ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା।ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟର ସ୍ପର୍ଶ ପାଇବା ପାଇଁ।ତାଙ୍କ ବିନା ଜୀବଜଗତର ଅସ୍ତିତ୍ୱ ନାହିଁ।ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ। ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା)କୁ ନେଇ ଗଠିତ । ଏହାର ପରିସର ୧୩୯୨୦୦୦ କିମି.
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ
ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ହାଣ୍ଟାଭାଇରସ ପଲମୋନାରୀ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Hantavirus pulmonary syndrome (HPS)) ଦୁଇଟ ସମ୍ଭାବ୍ୟ ଘାତକ ସିଣ୍ଡ୍ରୋମ (ଏକ ନିର୍ଦ୍ଦଷ୍ଟ ଲକ୍ଷଣ ପୁଞ୍ଜ) ମଧ୍ୟରୁ ଗୋଟିଏ ଯାହା ହାଣ୍ଟାଭୂତାଣୁ (hantavirus) ପ୍ରଜାତିମାନଙ୍କ ଯୋଗୁ ହୁଏ ଓ ପ୍ରାଣୀମାନଙ୍କଠାରୁ ମାନବକୁ ସଂକ୍ରମିତ ହୋଇଥାଏ । ଏହି ଭୁତାଣୁମାନଙ୍କର ନାମ: ବ୍ଲାକ କ୍ରିକ କେନାଲ ଭୂତାଣୁ (Black Creek Canal virus (BCCV)) , ନିୟୁ ୟୋର୍କ ଅର୍ଥୋହାଣ୍ଟାଭାଇରସ (New York orthohantavirus (NYV)), ମୋନୋହାଗେଲା ଭାଇରସ (Monongahela virus (MGLV)), ସିନ ନୋମ୍ବ୍ରେ ଅର୍ଥୋହାଣ୍ଟାଭାଇରସ (Sin Nombre orthohantavirus (SNV)) ଓ ଅନ୍ୟ କେତେକ ହାଣ୍ଟାଭାଇରସ ପ୍ରଜାତିର ଭୂତାଣୁ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ଦେଖାଯାଆନ୍ତି ।ଇଂରାଜୀରେ ରୋଡେଣ୍ଟ କୁହାଯାଉଥିବା ପ୍ରାଣୀ ଯଥା: ମୂଷା, ଚୁଚୁନ୍ଦ୍ରା, ଝିଙ୍କ ଇତ୍ୟାଦି ଜୀବଙ୍କ ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହାର ମୁଖ୍ୟ ବାହକମାନଙ୍କର ନାମ ଯଥାକ୍ରମେ: ଦକ୍ଷିଣ ଫ୍ଲୋରିଡାରେ ବ୍ଲାକ କ୍ରିକ କେନାଲ ଭୂତାଣୁ ବାହକ 'ହିସପିଡ କଟନ ମୂଷା' (hispid cotton rat (Sigmodon hispidus)), କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକରେ ସିନ ମୋମ୍ବ୍ରେ ଭୂତାଣୁ ର ବାହକ 'ଡିଅର ମାଉସ' ବା ହରିଣ ମୂଷା, ପୂର୍ବ ଯୁକ୍ତରାଷ୍ଟ୍ର ଆମେରିକାରେ ନିୟୁ ୟୋର୍କ ଭୂତାଣୁ ର ବାହକ 'ହ୍ୱାଇଟ ଫୁଟେଡ ମୂଷା' (white-footed mouse (Peromyscus leucopus))। ଦକ୍ଷିଣ ଆମେରିକାରେ ଓଲିଗୋରିଜୋମିସ ଲଙ୍ଗିକଡାଟସ (Oligoryzomys longicaudatus) ଓ ଜେନସ୍ ଓଲିଗୋରିଜୋମିସ (Oligoryzomys) ପ୍ରଜାତିର କେତେକ ମୂଷା ଆଣ୍ଡେସ (Andes virus) ଭୂତାଣୁର ବାହକ ହୋଇଥିବା ଲିଖିତ ଅଛି ।
ରାଜକିଶୋର ନାୟକ (୧୨ ନଭେମ୍ବର ୧୯୨୫ - ୪ ଜାନୁଆରୀ) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ରାଜକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋପାଳ ଛୋଟରାୟ (୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସୁବ୍ରତ ବାଗଚି (ଜନ୍ମ: ୩୧ ମଇ ୧୯୫୭) ମାଇଣ୍ଡଟ୍ରୀ କନସଲଟିଂ ସଂସ୍ଥାନର ପ୍ରତିଷ୍ଠାତା ଏବଂ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଅଟନ୍ତି ।ସୁବ୍ରତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମାଖନ ଗୋପାଳ ବାଗଚି ଓ ମାତାଙ୍କ ନାମ ଲାବଣ୍ୟପ୍ରଭା ବାଗଚି ଥିଲା । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ପିତାଙ୍କ ଚାକିରି ଯୋଗୁ ସୁବ୍ରତଙ୍କ ବାଲ୍ୟକାଳ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବିତିଥିଲା । ଏ ବିଷୟରେ ସେ ନିଜ ପୁସ୍ତକ "ଗୋ କିସ୍ ଦ ୱର୍ଲଡ଼"ରେ ଲେଖିଛନ୍ତି ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ବସନ୍ତ (ଇଂରାଜୀ ଭାଷାରେ Smallpox) ଏକ ସଂକ୍ରମକ ରୋଗ (infectious disease) ଏକ ଭୁତାଣୁର ଦୁଇ ପ୍ରକାର ଭାରିଆଣ୍ଟ ଭାରିଓଲା ମେଜର ଓ ଭାରିଓଲା ମାଇନର (Variola major and Variola minor) ଯୋଗୁ ସଂଘଟିତ ହୁଏ । ବସନ୍ତ ରୋଗ ଏକ ନିର୍ମୁଳିତ ସଂକ୍ରାମକ ରୋଗ (Eradicated) ଓ ଏହାର ଶେଷ ରୋଗୀ ୧୯୭୭ରେ ଚିହ୍ନଟ ହୋଇଥିଲା ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ସନ ୧୯୮୦ରେ ଏହି ସାର୍ଟିଫିକେଟ ଦେଇଥିଲେ । ପିଲାମାନେ ସଂକ୍ରମିତ ହେବା ପରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦% ରହୁଥିଲା । ବଞ୍ଚିଯାଉଥିବା ରୋଗୀର ଚର୍ମରେ କ୍ଷତଦାଗ ରହିଯାଉଥିଲା ଓ ଅନ୍ଧ (blind) ହେବା ସମ୍ଭାବନା ରହୁଥିଲା ।ବସନ୍ତର ପ୍ରାଥମିକ ଲକ୍ଷଣ ଜ୍ୱର ଓ ବାନ୍ତିରୁ ଆରମ୍ଭ ହୁଏ । ଏହା ପରେ ପାଟି ଘାଆ (sores) ଓ ଚର୍ମ ରାସ (skin rash) ଦେଖାଯାଏ । କିଛି ଦିନ ମଧ୍ୟରେ ରାସ ପରିବର୍ତ୍ତିତ ହୋଇ ଫୋଟକାରେ (bumps) ପରିଣତ ହୁଏ ଯାହାର ମଝିରେ ଗୋଟିଏ କ୍ଷୁଦ୍ର ଗାତ ଥାଏ । ଏହା ପରେ ଘାଆ ଶୁଖିବାକୁ ଆରମ୍ଭ କରି ସ୍କାବ (scabbed) ମାଡ଼ିଯାଏ ଓ ପରେ ଏହା ବାହାରି ଯାଇ ଚମରେ ସ୍କାର (scars) ରହିଯାଏ । ଏହି ରୋଗ ମାନବରୁ ମାନବକୁ ବା ସଂକ୍ରମିତ ପଦାର୍ଥ ସଂସ୍ପର୍ଶ ହେଲେ ବ୍ୟାପିଯାଏ । ବସନ୍ତ ଟିକା (smallpox vaccine) ସାହାଯ୍ୟରେ ଏହା ପ୍ରତିଷେଧ କରାଯାଏ । ରୋଗ ଥରେ ଆରମ୍ଭ ହୋଇଗଲେ କେତେକ ଭୁତାଣୁ ବିରୋଧୀ ଔଷଧ (antiviral medication) ସାହାଯ୍ୟ କରିପାରେ ।ଏହି ରୋଗ କେବେ ଆରମ୍ଭ ହେଲା, ସେ ବିଷୟ ଅନ୍ଧକାରରେ ଅଛି । ପ୍ରଥମ ତଥ୍ୟ ଖ୍ରୀ:ପୂ: ୩ୟ ଶତାବ୍ଦୀରେ ମିଶରୀୟ ମମିଙ୍କ (Egyptian mummies) ଦେହରେ ଥିବା ଦେଖାଯାଇଛି । ଏହା ପୂର୍ବରୁ ମଡ଼କ ଆକାରରେ ଆବିର୍ଭାବ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ପ୍ରାୟ ଚାରି ଲକ୍ଷ ଲୋଗ ପ୍ରାଣତ୍ୟାଗ କରିଥିଲା ଓ ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଅନ୍ଧ ହୋଇଯାଇଥିଲେ । ଏହି ମୃତକମାନଙ୍କ ମଧ୍ୟରେ ଅତି କମ୍ରେ ୫ ଜଣ ସମ୍ରାଟ (monarch) ଥିଲେ । ବିଂଶ ଶତାବ୍ଦୀରେ ପ୍ରାୟ ୩୦୦-୫୦୦ ବ୍ୟକ୍ତି ମରିଥିଲେ । ସନ ୧୯୬୭ରେ ପ୍ରାୟ ୧୫ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ସନ ୧୭୯୮ରେ ଏଡୱାର୍ଡ଼ ଜେନର (Edward Jenner) ପ୍ରଥମେ ବସନ୍ତ ଟିକା (vaccination) ଆବିଷ୍କାର କରିଥିଲେ । ସନ ୧୯୬୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ବସନ୍ତ ରୋଗକୁ ସନିର୍ମୁଳେ ବିନାସ କରିବାକୁ ପ୍ରୟାସ ଆରମ୍ଭ କରେ । ବସନ୍ତ ଓ ରିଣ୍ଡରପେସ୍ଟ ନାମକ ଆଉ ଏକ ସଂକ୍ରାମକ ରୋଗ ସନ ୨୦୧୧ରେ ଧରାପୃଷ୍ଠରୁ ନିର୍ମୁଳ କରାଯାଇଥିଲା । ଇଂଲଣ୍ଡରେ ସିଫିଲିସ ରୋଗକୁ ପୂର୍ବରୁ ଗ୍ରେଟପକ୍ସ ନାମ ଦିଆଯାଉଥିଲା ଓ ବସନ୍ତ ରୋଗକୁ ୧୫ଶ ଶତାବ୍ଦୀରେ ଏହାଠାରୁ ପୃଥକ୍ କରିବା ନିମନ୍ତେ ସ୍ମଲପକ୍ସ (ବସନ୍ତ) ନାମ ଦିଆଯାଇଥିଲା । ଏହାର ଅନ୍ୟାନ୍ୟ ଐତିହାସିକ ନାମ ଯଥାକ୍ରମେ ପକ୍ସ, ସ୍ପେକ୍ଲ୍ଡ ମନସ୍ଟର ଓ ରେଡ ପ୍ଲେଗ ଦିଆଯାଇଥିଲା ।
କ୍ଲସ୍ଟର ମୁଣ୍ଡ ବିନ୍ଧା ବା ସିଏଚ (ଇଂରାଜୀ ଭାଷାରେ Cluster headache or CH) ଏକ ସ୍ନାୟବିକ ରୋଗ (neurological disorder) ଯେଉଁଥିରେ ମୁଣ୍ଡର ଗୋଟିଏ ପାଖରେ ପୁନଃପୌନିକ ମୁଣ୍ଡ ବିନ୍ଧା ହୁଏ, ବିଶେଷତଃ ଆଖି ଚାରିପାଖରେ ହୁଏ । ଏହା ସହିତ ନାକ ବନ୍ଦ (nasal congestion) ହୋଇ ଶ୍ୱାସ କ୍ରିୟା ସମସ୍ୟା ହୁଏ, ଆଖିରୁ ପାଣି ବହେ ଓ ଆଖି ଚାରିପାଖ ଫୁଲିଯାଏ । ଏହି ଲକ୍ଷଣ ସମସ୍ତ ୫ ମିନିଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ରହେ । ଏହି ଲକ୍ଷଣମାନ ଏକତ୍ର ଆସି କିଛି ସପ୍ତାହରୁ କିଛି ମାସ ପର୍ଯ୍ୟନ୍ତ ରହେ ଓ ବେଳେ ବେଳେ ଏକ ବର୍ଷରୁ ଅଧିକ ମଧ୍ୟ ରହିପାରେ ।ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ରୋଗର ପାରିବାରିକ ଇତିହାସ ଥିଲେ ଓ ଧୂମ୍ରପାନ (tobacco smoke) କରୁଥିଲେ ଏହି ରୋଗ ସଙ୍କଟ ରହେ । ଆଲକୋହୋଲ (alcohol) ଓ ନାଇଟ୍ରୋଗ୍ଲିସେରିନ (nitroglycerin) ସଂସ୍ପର୍ଶରେ ଆସିଲେ ଏହି ରୋଗ ପ୍ରେରିତ ବା ଟ୍ରିଗର ହୋଇଯାଏ । ଟ୍ରାଇଜେମିନାଲ ଅଟୋନୋମିକ ସେଫାଲଜିଆ (trigeminal autonomic cephalalgia) ଶ୍ରେଣୀର ଏହା ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ (primary headache disorder) । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଇପାରେ ।ଏହି ରୋଗ ନ ହେବା ନିମନ୍ତେ ନିଜର ଜୀବନଚର୍ଯ୍ୟାର ପରିବର୍ତ୍ତନ କରି ସମ୍ଭାବ୍ୟ ଟ୍ରିଗର ରୋକିହୁଏ । ଆକ୍ୟୁଟ ରୋଗ ନିମନ୍ତେ ଅମ୍ଳଜାନ ଓ ଦୃତ କାର୍ଯ୍ୟକାରୀ ଟ୍ରିପ୍ଟାନ triptan ଦିଆଯାଏ । ରୋଗ ଆକ୍ରମଣ ସଂଖ୍ୟା କମେଇବା ନିମନ୍ତେ ସ୍ଟିରଏଡ ଇଞ୍ଜେକସନ (steroid injections) ସିଭାମାଇଡ (civamide) ବା ଭେରାପାମିଲ (verapamil) ଦିଆଯାଏ । ଏହି ସବୁ ଉପଚାର କାମ ନ କଲେ ସ୍ନାୟୁ ଉତ୍ତେଜନା (Nerve stimulation) ଓ ଅପରେଶନର ଆବଶ୍ୟକତା ପଡ଼ିପାରେ ।ସାଧାରଣ ଜନତାଙ୍କ ମଧ୍ୟରୁ ଜୀବନରେ କେବେ ନା କେବେ ୧% ଲୋକ ଓ ଯେ କୌଣସି ବର୍ଷରେ ୦.୦୫% ଲୋକ ଏହି ରୋଗରେ ପଡ଼ିତ ହୁଅନ୍ତି । କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋର ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ୪ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । ଦଳ ହୋଇ ଏହି ମୁଣ୍ଡବିନ୍ଧ ହେଉଥିବାରୁ ଏହାକୁ ଦଳଗତ ବା କ୍ଲସ୍ଟର ମୁଣ୍ଡବିନ୍ଧା ଓ ଇଂରାଜୀରେ କ୍ଲସ୍ଟର ହେଡାକ୍ କୁହାଯାଏ । ଏହାକୁ ଆତ୍ମଘାତୀ ମୁଣ୍ଡବିନ୍ଧା ("suicide headaches") ମଧ୍ୟ କୁହାଯାଏ ।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ରୀମା ଲାଗୁ (୨୧ ଜୁନ ୧୯୫୮- ୧୮ ମଇ ୨୦୧୭) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଏବଂ ମରାଠୀ କଥାଚିତ୍ରମାନଙ୍କରେ ମାଆ ଭୂମିକାରେ ଅନେକ ଅଭିନୟ କରିଥିଲେ । ଦୀର୍ଘ ଚାରି ଦିଶନ୍ଧି ଧରି ସେ ପ୍ରାୟତଃ ମରାଠୀ ମଞ୍ଚ ଅଭିନୟରେ ସକ୍ରୀୟ ଥିଲେ । ମରାଠୀ ଧାରାବାହିକ ତୁଜା ମଜା ଜାମେନରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମୈନେ ପ୍ୟାର କିୟ, ଆଶିକ୍, ସାଜନ୍, ହମ୍ ଆପ୍କେ ହୈ କୌନ୍, ବାସ୍ତବ, କୁଛ୍ କୁଛ୍ ହୋତା ହୈ, ହମ୍ ଆପ୍କେ ହୈ କୌନ୍ ଭଳି ଅନେକ ସଫଳ ହିନ୍ଦୀ କଥାଚିତ୍ରରେ ସେ ମାଆ ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ମଧ୍ୟ ସେ ଅନେକ ଅଭିନୟ କରିଛନ୍ତି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ମାର୍ଭେଲ କମ୍ପାନୀଟି Marvel worldwide inc ନାମରେ ନାମିତ,ଏହା ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ମାର୍ଭେଲ ହାସ୍ୟକର ସଙ୍ଗଠନ ଗୋଟିଏ ଆମେରିକାର ହାସ୍ୟକର ଏବଂ ଏହା ସମ୍ପର୍କିତ ମାଧ୍ୟମର ଏକ ପୁସ୍ତକ। ଏହାପରେ ୨୦୦୯ ରେWalt Disney କମ୍ପାନୀ ବିଶ୍ୱର ସବୁ ମୁଖ୍ୟ ମାର୍ଭେଲ କମ୍ପାନୀକୁ ଅଧିକୃତ କଲା।ମାର୍ଭେଲ ୧୯୩୯ ମସିହାରେ ଗୋଟେ ସମୟୋଚିତ ପ୍ରକାଶନTimely publication ରୂପରେ ଆରମ୍ଭ ହେଲା ଏବଂ ପରବର୍ତୀ ସମୟରେ ଏହା ୧୯୫୦ରେ Atlas comics ନାମରେ ପରିଣତ ହେଲା। ୧୯୬୧ ମସିହାରେ ମାର୍ଭେଲ ତାର ଆଧୁନିକ ଜଗତରେ ପଦାର୍ପଣ କରିଥିଲା ଯେତେବେଳେ ସେ ତାର ପ୍ରଥମ ଆଧୁନିକ ଚଳଚ୍ଚିତ୍ର ଫାଣ୍ଟାଷ୍ଟିକ୍ ଫୋର ମୁକ୍ତିଲାଭ କଲା।ଏହାଛଡା ସେ ଅନେକ କାଳ୍ପନିକ ସୁପେରହିରୋ ମାନଙ୍କ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଗୁଡିକ ଷ୍ଟିଭ୍ ଡ଼ିଟ୍କୋ,ଷ୍ଟାନ୍ ଲି, ଜ୍ୟାକ କୀର୍ବୀଙ୍କଦ୍ୱାରା ଲିଖିତ। ମାର୍ଭେଲର ପ୍ରସିଦ୍ଧ ବୀର ଗୁଡିକ ହେଲେ ଆଇରନ ମ୍ୟାନ, ସୁପର ମ୍ୟାନ, ଆଂଟ୍ ମ୍ୟାନ, ଡେଡ଼ପୁଲ, ଥର, ହଲକ୍,ଓଲ୍ଭରିନ, କ୍ୟାପ୍ଟେନ ଆମେରିକା ଏବଂ ସୁପେରହିରୋ ମାନଙ୍କ ଗୋଷ୍ଠୀ ଗୁଡିକ ହେଲା ଅଭେଞ୍ଜର୍ସ, ଏକ୍ସ-ମେନ, ଗାରଡିଆନ ଅଫ ଦି ଗ୍ୟାଲାକ୍ସି,ଫାଣ୍ଟାଷ୍ଟିକ୍ ଫୋର। ମାର୍ଭେଲର ମୁଖ୍ୟ ଖଳନାୟକ ଚରିତ୍ର ଗୁଡିକ ହେଲେ ଡକ୍ଟର ଡ୍ରୁମ, ଗ୍ରୀନ ଗୋବ୍ଲିନ, ଡକ୍ଟର ଅକ୍ଟୋପ୍ସ, ଦି ଏନଚଁଟ୍ରେସ, ଥାନୋସ,ଅଲଟ୍ରନ୍, ଲୋକୀ, ମାଗ୍ନେଟୋ ଇତ୍ୟାଦି।ଅଧିକାଂଶ ମାର୍ଭେଲ ଚଳଚ୍ଚିତ୍ର ଗୋଟିଏ କାଳ୍ପନିକ ଦୁନିଆରେ ହିଁ ସୃଷ୍ଟି ହୁଏ ଯାହା କି ମାର୍ଭେଲ ଜଗତ ନାମରେ ଜଣାଯାଏ, ଯାହାକି ବାସ୍ତବ ଦୁନିଆର ପ୍ରତିବିମ୍ବ ସଦୃଶ। ସ୍ପଇଡର ମ୍ୟାନ, ଦି ଅଭେଞ୍ଜରସ,ଦି ଫାଣ୍ଟାଷ୍ଟିକ୍ ଫୋର, ଡକ୍ଟର ସ୍ଟ୍ରେଞ୍ଜ ପରି ଚରିତ୍ର ଗୁଡିକ ନିଉୟର୍କ ସହର ଉପରେ ଆଧାରିତ। ଏକ୍ସ-ମେନ ପରି ଚଳଚ୍ଚିତ୍ର ମଧ୍ୟ ଐତିହାସିକ ରୂପେ ନିଉୟର୍କ ସହରର ସାଲେମ୍ କେନ୍ଦ୍ର ସହ ଜଡ଼ିତ। ଏବଂ ହଲକ୍ର କାହାଣୀ ମଧ୍ୟ ଦକ୍ଷିଣ-ପଶ୍ଚିମ ଆମେରିକାରେ ଆରମ୍ଭ ହୋଇଥିଲା। ସମ୍ପୂର୍ଣ ରୂପେ କହୁବାକୁ ଗଲେ ମାର୍ଭେଲର ସବୁ ଚରିତ୍ର ନିଉୟର୍କ ସହର ସହ ଜଡ଼ିତ।
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହେଇଥିଲେ ହେଁ ବିଶ୍ୱର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ । ମା’ଙ୍କର ଉପାସନା ଇତିହାସର ବର୍ଗବନ୍ଧନୀଠାରୁ ମଧ୍ୟ ବହୁ ପୁରାତନ । ଆଦ୍ୟାଶକ୍ତି ଭାବେ ସେ ସର୍ବଶକ୍ତିମୟୀ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଜଗନ୍ନାଥ ଦାସ (1487-1547) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।
ମୁଖପକ୍ଷାଘାତ (ଇଂରାଜୀ ଭାଷାରେ ବେଲ୍ସ ପାଲ୍ସି/Bell's palsy) ଏକ ମୁଖସ୍ନାୟୁ ପକ୍ଷାଘାତ (facial paralysis) ରୋଗ ଯାହା ଫଳରେ ରୋଗୀ ନିଜର ମୁଖମଣ୍ଡଳର ମାଂସପେଶୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଅକ୍ଷମ ହୁଏ । ଏହାର ଲକ୍ଷଣ ସାମାନ୍ୟରୁ ସାଂଘାତିକ ହୋଇପାରେ । ଏହି ଲକ୍ଷଣ ମଧ୍ୟରେ ମାଂସପେଶୀ ସ୍ଫୁରଣ (twitch), ଦୁର୍ବଳ ଓ ଗୋଟିଏ ପାଖ ବା ଉଭୟ ପାଖ ଚଳନ କରିବାକୁ ଅକ୍ଷମ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଖିପତା ଝୁଲିପଡ଼େ (drooping of the eyelid), ସ୍ୱାଦ ପରିବର୍ତ୍ତିତ ହୁଏ, କାନ ଚାରିପାଖରେ ଯନ୍ତ୍ରଣା ହୁଏ ଓ ଅଧିକ ଜୋରରେ ଶବ୍ଦ ଶୁଣାଯାଇପାରେ । ସ୍ୱାଭାବିକ ଭାବରେ ଏହାର ଲକ୍ଷଣ ୪୮ଘଣ୍ଟାରେ ପ୍ରକାଶ ପାଏ ।ମୁଖପକ୍ଷାଘାତର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହାର ସଙ୍କଟ ଦାୟକ ରୋଗ: ମଧୁମେହ ଓ ସଦ୍ୟ ହୋଇଥିବା ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ । କ୍ରାନିଆଲ ସ୍ନାୟୁ ୭ର (ଫେସିଆଲ ସ୍ନାୟୁ) କାର୍ଯ୍ୟ ସଠିକ୍ ଭାବେ ନ ହେଲେ ଏହି ରୋଗ ହୁଏ । ଅନେକଙ୍କ ମତରେ ଭୁତାଣୁଜନିତ ସଂକ୍ରମଣ ଯୋଗୁ ଫୁଲିଯାଇ ଏହି ପରିସ୍ଥିତି ଉତ୍ପନ୍ନ ହୁଏ । ରୋଗୀର ମୁଖ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ନ ଥିବା ମଧ୍ୟ ଦେଖିବାକୁ ପଡ଼େ । ଫେସିଆଲ ସ୍ନାୟୁ ଦୁର୍ବଳ କରୁଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ: ମସ୍ତିଷ୍କ ଅର୍ବୁଦ, ସ୍ଟ୍ରୋକ, ରାମସେ ହଣ୍ଟ ସିଣ୍ଡ୍ରୋମ (Ramsay Hunt syndrome) ଓ ଲାଇମ ରୋଗଏହି ରୋଗ ସ୍ୱତଃ ଭଲ ହୋଇଯାଏ, ସାଧାରଣ ବା ପ୍ରାୟ ସାଧାରଣ ଅବସ୍ଥାକୁ ଆସିଯାଏ । କର୍ଟିକୋସ୍ଟିରଏଡ (Corticosteroid) ଔଷଧ ଦେଲେ ଫଳାଫଳ ଉନ୍ନତ ହୁଏ ଓ ଭୁତାଣୁରୋଧୀ ଔଷଧ ସାମାନ୍ୟ ଅଧିକ ଉପକାର କରେ । ଚକ୍ଷୁପ୍ୟାଚ୍ (eyepatch) ଦେଇ ବା ଚକ୍ଷୁ ଡ୍ରପ ପକେଇ ଆଖି ଶୁଖିଯିବାରୁ ରକ୍ଷା କରାଯାଏ । ସାଧାରଣତଃ ଅପରେଶନ ଆବଶ୍ୟକ ହୁଏନାହିଁ । ପ୍ରାୟ ୧୫ଦିନ ମଧ୍ୟରେ ଲକ୍ଷଣମାନଙ୍କର ଉନ୍ନତି ହୁଏ ଓ ୬ମାସ ମଧ୍ୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଏ । ଅଳ୍ପ କେତେକ ଲୋକଙ୍କର ଆଦୌ ଭଲ ହୁଏନାହିଁ ବା ବାରମ୍ବାର ରୋଗ ଲେଉଟେ ।ମୁଖର ଗୋଟିଏ ପାଖ ପକ୍ଷାଘାତ ରୋଗଙ୍କ ମଧ୍ୟରୁ ବେଲ୍ସ ପାଲ୍ସି ସବୁଠାରୁ ସାଧାରଣ ରୋଗ (୭୦%) । ବାର୍ଷିକ ପ୍ରତି ୧୦,୦୦୦ ଲୋକରେ ୧ରୁ ୪ ଜଣକୁ ଏହି ରୋଗ ଆକ୍ରମଣ କରେ । ପ୍ରାୟ ୧.୫% ଲୋକଙ୍କ ଜୀବନରେ କେତେବେଳେ ହେଲେ ମଧ୍ୟ ଏହି ରୋଗ ଆକ୍ରମଣ କରେ । ବୟସ ୧୫ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ଲୋକଙ୍କୁ ହୁଏ । ପୁରୁଷ ଓ ମହୀଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗର ଫେସିଆଲ ସ୍ନାୟୁ ସହ ସମ୍ପର୍କ ଥିବା କଥା ପ୍ରଥମେ ସ୍କଟିସ ଶଲ୍ୟ ଚିକିତ୍ସକ ଚାର୍ଲ୍ସ ବେଲ (Charles Bell; ୧୭୭୪–୧୮୪୨) ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ କରାଯାଇଛି ।
ଏହି ବିଜ୍ଞାନ ଯୁଗରେ ପରିସଂଖ୍ୟାନର ବ୍ୟବହାର ବହୁ କ୍ଷେତ୍ରରେ ଦେଖାଯାଏ । କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ଶାସନ ଆଦି କ୍ଷେତ୍ରରେ ପରିସଂଖ୍ୟାନ ବିନା କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ନୁହେଁ । ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics ଏବଂ ଏହି ଶବ୍ଦ ଲାଟିନ୍ ଶବ୍ଦ Status ଅଥବା ଇଟାଲୀୟ ଶବ୍ଦ Statistaରୁ ଉଦ୍ଭବ ବୋଲି ମନେହୁଏ । ଏହି ଦୁଇ ଶବ୍ଦର ଅର୍ଥ ହେଉଛି 'ରାଜନୈତିକ ଅବସ୍ଥା' ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ପ୍ରଫୁଲ୍ଲ କୁମାର ମହାନ୍ତି(ଜନ୍ମ : ୧୯୩୯) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ, ଅନୁବାଦ, ନାଟକ ଓ ଗଳ୍ପ ଆଦି ଲେଖିଥାନ୍ତି । ତାଙ୍କର ପ୍ରାୟ ୧୪ଟି ପୁସ୍ତକ ପ୍ରକାଶ ପାଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୯୭ରେ ସ୍ୱେଚ୍ଛାକୃତ ଅବସରପରେ ସେ ସାମ୍ବାଦିକତା ମଧ୍ୟ କରିଥିଲେ ।
ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗ ନେଇଥିଲେ । ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।
"ଜନତା କର୍ଫ୍ୟୁ" ହେଉଛି ଜନସାଧାରଣଙ୍କ ଦ୍ୱାରା ନିଜ ପ୍ରତି ଜାରି କରାଯାଇଥିଵା ଏକ ନିଷେଧାଦେଶ ବା କର୍ଫ୍ୟୁ । ଏହି ଶବ୍ଦଟି ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ୧୯ ମାର୍ଚ୍ଚ ୨୦୨୦ ଗୁରୁବାର ଦିନ ରାତି ୮ଟା ସମୟରେ କରୋନାଭୂତାଣୁ ରୋଗ ୨୦୧୯ ନାମକ ବିଶ୍ୱ ମହାମାରୀ ସମୟରେ ଭାରତର ଜନସାଧାରଣଙ୍କୁ ଦେଇଥିବା ଭାଷଣରେ ବ୍ୟବହାର କରାଯାଇଥିଲା । ସେ ତାଙ୍କ ଅଭିଭାଷଣରେ ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ସାଧାରଣ କର୍ଫ୍ୟୁ ପାଳନ କରିବାକୁ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଜନତା କର୍ଫ୍ୟୁକୁ “ଜନସାଧାରଣଙ୍କ ପାଇଁ, ଜନସାଧାରଣଙ୍କ ଦ୍ୱାରା ଲାଗୁ ହୋଇଥିବା କର୍ଫ୍ୟୁ” ବୋଲି ପରିଭାଷିତ କରିଥିଲେ ।
ପ୍ରଫେସର ଦାଶରଥି ଦାସ, ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।
ପିଣ୍ଡାକୀ ବାହୁବଳେନ୍ଦ୍ର ଓଡ଼ିଶାର ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ୧୮୧୭ ପାଇକ ବିଦ୍ରୋହ ସମୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପାଇକ ବିଦ୍ରୋହର ଦଳପତି ବକ୍ସି ଜଗବନ୍ଧୁଙ୍କର ସେ ଥିଲେ ବିଶ୍ୱସ୍ଥ ସହଯୋଗୀ । ଅନେକ ଚେଷ୍ଟା ପରେ ତାଙ୍କୁ ଇଂରେଜ ମାନେ ବନ୍ଦୀ କରି କଳାପାଣିକୁ ଦେଶାନ୍ତର କରିଥିଲେ । ମାତ୍ର ସେ ସେଠାରୁ ଖସି ଚାଲି ଆସିଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିଲା ।
ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।
ସାବିତ୍ରୀ ଅଗ୍ରୱାଲ ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସାବିତ୍ରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବିଷ୍ଣୁ (ଦେବନାଗରୀ : विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି। ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।
କାଜଲ (ଜନ୍ମ: କାଜଲ ମୁଖାର୍ଜୀ; ୫ ଅଗଷ୍ଟ ୧୯୭୪) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି । କାଜଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତ୍ରୀ ତନୁଜା ସମର୍ଥ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ଶୋମୁ ମୁଖାର୍ଜୀଙ୍କର ଝିଅ । ସେ ୬ଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ହିନ୍ଦୀ କଥାଚିତ୍ର ଜଗତରେ ନାରୀ ଅଭିନେତ୍ରୀ ଭାବରେ ସବୁଠାରୁ ଅଧିକ ଫିଲ୍ମଫେୟାର ପୁରସ୍କାର କାଜଲ ଜିତିଛନ୍ତି । ୨୦୧୧ ମସିହାରେ ଭାରତ ସରକାର କାଜଲଙ୍କୁ ଭାରତର ୪ର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ୨୦୦୬ରେ ଯୁକ୍ତରାଷ୍ଟ୍ର ଆମରିକାରେ ବଲିଉଡ୍ କିମ୍ବଦନ୍ତୀ ଭାବରେ କାଜଲର ମୂର୍ତ୍ତି ସ୍ଥାପନ କରାଯାଇଥିଲା ।କାଜଲ ୧୯୯୨ ମସିହାରେ ହିନ୍ଦୀ କଥାଚିତ୍ର ବେଖୁଦି ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଏବଂ ୧୯୯୩ ମସିହାର ଚଳଚ୍ଚିତ୍ର ବାଜିଗର ତାଙ୍କର ପ୍ରଥମ ସଫଳତମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଶାହାରୁଖଙ୍କ ସହ ଅଭିନୟ କରିଥିଲେ । କାଜଲ ବେଖୁଦୀ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ତାଙ୍କର ପାଠପଢ଼ା ବନ୍ଦ କରିଥିଲେ ଏବଂ ଚଳଚ୍ଚିତ୍ରକୁ ନିଜର ପେଶା ଭାବରେ ଆପଣେଇନେଇଥିଲେ । ଏହାପରେ ସେ ୧୯୯୪ର ୟେଃ ଦିଲ୍ଲାଗି, ୧୯୯୭ର ଇସ୍କ, ୧୯୯୮ର ପ୍ୟାର୍ କିୟା ତୋ ଡର୍ନା କ୍ୟା, ପ୍ୟାର୍ ତୋ ହୋନା ହି ଥା, ୧୯୯୯ ମସିହାର ହମ୍ ଆପ୍କେ ଦିଲ୍ମେ ରହେତେ ହେଁ ଆଦି ସଫଳ ଚଳଚ୍ଚିତ୍ରର ଅଭିନୟ କରି ଅନେକ ପ୍ରଶଂସା ସାଉଁଣ୍ଟିଥିଲେ । ୧୯୯୭ର ଚଳଚ୍ଚିତ୍ର ଗୁପ୍ତ: ଦ ହିଡେନ୍ ଟ୍ରୁଥ୍ରେ କାଜଲ ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ସେ ସମାଲୋଚିତ ହୋଇଥିଲେ ମଧ୍ୟ ଫିଲ୍ମଫେୟାରରେ ତାଙ୍କୁ ଶ୍ରେଷ୍ଠ ଖଳନାୟିକା ପୁରସ୍କାର ମିଳିଥିଲା ।ଏହାପରେ କାଜଲ ଶାହାରୁଖ ଖାଁଙ୍କ ସହିତ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୫ ମସିହାର ଦିଲ୍ବାଲେ ଦୁଲ୍ହନିଆଁ ଲେ ଯାଏଙ୍ଗେ, ୧୯୯୮ର କୁଛ୍ କୁଛ୍ ହୋତା ହେ, ୨୦୦୧ର କଭି ଖୁସି କଭି ଗମ୍, ୨୦୧୦ର ମାଇଁ ନେମ୍ ଇଜ୍ ଖାନ୍ ଆଦି ଚଳଚ୍ଚିତ୍ରରେ ସେ ଶାହାରୁଖଙ୍କ ସହ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏଥିସହିତ ୨୦୦୬ ମସିହାରେ ଅମିର ଖାଁଙ୍କ ସହ କାଜଲଙ୍କର ଚଳଚ୍ଚିତ୍ର ଫନା ମଧ୍ୟ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଆଣିଦେଇଥିଲା । ୨୦୧୫ ମସିହାରେ କାଜଲ ଏବଂ ଶାହାରୁଖଙ୍କର ଚଳଚ୍ଚିତ୍ର ଦିଲ୍ବାଲେ ତାଙ୍କର ଅନ୍ୟ ସମସ୍ତ ଚଳଚ୍ଚିତ୍ରଠାରୁ ଅଧିକ ଆୟ କରିଥିଲା । କାଜଲ ହିନ୍ଦୀ କଥାଚିତ୍ର ବ୍ୟତୀତ ଦୁଇଟି ତାମିଲ କଥାଚିତ୍ର ଏବଂ ଗୋଟିଏ ଆନିମେସନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
କମ୍ପୁଟର ସଫ୍ଟୱେର କିମ୍ବା ସଫ୍ଟୱେର, କମ୍ପ୍ୟୁଟର ପ୍ରୋଗ୍ରାମ, ଲାଇବ୍ରେରି ଏବଂ ସେମାନଙ୍କ ସମ୍ବନ୍ଧିତ ନଥିକରଣକୁ ନେଇ ଗଠିତ । "ସଫ୍ଟୱେର" ଶବ୍ଦଟି କେବେ କେବେ ସଙ୍କୁଚିତ ଅର୍ଥରେ ଆପ୍ଲିକେସନ ସଫ୍ଟୱେରକୁ ମଧ୍ୟ ବୁଝାଇଥାଏ । ସଫ୍ଟୱେର କମ୍ପ୍ୟୁଟର ମେମୋରିରେ ସାଇତା ହୋଇ ରହିଥାଏ ଏବଂ ଏହାକୁ କେହି ଛୁଇଁପାରିବେ ନାହିଁ ।ନିମ୍ନତମ ସୋପାନରେ, ଏକ୍ସକ୍ୟୁଟ କରାହୋଇପାରିବା କୋଡ଼ସମୂହ ଏକ ନିର୍ଦ୍ଦିଷ୍ଟ ପ୍ରସେସର– ସାଧାରଣତଃ ଏକ ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ (ସିପିୟୁ) ସହ ସମ୍ବନ୍ଧିତ ମେସିନ ଲାଙ୍ଗୁଏଜକୁ ନେଇ ଗଠିତ । ଏକ ମେସିନ ଲାଙ୍ଗୁଏଜ ପ୍ରୋସେସର ସୂଚନାକୁ ସୂଚାଉଥିବା ବାଇନାରି ମୂଲ୍ୟକୁ ନେଇ ଗଠିତ ଦଳମାନଙ୍କୁ ନେଇ ତିଆରି । ଏହି ମୂଲ୍ୟସବୁ କମ୍ପ୍ୟୁଟରର ପୂର୍ବ ଅବସ୍ଥାକୁ ବଦଳାଇଥାଏ ।
ଭାରତର ପଶ୍ଚିମ କୂଳରେ ସ୍ଥିତ ମୁମ୍ବାଇ (ପୂର୍ବ ନାମ ବମ୍ବେ), ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ଅଟେ। ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର ଅଟେ। ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ୱୀପପୁଞ୍ଜକୁ ମିଶାଇ ହେଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ୱାରା ଯୋଡି ହେଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର ଅଟେ। ମୁମ୍ବାଇର ଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ ଅଟେ। ଇଉରୋପ, ଆଫ୍ରିକା, ଆମେରିକା ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇକୁ ଭାରତର ପ୍ରବେଶଦ୍ୱାର ମଧ୍ୟ କୁହାଯାଏ।