ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଲକ୍ଷ୍ମଣ କୁମାର ମହାପାତ୍ର (୨୯ ଅକ୍ଟୋବର ୨୦୨୯ - ୧ ଜୁନ ୨୦୨୦) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ନୃତତ୍ତ୍ୱବିଜ୍ଞାନୀ ଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟରୁ ନୃତତ୍ୱବିଜ୍ଞାନରେ ସ୍ନାତକ ଓ ହାମବର୍ଗ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ । ୧୯୮୬ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓ ୧୯୮୯ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱବିଜ୍ଞାନ ବିଭାଗର ମୁଖ୍ୟ ଥିବା ବେଳେ ବିଶ୍ୱବିଦ୍ୟାଳୟରେ ନିୟମିତ ପାଠ୍ୟକ୍ରମରେ ଦକ୍ଷିଣ ପୂର୍ବ ଏସିଆର ଶିକ୍ଷାଦାନ ଆରମ୍ଭ କରିବା ସେ ଭାରତରେ ପ୍ରଥମ ଶିକ୍ଷାବିଦ୍ ଥିଲେ । ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବେ ସାମାଜିକ ବିଜ୍ଞାନ ପାଇଁ ୟୁଜିସିର ସର୍ବୋଚ୍ଚ ପୁରସ୍କାର ପାଇଥିଲେ । ଭାରତ ଓ ଆମେରିକାର ବିସ୍ଥାପିତ ଜନସଂଖ୍ୟାର ପୁନର୍ବାସ ନିମନ୍ତେ ସେ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଓ ପୁନଶ୍ଚ ୧୯୯୫-୯୬ ପର୍ଯ୍ୟନ୍ତ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ୧୯୯୦ ମସିହାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଏବଂ ଓଡ଼ିଶା ସରକାରଙ୍କ ସହଯୋଗୀତାରେ ଅବସ୍ଥାପିତ ଗବେଷଣା କେନ୍ଦ୍ର ନବକୃଷ୍ନ ଚୌଧୁରୀ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ନୃତତ୍ତ୍ୱବିଜ୍ଞାନ ନିମନ୍ତେ ତାଙ୍କର ଆଜୀବନ ଅବଦନା ନିମନ୍ତେ ତାଙ୍କୁ ଭାରତୀୟ ନୃତତ୍ତ୍ୱବିଜ୍ଞାନ ସମାଜ (ଇଣ୍ଡିଆନ ଆନ୍ଥ୍ରୋପୋଲୋଜିକାଲ ସୋସାଇଟି) ୨୦୦୪ ମସିହାରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲା ।୨୦୨୦ ମସିହା ଜୁନ ୧ ତାରିଖ ସକାଳ ୮ଟା ସମୟରେ ୯୦ ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଢୁମ୍ପା ଏକ ପାରମ୍ପରିକ ବାଦ୍ୟଯନ୍ତ୍ର। ଏହା ସହ ଗାନ କରାଯାଉଥିବା ଗୀତକୁ ଢୁମ୍ପା ସଂଗୀତ କହାଯାଏ। ଢୁମ୍ପା ଓଡ଼ିଶାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଏକ ପ୍ରକାର ପାରମ୍ପରିକ ସଙ୍ଗୀତ ଓ ବାଦ୍ୟଯନ୍ତ୍ର।। ଏହା ସର୍ବପ୍ରଥମେ ଅଷ୍ଟାଦଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କଦ୍ୱାରା ଆରମ୍ଭ କରାଯାଇଥିଲା। ଏଥିରେ ବ୍ୟବହୃତ ପ୍ରମୁଖ ବାଦ୍ୟଯନ୍ତ୍ର 'ଢୁମ୍ପା' ଅନୁସାରେ ଏହାକୁ ଢୁମ୍ପା ସଙ୍ଗୀତ ବୋଲାଯାଏ। ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ମଇ ବା ଭେଣ୍ଡିଆମର୍ଦ୍ଦନ ଗଛ ଛେଲିରୁ ଏହି ବିରଳ ବାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହି ବାଦ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ଵାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ସିଓଲ୍ (କୋରିଆନ୍: 서울 [sʌ.ul] ହେଉଛି ଦକ୍ଷିଣ କୋରିଆ ର ରାଜଧାନୀ । ୯.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ମହାନଗର ଦେଶର ଉତ୍ତର-ପଶ୍ଚିମ ଦିଗରେ ହାନ-ଗାଙ୍ଗ ନଦୀକୂଳରେ ଅବସ୍ଥିତ । ଏକ ବିଶ୍ଵ ସ୍ତରୀୟ ସହର ଭାବରେ ପରିଗଣିତ ହୋଇଥିବା ସିଓଲ୍ ଟୋକିଓ, ନ୍ୟୁୟର୍କ ସିଟି ଏବଂ ଲସ୍ ଆଞ୍ଜେଲସ୍ ପରେ ୨୦୧୪ରେ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ମହାନଗର । ୨୦୧୭ ସୁଦ୍ଧା, ସିଓଲରେ ଜୀବନଯାପନର ଖର୍ଚ୍ଚ ମାପକରେ ବିଶ୍ଵ ସ୍ତରରେ ଏହାର ସ୍ଥାନ ରହିଥିଲା ଷଷ୍ଠ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ବିଷ୍ଣୁଙ୍କ ଅନ୍ୟ ଅବତାର ପରି ତାଙ୍କୁ ଏକ ସମୟରେ ପୃଥିବୀରେ ଅତ୍ୟଧିକ ମନ୍ଦ ସୃଷ୍ଟି ହେଲା ପରେ ଉପସ୍ଥିତ ହେବା ପାଇଁ ଆଗରୁ ଜଣାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ ଶକ୍ତି ସହିତ କ୍ଷତ୍ରିୟମାନେ ସେମାନଙ୍କର ଶକ୍ତି ଅପବ୍ୟବହାର କରିବା ଆରମ୍ଭ କରିଥିଲା ଓ ଶକ୍ତି ଦ୍ୱାରା ଯାହା ଅନ୍ୟମାନଙ୍କର ଥିଲା ତାକୁ ଜୋର କରି ନେବା ସହିତ ଲୋକମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲା । ପରଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ଧ୍ୱଂସ କରି ବ୍ରହ୍ମାଣ୍ଡର ସନ୍ତୁଳନକୁ ସମତୁଲ କରନ୍ତି । ପରଶୁରାମ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣ ଆଦିଙ୍କର ମଧ୍ୟ ଗୁରୁ ।ତାଙ୍କୁ କିଛି ହିନ୍ଦୁ ପୁରାଣରେ ରାମ ଯମଦଗ୍ନି, ରାମ ଭାର୍ଗବ ଏବଂ ବୀରରାମ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାହ ସମ୍ପର୍କିତ ବିବାଦର ସୁପରିଚାଳନା ନିମିତ୍ତ ୧୯୫୫ ମସିହାରେ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ପ୍ରଣୀତ ଏକ ଅଧିନିୟମ । ହିନ୍ଦୁ ଆଇନର ଏହା ଅନ୍ୟତମ ମୁଖ୍ୟ ସଂହିତା । ଏହାବ୍ୟତୀତ ହିନ୍ଦୁ ଆଇନର ଅନ୍ୟ ଦୁଇ ଅଧିନିୟମ ଯଥା; ହିନ୍ଦୁ ଉତ୍ତରାଧୀକାର ଅଧିନିୟମ (୧୯୫୬), ହିନ୍ଦୁ ନାବାଳକ ଏବଂ ଅଭିଭାବକତ୍ତ୍ୱ ଅଧିନିୟମ(୧୯୫୬) ଏବଂ ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ ମଧ୍ୟ ଏହା ପରେ ପରେ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ଅଧିଗୃହୀତ ହୋଇଥିଲା ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ଭିଏତନାମ, ଆନୁଷ୍ଠାନିକ ଭାବରେ ସୋସିଆଲିଷ୍ଟ ରିପବ୍ଲିକ୍ ଅଫ୍ ଭିଏତନାମ, ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ ଏବଂ ଇଣ୍ଡୋଚିନ୍ ଉପଦ୍ୱୀପରେ ପୂର୍ବତମ ଦେଶ | ୨୦୧୯ ସୁଦ୍ଧା ଆନୁମାନିକ ୯ କୋଟି ୬୨ ଲକ୍ଷ୍ୟ ବାସିନ୍ଦା ଓ ଏହା ବିଶ୍ୱର ପଞ୍ଚଦଶତମ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ | ଭିଏତନାମର ସୀମା ଉତ୍ତରରେ ଚୀନ୍ ଏବଂ ପଶ୍ଚିମରେ ଲାଓସ୍ ଏବଂ କାମ୍ବୋଡିଆ ସହିତ ରହିଛି | ଏହାର ସାମୁଦ୍ରିକ ସୀମା ଥାଇଲ୍ୟାଣ୍ଡ ଗଲ୍ଫରେ ଥାଇଲ୍ୟାଣ୍ଡ ସହିତ ଏବଂ ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ମାଲେସିଆ ସହ ଅଛି | ଏହାର ରାଜଧାନୀ ହାନୋଇ ଏବଂ ଏହାର ଜନବହୁଳ ସହର ହେଉଛି ହୋ ଚି ମିନ୍ ସିଟି, ଯାହା ଏହାର ପୂର୍ବତନ ନାମ ସାଇଗନ୍ ନାମରେ ମଧ୍ୟ ଜଣାଯାଏ |
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ସମ୍ବିଧାନର ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏକ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲା । ସମ୍ବିଧାନର ଭାଗ ୨୧ "ବିଶେଷ ଓ ସମାୟିକ ପ୍ରାବଧାନ" ଅନ୍ତର୍ଭୁକ୍ତ ଧାରା ୩୭୦ଦ୍ୱାରା ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ରାଜ୍ୟର କ୍ଷମତା ମିଳିଥିଲା । ଏହା ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ତଥା ଜାତୀୟ ପତାକା ରହିଥିଲା । ଏହି ଧାରା ଜାମ୍ମୁ-କାଶ୍ମୀରର ସମ୍ବିଧାନ ପ୍ରଣୟନ ସଭାକୁ ଭାରତୀୟ ସମ୍ବିଧାନର ଯେ କୌଣସି ପ୍ରାବଧାନ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ କରିବା କିମ୍ବା ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର କ୍ଷମତା ଦେଇଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ସମ୍ବିଧାନ ପ୍ରଣୟନ ସଭା ଏହି ଧାରାକୁ ନିଷିଦ୍ଧ କରିବା ପୂର୍ବରୁ ହିଁ ଭଙ୍ଗ କରିଦିଆଯାଇଥିଲା । ଫଳରେ ଏହି ଧାରା ଭାରତୀୟ ସମ୍ବିଧାନ ଏକ ସ୍ଥାୟୀ ଅଙ୍ଗ ରୂପେ ଗୃହୀତ ହୋଇଥିଲା । ଏହି ଧାରାକୁ ୨୦୧୯ ଅଗଷ୍ଟ ୫ ତାରିଖରୁ ନିଷିଦ୍ଧ କରିଦିଆଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ । ସଂସଦର ଅନୁମୋଦନ ପରେ ସେ ଧାରା ୩୭୦ର ସମସ୍ତ ନିୟମ ଅଚଳ ହେବାର ଘୋଷଣା କରିଥିଲେ ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ତୁର୍କୀ (ଆନୁଷ୍ଠାନିକ ନାମ ତୁର୍କୀ ଗଣତନ୍ତ୍ର) ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ । ଏହାର କିଛି ଅଂଶ ଯୁରୋପର ବଲକାନ ଉପଦ୍ୱୀପ ଓ କିଛି ଅଂଶ ପଶ୍ଚିମ ଏସିଆର ଆନାତୋଲିଆ ଉପଦ୍ୱିପରେ ସ୍ଥିତ । ଏହାର ଉତ୍ତର-ପଶ୍ଚିମ ଦିଗ ଗ୍ରୀସ୍ ଏବଂ ବୁଲଗେରିଆ ,ଉତ୍ତର ଦିଗ କୃଷ୍ଣ ସାଗର ଉତ୍ତର-ପୂର୍ବ ଜର୍ଜିଆ ଦ୍ୱର ଘେରା । ସେହି ପରି ପୂର୍ବ ଦିଗ ଆର୍ମେନିଆ, ଆଜେରବାଇଜାନ ଏବଂ ଇରାନ ; ଦକ୍ଷିଣ ପୂର୍ବ ଦିଗ ଇରାକ ; ଦକ୍ଷିଣରେ ସିରିଆ ଏବଂ ଭୂମଧ୍ୟସାଗର; ଏବଂ ପଶ୍ଚିମ ଏଜିଅନ୍ ସାଗର ନିକଟରେ ସ୍ଥିତ । ଦେଶର ପ୍ରାୟ ୭୦ ରୁ ୮୦ ପ୍ରତିଶତ ନାଗରିକ ତୁର୍କୀ ସମ୍ପ୍ରଦାୟର ବୋଲି ପରିଚିତ ଏବଂ ୧୫ ରୁ ୨୦ ପ୍ରତିଶତ କୁର୍ଦ୍ଦ ସମ୍ପ୍ରଦାୟର । ଉଭୟ ୟୁରୋପ ଏବଂ ଏସିଆରେ ବିସ୍ତୃତ ଇସ୍ତାନବୁଲ , ଦେଶର ବୃହତ୍ତମ ସହର ଏବଂ ଆଙ୍କାରା ଏହାର ରାଜଧାନୀ ଅଟେ ।
ଜୋର୍ଡାନ ପଶ୍ଚିମ ଏସିଆର ଜୋର୍ଡାନ ନଦୀର ପୂର୍ବ କୂଳରେ ସ୍ଥିତ ଲେଭାଣ୍ଟ ଅଞ୍ଚଳର ଏକ ଆରବୀୟ ଦେଶ । ସାଉଦି ଆରବ, ଇରାକ, ସିରିଆ, ଇସ୍ରାଏଲ ଏବଂ ପାଲେଷ୍ଟାଇନ (ପଶ୍ଚିମ କୂଳ) ଜୋର୍ଡାନର ପଡୋଶୀ ରାଷ୍ଟ୍ର । ମୃତ ସାଗର ଏହାର ପଶ୍ଚିମ ସୀମାରେ ଅବସ୍ଥିତ । ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଲୋହିତ ସାଗରର ୨୬ କିଲୋମିଟର (୧୬ ମାଇଲ୍) ଦୀର୍ଘ ଉପକୂଳ ଅଛି । ଜୋର୍ଡାନ ଏସିଆ, ଆଫ୍ରିକା ଏବଂ ୟୁରୋପର ମିଳନସ୍ଥଳୀ ନିକଟରେ ଅବସ୍ଥିତ । ରାଜଧାନୀ ଆମ୍ମାନ ହେଉଛି ଜୋର୍ଡାନର ସବୁଠାରୁ ଜନବହୁଳ ସହର ତଥା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା
ଜଗନ୍ନାଥ ମନ୍ଦିରରେ ବୈଷ୍ଣବ, ତନ୍ତ୍ର, ଶୈବର ସମାହାର ଦେଖିବାକୁ ମିଳେ । ବୈଷ୍ଣବଙ୍କ ବିଷ୍ଣୁ, ଶୈବଙ୍କ ମହାରେଭିରବ ଓ ତନ୍ତ୍ରଦେବୀ ଭାବେ ବିମଳା ବା ଭୈରବୀ ଏଠାରେ ବିରାଜିତ ଅଛନ୍ତି । ଜଗନ୍ନାଥ ମନ୍ଦିରରେ ୧୪ଟି କାଳିକା ବିଗ୍ରହ ରହିଛନ୍ତି, ଯେଉଁମାନେ ତନ୍ତ୍ର ଦେବୀ ଭାବେ ଗ୍ରହଣୀୟ ।
ଭଞ୍ଜ କିଶୋର ପଟ୍ଟନାୟକ(୧୯୨୨-୧୯୯୯) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସ୍ୱାଧିନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ । ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ "ମରୁପଥୀକ" ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । "ଅଗ୍ନି-ପରୀକ୍ଷା" ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । "ଜୀବନର ଜୟଯାତ୍ରା" ତାଙ୍କର ଆତ୍ମଜୀବନୀ ।
ବିଗତ ସହସ୍ରାବ୍ଦୀ ଧରି ଭାରତୀୟ ମହିଳା ମାନଙ୍କ ପରିସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ସେମାନଙ୍କ ଜୀବନଶୈଳୀ , ସ୍ୱାଧୀନତା , ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପତନ ଘଟିଛି । . ଅତି ପ୍ରାଚୀନ କାଳରୁ ମଧ୍ୟ ଯୁଗ ମଧ୍ୟରେ ତାଙ୍କର ସ୍ଥିତିରେ କ୍ରମାଗତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂସ୍କାର ବଶତଃ ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀର ପରବର୍ତ୍ତୀ କାଳରେ ( ବ୍ରିଟିଶ ଶାସନ ସମୟରୁ ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳା ମାନେ ରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଲୋକ ସଭାର ବାଚସ୍ପତି , କେନ୍ଦ୍ର ମନ୍ତ୍ରୀ , ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ , ରାଜ୍ୟପାଳ , ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର , ଯଥା କ୍ରିଡା , ଆନ୍ତର୍ଜାତୀୟ କୂଟନୀତି ରେ ଅବସ୍ଥାପିତ ହେଇପାରିଛନ୍ତି । ସ୍ୱାଧୀନ ଭରତର ସମ୍ବିଧାନରେ ମହିଳା ମାନଙ୍କ ଅଧିକାରକୁ ପୁରୁଷ ମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି ।ମହିଳା ମାନଙ୍କ ପୂର୍ଣା ସ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦ୍ରୁଷ୍ଟି ଦିଆ ଯାଇଛି । .ଏପରି ଏକ ସମୟ ଥିଲା ଯେ 2011 ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି ( ଶ୍ରୀମତୀ ପ୍ରତିଭା ପାଟିଲ ) , ଲୋକ ସଭାର ବାଚସ୍ପତି ( ମୀରା କୁମାର ) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳା ମାନେ ରହିଥିଲେ । ଏହା ସତ୍ୱେ ଭାରତରେ ମହିଳା ମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳାତ୍କାର , ଏସିଡ ଫିଙ୍ଗା , ଯୌତୁକ ଜନିତ ହତ୍ୟା , ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି ।. ୨୦୧୨ ମସିହାରେ ଥୋମସନ୍ ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶ ଠାରୁ ଭରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .
ୟେମେନ (ଆରବୀ: اليَمَن ଅଲ-ୟେମେନ), ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" (ଆରବୀ: الجمهورية اليمنية ଅଲ-ଜାମହୁରିଆ ଅଲ-ୟେମେନ) ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨୦୦ରୁ ଅଧିକ ଦ୍ୱୀପ ଅନ୍ତର୍ଭୁକ୍ତ, ଯେଉଁଥିରୁ ସୋକୋଟ୍ରା ଦ୍ୱୀପ ସର୍ବ ବୃହତ ଅଟେ ।
କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି ।ଏହି ପର୍ବରେ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ କାଳୀଙ୍କ ଆରାଧନା କରାଯାଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ୱିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ୱଦ୍ୱାରା ସେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ୱାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଇସଲାମ (اَلْإِسْلَامُ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ । ଏହାର ବିଶ୍ୱର ଦ୍ବିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତ ଦ୍ବାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି । ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ ।ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆ ଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଏତଲା ବା F.I.R.(First Information Report) ଏକ ଲିଖିତ ନଥି ଯାହା ଅପରାଧର ସୂଚନା ଭାବେ ପୋଲିସକୁ ଦିଆଯାଇଥାଏ । ସାଧାରଣତଃ କେବଳ ଧର୍ତ୍ତବ୍ୟ ଅପରାଧର ସୂଚନାକୁ ହିଁ ଏତଲା ରୂପେ ଗ୍ରହଣ କରାଯାଏ । ଧର୍ତ୍ତବ୍ୟ ଅପରାଧର ଅର୍ଥ ଏହି ଅପରାଧର ତଦନ୍ତ ପାଇଁ ପୋଲିସକୁ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତିର ଆବଶ୍ୟକତା ନଥାଏ । ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୫୪ରେ ଏତଲା ସମ୍ପର୍କିତ ଆଇନ ରହିଛି ।
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ୱର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଏକକୋଷୀ ଜୀବ, ମାତ୍ର ଗୋଟିଏ କୋଷରେ ଗଢା ହୋଇଥାଏ। ଏକକୋଷୀମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା - ପ୍ରାକ୍-ନ୍ଯଷ୍ଟୀୟକ ଏବଂ ସୁନ୍ଯଷ୍ଟୀୟକ। ସମସ୍ତ ପ୍ରାକ୍-ନ୍ଯଷ୍ଟୀୟକମାନେ ଏକକୋଷୀ ଏବଂ ବ୍ଯାକ୍ଟେରୀଆ ଓ ଆର୍କିଆ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ। ଏକକୋଷୀ ସୁନ୍ଯଷ୍ଟୀୟକମାନେ ହେଉଛନ୍ତି ପ୍ରାକ୍ଜୀବ, ଏକକୋଷୀ ଶୈବାଳ, ଏକକୋଷୀ କବକ, ଇତ୍ଯାଦି। ଏକକୋଷୀ ଜୀବମାନଙ୍କୁ ସର୍ବପୂରାତନ ଜୀବରୂପ ଭାବରେ ବିବେଚନା କରାଯାଏ, ପ୍ରାକ୍କୋଷର ଆନୁମାନିକ ଉତ୍ପତ୍ତି ପ୍ରାୟ ୩.୮ରୁ ୪ ବୃନ୍ଦ-ବର୍ଷ-ପୂର୍ବେ ହୋଇଥିଲା।କେତେକ ପ୍ରାକ୍-ନ୍ଯଷ୍ଟୀୟକ ଏକତ୍ର ରହି କୋଲୋନି ଗଠନ କରିଥାନ୍ତି, କିନ୍ତୁ ସେମାନେ କୌଣସି ଗୋଟିଏ କାମ ପାଇଁ ବିକଶିତ ହୋଇନଥାନ୍ତି। ଏହିପରି ଜୀବମାନେ ଏକାଠି ରହନ୍ତି ସତ କିନ୍ତୁ ନିଜ ନିଜର କାର୍ଯ୍ୟ ନିଜେ କରିଥାନ୍ତି। ଅପରପକ୍ଷେ ସରଳତମ ବହୁକୋଷୀ ଜୀବମାନଙ୍କ କୋଷମାନେ ପରସ୍ପର ଉପରେ ନିର୍ଭର କରଥାନ୍ତି।
ସଚିନ ରମେଶ ତେନ୍ଦୁଲକର(pronunciation (ଜନ୍ମ-୨୪ ଅପ୍ରେଲ ୧୯୭୩)ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ । ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର । ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି। ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ । .
ଗୋପାଳ ଛୋଟରାୟ (୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱାପୁର୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବା, ତାଙ୍କର ଦକ୍ଷତାର ପ୍ରମାଣ ଦିଏ । ତାଙ୍କର ଏହି ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ "ର ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଟେଲଜିଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ପଦାର୍ଥ ବିଜ୍ଞାନ (ପ୍ରାଚୀନ ଗ୍ରୀକ୍ ରୁ: φυσική (ἐπιστήμη), ରୋମାନ ଭାଷାରେ: ଫିଜିକ୍ (epistḗmē), ସାହିତ୍ୟ: 'ପ୍ରକୃତିର ଜ୍ଞାନ', ýσις ଫିସିସ୍ 'ପ୍ରକୃତି' ରୁ) ଏକ ପ୍ରାକୃତିକ ବିଜ୍ଞାନ ଯାହା ବସ୍ତୁ, ସ୍ଥାନ ଏବଂ ସମୟ ମାଧ୍ୟମରେ ଏହାର ଗତି ଏବଂ ଆଚରଣ, ଏବଂ ଶକ୍ତି ଏବଂ ବଳର ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଅଧ୍ୟୟନ କରେ । ପଦାର୍ଥ ବିଜ୍ଞାନ ହେଉଛି ଏକ ମୌଲିକ ବୈଜ୍ଞାନିକ ଶୃଙ୍ଖଳା, ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ମାଣ୍ଡ କିପରି ବ୍ୟବହାର କରେ ତାହା ବୁଝିବା ।
ପେଚା ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ ଅଣସାମାଜିକ ରାତ୍ରିଚର ଏବଂ କାରୀ । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ ଓ ଚଉଡା ମୁଣ୍ଡ, ଦ୍ୱିନେତ୍ରୀଦୃଷ୍ଟି, ଦ୍ୱିତକର୍ଣ୍ଣୀୟତା, ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ ଉତ୍ତରୀୟ ଚିଲ-ପେଚା ଏବଂ ସାମାଜିକ ଗାତଖୋଳା ପେଚା ।
ବୋର୍ରା ଗୁମ୍ଫା ,କୁ ତେଲୁଗୁ ଭାଷାରେ "ବୋର୍ରା ଗୁହାଲୁ" ମଧ୍ୟ କୁହାଯାଇଥାଏ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଅନନ୍ଥଗିରି ଅଞ୍ଚଳରେ ଥିବା ଏକ ଗୁମ୍ଫା । ତେଲୁଗୁ ଭାଷାରେ 'ବୋର୍ରା : କହିଲେ ଖୋଦିତ ହେଇଥିବାକୁ ବୁଝାଏ ଓ "ଗୁହାଲୁ" କହିଲେ ଗୁମ୍ଫାକୁ ବୁଝାଏ । ତେଣୁ ଏହା ଖୋଦିତ ହେଇଥିବା ଗୁମ୍ଫାକୁ ବୁଝାଏ ।ଏହି ଗୁମ୍ଫା ଭାରତର ଏକ ବୃହତ୍ତମ ଗୁମ୍ଫା । ଏହା ସମୁଦ୍ରପତ୍ତାନ ଠାରୁ 2,313 ଫୁଟ ଉପରେ ରହିଛି । ଗୁମ୍ଫା ଗୁଡିକ ଏଠାରେ ପ୍ରାୟତଃ ଚୂନ ପ୍ରସ୍ତର ରେ ରହିଥାଏ ଓ ସ୍ଥଳ ବିଶେଷରେ ଏହା 260 ଫୁଟ ତଳକୁ ରହିଥାଏ । ଏହା ଭାରତର ଗଭୀର ତମ ଗୁମ୍ଫା ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।