ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭୂମିକମ୍ପର ତୀବ୍ରତା ମାପ କରିବା ପାଇଁ ଏକ ପ୍ରକାର ସ୍କେଲ ବ୍ୟବହାର କରାଯାଏ । ଏହାକୁ ରିକ୍ଟର ସ୍କେଲ୍ କୁହାଯାଏ । ୧୯୩୫ ମସିହାରେ ଆମେରିକାର ଚାର୍ଲସ ଫ୍ରାଙ୍କିସ୍ ରିକ୍ଟର ଏହାକୁ ବାହାର କରିଥିଲେ । ଏହା "୦' ଠାରୁ ଆରମ୍ଭ କରି ୧୨ ପର୍ଯ୍ୟନ୍ତ ଭୂମିକମ୍ପ ତୀବ୍ରତାକୁ ମାପ କରିପାରେ । ଏଥିରେ ପ୍ରତିଟି ସଂଖ୍ୟା ତାହାର ପୂର୍ବ ସଂଖ୍ୟାଠାରୁ ୧୦ ଗୁଣ ଅଧିକ ହୋଇଥାଏ । ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୦ରୁ କମ୍ ହୋଇଥିଲେ ତାହାକୁ ଜାଣିହୁଏ ନାହିଁ । ମାତ୍ର ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବା ତା ଠାରୁ ଅଧିକ ହୋଇଥିଲେ ତାହା କ୍ଷୟକ୍ଷତି ଘଟାଇଥାଏ । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ରୁ ଅଧିକ ହେଲେ ସେହି ଭୂମିକମ୍ପ ଜନିତ କ୍ଷୟ କ୍ଷତି ଅତି ଭୟାବହ ହୋଇଥାଏ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମିରର ସୀଣ୍ଡ୍ରୋମ , ଟ୍ରିପଲ ଏଡିମା କିମ୍ବା ବ୍ୟାଲେନଟାଇନ ସୀଣ୍ଡ୍ରୋମ ଗର୍ଭବତୀ ମହିଳା ମାନଙ୍କୁ ପ୍ରଭାବିତ କରିବା ପାଇଁ ଏକ ଦୁର୍ଲଭ ଉପଦ୍ରବ ଅଟେ । ଭ୍ରୂଣର ଅସାମାନ୍ୟତା ସଙ୍ଗୀତର ବର୍ଣ୍ଣନା କରିଥାଏ ଏବଂ ପ୍ଲାସେଣ୍ଟା ୧ ହାଇଡ୍ରୋପ୍ସ ଭ୍ରୂଣ ମାତୃ ସହିତ ପ୍ରୀ-ଏକ୍ଲାମ୍ପସିଆ କରିଥାଏ ।"ମିରର ସୀଣ୍ଡ୍ରୋମ" ନାମ ମାତୃ ଶୋଫ ଓ ଭ୍ରୂଣ ହାଇଡ୍ରୋପ୍ସ ମଧ୍ୟରେ ସମାନତାକୁ ଦର୍ଶେଇଥାଏ । ଏହା ପ୍ରଥମ ଥର ୧୮୯୨ ମସିହାରେ "ଜନ ୱିଲିୟମ ବ୍ୟାଲେଣ୍ଟାଇନ" ଙ୍କ ଦ୍ୱାରା ବର୍ଣ୍ଣିତ କରାଯାଇଥିଲା ।Giovannini's Mirror Syndrome 2007 ମସିହାରେ ଇଟାଲୀରେ Giovannina Conchiglia ଦ୍ୱାରା ଉପଚାରିତ ଏକ ସ୍ଥିତିର ଏକ ଉଚ୍ଚ କାଳ୍ପନିକ ସଂସ୍କରଣ ଅଟେ । ବାସ୍ତବିକ ଜୀବନର କୁ ଲଲାଟ ଟେମ୍ପୋରଲ ମସ୍ତିଷ୍କ କ୍ଷତିର ଜିନିଷ କରିବାକୁ ପଡିଲା ଏବଂ ନିଜ ଚରିତ୍ରକୁ ବିକଶିତ କରିବା ପାଇଁ ବାତାବରଣ ଆଧାରରେ ସଂକେତ ନେଇଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ହେଲିକୋବ୍ୟାକ୍ଟର ପାଇଲୋରି (ଇଂରାଜୀ ଭାଷାରେ Helicobacter pylori, ପୂର୍ବତନ ନାମ କ୍ୟାମ୍ପିଲୋବ୍ୟାକ୍ଟର ପାଇଲୋରି/ Campylobacter pylori) ଏକ ଗ୍ରାମ ନେଗେଟିଭ (Gram-negative), ମାଇକ୍ରୋଏରୋଫିଲିକ (microaerophilic ଜୀବାଣୁ ଯାହା ପାକସ୍ଥଳୀ ଭିତରେ ଥାଏ । କ୍ରନିକ ଗ୍ୟାସ୍ଟ୍ରାଇଟିସ ଓ ପେପଟିକ ଅଲସର ରୋଗୀଙ୍କ ପାକସ୍ଥଳୀରେ ଏହି ଜୀବାଣୁ ଥିବା ବାରି ମାର୍ଶାଲ ଓ ରବିନ ୱାରେନ ନାମକ ଦୁଇ ଅଷ୍ଟ୍ରେଲିଆ ନିବାସୀ ଡାକ୍ତର ଦର୍ଶାଇଥିଲେ ଯାହା ଏଥି ପୂର୍ବରୁ ଅଣୁଜୀବ ଜନିତ ରୋଗ ବୋଲି ବିଶ୍ୱାସ କରାଯାଇ ନଥିଲା ।
ବ୍ରହ୍ମେଶ୍ୱର ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ରହିଥିବା ଏକ ୯ ମ ଶତାବ୍ଦୀ ଶେଷାର୍ଦ୍ଧରେ ନିର୍ମିତ ଶିବ ମନ୍ଦିର । ଏହି ମନ୍ଦିର ଅଭ୍ୟନ୍ତରରେ ସୁନ୍ଦର ପ୍ରସ୍ତର ଖୋଦିତ ବିରଳ କଳା ଦେଖିବାକୁ ମିଳେ । ମନ୍ଦିରରେ ଖୋଦିତ ହେଇଥିବା ଶିଳାଲେଖଦ୍ୱାରା ଏହି ମନ୍ଦିରର ନିର୍ମାଣ କାଳ ବିଷୟରେ ସଠିକ ସୂଚନା ମିଳୁଥିଲା । ତେବେ ବର୍ତ୍ତମାନ ତାହା ଅବଲୁପ୍ତ ଅବସ୍ଥାରେ ରହିଛି । ତେବେ ୧୦୫୮ ମସିହାର ଲେଖାକୁ ସଂରକ୍ଷିତ ଭାବରେ ରଖା ଯାଇଛି । ସେହି ଲେଖାନୁସାରେ ସୋମବଂଶୀ ରାଜା ଉଦ୍ୟୋତକେଶରୀଙ୍କ ଶାସନର ୧୮ ତମ ବର୍ଷରେ ତାଙ୍କ ମାତା କୋଳାବତୀ ଦେବୀଙ୍କଦ୍ୱାରା ଏହା ନିର୍ମିତ ହେଇଥିବାର ଜଣା ଯାଇଥାଏ , ଯାହା ୧୦୫୮ ମସିହା ଥିଲା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ୱକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ । ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି । ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି । ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ । ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି.
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ବାଳ- ଦ ରିଦମ୍ ଅଫ୍ ଲାଇଫ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଞ୍ଜୟ ମହାକୁଳ । ଅମରେଶ ପତି ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ, ଗୋପ ଏବଂ ଗୋପୀମାନଙ୍କ ରକ୍ଷା ନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ । ଅଷ୍ଟମ ଦିନ ଦେବରାଜ ଇନ୍ଦ୍ର ଅହଙ୍କାର ଭଙ୍ଗ ହୋଇଥିଲା । ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ । ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରିଥିଲେ । ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଥିଲା ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
କମଳା ଦାସ (ଜନ୍ମ: ୧୬ ଅଗଷ୍ଟ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ, ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।କମଳା ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନରେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୫ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୦ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।କମଳା ୧୦ମ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୁଣିଥରେ ୧୨ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ ମସିହାରୁ ୨୦୦୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭–୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭାକୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ । ବୀରେନ, ୧୯୧୭ ମସିହାରେ କଟକର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା "ବିପିନ ବିହାରୀ ମିତ୍ର" । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ଅଗଷ୍ଟ ବିପ୍ଳବ"ରେ ଅଂଶଗ୍ରହଣ କରିଥିଲେ । ହରେକୃଷ୍ଣ ମହତାବ ଥିଲେ ବୀରେନଙ୍କ ରାଜନୈତିକ ଗୁରୁ ଓ ସହକର୍ମୀ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସମ୍ବିଧାନର ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏକ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲା । ସମ୍ବିଧାନର ଭାଗ ୨୧ "ବିଶେଷ ଓ ସମାୟିକ ପ୍ରାବଧାନ" ଅନ୍ତର୍ଭୁକ୍ତ ଧାରା ୩୭୦ଦ୍ୱାରା ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ରାଜ୍ୟର କ୍ଷମତା ମିଳିଥିଲା । ଏହା ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ତଥା ଜାତୀୟ ପତାକା ରହିଥିଲା । ଏହି ଧାରା ଜାମ୍ମୁ-କାଶ୍ମୀରର ସମ୍ବିଧାନ ପ୍ରଣୟନ ସଭାକୁ ଭାରତୀୟ ସମ୍ବିଧାନର ଯେ କୌଣସି ପ୍ରାବଧାନ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ କରିବା କିମ୍ବା ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର କ୍ଷମତା ଦେଇଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ସମ୍ବିଧାନ ପ୍ରଣୟନ ସଭା ଏହି ଧାରାକୁ ନିଷିଦ୍ଧ କରିବା ପୂର୍ବରୁ ହିଁ ଭଙ୍ଗ କରିଦିଆଯାଇଥିଲା । ଫଳରେ ଏହି ଧାରା ଭାରତୀୟ ସମ୍ବିଧାନ ଏକ ସ୍ଥାୟୀ ଅଙ୍ଗ ରୂପେ ଗୃହୀତ ହୋଇଥିଲା । ଏହି ଧାରାକୁ ୨୦୧୯ ଅଗଷ୍ଟ ୫ ତାରିଖରୁ ନିଷିଦ୍ଧ କରିଦିଆଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ । ସଂସଦର ଅନୁମୋଦନ ପରେ ସେ ଧାରା ୩୭୦ର ସମସ୍ତ ନିୟମ ଅଚଳ ହେବାର ଘୋଷଣା କରିଥିଲେ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ପଇତା ହେଉଛି ଭାରତୀୟ ହିନ୍ଦୁ ସଂସ୍କୃତିରେ ଧାରଣ କରାଯାଉଥିବା ଏକ ପବିତ୍ର ସୂତ୍ର । ଏହାକୁ ସାଧାରଣତଃ ହିନ୍ଦୁ ବ୍ରାହ୍ମଣମାନେ ଧାରଣ କରିଥାନ୍ତି । ଏହି ପଇତା ବା ଯଜ୍ଞୋପବିତକୁ ଧାରଣ କରିବା ପାଇଁ ବ୍ରତୋପନୟନ ନାମକ ଏକ ସଂସ୍କାରର ଆୟୋଜନ କରାଯାଏ । ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନଙ୍କ ପଇତା ଛଣରେ ଓ ବୈଶ୍ୟମାନଙ୍କ ପଇତା ପଶମରେ ତିଆରି ହୋଇଥାଏ ।
ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ୱାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।