ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଡିଗୋ (IndiGo) ଏକ ଭାରତୀୟ ଏୟାରଲାଇନ କମ୍ପାନୀ ଅଟେ ଜାହାର ମୁଖ୍ୟାଳୟ ଭାରତର ଗୁଡ଼ଗାଁରେ ସ୍ଥିତ । ଏହା କମ ଟଙ୍କା ବିଶିଷ୍ଟ ଯାତ୍ରୀ ସେବା ତଥା ଭାରତର ସବୁଠାରୁ ବଡ଼ ବିମାନ ସେବା ଅଟେ । ଏହାର ମାର୍କେଟ ସେୟାର ଫେବୃଆରୀ ୨୦୧୪ ମସିହାରେ ୩୦.୩% ହୋଇଥିଲା । ଇଣ୍ଡିଗୋ ଭାରତରେ ସବୁଠାରୁ ତିବ୍ରରେ ବିକଶିତ ହୋଇଥିବା ବିମାନ ଜାନ ଅଟେ । ନିଜର ନୂଆ ୭୮ ଏୟାର ବସ , ୩୨୦ ଏୟାରକ୍ରାଫ୍ଟ ସହିତ ଏହି ଏୟାରଲାଇନ ୩୬ ଗନ୍ତବ୍ୟ ସ୍ଥାନପାଇଁ ଦୈନିକ ୪୮୫ ଫ୍ଲାଇଟର ସେବା ପ୍ରଦାନ କରିଥାଏ । ଏୟାରଲାଇନ 82 ଗନ୍ତବ୍ୟ - 60 ଘରୋଇ ଏବଂ 22 ଅନ୍ତରାଷ୍ଟ୍ରୀୟ ଉଡାଣର ସଞ୍ଚାଳନ କରିଥାଏ । ଏହାର ପ୍ରାଥମିକ କେନ୍ଦ୍ର "ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦିଲ୍ଲୀ"ରେ ରହିଛି ।2006 ମସିହା ମଧ୍ୟରେ ସଞ୍ଚାଳନ ଆରମ୍ଭ କରିବା ଯୋଜନା ସହିତ ଇଣ୍ଡିଗୋ ଜୁନ 2005 ମସିହାରେ "ପ୍ୟାରିସ ଏୟାର ସୋ" ଅନୁସାରେ UAS $ 6 ବିଲୀୟନର 100 ଏୟାର ବସ A 320-200 ବୀମାନ ପାଇଁ ଏକ ଆଦେଶ ଦେଇଥିଲେ । ଏୟାର ଲାଇନ ଜୁଲାଇ 2006 ମସିହାରେ ନିଜର ପ୍ରଥମ A 320 ପ୍ରାପ୍ତ କରିଥିଲା ଏବଂ 2015-2016 ପର୍ଯ୍ୟନ୍ତ 100 ବୀମାନ ସାମିଲ କରିବା ପାଇଁ ଯୋଜନା ବନେଇଥିଲା ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଦେବେନ୍ଦ୍ର ଶର୍ମା (ଜନ୍ମ: ୧୮ ମାର୍ଚ୍ଚ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଦେବେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ସୁବ୍ରତ ବାଗଚି (ଜନ୍ମ: ୩୧ ମଇ ୧୯୫୭) ମାଇଣ୍ଡଟ୍ରୀ କନସଲଟିଂ ସଂସ୍ଥାନର ପ୍ରତିଷ୍ଠାତା ଏବଂ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଅଟନ୍ତି । ଓଡ଼ିଶାରେ କୋଭିଡ-୧୯ ମହାମାରୀ ମୁକାବିଲା ସମୟରେ ତାଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ରୂପରେ ଦାୟିତ୍ୱ ମିଳିଥିଲା ।ସୁବ୍ରତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମାଖନ ଗୋପାଳ ବାଗଚି ଓ ମାତାଙ୍କ ନାମ ଲାବଣ୍ୟପ୍ରଭା ବାଗଚି ଥିଲା । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ପିତାଙ୍କ ଚାକିରି ଯୋଗୁ ସୁବ୍ରତଙ୍କ ବାଲ୍ୟକାଳ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବିତିଥିଲା । ଏ ବିଷୟରେ ସେ ନିଜ ପୁସ୍ତକ "ଗୋ କିସ୍ ଦ ୱର୍ଲଡ଼"ରେ ଲେଖିଛନ୍ତି ।
ତ୍ରିଲୋଚନ ବେହେରା (ଜନ୍ମ: ୨୭ ମାର୍ଚ୍ଚ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ତ୍ରିଲୋଚନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ମାର୍ଗାରେଟ ହିଫିଲ୍ଡ ହାମିଲଟନ (ଇଂରାଜୀ: Margaret Heafield Hamilton, ଜନ୍ମ ୧୯୩୬ ମସିହା ଅଗଷ୍ଟ ୧୭) ଜଣେ କମ୍ପ୍ୟୁଟର ବିଜ୍ଞାନୀ, ସିଷ୍ଟମ ଇଞ୍ଜିନିୟର, ଏବଂ ବ୍ୟବସାୟ ମାଲିକ । ସେ ଏମଆଇଟି ଇନଷ୍ଟ୍ରୁମେଣ୍ଟେସନ ଲାବୋରୋଟୋରୀର ସଫ୍ଟଓଏର ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ଥିଲେ । ଏହି ବିଭାଗ ଆପୋଲୋ ସ୍ପେସ ପ୍ରୋଗ୍ରାମର ଫ୍ଲାଇଟ ଭିତର ସଫ୍ଟଓଏରର ବିକାଶ କରିଥିଲା । ଆପୋଲୋ ୧୧ର କଠିନ ସମୟରେ ହାମିଲଟନଙ୍କ ଦଳର କାମ ଏହି ଯାନକୁ ଚନ୍ଦ୍ର ଉପରେ ଉହ୍ଲାଇବାର ବନ୍ଦରୁ ରୋକିଥିଲା । ୧୯୮୬ ମସିହାରେ ସେ ମାସାଚୁସେଟ୍ସର କ୍ୟାମ୍ବ୍ରିଜରେ ହାମିଲଟନ ଟେକନୋଲୋଜି, Inc.ର ସିଇଓ ହୋଇଥିଲେ । କମ୍ପାନିଟି ହାମିଲଟନଙ୍କ ସିଷ୍ଟମ ଓ ସଫ୍ଟଓଏର ଡିଜାଇନ ପାଇଁ ଡେଭଲପମେଣ୍ଟ ବିଫୋର ଦି ଫାକ୍ଟ (DBTF) ପାରାଡାଇମକୁ ଆଧାର କରି ଓ ଇଉନିଭର୍ସାଲ ସିଷ୍ଟମ୍ସ ଲାଙ୍ଗୁଏଜକୁ ନେଇ ତିଆରି ହୋଇଥିଲା ।ନିଜେ ଜଡ଼ିତ ଥିବା ୬୦ ଗୋଟି ପ୍ରକଳ୍ପ ଓ ଛ'ଟି ପ୍ରୋଗ୍ରାମକୁ ଭିତ୍ତି କରି ହାମିଲଟନ ୧୩୦ରୁ ଅଧିକ ପେପର, ପ୍ରୋସିଡିଂ ଓ ରିପୋର୍ଟ ପ୍ରକାଶ କରିଛନ୍ତି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ରତିକାନ୍ତ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ତଥା ପଖାୱଜ (ଏକ ଓଡ଼ିଶୀ ବାଦ୍ୟଯନ୍ତ୍ର) ବାଦକ । ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ୫୫୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଏକକାଳୀନ ନୃତ୍ୟ କରି "ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ"ରେ ନାମ ପଞ୍ଜୀକରଣ କରିଛନ୍ତି । ଏକ ଚୀନୀୟ ଚଳଚ୍ଚିତ୍ର "ଦି ଡିଜାୟାର"ରେ ମଧ୍ୟ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ହାଡ଼ଫୁଟି, (ଇଂରାଜୀରେ Chickenpox ବା varicella), ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶରେ ଆସିଲେ ହୁଏ । ଏହି ରୋଗର ବିଶେଷତା ହେଲା ଛୋଟ ଛୋଟ ଗଲୁକାରୀ ଫୋଟକା (small blisters) ହୋଇ ଅବଶେଷରେ ତା ଉପରେ ବକଳା ହୁଏ । ଏହା ମୁହଁ, ଛାତି ଓ ପିଠିରେ ଆରମ୍ଭ ହୋଇ ଦେହା ସାରା ମାଡ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାଣ ଓ ମୁଣ୍ଡବଥା ହୁଏ । ଏହି ଲକ୍ଷଣ ଗୁଡ଼ିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ନିମୋନିଆ, ଏନ୍କେଫାଲାଇଟିସ କିମ୍ବା ଚର୍ମରେ ଜୀବାଣୁ ସଂକ୍ରମଣ ହୁଏ । ପିଲାଙ୍କ ଅପେକ୍ଷା ବଡ଼ମାନଙ୍କୁ ଏହି ରୋଗ ଅଧିକ ମାରାତ୍ମକ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବାର ୧୦ରୁ ୨୦ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ । ହାଡ଼ଫୁଟି ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ସହଜରେ ବିସ୍ତାର ଲାଭ କରେ । ଫୋଟକା ବା ରାସ ବାହାରିବାର ୨ ଦିନ ପୂର୍ବରୁ ଏହା ବ୍ୟାପିଯାଏ ଓ ସବୁ ଫୋଟକା ବକଳା ହୋଇସାରିବା ପର୍ଯ୍ୟନ୍ତ ସଂକ୍ରାମକ ହୋଇ ରହେ । ଫୋଟକାକୁ ଛୁଇଁଲେ ମଧ୍ୟ ଏହା ବ୍ୟାପିଯାଏ । ହର୍ପିସ ଜୋସ୍ଟର ରୋଗୀ ହାଡ଼ଫୁଟି ରୋଗକୁ ଫୋଟକା ଇମ୍ମୁନିଟି ନ ଥିବା ଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରନ୍ତି । ରୋଗୀର ଲକ୍ଷଣ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ; ଯଦିଓ ଅସାଧାରଣ କେଶରେ ବକଳା ବା ଫୋଟକା ତରଳ ପଦାର୍ଥ ନେଇ ପଲିମରେଜ୍ ଚେନ ରିଆକ୍ସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ । ଏହି ରୋଗ ସାଧାରଣତଃ ଲୋକଙ୍କୁ ଥରେ ମାତ୍ର ହୁଏ । ହାଡ଼ଫୁଟି ଟିକା ଦେବା ଫଳରେ ରୋଗ ସଂଖ୍ୟା ଓ ଜଟୀଳତା କମିଯାଇଛି । ଟିକାଦ୍ୱାରା ଏହି ରୋଗରୁ ୭୦ରୁ ୯୦ % ଲୋକ ଉପକୃତ ହେଉଛନ୍ତି । ପିଲାମାନଙ୍କୁ ନିୟମିତ ହାଡ଼ଫୁଟି ଟିକା ଦେବାକୁ ଅନେକ ଦେଶରେ ସୁପାରିସ କରାଯାଏ । ରୋଗୀ ସଂସ୍ପର୍ଶରେ ଆସିବାର ୩ ଦିନ ମଧ୍ୟରେ ପିଲାମାନେ ଟିକା ନେଲେ ଫଳାଫଳ ଉନ୍ନତି କରେ । ରୋଗ ହୋଇସାରିବା ପରେ ଗଲୁରୁ ରକ୍ଷା ପାଇବା ନିମନ୍ତେ କାଲାମିନ ଲୋସନ ଲଗେଇବାକୁ ଦିଆଯାଏ, ନଖ କାଟି ଛୋଟ କରିବାକୁ ଉପଦେଶ ଦିଆଯାଏ ଯାହା ଫଳରେ କୁଣ୍ଡେଇଲେ ଆଘାର ହେବ ନାହିଁ, ଜ୍ୱର ହେଲେ ଆସେଟାମିନୋଫେନ ବା ପାରାସେଟାମୋଲ ଦିଆଯାଏ । ରୋଗ ଜଟିଳ ହେବା ଆଶଙ୍କା ଥିଲେ ଆସାଇକ୍ଲୋଭିର ଭଳି ଭୁତାଣୁରୋଧୀ ଔଷଧ ଦିଆଯାଏ । ପୃଥିବୀର ସବୁ ସ୍ଥାନରେ ହାଡ଼ଫୁଟି ହୁଏ । ନିୟମିତ ଟିକା ଦିଆଯିବା ପୂର୍ବରୁ ପ୍ରତି ବର୍ଷ ଜନ୍ମ ହେଉଥିବା ପିଲା ସଂଖ୍ୟା ସଙ୍ଗେ ହାଡ଼ଫୁଟି ରୋଗୀ ସଂଖ୍ୟା ସମାନ ରହୁଥିଲା । ଆମେରିକାରେ ଟିକା ଦିଆଯିବା ପରେ ଏହି ରୋଗ ସଂକ୍ରମଣ ୯୦% କମିଯାଇଛି । ପୃଥିବୀରେ ସନ ୧୯୯୦ରେ ଏହି ରୋଗମୃତ୍ୟୁ ସଂଖ୍ୟା ୮୯୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୭,୦୦୦ ମାତ୍ର ହୋଇଥିଲେ । ପ୍ରତି ୬୦,୦୦୦ ରୋଗୀ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରୁଥିଲା । ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ରୋଗ ବସନ୍ତ ରୋଗଠାରୁ ଅଲଗା ବୋଲି ଜଣା ନ ଥିଲା । ସନ ୧୮୮୮ରେ ହର୍ପିସ ଜୋସ୍ଟର ସହ ଏହାର ସମ୍ପର୍କ ନିରୂପଣ କରାଯାଇ ଥିଲା । ସନ ୧୬୮୪ରେ ପ୍ରଥମେ ଚିକେନପକ୍ସ ବା ହାଡ଼ଫୁଟି ନାମରେ ଏହି ରୋଗ ଲିପିବଦ୍ଧ ହୋଇଥିଲା । ଏହି ନାମ କାହିଁକି ବ୍ୟବହୃତ ହୋଇଥିଲା ତାହା ଜଣାନାହିଁ, ବୋଧହୁଏ ରୋଗ ଅପେକ୍ଷାକୃତ ମୃଦୁ ହୋଇଥିବାରୁ ଏହାର ନାମ ସାଥୀରେ ଚିକେନ ଯୋଡ଼ି ଦିଆଯାଇଥିଲା ।
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blod pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ Seizures, ରାବଡୋମାୟୋଲାଇସିସ, ବୃକ୍କ ଫେଲ (kidney failure) ଆଦି ଲକ୍ଷଣମାନ ଦେଖାଯାଏ ।ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । ଏହା ଏକ ପ୍ରକାର ହାଇପରଥର୍ମିଆ (hyperthermia) ବା ଉଚ୍ଚତାପମାତ୍ରା ବେମାରୀ । ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ ।ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ । ବରଫ ପ୍ୟାକ (ice packs) ରୁଟିନ ଭାବରେ ଦିଆଯାଏ ନାହିଁ ।ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜଗନ୍ନାଥ ଦାସ (1487-1547) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ହୀରା ଅଙ୍ଗାରକ ପରମାଣୁମାନଙ୍କର ଏକ ପୁନର୍ବିନ୍ୟାସ ଅଟେ । ଗୋଟିଏ ପ୍ରକାରର ବସ୍ତୁମାନଙ୍କ ମଧ୍ୟରେ ହୀରା ହେଉଛି ସବୁଠୁ କଠିନ । ସେଥିପାଇଁ ଅନେକ ଶିଳ୍ପରେ ହୀରାକୁ କାଟିବା ଏବଂ ଚିକ୍କଣ କରିବାରେ ବ୍ୟବହାର କରାଯାଏ । ଅନେକ ହୀରା ସ୍ୱଚ୍ଛ ଥିବାବେଳେ କିଛି ହଳଦିଆ, ଲାଲ୍, ନୀଳ, ସବୁଜ ଓ ଗୋଲାପୀ ପରି ରଙ୍ଗୀନ ହୋଇଥାଏ । ବଡ଼ ହୀରାଗୁଡ଼ିକ ବିରଳ ଓ ଦାମୀ । ହୀରା ଅତ୍ୟନ୍ତ କଠିନ ଓ ଭଲ ଆଲୋକ ବିଚ୍ଛୁରଣ କରୁଥିବାରୁ ବହୁତ ଉପଯୋଗୀ । ଉଭୟ ପ୍ରାକୃତିକ ଓ କୃତ୍ରିମ ହୀରା ଉପଲବ୍ଧ । ପୃଥିବୀ ପ୍ରାକୃତିକ ହୀରା ତିଆରି କରେ । ମଣିଷ କୃତ୍ରିମ ହୀରା ତିଆରି କରେ । ମଣିଷ ଜାଣିଥିବା ସବୁଠାରୁ କଠିନ ପ୍ରାକୃତିକ ବସ୍ତୁ ହେଉଛି ହୀରା ।
ମୁଁ ଗାନ୍ଧୀ ନୁହେଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜକ ସୁରଜ ମିଶ୍ର ଏହାର କାହାଣୀ ଲେଖିଥିବାବେଳେ ନିଜେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ଏବଂ ପ୍ରବୀର କୁମାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ୨୯ ଜୁଲାଇ ୨୦୧୬ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ କ୍ରୀଷ୍ଣା ଏବଂ କରଣ ସିଂହ ରାୟ । ଏହି ଦୁଇ ନାୟକଙ୍କ ସହ ଦୁଇ ନବାଗତା ନାୟିକା ଦୀକ୍ଷା ଏବଂ ଭାବନା କର ମଧ୍ୟ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏମାନଙ୍କ ବ୍ୟତୀତ ପୁରୁଖା ଅଭିନେତା ଅଶ୍ରୁମୋଚନ ମହାନ୍ତି, ରବି ମିଶ୍ର, ଜୟୀରାମ ସାମଲ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
୧୯୪୮ ମସିହା ଏପ୍ରିଲ ୭ ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିଷ୍ଠା ହେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ବିଶ୍ୱରେ ସ୍ୱାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ରେ ଜାତିସଂଘର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ୱରୁ ବସନ୍ତରୋଗ ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।
ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହାଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟରର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ୱର ଚାରି ସମୀକରଣରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।
ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ପ୍ରେମ ଅଢ଼େଇ ଅକ୍ଷର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ନାୟକ । ସୁନୀତା ନରେନ୍ଦ୍ର ସିଂ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ରିୟା ଦେ । ରିୟା ଦେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସୁବାଶିଷ ଶର୍ମା, ପ୍ରିୟା ମହାପାତ୍ର, ମିହିର ଦାସ, ପିଣ୍ଟୁ ନନ୍ଦ, ନମ୍ରତା ଦାସ, ବିଜୟ ମହାନ୍ତି, ହରିହର ମହାପାତ୍ର, ସରୋଜ ଦାସ, ସମରେଶ ରାଉତରାୟ, ପ୍ରତିଭା ସାହୁ, ହାଡ଼ୁ, ଦେବୁ ବ୍ରହ୍ମା, ଗୌରା ଆଚାର୍ଯ୍ୟ, ସନ୍ତୋଷ ଭୂୟାଁ, ଜେଲୁ, ଗଣେଶ ମହାପାତ୍ର, ଶ୍ରୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଉତ୍ତମ ମହାନ୍ତି, ଅନିସା, ସଙ୍ଗମ ବିଶ୍ୱାଳ, ସୁଶାନ୍ତ ମଣି, ନାରାୟଣ ନାୟକ, ହିମାଂଶୁ ପରିଜା, ଅଶୋକ ପତି, ରଜନୀ ରଞ୍ଜନ, ଅବତାର ସିଂ, ସୁନୀତା ନରେନ୍ଦ୍ର ସିଂ ଆଦି ଅତିଥି କଳାକାର ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ପ୍ରହ୍ଲାଦ ନାଟକ ବା ପ୍ରହଲ୍ଲାଦ ନାଟକ (ରଜା ନାଟ, ରଜା ନାଟକ ଭାବେ ମଧ୍ୟ ପରିଚିତ) ଗଞ୍ଜାମ ଜିଲ୍ଲାରେ ଅଭିନୀତ ଏକ ପାରମ୍ପରିକ ନାଟକ ଅଟେ । ଏଥିରେ ଉଭୟ ଶାସ୍ତ୍ରୀୟ ଓ ଲୌକିକ ଅଙ୍ଗ ପୂର୍ଣ୍ଣ ଭାବେ ରହିଛି । ଏହି ନାଟକରେ ନୃସିଂହଙ୍କ କଥା ଗୀତନାଟ୍ୟ ମାଧ୍ୟମରେ ପରିବେଷିତ ହୁଏ । ଏହାର ପ୍ରମୁଖ ଲେଖା ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମରେ ଭଣିତ । ପ୍ରହ୍ଲାଦ ନାଟକର ଗୀତଗୁଡ଼ିକରେ ରାମକୃଷ୍ଣଙ୍କ ନାମରେ ଭଣିତା ଥିଲେ ସୁଦ୍ଧା ଏହାକୁ କବି ଗୌରହରି ପରିଚ୍ଛା ଲେଖିଛନ୍ତି ବୋଲି ଗବେଷକଙ୍କଦ୍ୱାରା ଗୃହୀତ। ପରେ ଏହାଙ୍କ ଅନୁକରଣରେ ପାରଳାଖେମୁଣ୍ଡିର ଗଜପତି ମହାରାଜ ପଦ୍ମନାଭ ନାରୟଣ ଦେବ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ରଚନା କରିଥିଲେ ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ଭାରତ ଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୀଳାନାଟକ ଶୈଳୀ । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବା ଦ୍ୱାରୀଲୀଳା କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ । ଗଞ୍ଜାମରେ ଭାରତ ଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ବୋଲି କୁହାଯାଏ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରତ ଲୀଲା ପରିବେଷଣ କରାଯାଇଥାଏ । ଜନପ୍ରିୟତା ଦୃଷ୍ଟିରୁ ଗଞ୍ଜାମରେ ପରିବେଷିତ ଭାରତ ଲୀଳାର ସମକକ୍ଷ ସେମାନେ ହୋଇପାରିନାହାନ୍ତି । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି । ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଜଗନ୍ନାଥ ଧାମ ପୁରୀ (ଓଡ଼ିଆ କଥାଚିତ୍ର)
ଜଗନ୍ନାଥ ଧାମ ପୁରୀ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ନାରାୟଣ ଘଡ଼େଇ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସହ କାହାଣୀ ଓ ଚିତ୍ରନାଟ୍ୟ ରଚାନ କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସତ୍ୟ ପ୍ରକାଶ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଦ୍ୟୁତ୍ ରୟ ଓ ହିମାଂଶୁ ଶେଖର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ସଚ୍ଚି ମହାନ୍ତି ଏବଂ ସମିତ୍ ରଚନା କରିଥିଲେ । କଥାଚିତ୍ରଟିରେ କଣ୍ଠଦାନ କରିଥଲେ କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍ସା, ସୌରଭ, ଏସ୍.କେ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବଦତ୍ତ ସାହୁ ଏବଂ ରିତିକା ରଥ । ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, କୁମୁଦ ତ୍ରିପାଠୀ, ପ୍ରିୟ ସୁନ୍ଦର ମିଶ୍ର, ଥିନ୍, ସରୋଜିନୀ, ଗୋପାଳ ଶର୍ମା, ପ୍ରଣତି, ମାମା, ଜ୍ୟୋତି, ନୀତୁ, ହିମାଂଶୁ, ଏସ୍.କେ.