ପୁଟ୍ଟସ୍ୱାମୀ ବିଚାର"କୁ ଆଖିରେ ରଖି ଭାରତୀୟ ସମ୍ବିଧାନର ଏକ ମୌଳିକ ଅଧିକାର ଭାବେ ପ୍ରଣୟନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ସମାନତାକୁ ସମର୍ଥନ କରି ଭେଦଭାବକୁ ନିନ୍ଦାକରିଥିଲେ, ଏବଂ ଏଲଜିବିଟି ଲୋକମାନଙ୍କ ଅଧିକାର ମୂଳରେ ଥିବା ଯୌନ ସମ୍ବନ୍ଧ-ବିବିଧତାର ସୁରକ୍ଷାକୁ ସାମ୍ବିଧାନିକ କରିଥିଲେ । ଏହି ବିଚାର ୩୭୭ ଧାରାକୁ ଅଣସାମ୍ବିଧାନିକ ପ୍ରମାଣ କରିବାରେ ଯଥେଷ୍ଟ ଥିଲା ବୋଲି ବିଶ୍ୱାସ କରାଯାଇଥାଏ ।୨୦୧୮ ଜାନୁଆରୀରେ ଉଚ୍ଚତମ ନ୍ୟାୟାଳୟ ନାଜ ଫାଉଣ୍ଡେସନ ମାମଲାରେ ହୋଇଥିବା ନିଷ୍ପତିର ପୁନର୍ବିଚାର ପାଇଁ ସମ୍ମତି ଦେଇଥିଲେ । ୬ ସେପ୍ଟେମ୍ବର ୨୦୧୮ ରେ ନ୍ୟାୟାଳୟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନଭତେଜ ସିଂହ ଜୋହର ବନାମ ଭାରତ ମାମଲାରେ ବିଚାର ପ୍ରଦାନ କରି ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି । ଏହି ନିଷ୍ପତି ଆଧାରରେ ୩୭୭ ଆଂଶିକ ଭାବେ ଅଣସାମ୍ବିଧାନିକ ବୋଲି ଘୋଷିତ ହୋଇଛି । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠରେ ଆର୍.ଏଫ୍.ନରିମନ୍, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଏ.ଏମ୍.
ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସ
ଓଡ଼ିଶା ପ୍ରଚୀନ ସମୟରେ କଳିଙ୍ଗ ନାମରେ ଜଣାଶୁଣା ଥିଲା । କଳିଙ୍ଗବାସୀଙ୍କର ସାମୁଦ୍ରିକ ବାଣିଜ୍ୟ ଖ୍ରୀଷ୍ଟପୂର୍ବ ୩୫୦ ପୂର୍ବରୁ ଆରମ୍ଭ ହୋଇସାରିଥିଲା ବୋଲି କେତେକ ପ୍ରାଚୀନ ସୂତ୍ରରୁ ଜଣାପଡେ । ଏହି ଅଞ୍ଚଳର ବ୍ୟବସାୟୀ/ସାଧବମାନେ ବଙ୍ଗୋପସାଗର ପାରକରି ଦକ୍ଷିଣ-ପୂର୍ବ ଏସିଆ ଓ ଚୀନ ସହିତ ବ୍ୟବସାୟିକ ସମ୍ବନ୍ଧ ସ୍ଥାପନ କରି ପାରିଥିଲେ । ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନରେ କଳିଙ୍ଗର ସଂସ୍କୃତିର ଛାପ ଦେଖିବାକୁ ମିଳେ । ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀମୂଳକଳ୍ପରେ ବଙ୍ଗୋପସାଗରକୁ “କଳିଙ୍ଗ ସାଗର” ବୋଲି କୁହାଯାଇଛି । ଏହା ସେହି ସମୟର ସାମୁଦ୍ରିକ ବାଣିଜ୍ୟରେ କଳିଙ୍ଗର ଏକଛତ୍ର ପ୍ରଭାବର ସୂଚନା ଦିଏ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପାଳିତ ହେଉଥିବା ବାଲି ଯାତ୍ରା, ବୋଇତ ବନ୍ଦାଣ ଏହି ମହାନ ଇତିହାସର ଜୀବନ୍ତ ସାକ୍ଷୀ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ମୋଲୁସ୍କମ କୋଣ୍ଟାଜିଓସମ ବା ଏମସି (Molluscum contagiosum or MC ଅନ୍ୟ ନାମ ୱାଟର ୱାର୍ଟ) ଏକ ଭୁତାଣୁ ସଂକ୍ରମଣ (viral infection) ଯାହା ଚର୍ମରେ (skin) ହୁଏ ଓ ଏକ ଛୋଟ ପିଙ୍କ ରଙ୍ଗର ଫୁଲା ଦେଖାଯାଏ ଯାହା ମଝିରେ ଏକ ଛୋଟ ଗାତ ଥାଏ । ବେଳେ ବେଳେ ଏହି ଗଲୁ କରେ ଓ ଘାଆ ମଧ୍ୟ ହୋଇପାରେ । ଏକକ ବା ଦଳଗତ ଭାବରେ ମଧ୍ୟ ରୋଗ ଦେଖାଯାଇପାରେ । ମୁଖ ମଣ୍ଡଳରେ ଏହା ସର୍ବାଧିକ ଦେଖାଯାଏ ଓ ଏହା ବ୍ୟତୀତ ଉଦର, ଗୋଡ଼, ବାହୁ, ବେକ, ଯୌନାଙ୍ଗମାନଙ୍କର ଚର୍ମରେ ଦେଖାଯାଏ । ସଂକ୍ରମଣର ପ୍ରାୟ ୭ ସପ୍ତାହ ପରେ ଏହା ଆରମ୍ଭ ହୁଏ । ସାଧାରଣତଃ ଏକ ବର୍ଷ ମଧ୍ୟରେ ଏହା ଉପଶମ ହୋଇଯାଏ ଓ କୌଣସି ସ୍କାର ଦାଗ (scarring) ଛାଡ଼ିଯାଏ ନାହିଁ ।ମୋଲୁସ୍କମ କୋଣ୍ଟାଜିଓସମ ରୋଗ ଏକ ପ୍ରକାର ପକ୍ସଭିରିଡି (poxvirus) ଭୁତାଣୁ ଯୋଗୁ ହୁଏ ଓ ଏହି ଭୁତାଣୁକୁ ମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (molluscum contagiosum virus ବା MCV) ମଧ୍ୟ କୁହାଯାଏ । ଯୌନ ସମ୍ପର୍କ (sexual activity) ଓ ସାଧାରଣ ସଂସ୍ପର୍ଶରେ ଆସିଲେ ଓ ପ୍ରଦୂଷିତ ପଦାର୍ଥ ବ୍ୟବହାର କରିବାଦ୍ୱାରା ଏହି ରୋଗ ବ୍ୟାପିଥାଏ । ନିଜ ଦେହର ବିଭିନ୍ନ ସ୍ଥାନକୁ ସ୍ୱୟଂ ରୋଗୀଦ୍ୱାରା ସଂକ୍ରମିତ ହୋଇଥାଏ । ବିଭିନ୍ନ ସଙ୍କଟଦାୟୀ କାରଣମାନଙ୍କ ନାମ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ (weak immune system), ଆଟୋପିକ ଡର୍ମାଟାଇଟିସ ଓ ସଂଖ୍ୟାଧିକ ଲୋକଙ୍କ ଏକତ୍ର ବାସ କରିବା ଯୋଗୁ ହୁଏ । ଏକ ସଂକ୍ରମଣ ପରେ ରୋଗୀ ପୁନଃସଂକ୍ରମିତ ହୋଇପାରେ । ଏହି ରୋଗକୁ ଦେଖି ନିର୍ଣ୍ଣୟ କରାଯାଏ ।ପ୍ରତିଷେଧ ପାଳନରେ ହାତଧୁଆ (hand washing) ଓ ବ୍ୟକ୍ତଗତ ଜିନିଷ ନ ବାଣ୍ଟିବା ମୁଖ୍ୟ ସ୍ଥାନ ଅଧିକାର କରିଛି । ଏହି ଚର୍ମ ରୋଗର ଚିକିତ୍ସା ଏତେ ଆବଶ୍ୟକ ନହେଲେ ମଧ୍ୟ ଅସୁନ୍ଦର ଦେଖାଯିବାରୁ ଓ ବ୍ୟାପିବା ରୋକିବାକୁ ଅନେକ ରୋଗୀ ଏହାକୁ ବିଦାୟ କରିବାକୁ ଇଚ୍ଛୁକ ହୁଅନ୍ତି । କ୍ରାୟୋ ଥେରାପି (freezing) ସାହାଯ୍ୟରେ, ଅପରେଶନ କରି ଏହାକୁ କୋରି ବାହାର କରିଦେବା ଓ ଲେଜର ସାହାଯ୍ୟରେ ଏହାର ଚିକିତ୍ସା କରାଯାଇପାରେ । କୋରିବାଦ୍ୱାରା (Scraping) ସ୍କାର ବା କ୍ଷତ ଦାଗ ରହିଯାଏ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ଵରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ ଶିଳ୍ପକୁ କେବଳ ବ୍ୟବସାୟିକ ଦୃଷ୍ଟିରେ ଦେଖାଯାଏ ନାହିଁ, ବରଂ ଏହା ଆମ ସଂସୃତିର ଏକ ପରିଭାଷା । ପିଢି ପିଢି ଧରି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି ।
ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ବିକାର ଯାହା ମୂଖ୍ୟତଃ ସାଇନୋଭିଆଲ ଗଣ୍ଠିମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ଗଣ୍ଠି ଉଷୁମ ହୁଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ବିଶ୍ରାମ ପରେ ଗଣ୍ଠି ଅଧିକ ଶକ୍ତ ହୋଇଯାଏ ଓ ଅଧିକ କଷ୍ଟ ହୁଏ । ସାଧାରଣତଃ ମଣିବନ୍ଧ/କଚଟିରେ ଓ ହାତରେ ଏହି ରୋଗ ଅଧିକ ହୁଏ ଓ ଦୁଇ ପାଖରେ ସମାନ ଗଣ୍ଠିରେ ରୋଗ ହୁଏ । ଦେହର ଅନ୍ୟ ସ୍ଥାନରେ ମଧ୍ୟ ଏହି ରୋଗ ହୁଏ । ଏହି ରୋଗ ଫଳରେ ଅଳ୍ପ ସଂଖ୍ୟକ ଲୋହିତ ରକ୍ତ କଣିକା, ଫୁସଫୁସ ଚାରିପାଖରେ ପ୍ରଦାହ ଓ ହୃତ୍ପିଣ୍ଡ ଚାରିପାଖରେ ପ୍ରଦାହ ହୁଏ । ଜ୍ୱର ଓ ଶକ୍ତିହୀନତା ଦେଖାଯାଏ । ଏହାର ଲକ୍ଷଣମାନ ଧୀରେ ଧୀରେ ସପ୍ତାହ ଓ ମାସ ବ୍ୟାପି ଦେଖାଯାଏ । ରିଉମାଟଏଡ ଆର୍ଥ୍ରାଇଟିସ ରୋଗର କାରଣ ଜଣାଯାଉନଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହେବା ବିଶ୍ୱାସ କରାଯାଏ । ଗଣ୍ଠିମାନଙ୍କୁ ଆକ୍ରମଣ କରିବାକୁ ଦେହର ଅନ୍ତର୍ନିହିତ ପ୍ରକ୍ରିୟା (mechanism) ଇମ୍ମ୍ୟୁମ ସିସ୍ଟମକୁ ପ୍ରଭାବିତ କରାଏ । ଏହା ଫଳରେ ଗଣ୍ଠି ସାଇନୋଭିଆଲ ଆବରଣ ମୋଟା ହୋଇଯାଏ । ଗଣ୍ଠି ମଧ୍ୟରେ ଥିବା ଅସ୍ଥି ଓ ଉପାସ୍ଥି ମଧ୍ୟ ଆକ୍ରମଣର ଶୀକାର ହୁଅନ୍ତି । ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଏକ୍ସରେ ଓ ଲାବୋରେଟରି ପରୀକ୍ଷାଦ୍ୱାରା ଏହା ନିର୍ଣ୍ଣୟାତ୍ମକ ହୁଏ ଓ ସମାନ ଧରଣର ଲକ୍ଷଣ ଥାଇ ଅନ୍ୟ ରୋଗମାନଙ୍କୁ ପୃଥକ କରାଯାଏ । ସେହି ପୃଥକ ରୋଗମାନଙ୍କ ନାମ: ସିସ୍ଟେମିକ ଲୁପସ ଏରିଦେମାଟସ, ସୋରିଆଟିକ ଆର୍ଥ୍ରାଇଟିସ ଓ ଫାଇବ୍ରୋମ୍ୟାଲଜିଆ । ରିଉମାଟଏଡ ଚିକିତ୍ସାର ଲକ୍ଷ କଷ୍ଟ ଲାଘବ କରିବା, ପ୍ରଦାହ କମେଇବା ଓ ଲୋକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା । ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବହାର କରି ଲୋକକୁ କାର୍ଯ୍ୟକ୍ଷମ କରାଯାଏ । କଷ୍ଟ ନିବାରକ ଔଷଧ, ସ୍ଟିରଏଡ ଓ ଏନଏସଆଇଡି ଇତ୍ୟାଦି ବହୁଳ ଭାବରେ ବ୍ୟବହାର କରାଯାଏ । ରୋଗ ପରିବର୍ତ୍ତନକ୍ଷମ ଆଣ୍ଟିରିଉମାଟକ ଔଷଧ (ଡିଏମଏଆରଡି) ବ୍ୟବହାରକରି ରୋଗର ପ୍ରଗତିକୁ ଧୀର କରିବାକୁ ଚେଷ୍ଟା କରାଯାଏ । ଏହିଭଳି ଔଷଧଗୁଡ଼ିକର ନାମ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ମେଥୋଟେକ୍ସେଟ । କିଛି ଔଷଧ କାମ ନ କଲେ ଜୈବିକ ଡିଏମଏଆରଡି ବ୍ୟବହାର କରାଯାଏ, କିନ୍ତୁ ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ହାର ଅଧିକ ଥାଏ । ଗଣ୍ଠି ମରାମତ ଅପରେଶନ, ଗଣ୍ଠି ବଦଳ ଅପରେଶନ ଓ କେତେକ କେଶରେ ଗଣ୍ଠି ଜୋଡ଼େଇ ଅପରେଶନ ସାହାଯ୍ୟ କରେ । ଅଧିକାଂଶ ଅଲଟରନେଟିଭ ମେଡିସିନର କାର୍ଯ୍ୟକ୍ଷମତା ପ୍ରମାଣିତ ହୋଇନାହିଁ । ବିକଶିତ ଦେଶମାନଙ୍କରେ ରିଉମାଟଏଡ ଆର୍ଥ୍ରାଇଟିସ ୦.୫ରୁ ୧% ବୟଃପ୍ରାପ୍ତ ଲୋକଙ୍କୁ ଆକ୍ରମଣ କରେ ଓ ତନ୍ମଧ୍ୟରୁ ବାର୍ଷିକ ପ୍ରତି ୧୦୦,୦୦୦ରେ ୫ରୁ ୫୦ ଜଣ ନୂଆ ରୋଗ ଚିହ୍ନଟ ହୁଏ । ମଧ୍ୟ ବୟସରେ ଏହି ରୋଗ ଅଧିକ ହୁଏ ଓ ପରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ୨.୫ ଗୁଣ ଅଧିକ ରୋଗ ହୁଏ । ସନ ୧୯୯୦ରେ ରୋଗମୃତ୍ୟୁ ୨୮,୦୦୦ ହୋଇଥିଲା ବେଳେ ସନ ୨୦୧୩ରେ ଏହି ବଢ଼ିଯାଇ ୩୮,୦୦୦ ହୋଇଥିଲା । ପ୍ୟାରିସରେ ରହୁଥିବା ଡାଃ ଅଗଷ୍ଟିନ ଜାକବ ଲାଣ୍ଡ୍ରେ-ବିଉଭେସ (୧୭୭୨–୧୮୪୦) ପ୍ରଥମେ ୧୮୦୦ ମସିହାରେ ଏହି ରୋଗର ବର୍ଣ୍ଣନା କରିବା ଜଣାଯାଇଛି । ଗ୍ରୀକ ଭାଷାର ଜଳୀୟ ଓ ପ୍ରଦାହସମ୍ପର୍ଣ୍ଣ ଗଣ୍ଠି ଉପରେ ରିଉମାଟଏଡ ଆର୍ଥ୍ରାଇଟିସ ପର୍ଯ୍ୟବେଶିତ ।
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Stevens–Johnson syndrome ବା ଏସଜେଏସ/ SJS) ଏକ ପ୍ରକାର ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ରୋଗକୁ କୁହାଯାଏ । ଏସଜେଏସ ଅଳ୍ପ ସାଂଘାତିକ ହୋଇ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis ବା ଟେନ/ TEN) ସହିତ ମିଶି ଏକ ସ୍ପେକ୍ଟ୍ରମ ସୃଷ୍ଟି କରେ । ଆରମ୍ଭରେ ଫ୍ଲୁ ଭଳି ଲକ୍ଷଣ ଓ ଜ୍ୱର ହୁଏ । ଅଳ୍ପ କିଛି ଦିନ ପରେ ଫୋଟକା ହୁଏ ଓ ଚୋପା ଛାଡ଼ି ସେ ଯାଗା ଖୋଲା ରହିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ପ୍ରଭାବିତ ହୁଏ । ରୋଗ ଜଟିଳ ହେଲେ ନିର୍ଜଳନ (dehydration), ସେପ୍ସିସ୍, ନିମୋନିଆ, ଓ ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ହୁଏ ।ଏହି ରୋଗର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଲାମୋଟ୍ରିଜିନ (lamotrigine), କାର୍ବାମାଜେପିନ (carbamazepine), ଆଲୋପ୍ୟୁରିନଲ (allopurinol), ସଲଫୋନାମାଇଡ ଆଣ୍ଟିବାୟୋଟିକ (sulfonamide antibiotics) ଓ ନେଭିରାପିନ (nevirapine) ଔଷଧମାନ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ସଂକ୍ରମଣ ମଧ୍ୟରେ ମାଇକୋପ୍ଲାଜମା ନିମୋନି (Mycoplasma pneumoniae), ସାଇଟୋମେଗାଲୋଭାଇରସ (cytomegalovirus) ନାମ ଉଲ୍ଲେଖଯୋଗ୍ୟ ରହିବା ସହିତ କେତେକ କାରଣ ଅଜ୍ଞାତ ଅଛି । ସଙ୍କଟ କାରକମାନଙ୍କ ନାମ ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଜେନେଟିକସ୍ (genetics) । ପ୍ରାୟ ୧୦%ରୁ କମ୍ ଚର୍ମ ପ୍ରଭାବିତ ହୋଇଥିଲେ ଏହି ରୋଗ ସନ୍ଦେହ କରାଯାଏ । ପ୍ରାୟ ୩୦%ରୁ ଅଧିକ ପ୍ରଭାବିତ ହୋଇଥିଲେ ଏହାକୁ ଟିଇଏନ ନାମ ଦିଆଯାଏ ଓ ୧୦ରୁ ୩୦% ଭିତରେ ଥିଲେ ଇଣ୍ଟରମିଡିଏଟ କୁହାଯାଏ । ଏରିଥେମା ମଲ୍ଟିଫର୍ମ (Erythema multiforme ବା ଇଏମ/ EM) ଏକ ସ୍ୱତନ୍ତ୍ର ରୋଗ । ଏହି ରୋଗୀଙ୍କୁ ଡାକ୍ତରଖାନାର ବର୍ଣ୍ଣ ୟୁନିଟ (burn unit) ବା ଆଇସିସିରେ (intensive care unit) ଚିକିତ୍ସା କରାଯାଏ । ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication), ଆଣ୍ଟିହିସ୍ଟାମିନ (antihistamines), ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ଦିଆଯାଏ । ଟିଇଏନ ସହିତ ଏହି ରୋଗ ପ୍ରାୟ ଏକ ନିୟୁତରେ ବର୍ଷକୁ ୧ରୁ୨ ଜଣକୁ ଆକ୍ରମଣ କରେ । ମହିଳା ସଂଖ୍ୟାର ୨ଗୁଣ ପୁରୁଷଙ୍କୁ ଏହି ରୋଗ ହୁଏ । ପ୍ରାୟ ୩୦ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ । ଚର୍ମ ସାଧାରଣତଃ ୨/୩ ସପ୍ତାହ ମଧ୍ୟରେ ପୁନଃ ସୃଷ୍ଟି ହୁଏ; ସମ୍ପୁର୍ଣ୍ଣ ଭଲ ହେବାକୁ ମାସ ମାସ ବିତିଯାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ବିଦ୍ୟୁତପ୍ରଭା ଦେବୀଙ୍କୁ, ଓଡ଼ିଆ ଭାଷାର ଶ୍ରେଷ୍ଠ ମହିଳା କବିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । ନିଜ କାବ୍ୟ ସଙ୍କଳନ 'ସଞ୍ଚୟନ' ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।ରେଭେନ୍ସା ବାଳିକା ବିଦ୍ୟାଳୟରେ ମାତ୍ର ନବମ ଶ୍ରେଣୀ ଯାଏଁ ପଢିଥିବା ବିଦ୍ଯୁତପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷା,ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ । ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କଦ୍ଵାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ 'ସବିତା' ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ବିବାହ ପରେ, ତାଙ୍କ ସ୍ଵାମୀ ପଞ୍ଚାନନ ମହାନ୍ତି ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ ଏବଂ ତାଙ୍କର କବିତା ରଚନା ଅନବରତ ଚାଲିରହିଥିଲା । ୧୯୫୨ ମସିହାରେ ମାତୃତ୍ଵ ଲାଭ କରିବା ପରେ, ବିଦ୍ୟୁତପ୍ରଭା ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କଲେ ଏବଂ ଖୁବ ଲୋକପ୍ରିୟ ହୋଇପାରିଥିଲେ ଓ ବହୁବାର ପୁରସ୍କୃତ ହୋଇଥିଲେ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ଵଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା
୧୯୩୬ରେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ଗଠନ ହେବା ପରେ ରାଜ୍ୟପାଳ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କ ତାଲିକା:
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ଵାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ବେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ।
ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ଵିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
କମ୍ପୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।