ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପରିବାର ନିୟୋଜନ (ଇଂରାଜୀ ଭାଷାରେ Family planning) ସଂଜ୍ଞା:- "ବ୍ୟାପକ ଶିକ୍ଷା, ଡାକ୍ତରୀ ବା ସାମାଜିକ କାର୍ଯ୍ୟକଳାପ ସାହାଯ୍ୟରେ ନାବାଳିକ ସହିତ ବ୍ୟକ୍ତିମାନଙ୍କୁ ତାଙ୍କର ସନ୍ତାନ ସଂଖ୍ୟା ଓ ସେମାନଙ୍କ ମଧ୍ୟରେ ଅନ୍ତର ଓ ମାଧ୍ୟମ ବାଛିବା କ୍ଷମତାକୁ ପରିବାର ନିୟୋଜନ କୁହାଯାଏ ।" ଏହା ସହିତ ମହିଳାକୁ ଜନ୍ମ କରିବା ପିଲା ସଂଖ୍ୟା, ପିଲା ଜନ୍ମ କରିବାର ବୟସ, ଆଦୌ ପିଲା ଜନ୍ମ ନକରିବା ମଧ୍ୟ ପରିବାର ନିୟୋଜନ ମଧ୍ୟରେ ଆସେ । ବିବାହ ପରିସ୍ଥିତି, ପେଷାଗତ ବିଚାର, ଅର୍ଥନୈତିକ ସ୍ଥିତି ଓ ପଙ୍ଗୁତ୍ୱ ଭଳି ବାହ୍ୟ କାରକମାନ ଶିଶୁ ଜନ୍ମ ଓ ଲାଳନ ପାଳନ କରିବା ଦାୟୀତ୍ୱକୁ ଏହା ପ୍ରଭାବିତ କରେ । ଯୌନ ସକ୍ରିୟ ଥିଲେ ଜନ୍ମ ନିୟନ୍ତ୍ରଣ କରିବା ଉପାୟ ଓ ପ୍ରଜନନ (reproduction) ସମୟ ଓ ଜନ୍ମ ନିୟନ୍ତ୍ରଣ ଉପାୟମାନ ବିଚାର କରିବାକୁ ମଧ୍ୟ ପରିବାର ନିୟୋଜନ କୁହାଯାଏ ।ଅନ୍ୟ ଦିଗରେ ପରିବାର ନିୟଜନ ମଧ୍ୟରେ ଯୌନ ଶିକ୍ଷା (sex education), ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ଚିକିତ୍ସା ଓ ପ୍ରତିଷେଧ, ପ୍ରାକ୍-ଗର୍ଭାଧାନ ପରାମର୍ଶ (pre-conception counseling) ଗର୍ଭାବସ୍ଥା ଉପଚାର ଓ ବନ୍ଧ୍ୟା ଚିକିତ୍ସା (infertility) ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ । କେବଳ ଗର୍ଭଧାରଣ ସେବାରେ ପରିବାର ନିୟୋଜନକୁ ସଂଲଗ୍ନ କରାଯେ ଗର୍ଭପାତକୁ ନୁହେଁ । କିନ୍ତୁ ଜନ୍ମ ନିରୋଧ ଓ ପରିବାର ନିୟୋଜନ କଲେ ଗର୍ଭପାତ ସଙ୍କଟ କମିଯାଏ ।ପରିବାର ନିୟୋଜନକୁ ବେଳେ ବେଳେ ଭୁଲରେ ଗର୍ଭନିରୋଧ (contraception) ଅର୍ଥରେ ବ୍ୟବହାର କରାଯାଏ । ଗର୍ଭନିରୋଧ ସହିତ ତାହାର ଉପାୟ ଓ ଅଭ୍ୟାସ ନିୟୋଜନ ମଧ୍ୟରେ ଯାଏ । ଅଧିକନ୍ତୁ ଅନେକ ଗର୍ଭନିରୋଧ କରିବାକୁ ଇଚ୍ଛା କରନ୍ତି, ନିୟୋଜନ ନୁହେଁ ଓ ଏହି ଦଳରେ ଅବିବାହିତ ଯୁବକ ଯୁବତୀ, ଯୁବାବସ୍ଥାର ବିବାହିତ ଯୋଡ଼ି, ପେଷା ପ୍ରତି ଧ୍ୟାନ ଦେବାକୁ ଗର୍ଭାଧାନ ବିଳମ୍ବିତ କରିବା ଲୋକ ଅଛନ୍ତି; ଏହି ଦିଗରେ ଅନେକ କାମ କରାଯାଇଛି । ଅଧୁନା ମହିଳା ଓ ତାହାର ଶିଶୁ ଗର୍ଭଧାରଣ ନିର୍ଣ୍ଣୟ ବିଷୟକୁ ପରିବାର ନିୟୋଜନ ପରିପ୍ରେକ୍ଷୀରେ ନିଆଯାଉଛି ଓ ପୃଥିବୀର ଅନେକ ଦେଶମାନଙ୍କରେ ପ୍ରଜନନ ସ୍ୱଇଚ୍ଛାକୁ ଅଗ୍ରାଧିକାର ଦିଆଯାଉଛି । ସାଧାରଣତଃ ପରିବାର ନିୟୋଜନରେ ଦମ୍ପତ୍ତିଙ୍କର ସୀମିତ ଶିଶୁ ସଂଖ୍ୟା ଓ ଗର୍ଭାଧାନର ସମୟ ନିୟନ୍ତ୍ରଣ କରିବା ପ୍ରଥାକୁ ଜନ୍ମ ଅନ୍ତର ବା ଶିଶୁ ଅନ୍ତର (spacing children) କୁହାଯାଉଛି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ମାତୃ ମୃତ୍ୟୁ (ଇଂରାଜୀ ଭାଷାରେ Maternal death ବା maternal mortality) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ସଂଜ୍ଞାକରଣ କରାଯାଇଛି:- ଗର୍ଭାବସ୍ଥାରେ ବା ଗର୍ଭ ସମାପ୍ତି ପରଠାରୁ ୪୨ ଦିନ ପର୍ଯ୍ୟନ୍ତ ମହିଳାର ଗର୍ଭକାଳ, ଗର୍ଭର ସ୍ଥାନ, ଯେ କୌଣସି ଗର୍ଭ କାରଣରୁ ଅବସ୍ଥାର ଅବନତି ବା ଏହାର ଚିକିତ୍ସା ଇତ୍ୟାଦି କାରଣମାନଙ୍କ ଯୋଗୁ ମୃତ୍ୟୁ ହେଲେ ତାହାକୁ ମାତୃ ମୃତ୍ୟୁ କୁହାଯିବ କିନ୍ତୁ ଦୁର୍ଘଟଣା ବା ସମସାମୟିକ କାରଣରୁ ନୁହେଁ ।ଡବ୍ଲ୍ୟୁଏଚଓର ଏହି ସଂଜ୍ଞାରେ ଗର୍ଭ ସମାପ୍ତି ପରେ ସମୟ ଅବଧିକୁ ସିଡିସି ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଇଂରାଜୀ ଭାଷାରେ ମ୍ୟାଟରନାଲ ମର୍ଟାଲିଟି ରେଟ୍ (ମାତୃ ମୃତ୍ୟୁ ହାର) ଓ ମ୍ୟାଟରନାଲ ମର୍ଟାଲିଟି ରେସିଓ (maternal mortality ratio - ମାତୃ ମୃତ୍ୟୁ ଅନୁପାତ) ସୂଚକ ଦୁଇଟିକୁ ଏମଏମଆର ("MMR") ଭାବରେ ବ୍ୟବହାର କରାଯାଏ ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରେ । ୧୯୯୦ ମସିହାରୁ ୨୦୧୭ ମସିହା ସୁଦ୍ଧା ମାତୃ ମୃତ୍ୟୁ ହାର ୪୪% କମିଯାଇଛି କିନ୍ତୁ ପ୍ରତି ଦିନ ୮୩୦ ଜଣ ମହିଳ ଗର୍ଭ ଓ ଶିଶୁଜନ୍ମ କାରଣରୁ ମୃତ୍ୟୁ ମୁଖରେ ପତିତ ହେଉଛନ୍ତି । ମିଳିତ ଜାତିସଂଘ ଜନସଂଖ୍ୟା ଫଣ୍ଡ (UNFPA) ଦ୍ଵାରା ୨୦୧୭ ମସିହାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ମହିଳା ପ୍ରତି ଦୁଇ ମିନିଟରେ ଓ ମୃତ୍ୟୁ ବରଣ କରୁଥିବା ପ୍ରତ୍ୟେକ ମହିଳା ୨୦-୩୦ ସଂଖ୍ୟକ ଜଟିଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବା ଦୀର୍ଘକାଳୀନ କୁଫଳ ପ୍ରାପ୍ତ ହୁଅନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସମସ୍ୟାର ପ୍ରତିଷେଧ ହୋଇପାରିବ ।୨୦୧୫ ମସିହାରେ ସର୍ବମୋଟ ୩୦୩୦୦୦ ମହିଳା ପ୍ରସବ ବା ଗର୍ଭାବସ୍ଥାଜନିତ ସମସ୍ୟାରୁ ମୃତ୍ୟୁବରଣ କରିଥିବା ମିଳିତ ଜାତିସଂଘ ଜନସଂଖ୍ୟା କୋଷ ପ୍ରକାଶ କରିଥିଲା । ଏଥିରୁ କିଛି କାରଣ ଯଥା – ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ଓ ପ୍ରସବ ବାଧାପ୍ରାପ୍ତ ହେବା ଇତ୍ୟାଦି ଅବସ୍ଥାର ପ୍ରତିରୋଧ ସମ୍ଭବପର । ବହୁ ମହିଳାମାନଙ୍କୁ ପରିବାର ନିୟୋଜନ ଓ ପ୍ରସବ ଯତ୍ନ ସମ୍ପର୍କୀୟ ସୁବିଧା ଉପଲବ୍ଧ ହୋଇପାରିଥିବାରୁ ବିଶ୍ଵ ସ୍ତରରେ ମାତୃ ମୃତ୍ୟୁ ହାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ୧୯୯୦ ମସିହାରେ ଲକ୍ଷେ ପ୍ରସବରେ ୩୮୫ଟି ମାତା ମୃତ୍ୟୁମୁଖରେ ପଡ଼ୁଥିଲେ, କିନ୍ତୁ ୨୦୧୫ ମସିହା ବେଳକୁ ଲକ୍ଷେ ପ୍ରସବରେ ଏହି ସଂଖ୍ୟା ୨୧୬କୁ ହ୍ରାସ ପାଇଛି । ବିଗତ ଦଶ ବର୍ଷରେ ଅନେକ ଦେଶ ଏହି ମୃତ୍ୟୁ ହାରକୁ ୫୦% କମାଇବାରେ ସଫଳ ହୋଇପାରିଛନ୍ତି ।ମାତୃ ମୃତ୍ୟୁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଏହି ହାର ହ୍ରାସ ପାଇଛି ସତ, କିନ୍ତୁ ଅବିକଶିତ ଓ ଗରିବ ଦେଶମାନଙ୍କରେ ଏହି ଦିଗରେ ବହୁ ମାତ୍ରାରେ ଉନ୍ନତି ଆବଶ୍ୟକ । ଏସିଆ ଓ ଆଫ୍ରିକା ମହାଦେଶର ଅବିକଶିତ ଦେଶମାନଙ୍କର ମାତୃ ମୃତ୍ୟୁ ହାର ସମଗ୍ର ବିଶ୍ଵର ମାତୃ ମୃତ୍ୟୁ ହାରର ୮୫% । ମାତାଙ୍କ ମୃତ୍ୟୁର ପ୍ରଭାବ ପରିବାର ଉପରେ ମଧ୍ୟ ପଡ଼ିଥାଏ । ଯଦିଓ କିଛି ଶିଶୁ ଗର୍ଭରୁ ଜୀବିତ ବାହାରିବାରେ ସଫଳ ହୁଅନ୍ତି, କିନ୍ତୁ ସେମାନେ ଦୁଇ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ।
ମଧୁସୂଦନ ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ମଧୁସୂଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଅଜନ୍ତା ଗୁମ୍ଫା (ଇଂରାଜୀରେ Ajanta Caves,ମରାଠୀ ଭାଷାରେ अजिंठा लेणी - ଅର୍ଥାତ୍ ଅଜିଣ୍ଠା ଗୁମ୍ଫା) ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ ।ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ.
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଜଗନ୍ନାଥ ଦାସ (1487-1547) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ୱତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ୱାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ୱ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ୱୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ"ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣକୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ଭାରତୀୟ ସଂସଦର ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ୧୯୫୫ ନାଗରିକତା ନିୟମର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ । ଏଥି ପାଇଁ ଯୋଗ୍ୟ ସଂଖ୍ୟାଲଘୁମାନେ ହେଲେ ହିନ୍ଦୁ ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ । ମୁସଲିମମାନେ ଏଥି ପାଇଁ ଯୋଗ୍ୟ ନୁହଁନ୍ତି । ଏଥି ପାଇଁ ଯୋଗ୍ୟ ବିବେଚିତ ହେବା ନିମନ୍ତେ ପ୍ରାର୍ଥୀମାନେ ୨୦୧୪ ଡିସେମ୍ବର ୩୧ ଆଗରୁ ଭାରତରେ ପ୍ରବେଶ କରିଥିବା ଓ ନିଜ ମୂଳ ଦେଶରେ "ଧର୍ମଗତ ଅତ୍ୟାଚାର ସହିଥିବା ବା ଧର୍ମଗତ ଅତ୍ୟାଚାରର ଭୟ ଥିବା" ବିଧେୟ । ଏହି ନିୟମ ଉପୋରକ୍ତ ସଂଖ୍ୟାଲଘୁମାନଙ୍କ ପାଇଁ ନାଗରିକତାର ଆବଶ୍ୟକତାକୁ କୋହଳ କରି ୧୧ ବର୍ଷରୁ ୫ ବର୍ଷ କରିଥିଲା କ୍ଷମତାସୀନ ଭାରତୀୟ ଜନତା ପାର୍ଟି ତା'ର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ତାହା ହିନ୍ଦୁ ଶରଣାର୍ଥୀମାନଙ୍କୁ ଏକ ପ୍ରାକୃତିକ ବାସଭୂମି ଯୋଗାଇବ । ସେହି ଦିନରୁ ଏହି ଭଳି ଶରଣାର୍ଥୀମାନଙ୍କ ବାବଦରେ ଖବର ପ୍ରକାଶ ପାଇଆସୁଥିଲା । ୨୦୧୫ରେ ସରକାର ଏଭଳି ଶରଣାର୍ଥୀମାନଙ୍କୁ ସେମାନଙ୍କ ଯାତାୟତ ନଥି ଓ ଦୀର୍ଘମିଆଦି ଭିସା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ଆରମ୍ଭ କରିଥିଲା । ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁସାରେ ପ୍ରାୟ ସମସ୍ତ ହିନ୍ଦୁ କିମ୍ବା ଶିଖ ଧର୍ମାବଲମ୍ବୀ ଥିବା ୩୦,୦୦୦ ଶରଣାର୍ଥୀ ଏହି ନିୟମ ସଂଶୋଧନୀଦ୍ୱାରା ଉପକୃତ ହୋଇଛନ୍ତି ବା ହେବେ ।ଭାରତର ଧର୍ମନିରପେକ୍ଷ ସମ୍ବିଧାନ ଓ ତା'ର ୧୪ତମ ଧାରାର ଉଲ୍ଲଂଘନ କରୁଥିବାରୁ ଏହି ସଂଶୋଧନୀ ନିୟମ ଭାରତ ଓ ବିଦେଶରେ ସମାଲୋଚିତ ହୋଇଛି ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
କମ୍ପୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖ ଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡ଼ିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.