ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ରାଜେନ୍ଦ୍ର କୁମାର ଛତ୍ରିଆ (ଜନ୍ମ: ୫ ମଇ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରାଜେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗଣେଶଙ୍କ ପତ୍ନୀ ଓ ଗଣେଶଙ୍କ ବୈବାହିକ ସ୍ଥିତି ବିଷୟ ବିଭିନ୍ନ ପୌରାଣିକ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଥାଏ ଓ ଏହା ପଣ୍ଡିତମାନଙ୍କର ସମୀକ୍ଷାକୁ ଖୋରାକ ଯୋଗାଏ । ତାଙ୍କର ଭିନ୍ନ ଭିନ୍ନ ପତ୍ନୀ ବିଷୟରେ ଲେଖାଥାଏ । ଏକ ପୌରାଣିକ ଗାଥାରେ ସେ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି । ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି । ଅନ୍ୟ ଏକ ବୃତ୍ତାନ୍ତରେ କଳା ଓ ସଂସ୍କୃତିର ଦେବୀ ସରସ୍ୱତୀଙ୍କ ସହିତ ତାଙ୍କୁ ସଂଯୁକ୍ତ କରାଯାଇଛି । ବେଙ୍ଗଲରେ ତାଙ୍କୁ କଦଳୀ ବୃକ୍ଷ ସହିତ ଯୋଗସୂତ୍ର ଥିବା କୁହାଯାଏ । ସାଧାରଣତଃ ତାଙ୍କର ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ । ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ଦର୍ଶାଯାଏ ।
ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଇଂରାଜୀ ଭାଷାରେ ଏଡିଏଚଡି ବା ADHD) ମାନସିକ ବେମାରୀ ଯେଉଁଥିରେ ସ୍ନାୟୁ ବିକାଶରେ (neurodevelopmental) ତୃଟି ଥାଏ । ଏହି ରୋଗରେ ଧ୍ୟାନ ସମସ୍ୟା ହୁଏ, ଅତି ସକ୍ରିୟତା ଦେଖାଯାଏ ଓ ଯେପରି ବୟସାନୁଯାୟୀ ବ୍ୟବହାର ନିୟନ୍ତ୍ରଣ ହେବା କଥା ତାହା ହୋଇପାରେ ନାହିଁ । ଏହି ଲକ୍ଷଣ ଗୁଡ଼ିକ ୬ରୁ ୧୨ ବର୍ଷ ବୟସରେ ବାହାରେ, ୬ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ଥାଏ ସ୍କୁଲ, ଘର ବା ଆମୋଦ ପ୍ରମୋଦ ମଧ୍ୟରୁ ଯେ କୌଣସି ଦୁଇଟରେ ସମସ୍ୟା ଦେଖାଯାଏ । ଧ୍ୟାନ ଅଭାବରୁ ସ୍କୁଲରେ ଭଲ ପ୍ରଦର୍ଶନ ହୋଇପାରେ ନାହିଁ । ଆଧୁନିକ ସୋସାଇଟିରେ ଅସୁବିଧା ହେଲେ ମଧ୍ୟ ରୋଚକ ବିଷୟରେ ଭଲ ଧ୍ୟାନ ରହେ । ପିଲା ଓ କିଶୋରମାନଙ୍କର ଏହି ରୋଗ ଉପରେ ଅନେକ ଅନୁଧ୍ୟନ ହେଲେ ମଧ୍ୟ ଅଧିକାଂଶ କେଶ୍ରେ ଏହାର କାରଣ ଅଜଣା ହୋଇ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ଏହା ସନ ୨୦୧୩ରେ ୩୯ ନିୟୁତ ଲୋକଙ୍କୁ ଆକ୍ରମଣ କରିଥିଲା । ଡିଏସ୍ଏମ୍- ଆଇଭି (DSM-IV) ମାନଦଣ୍ଡ ଅନୁସାରେ ଏହା ପ୍ରାୟ ୫–୭% ପିଲାଙ୍କୁ ଆକ୍ରମଣ କରେ । ଓ ଆଇସିଡି-୧୦ (ICD-10) ମାନଦଣ୍ଡ ଅନୁସାରେ ପ୍ରାୟ ୧ରୁ ୨% ପିଲାଙ୍କୁ ଆକ୍ରମଣ କରେ । ଏହି ରୋଗ ହାର ସବୁ ଦେଶରେ ପ୍ରାୟ ସମାନ ଥାଏ, ନିର୍ଭର କରେ କେବଳ ନିର୍ଣ୍ଣୟ ପଦ୍ଧତି ଉପରେ । ଏହି ରୋଗ ଝିଅଙ୍କ ଅପେକ୍ଷା ପୁଅମାନଙ୍କଠାରେ ୩ଗୁଣ ଅଧିକ ହୁଏ । ପିଲାବେଳେ ଏହି ରୋଗ ନିର୍ଣ୍ଣୟ ହୋଇଥିବା ୩୦ରୁ ୫୦% ପିଲାଙ୍କର ଏହା ବୟଃପ୍ରାପ୍ତ ହେବା ପର୍ଯ୍ୟନ୍ତ ରହେ ଓ ପ୍ରାୟ ବଡ଼ ହେବା ପରେ ୨ରୁ ୫% ଏଭଳି ଲୋକଙ୍କର ରୋଗ ଥାଏ । ଏହି ସଦୃଶ ଅନ୍ୟାନ୍ୟ ରୋଗ ବା ସାଧାରଣ ସକ୍ରିୟତାର ଉପର ସ୍ତରରେ ଥିବା ପିଲାଙ୍କଠାରୁ ଏହାକୁ ଅଲଗା ଭାବେ ନିର୍ଣ୍ଣୟ କରିବା ଅତି କଷ୍ଟସାଧ୍ୟ ।ଦେଶ ଅନୁସାରେ ଏଡିଏଚଡି ଚିକିତ୍ସାରେ ପରିବର୍ତ୍ତନ ହୁଏ ଓ ସାଧାରଣତଃ ସାଇକୋଥେରାପି, ଜୀବନ ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧ ମାନଙ୍କ ସାହାଯ୍ୟରେ ଚିକିତ୍ସା କରାଯାଏ । ବ୍ରିଟିଶ୍ ମାର୍ଗଦର୍ଶନ ଅନୁସାରେ ସାଂଘାତିକ ରୋଗ ଥିଲେ ବା ମଧ୍ୟମ ଧରଣର ରୋଗ ଥିଲେ ମଧ୍ୟ ଉପଦେଶ ଅନୁସାରେ କିଛି ଉନ୍ନତି ପରିଲକ୍ଷିତ ନ ହେଉଥିଲେ ପ୍ରଥମ ଧାଡ଼ି ଚିକିତ୍ସା ଅନୁସାରେ ପ୍ରଥମେ ଔଷଧ ଦିଆଯାଏ । କାନାଡ଼ା ଓ ଆମେରିକା ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ବୟସର ପିଲାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଔଷଧ ଓ ବ୍ୟବହାରିକ ଥେରାପି ଦିଆଯାଏ । ଏହି ଦୁଇ ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ପିଲାଙ୍କୁ ଉତ୍ତେଜକ ଥେରାପି ଦେବାକୁ ସୁପାରିସ କରାଯାଏ ନାହିଁ । ୧୪ ମାସ ପର୍ଯ୍ୟନ୍ତ ଉତ୍ତେଜକ ଚିକିତ୍ସା ପ୍ରଭାବଶାଳୀ ହୁଏ କିନ୍ତୁ ଦୀର୍ଘକାଳୀନ ଚିକିତ୍ସାର ଫଳ ଜଣାଯାଇ ନାହିଁ । କିଶୋର ଓ ଯୁବାବସ୍ଥା ଲୋକ ଅବସ୍ଥାର ମୁକାବିଲା ଶକ୍ତି ଆସିଯାଇଥିବାରୁ କେତେକ ଅଭାବ ପୂରଣ ହୋଇଯାଏ । ଊନବିଂଶ ଶତାବ୍ଦୀଠାରୁ ଏହି ରୋଗର ଲକ୍ଷଣ ସବୁ ଡାକ୍ତରୀ ଶାସ୍ତ୍ରରେ ଲିପିବଦ୍ଧ ହୋଇଆସିଛି । ଏହି ରୋଗର ଚିକିତ୍ସା ଓ ନିର୍ଣ୍ଣୟ ସନ ୧୯୭୦ରୁ ବିବାଦ ଘେରରେ ଅଛି । ଏହି ଘରରେ ଚିକିତ୍ସକ, ଶିକ୍ଷକ, ନୀତି ନିର୍ଦ୍ଧାରକ, ପିତାମାତା ଓ ମିଡିଆ ଅଛନ୍ତି । ଏହାର ବିବାଦ ଘେରରେ ଉତ୍ତେଜକ ଔଷଧ ଓ କାରଣ ଅଛି । ଅଧିକାଂଶ ଚିକିତ୍ସକ ଏହି ରୋଗକୁ ଏକ ବାସ୍ତବିକ ବେମାରୀ ଭାବରେ ବିବେଚନା କରନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାର ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତି ଉପରେ ବିବାଦ ସୃଷ୍ଟି କରନ୍ତି । ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଏହି ରୋଗକୁ ଅତିସକ୍ରିୟତା ବିକାର ନାମ ଦିଆଯାଇଥିଲା କିନ୍ତୁ ଏହା ପୂର୍ବରୁ ଏହାର ନାମ ହାଇପର କାଇନେଟିକ ରିଆକସନ ଅଫ ଚାଇଲ୍ଡହୁଡ୍ ଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ପଇତା ହେଉଛି ଭାରତୀୟ ହିନ୍ଦୁ ସଂସ୍କୃତିରେ ଧାରଣ କରାଯାଉଥିବା ଏକ ପବିତ୍ର ସୂତ୍ର । ଏହାକୁ ସାଧାରଣତଃ ହିନ୍ଦୁ ବ୍ରାହ୍ମଣମାନେ ଧାରଣ କରିଥାନ୍ତି । ଏହି ପଇତା ବା ଯଜ୍ଞୋପବିତକୁ ଧାରଣ କରିବା ପାଇଁ ବ୍ରତୋପନୟନ ନାମକ ଏକ ସଂସ୍କାରର ଆୟୋଜନ କରାଯାଏ । ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନଙ୍କ ପଇତା ଛଣରେ ଓ ବୈଶ୍ୟମାନଙ୍କ ପଇତା ପଶମରେ ତିଆରି ହୋଇଥାଏ ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ । ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ । ଶ୍ରୀମନ୍ଦିର ସ୍ୱତ୍ୱଲିପି (୨ୟ ଭାଗ)ରେ ଏହି ମନ୍ଦିରର ନାମ କାଞ୍ଚି ଗଣେଶଙ୍କର ମନ୍ଦିର ବୋଲି ଉଲ୍ଲେଖ ଅଛି । ଭିତର ବେଢ଼ା ପ୍ଳଟ୍ ନଂ ୬୫ରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଥିବା ଗଣେଶଙ୍କୁ ଭଣ୍ଡ ଗଣେଶ କୁହାଯାଏ । ଏହି ଗଣେଶ ବିଗ୍ରହ କାଞ୍ଚି ଶିଳ୍ପକଳାର ଏକ ନିଦର୍ଶନ । ଶ୍ରୀମନ୍ଦିରର ଜଣେ ପ୍ରଧାନ ସେବକ ଭିତରଛ ମହାପାତ୍ର ହେଉଛନ୍ତି ଏହାର ମାରଫତ୍ଦାର ଓ ସେବକ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବ୍ରତ ଶବ୍ଦ ସଂସ୍କୃତ ‘ବୃ’ ଧାତୁରୁ ନିଷ୍ପନ୍ନ । ଏହାର ଅର୍ଥ ବରଣ କରିବା, ପ୍ରାର୍ଥନା କରିବା । ସ୍ୱର୍ଗ ସୁଖ, ଧନାଦି କାମନାରେ ନିୟମିତ ବା ସଂପଳ୍ପିତ ଧର୍ମାନୁଷ୍ଠାନ ବା ଉପବାସାଦିକୁ ବ୍ରତ ବୋଲି ଅଭିଧାନମାନଙ୍କରେ ଉଲ୍ଲେଖ କରାଯାଇଛି । କାମନା ପୂରଣ ଉଦ୍ଦେଶ୍ୟରେ ଆଚରଣ ଏବଂ ଖାଦ୍ୟପେୟରେ ଶୁଦ୍ଧ ଏବଂ ସଂଯତ ରହି ନିର୍ଦ୍ଦିଷ୍ଟ ତିଥି, ବାର, ଯୋଗ, ସପ୍ତାହ, ମାସ ବା ସମୟରେ କୌଣସି ଦେବୀଙ୍କର ସନ୍ତୋଷ ବିଧାନ ବା ଆନୁକୂଲ୍ୟ ଲାଭ ପାଇଁ ସଂକଳ୍ପବଦ୍ଧ ହୋଇ ନିର୍ଦ୍ଧାରିତ ନିୟମ ଅନୁସାରେ ସମ୍ପାଦିତ ଏକ ପ୍ରକାରର ଧର୍ମକୃତ୍ୟକୁ ବ୍ରତ କୁହାଯାଏ । ବ୍ରତ ପାଳନରେ ନିରାହାର ରହିବା ଅପରିହାର୍ଯ୍ୟ ନୁହେଁ । କେତେକ ବ୍ରତରେ ଲଘୁ ଓ ଯଜ୍ଞ ଉପଯୋଗୀ ଖାଦ୍ୟ ଗ୍ରହଣର ବିଧି ଉଲ୍ଲେଖ ଅଛି । ବ୍ରତ ଗୁଡ଼ିକ ସାଧାରଣତଃ ସ୍ମୃତି ବା ଧର୍ମଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ପାଳିତ ହୁଏ । ଏଥିରେ ସଂକଳ୍ପ, ଇଷ୍ଟପୂଜା ଓ କଥା ଶ୍ରବଣ ଅନିବାର୍ଯ୍ୟ ଅଙ୍ଗ ଭାବରେ ଥାଏ । ଏହା ପୁରୁଷ ଓ ସ୍ତ୍ରୀ ଉଭୟ ପାଳନ କରିପାରିବେ ।
ଢଗ ଢମାଳି (ଅଞ୍ଚଳ ବିଶେଷରେ ଢେଗ ଓ ସମ୍ବଲପୁରୀରେ ଢେଙ୍ଗ, ଢେଙ୍ଗା ଓ ଢଗ ବୋଲି ମଧ୍ୟ ଜଣା) ଓଡ଼ିଆରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା ପଦ୍ୟରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ । ଢଗ ଢମାଳିକୁ ଲିପିବଦ୍ଧ କରିବାରେ ଗୋପାଳ ପ୍ରହରାଜ ପ୍ରଥମ ବୋଲି ରାଧାରମଣ ପଣ୍ଡା ପ୍ରହରାଜ ପରିକ୍ରମାରେ ଉଲ୍ଲେଖ କରିଥିଲେ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
କନ୍ନାଟ ପ୍ଲେସ (कनॉट प्लेस) ଭାରତୀୟ ରାଜଧାନୀ ମହାନଗରର ଏକ ବୃହତ୍ତମ ଆର୍ଥିକ , ବାଣିଜ୍ୟିକ କେନ୍ଦ୍ର । ଏହାକୁ CP କୁହାଯାଇଥାଏ ଓ ଏଠାରେ ଅନେକ ବିଖ୍ୟାତ ଭାରତୀୟ ସଂସ୍ଥାନ ମାନଙ୍କ ମୁଖ୍ୟାଳୟ ରହିଛି ।ନୂଆ ଦିଲ୍ଲୀର ଏହି ମୁଖ୍ୟ ବାଣିଜ୍ୟ ଅଞ୍ଚଳ ବ୍ରିଟିଶ ସମୟରେ ମଧ୍ୟ ଦିଲ୍ଲୀ ସହରର ଗର୍ବର ସ୍ଥାନ ଅଧିକାର କରିଥିଲା ଓ ଏଠାରେ ଅନେକ ଐତିହ ମୂଳକ ସ୍ଥାପତ୍ୟ ରହିଛି । ଏହା " lutyen's ଦିଲ୍ଲୀ" ନାମରେ ଖ୍ୟାତ ଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପାର୍ବତୀ ହିନ୍ଦୁ ଦେବୀ ଭାବରେ ପୁଜ୍ୟ।ମହାଦେବ ଶିବଙ୍କ ସ୍ତ୍ରୀ ଓ ମହାଦେବୀ ଭାବରେ ପ୍ରଖ୍ୟାତ । ପାର୍ବତୀଙ୍କ ମାତାଙ୍କ ନାମ ମେନକା । ସେ ହିମାଳୟଙ୍କ ପୁତ୍ରି ଓ ଗଣେଶ ଓ କାର୍ତ୍ତିକେୟଙ୍କ ମାତା । ଉମା, ଗୌରୀ, ଅମ୍ବିକା, ଭବାନୀ ନାମରେ ମଧ୍ୟ ସେ ପୂଜାପାଇଥାନ୍ତି । ପାର୍ବତୀଙ୍କ ଜନ୍ମ ହେଇଥିବା ଶୁଣି ଦେବର୍ଷି ନାରଦ ହିମାଳୟଙ୍କ ଘରକୁ ଆସିଥିଲେ । ହିମାଳୟ ପଚାରିବାରୁନାରଦ ହିମାଳୟଙ୍କୁ ପାର୍ବତୀଙ୍କ ବିଷୟରେ କହିଥିଲେ ଯେ,ଆପଣଙ୍କ କନ୍ୟା ସର୍ବ ସୁଲକ୍ଷଣା ଓ ତାଙ୍କର ବିବାହ ଭଗବାନ ଶିବଙ୍କ ସହ ହେବ । କିନ୍ତୁ ମହାଦେବଙ୍କୁ ପତି ରୂପରେ ପାଇବାକୁ ତୁମ ପୁତ୍ରିଙ୍କୁ ଘୋର ତପସ୍ୟା କରିବାକୁ ପଡ଼ିବ।
ଲାଟିନ ଭାଷା (; Latin: [lingua latīna] ; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ମହମ୍ମଦ ଅଲ୍ଲୀ ଜିନ୍ନା (ଜନ୍ମ: ୨୫ ଡିସେମ୍ବର ୧୮୭୬, ମୃତ୍ୟୁ: ୧୧ ସେପ୍ଟେମ୍ବର ୧୯୪୮) ବିଂଶ ଶତାବ୍ଦୀର ଏକ ପ୍ରମୁଖ ରାଜନୀତିଜ୍ଞ, ଏକ ଆଇନଜୀବି ତଥା ପାକିସ୍ଥାନର ପ୍ରତିଷ୍ଠାତା ଭାବେ ସେ ପରିଚିତ । ସେ ପ୍ରାକ ସ୍ୱାଧୀନତା ସମୟରେ ମୁସଲିମ ଲିଗର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ନବ ନିର୍ମିତ ପାକିସ୍ଥାନର ପ୍ରଥମ ଗଭର୍ଣର ଜେନେରାଲ ଭାବେ ଦାୟୀତ୍ୱ ନେଲେ । ପାକିସ୍ଥାନରେ ସେ ଜଣେ ମହାନ ନେତା ତଥା ପାକିସ୍ଥାନର ରାଷ୍ଟ୍ର ପିତା ରୂପେ ମଧ୍ୟ ସମ୍ମାନିତ ।
ଘୂର୍ଣ୍ଣିବାତ୍ୟା, ପ୍ରତିଶବ୍ଦ ଘୂର୍ଣ୍ଣିବାତ, ଘୂର୍ଣ୍ଣିବାୟୁ, ଝଟିକାବର୍ତ୍ତ, ବାତାବର୍ତ୍ତ, ଚକ୍ରବାତ୍ୟା ବା ଖଣ୍ଡିଆଭୂତ (ଇଂରାଜୀ ଭାଷାର ମେଟିଓରୋଲୋଜି (meteorology) ଅନୁସାରେ cyclone) ଏକ ବିରାଟ ଧରଣର ବାୟୁ ପିଣ୍ଡ (air mass) ଯାହା ଶକ୍ତିଶାଳୀ କେନ୍ଦ୍ରୀୟ ବାୟୁମଣ୍ଡଳୀୟ ନିମ୍ନ (atmospheric pressure) ଚାପ ଚତୁର୍ଦ୍ଦିଗରେ ଘୂରିବୁଲେ । ଘୂର୍ଣ୍ଣିବାତ୍ୟାରେ ଏକ ନିମ୍ନଚାପ (low pressure) ବିଶିଷ୍ଟ କ୍ଷେତ୍ର ଚାରିପାଖରେ ଅନ୍ତଃଗାମୀ କୁଣ୍ଡଳାକାର ପବନ (wind) ଘୂରିବୁଲେ । ସବୁଠାରୁ ବଡ଼ ନିମ୍ନ-ଚାପ ସିସ୍ଟମକୁ ପୋଲାର ଭର୍ଟେକ୍ସ (polar vortices) ଓ ସବୁଠାରୁ ବଡ଼ ସିନୋପ୍ଟିକ ସ୍କେଲକୁ synoptic scale) ଏକ୍ସଟ୍ରାଟ୍ରପିକାଲ ଘୂର୍ଣ୍ଣିବାତ୍ୟା (extratropical cyclone) କୁହାଯାଏ । ମେସୋସାଇକ୍ଲୋନ (Mesocyclone), ଟର୍ନାଡୋ (tornado) ଓ ଡସ୍ଟ ଡେଭିଲ (dust devil) ଗୁଡ଼ିକ ମେସୋସ୍କେଲ ଅନ୍ତର୍ଭୁକ୍ତ ରହେ । ମଙ୍ଗଳ, ବୃହସ୍ପତି ଓ ନେପଚୁନ ଭଳି ଗ୍ରହମାନଙ୍କରେ ମଧ୍ୟ ଘୂର୍ଣ୍ଣିବାତ୍ୟା ହୁଏ । ଏହି ଘୁର୍ଣ୍ଣିବାତ୍ୟା ପ୍ରସ୍ତୁତି ଓ ଉତ୍କଟ ହେବାର ପ୍ରଣାଳୀକୁ ସାଇକ୍ଲୋଜେନେସିସ (Cyclogenesis) କୁହାଯାଏ । ବିଭିନ୍ନ ଜୋନ ସଙ୍କୁଚିତ ହୋଇ ଏକ ସମ୍ମୁଖଭାଗ (weather front) ପ୍ରସ୍ତୁତ ହୁଏ । ଏହାପରେ ଏକ୍ସଟ୍ରାଟ୍ରପିକାଲ ସାଇକ୍ଲୋନର ଥଣ୍ଡା ପବନ ପିଣ୍ଡ ଉଷୁମ ବାତ୍ୟା ଜୀବନଚକ୍ର ବନ୍ଦ ହୋଇ ଘନତ୍ୱ ବୃଦ୍ଧିପ୍ରାପ୍ତ ହୁଏ ।
ପାଣୁ ଚନ୍ଦ୍ର ନାଏକ (୨୩ ଜୁଲାଇ ୧୯୪୯ - ୩୦ ଡିସେମ୍ବର ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପାଣୁ ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବିନୋଦ ଚନ୍ଦ୍ର ନାୟକ(୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩ ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଉଦ୍ୟମ ସଂସାଧନ ଯୋଜନା (ଇଆର୍ପି)
ଉଦ୍ୟମ ସଂସାଧନ ଯୋଜନା – ଇଆର୍ପି (ଈଂରାଜୀରେ Enterprise resource planning - ERP) ହେଉଛି ପ୍ରଯୁକ୍ତି ବିଦ୍ୟା ବା କୌଣସି ସଫ୍ଟୱେର୍ ସହାୟତାରେ ଏକ ଉଦ୍ୟୋଗ, ସଂସ୍ଥାନ (ଅବା କମ୍ପାନୀ)ର ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରକ୍ରିୟାର ପରିଚାଳନା କରିବା । ବ୍ୟବସାୟରେ ଦୈନନ୍ଦିନ ଜୀବନର ଲେଖା ଓ କାର୍ଯ୍ୟକଳାପର ଏକ ଚିତ୍ର ସାଧାରଣତଃ ଏହି ଇଆର୍ପି ସଫ୍ଟୱେର୍ ବା ବ୍ୟବସ୍ଥା (ଈଂରାଜୀରେ System) ମଧ୍ୟରେ ପ୍ରସ୍ଫୁଟିତ ଓ ଗଚ୍ଛିତ ହେଉଥାଏ ।
'ରବୀନ୍ଦ୍ରନାଥ ଠାକୁର ' ( (listen); ଛାଞ୍ଚ:IPA-bn), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରଣା ଲାଭ କରିଥିଲା । ଗୋଟେ ପିରାଲୀ ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଜେସର ସହର ସହ ସମ୍ପର୍କିତ, ସେ ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ, ସେ ଭାନୁସିଂହ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ । ସେହି କବିତାଗୁଡିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା । ଅନୁବାଦରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା ।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରି ଥିଲେ । ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ । ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତର ସ୍ୱଧୀନ ପାଇଁ ଓକିଲାତି କରୁଥିଲେ । ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ , ୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା, ଇଚ୍ଛାପତ୍ର ସାମିଲ ଥିଲା, ତାଙ୍କଦ୍ୱାରା ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
ଘିକୁଆଁରୀ ( ଅଥବା ) ଏକ ସରସ ଉଦ୍ଭିଦ ଶ୍ରେଣୀ । ପ୍ରଥମ ଶତାବ୍ଦୀରୁ ଏହି ଶ୍ରେଣୀର ଉଦ୍ଭିଦଟି ଭେଷଜ ଔଷଧ ତିଆରିରେ ଲାଗେ ବୋଲି ବାରମ୍ବାର ଲେଖାରେ ଦେଖିବାକୁ ମିଳିଥାଏ । ଘିକୁଆଁରୀରୁ ବାହାରୁଥିବା ରସ ଆଦି ଏହାର ପୁନର୍ଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ନାମରେ ଲୋକଙ୍କୁ ବତାଇ ବିଭିନ୍ନ ଅଙ୍ଗରାଗ ଓ ବିକଳ୍ପ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ତେବେ ମିଳିଥିବା ପ୍ରମାଣ ଅନୁସାରେ ଘିକୁଆଁରୀର ଉତ୍ପାଦରେ କୌଣସି ରୋଗନାଶକାରୀ ଓ ଅଙ୍ଗରାଗକାରୀ ଗୁଣ ଥିବା ବାରମ୍ବାର ପରୀକ୍ଷାରେ ଓଲଟା ଫଳ ଦେଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ବାଘ ବା ବ୍ୟାଘ୍ର (ଈଂରାଜୀରେ Tiger, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ (ଈଂରାଜୀରେ Christmas, ଉଚ୍ଚାରଣ – କ୍ରିସ୍ମସ୍) ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍ଧାମ୍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।ବାଇବେଲ୍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ । ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ (angels) ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା । ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ବର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି । କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ର ଡିସେମ୍ବର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ । ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି । ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ।ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି । ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା "ସାଣ୍ଟା କ୍ଲସ୍" (ଈଂରାଜୀରେ Santa Claus) ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ । ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ନିମାଇଁ ଚରଣ ହରିଚନ୍ଦନ (୧୯୦୧-୧୯୮୩) ହେଉଛନ୍ତି ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା : ଓଡ଼ିଶୀ ବା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଜଣାଣ, ଭଜନ, ପୋଈ ; ଅନ୍ୟାନ୍ୟ ପାରମ୍ପରିକ ସଙ୍ଗୀତ ଯଥା ରାମଲୀଲା (ବିଶିଖୁଣ୍ଟିଆ, ସଦାଶିବ ବୈଶ୍ୟ, କେଶବ ପଟ୍ଟନାୟକ ଆଦି ବିବିଧ କବିଙ୍କ ରାମଲୀଳା), କୃଷ୍ଣଲୀଳା ; ପଲ୍ଲୀଗୀତ ଆଦି ଗାୟନରେ ପ୍ରବୀଣ ଥିଲେ । ପ୍ରାଚୀନ ସାହିତ୍ୟର ସୁପରିଚିତ ରଚନା, ଯଥା ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି, ବିଚିତ୍ର ରାମାୟଣ, ମଥୁରାମଙ୍ଗଳ, ଗୋପୀଭାଷା, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଇତ୍ୟାଦି ପ୍ରାୟ ସମସ୍ତ କାବ୍ୟକୃତିରୁ ଗୀତ ତାଙ୍କ କଣ୍ଠରେ ରେକର୍ଡ଼ ହୋଇଛି । ଏହା ଛଡ଼ା ସେ ଅନେକ ନୀତିଶିକ୍ଷା ଓ ସରକାରୀ ଉଦ୍ଦେଶ୍ୟରେ ଜନ ସଚେତନତା ଗୀତ ମଧ୍ୟ ଗାଇଛନ୍ତି ।
ଷଠି ଓଷା (ଷଠୀ ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
ଧୂଳିଆ ବୋଡ଼ା (ଇଂରାଜୀରେ Echis ବା saw-scaled vipers ବା carpet vipers) ଭାଇପରିନାଏ ପରିବାରର ଏକ ବିଷାକ୍ତ ସାପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକାର ଶୁଷ୍କ ଅଞ୍ଚଳରେ ଏହି ସାପ ଦେଖାଯାନ୍ତି । ଶତ୍ରୁକୁ ଡରାଇବା ପାଇଁ ଏହି ସାପ ନିଜ ଦେହର କାତିକୁ ପରସ୍ପର ସହିତ ଘଷି ଏକ ଶବ୍ଦ ସୃଷ୍ଟି କରେ ଯାହା ଏହାର ସ୍ୱାତନ୍ତ୍ର୍ୟ । ଏହି ସାପର ଇଂରାଜୀ ନାମ ଏକିସ୍ (Echis) ଗ୍ରୀକ୍ ଭାଷାରେ ବୋଡ଼ା ସାପ ପାଇଁ ବ୍ୟବହୃତ ଶବ୍ଦ ἔχιςର ଲାଟିନ୍ ରୂପରୁ ଗୃହୀତ । ସାଧାରଣତଃ ଏହି ସାପକୁ ଇଂରାଜୀ ଭାଷାରେ "ସ-ସ୍କେଲ୍ଡ୍ ଭାଇପର୍ (saw-scaled vipers)" ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ହେଉଥିବା ସାପ କାମୁଡ଼ା ଓ ମୃତ୍ୟୁ ଘଟଣାମାନଙ୍କରେ ଧୂଳିଆ ବୋଡ଼ା ଏକ ବଡ଼ ଅଂଶୀଦାର । ଧୂଳିଆ ବୋଡ଼ା ପରିବାରର ୧୨ଟି ପ୍ରଜାତି ଅଦ୍ୟାବଧି ଚିହ୍ନଟ ହୋଇଛି ।
ବାସ୍ତୁ ଶାସ୍ତ୍ର ଏକ ପାରମ୍ପରିକ ହିନ୍ଦୁ ବ୍ୟବସ୍ଥା ଅଟେ ଯାହା ଶାବ୍ଦିକ ରୂପରେ ବସ୍ତୁକଳାର ବିଜ୍ଞାନର ଅନୁବାଦ କରିଥାଏ । ଏହା ଭାରତୀୟ ଉପ ମହାଦ୍ୱୀପରେ ପାଇଥିବା ଗ୍ରନ୍ଥ ଅଟେ ଯାହା ଡିଜାଇନ, ଲେଆଉଟ, ମାପ, ଜମିର ପ୍ରସ୍ତୁତି, ଅନ୍ତରୀକ୍ଷ ବ୍ୟବସ୍ଥା ଏବଂ ସ୍ଥାନୀୟ ଜ୍ୟାମିତିର ସିଦ୍ଧାନ୍ତର ବର୍ଣ୍ଣନା କରିଥାଏ । ବାସ୍ତୁ ଶାସ୍ତ୍ରରେ ପାରମ୍ପରିକ ହିନ୍ଦୁ ସାମିଲ ଥାନ୍ତି ଏବଂ କିଛି ମାମଲାରେ ବୌଦ୍ଧ ବିଶ୍ୱାସର ଆବଶ୍ୟକତା, ଡିଯାଇନର ଉଦେଶ୍ୟ ପ୍ରକୃତି ସହିତ ବାସ୍ତୁକଳା, ସାରଞ୍ଚନାର ବିଭିନ୍ନ ଅଂଶର ପାରିବାରିକ କାର୍ଯ୍ୟ ଏବଂ ଜ୍ୟାମିତୀୟ ଯନ୍ତ୍ରର ଉପଯୋଗ କରୁଥିବା ପ୍ରାଚୀନ ମାନ୍ୟତା, ସମମିତି ଏବଂ ଦେଶାତ୍ମକ ସଂଗ୍ରକ୍ଷଣ ସାମିଲ ହୋଇଥାଏ ।
ଅସୀମା ପଣ୍ଡା ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାଆନ୍ତି । ଅସୀମା ଓଡ଼ିଆ ଆଲବମ୍, ଭଜନ ଓ କଥାଚିତ୍ର ଜଗତରେ ଜଣେ ଜଣାଶୁଣା ଗାୟିକା । ଅସୀମା ପଣ୍ଡା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ହରି ଓମ୍ ହରିରେ ସେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ପାଇଁ ଗୀତ ଗାଇଥିଲେ ଏବଂ ଏହାପରେ ଗଞ୍ଜା ଲଢ଼େଇ, ୱାନ୍ ୱେ ଟ୍ରାଫିକ୍, ଗଞ୍ଜା ଲଢ଼େଇ, ଆଶିକ୍, ତୁ କହିବୁ ନା ମୁଁ, ତୁ ମୋର ସପନ ରାଣୀ, ପ୍ରେମର ନିଶା ନିଆରା ନିଆରା, ମୁଁ ପରଦେଶୀ ଚଢ଼େଇ, ତୁ ମୋ ସୁନା ଚଢ଼େଇ, ଫ୍ରମ୍ ମି ଟୁ ୟୁ, ଟାଇଗର, ଲଭ୍ ଟୁଇଷ୍ଟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, ତୋ ପ୍ରେମରେ ପଡ଼ିଲା ପରେ, ଏମିତି ବି ହେଇପାରେ, ଅଭିମାନ, ମୁଇଁ ଦିୱାନା ତୁଇ ଦିୱାନୀ, ତୁ ମୋ ହିରୋ, ଅଦୃଶ୍ୟମ୍, ବାପା ତମେ ଭାରି ଦୁଷ୍ଟ, ଦେଲେ ଧରା କଥା ସରେ, ସୀତାରାମଙ୍କ ବାହାଘର କଳିଯୁଗରେ, ସେଲଫିସ୍ ଦିଲ୍, ଏକ୍ସକ୍ୟୁଜ ମି, ଲୋକାଲ ଟୋକା ଲଭ୍ ଚୋଖା, ପ୍ୟାର ଅଲଗା ପ୍ରକାର, ଲଭ୍ ଏକ୍ସପ୍ରେସ୍, ଟିକେ ଅନାଡ଼ି ପୂରା ଖିଲାଡ଼ି, ନାୟକର ନାଁ ଦେବଦାସ, ମିଠା ମିଠା, ଲୈଲା ଓ ଲୈଲା, ହାପି ଲକି, ହେଲୋ- ଇନ୍ ଲଭ୍, ଟୋକାଟା ଫସିଗଲା, ଯୋଗୀ, ବିଶ୍ୱରୂପ ଆଦି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଅସୀମା ଓଡ଼ିଆ କଥାଚିତ୍ର ବ୍ୟତୀତ ବିଭିନ୍ନ ଆଲବମ୍ ଗୀତ ଏବଂ ଭଜନରେ କଣ୍ଠଦାନ କରିଛନ୍ତି । ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ, ପ୍ରାର୍ଥନା ମଞ୍ଚ ଭଳି କାର୍ଯକ୍ରମରେ ଭଜନ ପରିବେଷଣ କରନ୍ତି ।