ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ପ୍ରାଣୀ, ସାଧାରଣତଃ ବହୁକୋଷିକା ବିଶିଷ୍ଟ ଏକ ୟୁକେରୀୟୋଟିକ (eukaryotic) ଜୀବ ଅଟନ୍ତି । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ । ଗଛଗୁଡ଼ିକ ଶକ୍ତି ପ୍ରାପ୍ତ କରିବା ପାଇଁ ସୂର୍ଯ୍ୟାଲୋକର ବ୍ୟବହାର କରିଥାନ୍ତି, କିନ୍ତୁ ପ୍ରାଣୀମାନେ ସେଭଳି କରିନଥାନ୍ତି । ପ୍ରାଣୀମାନେ ଅନ୍ୟ ଜୀବିତ ବସ୍ତୁଠାରୁ ଶକ୍ତି ପ୍ରାପ୍ତ କରିବାପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜୀବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ "ଆନିମାଲିଆ" (Animalia) କିମ୍ବା "ମେଟାଜୋଆ" (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଷିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ୟୁକେରୀୟୋଟିକ ଜୀବର ଏକ ମୁଖ୍ୟ ସମୂହ ଅଟେ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ , ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏ । କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ କାର୍ଯ୍ୟାନ୍ତରଣ /ରୂପାନ୍ତରଣ (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, ଆପୋଷ ବୁଝାମଣା ବା ମିଡିଏସନ ଇତ୍ୟାଦି ମଧ୍ୟରେ ଏହା ଅନ୍ୟତମ ମାଧ୍ୟମ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୁଅନ୍ତି ଏବଂ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ ବିରୋଧରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ଵାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ୍ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଇତିହାସ ( ଗ୍ରୀକ୍ରୁ ἱστορία , "historia" ଯାହାର ଅର୍ଥ ହେଉଛି "ଅନୁସନ୍ଧାନ; ଅନୁସନ୍ଧାନଦ୍ୱାରା ପ୍ରାପ୍ତ ଜ୍ଞାନ ") ହେଉଛି ଅତୀତର ଅଧ୍ୟୟନ | ଲେଖିବା ପଦ୍ଧତିର ଉଦ୍ଭାବନ ପୂର୍ବରୁ ଉପୁଜୁଥିବା ଇଭେଣ୍ଟସମୂହ ବିବେଚିତ ହୋଇଥାଏ prehistory । "ଇତିହାସ" ହେଉଛି ଏକ ଛତା ଶବ୍ଦ (umbrella term) ଯାହା ଅତୀତର ଘଟଣା ସହିତ ସ୍ମୃତି, ଆବିଷ୍କାର, ସଂଗ୍ରହ, ସଂଗଠନ, ଉପସ୍ଥାପନା, ଏବଂ ଏହି ଘଟଣାଗୁଡ଼ିକ ବିଷୟରେ ସୂଚନାର ବ୍ୟାଖ୍ୟା ସହିତ ଜଡିତ | ଐତିହାସିକ ଉତ୍ସଗୁଡିକ ବ୍ୟବହାର କରି ଐତିହାସିକମାନେ ଅତୀତକୁ ସ୍ଥାନିତ କରନ୍ତି ଯେପରିକି ଲିଖିତ ଡକ୍ୟୁମେଣ୍ଟ୍, ମୋଉଖିକ ଆକାଉଣ୍ଟ୍, ଇକୋଲୋଜିକାଲ୍ ମାର୍କର୍ ଏବଂ କଳା ଏବଂ କଳାକୃତି ସହିତ ବସ୍ତୁ |
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସୋମବାର ହେଲା ସପ୍ତାହର ଏକ ଦିନ ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ । ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାମ ଆରମ୍ଭ ହୁଏ । ସୁଖୀ ଦାମ୍ପତ୍ୟ ଜୀବନ ତଥା ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ଭଗବାନ ଶିବ ଓ ମା'ପାର୍ବତୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କୁ ଧଳାଫୁଲ, ବେଲପତ୍ର ଚଢାଇବା ସହ ଶିବସ୍ତୋତ୍ର, ଶିବଚାଳିଶା, ରୁଦ୍ରାଷ୍ଟକ ମନ୍ତ୍ର ଜପ କରାଯାଏ । ଥଣ୍ଡାଜନିତ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ଚନ୍ଦ୍ରଙ୍କ ବ୍ରତ ରଖାଯାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ପ୍ରଫୁଲ୍ଲ ମାଝୀ (ଜନ୍ମ: ୧ ଫେବୃଆରୀ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୬ ଉପ ନିର୍ବାଚନର, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଗୋମାଂସ (ବିଫ୍, ଗୋରୁମାଂସ ଓ ହଡ଼ା ମାଂସ ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି । ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ ।କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ ।ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), ବୃକକ, ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ ।ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।
ପ୍ରଦୀପ ମହାରଥୀ (୪ ଜୁଲାଇ ୧୯୫୫ - ୪ ଅକ୍ଟୋବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପ୍ରଦୀପ ଓଡ଼ିଶା ବିଧାନ ସଭାକୁ ୭ ଥର ନିର୍ବାଚିତ ହୋଇଥିଲେ । ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୦ମ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୁଣ ବା ସାଧାରଣ ଲୁଣ (ଇଂରାଜୀ ଭାଷାରେ Common salt) ବା ଟେବୁଲ ସଲ୍ଟ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ଯାହାର ରାସାୟନିକ ନାମ ସୋଡ଼ିଅମ କ୍ଲୋରାଇଡ (NaCl) ଓ ଏହା ଏକ ବୃହତ୍ତର ଲବଣ ଶ୍ରେଣୀର ଅନ୍ତର୍ଭୁକ୍ତ । ପ୍ରାକୃତିକ ଲୁଣକୁ ରକ୍ ସଲ୍ଟ ବା ସୈନ୍ଧବ ଲବଣ କୁହାଯାଏ । ସମୁଦ୍ର ଜଳରେ ପ୍ରଚୁର ପରିମାଣରେ ଲୁଣ ଥାଏ ଓ ଏହା ତାହାର ମୂଖ୍ୟ ଉପାଦାନ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭୁତାଣୁ ଏକ ସଂକ୍ରାମକ ଏଜେଣ୍ଟ ବା ପ୍ରତିନିଧି (infectious agent) ଯାହା କେବଳ ଜୀବନ୍ତ କୋଷ ଭିତରେ ରେପ୍ଲିକେଟ (replicates) କରେ । ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ଜୀବାଣୁ (bacteria) ଓ ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ୍ତ ସୃଷ୍ଟିକୁ ସଂକ୍ରମଣ କରିପାରେ ।ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି । ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି । ଭୁତାଣୁ ଅନୁଶୀଳନକୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।
ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କ ଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କ ମାନଙ୍କର ନିୟାମକ । ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କଳିକେଶ ନାରାୟଣ ସିଂହଦେଓ (ଜନ୍ମ: ୨୬ ମଇ ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ବିଜୁ ଜନତା ଦଳର ଜଣେ ନେତା ।ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଏବଂ ଜେଜେବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଉଭୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ ଠାରୁ ୦୯.୦୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଳିକେଶ ଡେରାଡୁନ୍ର ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ । ଏହାପରେ ସେ ଦିଲ୍ଲୀର ସେଣ୍ଟ ସ୍ଟିଫେନ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।ସାଂସଦ ହେବାପୂର୍ବରୁ କଳିକେଶ ଓଡ଼ିଶା ବିଧାନ ସଭାର କନିଷ୍ଠ ସଦସ୍ୟ ଭାବରେ ୨୦୦୪ରେ ବିଧାୟକ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ Sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନକ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'କୋରାପୁଟ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଜୀବାଣୁ (ଇଂରାଜୀ ଭାଷାରେ Bacteria ( (listen); ବିଶେଷ୍ୟ ବ୍ୟାକ୍ଟେରିଆ, ଏକବଚନ ବ୍ୟାକ୍ଟେରିଅମ)) ଏକ ପ୍ରକାର ଜୀବକୋଷ । ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ , ତେଜସ୍କ୍ରିୟ-ବର୍ଜ୍ଯବସ୍ତୁରେ ରହନ୍ତି, ଭୂ-ପୃଷ୍ଠର ଗଭୀର ଜୈବମଣ୍ଡଳରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍ଭିଦମାନଙ୍କ ସହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି । ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନକୁ ଜୀବାଣୁ ବିଜ୍ଞାନ ଯାହା ଅଣୁଜୀବ ବିଜ୍ଞାନର ଏକ ଶାଖା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ସ୍ପେନ, (ଅଧିକାରିକ ଭାବେ ସ୍ପେନର ରାଜତନ୍ତ୍ର) ମୁଖ୍ୟତଃ ଦକ୍ଷିଣ-ପୂର୍ବ ଇଉରୋପରେ ଥିବା ଏକ ଦେଶ। ଏହା ପ୍ରାୟତଃ ଇବେରିୟ ପ୍ରାୟଦ୍ୱୀପରେ ଅବସ୍ଥିତ ଏବଂ ଏହାର ଦୁଇଟି ଆଫ୍ରିକୀୟ ପରୀକ୍ଷେତ୍ର ଅଛି (ଯଥା କେଉଟା ଏବଂ ମେଇଆ) । ଏହାର ଏକ ଦ୍ୱୀପକୁଞ୍ଜ (କନାରୀ ଦ୍ବୀପ) ଆଫ୍ରିକୀୟ ତଟଠାରୁ ୧୦୦ କିମି ଦୂରତାରେ ଅବସ୍ଥିତ ଏବଂ ଅନ୍ୟ ଏକ ଦ୍ୱୀପକୁଞ୍ଜ (ବାଲେଆରିକ ଦ୍ବୀପ) ମଧ୍ୟ ସାଗରରେ ଅବସ୍ଥିତ । ଏହା ହେଉଛି ଏକ ମାତ୍ର ଇଉରୋପୀୟ ଦେଶ ଯିଏ ଆଫ୍ରିକା ସହିତ ଏକ ଭୌତିକ ସୀମା ଭାଗ କରେ । ଅଲବୋରାନ ସାଗରରେ ଅବସ୍ଥିତ ଅନେକ ଦ୍ବୀପ ମଧ୍ୟ ଏହି ଦେଶର ଅଂଶ ଅଟନ୍ତି । ସ୍ପେନର ମୁଖ୍ୟଭୂମି ଉତ୍ତରରେ ଫ୍ରାନ୍ସ , ପଶ୍ଚିମରେ ପର୍ତ୍ତୁଗାଲ ଏବଂ ଦକ୍ଷିଣରେ ଇଂଲଣ୍ଡ ସହିତ ଭୌତିକ ସୀମା ଭାଗ କରେ । ଏହା ଦକ୍ଷିଣ ଏବଂ ପୂର୍ବରେ ଭୂମଧ୍ୟ ସାଗରଦ୍ୱାରା ଘେରି ହୋଇ ଅଛି କେବଳ ଗୋଟେ ଛୋଟ ଭୂମି ସୀମାକୁ ଛାଡି଼ଦେଲେ (ଜିବ୍ରାଲଟାର) ଯାହାକି ଏକ ଇଂରେଜ କ୍ଷେତ୍ର ଅଟେ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।