ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର
ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ, ବ୍ରହ୍ମପୁର (ଇଂରାଜୀ: Indian Institute of Science Education and Research Berhampur) (ଲଘୁରୂପ: ଆଇଜର ବ୍ରହ୍ମପୁର) ଏକ ସ୍ୱୟଂଶାସିତ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଯାହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ) ଦ୍ଵାରା ଓଡିଶା ପ୍ରଦେଶର ବ୍ରହ୍ମପୁର ଠାରେ ପ୍ରତିଷ୍ଠା କରାଯାଇଥିଲା। ଯାହାର ଉଦ୍ଦେଶ୍ୟ ରହିଥିଲା, ଉଚ୍ଚତର ବୈଜ୍ଞାନିକ ଶିକ୍ଷା ଏବଂ ଅନୁସନ୍ଧାନ ସହ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଗୁଣ ସମ୍ପନ୍ନ ଶିକ୍ଷାବିତ ମାନଙ୍କର ନିର୍ମାଣ କରିବା। ଏହି ଅନୁଷ୍ଠାନଟି ଭାରତ ସରକାରଙ୍କ ଦ୍ୱାରା ' ଜାତୀୟ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ' ଭାବରେ ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନଟି ୨୦୧୬-୧୭ ଶିକ୍ଷାବର୍ଷ ର ଅଗଷ୍ଟ ମାସରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ଏହା ଭାରତର ଅନ୍ୟ ସାତୋଟି ଆଇଜର ମଧ୍ୟରେ ଅନ୍ୟତମ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ରାଧା (ହିନ୍ଦୀରେ राधा, ରୋମାନ ଲିପିରେ ଉଚ୍ଚାରଣଗତ ଦୃଷ୍ଟିରୁ ମୂଳ ସଂସ୍କୃତ ଶବ୍ଦ Rādhā), ଯିଏ ରାଧାରାଣୀ, ରାଧିକା, ରାଧୀକାରାଣୀ ବା ଶ୍ରୀମତୀ ରୂପେ ହିନ୍ଦୁଧର୍ମର ବୈଷ୍ଣବମାନଙ୍କଦ୍ୱାରା ପୂଜିତା, ବ୍ରହ୍ମ ବୈବର୍ତ ପୁରାଣ ଓ ଗୀତ ଗୋବିନ୍ଦ ଅନୁସାରେ ସିଏ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବାଳସଖି, ପ୍ରେମିକା। ରାଧା ପ୍ରାୟ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୋଇଥାନ୍ତି। ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ନିମ୍ବାର୍କ ସମ୍ପ୍ରଦାୟର ବୈଷ୍ଣବମାନଙ୍କର ମଧ୍ୟ ମୂଖ୍ୟ ଆରାଧିତା ଦେବୀ ହେଉଛନ୍ତି ରାଧା। ନିମ୍ବାର୍କ ଋଷି, ଯିଏ ନିମ୍ବାର୍କ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ, ତାଙ୍କ ମତରେ ରାଧା ଓ କୃଷ୍ଣଙ୍କର ମିଳିତ ସତ୍ତା ହେଉଛି ସତ୍ୟର ପ୍ରତୀକ। କୃଷ୍ଣଙ୍କ ସହିତ ରାଧାଙ୍କର ଅପ୍ରାକୃତ ପ୍ରେମର ବର୍ଣ୍ଣନା ବ୍ରହ୍ମ ବୈବର୍ତ ପୁରାଣ, ଗର୍ଗ ସଂହିତା ଓ ବୃହଦ୍ ଗୌତମୀୟ ତନ୍ତ୍ରରେ ଦେଖିବାକୁ ମିଳେ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ହରିହର ବାହିନୀପତି (୧୦ ସେପ୍ଟେମ୍ବର ୧୯୨୭ - ୨୫ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ଲେଖକ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନରକର କଇଁ, କରାରା ମଣିଷ ଭଳି ଉପନ୍ୟାସ ରଚନା କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ନିର୍ମାଲ୍ୟ ପୁରୀରୁ ପ୍ରତିବର୍ଷ ଦୁଇଥର ପ୍ରକାଶ ପାଉଛି ।
ଶ୍ରୀନିବାସ ରାମାନୁଜନ FRS (pronunciation ) (୨୨ ଡିସେମ୍ବର 1887 – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ’ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ । ଶଙ୍ଖ ଓ କୋଏଲ ନାମକ ଦୁଇଟି ନଦୀ ଝାଡ଼ଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଭୂମିରୁ ବାହାରିଛନ୍ତି । ଏହି ଦୁଇନଦୀ ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ନିକଟବର୍ତୀ ପାନପୋଷଠାରେ ମିଳିତ ହୋଇ ଗୋଟିଏ ନଦୀ ହୋଇଛନ୍ତି । ଏହାର ନାମ ବ୍ରାହ୍ମଣୀ । ଏହା କଟକ ଜିଲ୍ଲା ଓ ଯାଜପୁର ଅଞ୍ଚଳରେ ବୈତରଣୀ ନଦୀ ସହିତ ମିଶି ବଙ୍ଗୋପସାଗରରେ ପଡ଼ିଅଛି । ବଣାଇଗଡ଼, ଭୁବନ, ତାଳଚେର ଓ ଜେନାପୁର ଏହି ନଦୀର କୂଳରେ ଅବସ୍ତିତ । ବ୍ରାହ୍ମଣୀ ନଦୀରେ ବେଶି ବନ୍ୟା ହେଲେ ଯାଜପୁର ଅଞ୍ଚଳର କ୍ଷତି ହୁଏ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଏଲୋରା (ଈଂରାଜୀରେ Ellora, ମରାଠୀ ଭାଷାରେ वेरूळ, ମରାଠୀ ଉଚ୍ଚାରଣ - ୱେରୁଳ୍) ଗୁମ୍ଫା ସମୂହ ଭାରତର ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଗୋଟିଏ ବିଶାଳକାୟ ପଥରକୁ କାଟି ନିର୍ମିତ ଗୁମ୍ଫା-ମନ୍ଦିର ଭାବେ ଏହା ବିଶ୍ୱରେ ସର୍ବବିଦିତ । UNESCO ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ଏହି ଗୁମ୍ଫା ମନ୍ଦିରରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧାର୍ମିକ ଭାବନା ପ୍ରତିଫଳିତ ହୋଇଛି । ଏହି ଗୁମ୍ଫାର ମୂର୍ତ୍ତି ଓ ଶିଳ୍ପକଳା ଖ୍ରୀ.
ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ୱିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ୱଦ୍ୱାରା ସେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ୱାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଜଣେ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ ।ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।ସେ ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ଧାରଣ କରିଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଡାରୁନାଭିର (ଇଂରାଜୀ ଭାଷାରେ Darunavir ବା DRV, ବିକ୍ରୟ ନାମ ପ୍ରେଜିସ୍ଟା, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ଏହା ଦିଆଯାଏ । ଡାରୁନାଭିର ସ୍ତର ବୃଦ୍ଧି କରିବା ନମନ୍ତେ ଅଳ୍ପ ମାତ୍ରାର ରିଟୋନାଭିର ବା କୋବିସିସ୍ଟାଟ (cobicistat) ଦିଆଯାଏ । ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ସଂଭାବ୍ୟ ସଂସ୍ପର୍ଶ ନିମନ୍ତେ ଏହା ଦିଆଯାଇପାରେ । ଦିନକୁ ଦୁଇ ଥର ପାଟିରେ ଏହି ଔଷଧ ଦିଆଯାଏ । ଏହାର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ (nausea), ପେଟ ଯନ୍ତ୍ରଣା (abdominal pain), ମୁଣ୍ଡବଥା ଓ ରାସ (rash) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି, ଯକୃତ ସମସ୍ୟା (liver problems) ଓ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis) ଆଦି ଲକ୍ଷଣ ଦେଖାଯାଏ । ଉପଯୁକ୍ତ ଅନୁଧ୍ୟାନ କରାଯାଇନଥିଲେ ମଧ୍ୟ ଏହା ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଏ ।ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଏକ ଔଷଧ ଯାହା ଏଚଆଇଭି ପ୍ରୋଟିଏଜକୁ (HIV protease) ଅବରୋଧ କରି କାମ କରେ ।ସନ ୨୦୦୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୫ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୋଇନାହିଁ । ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୬୬ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ୨୦୦ଆମେରିକୀୟ ଡଲାର ।
ଚୀନ୍, ଭାରତ ଓ ବଙ୍ଗଳାଦେଶ ମଧ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ଏସିଆର ଏକ ପ୍ରମୁଖ ନଦୀ । ତିବ୍ୱତରେ ଏହି ନଦୀ ସାଂଗପୋ ନାମରେ ଜଣା । ତେଣୁ ତିବ୍ୱତ ଓ ଭାରତରେ ପ୍ରବାହିତ ଅଂଶକୁ ଯୋଡି ଏହି ନଦୀକୁ ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହାଯାଏ । ଭୁଟାନରେ ପ୍ରବାହିତ ମାନସ ନଦୀ ଭାରତର ଜୋଗୀଘୋପାଠାରେ ବ୍ରହ୍ମପୁତ୍ର ନଦୀରେ ସମ୍ମିଳିତ ହୁଏ । ନିଷ୍କାସିତ ଜଳର ପରିମାପ ଅନୁସାରେ ଏହା ବିଶ୍ୱରେ ଦଶମ ବୃହତ୍ ଓ ଦୈର୍ଘ୍ୟରେ ଏହା ବିଶ୍ୱରେ ପଞ୍ଚଦଶ ସ୍ଥାନର ଅଧିକାରୀ । ତିବ୍ୱତରେ ଥିବା ଉତ୍ତର ହିମାଳୟର ବୁରାଙ୍ଗ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଏହି ନଦୀର ଉତ୍ପତ୍ତି । ଉପର ଅଞ୍ଚଳରେ ସାଂଗପୋ ନାମରେ ବିଦିତ ଏହି ନଦୀ ୟାରଲୁଙ୍ଗ-ସାଂଗପୋ ବୃହତ ଗଣ୍ଡ ଦେଇ ଅରୁଣାଚଳ ପ୍ରଦେଶରେ ଭାରତକୁ ପ୍ରବେଶ କରିଛି । ୟାରଲୁଙ୍ଗ-ସାଂଗପୋ ସହ ଏହି ନଦୀର ସମ୍ପର୍କ ୧୮୮୪-୮୬ ମସିହାରେ ଜ୍ଞାତସାରକୁ ଆସିଲା । ତେଣୁ ଏହି ନଦୀକୁ କେହି କେହି ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହନ୍ତି । ତା’ପରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଆସାମରେ ବ୍ରହ୍ମପୁତ୍ର ଓ ବଙ୍ଗଳାଦେଶରେ ଜମୁନା ନାମରେ ପ୍ରବାହିତ ହୋଇଛି । ବ୍ରହ୍ମପୁତ୍ର ନଦୀ ବିସ୍ତୃତ ଗାଙ୍ଗେୟ ତ୍ରିକୋଣଭୂମିରେ ପ୍ରଥମେ ପଦ୍ମା ନଦୀ (ବଙ୍ଗଳାଦେଶରେ ଗଙ୍ଗା ନଦୀର ନାମ) ଓ ପରେ ମେଘନା ନଦୀ ସହିତ ମିଳିତ ହୋଇ ବଙ୍ଗୋପସାଗରରେ ନିଷ୍କାସିତ ହୋଇଛି । ପ୍ରାୟ ୩୮୪୮ କି.ମି. ଦୀର୍ଘ ବ୍ରହ୍ମପୁତ୍ର ଜଳସେଚନ ଓ ପରିବହନ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଏହି ନଦୀର ହାରାହାରି ଗଭୀରତା ପ୍ରାୟ ୩୮୦ ଫୁଟ୍ ବା ୧୨୦ ମିଟର ହେବ । ବସନ୍ତ ଋତୁରେ ହିମାଳୟର ବରଫ ତରଳିଲେ ଏହି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ବର୍ଷରେ ହାରାହାରି ୭୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରୁଥିବା ବ୍ରହ୍ମପୁତ୍ର ବନ୍ୟା ସମୟରେ ପ୍ରାୟ ୩୫,୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରିଥାଏ । and floods can reach over ୧୦୦,୦୦୦ m୩/s (୩,୫୦୦,୦୦୦ cu ft/s).
ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଶିବଙ୍କ ପୂଜା କରଯାଏ । ଏହା ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ।ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର 'ମାଘସ୍ନାନ' ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ ।
ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦ ଗୁଡିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ୱୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ୱକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ପୁପୁଲ ଭୂୟାଁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ପ୍ରତିଯୋଗୀତାରେ ପୁପୁଲ ୭୦୦ ପ୍ରତିଯୋଗୀଙ୍କ ମଧ୍ୟରେ ବିଜେତା ହୋଇଥିଲେ । ଏହି ପ୍ରତିଯୋଗୀତାର ସେମିଫାଇନାଲରେ ବେଷ୍ଟ ରାମ୍ପ ୱାକ୍ ପୁରସ୍କାର ଜିତିଥିଲେ ।
ଲାଟିନ ଭାଷା (; Latin: [lingua latīna] ; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ବିରଜା ମନ୍ଦିର (ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ) ଯାଜପୁର ଜିଲ୍ଲାର ଏକ ଦେବୀ ମନ୍ଦିର । ଏହା ଭାରତର ବିରଜା କ୍ଷେତ୍ର ନାମରେ ଜଣା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ରରେ ପଡ଼ିଥିଲା ଏବଂ ନାଭି ଦେଶରେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠର ନାମ ଓଡ୍ଡିୟାଣ ପୀଠ ହୋଇଅଛି, ଏବଂ ଏହି ପ୍ରଦେଶର ନାମ ଓଡ୍ର ଦେଶ ହୋଇଅଛି।
ନୃତତ୍ତ୍ୱ ବିଜ୍ଞାନ ଅତୀତ ଓ ବର୍ତ୍ତମାନର ମଣିଷମାନଙ୍କର ବୈଜ୍ଞାନିକ ଅଧ୍ୟୟନର ବିଦ୍ୟା ଅଟେ । ଏହି ଶାସ୍ତ୍ର ସମାଜଶାସ୍ତ୍ର, ମାନବିକୀ ଶାସ୍ତ୍ର, ତଥା ବିଜ୍ଞାନୱର ନାନା ବିଦ୍ୟାଲୋଚନାର ପରମ୍ପରାର ଭିତ୍ତିରେ ଜ୍ଞାନନିର୍ମାଣ କରେ । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରୁ, ଅର୍ଥାତ୍, ଫ୍ରାଞ୍ଜ୍ ବୋଆସ୍ ଓ ବ୍ରୋନିସ୍ଲ୍ ମାଲିନସ୍କି ଙ୍କର ସମୟରୁ ଯୁକ୍ତରାଜ୍ୟ ଆମେରିକାରେ ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନ ଓ ବିଲାତରେ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ନିଜକୁ ଏଥ୍ନୋଲୋଜି ଓ ଅନ୍ୟ ସମାଜଶାସ୍ତ୍ରଠାରୁ ପଦ୍ଧତିରେ ଆନ୍ତର୍ସାଂସ୍କୃତିକ ତୁଳନା, ସନ୍ଦର୍ଭର ଦୀର୍ଘମିଆଦୀ ଓ ଗଭୀର ପରୀକ୍ଷା, ଓ ଗବେଷଣାର କ୍ଷେତ୍ରରେ ସହଭାଗୀ ନୀରିକ୍ଷଣର ବ୍ୟବହାର ଯୋଗୁ ଭିନ୍ନ ବୋଲି ପ୍ରତିପାଦିତ କରି ଆସିଛି ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।