ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ଦେଇ ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
'ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ,kṛṣṇa janmāṣṭami), କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା । ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା । ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ସୁରେନ୍ଦ୍ର ମୋହନ ପଟ୍ଟନାୟକ (୨୮ ଅଗଷ୍ଟ ୧୯୧୪ - ୨୦ ଡିସେମ୍ବର ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଓ ପରେ କାର୍ଯ୍ୟ କରିଥିଲେ । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହାରେ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୧ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
ଘିକୁଆଁରୀ ( ଅଥବା ) ଏକ ସରସ ଉଦ୍ଭିଦ ଶ୍ରେଣୀ । ପ୍ରଥମ ଶତାବ୍ଦୀରୁ ଏହି ଶ୍ରେଣୀର ଉଦ୍ଭିଦଟି ଭେଷଜ ଔଷଧ ତିଆରିରେ ଲାଗେ ବୋଲି ବାରମ୍ବାର ଲେଖାରେ ଦେଖିବାକୁ ମିଳିଥାଏ । ଘିକୁଆଁରୀରୁ ବାହାରୁଥିବା ରସ ଆଦି ଏହାର ପୁନର୍ଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ନାମରେ ଲୋକଙ୍କୁ ବତାଇ ବିଭିନ୍ନ ଅଙ୍ଗରାଗ ଓ ବିକଳ୍ପ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ତେବେ ମିଳିଥିବା ପ୍ରମାଣ ଅନୁସାରେ ଘିକୁଆଁରୀର ଉତ୍ପାଦରେ କୌଣସି ରୋଗନାଶକାରୀ ଓ ଅଙ୍ଗରାଗକାରୀ ଗୁଣ ଥିବା ବାରମ୍ବାର ପରୀକ୍ଷାରେ ଓଲଟା ଫଳ ଦେଇଛି ।
ତମନ୍ନା ବ୍ୟାସ (ଜନ୍ମ: ୧୪ ନଭେମ୍ବର ୧୯୯୬) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତମନ୍ନା ନାମରେ ଓଡ଼ିଆ କଥାଚିତ୍ର ଜଗତରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା । ୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲ ମିସ୍ ଡିଭା ପ୍ରତିଯୋଗୀତାରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (ସି.ଓ.ପି.ଡି.) (ଓଡ଼ିଆରେ- ଫୁସଫୁସ ବାଧା ସୃଷ୍ଟିକାରୀ ଦୀର୍ଘସ୍ଥାୟୀ ରୋଗ), ରୋଗର ଅନ୍ୟ ଇଂରାଜୀ ନାମ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଲଙ୍ଗ ଡିଜିଜ (ସି.ଓ.ଏ.ଡି.), କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଏୟାର୍ୱେ ଡିଜିଜ୍ (ସି.ଓ.ଏ.ଡି), ଯାହା ଏକ ପ୍ରକାର ଫୁସଫୁସ ରୋଗ ଯେଉଁଥିରେ ଫୁସଫୁସର ଶ୍ୱାସକ୍ରିୟାରେ ଦୀର୍ଘସ୍ଥାୟୀ ବାଧା ହୁଏ । ଧୁମ୍ରପାନ ଏହି ରୋଗର ଏକ ସାଧାରଣ କାରଣ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ଜେନେଟିକ୍ସ ଏହାର ଛୋଟ କାରଣ ଥାଏ ।. ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ରନ୍ଧା ଘରେ ବାୟୁ ଚଳାଚଳର ଅଭାବ ଥାଏ । ଦୀର୍ଘ ଦିନ ଧରି ଏହି ଉଦ୍ଦୀପକ ବସ୍ତୁ ପ୍ରଶ୍ୱାସରେ ଫୁସଫୁସ ଅଭ୍ୟନ୍ତରକୁ ଗଲେ ସେଠାରେ ପ୍ରଦାହ ସୃଷ୍ଟି ହୋଇ ଛୋଟ ଛୋଟ ବାୟୁ ନଳୀ ଆହୁରି ସରୁ ହୋଇଯାଏ ଓ ଫୁସଫୁସ ତନ୍ତୁ ନଷ୍ଟ ହୋଇଯାଏ ଯାହାକୁ ଏମ୍ଫିସେମା କୁହାଯାଏ ।ଫୁସଫୁସ କାର୍ଯ୍ୟ ପରୀକ୍ଷାଦ୍ୱାରା (Pulmonry function test) ଫୁସଫୁସରେ କମ ବାୟୁ ପ୍ରବାହ ହେଉଥିବା ଜଣାପଡିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।.
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ଗୋଷ୍ଠୀ ପ୍ରତିରୋଧକ ଶକ୍ତି (ଗୋଷ୍ଠୀ ପ୍ରଭାବ, ସମ୍ପ୍ରଦାୟ ରୋଗ ପ୍ରତିରୋଧକ ଶକ୍ତି, ଜନସଂଖ୍ୟା ପ୍ରତିରୋଧକ ଶକ୍ତି, କିମ୍ବା ସାମାଜିକ ପ୍ରତିରୋଧକ ଶକ୍ତି ନାମରେ ମଧ୍ୟ ଜଣା) (ଇଂରାଜୀ: Herd immunity) ସଂକ୍ରାମକ ରୋଗରୁ ପରୋକ୍ଷ ନିରାପତ୍ତାର ଏକ ରୂପ । ପୂର୍ବ ସଂକ୍ରମଣ କିମ୍ବା ଟୀକାକରଣଦ୍ୱାରା ଜନସଂଖ୍ୟାର ଏକ ବଡ଼ ଅଂଶ ଭିତରେ ସଂକ୍ରମଣ ବିରୋଧରେ ପ୍ରତିରୋଧକ ଶକ୍ତି ହାସଲ କଲେ ତାହା ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମାପ ଦେଇଥାଏ । ବହୁ ସଂଖ୍ୟକ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଥିବା ଏକ ଜନସଂଖ୍ୟାରେ ଏହିପରି ଲୋକ ରୋଗ ସଂକ୍ରମଣରେ ସହଯୋଗ କରିବାର ସମ୍ଭାବନା ନଥାଏ ଓ ସଂକ୍ରମଣର ଶୃଙ୍ଖଳ ବ୍ୟାହତ ହେବାର ସମ୍ଭାବନା ଅଧିକ ଥାଏ, ଯାହା ରୋଗ ବିସ୍ତାର ବନ୍ଦ କରିଦିଏ କିମ୍ବା ମନ୍ଥର କରିଦିଏ । ଏକ ସମ୍ପ୍ରଦାୟରେ ରୋଗ ପ୍ରତିରୋଧକ ଶକ୍ତିଥିବା ବ୍ୟକ୍ତିବିଶେଷଙ୍କ ଅନୁପାତ ଯେତେ ବଢ଼େ ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାର ସମ୍ଭାବନା ସେତେ କମେ ଏବଂ ତାହା ରୋଗ ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।ସାହିତ୍ୟିକ ଧନେଶ୍ୱର ସାମଲଙ୍କ ଜନ୍ମ ହୋଇଥିଲା ୧୯୩୨ ମସିହା ଡିସେମ୍ବର ମାସ୩୧ ତାରିଖରେ । ଜନ୍ମସ୍ଥାନ: ଅବିଭକ୍ତ କଟକ ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମ ପଞ୍ଚାୟତର ବାହାଦୂର ନଗର ଗ୍ରାମରେ ।
ରିବାଭିରିନ (ଇଂରାଜୀ ଭାଷାରେ Ribavirin ଅନ୍ୟ ନାମ ଟ୍ରିବାଭିରିନ tribavirin) ଏକ ଆଣ୍ଟିଭାଇରାଲ ବା ଭୁତାଣୁରୋଧୀ ଔଷଧ (anti-viral medication) ଯାହା ଆର.ଏସ.ଭି ସଂକ୍ରମଣ (RSV infection), ହେପାଟାଇଟିସ ସି ଓ ଭାଇରାଲ ହେମୋରେଜିକ ଫିଭର (viral hemorrhagic fever) ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । ହେପାଟାଇଟିସ ସି ରୋଗ ନିମନ୍ତେ ଏହା ସିମେପ୍ରେଭିର, ସୋଫୋସବୁଭିର (sofosbuvir), ପେଜିଣ୍ଟରଫେରନ ଆଲଫା-୨ବି (peginterferon alfa-2b) ବା ପ୍ରେଜିଣ୍ଟରଫେରନ ଆଲଫା-୨ଏ (peginterferon alfa-2a) ଇତ୍ୟାଦି ଔଷଧମାନଙ୍କ ସହିତ ଦିଆଯାଏ । ଭାଇରାଲ ହେମୋରେଜିକ ଫିଭର ମଧ୍ୟରେ ଲାସା ଫିଭର, କ୍ରିମିଆନ-କଙ୍ଗୋ ହେମୋରେଜିକ ଫିଭର (Crimean–Congo hemorrhagic fever) ଓ ହାଣ୍ଟାଭାଇରସ ସଂକ୍ରମଣ (Hantavirus infection) ରୋଗମାନଙ୍କରେ ଦିଆଯାଏ କିନ୍ତୁ ଇବୋଲା (Ebola) ବା ମାରବର୍ଗ (Marburg) ରୋଗରେ ଦିଆଯାଏ ନାହିଁ । ରିବାଭିରିନ ପାଟିରେ ଦିଆଯାଏ ବା ଆଘ୍ରାଣ କରିବାକୁ ଦିଆଯାଏ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ଚିଡ଼ଚିଡ଼ା ଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲିଟିକ ଆନିମିଆ (red blood cell breakdown), ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁପ୍ରତି ବିପଦ ହୁଏ । ତେଣୁ ଏହି ଔଷଧ ବ୍ୟବହାର କରିବାର ୭ ମାସ ପର୍ଯ୍ୟନ୍ତ ବିବାହିତ ପୁରୁଷ ଓ ମହିଳାମାନେ ଜନ୍ମ ନିରୋଧ କରିବାକୁ ଉପଦେଶ ଦିଆଯାଏ । ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।ରିବାଭିରିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୮୬ରେ ଡାକ୍ତରୀ ବ୍ୟବହାରରେ ଲାଗିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୦୦ ଆମେରିକୀୟ ଡଲାର ।
ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର
ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର (ଇଂରାଜୀ ଭାଷାରେ Ombitasvir/paritaprevir/ritonavir, ବିକ୍ରୟ ନାମ ଟେକନିଭାଇ/Technivie ଓ ଭିଏକିରା ପାକ/Viekira Pak) ଏକ ଔଷଧ ଯାହା ହେପାଟାଟିସ ସି ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏହା ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ (fixed dose combination) ଔଷଧ ଯେଉଁଥିରେ
ମେନିଞ୍ଜାଇଟିସ ଏକ ରୋଗ ଯାହା ମସ୍ତିଷ୍କ ଓ ମେରୁଦଣ୍ଡର ସୁରକ୍ଷାକାରୀ ଆବରଣ ମେନିଞ୍ଜେସର ପ୍ରଦାହକୁ କୁହାଯାଏ । ଜ୍ୱର, ମୁଣ୍ଡବଥା ଓ ଦୃଢ଼ ବେକ ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ ଓ ପରିବର୍ତ୍ତିତ ଚେତନା, ବାନ୍ତି ଓ ଆଲୋକ ଭୀତି ବା ଶବ୍ଦ ଭୀତି ମଧ୍ୟ ପ୍ରକାଶ ପାଏ । ଅଳ୍ପ ବୟସ୍କ ପିଲାମାନଙ୍କର ଅନିର୍ଦ୍ଦିଷ୍ଟ ଲକ୍ଷଣ ଯେପରିକି ଚିଡ଼ିଚିଡ଼ା ଭାବ, ଢୁଳ ଲାଗିବା ଓ କମ୍ ଖାଇବା ଆଦି ଦେଖାଯାଏ । ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ ହୋଇଥିଲେ ଏକ ନିର୍ଦ୍ଦିଷ୍ଟ ଧରଣର ରାସ୍ ଦେଖାଯାଏ । ଭୁତାଣୁ, ଜୀବାଣୁ, କେତେକ ଅଣୁଜୀବ ଓ ଅଳ୍ପ କେତେକ ଔଷଧର ପ୍ରତିକ୍ରିୟା ଯୋଗୁ ଏହି ପ୍ରଦାହ ହୁଏ । ମସ୍ତିଷ୍କ ଓ ମେରୁଦଣ୍ଡର ଅତି ପାଖରେ ହେଉଥିବାରୁ ଏହି ମେନିଞ୍ଜାଇଟିସ ପ୍ରଦାହ ରୋଗ ପ୍ରାଣ ଘାତକ ହୋଇପାରେ, ତେଣୁ ଏହି ରୋଗକୁ ଆପାତ ସ୍ଥିତି ବା ମେଡିକାଲ ଏମର୍ଜେନ୍ସି ହିସାବରେ ଗଣନା କରାଯାଏ । କଟିବେଧନ ବା ଲମ୍ବର୍ପଙ୍କଚର୍ଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ବା ତ୍ୟାଗ କରାଯାଏ । ଏହି ପଦ୍ଧତି ଅନୁସାରେ କଟିର ପୃଷ୍ଠ ଭାଗରେ ଥିବା ଦୁଇ ମେରୁ ହାଡ ମଧ୍ୟ ଦେଇ ଗୋଟିଏ ଲମ୍ବା ଇଞ୍ଜେକ୍ସନ ଛୁଞ୍ଚି ମେରୁ କେନାଲ ମଧ୍ୟକୁ ପ୍ରବେଶ କରେଇ ସେଠାରେ ଥିବା ତରଳ ପଦାର୍ଥ ଟାଣି ଅଣାଯାଏ । ଏହି ତରଳ ପଦାର୍ଥକୁ ମସ୍ତିଷ୍କ ମେରୁଦଣ୍ଡୀୟ ତରଳ ପଦାର୍ଥ (Cerebro spinal fluid/CSF) କୁହାଯାଏ । ଏହି ସି.ଏସ୍.ଫ୍.କୁ ଅଣୁବୀକ୍ଷଣ ଯନ୍ତ୍ର ମାଧ୍ୟମରେ ପରୀକ୍ଷା କରି ମେନିଞ୍ଜାଇଟିସ୍ ନିର୍ଣ୍ଣୟ କରାଯାଏ ।କେତେକ ଧରଣର ମେନିଞ୍ଜାଇଟିସ ରୋଗକୁ ମେନିଙ୍ଗୋକୋକାଲ, ଗାଲୁଆ, ନିମୋକୋକାଲ, ଓ ଏଚଆଇବି ଟିକା ସାହାଯ୍ୟରେ ପ୍ରତିରୋଧ କରିବା ସମ୍ଭବ । କେତେକ ମେନିଞ୍ଜାଇଟିସ ରୋଗ ନିମନ୍ତେ ଆଣ୍ଟିବାୟୋଟିକ ଦେଲେ ଉପକାର ମିଳେ । ତୀବ୍ର ମେନିଞ୍ଜାଇଟିସ ରୋଗ ହେଲେ ତୁରନ୍ତ ଆଣ୍ଟିବାୟୋଟି ଓ ବେଳେବେଳେ ଭୁତାଣୁରୋଧୀ ଔଷଧ ଦିଆଯାଏ । ଅତ୍ୟଧିକ ପ୍ରଦାହ ନିୟନ୍ତ୍ରଣ କରିବା ନିମନ୍ତେ କର୍ଟିକୋସ୍ଟିରଏଡ ଦିଆଯାଏ । ଏହି ରୋଗ ହେବା ଯୋଗୁ ସାଂଘାତିକ ଦୀର୍ଘକାଳୀନ ଫଳାଫଳ ମିଳିପାରେ ଯଥା:- କାଲାଦୋଷ, ଏପିଲେପ୍ସି, ହାଇଡ୍ରୋସେଫାଲସ ବା ବୋଧଶକ୍ତି ଅଭାବ ହୋଇପାରେ ।ସନ ୨୦୧୩ରେ ପ୍ରାୟ ୧୬ ନିୟୁତ ଲୋକଙ୍କୁ ମେନିଞ୍ଜାଇଟିସ ହୋଇଥିଲା । ଏହି ରୋଗରେ ମୃତ୍ୟୁ ସଂଖ୍ୟା ସନ ୧୯୯୦ରେ ୪୬୪,୦୦୦ରୁ କମି ସନ ୨୦୧୩ରେ ୩୦୩,୦୦୦ ହୋଇଥିଲା । ଉପଯୁକ୍ତ ଚିକିତ୍ସା ଉପଲବ୍ଧ ହେତୁ ଜୀବାଣୁ ଜନିତ ମେନିଞ୍ଜାଇଟିସ ମୃତ୍ୟୁ ୧୫%ରୁ କମ୍ ହେଉଛି । ପ୍ରତିବର୍ଷ ଡିସେମ୍ବରରୁ ଜୁନ ମଧ୍ୟରେ ସବ୍-ସାହାରା ଆଫ୍ରିକାରେ ମେନିଞ୍ଜାଇଟିସ ହେଉଥିବାରୁ ଏହି ଜାଗାକୁ ମେନିଞ୍ଜାଇଟିସ ବେଲ୍ଟ କୁହାଯାଏ । ପୃଥିବୀର ଅନ୍ୟ କେତେକ ସ୍ଥାନରେ ଏହି ରୋଗ ବ୍ୟାପକ ହୋଇପାରେ । ମେନିଞ୍ଜାଇଟିସ ଶବ୍ଦଟି ପୁରାତନ ଗ୍ରୀକ ଭାଷାର μῆνιγξ méninx ଶବ୍ଦର ଅର୍ଥ "ଆବରଣ" ଓ ମେଡିକାଲ ଶବ୍ଦ -ଆଇଟିସ ଅର୍ଥ "ପ୍ରଦାହ"କୁ ବୁଝାଏ ।
ଡାସାବୁଭିର (ଇଂରାଜୀ ଭାଷାରେ Dasabuvir, ବିକ୍ରୟ ନାମ Exviera) ଏକ ଭୁତାଣୁବିରୋଧୀ ଔଷଧ (antiviral medication) ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ଦିଆଯାଏ । ହେପାଟାଇଟିସ ସି ଟାଇପ ୧ ଭୁତାଣୁ ନିମନ୍ତେ ଏହି ଔଷଧ ସହିତ ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର ଏକତ୍ର ଦିଆଯାଏ । ଅଧିକନ୍ତୁ ରିବାଭିରିନ ମଧ୍ୟ ଦିଆଯାଇପାରେ । ଏହି ମିଶ୍ରଣ ଫଳରେ ୯୦% ଲୋକ ଆରୋଗ୍ୟ ଲାଭ କରନ୍ତି । ଏହି ଔଷଧ ଦିନକୁ ଦୁଇଥର, ୧୨ରୁ ୨୪ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଅଇ, ଗଲୁ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍କ ରୋଗରେ (kidney disease) ଏହା ଦିଆଯାଇପାରେ ମାତ୍ର ଯକୃତ ଫେଲ (liver failure) ହୋଇଥିଲେ ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହି ଔଷଧର କୌଣସି ପ୍ରତିକ୍ରିୟା ହୋଇଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ଭଲ ରୂପେ ଅନୁଶୀଳନ ହୋଇନାହିଁ । ଏଥିନିଲଏସ୍ଟ୍ରାଡିଅଲ l ଥିବା ଜନ୍ମନିରୋଧ ବଟିକା ସହିତ ଡାସାବୁଭିର ବ୍ୟବହାର କରିବା ଉଚିତ ନୁହେଁ । ଏହା ଏଚସିଭି ଏନଏସସ ୫ବି ପଲିମରେଜ ଇନହିବିଟର (HCV NS5B polymerase inhibitor) ଶ୍ରେଣୀର ଔଷଧ ।ସନ ୨୦୧୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡାସାବୁଭିର ସ୍ୱିକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଓମ୍ବିଟାସଭିର, ପାରିଟାପ୍ରେଭିର ଓ ରିଟୋନାଭିର ଔଷଧମାନଙ୍କ ସହିତ ଏକତ୍ର ଦେବାକୁ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା (Food and Drug Administration) ସ୍ୱୀକୃତିପ୍ରାପ୍ତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ମିଶ୍ରଣର ଖର୍ଚ୍ଚ ୧୨ ସପ୍ତାହରେ ୮୩,୩୧୯ ଓ ୨୪ ସପ୍ତାହର ଖର୍ଚ୍ଚ ୧୬୬, ୬୩୮ ଆମେରିକୀୟ ଡଲାର । ସନ ୨୦୧୫ରେ ଏହି ଔଷଧ ପୃଥିବୀରେ ଅନେକ ସ୍ଥାନରେ ମିଳେନାହିଁ ।
ସିମେପ୍ରେଭିର (ଇଂରାଜୀ ଭାଷାରେ Simeprevir), ଏହାର ଏକ ବିକ୍ରୟ ନାମ ଓଲିସିଓ, ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ନିମନ୍ତେ ଅନ୍ୟ ଔଷଧ ସହିତ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ହେପାଟାଇଟିସ ସି ଜେନୋଟାଇପ ୧ ଓ ୪ ନିମନ୍ତେ ବ୍ୟବହାର କରାଯାଏ । ଏହା ସୋଫୋସବୁଭିର (sofosbuvir) ବା ରିବିଭିରିନ (ribavirin) ଓ ପେଜିଣ୍ଟରଫେରନ-ଆଲଫା (peginterferon-alfa) ସହିତ ଦିଆଯାଏ । ଏହାର ଆରୋଗ୍ୟ ହାର ପ୍ରାୟ ୮୦ରୁ ୯୦% । ଏଚଆଇଭି/ଏଡସ ରୋଗରେ ମଧ୍ୟ ଏହା ଦିଆଯାଏ । ଦିନକୁ ଥରେ ୧୨ସପ୍ତାହ ପର୍ଯ୍ୟନ୍ତ ପାଟିରେ ଏହା ଦିଆଯାଏ ।ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଲାଗିବା, ମୁଣ୍ଡବଥା, ରାସ, ଗଲୁ ଓ ସୂର୍ଯ୍ୟାଲୋକ ସମ୍ଭେଦନଶୀଳତା ଉତ୍ୟାଦି ଲକ୍ଷଣ ଦେକାଯାଏ । ପୂର୍ବରୁ ହେପାଟାଇଟିସ ବି ଥିଲେ ପୁନରାବୃତ୍ତି ହୋଇପାରେ । ଯକୃତ ସମସ୍ୟା ଥିଲେ ଏହାକୁ ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ରିବାଭିରିନ ସହିତ ଦେଲେ ଶିଶୁ ପ୍ରତି ବିପଦ ହୁଏ, ସୋଫୋସବୁଭିର ସହିତ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ସିମେପ୍ରେଭିର ଏକ ଏଚସିଭି ପ୍ରୋଟିଏଜ ଇନହିବିଟର (HCV protease inhibitor) ।ମେଡିଭିର ଏବି (Medivir AB) ଓ ଜାନସେନ ଫର୍ମାସିଉଟିକାଲ (Janssen Pharmaceutica) ଏହି ସିମେପ୍ରେଭିର ଔଷଧ ପ୍ରସ୍ତୁତ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ସନ ୨୦୧୫ ସୁଦ୍ଧା ଉପଲବ୍ଧ ହୋଇନାହିଁ । ଇଂଲଣ୍ଡରେ ସନ ୧୦୧୫ରେ ସିମେପ୍ରେଭିର, ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫାର ଗୋଟିଏ କୋର୍ଷର ଖର୍ଚ୍ଚ ପ୍ରାୟ ୨୯,୭୦୦ ପାଉଣ୍ଡ । ୟୁକ୍ତରାଷ୍ଟ୍ର ଆମେରିକାରେ ସିମାପ୍ରେଭିର ଓ ସୋଫୋସବୁଭି କୋର୍ଷର ଖର୍ଚ୍ଚ ପ୍ରାୟ ୧୭୧,୦୦୦ ଡଲାର ଓ ସେଥିରୁ କେବଳ ସିମେପ୍ରେଭିର ମୂଲ୍ୟ ପ୍ରାୟ ୬୬,୩୬୦ ଆମେରିକୀୟ ଡଲାର ।
ଆଜିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବହାର କରାଯାଏ । ଏହି ରୋଗମାନଙ୍କ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ତଣ୍ଟି ସଂକ୍ରମଣ, ନିମୋନିଆ, ପର୍ଯ୍ୟଟକ ତରଳ ଝାଡ଼ା ଓ ଅନ୍ୟ କେତେକ ଖାଦ୍ୟନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ । ଅନେକ ଯୌନସଂଚାରିତ ସଂକ୍ରମଣ ରୋଗ ଯେପରିକି କ୍ଲାମିଡିଆ ଓ ଗନରିଆ ସଂକ୍ରମଣରେ ମଧ୍ୟ ବ୍ୟବହାର କରାଯାଏ । ମ୍ୟାଲେରିଆ ରୋଗରେ ଅନ୍ୟ କେତେକ ଔଷଧ ସହିତ ଏହା ଦିଆଯାଇପାରେ । ଏହା ପାଟିରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଖରାପ ଉଲ୍ଲେଖଯୋଗ୍ୟ । ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ହୋଇପାରେ । ଗର୍ଭାବସ୍ଥାରେ କୌଣସି ଅସୁବିଧା ହୁଏନାହିଁ । ସ୍ତନ୍ୟପାନ ସମୟରେ ଏହାର ଭୂମିକା ସ୍ପଷ୍ଟ ନ ହେଲେ ମଧ୍ୟ ଭଲ ଥାଇପାରେ । ଏହା ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଦଳର ଏକ ଆଜାଲାଇଡ । ଏହା ଜୀବାଣୁର ପ୍ରୋଟିନ ପ୍ରସ୍ତୁତିରେ ବାଧା ସୃଷ୍ଟି କରି ତାହାର ବୃଦ୍ଧି ରୋକିଦିଏ ।ଆଜିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ତିଆରି ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ । ଡୋଜ ପିଛା ଏହାର ମୂଲ୍ୟ ୦.୧୮ରୁ ୨.୯୮ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ସମ୍ପୁର୍ଣ୍ଣ କୋର୍ଷର ମୂଲ୍ୟ ୩୩ ଡଲାର ।
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
ଟେନୋଫୋଭିର ଡିସୋପ୍ରକ୍ସିଲ (ଇଂରଜୀ ଭାଷାରେ Tenofovir disoproxil ଓ ବିକ୍ରୟ ନାମ Viread) ଏକ ଔଷଧ ଯାହା କ୍ରନିକ ହେପାଟାଇଟିସ ବି ରୋଗର ଚିକିତ୍ସା ଓ ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ବ୍ୟବହାର କରିବାକୁ ସୁପାରିସ କରାଯାଏ । ଯେ କୌଣସି କାରଣରୁ ଏଚଆଇଭି/ଏଡସ ରୋଗର ସମ୍ଭାବନା ଥିଲେ ଏହି ଔଷଧ ପ୍ରତିଷେଧରୂପେ ଦିଆଯାଏ । ଏକକ ଔଷଧ ଭାବରେ ଦିଆଯାଏ ଓ ଅନ୍ୟାନ୍ୟ ଔଷଧ ସହିତ ମଧ୍ୟ ଦିଆଯାଏ ଯେପରି ଏମଟ୍ରିସିଟାବିନ/ଟେନୋଫୋଭିର (emtricitabine/tenofovir) ଓ ଏଫାଭାଇରେଞ୍ଜ/ଏମଟ୍ରିସିଟାବିନ/ଟେନୋଫୋଭିର (efavirenz/emtricitabine/tenofovir)। ଏହା ଏଚଆଇଭି/ଏଡସ ବା ହେପାଟାଇଟିସ ବି ରୋଗମାନଙ୍କୁ ଆରୋଗ୍ୟ କରେନାହିଁ । ପାଟିରେ ଦେବା ନିମନ୍ତେ ଏହା ପାଉଡର ଓ ବଟିକା ଆକାରରେ ମିଳେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ରାସ, ତରଳ ଝାଡ଼ା, ମୁଣ୍ଡବଥା, ଯନ୍ତ୍ରଣା, ଅବସାଦ ଓ ଦୁର୍ବଳତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ରକ୍ତରେ ଅଧିକ ଲାକ୍ଟିକ ଏସିଡ ସ୍ତର (high blood lactate) ଓ ବର୍ଦ୍ଧିତ ଯକୃତ (enlarged liver) ଦେଖାଯାଏ । ସବୁ ପରିସ୍ଥିତିରେ ଏହି ଔଷଧ ଦେଇହେବ । ଗର୍ଭାବସ୍ଥାରେ ଦିଆଗଲେ ବିପଦମୁକ୍ତ ଜଣାଯାଏ । ଏହା ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleotide reverse transcriptase inhibitor) ଏହାଦ୍ୱାରା ଭୁତାଣୁ ରେପ୍ଲିକେଟ କରିପାରେନାହିଁ ।ସନ ୧୯୯୬ରେ ଟେନୋଫୋଭିର ପେଟେନ୍ଟ ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୧ରେ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେରେ ଜେନେରିକ ନାମରେ ବିକ୍ରୟ ହୋଇନାହିଁ । ବିକାଶଶୀଳdeveloping world ଦେଶମାନଙ୍କରେ ଏହି ଔଷଧର ମାସିକ ଖର୍ଚ୍ଚ ପ୍ରାୟ ୩.୩୦ରୁ ୨୯.୧୩ ଆମେରିକୀୟ ଡଲାର । ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ମାସିକ ଖର୍ଚ୍ଚ ୨୦୦ଡଲାରରୁ ଅଧିକ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଡାକ୍ଲାଟାସଭିର (ଇଂରାଜୀ ଭାଷାରେ Daclatasvir, ବିକ୍ରୟ ନାମ ଡାକ୍ଲିଞ୍ଜା) ଏକ ଔଷଧ ଯାହା ହେପାଟାଇଟିସ ସି (ଏଚସିଭି) ରୋଗରେ ଅନ୍ୟ ଔଷଧମାନଙ୍କ ସହିତ ଦିଆଯାଏ । ଏହା ସାଥୀରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କ ନାମ ସୋଫୋବୁଭିର (sofosbuvir), ରିବାଭିରିନ (ribavirin) ଓ ଇଣ୍ଟରଫେରନ (interferon) ଓ ଏହି ଔଷଧମାନ ଭୁତାଣୁ ଅନୁସାରେ ତଥା ସିରୋସିସ ଉପସ୍ଥିତି ଅନୁସାରେ ଦିଆଯାଏ । ଦିନକୁ ଥରେ ପାଟିରେ ଏହି ଔଷଧ ଦିଆଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ (feeling tired) ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସୋଫୋସବୁଭିର ଓ ରିବାଭିରିନ ସହିତ ଦେଲେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ ଓ ହେମୋଲାଇଟିକ ଆନିମିଆ (red blood cell breakdown) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ । ସେଣ୍ଟ ଜନସ ୱାର୍ଟ (St.
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଅପସ୍ମାର ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ । ଏହା ଏପିଲେପ୍ସି ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ । ଏହା ଫଳରେ ଶାରୀରିକ କ୍ଷତି ଯେପରିକି ଅସ୍ଥି ଭଗ୍ନ ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ । କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ, ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ । ପୃଥିବୀର କେତେକ ଅଞ୍ଚଳରେ ଏହାକୁ ସାମାଜିକ କଳଙ୍କ (stigma) କୁହାଯାଏ । ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା ମସ୍ତିଷ୍କ ଆଘାତ, ସ୍ଟ୍ରୋକ, ମସ୍କିଷ୍କ ଅର୍ବୁଦ, ଔଷଧ, ଜନ୍ମଗତ ତୃଟି ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ । ପରିଚିତ ଜେନେଟିକ ମ୍ୟୁଟେସନ ଯୋଗୁ କେତେକ ଅପସ୍ମାର ହୁଏ ।. ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ । ସମଲକ୍ଷଣ ବିଶିଷ୍ଟ ରୋଗ ଯଥା ଅଚେତା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ବା ଇଲେକ୍ଟ୍ରୋଲାଇଟ ସମସ୍ୟାର ଉପସ୍ଥିତି ନିମନ୍ତେ ପରୀକ୍ଷା କରି ଦୂର କରାଯାଏ । ଆଂଶିକ ଭାବରେ ଏହା ମସ୍ତିଷ୍କ ଇମେଜିଙ୍ଗ ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଏ । ଏହି ରୋଗ ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି) କରି ନିଧାର୍ଯ୍ୟ କରାଯାଏ କିନ୍ତୁ ସାଧାରଣ ପରୀକ୍ଷାଦ୍ୱାରା ଏହାର ଅନୁପସ୍ଥିତି ଜଣାଯାଏ ନାହିଁ ।ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ । ପ୍ରାୟ ୭୦% କେଶ୍ରେ ଔଷଧଦ୍ୱାରା ବାତ ନିୟନ୍ତ୍ରଣ କରିହୁଏ । ଶସ୍ତା ଔଷଧ ମଧ୍ୟ ଉପଲବ୍ଧ ଅଛି । ଔଷଧ କାମ ନ କଲେ ଅପରେଶନ, ନିଉରୋସ୍ଟିମୁଲେସନ, ବା ଖାଦ୍ୟ ପରିବର୍ତ୍ତନ କରାଯାଏ । ସବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ । ସନ ୨୦୧୩ ସୁଦ୍ଧା ପୃଥିବୀରେ ପ୍ରାୟ ୨୨ନିୟୁତ ଅପସ୍ମାର ରୋଗୀ ଥିଲେ । ପ୍ରାୟ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି । ସନ ୧୯୯୦ରେ ଏହା ଯୋଗୁ ୧୧୨,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୧୧୬,୦୦୦ ମୃତ୍ୟୁ ହୋଇଥିଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢ଼େ । ଶିଶୁ ଓ ବୟସ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ । > ବିକାଶଶୀଳ ଦେଶମାନଙ୍କରେ ବଡ଼ ପିଲା ଓ ଯୁବ ବୟଃପ୍ରାପ୍ତ ଲୋକଙ୍କର ଅନ୍ତର୍ନିହିତ କାରଣମାନଙ୍କ ଯୋଗୁ ଅଧିକ ଅପସ୍ମାର ହୁଏ । ପ୍ରାୟ ୫–୧୦% ଲୋକଙ୍କର ୮୦ ବର୍ଷ ବୟସ ବେଳକୁ ଅଣଉତ୍ତେଜିତ ବାତ ହୁଏ, ଓ ଦ୍ୱିତୀୟ ବାତ ସମ୍ଭାବନା ପ୍ରାୟ ୪୦ରୁ ୫୦% ଥାଏ । ପୃଥିବୀର ଅନେକ ସ୍ଥାନରେ ଡ୍ରାଇଭ କରିବାକୁ ସୀମିତ କରାଯାଏ ବା ଭଲ ହେବା ପର୍ଯ୍ୟନ୍ତ ଆଦୌ ଅନୁମତି ଦିଆଯାଏ ନାହିଁ । ଏପିଲେପ୍ସି ଶବ୍ଦର ଅର୍ଥ ପ୍ରାଚୀନ ଗ୍ରୀକ: ἐεπιλαμβάνειν "ଭାଷାରେ ଅଭିଗ୍ରହଣ କରିବା, ଆୟତ କରିବା ବା ଆକ୍ରାନ୍ତ କରିବା".
ଭାରତର ସ୍ୱାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା "ଲବଣ ସତ୍ୟାଗ୍ରହ " ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ |
ନାଲଟ୍ରେକ୍ସୋନ (ଇଂରାଜୀ ଭାଷାରେ Naltrexone, ବ୍ୟବସାୟୀକ ନାମମାନଙ୍କ ମଧ୍ୟରୁ ରେଭିଟା ଓ ଭିଭିଟ୍ରଲ ଅନ୍ୟତମ) ଏକ ଔଷଧ (medication) ଯାହା ଆଲକୋହୋଲ (alcohol) ବା ଓପିଅଏଡ ନିର୍ଭରତାର (opioid dependence) ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଡିଟକ୍ସିଫିକେସନ ପୂର୍ବରୁ ନାଲଟ୍ରେକ୍ସନ ଦେବା ଉଚିତ ନୁହେଁ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ । ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ । ଓପିଅଏଡ କାମନା କମିବାକୁ କିଛି ସପ୍ତାହ ଲାଗିଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା (trouble sleeping), ଉତ୍କଣ୍ଠା (anxiety), ଅଇ (nausea) ଓ ମୁଣ୍ଡ ବିନ୍ଧା ହୋଇପାରେ । ଓପିଅଏଡ ଗ୍ରହଣ କରୁଥିବା ବ୍ୟକ୍ତିର ଉଇଥଡ୍ରାଆଲ ଲକ୍ଷଣ (opioid withdrawal) ଦେଖାଯାଇପାରେ । ଯକୃତ ଫେଲ en:liver failure ହୋଇଥିଲେ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ନାଲଟ୍ରେକ୍ସୋନ ଏକ ଓପିଅଏଡ ଆଣ୍ଟାଗୋନିସ୍ଟ ଯାହା ଓପିଅଏଡ ପ୍ରଭାବକୁ ଅବରୋଧ କରେ ।ସନ ୧୯୫୫ରେ ପ୍ରସ୍ତୁତ ହୋଇଥିବା ନାଲଟ୍ରେକ୍ସୋନ ସନ ୧୯୮୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ୨୦୧୭ରେ ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୭୪ ଆମେରିକୀୟ ଡଲାର ଥିଲା । ବର୍ଦ୍ଧିଷ୍ଣୁ ମୁକ୍ତ ହେଉଥିବା ଔଷଧର ମାସକ ଖର୍ଚ୍ଚ ପ୍ରାୟ ୧,୨୬୭ । ବୁପ୍ରୋପିଅନ/ନାଲଟ୍ରାକ୍ସନ (bupropion/naltrexone) ଭଳି ଏହା ମଧ୍ୟ ମୋଟାପଣର ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ ।
ଲୋପିନାଭିର/ରିଟୋନାଭିର (ଇଂରାଜୀ ଭାଷାରେ Lopinavir/ritonavir ବା LPV/r ବିକ୍ରୟ ନାମ କାଲେଟ୍ରା ଏକ ନିର୍ଦ୍ଦିଷ୍ଟ ମାତ୍ରାର ଆଣ୍ଟିରେଟ୍ରୋଭାଇରାଲ ଔଷଧ (fixed dose combination) ମିଶ୍ରଣ ଯାହା ଏଚଆଇଭି/ଏଡସ ନିମନ୍ତେ ଦିଆଯାଏ । ଏଥିରେ ଲୋପିନାଭିର (lopinavir) ସହିତ ଅଳ୍ପ ମାତ୍ରାର ରିଟୋନାଭିର (ritonavir) ଥାଏ । ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ (antiretrovirals) ଔଷଧ ସହିତ ଦିଆଯାଏ । ଏହା ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ଓ ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣମାନଙ୍କର ପ୍ରତିଷେଧ ଭାବରେ ଦିଆଯାଏ । ବଟିକା ବା ଦ୍ରବଣ ଆକାରରେ ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଥକ୍କା ଅନୁଭବ, ମୁଣ୍ଡବଥା ଓ ପେଶୀ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା ଓ ଉଚ୍ଚ ରକ୍ତ ଶର୍କରା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବହାର କରାଯାଏ ଓ ନିରାପଦ ଜଣାଯାଏ । ଏହି ଔଷଧଦ୍ୱୟ ଏଚଆଇଭି ପ୍ରୋଟିଏଜ ଇନହିବିଟର ଭାବରେ କାମ କରନ୍ତି । ଲୋପିନାଭିରର କ୍ଷୟକୁ ରିଟୋନାଭିର ଧୀର କରିଦିଏ ।ଲୋପିନାଭିର/ରିଟୋନାଭିର ଦ୍ୱୟ ଏକକ ଔଷଧ ଭାବରେ ବ୍ୟବହାର କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୦ରେ ସ୍ୱୀକୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧଦ୍ୱୟର ମାସିକ ଖର୍ଚ୍ଚ ପ୍ରାୟ ୧୮.୯୬ରୁ ୧୧୩.୫୨ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ଭାବରେ ମିଳେନି ଓ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
୨୦୧୭ ମସିହାରେ ଭାରତୀୟ ସେନା ଓ ଚୀନ୍ର ପିପୁଲ୍ସ୍ ଲିବରେସନ୍ ଆର୍ମି ମଧ୍ୟରେ ଡୋକଲାମ୍ ଅଞ୍ଚଳରେ ଏକ ବିବାଦ ସୃଷ୍ଟି ହୋଇଥିଲା । ଏହି ଅଞ୍ଚଳରେ ଚୀନୀ ସେନା ଏକ ସଡକର ସମ୍ପ୍ରସାରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ଯାହା ଏହି ବିବାଦର ମୂଳ କାରଣ ଥିଲା । ଡୋକଲାମ୍ ଅଞ୍ଚଳ ଡୋଂଗ୍ଲାଂଗ୍ ବା ଡୋଂଗ୍ଲାଂଗ୍ ଚାଓଚାଂଗ୍ ନାମରେ ମଧ୍ୟ ପରିଚିତ । ଚାଓଚାଂଗ୍ର ଅର୍ଥ ହେଲା ତୃଣଭୂମି ବା ଚରାଭୂଈଁ । ୧୬ ଜୁନ୍ ୨୦୧୭ରେ ଚୀନୀ ସେନା ନିଜର ସଡକ ନିର୍ମାଣକାରୀ ଉପକରଣ ସହିତ ଡୋକଲାମ୍ ପହଞ୍ଚି ସେଠାରେ ଏକ ପୂର୍ବରୁ ଥିବା ଏକ ସଡକକୁ ଦକ୍ଷିଣ ପଟକୁ ସମ୍ପ୍ରସାରଣ କରିବା ଆରମ୍ଭ କଲେ । ଡୋକଲାମ୍ କ୍ଷେତ୍ରଟି ଉପରେ ଚୀନ୍ ଓ ଭୁଟାନ (ଭାରତର ପଡୋଶୀ ଓ ମିତ୍ରଦେଶ) ନିଜର ଅଧିକାର ଦାବୀ କରୁଥିବାରୁ ଏହା ଏକ ବିବାଦୀୟ କ୍ଷେତ୍ର । ୧୮ ଜୁନ୍ ୨୦୧୭ରେ ପ୍ରାୟ ୨୭୦ ସଂଖ୍ୟକ ଭାରତୀୟ ସୈନିକ ଅସ୍ତ୍ରଶସ୍ତ୍ର ଓ ସଡକ ଧ୍ୱଂସକ ବୁଲ୍ଡୋଜର୍ ଇତ୍ୟାଦି ସହ ଡୋକଲାମ୍ ଅଞ୍ଚଳରେ ପ୍ରବେଶ କଲେ । ୨୮ ଅଗଷ୍ଟ ୨୦୧୭ ଦିନ ଉଭୟ ଭାରତ ଓ ଚୀନ୍ ନିଜ ନିଜ ସୈନ୍ୟବଳ ଡୋକଲାମ୍ କ୍ଷେତ୍ରରୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଲା ।