ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ ଅଟେ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ ଅଟେ । ( ବିଗ୍ ବ୍ୟାଙ୍ଗ୍ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନ ଓ ହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମ ଠାରୁ ଅନେକ ଗୁଣରେ ଅଧିକ । )
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଶ୍ରୀନିବାସ ରାମାନୁଜନ FRS ( pronunciation ) (୨୨ ଡିସେମ୍ବର 1887 – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ’ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଜଗନ୍ନାଥ ଦାସ (1487-1547) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଲାରା (ଜନ୍ମ: ୧୬ ଅପ୍ରେଲ ୧୯୭୮) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ, ଯିଏକି ୧୯୯୭ ମସିହାରେ ମିସ୍ ଇଣ୍ଟକଣ୍ଟିନେଣ୍ଟାଲ୍ ଏବଂ ୨୦୦୦ ମସିହାରେ ମିସ୍ ଉଇନିଭର୍ସର ମୁକୁଟ ଜିତିଥିଲେ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତ ବା ବଲିଉଡ୍ରେ ଅଭିନୟ କରନ୍ତି ଏବଂ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମ୍ମାନିତା ହୋଇଛନ୍ତି, ଯେଉଁଥିରେ ଫିଲ୍ମଫେୟାରରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ପରିବାର ନିୟୋଜନ (ଇଂରାଜୀ ଭାଷାରେ Family planning) ସଂଜ୍ଞା:- "ବ୍ୟାପକ ଶିକ୍ଷା, ଡାକ୍ତରୀ ବା ସାମାଜିକ କାର୍ଯ୍ୟକଳାପ ସାହାଯ୍ୟରେ ନାବାଳକ ସହିତ ବ୍ୟକ୍ତିମାନଙ୍କୁ ତାଙ୍କର ସନ୍ତାନ ସଂଖ୍ୟା ଓ ସେମାନଙ୍କ ମଧ୍ୟରେ ଅନ୍ତର ଓ ମାଧ୍ୟମ ବାଛିବା କ୍ଷମତାକୁ ପରିବାର ନିୟୋଜନ କୁହାଯାଏ ।" ଏହା ସହିତ ମହିଳାମାନଙ୍କର ଜନ୍ମ କରିବା ପିଲା ସଂଖ୍ୟା, ପିଲା ଜନ୍ମ କରିବାର ବୟସ, ଆଦୌ ପିଲା ଜନ୍ମ ନକରିବା ମଧ୍ୟ ପରିବାର ନିୟୋଜନ ମଧ୍ୟରେ ଆସେ । ବିବାହ ପରିସ୍ଥିତି, ପେଷାଗତ ବିଚାର, ଅର୍ଥନୈତିକ ସ୍ଥିତି ଓ ପଙ୍ଗୁତ୍ୱ ଭଳି ବାହ୍ୟ କାରକମାନ ଶିଶୁ ଜନ୍ମ ଓ ଲାଳନ ପାଳନ କରିବା ଦାୟୀତ୍ୱକୁ ଏହା ପ୍ରଭାବିତ କରେ । ଯୌନ ସକ୍ରିୟ ଥିଲେ ଜନ୍ମ ନିୟନ୍ତ୍ରଣ କରିବା ଉପାୟ ଓ ପ୍ରଜନନ (reproduction) ସମୟ ଓ ଜନ୍ମ ନିୟନ୍ତ୍ରଣ ଉପାୟମାନ ବିଚାର କରିବାକୁ ମଧ୍ୟ ପରିବାର ନିୟୋଜନ କୁହାଯାଏ ।ଅନ୍ୟ ଦିଗରେ ପରିବାର ନିୟଜନ ମଧ୍ୟରେ ଯୌନ ଶିକ୍ଷା (sex education), ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ଚିକିତ୍ସା ଓ ପ୍ରତିଷେଧ, ପ୍ରାକ୍-ଗର୍ଭାଧାନ ପରାମର୍ଶ (pre-conception counseling) ଗର୍ଭାବସ୍ଥା ଉପଚାର ଓ ବନ୍ଧ୍ୟା ଚିକିତ୍ସା (infertility) ପ୍ରତି ମଧ୍ୟ ଧ୍ୟାନ ଦିଆଯାଏ । କେବଳ ଗର୍ଭଧାରଣ ସେବାରେ ପରିବାର ନିୟୋଜନକୁ ସଂଲଗ୍ନ କରାଯେ ଗର୍ଭପାତକୁ ନୁହେଁ । କିନ୍ତୁ ଜନ୍ମ ନିରୋଧ ଓ ପରିବାର ନିୟୋଜନ କଲେ ଗର୍ଭପାତ ସଙ୍କଟ କମିଯାଏ ।ପରିବାର ନିୟୋଜନକୁ ବେଳେ ବେଳେ ଭୁଲରେ ଗର୍ଭନିରୋଧ (contraception) ଅର୍ଥରେ ବ୍ୟବହାର କରାଯାଏ । ଗର୍ଭନିରୋଧ ସହିତ ତାହାର ଉପାୟ ଓ ଅଭ୍ୟାସ ନିୟୋଜନ ମଧ୍ୟରେ ଯାଏ । ଅଧିକନ୍ତୁ ଅନେକ ଗର୍ଭନିରୋଧ କରିବାକୁ ଇଚ୍ଛା କରନ୍ତି, ନିୟୋଜନ ନୁହେଁ ଓ ଏହି ଦଳରେ ଅବିବାହିତ ଯୁବକ ଯୁବତୀ, ଯୁବାବସ୍ଥାର ବିବାହିତ ଯୋଡ଼ି, ପେଷା ପ୍ରତି ଧ୍ୟାନ ଦେବାକୁ ଗର୍ଭାଧାନ ବିଳମ୍ବିତ କରିବା ଲୋକ ଅଛନ୍ତି; ଏହି ଦିଗରେ ଅନେକ କାମ କରାଯାଇଛି । ଅଧୁନା ମହିଳା ଓ ତାହାର ଶିଶୁ ଗର୍ଭଧାରଣ ନିର୍ଣ୍ଣୟ ବିଷୟକୁ ପରିବାର ନିୟୋଜନ ପରିପ୍ରେକ୍ଷୀରେ ନିଆଯାଉଛି ଓ ପୃଥିବୀର ଅନେକ ଦେଶମାନଙ୍କରେ ପ୍ରଜନନ ସ୍ୱଇଚ୍ଛାକୁ ଅଗ୍ରାଧିକାର ଦିଆଯାଉଛି । ସାଧାରଣତଃ ପରିବାର ନିୟୋଜନରେ ଦମ୍ପତ୍ତିଙ୍କର ସୀମିତ ଶିଶୁ ସଂଖ୍ୟା ଓ ଗର୍ଭାଧାନର ସମୟ ନିୟନ୍ତ୍ରଣ କରିବା ପ୍ରଥାକୁ ଜନ୍ମ ଅନ୍ତର ବା ଶିଶୁ ଅନ୍ତର (spacing children) କୁହାଯାଉଛି ।
ଛ ମାଣ ଆଠ ଗୁଣ୍ଠ ହେଉଛି ଫକୀର ମୋହନ ସେନାପତିଙ୍କର ଲିଖିତ ଉପନ୍ୟାସ। ୧୮୯୭ରେ ପ୍ରଥମେ ଏହା ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫକୀର ମୋହନ ଏହାକୁ ଧୂର୍ଜଟି ଛଦ୍ମନାମରେ ପ୍ରକାଶ କରାଇଥିଲେ। ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା। ଏପରିକି କିଛି ଲୋକ ଏହି କାହାଣୀକୁ ସତ ବୋଲି ମଧ୍ୟ ବିଚାର କରୁଥିଲେ। ୧୯୮୬ରେ ପାର୍ବତୀ ଘୋଷ ଉପନ୍ୟାସକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।
କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି (Leprosy) ବା ହାନ୍ସେନ୍ ରୋଗ (Hansen’s disease ବା HD) କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ । ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ । ବ୍ୟାକ୍ଟେରିଆ ସଂଖ୍ୟା ଅନୁଯାୟୀ କୁଷ୍ଠ ରୋଗର ପଶିବ୍ୟାସିଲାରି ଓ ମଲ୍ଟିବ୍ୟାସିଲାରି ନାମକ ମୁଖ୍ୟତଃ ଦୁଇ ପ୍ରକାର ଉପସ୍ଥାପନା ଦେଖାଯାଏ । ସ୍ୱଳ୍ପ ବର୍ଣ୍ଣକ (poor pigment) ଓ କାଲୁଆ ଚର୍ମ (numb skin) ଥିବା ଛଉ ଉପସ୍ଥିତି ଅନୁସାରେ ଏହି ଦୁଇ ପ୍ରକାର ରୋଗର ଭିନ୍ନତା ଜଣାଯାଏ । ପଶିବ୍ୟାସିଲାରିରେ ୫ ବା ୫ରୁ କମ ଓ ମଲ୍ଟିବ୍ୟାସିଲାରିରେ ୫ରୁ ଅଧିକ ଛଉ ଥାଏ । ଚର୍ମ ବାୟୋପ୍ସି ନେଇ ସେଥିରେ ଏସିଡ-ଫାଷ୍ଟ ବାସିଲାଇ ଉପସ୍ଥିତି ଦେଖି ବା ପଳିମରେଜ ଚେନ ରିଆକ୍ସନ (PCR)ଦ୍ୱାରା ଡି.ଏନ.ଏ.
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ପ୍ରଫେସର ଦାଶରଥି ଦାସ, ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘଦ୍ୱାରା ପ୍ରଣିତ ନିୟମାବଳୀକୁ ଫର୍ମୁଲା (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ ୧କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ । ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ ଗ୍ରାଁ-ପ୍ରି (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ବା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ । ପ୍ରତିଟି ଦୌଡ଼ରେ ଚାଳକ ଓ ଇଞ୍ଜିନ୍ ନିର୍ମାତାଙ୍କ ଗାଡ଼ି କେଉଁ ସ୍ଥାନରେ ରହିଲା – ତାହାକୁ ଭିତ୍ତି କରି ପଏଣ୍ଟ୍ ପ୍ରଦାନ କରାଯାଏ । କ୍ରୀଡ଼ାବର୍ଷ ଶେଷରେ ସର୍ବାଧିକ ପଏଣ୍ଟ୍ ହାସଲ କରିଥିବା ଗାଡ଼ି ଚାଳକ ଓ ଗାଡ଼ି ନିର୍ମାତାଙ୍କୁ ବିଜେତା ଘୋଷିତ କରାଯାଏ । ପ୍ରତି କ୍ରୀଡ଼ାବର୍ଷରେ ଏହିପରି ଦୁଇଟି ବାର୍ଷିକ ବିଜେତା ପୁରସ୍କାର ପ୍ରଦାନ କରାଯାଏ । ପ୍ରତିଟି ଦୌଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଗାଡ଼ି ଚାଳକଙ୍କୁ ସେହି ଦୌଡ଼ ଶେଷରେ ସମ୍ମାନିତ କରାଯାଏ । ପ୍ରତି ଗାଡ଼ି ଚାଳକଙ୍କ ପାଖରେ ମହାସଂଘ ପ୍ରଦତ୍ତ ଓ ବୈଧ ବିଶେଷ ଅନୁମତି ପତ୍ର (ଏଫ୍. ଆଇ. ଏ.
ସୀତା ଦୋରାଇସ୍ୱାମୀ (ଇଂରାଜୀ ଭାଷାରେ Seetha Doraiswamy, ତାମିଲ ଭାଷାରେ சீதா துரைசாமி |trans=sītā turAisvāMī ୨୭ ଜାନୁଆରୀ ୧୯୨୬ – ୧୪ ମାର୍ଚ୍ଚ ୨୦୧୩), ଜଣାଶୁଣା ନାମ ମଦିସାର ମାମି/ Madisaar Maami) ଜଣେ ବିଖ୍ୟାତ କର୍ଣ୍ଣାଟକୀ ସଙ୍ଗୀତର (Carnatic) ବହୁ ବାଦ୍ୟକାର ଥଲେ । ତାଙ୍କୁ ଶେଷ ମହିଳା ପଥ ପ୍ରଦର୍ଶକର ମାନ୍ୟତା ଦିଆଯାଏ, ଯିଏ ମୃତ ପ୍ରାୟ ଜଳତରଙ୍ଗ (jal tarang) ବାଦ୍ୟକୁ ଜୀବନ ଦାନ କରିଥିଲେ । ପ୍ରଥମ କର୍ଣ୍ଣାଟକୀ ମିଉଜିକ ଇନସ୍ଟିଚ୍ୟୁଟର ମିଉଜିକ ଏକାଡେମୀ ତରଫରୁ ପ୍ରଥମ ମହିଳା ସଂଗୀତକାର ଭାବରେ ସେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । ସେ ଏକ ମାତ୍ର ଜଳତରଙ୍ଗ ବାଦ୍ୟକାର ଯିଏ ଭାରତର ଚତୁର୍ଥ ସିଭିଲିଆନ ପୁରସ୍କାର ମାନ୍ୟତାପ୍ରାପ୍ତ 'କଲାଇମମନୀ' (Kalaimamani) ପୁରସ୍କାର ସନ ୨୦୦୧ରେ ପାଇଥିଲେ । ତାଙ୍କ ପୁରସ୍କାର ପତ୍ରରେ ଲେଖାଥିଲା "ଅବିଶ୍ରାନ୍ତ ଭାବରେ କାମ କରି ମୃତ୍ୟୁ ପଥକୁ ଗମନ କରୁଥିବା ଜଳ ତରଙ୍ଗ ବାଦ୍ୟକୁ ବଞ୍ଚେଇଛନ୍ତି ଓ ତାଙ୍କର ସିଦ୍ଧାନ୍ତ ଜ୍ଞାନ ଆଜି ପର୍ଯ୍ୟନ୍ତ ମହିଳା ପ୍ରତିନିଧିତ୍ୱର ଚାମ୍ପିଅନ ଭାବରେ ରହିଛି । ସାସ୍କୃତିକ ମାନଦଣ୍ଡରେ ଅନ୍ୟ କେହି ନ ଥିବାବେଳେ ସେହି କାମ କରିଥିବା ମହିଳାଙ୍କୁ ଲୋକ ଲୋଚନକୁ ଆଣିବା ନିମନ୍ତ ଏହା ଦିଆଯାଉଛି ।"
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଜୈନଧର୍ମ ଏକ ପ୍ରାଚୀନ ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ ।
ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ (Beti Bachao, Beti Padhao)(BBBP) ଭାରତ ସରକାରଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ ୨୦୧୫ରେ ହରିଆଣାର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । ୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ବା ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟ (ଇଂରାଜୀ: International Phonetic Alphabet, IPA, ବା ଆଇପିଏ) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା । ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।