ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଛାଞ୍ଚ:SDcatଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଇସଲାମ (اَلْإِسْلَامُ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କ ଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ । ଏହାର ବିଶ୍ୱର ଦ୍ବିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତ ଦ୍ବାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି । ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ ।ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆ ଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତ ର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ଵାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ନାସ୍ରିନ୍ ଅକ୍ତର ନିପୁନ୍ ( ନିପୁନ୍ ଆକ୍ତର ନାମରେ ଜଣାଶୁଣା; ଜନ୍ମଳ ୯ ଜୁନ ୧୯୮୪; ଜନ୍ମସ୍ଥାନ: କୋମିଲା, ବାଂଲାଦେଶ) ଜଣେ ବାଂଲାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ ଦୁଇଥର ବାଂଲାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ନିପୁନ୍ ୨୦୦୬ ମସିହାରେରେ ବାଂଲାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ୟେମେନ (ଆରବୀ: اليَمَن ଅଲ-ୟେମେନ), ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" (ଆରବୀ: الجمهورية اليمنية ଅଲ-ଜାମହୁରିଆ ଅଲ-ୟେମେନ) ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨୦୦ରୁ ଅଧିକ ଦ୍ୱୀପ ଅନ୍ତର୍ଭୁକ୍ତ, ଯେଉଁଥିରୁ ସୋକୋଟ୍ରା ଦ୍ୱୀପ ସର୍ବ ବୃହତ ଅଟେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କ୍ଲେବ୍ସିଏଲା ନିମୋନ୍ଯେ ଏକ ଗ୍ରାମ୍-ବିରୋଧୀ, ଖୋଳ-ବିହୀନ, ଲାକ୍ଟୋଜ୍-କିଣ୍ୱନକାରୀ, ଇଚ୍ଛାଧୀନ ଅବାୟବ, ବାଡ଼ି ଆକାରର ବ୍ଯାକ୍ଟେରୀଆ ଅଟେ। ମ୍ଯାକ୍କୋଙ୍କି ଆଗାର ଉପରେ ଏହା ମ୍ଯୁକୋଏଡ ଲାକ୍ଟୋଜ୍-କିଣ୍ୱକ ପରି ଦେଖାଯାଏ। ମୁଖ, ଚର୍ମ ତଥା ଅନ୍ତ୍ରନଳୀରେ ମିଳୁଥିଲେ ମଧ୍ଯ ଏହାକୁ ଆଘ୍ରାଣ କଲେ ଏହା ଫୁସଫୁସରେ, ମୁଖ୍ଯତଃ ଆଲଭିଓଲାଇକୁ ଗଭୀର କ୍ଷତି ପହଞ୍ଚାଇ ପାରେ। ଫଳରେ ସ୍ପୁଟମ ରକ୍ତିମ, ମାଠିଆ ତଥା ହଳଦିଆ ରଙ୍ଗର ହୋଇଯାଏ। ଏହା ଏଣ୍ଟେରୋବ୍ଯାକ୍ଟେରିଆସିର କ୍ଲେବ୍ସିଏଲା ପ୍ରଜାତିର ଅତି ମହତ୍ତ୍ୱପୂର୍ଣ୍ଣ ସଦସ୍ଯ। ଏହା ପ୍ରାକୃତିକ ଭାବରେ ମାଟିରେ ମିଳିଥାଏ ଏବଂ ଅବାୟବିକ ପରିସ୍ଥିତିରେ ଶତକଡା ପ୍ରାୟ ୩୦ ଭାଗ ଉପଜାତି ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି। ଏକ ମୁକ୍ତ ଦ୍ୱିଆଜୋଭୋଜୀ ହୋଇଥିବାରୁ ଏହାକୁ ଅଧିକ ଗବେଷିତ କରାଯାଇଛି। ଏହା କୃଷିକାର୍ଯ୍ୟ ପାଇଁ ମହତ୍ତ୍ବପୂର୍ଣ୍ଣ ଏବଂ ଶସ୍ଯ ଅମଳରେ ବୃଦ୍ଧି କରିପାରିବ ବୋଲି ପରୀକ୍ଷା କରାଯାଇ ସାରିଛି।ଏହା କ୍ଲେ.
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ବୃହତ୍ ବ୍ରିଟେନୀୟ ତଥା ଉତ୍ତର ଆୟାର୍ଲ୍ଯାଣ୍ଡୀୟ ଯୁକ୍ତରାଜ୍ୟ, ତଥା ଯୁକ୍ତରାଜ୍ୟ, ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ବାଣୀ କପୁର (ଜନ୍ମ: ୨୩ ଅଗଷ୍ଟ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ବାଣୀ ୨୦୧୩ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ହିନ୍ଦୀ କଥାଚିତ୍ର ଶୁଦ୍ଧ ଦେଶୀ ରୋମାନ୍ସରେ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିବା ସହ ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ବାଣୀଙ୍କୁ ବିଭିନ୍ନ ପୁରସ୍କାର ଉତ୍ସବରେ ପୁରସ୍କାର ମିଳିବା ସହ କିଛି ଉତ୍ସବରେ ମନୋନୀତ କରାଯାଇଥିଲା । ୫୯ତମ ଫିଲ୍ମଫେୟାରରେ ମଧ୍ୟ ବାଣୀଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ବାଣୀ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ଜଗତରେ ୨୦୧୪ରେ ଆହା କଲ୍ୟାଣମ୍ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ସିଗିରିଆ, ସିଗିରିୟା ବା ପ୍ରାଚୀନ ସିଂହଗିରି (ଈଂରାଜୀରେ Sigiriya, ସିଂହଳୀ ଭାଷାରେ සීගිරිය, ତାମିଲ୍ ଭାଷାରେ சிகிரியா) ଶ୍ରୀଲଙ୍କାର ମାତାଲେ ଜିଲ୍ଲାର ଉତ୍ତରାଞ୍ଚଳରେ ଅବସ୍ଥିତ । ଏକ ଲଣ୍ଡା ପାହାଡ଼ ବା ବିରାଟକାୟ ପଥର ଉପରେ ନିର୍ମିତ ଏହି ପ୍ରାଚୀନ ସହରରେ ଏକ ଦୁର୍ଗର ଅବଶେଷ ରହିଛି । କେନ୍ଦ୍ରୀୟ ଶ୍ରୀଲଙ୍କାର ଡାମ୍ବୁଲା ସହରରୁ ଅଳ୍ପ ଦୂରରେ ସିଗିରିଆ ଅବସ୍ଥିତ । ପ୍ରାୟ ୨୦୦ ମିଟର୍ ଉଚ୍ଚ ଏକ ଲଣ୍ଡା ପାହାଡ଼ ବା ବିରାଟ ପଥର ଉପରେ ରହିଥିବା ସିଗିରିଆ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । କୁଳବଂଶ ନାମକ ଏକ ପ୍ରାଚୀନ ସିଂହଳୀ ଲେଖା ଅନୁଯାୟୀ ଅନୁରାଧାପୁରର ରାଜା ପ୍ରଥମ କଶ୍ୟପ (୪୭୭ – ୪୯୫ ଖ୍ରୀ.) ସିଗିରିଆଠାରେ ନିଜର ନୂତନ ରାଜଧାନୀ ସ୍ଥାପନ କରିବା ପାଇଁ ସ୍ଥିର କରିଥିଲେ । ଲଣ୍ଡା ପାହାଡ଼ ଉପରେ ନିଜର ରାଜମହଲ ନିର୍ମାଣ କରାଇ ସେ ପଥରର ସମସ୍ତ ପାର୍ଶ୍ୱରେ ରଙ୍ଗବିରଙ୍ଗ ଭତ୍ତି ଚିତ୍ର ଅଙ୍କିତ କରାଇଥିଲେ । ପାହାଡ଼ ପାର୍ଶ୍ୱର ମଝାମଝି ସେ ସିଂହ ଆକୃତିର ଏକ ବିରାଟ ପ୍ରବେଶ ତୋରଣ ମଧ୍ୟ ନିର୍ମାଣ କରାଇଥିଲେ । ତେଣୁ ଏହି ସ୍ଥାନର ନାମ ସିଂହଗିରି ରଖାଯାଇଥିଲା । ରାଜାଙ୍କ ମୃତ୍ୟୁ ପରେ ଲୋକେ ରାଜମହଲ ଓ ଏହି ରାଜଧାନୀକୁ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯାଇଥିଲେ । ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ବୌଦ୍ଧ ବିହାର ଭାବେ ବ୍ୟବହୃତ ହୋଇଆସୁଥିଲା ।ବର୍ତ୍ତମାନ ସମୟରେ ସିଗିରିୟା UNESCOଦ୍ୱାରା ମାନ୍ୟତାପ୍ରାପ୍ତଏକ ବିଶ୍ୱ ଐତିହ୍ୟ ସ୍ଥଳ । ବିଭିନ୍ନ ସଂରକ୍ଷିତ ପ୍ରାଚୀନ ନଗର ଶୈଳୀ ଓ ଯୋଜନା ମଧ୍ୟରେ ଏହାର ସଂରକ୍ଷଣ ଶ୍ରେଷ୍ଠ ରୂପେ କରାଯାଇଛି ।
କୁଫା (ଇଂରାଜୀ ଭାଷାରେ kuphar ବା kuffah ବୋଲି ଉଚ୍ଚାରିତ) ଏକ ଗୋଲାକାର ଡଙ୍ଗା । ଟାଇଗ୍ରିସ୍ ଓ ୟୁପ୍ରେଟିସ୍ ନଦୀ କୂଳରେ ଗଢ଼ି ଉଠିଥିବା ପ୍ରାଚୀନ ମେସୋପଟାମିଆ ସଭ୍ୟତା ସମୟରୁ ଏହି କୁଫା ବ୍ୟବହୃତ ହୋଇ ଆସୁଛି । ଗୋଲାକୃତି ହୋଇଥିବାରୁ ସ୍ରୋତର ବିପରୀତ ଦିଗରେ ଯିବା ବେଳେ ଏହା ଗୋଲ ଗୋଲ ବୁଲିଥାଏ ଓ ସ୍ରୋତର ବିପରୀତ ଦିଗରେ କୁଫା ଚଳାଇବା କଷ୍ଟ । କିନ୍ତୁ ଏହା ଏକ ସୁରକ୍ଷିତ, ସୁଗଠିତ ଡଙ୍ଗା ଓ ଏହାର ନିର୍ମାଣ ପ୍ରକ୍ରିୟା ସରଳ । କାତ ବା ଆହୁଲା ସାହାଯ୍ୟରେ କୁଫାକୁ ଚଳାଇବାକୁ ପଡ଼ିଥାଏ ।
ଡ୍ରେକୋ (ଇଂରାଜୀ ଭାଷାରେ Draco) ଏକ ଉଡ଼ନ୍ତା ଏଣ୍ଡୁଅ ପ୍ରଜାତି । ଏମାନଙ୍କୁ ଉଡ଼ନ୍ତା ଏଣ୍ଡୁଅ ବା ଉଡ଼ନ୍ତା ଡ୍ରାଗନ୍ ବୋଲି ମଧ୍ୟ କୁହାଯାଏ । ଏହି ଏଣ୍ଡୁଅମାନଙ୍କ ଦେହରେ ଅନେକ ପତଳା ପରଦା ରହିଥାଏ ଯାହା ଡେଣା ପରି ଖୋଲିପାରେ ଓ ଏହା ସହାୟତାରେ ଏମାନେ ଅଳ୍ପ ଦୂର ଉଡ଼ିଯାଇ ପାରନ୍ତି । ଏହି ଏଣ୍ଡୁଅ ଅଧିକାଂଶରେ ଗଛ ଉପରେ ବିଚରଣ କରେ ଏବଂ ବିଭିନ୍ନ କୀଟପତଙ୍ଗ ଭକ୍ଷଣ କରିଥାଏ । ଉଡ଼ନ୍ତା ଏଣ୍ଡୁଅର ପ୍ରମୁଖ ଆହାର ହେଲା ପିମ୍ପୁଡ଼ି, ଊଈ ଏବଂ ପୋକଯୋକ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହେଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ୱର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ । ମିର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ୱ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ । ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହେଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।
ଇତିହାସ ( ଗ୍ରୀକ୍ରୁ ἱστορία , "historia" ଯାହାର ଅର୍ଥ ହେଉଛି "ଅନୁସନ୍ଧାନ; ଅନୁସନ୍ଧାନଦ୍ୱାରା ପ୍ରାପ୍ତ ଜ୍ଞାନ ") ହେଉଛି ଅତୀତର ଅଧ୍ୟୟନ | ଲେଖିବା ପଦ୍ଧତିର ଉଦ୍ଭାବନ ପୂର୍ବରୁ ଉପୁଜୁଥିବା ଇଭେଣ୍ଟସମୂହ ବିବେଚିତ ହୋଇଥାଏ prehistory । "ଇତିହାସ" ହେଉଛି ଏକ ଛତା ଶବ୍ଦ (umbrella term) ଯାହା ଅତୀତର ଘଟଣା ସହିତ ସ୍ମୃତି, ଆବିଷ୍କାର, ସଂଗ୍ରହ, ସଂଗଠନ, ଉପସ୍ଥାପନା, ଏବଂ ଏହି ଘଟଣାଗୁଡ଼ିକ ବିଷୟରେ ସୂଚନାର ବ୍ୟାଖ୍ୟା ସହିତ ଜଡିତ | ଐତିହାସିକ ଉତ୍ସଗୁଡିକ ବ୍ୟବହାର କରି ଐତିହାସିକମାନେ ଅତୀତକୁ ସ୍ଥାନିତ କରନ୍ତି ଯେପରିକି ଲିଖିତ ଡକ୍ୟୁମେଣ୍ଟ୍, ମୋଉଖିକ ଆକାଉଣ୍ଟ୍, ଇକୋଲୋଜିକାଲ୍ ମାର୍କର୍ ଏବଂ କଳା ଏବଂ କଳାକୃତି ସହିତ ବସ୍ତୁ |
'ଗୋ' ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ,ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।
ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦ ଗୁଡିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ୱୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ୱକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।
ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ ତାରାତାରିଣୀଙ୍କ ଶକ୍ତିପୀଠ। ଆମ ଦେଶରେ ଥିବା ବିଭିନ୍ନ 51 ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ବେଶ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍ପିଣ୍ଡ ଓ ରକ୍ତନଳି ରୋଗ, ଟାଇପ ୨ ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ । ବ୍ୟାୟାମଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ । ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଆଶ୍ଚର୍ଯ୍ୟଜନକ" ବା "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।