ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇଥିଲା ।ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ । ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହୋଇଥିଲା ।
ପୋଲିଓମାୟେଲାଇଟିସ (ଇଂରାଜୀରେ Poliomyelitis, ଅନେକ ସମୟରେ କୁହାଯାଏ ପୋଲିଓ (polio) ବା ଇନ୍ଫାଣ୍ଟାଇଲ୍ ପାରାଲିସିସ୍ ( infantile paralysis), ଏକ ସଂକ୍ରାମକ ରୋଗ ଯାହା ପୋଲିଓଭୁତାଣୁଦ୍ୱାରା ହୁଏ । ଉଲ୍ଲେଖନୀୟ ଏହି ଯେ ପ୍ରାୟ ୯୦ %ରୁ ୯୫ % କେଶ୍ରେ ସଂକ୍ରମଣ ଥାଇ ମଧ୍ୟ ଲକ୍ଷଣ ପ୍ରକାଶ ପାଏନାହିଁ । ବାକି ୫ରୁ ୧୦% ଲୋକ ସମାନ୍ୟ ଲକ୍ଷଣ ଦେଖାନ୍ତି ଯେପରିକି ଜ୍ୱର, ମୁଣ୍ଡବଥା, ବାନ୍ତି, ତରଳ ଝାଡ଼ା, ଦୃଢ଼ ବେକ ଓ ହାତ ଗୋଡ଼ରେ ଯନ୍ତ୍ରଣା । ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏମାନେ ଠିକ୍ ହୋଇଯାଆନ୍ତି । କେବଳ ୦.୫ % ଲୋକଙ୍କର ମାଂସପେଶୀ ଦୁର୍ବଳତା ହୋଇ ଚଳନ ଅକ୍ଷମ ହୁଅନ୍ତି । ଏହା କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ହୁଏ । ପେଶୀ ଦୁର୍ବଳତା ଅଧିକାଂଶ ସମୟରେ ଗୋଡ଼ରେ ଦେଖାଯାଏ କିନ୍ତୁ ମୁଣ୍ଡ, ବେକ ଓ ମଧ୍ୟଚ୍ଛଦା ମାଂସପେଶୀ ଏହା ଅପେକ୍ଷା କମ୍ ଦେଖାଯାଏ । ଅନେକ, କିନ୍ତୁ ସମସ୍ତେ ନୁହେଁ, ଆରୋଗ୍ୟ ଲାଭ କରନ୍ତି । ପେଶୀ ଦୁର୍ବଳତା ଥିବା ୨ରୁ ୫ % ପିଲା ଓ ୧୫ରୁ ୩୦ % ବଡ଼ ମଣିଷ ମୃତ୍ୟୁ ବରଣ କରନ୍ତି । ପୁନରୁଦ୍ଧାର ହେବାର ଅନେକ ବର୍ଷ ପରେ ପୋଷ୍ଟ ପୋଲିଓ ସିଣ୍ଡ୍ରୋମ୍ ହୋଇପାରେ ଯାହା ଆରମ୍ଭ ସମୟ ଭଳି ଧୀରେ ଧୀରେ ପରିସ୍ଫୁଟ ହୁଏ । ପୋଲିଓଭୁତାଣୁ ସାଧାରଣତଃ ସଂକ୍ରମିତ ମଳ ପାଟିକୁ ଗଲେ ରୋଗ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମରେ ଏହା ବ୍ୟାପିପାରେ; ଲାଳ ମାଧ୍ୟମରେ ମଧ୍ୟ ସ୍ୱଳ୍ପ ଭାବରେ ବ୍ୟାପିପାଏ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସଂକ୍ରମିତ ବ୍ୟକ୍ତି ସୁସ୍ଥ ଲୋକକୁ ସଂକ୍ରମିତ କରିପାରିବେ । ମଳରେ ହୁତାଣୁ ମିଳିଲେ ଓ ରକ୍ତରେ ଆଣ୍ଟିବଡି ଚିହ୍ନଟ ହେଲେ ରୋଗ ନିର୍ଣ୍ଣୟ ହୁଏ । ପୋଲିଓ ରୋଗ ନିମନ୍ତେ ପୋଲିଓ ଟିକା ଦିଆଯାଉଛି, କିନ୍ତୁ କାର୍ଯ୍ୟକାରୀ ହେବା ନିମନ୍ତେ ଅନେକ ଥର ଦେବାକୁ ପଡ଼ୁଛି । ୟୁନାଇଟେଡ୍ ସ୍ଟେଟ୍ସ୍ ସେନ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ (ଇଂରାଜୀ ଭାଷାରେ United States Center for Disease Control) ସଂସ୍ଥା ଭ୍ରମଣକାରୀ ଓ ଏହି ରୋଗପ୍ରବଣ ଇଲାକାର ଲୋକଙ୍କୁ ପୋଲିଓ ଟିକା ବୁଷ୍ଟର ଡୋଜ ଦେବାକୁ ସୁପାରିସ୍ କରୁଛନ୍ତି । ସଂକରମଣ ଆରମ୍ଭ ହୋଇଗଲା ପରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ୧୯୮୮ ମସିହାରା ୩୫୦,୦୦୦ ରୋଗୀ ଥିଲାବେଳେ ୨୦୧୩ରେ କମିଯାଇ ୪୧୬ ଜଣଙ୍କୁ ମାତ୍ର ଏହି ରୋଗ ହୋଇଥିଲା । ସନ ୨୦୧୪ରେ ଏହି ରୋଗ କେବଳ ଆଫ୍ଗାନିସ୍ଥାନ୍, ନାଇଜେରିଆ ଓ ପାକିସ୍ଥାନର ଲୋକଙ୍କ ମଧ୍ୟରେ ବ୍ୟାପୁଥିଲା । ପୁରାତନ କଳାକୃତିରେ ପୋଲିଓ ରୋଗ ହଜାର ହଜାର ବର୍ଷ ହେଲା ଥିବାର ଚିତ୍ର ଦର୍ଶାଯାଇଛି । ସନ ୧୭୮୯ରେ ମାଇକେଲ ଅଣ୍ଡରଉଡ୍ ଏହି ରୋଗକୁ ସର୍ବ ପ୍ରଥମେ ସ୍ୱତନ୍ତ୍ର ରୋଗ ରୂପେ ଚିହ୍ନଟ କରିଥିଲେ ଓ ଏହି ରୋଗ ଜନ୍ମାଉଥିବା ଭୁତାଣୁ ୧୯୦୮ ମସିହାର ପ୍ରଥମେ କାର୍ଲ ଲ୍ୟାଣ୍ଡସ୍ଟିନର ଚିହ୍ନଟ କରିଥିଲେ । ୟୁରୋପ ଓ ଆମେରିକାରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ରୋଗ ମହାମାରୀ ରୁପ ଧାରଣ କରିଥିଲା । ସେହି ସ୍ଥାନମାନଙ୍କରେ ବିଂଶ ଶତାବ୍ଦୀରେ ଏହି ରୋଗ ଶିଶୁ ରୋଗ ହିସାବରେ ଚିନ୍ତାର ବିଷୟ ହୋଇଥିଲା । ସନ ୧୯୫୦ରେ ଜୋନାସ୍ ସଲ୍କ୍ ପ୍ରଥମେ ପୋଲିଓ ଟିକା ପ୍ରସ୍ତୁତ କରିଥିଲେ । ସନ ୨୦୧୮ ସୁଦ୍ଧା ଟିକାକରଣଦ୍ୱାରା ଏହି ରୋଗ ସାରା ପୃଥିବୀରୁ ନିର୍ମୁଳ କରାଯିବା ଆଶା କରାଯାଉଛି । ସନ ୨୦୧୩ରେ କିନ୍ତୁ ସିରିଆରେ ନୂଆ କେଶ୍ ଚିହ୍ନଟ କରାଯିବ ରୋପୋର୍ଟ ମିଳିଛି । ସନ ୨୦୧୪ ମଇ ମାସରେ ଏସିଆ, ଆଫ୍ରିକା ଓ ମଧ୍ୟ ପୂର୍ବ ଇଲାକାରେ ରୋଗ ଦେଖାଯିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜନ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା ଘୋଷଣା କରିଛନ୍ତି । ଅନ୍ୟ କୌଣସ ପଶୁଙ୍କୁ ଏହି ରୋଗ ଆକ୍ରମଣ କରେନାହିଁ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍ଲେସ୍ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍ ବ୍ୟାବେଜ୍ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
'ଗୋ' ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ,ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଇଲିଆନା ସିତାରିଷ୍ଟ ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ।
ବଳିଆ କୁକୁର (ଭାରତରେ “ଢୋଲ୍” ଭାବେ ପରିଚିତ, ଜୀବ ବିଜ୍ଞାନ ନାମ Cuon Alpinus, ସମ୍ବଲପୁରୀ ଭାଷାରେ କୋକବଲିଆ) ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ ଶ୍ୱାନ ଜାତୀୟ ପ୍ରାଣୀ । ବଳିଆ କୁକୁରକୁ ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଲୋକେ ଢୋଲ୍, ଏସୀୟ ଜଙ୍ଗଲୀ କୁକୁର, ଭାରତୀୟ ଜଙ୍ଗଲୀ କୁକୁର, ହ୍ୱିସିଲ୍ ଶବ୍ଦକାରୀ କୁକୁର, ଲାଲ୍ କୁକୁର ଓ ପର୍ବତୀୟ ଗଧିଆ ମଧ୍ୟ କୁହନ୍ତି । ଜିନ୍ ଦୃଷ୍ଟିରୁ ଏହା ଶ୍ୱାନ ପ୍ରଜାତୀୟ ପ୍ରାଣୀଙ୍କ ନିକଟତମ, କିନ୍ତୁ ଏହାର ଖପୁରି ସମଜାତୀୟ ପ୍ରାଣୀଙ୍କ ଭଳି ଅବତଳ ନହୋଇ ସାମାନ୍ୟ ଉତ୍ତଳ ହୋଇଥାଏ । ଏହି ଦୁଇ ପ୍ରଜାତିଙ୍କ ଥୋଡ଼ି ବା ମୁହଁର ଗଠନରେ ମଧ୍ୟ ତଫାତ ଥାଏ । ପ୍ଲାଇଷ୍ଟୋସିନ୍ ସମୟରେ ବଳିଆ କୁକୁର ଏସିଆ, ଇଉରୋପ ଏବଂ ଉତ୍ତର ଆମେରିକାରେ ବହୁ ପରିମାଣରେ ଚଳପ୍ରଚଳ କରୁଥିଲେ କିନ୍ତୁ ପ୍ରାୟ ୧୨,୦୦୦ରୁ ୧୮,୦୦୦ ବର୍ଷ ପୂର୍ବେ ସେମାନଙ୍କ ଭୌଗୋଳିକ ଅବସ୍ଥିତି କ୍ରମେ ସୀମିତ ହେବାକୁ ଲାଗିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ସ୍ପ୍ରିଙ୍ଗ ଫ୍ରେମୱାର୍କ(Spring Framework) ହେଉଛି ଜାଭା (ପ୍ରୋଗ୍ରାମିଂ ଭାଷା) ପାଇଁ ଗୋଟିଏ ଆପ୍ଲିକେସନ୍ ଫ୍ରେମୱାର୍କ ଓ ଇନଭର୍ସନ ଅଫ୍ କଣ୍ଟ୍ରୋଲ କଣ୍ଟେନର (inversion of control container)। ଏହି ଫ୍ରେମୱାର୍କର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାକୁ ଆମେ ଯେକୌଣସି ଜାଭା ଆପ୍ଲିକେସନ୍ ପାଇଁ ବ୍ୟବହାର କରିପାରିବା, କିନ୍ତୁ ଏଥିରେ ଜାଭା ଇଇ(Java EE)କୁ ବ୍ୟବହାର କରି ୱେବ ଆପ୍ଲିକେସନ୍ସ(web applications) ଗୁଡିକୁ ଗଢିବା ପାଇଁ କିଛି ପଦ୍ଧତି ସଂପ୍ରସାରଣ କରାଯାଇଛି । ଯଦିଓ ଏହି ଜାଭା ଫ୍ରେମୱାର୍କର କିଛି ସେମିତି ବିନିର୍ଦ୍ଦିଷ୍ଟ ଗୁଣ ନାହିଁ ତଥାପି ଏହା ଜାଭା ସମାଜଦ୍ୱାରା ଅଧିକା ଲୋକପ୍ରିୟ ହୋଇଛି ଏବଂ ଏହା ଇଜେବି(Enterprise JavaBeans) ମଡେଲର ପୁନଃସ୍ଥାପନ ବୋଲି କୁହାଯାଉଛି । ସ୍ପ୍ରିଙ୍ଗ ଫ୍ରେମୱାର୍କ ଇଣ୍ଟରନେଟ୍ରେ ସଂପୂର୍ଣ୍ଣ ମୁକ୍ତ ଭାବେ ଉପଲବ୍ଢ ।
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା । ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା । ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ । । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ । ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ ।
ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ । ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ ପ୍ରଦର୍ଶିତ ହୋଇଥିଲା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ହେଉଛନ୍ତି, ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିସାରିଛନ୍ତି ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି ।
ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ। କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ମହାନ ଦାର୍ଶନିକ ହୁଏନସାଙ୍ଗ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ଭବ୍ୟ ଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ପାବନ ଧୁଆଁ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।ସାହିତ୍ୟିକ ଧନେଶ୍ୱର ସାମଲଙ୍କ ଜନ୍ମ ହୋଇଥିଲା ୧୯୩୨ ମସିହା ଡିସେମ୍ବର ମାସ୩୧ ତାରିଖରେ । ଜନ୍ମସ୍ଥାନ: ଅବିଭକ୍ତ କଟକ ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମ ପଞ୍ଚାୟତର ବାହାଦୂର ନଗର ଗ୍ରାମରେ ।
ହରିହର ମିଶ୍ର (ଜନ୍ମ: ୨୦ ଜାନୁଆରୀ ୧୯୪୦(1940-01-20)) ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର । ସେ ୧୯୪୦ ମସିହା ଜାନୁଆରୀ ୨୦ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ବେତାର ନାଟକରେ ଅଭିନୟ ମଧ୍ୟ କରିଛନ୍ତି । ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଅସୀମ ବସୁ (୩୦ ନଭେମ୍ବର ୧୯୩୫ - ୧ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଥିଲେ । ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅସୀମ ଓଡ଼ିଶାର କଳା ସାହିତ୍ୟ କ୍ଷେତ୍ରରେ ସକ୍ରିୟଥିଲେ । ସେ ୨୦୦୦ରୁ ଅଧିକ ନାଟକରେ ମଞ୍ଚ ସଜେଇଥିଲେ ଓ ୫୦ରୁ ଅଧିକ ନାଟକରେ ଅଭିନୟ ବା ନିର୍ଦ୍ଦେଶନା କରିଥିଲେ । ସେ ବହୁବାର ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତିଆରି କରିଥିଲେ ।ଚିତ୍ରକଳାକୁ ନିଜ ପେଶା ଓ ମଞ୍ଚକୁ ନିଜ ନିଶା ବୋଲି କହୁଥିବା ଅସୀମ ଓଡ଼ିଶା ନାଟ୍ୟସଂଘର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଚୟନ କମିଟିରେ ରହି ରାଜ୍ୟର ଅନେକ ପ୍ରତିଭାକୁ ଚୟନ କରିଥିଲେ । ନାଟ୍ୟ ରଚନା ଓ ମଞ୍ଚସଜାରେ ସେ ସିଦ୍ଧହସ୍ତ ଥିଲେ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।
ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନ ନାୟକଙ୍କ ସହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।
ମହାଅଭିଯୋଗ ବା ମହାଭିଯୋଗ ହେଉଛି ଭାରତୀୟ ସମ୍ବିଧାନର ଏକ ଆଇନଗତ ଧାରା ଯଦ୍ୱାରା ଭାରତର ରାଷ୍ଟ୍ରପତି, ଉଚ୍ଚତମ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ବିଭିନ୍ନ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ଆଧାରରେ ସେମାନଙ୍କର କାର୍ଯ୍ୟ ଅବଧି ପୂରଣ ପୂର୍ବରୁ ବହିଷ୍କାର କରାଯାଇପାରିବ । ଉଚ୍ଚତର ସାମ୍ବିଧାନିକ ପଦପଦବୀରେ ଥିବା ଉପରୋକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନାନୁମୋଦିତ ଧାରାରେ ବହିଷ୍କାର କରିବାପାଇଁଁ ମହାଅଭିଯୋଗ ହେଉଛି ଏକମାତ୍ର ଉପାୟ । ପ୍ରକାରାନ୍ତରେ ଏହା ସାମ୍ବିଧାନିକ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଭାରତୀୟ ସମ୍ବିଧାନର ଏକ ବିଶେଷ ସାମ୍ବିଧାନିକ ସୁରକ୍ଷା ଅଟେ ।
ରାଖାଲ ମହାନ୍ତି (୨୬ ଜୁନ ୧୯୩୨ - ୧୪ ଅପ୍ରେଲ ୨୦୧୯) ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ କାର୍ଯ୍ୟକରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ, ଘର ସଂସାର ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ନିମନ୍ତେ ସେ ଜଣାଶୁଣା । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ୧୯୭୭ରେ ଗୀତ ଗୋବିନ୍ଦ ସମ୍ମାନ ଓ ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ।
ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ର (୧୫ ସେପ୍ଟେମ୍ବର ୧୯୨୧ - ୩୦ ନଭେମ୍ବର, ୨୦୧୫) ଜଣେ ଭାରତୀୟ ରାଜା ଓ ବ୍ରିଟିସ ଭାରତର ଶେଷ ରାଜା ଥିଲେ । ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆର ରାଜା ଥିଲେ । ତାଙ୍କ ପୂର୍ବପୁରୁଷ ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିଥିଲେ । ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ବଂଶୀଧର ପଣ୍ଡା, (୨୬ ନଭେମ୍ବର ୧୯୩୨- ୨୨ ମଇ ୨୦୧୮) ଇମ୍ଫାର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା । ବିଜୁ ବାବୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବଂଶୀଧର ବାବୁଙ୍କୁ ନିମନ୍ତ୍ରଣ କରିଥିଲେ । ସେତେବେଳେ, ବଂଶୀଧର ଯୁକ୍ତରାଷ୍ଟ୍ର ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଶିଳ୍ପସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ବଂଶୀଧର, ବିଜୁ ବାବୁଙ୍କ ନିମନ୍ତ୍ରଣ ରକ୍ଷାକରି, ନିଜ ଚାକିରୀ ଛାଡି ଓଡ଼ିଶା ଫେରିଆସିଥିଲେ ଓ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର(ବର୍ତ୍ତମାନ ରାୟଗଡ଼ା ଜିଲ୍ଲା) ଥେରୁବାଲିଠାରେ ଇମ୍ଫା ପ୍ରତିଷ୍ଠା କରିଥିଲେ । ବିଜୁ ବାବୁଙ୍କ କଳିଙ୍ଗ ଟ୍ୟୁବ୍ସ ପରେ, ଇମ୍ଫା ଓଡ଼ିଶାର ନିଜସ୍ୱ ପ୍ରଯୁକ୍ତିରେ ନିର୍ମିତ ଦ୍ୱିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଥିଲା । ଇମ୍ଫା ବହୁ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ, ପାରିପାର୍ଶ୍ୱର ବହୁ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବାରେ ସକ୍ଷମ ହୋଇପାରିଥିଲା । ବଂଶୀଧର "ଉତ୍କଳ ଚାମ୍ବର ଅଫ କମର୍ସ", "ଏନ ଆଇଟି ରାଉରକେଲା ପରିଚାଳନା ସମିତି", "ଆଇ ଆଇଟି ଖଡ଼ଗପୁର ପରିଚାଳନା ସମିତି"ର ଅଧ୍ୟକ୍ଷ ଏବଂ "ଆଇ ଆଇ ଏମ କଲିକତା ପରିଚାଳନା ସମିତି"ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।ବଂଶୀଧର ବାବୁ କେବଳ ଜଣେ ଶିଳ୍ପପତି ନହୋଇ, ସମାଜର ଅନଗ୍ରସର ବର୍ଗର କଲ୍ୟାଣ ନିମନ୍ତେ ଚେଷ୍ଟିତ ଥିଲେ । ୨୦୧୧ରେ 'ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ' ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟକରୁଥିଲେ । ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ ।
ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାର ସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଗଠିତ "ଓଡ଼ିଶା ହକି ପ୍ରମୋଶନ କାଉନସିଲ"ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ । ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।
ତିନ୍ ମୂର୍ତ୍ତୀ ଭବନ ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବତନ ବାସଗୃହ । ଏହା ଦିଲ୍ଲୀଠାରେ ଅବସ୍ଥିତ । ୧୯୬୪ ମସିହା ମଇ ମାସ ୨୭ ତାରିଖରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ହୋଇଥିଲା । ନିଜ ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ସେ ଏହି ବାସଭବନରେ ରହିଆସୁଥିଲେ । କନଟ୍ ପ୍ଲେସ୍ (Connaught Place)ର ନକ୍ସା ପ୍ରସ୍ତୁତ କରିଥିବା ବ୍ରିଟିଶ୍ ସ୍ଥପତି ରବର୍ଟ୍ ଟର୍ ରସେଲ୍ ଏହି ଭବନଟିର ପରିକଳ୍ପନା କରିଥିଲେ । ଏହି ଭବନ ୧୯୩୦ ମସିହାରେ ଭାରତୀୟ ବ୍ରଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍ଙ୍କ ରହିବା ପାଇଁ ନିର୍ମାଣ କରାଯାଇଥିଲା ।ବର୍ତ୍ତମାନ ତିନ୍ ମୂର୍ତ୍ତୀ ଭବନ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ (Nehru Memorial Museum and Library ବା NMML) ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏହା ସଂସ୍କୃତି ମନ୍ତ୍ରଣାଳୟ (ଭାରତ) ଅଧିନରେ ଅଛି ଓ ପ୍ରଫେସର୍ ଲୋକେଶ ଚନ୍ଦ୍ର ବର୍ତ୍ତମାନ ଏହାର ଶାସନ ପରିଷଦ (Executive Council)ର ଅଧ୍ୟକ୍ଷ ଅଛନ୍ତି । ୧୯୬୪ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡା.
ଗୋମତେଶ୍ୱର ପ୍ରତିମା (କନ୍ନଡ଼ ଭାଷାରେ ಗೊಮ್ಮಟೇಶ್ವರ) ୫୭ ଫୁଟ୍ (୧୭ ମିଟର୍) ଉଚ୍ଚତାବିଶିଷ୍ଟ ଓ ଗୋଟିଏ ପ୍ରସ୍ତରରେ ଗଢ଼ା ଭଗବାନ ବାହୁବଳୀଙ୍କର ଏକ ବିରାଟକାୟ ମୂର୍ତ୍ତି । ଭାରତର କର୍ଣ୍ଣାଟକ ରାଜ୍ୟର ଶ୍ରବଣବେଳାଗୋଲା ସହରରେ ଥିବା ବିନ୍ଧ୍ୟଗିରି ନାମକ ପାହାଡ଼ ଉପରେ ଏହି ମୂର୍ତ୍ତିଟି ଅବସ୍ଥିତ । ଶ୍ରବଣବେଳାଗୋଲାରେ ଦୁଇଟି ପାହାଡ଼ ରହିଛି, ଗୋଟିକର ନାମ ବିନ୍ଧ୍ୟଗିରି ଓ ଅନ୍ୟଟିର ନାମ ଚନ୍ଦ୍ରଗିରି । ଗୋମତେଶ୍ୱର ପ୍ରତିମା ନିର୍ମିତ ହେବାର ବହୁ ପୂର୍ବରୁ ଏହି ଦୁଇଟି ପର୍ବତରେ ଜୈନ ଧାର୍ମିକସ୍ଥଳୀମାନ ବିକାଶ ଲାଭ କରିଥିଲେ । ଜୈନ ଧର୍ମର ଭଗବାନ ବାହୁବଳୀଙ୍କ ଉଦ୍ଦେଶ୍ୟରେ ଗୋମତେଶ୍ୱର ପ୍ରତିମା ନିର୍ମିତ । ଖ୍ରୀ.
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ପ୍ରାଚୀ ନଦୀ ବା ପ୍ରାଚୀସରସ୍ୱତୀ ନଦୀ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ, ମାତ୍ର କ୍ଷୁଦ୍ର ନଦୀ। ସଂସ୍କୃତ ପଦ୍ମପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗା ଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ । ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି.
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସୁଦର୍ଶନ ସାହୁ ଛେନାପୋଡ଼ର ଜନକ ଅଟନ୍ତି । ଷାଠିଏ ଦଶକରେ ଛେନାରୁ ତିଆରି ମିଠା ଦ୍ରବ୍ୟ ଛେନାପୋଡ଼ ଉଦ୍ଭାବନ କରିଥିଲେ ।ସେ ନୟାଗଡ଼ ଜିଲ୍ଲା ଦଶପଲ୍ଳା ସାତପାଟଣା ଗାଁରେ ବିଦ୍ୟାଧର ସାହୁ ଓ ମାତା ଜେମାମଣି ସାହୁଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି । ସେ ଗୋଟିଏ ଗୁଡ଼ିଆ ପରିବାରରେ ଜନ୍ମଲାଭ କରିଥିଲେ । ବାଲ୍ୟକାଳରୁ କ୍ଷାର, ମିଠା, କ୍ଷୀର ଓ ଛେନା ବ୍ୟବସାୟ ସହ ଜଡ଼ିତ ଥିଲେ । ଭିନ୍ନ ଏକ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ଛେନାପୋଡ଼ ପ୍ରସ୍ତୁତ କରି ଲୋକଲୋଚନକୁ ଆସିଥିଲେ ।
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ବିବୁଧେନ୍ଦ୍ର ମିଶ୍ର (କୁନି ଭାଇନା ଭାବେ ପରିଚିତ, ୩୦ ନଭେମ୍ବର ୧୯୨୦ - ୧୫ ଫେବୃଆରୀ, ୨୦୧୨) ଜଣେ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ଆଇନଜୀବୀ, କ୍ରିଡ଼ା ସଂଗଠକ, ଲେଖକ ତଥା ସାମ୍ବାଦିକ । ବିବୁଧେନ୍ଦ୍ର ୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର କୁଣ୍ଢେଇବେଣ୍ଟ ସାହିରେ ଗୋପିନାଥ ମିଶ୍ର ଓ ମୁକ୍ତାବାଳା ଦେବୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ।
ରାଧାକୃଷ୍ଣ ପାତ୍ର, ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଥିଲେ । ସେ, ୧୯୯୨ ଜୁନ ୨୨ରୁ ୨୦୦୩ ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୦୦୩ ଜୁଲାଇ ୯ରୁ ୨୦୦୪ ନଭେମ୍ବର ୨୩ରେ ନିଜ ଅବସର ସମୟ ପର୍ଯ୍ୟନ୍ତ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଓଡ଼ିଶା ମାନବିକ ଅଧିକାର ଆୟୋଗ ତଥା ଓଡ଼ିଶା ରାଜ୍ୟ ଗ୍ରାହକ ଅଧିକାର ସୁରକ୍ଷା ଆୟୋଗ(State Consumer Disputes Redressal Commission) ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୩ ଜୁଲାଇ ୯ରେ ସେ ଓଡ଼ିଶାରେ ଘଟିଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନର ଭାବରେ ଓଡ଼ିଶା ସରକାରଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଜଷ୍ଟିସ ପାତ୍ରଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି
୧୪ ନଭେମ୍ବର ୧୯୯୧୯ ମସିହାର ସମ୍ବଲପୁର ଜିଲ୍ଲାସ୍ଥ ଧମା ଥାନା ଅନ୍ତର୍ଗତ ମାନେଶ୍ୱର ବ୍ଳକର ଗୋଲଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ ଓ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ବ୍ରହ୍ମପୁରରେ ଅବକାରୀ ଉପନିରିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି ସହ-କମିଶନର ଭାବେ ଅବସର ଗ୍ରହଣ କରିଥିଲେ । ରାଧାମୋହନ ଗଡ଼ନାୟକଙ୍କ ଠାରୁ ପ୍ରେରଣା ଲାଭ କରିଥିଲେ ।
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।