ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2) ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡିଶା ସରକାରଙ୍କ ଦ୍ଵାରା ପ୍ରଣୀତ "THE EPIDEMIC DISEASES(AMENDMENT)ORDINANCE,2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ଵୀକୃତୀ ଲାଭ କରିଛି ।
ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖ ଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡ଼ିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ (ଜନ୍ମ: ୪ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୯୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, "ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢି ଲୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋକଏନ୍ସ ବର୍ଗର" । ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ୱାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବରକୁ ଉଇକିପିଡ଼ିଆରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ୱକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ । ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତାକୁ ସ୍ୱୀକାର କରାଯାଏ । ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନାର ବିପରୀତ, ଉଇକିଖବରର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ବେସାମରିକ ଭାରତୀୟମାନେ ଦୁଇ ଜାତୀୟ ନେତା ସତ୍ୟ ପାଲ୍ ଓ ସୈଫୁଦିନ୍ କିଚ୍ଲୁଙ୍କ ଗିରଫ୍ ଓ ଦେଶାନ୍ତରୀକରଣ ପ୍ରତିବାଦରେ ଏକତ୍ରିତ ହୋଇଥିଲେ । ଏହା ଏବେ ମଧ୍ୟ ତର୍କର ବିଷୟ ଯେ, ଭାରତୀୟମାନେ ଡାୟାର୍ଙ୍କ ´´´କୌଣସି ସଭା ହୋଇ ପାରିବ ନାହିଁ´´´ର ଘୋଷଣାନାମା ବିଷୟରେ ଜାଣିଥିଲେ ନା ନାହିଁ । ମାତ୍ର ରାଜା ରାମଙ୍କ ମତରେ ଭାରତୀୟମାନେ ସ୍ୱଇଚ୍ଛାରେ ଏକତ୍ରିତ ହୋଇଥିଲେ, ଯାହା ଭାରତୀୟ ଜାତୀୟତାବାଦର ପ୍ରାରମ୍ଭ ଥିଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ମ୍ୟାଲେରିଆ ରୋଗ ହୁଏ ଏକ ପ୍ରୋଟୋଜୋଆନ ପ୍ଲାଜମୋଡିଅମ ଟାଇପର ଏକ-କୋଷି ଅଣୁବୀକ୍ଷଣିକ ପରଜୀବୀଦ୍ୱାରା (protozoans, a type of single cell microorganism) ଯାହା ମଶା ବାହିତ ହୁଏ ଓ ମାନବ ତଥା ଅନ୍ୟାନ୍ୟ ପଶୁମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ସ୍ୱାଭାବିକ ଭାବେ ଜ୍ୱର, ଶରୀର ବେଆରାମ ଓ ଥକ୍କା ଲାଗେ, ବାନ୍ତି ଓ ମୁଣ୍ଡ ବଥା ହୁଏ । ରୋଗ ଗମ୍ଭୀର ହେଲେ କାମଳ ବା ଜଣ୍ଡିସ ହୁଏ, ବାତ ମାରେ ଓ କୋମା ହୋଇ ମୃତ୍ୟୁ ହୁଏ । ମଶା କାମଡ଼ିବାର ୧୦ରୁ ୧୫ ଦିନ ପରେ ମ୍ୟାଲେରିଆ ଆରମ୍ଭ ହୁଏ । ଉପଯୁକ୍ତ ଚିକିତ୍ସା ନ ହେଲେ ମାସାଧିକ କାଳ ପରେ ଏହି ରୋଗ ଲେଉଟେ । ଯେଉଁ ରୋଗୀ ଅଳ୍ପ ଦିନ ହେଲା ଭଲ ହୋଇଛି ତାକୁ ପୁନଃସଂକ୍ରମଣ ହେଲେ ଲକ୍ଷଣ ସ୍ୱଳ୍ପ ମାତ୍ରାରେ ଦେଖାଯାଏ । ପୁନଶ୍ଚ ସଂକ୍ରମିତ ନ ହେଲେ ଏହି ଆଂଶିକ ପ୍ରତିରୋଧ ଶକ୍ତି କିଛି ମାସ ବା ବର୍ଷ ପରେ କମିଯାଏ । ସାଧାରଣତଃ ଏହି ରୋଗ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ିଲେ ତାହାର ଲାଳରେ ଥିବା ପରଜୀବୀ ଶୁଣ୍ଢ ମାଧ୍ୟମରେ ମଣିଷର ରକ୍ତରେ ପ୍ରବେଶ କରେ । ଏହି ପରଜୀବୀ ରକ୍ତରେ ପ୍ରବାହିତ ହୋଇ ଯକୃତରେ ପ୍ରବେଶ କରେ ଓ ସେଠାରେ ବଡ଼ ହୋଇ ପ୍ରଜନନ କରେ । ଅଧିକାଂଶ ମୃତ୍ୟୁ ପ୍ଲାଜ୍ମୋଡ଼ିଅମ୍ ଫାଲସିପ୍ୟାରମ ଯୋଗୁ ହୁଏ ଓ ପ୍ଲାଜ୍ମୋଡ଼ିଅମ୍ ଭାଇଭାକ୍ସ, ପ୍ଲାଜ୍ମୋଡ଼ିଅମ୍ ଓଭେଲ ଇତ୍ୟାଦି ପରଜୀବୀମାନଙ୍କଦ୍ୱରା ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ । ମଣିଷ ଦେହରେ ପ୍ଲାଜ୍ମୋଡ଼ିଅମ୍ ନଲେସି (P. knowlesi) କ୍ୱଚିତ୍ ରୋଗ କରେ । ରୋଗୀର ରକ୍ତ ଫିଲ୍ମକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ମିଳିଲେ, କିମ୍ବା ମ୍ୟାଲେରିଆ ଆଣ୍ଟିଜେନ ଡିଟେକ୍ସନ୍ ଟେଷ୍ଟ (rapid diagnostic tests) କରି ଯୁକ୍ତାତ୍ମକ ଫଳ ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ମ୍ୟାଲେରିଆ ପ୍ରବଣ ଇଲାକାରେ ପଲିମରେଜ ଚେନ ରିଆକ୍ସନ ପରୀକ୍ଷାଦ୍ୱାରା ମଶାର ଡି.ଏନ.ଏ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରିବା ଜଟୀଳତା ଓ ବହୁଳ ବ୍ୟୟସାପେକ୍ଷ ଯୋଗୁ ସମ୍ଭବ ହେଉନି । ମ୍ୟାଲେରିଆ ସଙ୍କଟ ଚାରି ଉପାୟରେ ରୋକି ହୁଏ: ମଶାରୀ ବ୍ୟବହାର କରି ମଶା କାମୁଡ଼ାରୁ ରକ୍ଷା ପାଇବା, ମଶାଦୂରକାରୀ ଔଷଧ ବ୍ୟବହାର କରିବା, ମଶାମାରୀ ଔଷଧ ସିଞ୍ଚି ତାଙ୍କୁ ମାରିବା ଓ ସ୍ଥିର ଜଳାଶୟକୁ ନିଷ୍କାସନ କରିବା । ମ୍ୟାଲେରିଆ ପ୍ରବଣ ଇଲାକାକୁ ଯାଉଥିବା ଲୋକଙ୍କୁ ଏହି ରୋଗରୁ ରକ୍ଷା କରିବା ନିମନ୍ତେ କେତେକ ମ୍ୟାଲେରିଆ ପ୍ରତିଷେଧକ ଔଷଧ ଦିଆଯାଏ । ଅତ୍ୟଧିକ ମ୍ୟାଲେରିଆ ହେଉଥିବା ଇଲାକାରେ ପ୍ରଥମ ତିନିମାସ ପରର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସଲ୍ଫାଡକ୍ସିନ/ପାଇରିମେଥାମିନ ବଟିକା ଦିଆଯାଏ । ଆବଶ୍ୟକ ହେଉଥିବା ଟିକା ବାହାରି ନାହିଁ, ଚେଷ୍ଟା ଚାଲିଛି । କେତେକ ମ୍ୟାଲେରିଆ ଦୂରକାରୀ ଔଷଧ ସହ ଆର୍ଟେମିସିନିନ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଧାଡ଼ିରେ ମେଫ୍ଲୋକ୍ୱିନ, ଲୁମେଫାଣ୍ଟ୍ରିନ କିମ୍ବା ସଲ୍ଫାଡକ୍ସିନ/ପାଇରିମେଥାମିନ ଦିଆଯାଏ । ଆର୍ଟେମିସିନିନ ନ ମିଳିଲେ କୁଇନାଇନ୍ ଓ ଡକ୍ସିସାଇକ୍ଲିନ ବ୍ୟବହାର କରାଯାଇ ପାରେ । ଔଷଧ ପ୍ରତିରୋଧ ସମସ୍ୟା ଯୋଗୁ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମ୍ୟାଲେରିଆ ନିଶ୍ଚିତତା ପରୀକ୍ଷା କରିବା ଆବଶ୍ୟକ । ଅନେକ ଔଷଧର ପ୍ରତିରୋଧ ବାହାରିଲାଣି ଯଥା କ୍ଲୋରୋକ୍ୱିନ ପ୍ରତିରୋଧକାରୀ ଫ୍ୟାଲ୍ସିପ୍ୟାରମ ଓ ଦକ୍ଷିଣପୂର୍ବ ଏସିଆରେ ଆର୍ଟେମିସିନିନ ପ୍ରତିରୋଧ ଏକ ସମସ୍ୟା ସୃଷ୍ଟି କଲାଣି । ପ୍ଲାଜମୋଡିୟମର ପାଞ୍ଚଟି ପ୍ରଜାତି ମନୁଷ୍ୟମାନଙ୍କୁ ଆକ୍ରମଣ କରିପାରେ ତଥା ସଂକ୍ରାମକ ହୋଇଥାଏ । ଅତ୍ୟଧିକ ମାତ୍ରାରେ ମ୍ୟାଲେରିଆ କରାଉଥିବା ଜୀବାଣୁଟି ହେଲା ପି. ଫାଲସିପାରମ; କିନ୍ତୁ ପି. ଭିଭାକ୍ସ, ପି.
ଉଇକିପ୍ରକଳ୍ପ:ଓଡ଼ିଶା ସରକାର ସହଭାଗିତା
ଜୁନ ୨୦୧୭ଠାରୁ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓଡ଼ିଆ ଉଇକିପିଡ଼ିଆ ସହ ସହଭାଗିତା କରି ଇଣ୍ଟରନେଟରେ ଉପଲବ୍ଧ ଥିବା ସରକାରର ସମସ୍ତ ତଥ୍ୟ ଉଇକିପିଡ଼ିଆ ପାଇଁ ମୁକ୍ତ ଭାବେ ପ୍ରଦାନ କରୁଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ୱେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ୱାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ସାପ ତାର ବିଷ ଦାନ୍ତଦ୍ୱାରା କ୍ଷତ କଲେ ତାହାକୁ ସର୍ପ ଦଂଶ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ସମସ୍ତେ ବିଷଧର ନୁହନ୍ତି ମାତ୍ର ବିଷଧର ସାପ କେବଳ ଆଣ୍ଟର୍କଟିକାକୁ ଛାଡିଦେଲେ ଅନ୍ୟ ସବୁ ଦେଶରେ ଦେଖାଯାଇଥାନ୍ତି । ସାପ ସାଧାରଣତଃ ଶିକାର ଓ ନିଜର ରକ୍ଷା ନିମନ୍ତେ ଆକ୍ରମଣ କରିଥାଏ । ସାପ ଦଂଶନ କେତେ ଗୁରୁତର ତାହା ସାପ କେଉଁ ପ୍ରଜାତିର, ଶରୀରର କେଉଁ ଅଂଶରେ କ୍ଷତ ହୋଇଛି, ଶରୀର ମଧ୍ୟକୁ କେତେ ପରିମାଣର ବିଷ ପ୍ରବେଶ କରିଛି ଓ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ । ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ । ବିଷ ନଥିବା ସାପଦ୍ୱାରା ମଧ୍ୟ ଆନେକ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଜନିତ ରୋଗ ହୋଇଥାଏ ।
ଜଳବାୟୁ (ଇଂରାଜୀ ଭାଷାରେ Climate) କହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନକୁ ବୁଝାଏ । ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନକୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ । ବ୍ୟାପକ ଅର୍ଥରେ ସମୁଦ୍ର ଓ ପୃଥିବୀରେ ଥିବା ବରଫକୁ ଜଳବାୟୁ ମଣ୍ଡଳର (climate system) ଅଂଶ ଭାବରେ ହିସାବକୁ ନେଲେ ଯାହା ବୁଝାଏ ତାହାକୁ ଜଳବାୟୁ କୁହାଯାଏ । କୌଣସି ସ୍ଥାନର ଜଳବାୟୁ ତାହାର ଦ୍ରାଘିମା, ଇଲାକା (terrain), ଉଚ୍ଚତା (altitude), ଜଳ ଭଣ୍ଡାର (water bodies) ଓ ତାହାର ସ୍ରୋତ ଅନୁସାରେ ପ୍ରଭାବିତ ହୁଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ରଘୁନାଥ ମୁର୍ମୁ (୧୮ ମଇ ୧୯୦୫ – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) ମାସ କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣା ସଙ୍କ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ବିଲେଇ ଏକ ମାଂସା ହାରୀ ସ୍ତନପାୟୀ ପ୍ରାଣୀ ଅଟେ । ତାହାର ଶୁଣିବା ଓ ଶୁଙ୍ଘିବାର ଶକ୍ତି ପ୍ରଖର ଅଟେ ।ସେ କମ ଆଲୋକ ଏବଂ ଅନ୍ଧାର ରାତିରେ ମଧ୍ୟ ଦେଖିପାରେ । ପାଖାପାଖି ୯୫୦୦ବର୍ଷରୁ ବିଲେଇ ମନୁଷ୍ୟର ସାଥି ରୂପେ ରହିଛି । ପ୍ରାକୃତିକ ରୂପେ ସେମାନଙ୍କ ଜୀବନକାଳ ପାଖାପାଖି 15 ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।ବିଲେଇ ମାନଙ୍କ ଶକ୍ତିଶାଳୀ ଶରୀର ସହିତ ତୀକ୍ଷଣ ଦାନ୍ତ, ଚିଲ ଆଖି, ସଂକୁଚନ ଯୁକ୍ତ ପଞ୍ଝା ରହିଥାଏ । ମାନବର କାନ ପରି ବିଲେଇ ମଧ୍ୟ ଧୀର ଆବାଜକୁ ସହଜରେ ଶୁଣିପାରେ ଏବଂ ଘନ ଅନ୍ଧାରରେ ନିଜ ଶିକାରକୁ ଶିକାର କରିପାରେ । ସ୍ତନଧାରୀ ପ୍ରାଣୀ ମାନଙ୍କ ପରି ଏମାନଙ୍କ ରଙ୍ଗ ଦୃଷ୍ଟି ମନୁଷ୍ୟ ଠାରୁ ପ୍ରାୟ କମଜୋର ଅଟେ କିନ୍ତୁ ଶୁଙ୍ଘିବାର ଶକ୍ତି ଅଧିକ ରହିଥାଏ ।