ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ପଶ୍ଚିମ ଓଡ଼ିଶା ( ଇଂରାଜୀ : Western Odisha ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । ଏହାକୁ କୋଶଳ ଅଞ୍ଚଳ ବୋଲି କହାଯାଏ । ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା । ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ ସାଂସ୍କୃତିକ ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା । ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ KBK ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ଵାରା ସ୍ଵତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି । ପୁଣି ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ' ( WODC ) ଗଠନ କରିଛନ୍ତି ।
ବାଲୁଙ୍କେଶ୍ୱର ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଥିବା କଷବା-ଷାଠିବାଟିରେ ଅବସ୍ଥିତ ଏକ ପୁରାତନ ଶିବ ମନ୍ଦିର । ଏଠାରେ ବାଲୁଙ୍କେଶ୍ୱର ପୂଜା ପାଇଥାନ୍ତି । ଆଗରୁ କଷବା ଓ ଷାଠିବାଟିରେ ବହୁଥିବା ଜୁଣେଇ ନଦୀର ଶୁଖିଲା ଶଯ୍ୟାରେ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହା ଏକାଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ଯାଜପୁରର କଇଆଁଗୋଲା ରାସ୍ତାର ମଙ୍ଗଳପୁରଠାରୁ ବଡକୁଆଁଲ ରାସ୍ତାରେ ୧.୫ କି.ମି.ଗଲେ ଥାଲକୁଡ଼ି ପଞ୍ଚାୟତର କଷବା ଏବଂ ପାଲଟପୁର ପଞ୍ଚାୟତର ଷାଠିବାଟିରେ ବାଲୁଙ୍କେଶ୍ୱର ମନ୍ଦିର ରହିଛି ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ଵର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବକ ମାନଙ୍କ ଅବଦାନଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ଵର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ବରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ଵାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ବାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ଵର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ନବଜାତ କାମଳ (ଇଂରାଜୀ ଭାଷାରେ Neonatal jaundice) ଏକ ରୋଗ ଯେଉଁଥିରେ ଅଧିକ ବିଲିରୁବିନ (bilirubin) ସ୍ତର ଥିବାରୁ ନବଜାତ ଶିଶୁର ଚକ୍ଷୁର ଧଳା ଅଂଶ (white part of the eyes) ଓ ଚର୍ମର (skin) ରଙ୍ଗ ହଳଦିଆ (yellowish discoloration) ଦେଖାଯାଏ ଯାହାକୁ ଜଣ୍ଡିସ କୁହାଯାଏ । ଶିଶୁ ଅତ୍ୟଧିକ ନିଦ୍ରାଳୁ ହୁଏ ଓ କମ ଖାଦ୍ୟ ଖାଏ । ରୋଗ ଜଟିଳ ହେଲେ ବାତ (Seizures), ସେରେବ୍ରାଲ୍ ପାଲ୍ସି ଓ କେର୍ନିକ୍ଟେରସ (kernicterus) ହୋଇପାରେ ।ଅନେକ ନବଜାତ କାମଳ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଶରୀରତ୍ତ୍ୱିକ କାରଣ ଥିବା ଜଣାଯାଏ ନାହିଁ । ଅନ୍ୟ ଅନେକ କେଶ୍ରେ ହେମୋଲାଇସିସ ବା ଭଙ୍ଗା ଲୋହିତ ରକ୍ତ କଣିକା (Red blood cell breakdown), ଯକୃତ ରୋଗ (liver disease), ସଂକ୍ରମଣ (infection), ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (hypothyroidism), ମେଟାବୋଲିକ ରୋଗ (metabolic disorders) ଏହାର କାରଣ ଥିବା ଜଣାଯାଏ । ରକ୍ତରେ ବିଲିରୁବିନ ସ୍ତର ୩୪μମୋଲ/ଲିରୁ (୨୮ମି:ଗ୍ରା:/ଡେ:ଲି:) ଅଧିକ ଥାଏ । ପ୍ରାୟତଃ ସୁସ୍ଥ ଥିବା ଶିଶୁଙ୍କର ୧୮ମି:ଗ୍ରା:/ଡେ:ଲି:ରୁ ଅଧିକ ଥିଲେ ଚିନ୍ତାର କାରଣ ହୁଏ ଯଦି ଜନ୍ମର ପ୍ରଥମ ଦିନରେ କାମଳ ଥାଏ, ବିଲିରୁବିନ ସ୍ତର ଦୃତ ଗତିରେ ବଢ଼ିଲେ, କାମଳ ୨ ସପ୍ତାହରୁ ଅଧିକ ରହିଲେ ଓ ଶିଶୁ ଅସୁସ୍ଥ ହେଲେ । ଏହି ଭଳି ଅବସ୍ଥା ଥିଲେ କାରଣ ଅନୁସନ୍ଧାନ କରିବା ଆବଶ୍ୟକ ହୁଏ ।ଶିଶୁର ବୟସ, ଅନ୍ତର୍ନିହିତ କାରଣ ଓ ବିଲିରୁବିନ ସ୍ତର ଉପରେ ଚିକିତ୍ସା ନିର୍ଭର କରେ । ଚିକିତ୍ସା ସମୟରେ ଅଧିକ ଥର ଖୁଏଇବା, ଫୋଟୋଥେରାପି (phototherapy) ଓ ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusions) ଆବଶ୍ୟକ ହୋଇପାରେ । ସମୟ ପୂର୍ବ ଜାତ ଶିଶୁର ତୁରନ୍ତ ସତର୍କ ଚିକିତ୍ସା ଆବଶ୍ୟକ ହୁଏ । ଶରୀରତାତ୍ତ୍ୱିକ କାମଳ ସାଧାରଣତଃ ୭ ଦିନରେ ଭଲ ହୋଇଯାଏ । ନବଜାତ ଶିଶୁ ମଧ୍ୟରୁ ଏହି ରୋଗୀମାନଙ୍କର ପ୍ରଥମ ସପ୍ତାହ ମଧ୍ୟରେ କାମଳ ଦେଖାଯାଏ । ସମୟ ପୂର୍ବ ଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୮୦% ଶିଶୁ ଏହି ରୋଗର ଶିକାର ହୁଅନ୍ତି ।
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଅାଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ବିଶାଳ ଆନ୍ଦୋଳନର ରୂପ ନେଇଥିଲା ଯାହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪ ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା। ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ଵୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଅାଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ବାମାପଦ ତ୍ରିପାଠୀ ଏବେ ସମାଜର ସମ୍ପାଦକ ଏବଂ ନିରଞ୍ଜନ ରଥ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରା ୧୮୬୧ ମସିହାରେ ଭାରତରେ ବ୍ରିଟିଶ ଶାସନ (୧୫୩୩ ବଗେରି ଆଇନ ଅନୁସାରେ ପ୍ରଣୀତ) ସମଲିଙ୍ଗୀ ସମ୍ବନ୍ଧ ସମେତ "ପ୍ରକୃତି ନିୟମ ବିରୋଧୀ" ଯୌନସମ୍ବନ୍ଧକୁ ବେଆଇନ ଓ ଦଣ୍ଡନୀୟ କରିଥିଲା । ଏହି ଧାରାରେ ପୂର୍ବରୁ ଦଣ୍ଡନୀୟ ଥିବା "ପ୍ରାପ୍ତବୟସ୍କଙ୍କ ସହମତି ଆଧାରରେ ସମଲିଙ୍ଗୀ ଯୌନ ସମ୍ପର୍କ"କୁ ୨୦୧୮ ମସିହାରେ ଉଚ୍ଚତମ ନ୍ୟାୟାଳୟ ଅଣସାମ୍ବିଧାନିକ ଭାବେ ଘୋଷଣା କରି ଦଣ୍ଡମୁକ୍ତ କରିଦେଇଛନ୍ତି । ଏହି ଧାରାକୁ ପ୍ରଥମେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ୨୦୦୯ରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସମ୍ମତି ଅନୁସାରେ ଯୌନସଂଗମ ଆଧାରରେ କାଟିଦିଆଯାଇଥିଲା । ଏହି ବିଚାର ଭାରତୀୟ ଉଚ୍ଚତମ ନ୍ୟାୟାଳୟଦ୍ୱାରା ୨୦୧୩ ଡିସେମ୍ବର ୧୧ରେ ନାକଚ କରିଦେଇଥିଲେ ଓ ୩୭୭ ଧାରାରେ ପରିବର୍ତ୍ତନ ନ୍ୟାୟତାନ୍ତ୍ରିକ ନ ହୋଇ ଭାରତୀୟ ସଂସଦଦ୍ୱାରା ହେବା ଉଚିତ ବୋଲି ମତଦେଇଥିଲେ । ୨୦୧୬ ଫେବୃଆରୀ ୬ରେ ନାଜ ଫାଉଣ୍ଡେସନ ଓ ଅନ୍ୟମାନଙ୍କଦ୍ୱାରା ପ୍ରେରିତ ଏକ ନିବାରକ ଆବେଦନର ବିଚାର କରାଯାଇଥିଲା । ତତ୍କାଳୀନ ମୁଖ୍ୟ ବିଚାରପତି ଟି.ଏସ.
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଲଭ୍ ଏକ୍ସପ୍ରେସ୍, ୨୦୧୮ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ସନ୍ମୀରା ନାଗେଶ । ବବି ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ଵାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।