ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଟିପଚିହ୍ନ ସାଧାରଣ ଭାବରେ ମଣିଷ ଆଙ୍ଗୁଠିର ଗାରଦ୍ୱାରା ଚିହ୍ନିତ ଦାଗକୁ ବୁଝାଏ । ଅପରାଧ ସ୍ଥଳରୁ ମିଳିଥିବା ଟିପଚିହ୍ନ ନାୟିକ ବିଜ୍ଞାନରେ (en:Frensic science) ଅତି ମହତ୍ୱପୂର୍ଣ୍ଣ । ଉପଯୁକ୍ତ ସ୍ଥଳରେ (ଧାତୁ, ଗ୍ଲାସ୍ ବା ଚିକ୍କଣ ପଥର) ଆଙ୍ଗୁଠି ଗାରର ଏକ୍ରିନ ଗ୍ରନ୍ଥିରୁ (en:eccrine gland) ବାହାରୁଥିବା ପ୍ରାକୃତିକ କ୍ଷରଣ ବା ଝାଳର ଦାଗ ସହଜରେ ରହିଯାଏ । ଏହାକୁ ଇଂରାଜୀ ଭାଷାରେ ଚାନ୍ସଡ୍ ଇମ୍ପ୍ରେସନ/ "Chanced Impressions" କୁହାଯାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀ ମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
କମଳା ଦାସ (ଜନ୍ମ: ୧୬ ଅଗଷ୍ଟ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ, ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।କମଳା ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନରେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୫ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୦ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।କମଳା ୧୦ମ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୁଣିଥରେ ୧୨ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ୨୦୦୦ ମସିହାରୁ ୨୦୦୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ବିମଳ ଲୋଚନ ଦାସ (ଜନ୍ମ: ୧୧ ଅକ୍ଟୋବର ୧୯୩୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ୱିଲିଅମ୍ ସେକ୍ସପିଅର ଜଣେ ଇଂରେଜ କବି, ନାଟ୍ୟକାର ଓ ଅଭିନେତା ଥିଲେ । ଇଂରାଜୀ ଭାଷାର ଶ୍ରେଷ୍ଠତମ ଲେଖକ ଭାବେ ସେ ପରିଗଣିତ । "ବାର୍ଡ୍ ଅଫ୍ ଏଭୋନ୍" (ଏଭୋନର ଗୀତି କବି) ନାମରେ ପ୍ରସିଦ୍ଧ ଏହି ମହାକବିଙ୍କୁ ଇଂଲଣ୍ଡର ଜାତୀୟ କବି ବୋଲି ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ରଚନା ସବୁ ମଧ୍ୟରେ ୩୮ଟି ନାଟକ, ୧୫୪ ସନେଟ, ଦୁଇଟି ଦୀର୍ଘ କବିତା ଓ କେତୋଟି କ୍ଷୁଦ୍ର ଧାଡି କବିତା ଅନ୍ତର୍ଭୁକ୍ତ । ତାଙ୍କ ନାଟକ ସବୁ ଅନେକ ଭାଷାରେ ଅନୂଦିତ ହୋଇଛି ।
ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସ ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଗୋପାଳ ଛୋଟରାୟ (୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ସମ୍ବିଧାନର ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏକ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲା । ସମ୍ବିଧାନର ଭାଗ ୨୧ "ବିଶେଷ ଓ ସମାୟିକ ପ୍ରାବଧାନ" ଅନ୍ତର୍ଭୁକ୍ତ ଧାରା ୩୭୦ଦ୍ୱାରା ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ରାଜ୍ୟର କ୍ଷମତା ମିଳିଥିଲା । ଏହା ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ତଥା ଜାତୀୟ ପତାକା ରହିଥିଲା । ଏହି ଧାରା ଜାମ୍ମୁ-କାଶ୍ମୀରର ସମ୍ବିଧାନ ପ୍ରଣୟନ ସଭାକୁ ଭାରତୀୟ ସମ୍ବିଧାନର ଯେ କୌଣସି ପ୍ରାବଧାନ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ କରିବା କିମ୍ବା ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର କ୍ଷମତା ଦେଇଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ସମ୍ବିଧାନ ପ୍ରଣୟନ ସଭା ଏହି ଧାରାକୁ ନିଷିଦ୍ଧ କରିବା ପୂର୍ବରୁ ହିଁ ଭଙ୍ଗ କରିଦିଆଯାଇଥିଲା । ଫଳରେ ଏହି ଧାରା ଭାରତୀୟ ସମ୍ବିଧାନ ଏକ ସ୍ଥାୟୀ ଅଙ୍ଗ ରୂପେ ଗୃହୀତ ହୋଇଥିଲା । ଏହି ଧାରାକୁ ୨୦୧୯ ଅଗଷ୍ଟ ୫ ତାରିଖରୁ ନିଷିଦ୍ଧ କରିଦିଆଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ । ସଂସଦର ଅନୁମୋଦନ ପରେ ସେ ଧାରା ୩୭୦ର ସମସ୍ତ ନିୟମ ଅଚଳ ହେବାର ଘୋଷଣା କରିଥିଲେ ।
ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି।
ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ୱୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶ ଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀର ଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ, ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ବିକ୍ରମ ଲ୍ୟାଣ୍ଡରରୁ ଇସ୍ରୋକୁ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ଏବଂ ବିକ୍ରମ ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ସିଧା ସିଧା ତଳକୁ ଖସି ନିର୍ଦ୍ଧାରିତ ଅବତରଣ ସ୍ଥାନରୁ ୧ କିଲୋମିଟର ଦୂରରେ ଅବତରଣ କରିଥିଲା ।ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରିବ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସ୍ୱାସ୍ଥ୍ୟ ଶବ୍ଦଟି ଜୀବନ୍ତ ପ୍ରାଣୀର କାର୍ଯ୍ୟ କ୍ଷମତା ବା ମେଟାବୋଲିକ ଦକ୍ଷତାର ସ୍ତରକୁ ଦର୍ଶାଏ । ମାନବ କ୍ଷେତ୍ରରେ ଏହା ବ୍ୟକ୍ତି ବା ଗୋଷ୍ଠୀର ଶାରୀରିକ, ମାନସିକ ଓ ସାମାଜିକ ଆହ୍ୱାନ ବା ଚାଲେଞ୍ଜକୁ ସମ୍ମୁଖୀନ ହେବାର ଦକ୍ଷତାକୁ ବୁଝାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ୧୯୪୮ ମସିହା କନସ୍ଟିଚ୍ୟୁସନରେ ଗୃହିତ ସଂଜ୍ଞା ଅନୁସାରେ ଏହା ଏକ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ଭଲ-ଅବସ୍ଥା ଓ କେବଳ ରୋଗ ତଥା ଅକ୍ଷମତାର ଅଭାବ ନୁହେଁ । ଏହି ସଂଜ୍ଞା ଗ୍ରହଣ କରିବାରେ ମଧ୍ୟ ମତଭେଦ ରହିଛି ବିଶେଷତଃ ଏହାର କାର୍ଯ୍ୟକାରୀ ମୂଲ୍ୟ ଓ "ସମ୍ପୁର୍ଣ୍ଣ" ଶବ୍ଦ ଉପରେ । ଅନ୍ୟ କେତେକ ସଂଜ୍ଞା ପ୍ରସ୍ତାବ ଥିବା ବେଳେ ଗୋଟିଏ ସାମ୍ପ୍ରତିକ ସଂଜ୍ଞା ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସନ୍ତୋଷକୁ ସହମତି ମିଳିଛି । ବିଭିନ୍ନ ବର୍ଗୀକରଣ ପଦ୍ଧତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିୟ ବର୍ଗୀକରଣ ପରିବାର (WHO Family of International Classifications), ଆନ୍ତର୍ଜାତୀୟ କାର୍ଯ୍ୟକାରୀତା, ଅକ୍ଷମତା ଓ ସୁସ୍ଥତା ବର୍ଗୀକରଣ(International Classification of Functioning ବାICF), ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ (International Classification of Diseases ବା ICD) ସଂସ୍ଥାମାନଙ୍କଦ୍ୱାରା ସାଧାରଣତଃ ସ୍ୱାସ୍ଥ୍ୟର ମାପକାଠି ଓ ସଂଜ୍ଞା ନିରୁପଣ ନିମନ୍ତେ ବ୍ୟବହାର କରାଯାଉଛି ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।