ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଶେକ ମତଲୁବ ଅଲୀ (ମୃତ୍ୟୁ: ୧୬ ଡିସେମ୍ବର ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ମତଲୁବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗନ୍ଧମାର୍ଦନ ପର୍ବତ ସମୂହ (Gandhamardan Hills) ଓଡ଼ିଶାର ବଲାଙ୍ଗିର ଓ ବରଗଡ ଜିଲ୍ଲା ମଧ୍ୟରେ ଥିବା ପର୍ବତ ସମୂହ । ଏହା ଆୟୁର୍ବେଦିକ ଔଷଧ ମିଳୁଥିବା ଅନେକ ଦୁର୍ଲଭ ବୃକ୍ଷ୍ୟ ରାଜିରେ ପରିପୂର୍ଣ ହେଇଥିବାରୁ ଭାରତରେ ବିଖ୍ୟାତ । ଏହି ପର୍ବତରେ ବକ୍ସାଇଟ ଖଣିଜ ପଦାର୍ଥ ମଧ୍ୟ ବିପୁଳ ପରିମାଣରେ ଉପଲବ୍ଧ । ଓଡ଼ିଶା ସରକାର ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନେ ଏଠାରୁ ବକ୍ସାଇଟ ଖନନ କରି କାରଖାନା ମାନଙ୍କୁ ପଠାନ୍ତି ।
"ଜନତା କର୍ଫ୍ୟୁ" ହେଉଛି ଜନସାଧାରଣଙ୍କ ଦ୍ୱାରା ନିଜ ପ୍ରତି ଜାରି କରାଯାଇଥିଵା ଏକ ନିଷେଧାଦେଶ ବା କର୍ଫ୍ୟୁ । ଏହି ଶବ୍ଦଟି ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ୧୯ ମାର୍ଚ୍ଚ ୨୦୨୦ ଗୁରୁବାର ଦିନ ରାତି ୮ଟା ସମୟରେ କରୋନାଭୂତାଣୁ ରୋଗ ୨୦୧୯ ନାମକ ବିଶ୍ୱ ମହାମାରୀ ସମୟରେ ଭାରତର ଜନସାଧାରଣଙ୍କୁ ଦେଇଥିବା ଭାଷଣରେ ବ୍ୟବହାର କରାଯାଇଥିଲା । ସେ ତାଙ୍କ ଅଭିଭାଷଣରେ ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ସାଧାରଣ କର୍ଫ୍ୟୁ ପାଳନ କରିବାକୁ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଜନତା କର୍ଫ୍ୟୁକୁ “ଜନସାଧାରଣଙ୍କ ପାଇଁ, ଜନସାଧାରଣଙ୍କ ଦ୍ୱାରା ଲାଗୁ ହୋଇଥିବା କର୍ଫ୍ୟୁ” ବୋଲି ପରିଭାଷିତ କରିଥିଲେ ।
କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଶରତ କୁମାର କର (ମୃତ୍ୟୁ: ୫ ସେପ୍ଟେମ୍ବର ୧୯୩୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରସ, ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶରତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାରେ ଥରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ଶରତ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଜଗନ୍ନାଥ ଦାସ (1487-1547) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ବିରଜା ପ୍ରସାଦ ରାୟ (ମୃତ୍ୟୁ: ୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିରଜା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ପ୍ରଫେସର ଦାଶରଥି ଦାସ, ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା
ବିଭିନ୍ନ ପ୍ରକାର ଉପାୟରେ ଓ ଢ଼ଙ୍ଗରେ ନିଜର ଯୌନ ସଂପର୍କିତ ଆଚରଣ ଜଣଙ୍କ ଇଚ୍ଛା ବିରୁଦ୍ଧରେ ବାରମ୍ବାର ତାଙ୍କ ସମ୍ମୁଖରେ ପ୍ରଦର୍ଶନ କରି ତାଙ୍କୁ ଅଯଥା ହଇରାଣ ହରକତ କରିବାର ଅର୍ଥ ହେଉଛି ତାଙ୍କୁ ଯୌନ ଉତ୍ପୀଡ଼ନ ଦେବା। ଏହି କ୍ରମରେ ଆସୁଛି ଜଣକ ଇଚ୍ଛା ବିରୁଦ୍ଧରେ ବା ତାଙ୍କ ପ୍ରତିବାଦ ସତ୍ତ୍ୱେ ତାଙ୍କ ଆଡ଼କୁ ବାରମ୍ବାର ଯୌନ ସଂପର୍କିତ ପ୍ରସ୍ତାବ ଧରି ଅଗ୍ରସର ହେବା, ତାଙ୍କ ଠାରୁ ଯୌନ ସଂପର୍କିତ ସାହାଯ୍ୟ ବା ସହଯୋଗ ମାଗିବା, ବାଚନିକ ସ୍ତରରେ ଯୌନ ସଂପର୍କିତ କଥା ତାଙ୍କ ସହ ଆଲୋଚନା କରିବା ବା ଶାରୀରିକ ସଂପର୍କ ରକ୍ଷା ପାଇଁ ଅନୁରୋଧ ଜଣାଇବା ଇତ୍ୟାଦି ଇତ୍ୟାଦି ହେଉଛି ଯୌନ ଉତ୍ପୀଡ଼ନର ପରିସରଭୁକ୍ତ।
ଜୀବସାର 'କ' (ଇଂରାଜୀ: Vitamin A: ଭିଟାମିନ ଏ) ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ପୋଷକ ଅଟେ । ଏହା ଉଭୟ କମ୍ ଆଲୋକରେ ଦେଖିବା ପାଇଁ ଓ ବର୍ଣ୍ଣ ଚିହ୍ନିବା(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , ଇଷ୍ଟର ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ ସୁରାସାର (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ଆଲ୍ଡିହାଇଡ୍ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : ରେଟିନାଲ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା(୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ । ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମ ଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀ ମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ । ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଧାମନଗର (କ୍ରମିକ ସଂଖ୍ୟା: ୪୬) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
୨୦୧୨ ମସିହାରେ ଘଟିତ ଏହି ଗଣ ବଳାତ୍କାର ମାମଲାରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ଅପରାଧିମାନେ ଗଣ ବଳାତ୍କାର ପରେ ମରଣାନ୍ତକ ଆକ୍ରମଣ କରି ମୁମୁର୍ଷୁ ଅବସ୍ଥାରେ ଛାଡିଦେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ୧୬ ଡିସେମ୍ବର ୨୦୧୨ରେ ଘଟିଥିବା ଏହି ଦୁଃଖଦ ଘଟଣାଟି ମିଡିଆର ହସ୍ତକ୍ଷେପ ଫଳରେ ତ୍ୱରିତ ଲୋକ ଲୋଚନକୁ ଆସିଥିଲା । ସାରା ଦେଶ ଏହି ଘଟଣାର ଦୃଢ ବିରୋଧ କରିବା ସହ ଅପରାଧୀ ମାନଙ୍କର ତୁରନ୍ତ ଗିରଫ ଦାବୀ କରିଥିଲେ । ଘଟଣାଟି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିବା ସହ ଭାରତର ରାଜଧାନୀରେ ମହିଳାମାନଙ୍କ ସୂରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।
କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି (Leprosy) ବା ହାନ୍ସେନ୍ ରୋଗ (Hansen’s disease ବା HD) କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ । ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ । ବ୍ୟାକ୍ଟେରିଆ ସଂଖ୍ୟା ଅନୁଯାୟୀ କୁଷ୍ଠ ରୋଗର ପଶିବ୍ୟାସିଲାରି ଓ ମଲ୍ଟିବ୍ୟାସିଲାରି ନାମକ ମୁଖ୍ୟତଃ ଦୁଇ ପ୍ରକାର ଉପସ୍ଥାପନା ଦେଖାଯାଏ । ସ୍ୱଳ୍ପ ବର୍ଣ୍ଣକ (poor pigment) ଓ କାଲୁଆ ଚର୍ମ (numb skin) ଥିବା ଛଉ ଉପସ୍ଥିତି ଅନୁସାରେ ଏହି ଦୁଇ ପ୍ରକାର ରୋଗର ଭିନ୍ନତା ଜଣାଯାଏ । ପଶିବ୍ୟାସିଲାରିରେ ୫ ବା ୫ରୁ କମ ଓ ମଲ୍ଟିବ୍ୟାସିଲାରିରେ ୫ରୁ ଅଧିକ ଛଉ ଥାଏ । ଚର୍ମ ବାୟୋପ୍ସି ନେଇ ସେଥିରେ ଏସିଡ-ଫାଷ୍ଟ ବାସିଲାଇ ଉପସ୍ଥିତି ଦେଖି ବା ପଳିମରେଜ ଚେନ ରିଆକ୍ସନ (PCR)ଦ୍ୱାରା ଡି.ଏନ.ଏ.
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ୱର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ.
ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ଇଂଗ୍ରାଜୀ: National Aeronautics and Space Administration) (NASA) ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାରର ଏକ ସ୍ୱତନ୍ତ୍ର ଏଜେନ୍ସି ଅଟେ ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗରେ ସମ୍ବନ୍ଧିତ ହୋଇଥାଏ । ନାସା ପାଖେ ବହୁ ସଫଳ ମିଶନ ରହିଛି, ଉଦାହରଣ: ଆଇଏସେସ ଓ ଆପୋଲ ୧୧, ଯିଏ ୧୯୬୯ ମସିହାରେ ଚନ୍ଦ୍ରମାରେ ପ୍ରଥମ ମଣିଷ ରଖିଥିଲା । ନାସାକୁ ୨୯ ଜୁଲାଇ, ୧୯୫୮ ମସିହାରେ ଆରମ୍ଭ କରାଯାଇଥିଲା । ନାସାର ଆଦର୍ଶ ବାକ୍ୟ ହେଉଛି : "ସଭିଙ୍କ ଲାଭ ପାଇଁ" ।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।
ଆମ୍ପିସିଲିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ଜନିତ ସଂକ୍ରମଣକୁ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ପରିସ୍ରା ନଳୀ ସଂକ୍ରମଣ, ମେନିଞ୍ଜାଇଟିସ, ସାଲମୋନେଲା ସଂକ୍ରମଣ ଓ ଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ଆମ୍ପିସିଲିନ ସାହାଯ୍ୟରେ କରାଯାଏ । ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିବାଟେ ତଥା ମାଂସପେଶୀ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ନିମନ୍ତେ ଏହା ଆବଶ୍ୟକ ନୁହେଁ ।
ଝଙ୍କାର ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା । ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଓଡ଼ିଆ ଲେଖକମାନଙ୍କୁ ପ୍ରୟୋଗାତ୍ମକ ସାହିତ୍ୟ ଲେଖିବାର ଏକ ମାଧ୍ୟମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା । ଏହା ୧୯୪୯ ମସିହା ପଣା ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହା ପ୍ରଜାତନ୍ତ୍ର ପ୍ରେସ କଟକରୁ ପ୍ରକାଶ ପାଉଥିଲା । ହରେକୃଷ୍ଣ ମହତାବ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଯୋଗ (ଇଂରାଜୀ:Yoga ( /ˈjoʊɡə/; ସଂସ୍କୃତ: योग, Listen) ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।