ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତି ର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା।ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟ ର ସ୍ପର୍ଶ ପାଇବା ପାଇଁ।ତାଙ୍କ ବିନା ଜୀବଜଗତର ଅସ୍ତିତ୍ଵ ନାହିଁ।ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ। ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା)କୁ ନେଇ ଗଠିତ । ଏହାର ପରିସର ୧୩୯୨୦୦୦ କିମି.
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଭାରତର ବ୍ୟସ୍ତତମ ବିମାନବନ୍ଦରଗୁଡ଼ିକର ସାରଣୀ
ଭାରତୀୟ ବିମାନବନ୍ଦର ପ୍ରାଧୀକରଣଦ୍ୱାରା ପ୍ରକାଶିତ ଏହି ସାରଣୀରେ ୨୦୧୫-୧୬ରେ ଭାରତର ସବୁଠୁ ବ୍ୟସ୍ତ ବିମାନ ବନ୍ଦର ସବୁର ତାଲିକା ପ୍ରସ୍ତୁତ ହେଇଛି । ଏହା ସମୁଦାୟ ଯାତ୍ରୀ ପରିବହନ ସମୀକ୍ଷା ଉପରେ ଆଧାରିତ ।
କିଶୋର ଚନ୍ଦ୍ର ତରାଇ (ଜନ୍ମ: ୫ ଜାନୁଆରୀ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୧୩ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତୀୟ ନବବର୍ଷ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳିତ ହୋଇଥାଏ । ପାଳନ ସମୟ ଚନ୍ଦ୍ର ବା ସୂର୍ଯ୍ୟ ପଞ୍ଜିକାଉପରେ ନିର୍ଭର କରିଥାଏ । ଯେଉଁ ରାଜ୍ୟଗୁଡ଼ିକ ସୂର୍ଯ୍ୟ ପଞ୍ଜିକା ମାନନ୍ତି ସେହି ରାଜ୍ୟବାସୀ ଭାରତୀୟ ପ୍ରଥମ ମାସ, ବୈଶାଖର ପ୍ରଥମ ସଂକ୍ରାନ୍ତିରେ ନବବର୍ଷ ପାଳନ କରନ୍ତି । ଅଧିକଂଶତଃ ଇଂରାଜୀ କ୍ୟାଲେଣ୍ଡରର ଏପ୍ରିଲ ମାସର ୧୩ରୁ ୧୫ ତାରିଖ ଭିତରେ ଏହି ସଂକ୍ରାନ୍ତି ପଡିଥାଏ । ଅନ୍ୟପକ୍ଷରେ ଯେଉଁମାନେ ଚନ୍ଦ୍ର ପଞ୍ଜିକା ମାନି ଚଳନ୍ତି, ସେମାନେ ଇଂରାଜୀ ମାସ ମାର୍ଚ୍ଚ ବା ଭାରତୀୟ ଚୈତ୍ର ମାସରେ ନବବର୍ଷ ପାଳନ କରନ୍ତି । ଏଣୁ କିଛି ଅଞ୍ଚଳରେ ପୂର୍ଣ୍ଣମୀରୁ ପୂର୍ଣ୍ଣମୀ ଗୋଟିଏ ମାସ ହିସାବ କଲାବେଳେ କିଛି ଅଞ୍ଚଳରେ ସଂକ୍ରାନ୍ତିରୁ ସଂକ୍ରାନ୍ତି ମାସ ହିସାବରେ ଧରାଯାଏ ।
ଶଶି ଭୂଷଣ ବେହେରା (ଜନ୍ମ: ୧୨ ଫେବୃଆରୀ ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଶଶି ଭୂଷଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଲିପାଟଣା, ଜୟଦେବ ଏବଂ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୧୩ଶ ଓ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଶ୍ରୀନିବାସ ରାମାନୁଜନ FRS ( pronunciation ) (୨୨ ଡିସେମ୍ବର 1887 – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ’ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ । ଡିକଞ୍ଜେସ୍ଟାଣ୍ଟ ଭାବରେ ମାର୍କେଟରେ ମିଳିଲେ ମଧ୍ୟ ପାଟିରେ ଦିଆଗଲେ, ଆଲର୍ଜିକ ନାକ ପ୍ରଦାହ ରୋଗ ନିମନ୍ତେ ଏହାର ଉପକାର ସ୍ପଷ୍ଟ ହୋଇନାହିଁ । ଏହା ପାଟିରେ, ଶିରା ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଚର୍ମରେ ଲଗାଯାଏ ।ଫିନାଇଲେଫ୍ରିନ ପାଟିରେ ନେବାପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା ଓ ଉଦ୍ବେଗ ପ୍ରକାଶ ପାଇପାରେ । ଅର୍ଶ ଚିକିତ୍ସାରେ ଏହା ସହ୍ୟ କରିହୁଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଧୀର ହୃଦ୍ଗତି , ଅନ୍ତନଳୀ ସ୍ୱଳ୍ପ ରକ୍ତହୀନତା, ଆଞ୍ଜାଇନା, ବୃକ୍କ ଫେଲ (kidney failure) ଓ ଇଞ୍ଜେକସନ ନେବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ଫିନାଇଲେଫ୍ରିନ ଏକ ସିଲେକ୍ଟିଭ ଆଡ୍ରେନର୍ଜିକ ରିସେପ୍ଟର ସକ୍ରିୟକାରୀ (selective α1-adrenergic receptor); ତେଣୁ ଧମନୀ (arteries) ଓ ଶିରା (veins) ସଙ୍କୁଚିତ ହୋଇଯାଏ ।ସନ ୧୯୨୭ରେ ଫିନାଇଲେଫ୍ରିନ ପେଟେଣ୍ଟ ହେବାପରେ ସନ ୧୯୩୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହାର ଅପବ୍ୟବହାର ଅତି ସାଧାରଣ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ (୨୭ ଡିସେମ୍ବର ୧୯୪୭ - ୩୦ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ । ୧୯୭୩ ମସିହାରୁ କାମ ଆରମ୍ଭ କରି, ସେ ଶତାଧିକ ଓଡ଼ିଆ କଥାଚିତ୍ର ଓ ଆଲବମରେ ସଙ୍ଗୀତ ପରିଚାଳନା ଓ ନିର୍ଦ୍ଦେଶନା କରିଥିଲେ । ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ଗୀତର ସଂଖ୍ୟା ୨୦୦୦ରୁ ଅଧିକ ଓ ସଙ୍ଗୀତ ପରିଚାଳନା କରିଥିବା ଗୀତର ସଂଖ୍ୟା ୫୦୦୦ରୁ ଅଧିକ । ଓଡ଼ିଶା ବାହାରେ ମଧ୍ୟ ସେ ୧୦ଟିରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେ ଆର୍କିଡିୟାନ ଓ କିବୋର୍ଡ଼ ଆଦି ବାଦ୍ୟଯନ୍ତ୍ର ମଧ୍ୟ ବଜାଉଥିଲେ ।
ବିହତ ସହସ୍ରର୍ଦ୍ଧୀ ଧରି ଭାରତୀୟ ମହିଳା ମାନଙ୍କ ସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ସେମାନଙ୍କ ଜୀବନ ଧାରଣ ଶୈଳୀ , ସ୍ୱାଧୀନତା , ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପାଟଣା ଘଟିଛି । . ଅତି ପ୍ରାଚୀନ କାଳରୁ ମାଧ୍ୟମ କାଳ ମଧ୍ୟରେ ତାଙ୍କର ସ୍ଥିତି ଦ୍ରୁତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାର , ଯାହା ପୁରୁଷ ମାନେ ପାଉଥିଲେ , ସେଥିରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂଶର ବଶତା ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା । ତେବେ ମାଧ୍ୟମ କାଳରେ ( ବ୍ରିଟିଶ ଶାସନ ସମୟରୁ ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁ-ସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଲୋକ ସଭାର ବାଚସ୍ପତି , କେନ୍ଦ୍ର ମନ୍ତ୍ରୀ , ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ , ରାଜ୍ୟପାଳ , ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର , ଯଥା କ୍ରିଡା , ଆନ୍ତର୍ଜାତୀୟ କୂଟନୀତି ରେ ଅବସ୍ଥାପିତ ହେଇପାରିଛନ୍ତି । ସ୍ୱାଧୀନ ଭରତର ସମ୍ବିଧାନରେ ମହିଳା ମାନଙ୍କ ଅଧିକାରକୁ ପୁରୁଷ ମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି ।ମହିଳା ମାନଙ୍କ ପୂର୍ଣା ସ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦ୍ରୁଷ୍ଟି ଦିଆ ଯାଇଛି । .ଏପରି ଏକ ସମୟ ଥିଲା ଯେ 2011 ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି ( ଶ୍ରୀମତୀ ପ୍ରତିଭା ପାଟିଲ ) , ଲୋକ ସଭାର ବାଚସ୍ପତି ( ମୀରା କୁମାର ) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳା ମାନେ ରହିଥିଲେ । ଏହା ସତ୍ୱେ ଭାରତରେ ମହିଳା ମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳତ୍କାର , ଏସିଡ ଫିଙ୍ଗା , ଯୌତୁକ ଜନିତ ହତ୍ୟା , ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି ।. ୨୦୧୨ ମସିହାରେ ଥୋମସନ୍ ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶ ଠାରୁ ଭରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .
ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ (୧୮ ଜୁଲାଇ ୧୯୨୯ - ୩୧ ଡିସେମ୍ବର ୨୦୧୯) ଓଡ଼ିଶାରୁ ଜଣେ ଭାରତୀୟ ରାଜେନତା ଥିଲେ । ସେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଶ୍ରୀ ସ୍ୱାମୀ ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ ଯାଏଁ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।୨୦୧୯ ମସିହା ଡିସେମ୍ବର ୩୧ତାରିଖରେ ସ୍ୱାମୀଙ୍କର ପରଲୋକ ଘଟିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
କମଳା ଦାସ (ଜନ୍ମ: ୧୬ ଅଗଷ୍ଟ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ, ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।କମଳା ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନରେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୫ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୦ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।କମଳା ୧୦ମ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୁଣିଥରେ ୧୨ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ ମସିହାରୁ ୨୦୦୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ପଇତା ହେଉଛି ଭାରତୀୟ ହିନ୍ଦୁ ସଂସ୍କୃତିରେ ଧାରଣ କରାଯାଉଥିବା ଏକ ପବିତ୍ର ସୂତ୍ର । ଏହାକୁ ସାଧାରଣତଃ ହିନ୍ଦୁ ବ୍ରାହ୍ମଣମାନେ ଧାରଣ କରିଥାନ୍ତି । ଏହି ପଇତା ବା ଯଜ୍ଞୋପବିତକୁ ଧାରଣ କରିବା ପାଇଁ ବ୍ରତୋପନୟନ ନାମକ ଏକ ସଂସ୍କାରର ଆୟୋଜନ କରାଯାଏ । ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନଙ୍କ ପଇତା ଛଣରେ ଓ ବୈଶ୍ୟମାନଙ୍କ ପଇତା ପଶମରେ ତିଆରି ହୋଇଥାଏ ।
କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ (ଇଂରାଜୀରେ Christmas tree) ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ । ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।ପାରମ୍ପରିକ ଭାବେ କ୍ରିସ୍ମସ୍ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, ୱେଫର୍, ଚକମକିଆ ଝରା ବା ଝାଲେରୀ ଓ ମିଷ୍ଟାନ୍ନ ଇତ୍ୟାଦିଦ୍ୱାରା ସଜାଇବାର ପ୍ରଥା ରହିଛି । ଅଷ୍ଟଦଶ ଶତାବ୍ଦୀରେ କ୍ରିସ୍ମସ୍ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ଏବଂ ଅଧୁନା ବିଦ୍ୟୁତ୍ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି । ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ନୂତନ ବଡ଼ଦିନ ମାଳା, ରଙ୍ଗବେରଙ୍ଗ ବଲ୍ ଓ ଚକୋଲେଟ୍ ଇତ୍ୟାଦିଦ୍ୱାରା ମଧ୍ୟ ସଜାଯାଉଛି । ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ଜ୍ୱଳମାନ ତାରକା ଖଚିତ ହୋଇଥାଏ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ବେଥ୍ଲେହେମ୍ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍ଙ୍କ ସୂଚକ । ରିବନ୍ ଫିତା ସାହାଯ୍ୟରେ କ୍ରିସ୍ମସ୍ ଗଛର ଡାଳରୁ ଜିଞ୍ଜର୍ ବ୍ରେଡ଼୍ (ଅଦା ପାଉଁରୁଟି), ଚକୋଲେଟ୍ ଓ ଅନ୍ୟାନ୍ୟ ମିଷ୍ଟାନ୍ନ ଇଦ୍ୟାଦି ଖାଦ୍ୟ ପଦାର୍ଥ ଝୁଲାଇ ଦିଆଯାଏ ।
ପାଂଗୋଂଗ୍ ତ୍ସୋ (ତିବ୍ୱତୀୟ ଭାଷାରେ: སྤང་གོང་མཚོ, ୱାଇଲି ଭାଷାରେ: ସ୍ପାଂଗ୍ ଗୋଂଗ୍ ମତ୍ସୋ; ହିନ୍ଦୀ ଭାଷାରେ: पांगोंग त्सो; ଚୀନୀ ଭାଷାରେ: 班公错; ପିନ୍-ୟିନ୍ ଭାଷାରେ: ବାଂଗୋଂଗ୍ ଚୁଓ) ନାମର ତିବ୍ୱତୀୟ ଭାଷାରେ ଅର୍ଥ ହେଲା : ଉଚ୍ଚ ତୃଣଭୂମୀୟ ହ୍ରଦ । ଏହାକୁ ପାଂଗୋଂଗ୍ ହ୍ରଦ ମଧ୍ୟ କୁହାଯାଏ । ତିବ୍ୱତୀୟ ଭାଷାରେ “ତ୍ସୋ (Tso)” ଶବ୍ଦର ଅର୍ଥ ହ୍ରଦ । ସମୁଦ୍ରପତନରୁ ପ୍ରାୟ ୪୩୫୦ ମିଟର୍ (୧୪୨୭୦ ଫୁଟ୍) ଉଚ୍ଚତାରେ ଓ ହିମାଳୟରେ କୋଳରେ ରହିଥିବା ଏକ ସ୍ଥଳଭାଗବଦ୍ଧ ହ୍ରଦ । ଏହି ହ୍ରଦର ଦୈର୍ଘ୍ୟ ପ୍ରାୟ ୧୩୪ କିଲୋମିଟର୍ ବା ୮୩ ମାଇଲ୍ । ଭାରତ ଓ ଚୀନର ଅନ୍ତର୍ଜାତୀୟ ସୀମାରେଖା ଏହି ହ୍ରଦର ମଧ୍ୟଭାଗରେ ରହିଛି । ହ୍ରଦର ପ୍ରାୟ ୬୦% ଭାଗ ଚୀନର ଅଧୀନରେ ରହିଛି । ଏକ ସ୍ଥାନରେ ଏହି ହ୍ରଦର ସର୍ବାଧିକ ପ୍ରସ୍ଥ ୫ କିଲୋମିଟର୍ ବା ୩.୧ ମାଇଲ୍ ଅଟେ । ହ୍ରଦର କ୍ଷେତ୍ରଫଳ ପ୍ରାୟ ୬୦୪ ବର୍ଗ କି.ମି.
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଲିନକ୍ସ (ଇଂରାଜୀ:linux) ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ରେ , ଯେତେବେଳେ ଜଣେ ଫିନ୍ (Finnish) ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ୱାରା ଲିନକ୍ସର ଇତିହାସକୁ ସାରା ବିଶ୍ୱର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
'ରବୀନ୍ଦ୍ରନାଥ ଠାକୁର ' ( /rəˈbindrəˈnɑ:t ˈtɑ:ɡɔr/; ଛାଞ୍ଚ:IPA-bn), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରଣା ଲାଭ କରିଥିଲା । ଗୋଟେ ପିରାଲୀ ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଜେସର ସହର ସହ ସମ୍ପର୍କିତ, ସେ ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ, ସେ ଭାନୁସିଂହ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ । ସେହି କବିତାଗୁଡିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା । ଅନୁବାଦରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା ।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରି ଥିଲେ । ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ । ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତର ସ୍ୱଧୀନ ପାଇଁ ଓକିଲାତି କରୁଥିଲେ । ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ , ୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା, ଇଚ୍ଛାପତ୍ର ସାମିଲ ଥିଲା, ତାଙ୍କଦ୍ୱାରା ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
ଆନା ସାଗର ହ୍ରଦ , ଭାରତୀୟ ରାଜ୍ୟ ରାଜସ୍ଥାନର ଅଜମର ସହରରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । ଏହା ଏଇତିହାସିକ ସମ୍ରାଟ ପୃଥ୍ଭିରାଜ ଚୌହାନଙ୍କ ପିତାମହ ଅମୋରାଜା ( ଆନା )ଙ୍କଦ୍ୱାରା ୧୧୩୫ରୁ ୧୧୫୦ ମସିହା ମଧ୍ୟରେ ନିର୍ମିତ ହେଇଥିଲା । ଏହି ହ୍ରଦ ୧୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପରେ ୧୬୩୭ ମସିହାରେ ଦିଲ୍ଲୀର ମୋଗଲ ସମ୍ରାଟ ସାହାଜାହାନ ଏହାର ବରାଦରୀ ବା ପାଭିଲିଆନ ନିର୍ମାଣ କରେଇଥିଲେ । ଜାହାଙ୍ଗୀର ତାଙ୍କ ରାଜୁତି କାଳରେ ଏଠାରେ ଦୌଲତ ବାଗ ବଗିଚା ସ୍ଥାପନ କରିଥିଲେ ।
ମହମ୍ମଦ ଅଲ୍ଲୀ ଜିନ୍ନା (ଜନ୍ମ: ୨୫ ଡିସେମ୍ବର ୧୮୭୬, ମୃତ୍ୟୁ: ୧୧ ସେପ୍ଟେମ୍ବର ୧୯୪୮) ବିଂଶ ଶତାବ୍ଦୀର ଏକ ପ୍ରମୁଖ ରାଜନୀତିଜ୍ଞ, ଏକ ଆଇନଜୀବି ତଥା ପାକିସ୍ଥାନର ପ୍ରତିଷ୍ଠାତା ଭାବେ ସେ ପରିଚିତ । ସେ ପ୍ରାକ ସ୍ଵାଧୀନତା ସମୟରେ ମୁସଲିମ ଲିଗର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ନବ ନିର୍ମିତ ପାକିସ୍ଥାନର ପ୍ରଥମ ଗଭର୍ଣର ଜେନେରାଲ ଭାବେ ଦାୟୀତ୍ଵ ନେଲେ । ପାକିସ୍ଥାନରେ ସେ ଜଣେ ମହାନ ନେତା ତଥା ପାକିସ୍ଥାନର ରାଷ୍ଟ୍ର ପିତା ରୂପେ ମଧ୍ୟ ସମ୍ମାନିତ ।
ତିନି ତଲାକ ହେଉଛି ଭାରତରେ ପ୍ରଚଳିତ ମୁସଲିମ ଆଇନ ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ ସମ୍ବନ୍ଧିତ ଏକ ପ୍ରାବଧାନ । ବିଶେଷଭାବେ ହନାଫି ସୁନ୍ନି ଇସଲାମିକ ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି । ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟିଏ ମାତ୍ର ତିନିଥର ତଲାକ (ଆରବୀ ଭାଷାରେ ବିବାହ ବିଚ୍ଛେଦର ପ୍ରତିଶବ୍ଦ ) ଶବ୍ଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର (ବିବାହବେଚ୍ଛେଦ) ଦେଇପାରିବେ । ଅବୈଧ ଘୋଷିତ ହୋଇଥିବା ଏହି ତିନି ତଲାକକୁ ପୁଣିଥରେ ଚାଲୁ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଯାଇଛି ।
ପାମ୍ପା ସରୋବର ଭାରତୀୟ ରାଜ୍ୟ କର୍ଣାତକର କୋପ୍ପଳ ଜିଲ୍ଲାରେ ଥିବା ଏକ ହ୍ରଦ । ଏହା ତୁଙ୍ଗଭଦ୍ରା ନଦୀ ନିକଟରେ ଅବସ୍ଥିତ ଓ ଏହାକୁ ହିନ୍ଦୁ ଧର୍ମରେ ଏକ ମହତ୍ୱପୂର୍ଣ ହ୍ରଦ କୁହାଯାଇଥାଏ । ପୁରାଣ ଅନୁସାରେ ଭଗବାନ ଶିବଙ୍କ ପତ୍ନୀ ଦେବୀ ପାର୍ବତୀଙ୍କ ଅନନ୍ୟ ରୂପ ପାମ୍ପା ସେଠାରେ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ତପସ୍ୟା କରିଥିଲେ ।ଏହି ସରୋବର ବିଷୟରେ ମହାପୁରାଣ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି । ଏହିଠାରେ ଭଗବାନ ରାମଙ୍କ ଭକ୍ତ ଶାବରୀ ରାମାଙ୍କୁ ପ୍ରତିକ୍ଷ୍ୟା କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ବାଦୁଡ଼ି ଆକାଶରେ ଉଡୁଥିବା ଏକ ସ୍ତନପାୟୀ ପ୍ରାଣୀ ଅଟେ, ଯିଏ ନିଜର 1000ରୁ ଅଧିକ ପ୍ରଜାତୀ ସହିତ ସ୍ତନଧାରୀ ଭାବେ ସବୁଠାରୁ ବଡ଼ କୂଳର ନିର୍ମାଣ କରିଥାଏ । ଏମାନେ ପୂର୍ଣ୍ଣ ରୂପେ ନିଶାଚର ହୋଇଥାନ୍ତି ଏବଂ ଗଛ ମାନଙ୍କର ଡାଳ ଅଥବା ଅନ୍ଧାର ଗୁମ୍ଫା ଭିତରେ ଓଲଟା ଓହଳି ରହିଥାନ୍ତି । ଉତ୍ତର ଆମେରିକା ଓ ୟୁରୋପରେ କେବେ କେବେ ଲୋକମାନଙ୍କ ଘର କିମ୍ବା ଖଳାଘରରେ ରୁହନ୍ତି । ସେମାନେ U.K.ରେ ସଂରକ୍ଷିତ ପ୍ରାଣୀ ଅଟନ୍ତି । ଏମାନେ ଏକ ସଫଳ ସମୂହ ଅଟନ୍ତି । ବାଦୁଡ଼ିର 1200ରୁ ଅଧିକ ପ୍ରଜାତୀ ରହିଛନ୍ତି । ଏହାର ଅର୍ଥ ସମସ୍ତ ଜୀବିତ ସ୍ତନପାୟୀ ପ୍ରଜାତୀ ମାନଙ୍କ ଠାରୁ 20% - ପାଞ୍ଚରୁ ଗୋଟିଏ ବାଦୁଡ଼ି ଅଟନ୍ତି । ବାଦୁଡ଼ି ସାଧାରଣତଃ ଦୁଇ ସମୂହରେ ବିଭାଜିତ କରାଯାଇଛି, ପ୍ରଥମ ସମୂହ ଫଳ ଭକ୍ଷୀ ବଡ଼ ବାଦୁଡ଼ି ;ଯିଏ ଦେଖି ଏବଂ ଶୁଙ୍ଘିକରି ନିଜ ଭୋଜନ ଖୋଜିଥାନ୍ତୁ । ଦ୍ୱିତୀୟ ସମୂହ କୀଟ ଭକ୍ଷୀ ଛୋଟ ବାଦୁଡ଼ି ଅଟନ୍ତି; ଯିଏ ପ୍ରତିଧ୍ୱନୀଦ୍ୱାରା ସ୍ଥିତି ନିର୍ଦ୍ଧାରଣ ବିଧିଦ୍ୱାରା ନିଜ ଭୋଜନ ଖୋଜିଥାନ୍ତି । ଏହା ଏପରି ଏକ ସ୍ତନଧାରୀ ପ୍ରାଣୀ ଅଟନ୍ତି ଯିଏ ଉଡିପାରେ ତଥା ରାତିରେ ମଧ୍ୟ ଉଡିପାରେ । ଏହାର ଅଗ୍ରବାହୁ ପରରେ ପରିବର୍ତ୍ତିତ ହୋଇଥାଏ ଯାହା ଦେଖିବାରେ କୋଷାବରଣ ପେଟାଜିୟମ) ସମାନ ଲାଗିଥାଏ । ତ୍ୱଚାର ଏହି କୋଷାବରଣ ବେକରୁ ନେଇ ହାତର ଆଙ୍ଗୁଠି ତଥା ଶରୀରର ପାର୍ଶ୍ୱ ଭାଗରୁ ହୋଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ ଏବଂ ପରର ନିର୍ମାଣ କରିଥାଏ । ପଛ ଗୋଡ଼ ପତଳା, ଛୋଟ ଓ ନଖ ଯୁକ୍ତ ହୋଇଥାଏ । ଏହାର ଶରୀରରେ ଚୁଟି କମ ଥାଏ । ମୁଣ୍ଡର ଦୁଇ ପାର୍ଶ୍ୱରେ ଆହୁରି ବଡ଼ ବଡ଼ କର୍ଣ୍ଣପଲ୍ଲବ ମିଳିଥାଏ । ବାଦୁଡ଼ି ପରର ଆକାର ୨.୯ ସେଣ୍ଟି ମିଟରରୁ ନେଇ ୨୫୦୦ ସେଣ୍ଟିମିଟର ପର୍ଯ୍ୟନ୍ତ ତଥା ସେମାନଙ୍କ ଓଜନ 2 ଗ୍ରାମରୁ 1200 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।
ବାଘ ବା ବ୍ୟାଘ୍ର (ଈଂରାଜୀରେ Tiger, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ । ଏହାଦ୍ୱାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀକୁ ବାର୍ତ୍ତା, ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷଣାତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ ।
ମାନବ ମସ୍ତିଷ୍କ ସ୍ନାୟୁ ମଣ୍ଡଳର (nervous system) ଏକ କେନ୍ଦ୍ରୀୟ ଅଙ୍ଗ ଓ ମେରୁଦଣ୍ଡ (spinal cord) ସହିତ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ସୃଷ୍ଟି କରନ୍ତି । ମସ୍ତିଷ୍କକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ଯଥା:- ପ୍ରମସ୍ତିଷ୍କ (cerebrum), ବ୍ରେନଷ୍ଟେମ (brainstem) ଓ ସେରିବେଲମ (cerebellum) । ମାନବ ଶରୀରର ଅଧିକାଂଶ କାର୍ଯ୍ୟ ଏହି ଅଙ୍ଗଦ୍ୱାରା ସମାହିତ ହୋଇଥାଏ; ସ୍ନାୟୁ ମାଧ୍ୟମରେ ଆସିଥିବା ବିଭିନ୍ନ ଖବରମାନଙ୍କର ପ୍ରୋସେସିଙ୍ଗ, ଇଣ୍ଟିଗ୍ରେଟିଙ୍ଗ ଓ ସ୍ପର୍ଶ ଅଙ୍ଗ ମାନଙ୍କଦ୍ୱାରା ଆସିଥିବା ବିଭିନ୍ନ ଖବରକୁ ନିୟନ୍ତ୍ରଣ କରାଯାଇଥାଏ ଓ ସେହି ଅନୁସାରେ କାର୍ଯ୍ୟ କରିବାକୁ ଶରୀରର ବିଭିନ୍ନ ସ୍ଥାନକୁ ଅନୁଦେଶ ବା ଇନସ୍ଟ୍ରକସନ ଦିଆଯାଏ । ମାନବ ମୁଣ୍ଡର (head) ଖପୁରୀ (skull bones) ଭିତରେ ଏହା ସୁରକ୍ଷିତ ହୋଇ ରହିଥାଏ ।
ଘୁମୁସର ବିଦ୍ରୋହ(୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ । ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀ ଓ ଚକରା ବିଷୋୟୀ ଅନ୍ୟତମ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
କମ୍ପୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ବିନୋଦ କାନୁନଗୋ (୬ ଜୁନ ୧୯୧୨ - ୨୨ ଜୁନ ୧୯୯୦) କଟକ ଜିଲ୍ଲାର କିଶନନଗର ଥାନାର ମଲୀପୁର ଗ୍ରାମରେ ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ସେ ହେଉଛନ୍ତି ମୂଳ ପ୍ରଣେତା। ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଆ ଭାଷାର ବୃଦ୍ଧି ଓ ବିକାଶର ବାର୍ତ୍ତାକୁ ନେଇ ପହଞ୍ଚାଇବାରେ ଆଜି ଚେଷ୍ଟିତ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି । ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ । ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରୁହନ୍ତି । କଲରାପତରିଆ ବାଘମାନେ ୫୮ କି.ମି.
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus' ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।