ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ବର୍ଷର ଶିଶୁ କନ୍ୟା ଅମ୍ରିତା ସ୍ନେହା ଓରଫ ପରୀକୁ ୨୦୨୦ ଜୁଲାଇରେ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ହତ୍ୟାକାରୀ ଧରା ନପଡ଼ିବାରୁ ଓଡ଼ିଶା ବିଧାନ ସଭା ସମ୍ମୁଖରେ ପରୀର ପିତାମାତା ଆତ୍ମାହୁତି ଉଦ୍ୟମ କରିଥିଲେ । ଯାହା ପରେ ପରୀ ଘଟଣାର ରାଜ୍ୟବ୍ୟାପୀ ଯୋରଦାର ଚର୍ଚ୍ଚା ଧରିଥିଲା । ପରୀର ପିତାମାତା ନୟାଗଡ଼ରେ ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ତାଙ୍କର ସହଯୋଗୀ ବାବୁଲି ନାୟକଙ୍କୁ ଏଥିପାଇଁ ଦାୟୀ କରିଥିଲେ । ମାମଲା ଯୋର ଧରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଧ ଶାଖା ଏସଆଇଟି (SIT) ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ । ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଏକ୍ସପ୍ରେସୱେ ଭାରତର ସର୍ବଶ୍ରେଷ୍ଠ ଶ୍ରେଣୀର ରାଜପଥ । ସେ ଗୁଡିକ 6 କିମ୍ବା 8 ଲେନ ବିଶିଷ୍ଟ ହେଇଥାଏ ଓ ଏଥିରେ ନିୟନ୍ତ୍ରିତ ପ୍ରବେଶ ବ୍ୟବସ୍ଥା ରହିଥାଏ ।ଏଥିରେ ପ୍ରବେଶ ଓ ନିର୍ଗମ କେତେକ ନିର୍ଦ୍ଧିଷ୍ଟ ପଥଦ୍ୱାରା ହେଇଥାଏ । ଭାରତରେ ବର୍ତମାନ ସୁଦ୍ଧା 1,455 କିଲୋମିଟରର ଏକ୍ସପ୍ରେସୱେ ରହିଛି । ଭାରତର ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପଦ୍ୱାରା ଭାରତ ସରକାର ଏହି ପ୍ରକାର ଏକ୍ସପ୍ରେସୱେ ଆହୁରି 18,637 କିଲୋମିଟର 2022 ମସିହା ଶୁଦ୍ଧା ନିର୍ମାଣ ପାଇଁ ଯୋଜନା ରଖିଛନ୍ତି । ଏହା ହରତୀୟ ରାସ୍ତା ପରିବହନ ମନ୍ତରାଳୟଦ୍ୱାରା ନିର୍ମିତ ଓ ରକ୍ଷ୍ୟଣାବେଶିତ ହେବ । ବର୍ତମାନ ଆଗ୍ରା -ଲକ୍ଷ୍ନୋ ଏକ୍ସପ୍ରେସୱେ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେଇ ରହିଛି । ଏହା ପୂର୍ବରୁ ନୋଇଦା-ଆଗ୍ରା ଏକ୍ସପ୍ରେସୱେ ଦୀର୍ଘତମ ଥିଲା । ଆଗ୍ରା -ଲକ୍ଷ୍ନୋ ଏକ୍ସପ୍ରେସୱେରେ 150 ବିଲିଅନ ଟଙ୍କା ଖରଚ ହେଇଛି ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
କଳିକେଶ ନାରାୟଣ ସିଂହଦେଓ (ଜନ୍ମ: ୨୬ ମଇ ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ବିଜୁ ଜନତା ଦଳର ଜଣେ ନେତା ।ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଏବଂ ଜେଜେବାପା ରାଜେନ୍ଦ୍ର ନାରାୟଣ ସିଂହଦେଓ ଉଭୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ୦୮.୦୩.୧୯୬୭ ଠାରୁ ୦୯.୦୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କଳିକେଶ ଡେରାଡୁନ୍ର ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ । ଏହାପରେ ସେ ଦିଲ୍ଲୀର ସେଣ୍ଟ ସ୍ଟିଫେନ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।ସାଂସଦ ହେବାପୂର୍ବରୁ କଳିକେଶ ଓଡ଼ିଶା ବିଧାନ ସଭାର କନିଷ୍ଠ ସଦସ୍ୟ ଭାବରେ ୨୦୦୪ରେ ବିଧାୟକ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ନିମାଇଁ ଚରଣ ହରିଚନ୍ଦନ (୧୯୦୧-୧୯୮୩) ହେଉଛନ୍ତି ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା : ଓଡ଼ିଶୀ ବା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଜଣାଣ, ଭଜନ, ପୋଈ ; ଅନ୍ୟାନ୍ୟ ପାରମ୍ପରିକ ସଙ୍ଗୀତ ଯଥା ରାମଲୀଲା (ବିଶିଖୁଣ୍ଟିଆ, ସଦାଶିବ ବୈଶ୍ୟ, କେଶବ ପଟ୍ଟନାୟକ ଆଦି ବିବିଧ କବିଙ୍କ ରାମଲୀଳା), କୃଷ୍ଣଲୀଳା ; ପଲ୍ଲୀଗୀତ ଆଦି ଗାୟନରେ ପ୍ରବୀଣ ଥିଲେ । ପ୍ରାଚୀନ ସାହିତ୍ୟର ସୁପରିଚିତ ରଚନା, ଯଥା ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି, ବିଚିତ୍ର ରାମାୟଣ, ମଥୁରାମଙ୍ଗଳ, ଗୋପୀଭାଷା, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଇତ୍ୟାଦି ପ୍ରାୟ ସମସ୍ତ କାବ୍ୟକୃତିରୁ ଗୀତ ତାଙ୍କ କଣ୍ଠରେ ରେକର୍ଡ଼ ହୋଇଛି । ଏହା ଛଡ଼ା ସେ ଅନେକ ନୀତିଶିକ୍ଷା ଓ ସରକାରୀ ଉଦ୍ଦେଶ୍ୟରେ ଜନ ସଚେତନତା ଗୀତ ମଧ୍ୟ ଗାଇଛନ୍ତି ।
ଅରକ୍ଷିତ ଦାସ (ଆନୁମାନିକ 1782ରୁ 1837) ଜଣେ ଓଡ଼ିଆ କବି ଓ ହିନ୍ଦୁ ସନ୍ଥ। ସେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡିର ବିଜୟନଗର ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭ ଦେବ ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଢିବାର ପ୍ରୟୋଜନ କ'ଣ ?" ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କ ପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, "ହେ ପିତା !
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ ।
ରଘୁନାଥ ମୁର୍ମୁ (୧୮ ମଇ ୧୯୦୫ – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
କମ୍ପ୍ୟୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ଉଷାରାଣୀ ପଣ୍ଡା (୯ ଅକ୍ଟୋବର ୧୯୪୦ - ୨୧ ସେପ୍ଟେମ୍ବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ଓ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଋକବେଦରେ ବର୍ଣ୍ଣିତ ନଦୀମାନଙ୍କ ମଧ୍ୟରୁ ସରସ୍ୱତୀ ନଦୀ ଅନ୍ୟତମ । ହିନ୍ଦୁଧର୍ମର ଅନେକ ଶାସ୍ତ୍ରରେ ଏହି ନଦୀର ଉଲ୍ଲେଖ ରହିଛି । ଋକବେଦର ରଚନା ବୈଦିକ ସଂସ୍କୃତ ଭାଷାରେ କରାଯାଇଛି ଏବଂ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ସହସ୍ରାବ୍ଦ ସମୟରେ ସରସ୍ୱତୀ ନଦୀତଟରେ ବସବାସ କରୁଥିବା ଲୋକେ ଋକବେଦର କିଛି ଅଂଶର ରଚନା କରିଛନ୍ତି ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମରେ ବିଦ୍ୟା, ଜ୍ଞାନ ଓ ବାକ୍ର ଦେବୀ ସରସ୍ୱତୀ, ପ୍ରଥମେ ଏହି ନଦୀରୂପକ ଦେବୀଭାବେ ଉଭା ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଦ୍ୟା ଓ ଭାଷାର ଦେବୀ ଭାବେ ପରିଚିତା ହେଲେ ।
କ୍ୟୁ.ଆର.କୋଡ଼ (QR code: Quick Response Code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରି ଓ କାଞ୍ଜି) ସ୍ଟାଣ୍ଡାର୍ଡ ଏନକୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବହାର କରେ ।
ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା । ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ । ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପଦେଶ, (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମକ୍ରିୟା, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ ପରାଭୌତିକ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି । ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।