ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ହରିହର କରଣ (୫ ମଇ ୧୯୪୭ - ୪ ଫେବୃଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ହରିହର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭, ୧୯୮୦, ୧୮୮୫, ୧୯୯୦, ୧୯୯୭ ଉପ ନିର୍ବାଚନ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2) ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ଵୀକୃତି ଲାଭ କରିଛି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ ( /ˈfɒniː/; ବଙ୍ଗଳା: ফণী) ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା । ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ ଏକ ଓଡ଼ିଆ ଧର୍ମ ସମ୍ବନ୍ଧିତ ବହି । ଏହା ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଦାସଙ୍କଦ୍ୱାରା ସଂକଳିତ ତଥା ଅଚ୍ୟୁତବାଣୀ ପ୍ରକାଶନୀ, କଟକରୁ ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ପଞ୍ଚସଖା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଯଶୋବନ୍ତ ଦାସଙ୍କ ସାହିତ୍ୟିକ ରଚନାବଳୀ, ସାରଳା ଦାସଙ୍କ ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ବାବଦରେ ବର୍ଣ୍ଣନା, ପଞ୍ଚସଖାଙ୍କ ସାଧନା, ଜୀବନ ଦର୍ଶନ, ସମାଜ ସଚେତନତା, ଶୂନ୍ୟବାଦୀ ଉପାସନ ଆଦି ଧାର୍ମିକ ବିଶ୍ୱାସ ଆଦିର ସମୀକ୍ଷାକୁ ନେଇ ଏହି ବହିଟି ରଚିତ । ଏଥିରେ ହରିବଂଶ ଓ ଓଡ଼ିଶାର ସାମାଜିକ ଭକ୍ତି ସଂଗଠନ, ପଞ୍ଚସଖା ସାହିତ୍ୟରେ ସଗୁଣ ଓ ନିର୍ଗୁଣର ସମନ୍ୱୟ, ଗୀତଗୋବିନ୍ଦ, ଅଚ୍ୟୁତାନନ୍ଦଙ୍କ ଜୀବନୀ, ଉତ୍କଳର ସନ୍ଥ ଓ ମାଳିକା ସାହିତ୍ୟ, ନାମ ଭଜନ ଆଦିର ସମୀକ୍ଷା, ଓ ପଞ୍ଚସଖାଙ୍କ ବିରଳ ରଚନାଗୁଡ଼ିକ ସମ୍ପର୍କରେ ସୂଚନା ସହ କିଛି ଲୋକପ୍ରିୟ ରଚନା ଏଥିରେ ସ୍ଥାନୀତ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ସାହାବଜାଦେ ଇରଫାନ ଅଲ୍ଲୀ ଖାନ ( ୭ ଜାନୁଆରୀ ୧୯୬୭ – ୨୯ ଅପ୍ରେଲ ୨୦୨୦) ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହିନ୍ଦୀ ବ୍ୟତିତ ସେ ବହୁ ବ୍ରିଟିଶ ଓ ଆମେରିକୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଭାରତର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ପରିଗଣିତ ଇରଫାନଙ୍କର ୩୦ବର୍ଷର ଅଭିନୟ ଜୀବନ ମଧ୍ୟରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଏସୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ୨୦୧୧ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଇରଫାନ ଏକ ଓଡ଼ିଆ ଚଳଚ୍ଚିତ୍ର ତାରାରେ ଅଭିନୟ ମଧ୍ୟ କରିଥିଲେ । ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।୧୯୮୮ ମସିହାରେ, 'ସଲାମ ବମ୍ବେ' ଚଳଚ୍ଚିତ୍ରରୁ ଇରଫାନ ନିଜର ଅଭିନୟ ଜୀବନ ଆରମ୍ବ କରିଥିଲେ । ତାପରେ କିଛି ବର୍ଷର ସଂଘର୍ଷ ପରେ, ସେ ୨୦୦୧ରେ ବ୍ରିଟିଶ ଚଳଚ୍ଚିତ୍ର 'ଦ ୱାରିୟର', ୨୦୦୩ରେ 'ହାସିଲ', ୨୦୦୪ରେ 'ମକବୁଲ', ୨୦୦୬ରେ 'ନେମସେକ', ୨୦୦୭ରେ 'ଲାଇଫ ଇନ ଏ ମେଟ୍ରୋ', ୨୦୧୧ରେ 'ପାନ ସିଂ ତୋମାର' , ୨୦୧୩ରେ 'ଲଞ୍ଚ ବକ୍ସ', ୨୦୧୫ରେ 'ପିକୁ' ଓ 'ତଲୱାର' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପାନ ସିଂ ତୋମାର ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ହଲିଉଡ଼ ଚଳଚ୍ଚିତ୍ର 'ଦ ଆମେଜିଂ ସ୍ପାଇଡ଼ର ମ୍ୟାନ ( ୨୦୧୨), 'ଲାଇଫ ଅଫ ପାଇ' (୨୦୧୨), 'ଜୁରାସିକ ୱାର୍ଲଡ଼' (୨୦୧୫), 'ଇନଫର୍ଣୋ ( ୨୦୧୬), 'ସଲ୍ମଡଗ ମିଲିନୟାର ( ୨୦୦୮), ନ୍ୟୁୟୋର୍କ ( ୨୦୦୯), ହୈଦର ( ୨୦୧୪), 'ଗୁଣ୍ଡେ' (୨୦୧୪) ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ 'ଇନ ଟ୍ରିଟମେଣ୍ଟ' (୨୦୧୦) ଆଦିରେ ସେ ଅଭିନୟ କରିଥିଲେ । '୨୦୧୭ର ଚଳଚ୍ଚିତ୍ର 'ହିନ୍ଦୀ ମିଡିୟମ' ତାଙ୍କର ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା ଚଳଚ୍ଚିତ୍ର ଥିଲା । ଏଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହାର ଦ୍ୱିତୀୟ ଭାଗ 'ଅଂରେଜୀ ମିଡିୟମ' ୨୦୨୦ରେ ତାଙ୍କ ମୃତ୍ୟୁର କିଛି ଦିନ ଆଗରୁ ମୁକ୍ତିଲାଭ କରିଥିଲା ।୨୦୧୭ ବର୍ଷ ସୁଦ୍ଧା, ତାଙ୍କର ସମସ୍ତ ଚଳଚ୍ଚିତ୍ର ମିଶି ସମୁଦାୟ ୩.୬ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ କରିସାରିଥିଲା । ୨୦୧୮ରେ ତାଙ୍କ ଶରୀରରେ ନ୍ୟୁର-ଏଣ୍ଡୋକ୍ରୀନ ଟ୍ୟୁମର ଦେଖା ଯାଇଥିଲା । ୨୦୨୦ ଅପ୍ରେଲ ୨୯ ତାରିଖରେ ସେ କଲୋନ ସଂକ୍ରମଣ ଯୋଗୁ ମୃତ୍ୟୁ ବରଣ କରିଥିଲେ । ଗାର୍ଡିୟନ ପତ୍ରିକାର ପିଟର ବ୍ରାଡ଼ସ ଇରଫାନଙ୍କୁ ହଲିଉଡ଼ ଓ ଦକ୍ଷିଣ ଏସୀୟ ଚଳଚ୍ଚିତ୍ରର ଯୋଗସୂତ୍ରକାରୀ ଭାବରେ ବର୍ଣ୍ଣନା କରିଥିଲେ
ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ରୁଦ୍ର ମାଧବ ରାୟ (୨୩ ନଭେମ୍ବର ୧୯୩୭ - ୩୧ ମଇ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରୁଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରୁଦ୍ର ମାଧବ ରାୟ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଯୁବରାଜ ସିଂହ (୧୨ ଡିସେମ୍ବର ୧୯୮୧ ଚଣ୍ଡୀଗଡ଼ର ଏକ ପଞ୍ଜାବୀ ଜାଠ ପରିବାରରେ ଜନ୍ମ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞ୍ଜାବୀ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ । ସେ ୨୦୦୭-୨୦୦୮ରେ ଭାରତୀୟ ଏକଦିବସୀୟ କ୍ରିକେଟ ଦଳର ଉପଅଧିନାୟକ ଥିଲେ । ସେ ନିଜର ଅଲରାଉଣ୍ଡ ପ୍ରଦର୍ଶନ (୩୬୨ ରନ୍ ଓ ୧୫ଟି ୱିକେଟ) ପାଇଁ ୨୦୧୧ ଏକଦିବସୀୟ କ୍ରିକେଟ ବିଶ୍ୱକପରେ ମ୍ୟାନ୍ ଅଫ୍ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ । ସେ ମଧ୍ୟ ଏହି ଟୁର୍ନାମେଣ୍ଟରେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ତାଙ୍କର ୨୦୦୭ ମସିହା ୨୦–୨୦ ବିଶ୍ୱକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରର ୬ଟିଯାକ ବଲରେ ୬ଟି ଛକା ମାରିବାର ରେକର୍ଡ ବି ରହିଛି ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ମହାଭାରତ ତଥା ଅନ୍ୟାନ୍ୟ ପୁରାଣ ଅନୁସାରେ ଶାନ୍ତନୁ ଥିଲେ ହସ୍ତିନାପୁରର ରାଜା, ଯେ କି ଭୀଷ୍ମ ବା ଦେବବ୍ରତଙ୍କ ପିତା ତଥା କୁରୁ ପାଣ୍ଡବ ମାନଂକ ପ୍ରପିତାମହ ଥିଲେ । ସେ ଭରତ ଗୋତ୍ର ତଥା ଚନ୍ଦ୍ର ବଂଶଜ ଥିଲେ । ସେ ତାଙ୍କ ପଇତା ରାଜା ପ୍ରତୀପଂକ ତୃତୀୟ ପୁତ୍ର ଥିଲେ । ଶାନ୍ତନୁଙ୍କ ପ୍ରଥମ ଅଗ୍ରଜ ଦେବାପି କୁଷ୍ଠ ରୋଗାକ୍ରାଂତ ହୋଇ ରାଜ୍ୟ ଉତ୍ତରାଧିକାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ । ମଧ୍ୟମ ଅଗ୍ରଜ ବହ୍ଲୀକ ପିତୃ ଦେଶ ତ୍ୟାଗ କରି ମାତୁଳ ଦେଶ ବଲ୍ଖର ରାଜା ହୋଇଥିଲେ । ତେଣୁ ଶାନ୍ତନୁ ହସ୍ତିନାପୁର ରାଜତ୍ୱ ପ୍ରାପ୍ତ ହୋଇଥିଲେ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀର ନିକଟତମ କକ୍ଷପଥରେ ଥିବା ବାସଯୋଗ୍ୟ ଏକ କୃତ୍ରିମ ଉପଗ୍ରହ ବା ମହାକାଶ ଯାନ। ପୃଥିବୀ କକ୍ଷପଥରେ ଥିବା ସମସ୍ତ ମନୁଷ୍ୟକୃତ ପଦାର୍ଥ ମଧ୍ୟରେ ଏହା ବୃହତ୍ତମ ଅଟେ। ପୃଥିବୀର ନିକଟତମ କକ୍ଷପଥରେ ଥିବାରୁ ଏହା ପ୍ରାୟତଃ ପୃଥିବୀପୃଷ୍ଠରୁ ଖାଲି ଆଖିରେ ଦେଖାଯାଇଥାଏ। ଏହି ମହାକାଶ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକା,ରୁଷିଆ,ଜାପାନ,ୟୁରୋପ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟମ।
ନ୍ୟାସନାଲ ଜିଓଗ୍ରାଫିକ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ "ନ୍ୟାସନାଲ ଜିଓଗ୍ରାଫିକ ସୋସାଇଟି"ଦ୍ୱାରା ପ୍ରକାଶିତ ହେଉଥିବା ଏକ ମାସିକ ପତ୍ରିକା । ଏହା ଖ୍ରୀଷ୍ଟାବ୍ଦ ୧୮୮୮ ମସିହାରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆସୁଅଛି । ଯଦିଓ ଏହାର ନାମରେ ଭୂଗୋଳ ଶବ୍ଦ ଅଛି, ଏହା କେବଳ ଭୂଗୋଳ ବିଷୟରେ ନୁହଁ । ଏଥିରେ ଭୂଗୋଳ ସହ, ବିଜ୍ଞାନ, ଇତିହାସ, ପ୍ରକୃତି, ସଂସ୍କୃତି ବିଷୟରେ ମଧ୍ୟ ଲେଖା ବାହାରିଥାଏ ।