ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ଏହା ପ୍ରଥମେ ଇଉନେସ୍କୋଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା ।ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି । ଏହି ଦିବସଟି ୧୯୫୨ ମସିହାରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବୀ କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରମାନଙ୍କ ଅଧୁନା ବଙ୍ଗଳାଦେଶର ରାଜଧାନୀ ଢାକାର ଉଚ୍ଚନ୍ୟାୟାଳୟ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇବାର ସ୍ମୃତିରେ ପାଳିତ ହୋଇଥାଏ ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି ଅଟେ । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କ ଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଜୟଦେବ ଜେନା (ଜନ୍ମ: ୧୦ ମାର୍ଚ୍ଚ ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ରାଜନୀତିରେ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
୨୦୧୪ ମସିହା ମାର୍ଚ୍ଚ ୧୧ରେ ଓଡ଼ିଆଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶାସ୍ତ୍ରୀୟ ଭାଷା ଉପଦେଷ୍ଟା କମିଟିର ବୈଠକରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଜ୍ୱର, (ଇଂରାଜୀ ଭାଷାରେ ଫିଭର ବା ପାଇରେକଶିଆ ଯଥାକ୍ରମେ Fever ବା pyrexia), ରୋଗର ସଂଜ୍ଞା: ଦେହର ଉତ୍ତାପ ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ୱର ନାମ ଦିଆଯାଏ । ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ରୁ ୩୮.୩ ସେ (୯୯.୫ରୁ ୧୦୦.୯) ମଧ୍ୟରେ ଧରାଯାଏ । ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ ମାଂସପେଶୀ ସଂକୋଚନ ଅଧିକ ହୋଇ ଶୀତ ଅନୁଭବ ହୁଏ । ଏହାଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, ଲାଲ ଦେଖାଯାଏ ଝାଳ ବାହାରେ । କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । ଏହା ଯୁବପିଲାଙ୍କର ଅଧିକ ହୁଏ । ସ୍ୱାଭାବିକ ଭାବେ ଜ୍ୱର ୪୧ରୁ ୪୨ °ସେ (୧୦୫.୮ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । ଅନେକ ମେଡ଼ିସିନ ସମ୍ପର୍କୀୟ ରୋଗରେ ଜ୍ୱର ହୁଏ ଓ ଏହା ଆଦୌ ସମସ୍ୟା ନ କରି ପାରେ ବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହା ଭୂତାଣୁ, ଜୀବାଣୁ, ପରଜୀବୀ, ମୂତ୍ରନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ମେନିଞ୍ଜାଇଟିସ, ମ୍ୟାଲେରିଆ ଓ ଆପେଣ୍ଡିସାଇଟିସ ରୋଗ ଯୋଗୁ ହୁଏ । ସଂକ୍ରମଣ ବିହୀନ ରୋଗ ମଧ୍ୟରେ ଭାସ୍କୁଲାଇଟିସ, ଗଭୀର ଶିରା ଥ୍ରୋମ୍ବୋସିସ, ଔଷଧ ପ୍ରତିକ୍ରିୟା ଓ କର୍କଟ ଅନ୍ୟତମ । ଜ୍ୱର ଓ ହାଇପରଥରମିଆ ପୃଥକ ଅଟେ, ହାଇପରଥର୍ମିଆ ରୋଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ ବା ଉତ୍ତାପ ହ୍ରାସ ନିୟନ୍ତ୍ରଣ ହୋଇପାରେ ନାହିଁ । ସାମାନ୍ୟ ଉତ୍ତାପ ବୃଦ୍ଧି ନିମନ୍ତେ ଚିକିତ୍ସା ଆବଶ୍ୟକ ନୁହେଁ । କିନ୍ତୁ ଚିକିତ୍ସା କଲେ ରୋଗୀକୁ ଆରାମ ଲାଗେ ଓ ବିଶ୍ରାମ ମିଳେ । କପାଳ ଉପରେ ଥଣ୍ଡା ଓଦା କପଡ଼ା ରଖିଲେ ଓ ଉଷୁମ ପାଣିରେ ସ୍ନାନ କଲେ ଉପକାର ମିଳେ । ଆଇବୁପ୍ରୋଫେନ ବା ପାରାସେଟାମଲ ଔଷଧ ଦେଲେ ଉତ୍ତାପ କମିଯାଏ । ତିନି ମାସରୁ କମ ବଯସର ଶିଶୁକୁ ଜ୍ୱର ହେଲେ ଡାକ୍ତରୀ ପରୀକ୍ଷା ଆବଶ୍ୟକ । ହାଇପରଥର୍ମିଆ ହେଲେ ଚିକିତ୍ସା ଆବଶ୍ୟକ ହୁଏ । ଜ୍ୱର ଏକ ଅତି ସାଧାରଣ ଡାକ୍ତରୀ ଚିହ୍ନ । ପରାମର୍ଶ ନିମନ୍ତେ ଆସୁଥିବା ଶିଶୁଙ୍କ ମଧ୍ୟରୁ ୩୦ % ଏହା ଯୋଗୁ ଆସନ୍ତି, ଗମ୍ଭୀର ଅସୁସ୍ଥ ଥିବା ଲୋକଙ୍କ ମଧ୍ୟରୁ ୭୫ % ଏହା ଯୋଗୁ ହୁଏ । ଜ୍ୱର ଏକ ପ୍ରତିରକ୍ଷାକାରୀ କ୍ରିୟା ହେଲେ ମଧ୍ୟ ଏହାର ଚିକିତ୍ସା କଲେ ଅବସ୍ଥା ଖରାପ ହୁଏ ନାହିଁ । ପିତାମାତା ଜ୍ୱରକୁ ଆବଶ୍ୟକତାଠାରୁ ଅଧିକ ଗମ୍ଭୀରତାର ସହ ଚିନ୍ତା କରନ୍ତି ଯାହାକୁ ଇଂରାଜୀ ଭାଷାରେ ଫିଭର ଫୋଭିଆ ବା “ଅହେତୁକ ଜ୍ୱର ଭୟ” କୁହାଯାଏ ।
ତରଳ ଝାଡ଼ା (ଇଂରାଜୀରେ Diarrhea କିମ୍ବା diarrhoea) ରୋଗର ସଂଜ୍ଞା ଅନୁସାରେ ପ୍ରତ୍ୟେକ ଦିନ ଅତି କମ୍ରେ ତିନି ଥର ତରଳ ଝାଡ଼ା ହେବା ଆବଶ୍ୟକ । ଏହା ସାଧାରଣତଃ କିଛି ଦିନ ନିମନ୍ତେ ରହିପାରେ, ଫଳରେ ଦେହର ଜଳୀୟ ଅଂଶ ହ୍ରାସ (ନିର୍ଜଳନ) ହୁଏ । ଚର୍ମର ଇଲାସ୍ଟିସିଟି କମିଯିବା ଓ ରୋଗିର ବ୍ୟକ୍ତିତ୍ୱ ପରିବର୍ତ୍ତନ ହେଉଛି ନିର୍ଜଳନର ଚିହ୍ନ । ପରିସ୍ରା ପରିମାଣ କମିଯାଏ, ଚର୍ମ ଶେତା ଦେଖାଯାଏ, ନାଡ଼ି ଦୃତ ହୁଏ ଓ ଗମ୍ଭୀର ଅବସ୍ଥା ହେଲେ ଚେତନ ଅବସ୍ଥା କମେ ତଥା ସମ୍ବେଦନହୀନ ହୁଏ । ପାଣିଆ ଝାଡ଼ା ସ୍ତନ୍ୟପାନ କରୁଥିବା ପିଲାଙ୍କର ଝାଡ଼ା ପତଳା ହେଲେ ମଧ୍ୟ ତାହା ସାଧାରଣ । ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ । ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇରଡିଜ୍ମ, ଲାକ୍ଟୋଜ ଇନ୍ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖଯୋଗ୍ୟ । ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ । ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ । ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି । ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବହାର କରିବା କଷ୍ଟକର ନୁହେଁ । ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । ଅଧିକାଂଶ କେଶରେ ପାଟିରେ ଏହି ତରଲ ପଦାର୍ଥ ଦେଇ ଚିକିତ୍ସା କରିହେବ । ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ । ବାର୍ଷିକ ୧.୭ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲାମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ । ସନ ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା । ବାରମ୍ବାର ତରଳ ଝାଡ଼ା ହେଲେ ଅପପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା । ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ହୃଦ୍ପାତ ବା ହାର୍ଟ ଫେଲ (ଇଂରାଜୀରେ Heart failure ସଂକ୍ଷିପ୍ତରେ HF), ରୋଗ କହିଲେ କ୍ରନିକ ହାର୍ଟ ଫେଲ ବା ଦୀର୍ଘସ୍ଥାୟୀ ହୃଦ୍ପାତ ରୋଗ ବୁଝାଏ ଯେଉଁଥିରେ ଶରୀରର ଆବଶ୍ୟକତା ଅନୁଯାୟୀ ରକ୍ତ ସଞ୍ଚାଳନ କରିବାକୁ ହୃତ୍ପିଣ୍ଡ ଅକ୍ଷମ ହୁଏ । ଏହାକୁ କଞ୍ଜେସ୍ଟିଭ ହାର୍ଟ ଫେଲ୍ୟୁର (ସଂକ୍ଷିପ୍ତରେ CHF) ବା କଞ୍ଜେସ୍ଟିଭ କାର୍ଡିଆକ ଫେଲ୍ୟୁର (ସଂକ୍ଷିପ୍ତରେ CCF) ମଧ୍ୟ କୁହାଯାଏ । ଏହାର ମୂଖ୍ୟ ଲକ୍ଷଣ ସମୂହ; ଛୋଟ ଶ୍ୱାସକ୍ରିୟା, ଅତ୍ୟଧିକ ଥକ୍କାଣ ଓ ପ୍ରାନ୍ତୀୟ ଇଡିମା ବା ଗୋଡ଼ ଫୁଲା ଦେଖାଯାଏ । ଛୋଟ ଶ୍ୱାସକ୍ରିୟା ହେବା ସମୟ:- ରୋଗୀ ବ୍ୟାୟାମ ବା ସମାନ୍ୟ ପରିଶ୍ରମ କଲେ, ଲମ୍ବ ଭାବରେ ଚିତ୍ ହୋଇ ଶୋଇଲେ ଯାହାକୁ ଅର୍ଥୋପ୍ନିଆ (ଇଂରାଜୀରେ orthopnea) କୁହାଯାଏ ଓ ରାତିରେ ଶୋଇଥିବା ବେଳେ ହୁଏ ଯାହାକୁ ପାରୋକ୍ସିସମାଲ ନୋକଚରନାଲ ଡିସନିଆ (ଇଂରାଜୀରେ breathing trouble at night while sleeping) କୁହାଯାଏ । ଉପଯୁକ୍ତ ଚିକିତ୍ସା କରାଯାଉଥିଲେ ମଧ୍ୟ ରୋଗୀର ଶ୍ରମଶକ୍ତି କମିଯାଏ । ହାର୍ଟ ଫେଲ୍ର କାରଣମାନଙ୍କ ମଧ୍ୟରେ କରୋନାରି ଧମନୀ ରୋଗ, ପୁର୍ବତନ ହୃଦ୍ଘାତ ବା ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫିବ୍ରିଲେସନ, ଭାଲ୍ଭ୍ୟୁଲାର ହାର୍ଟ ରୋଗ ଓ କାର୍ଡିଓମାୟୋପାଥି ସାଧାରଣତଃ ଦେଖାଯାଏ । ଏହି ରୋଗଗୁଡ଼ିକ ହୃତ୍ପିଣ୍ଡର ଗଠନ କିମ୍ବା କର୍ମମାନଙ୍କୁ ବଦଳେଇ ଦେବାରୁ ହୃଦ୍ପାତ ହୁଏ । ଦୁଇ ପ୍ରକାର ହୃଦ୍ପାତ ଦେଖାଯାଏ: ପ୍ରଥମଟି ଭେଣ୍ଟ୍ରିକୁଲାର ଅପକର୍ମ, ଦ୍ୱିତୀୟଟି ବାମ ନିଳୟ ସଙ୍କୋଚନ ଶକ୍ତି କମିବା ବା ହୃତ୍ପିଣ୍ଡ ବିଶ୍ରାନ୍ତକ (relaxation) ଶକ୍ତି କମିବା ସହ ସାଧାରଣ ରକ୍ତ ନିଷ୍କାସନ ଥାଏ । ବ୍ୟାୟାମ ଶକ୍ତି କମିବା ସ୍ତରକୁ ନେଇ ଏହାର ଗ୍ରେଡ ନିର୍ଣ୍ଣୟ କରାଯାଏ । ହୃଦ୍ପାତ ସହ ହୃଦ୍ଘାତ ସମାନ ନୁହେଁ, ଦ୍ୱିତୀୟ ରୋଗରେ ହୃତ୍ପିଣ୍ଡ ମାଂସପେଶୀ ମରିଯାଏ ବା ହୃତ୍ପିଣ୍ଡ ବନ୍ଦ ହୋଇଯାଇ ରକ୍ତ ସଞ୍ଚାଳନ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।ଏହି ହୃଦ୍ପାତ ଲକ୍ଷଣ ଭଳି ଅନ୍ୟ କେତେକ ରୋଗରେ ପ୍ରାୟ ସମାନ ଧରଣର ଲକ୍ଷଣ ଦେଖାଯାଏ, ସେମାନଙ୍କର ନାମ: ମୋଟାପଣ, ବୃକ୍କ ରୋଗ, ଯକୃତ ରୋଗ, ଆନିମିଆ ଓ ଥାଇରଏଡ ରୋଗ ।ଲକ୍ଷଣ ଇତିହାସ ଓ ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଓ ଇ.ସି.ଜି. (electrocardiogram) ପରୀକ୍ଷା ଫଳକୁ ନେଇ ନିଷ୍ପତ୍ତି ନିଆଯାଏ । ରକ୍ତ ପରୀକ୍ଷା, ଇ.ସି.ଜି.
ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ ରାଜନୈତିକ ଦଳ ଅଟେ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ଅଟେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
ବଙ୍ଗଳା ଭାଷା (), ଏହାର ଅନ୍ୟନାମ "ବାଂଲା" (UK: ; বাংলাcode: bn is deprecated ) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।
ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/breastfeed ବା ନର୍ସିଙ୍ଗ/nursing) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନକୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । ଶିଶୁର ବୟସ ବୃଦ୍ଧି ସହିତ ସ୍ତନ୍ୟପାନର ଆବୃତ୍ତି କମିଯାଏ । କେତେକ ମାତା ସ୍ତନରୁ ପମ୍ପ ସାହାଯ୍ୟରେ ଦୁଧ ପରବର୍ତ୍ତୀ ବ୍ୟବହାର ନିମନ୍ତେ ବା ଅନ୍ୟମାନଙ୍କ ନିମନ୍ତେ ବାହାର କରି ଗଚ୍ଛିତ କରି ରଖନ୍ତି । ସ୍ତନ୍ୟପାନ ଉଭୟ ମାତା ଓ ଶିଶୁର ଉପକାର କରେ । ଇନଫ୍ୟାଣ୍ଟ ଫର୍ମୁଲା ଏକ ବ୍ୟବସାୟ ପ୍ରସ୍ତୁତ ଶିଶୁ ଖାଦ୍ୟ ଯାହାର ଅନେକ ଉପକାରୀତା ନାହିଁ । ହିସାବ କରି ଦେଖାଯାଇଛି ସାରା ପୃଥିବୀରେ ପ୍ରତି ବର୍ଷ ଏକ ନିୟୁତରୁ ଅଧିକ ଶିଶୁ ସ୍ତନ୍ୟପାନକରି ବଞ୍ଚି ପାରିବେ । ସ୍ତନ୍ୟପାନଦ୍ୱାରା ଶ୍ୱାସକ୍ରିୟା ନଳୀ ସଂକ୍ରମଣ ଓ ତରଳ ଝାଡ଼ା ରୋଗ ସଙ୍କଟ କମିଯାଏ । ଏହି ସତ୍ୟ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ନିମନ୍ତେ ପ୍ରଯୁଜ୍ୟ । ଅନ୍ୟ ଉପକାର ମଧ୍ୟରେ ଆଜମା, ଖାଦ୍ୟ ଆଲର୍ଜି, ସିଲିଆକ ରୋଗ, ଟାଇପ ୧ ଡାଏବେଟିସ ଓ ଲିଉକେମିଆ ରୋଗମାନଙ୍କ ସଙ୍କଟ କମିଯାଏ । ସ୍ତନ୍ୟପାନ କଲେ ବୋଧଶକ୍ତି ଉନ୍ନତ ହୁଏ ଓ ବଡ଼ ହେଲେ ମୋଟାପା ସମ୍ଭାବନା କମିଯାଏ । କେତେକ ମାତା ସ୍ତନ୍ୟପାନ ନିମନ୍ତେ ଚାପ ଅନୁଭବ କରନ୍ତି, କିନ୍ତୁ ସ୍ତନ୍ୟପାନ ନ କରି ମଧ୍ୟ ପିଲାମାନେ ଉଲ୍ଲେଖନୀୟ କ୍ଷତି ବିନା ସାଧାରଣ ଭାବେ ବଢ଼ିପାରନ୍ତି । ସ୍ତନ୍ୟପାନ କରେଇଲେ ପ୍ରସବ ପରେ ମାଆର ରକ୍ତସ୍ରାବ କମ ହୁଏ, ଜରାୟୁ ସଙ୍କୋଚନ ଭଲ ହୁଏ, ଓଜନ ହ୍ରାସ କମ ହୁଏ ଓ ପ୍ରସବ ପରବର୍ତ୍ତୀ ଅବସାଦ କମ ହୁଏ । ପରବର୍ତ୍ତୀ ଋତୁସ୍ତାବ ସମୟ ବଢ଼ିଯାଏ ଓ ଏହି ଦୁଗ୍ଧ ସ୍ରବଣ ଋତୁରୋଧ (lactational amenorrhea) ଫଳରେ ପ୍ରଜନନ କ୍ଷମତା ବିଳମ୍ବରେ ଆସେ । ଦୀର୍ଘକାଳୀନ ଉପକାର ମଧ୍ୟରେ ସ୍ତନ କର୍କଟ, ହୃତପିଣ୍ଡରକ୍ତନଳୀ ରୋଗ ଓ ରିଉମାଟଏଡ ରୋଗ ସଙ୍କଟ କମିଯାଏ । ବଜାର ଶିଶୁଖାଦ୍ୟ ଅପେକ୍ଷା ସ୍ତନ୍ୟପାନ ନିଃଶୁଳ୍କ ଅଟେ । ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଛି । ଏହାର ଅର୍ଥ ଭିଟାମିନ ଡି ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ବା ପାନୀୟ ଦିଆଯାଏ ନାହିଁ । ଏକ ବର୍ଷ ବୟସ ପର୍ଯ୍ୟନ୍ତ ନିରନ୍ତର ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । ସାରା ପୃଥିବୀରେ ପ୍ରାୟ ୩୮ % ଶିଶୁ ପ୍ରଥମ ୬ ମାସ ଧରି କେବଳ ସ୍ତନ୍ୟପାନ କରନ୍ତି । ଆମେରିକାରେ ୭୫ % ମହିଳା ସ୍ତନ୍ୟପାନ ଆରମ୍ଭ କରନ୍ତି ଓ ୪୩ % ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । ସ୍ତନ୍ୟପାନ ବନ୍ଦ କରିବାକୁଥିବା ଡାକ୍ତରୀ ଉପଦେଶ ଅତି ଅସାଧାରଣ । ସ୍ତନ୍ୟପାନ ସମୟରେ ଅନେକ ଔଷଧ ଖାଇବାକୁ ମନା କରାଯାଏ ।
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ । ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ ।ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ (primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି.
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ । ପ୍ରଛନ୍ନ ଯକ୍ଷ୍ମା ରୋଗ ବ୍ୟାପେ ନାହିଁ । ଏଚଆଇଭି/ଏଆଇଡିଏସ ଦେହରେ ଥିଲେ ବା ଅତ୍ୟଧିକ ଦୂମ୍ରପାନ କରୁଥିଲେ ଏହି ରୋଗ ଅଧିକ ହେବା ସମ୍ଭାବନା ରହେ । ଛାତି ଏକ୍ସ-ରେ ଓ ଦେହର ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ବା ଅଣୁଜୀବ କଲଚର କରି ରୋଗ ନିର୍ଣ୍ଣୟ କରାଯାଏ । ମାଣ୍ଟୁକ୍ସ ପରୀକ୍ଷା ଓ ରକ୍ତ ପରୀକ୍ଷା ଉପରେ ପ୍ରଛନ୍ନ ଯକ୍ଷ୍ମା ରୋଗ ନିର୍ଣ୍ଣୟ ନିର୍ଭର କରେ । ଅଧିକ ସଙ୍କଟାପନ୍ନ କେଶ୍ରେ ଯକ୍ଷ୍ମା ପ୍ରତିଷେଧ ନିମନ୍ତେ ସ୍କ୍ରୀନିଙ୍ଗ, ଆଶୁ ଚିହ୍ନଟ ତଥା ଚିକିତ୍ସା ଓ ବିସିଜି ଟିକାକରଣ କରାଯାଏ । ଘରେ, କାର୍ଯ୍ୟସ୍ଥାନରେ ଓ ସାମାଜିକ ମିଳନ ସ୍ଥାନରେ ସକ୍ରିୟ ରୋଗୀ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । ଅଧିକ ସମୟ ନିମନ୍ତେ ଏକାଧିକ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ଏକ ବର୍ଦ୍ଧିଷ୍ଣୁ ସମସ୍ୟା ରୂପେ ଠିଆ ହେଉଛି ।ପୃଥିବୀରେ ଏକ ତୃତୀୟାଂଶ ଲୋକଙ୍କର ଯକ୍ଷ୍ମା ରୋଗ ଥିବା ବିଶ୍ୱାସ କରାଯାଏ । ପ୍ରତିବର୍ଷ ଲୋକ ସଂଖ୍ୟାର ପ୍ରାୟ ୧% ଲୋକଙ୍କର ନୂଆ ରୋଗ ହୁଏ । ସନ ୨୦୧୪ରେ ୯.୬ ନିୟୁତ ଲୋକଙ୍କର ଯକ୍ଷ୍ମା ହୋଇ ପ୍ରାୟ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟାର ୯୫% ବିକାଶଶୀଳ ଦେଶମାନଙ୍କରେ ହୁଏ । ସନ ୨୦୦୦ ପରଠାରୁ ଏହି ରୋଗୀସଂଖା ବଢ଼ିଚାଲିଛି । ଏସିଆ ଓ ଆଫ୍ରିକାର ୮୦% ଲୋକ ଓ ଯୁକ୍ତରାଷ୍ଟ୍ର ଆମେରିକାର ୫ରୁ ୧୦% ଲୋକ ଟ୍ୟୁବରକୁଲିନ ପରୀକ୍ଷାର ପଜିଟିଭ ହୁଏ । ପୁରାକାଳରୁ ମାନବଙ୍କର ଦେହରେ ଯକ୍ଷ୍ମା ହେଉଥିବା ଜଣାଯାଏ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଜୀବାଣୁ ଦେହରେ ପ୍ରବେଶ କଲେ ମଧ୍ୟ ମରି ଯାଆନ୍ତି । କେତେକ କାରଣ ଯେପରିକି ଏଚ.ଆଇ.ଭି ସଂକ୍ରମଣ ରୋଗ ଯୋଗୁ ପ୍ରତିରୋଧକ ଶକ୍ତି କମିଯାଇ ରୋଗ ସଙ୍କଟ ସୃଷ୍ଟି ହୁଏ । ଅଧୁନା ଯକ୍ଷ୍ମା ରୋଗର ଅଧିକ ସଂକ୍ରମଣର ଏହା ଏକ ପ୍ରଧାନ, ଉଲ୍ଲେଖ ଯୋଗ୍ୟ ଓ ଚିନ୍ତା ଉଦ୍ରେକକାରୀ କାରଣ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଇଞ୍ଚୋଳ ହେଉଛି ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ହାଟଡିହୀ ବ୍ଲକ ଅନ୍ତର୍ଗତ ଏକ ଗାଁ ଓ ଗ୍ରାମପଞ୍ଚାୟତ ।ଏହା ଏକ ଐତିହାସିକ ଗାଁ |କେନ୍ଦୁଝର ର ଭଞ୍ଜ ରାଜପରିବାର ର ସୁଯୋଗ୍ୟ ଦାୟଦ ଜନାର୍ଦ୍ଦନ ଭଞ୍ଜଙ୍କ କାଳରେ ସମଗ୍ର ଗଡଜାତ ଅଞ୍ଚଳରେ ନାରାୟଣ ବିଷ୍ଣୁ ରୂପେ ପୂଜିତ ହେଉଥିବା ସ୍ଥଳେ ଇଞ୍ଚୋଳରେ ବ୍ରହ୍ମା ଓ ବିଷ୍ଣୁଙ୍କ ମିଳିତ ଅବୟବ ବିରଞ୍ଚିନାରାୟଣ ପ୍ରତିଷ୍ଠା କରାଯିବା ସହିତ ଅନତି ଦୂରରେ ଏକ ଗଭୀର ପୁଷ୍କରଣୀ ଖନନ କରାଯାଇଥିଲା ।ଯାହାର ନାମ ମାର୍ଥା ଗାଁ ଶେଷ ମୁଣ୍ଡରେ ପଦ୍ମ ଫୁଲ ସହ ଶୋଭା ବର୍ଦ୍ଧନ କରେ ଏହି ପୋଖରୀ । ତତ୍କାଳୀନ ସମଗ୍ର ମୋଗଲ ବନ୍ଦୀ ଓ ରାଜା ରାଜୁଡାଙ୍କ ଗଡରେ ବ୍ରହ୍ମାଙ୍କ ଅବୟବ ପୂଜିତ ହେଉନଥିବା ବେଳେ ଭଦ୍ରକ ଜିଲ୍ଲାସ୍ଥ ପାଳିଆ ଓ ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ଏକ ମାତ୍ର ବ୍ରହ୍ମା ମନ୍ଦିର ସେହି କାଳରୁ ଅବସ୍ଥାପିତ ଓ ଅପୂଜିତ ଅବସ୍ଥାରେ ରହିଥିଲେ ।ଅଗ୍ନିଉତ୍ସବ ,ଅଗିରାପୂର୍ଣ୍ଣମୀର ପରଦିନ ଖୋଲାଯାଇ ଗୋଟିଏ ଦିନ ମାତ୍ର ପୂଜା କରାଯାଏ ।ମାତ୍ର ବ୍ରହ୍ମା ଓ ବିଷ୍ଣୁଙ୍କର ମିଳିତ ପ୍ରତିମୂର୍ତ୍ତୀ ପାର୍ଶ୍ୱରେ ସ୍ୱୟଂ ପ୍ରଭୁ ଅଞ୍ଚଳେଶ୍ୱର ଆବିର୍ଭୁତ ହୋଇଥିଲେ ବ୍ରହ୍ମାବିଷ୍ଣୁମହେଶ୍ୱର , ସୃଷ୍ଟିସ୍ଥିତିପ୍ରଳୟର ପ୍ରତୀକ ଥିବା ଧାମକୁ ପ୍ରଭୁ ଅଞ୍ଚଳେଶ୍ୱରଙ୍କ ନାମ ଅନୁସାରେ ଇଞ୍ଚୋଳ ରଖାଯାଇଥିଲା । ସମଗ୍ର ଓଡିଶାରେ ଏକମାତ୍ର ବିରଞ୍ଚିନାରାୟଣ ମନ୍ଦିର ଇଞ୍ଚୋଳରେ ।ଇଞ୍ଚୋଳର ଇତିହାସ ଖୁବ୍ ପ୍ରାଚୀନ ବୋଲି ବିଶ୍ୱାସ କରାଯାଏ.....
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |