ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ନାଭି ନାଡ଼ ନିର୍ଗମନ ବା ଅମ୍ବିଲିକାଲ କର୍ଡ଼ ପ୍ରୋଲାପ୍ସ (Umbilical cord prolapse) ନାମ ଦିଆଯାଏ ଯେତେବେଳେ ପ୍ରସବ (labor) ସମୟରେ ଶିଶୁ ବାହାରକୁ ଆସିବା ପୂର୍ବରୁ ନାହି ନାଡ଼ (umbilical cord) ଜରାୟୁରୁ (uterus) ବାହାରକୁ ବାହାରିଆସେ । ଏହା ଏକ ଚିନ୍ତାର ବିଷୟ ଯେହେତୁ ନାହି ଉପରେ ଚାପ ପଡ଼ିବା ଯୋଗୁ ଶିଶୁର ରକ୍ତ ଯୋଗାଣ ବନ୍ଦ ହୋଇଯାଏ ବା କମିଯାଏ ।ପୂର୍ବରୁ ଦୁଇଟି ଶିଶୁ ଜନ୍ମ ହୋଇସାରିଥିଲେ ଓ ଚଳିତ ପ୍ରସବ ସମୟରେ ଜରାୟୁ ମଧ୍ୟରେ ଶିଶୁର ଅସାଧାରଣ ଅବସ୍ଥିତି ଥିଲେ ନାଭି ନାଡ଼ ନିର୍ଗମନ ସଙ୍କଟ ଅଧିକ ରହେ । ସମୟପୂର୍ବ ପ୍ରସବ (prematurity), ଛୋଟ ଶିଶୁ, ଜମଜ ଗର୍ଭ, ପୂର୍ବରୁ ଅଧିକ ଗର୍ଭ ହୋଇଥିଲେ ଓ ଅଧିକ ଗର୍ଭୋଦକ ଥିଲେ ଏହି ସଙ୍କଟ ଅଧିକ ରହେ । ଆମ୍ନିଓଟୋମି (medical rupture of the amniotic sac ଏହାର କାରକ ବିଷୟଟି ବିବାଦାତ୍ମକ ଅଛି । ପ୍ରସବ ସମୟରେ ହଠାତ୍ ଶିଶୁର ହୃଦ୍ଗତି କମିଗଲେ ଏହା ସନ୍ଦେହ କରାଯାଏ । ନାଭି ନାଡ଼ ଦେଖିଲେ ବା ଭିତରେ ଅନୁଭବ କରି ନିର୍ଣ୍ଣୟ କରାଯାଇପାରେ ।ଏଭଳି କେଶ୍ର ପରିଚାଳନାରେ ତୁରନ୍ତ ପ୍ରସବ କରେଇବାକୁ ଧ୍ୟାନ ଦିଆଯାଏ, ସାଧାରଣତଃ ସିଜରିଆନ ସେକସନ (cesarean section) ଜରିଆରେ । ସମ୍ଭବ ହେଲେ ଶିଶୁକୁ ହାତ ସାହାଯ୍ୟରେ ଉପରକୁ ଠେଲି ଦିଆଯାଏ । ନି-ଚେଷ୍ଟ ପୋଜିସନ (knee-chest position) ବା ଯଦି ଏହା ସମ୍ଭବ ନହୁଏ ଟ୍ରେଣ୍ଡେଲେନବର୍ଗ ପୋଜିସନ (Trendelenburg position) ବ୍ୟବହାର କରାଯାଏ । ଉପଯୁକ୍ତ ଚିକିତ୍ସାରେ ଅଧିକାଂଶ କେଶ୍ର ଫଳାଫଳ ଭଲ ରହେ । ପ୍ରତି ୫୦୦ ପ୍ରସବରେ ଜଣକର ନାଭି ନାଡ଼ ନିର୍ଗମନ ସମସ୍ୟା ଉପଜେ । ୧୦% କେଶ୍ରେ ଶିଶୁର ମୃତ୍ୟୁ ସଙ୍କଟ ରହେ । ଜନ୍ମ ତୃଟି (en:congenital anomalies) ଥିଲେ ବା ପ୍ରିମାଚ୍ୟୁର ଶିଶୁ (prematurity) ଥିଲେ ଏହା ସଙ୍କଟ ରହେ । ଏଭଳି ରୋଗୀଙ୍କୁ ଆଶୁ ଚିକିତ୍ସା କରାଯା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସାର୍କ (ଇଂରାଜୀ ଭାଷାରେ Sharks) ଏକ ପ୍ରକାର (elasmobranch ) ମାଛ ଦଳକୁ ବୁଝାଏ ଯାହାର ଉପାସ୍ଥିରେ ଗଢ଼ା କଙ୍କାଳ (cartilaginous skeleton) ଥାଏ, ୫-୭ ଗାଲିସି ଫାଙ୍କ (gill slits) ଉଭୟ ପାଖ ମଥାରେ ଥାଏ ଓ ମୁଣ୍ଡ ସହ ସଂଯୁକ୍ତ ହୋଇନଥିବା ପେକ୍ଟୋରାଲ ଫିନ (pectoral fins) ଥାଏ । ଅଧୁନା ସାର୍କମାମନଙ୍କୁ କ୍ଲେଡ (clade) ସେଲାସିମର୍ଫ ଓ ଭଗିନୀ ଦଳକୁ (sister group) ବାଟଏଡିଆ (rays), ଏହି ଦୁଇ ଦଳରେ ବିଭକ୍ତ କରାଯାଉଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ହୃଦରକ୍ତନଳୀ ରୋଗ ବା ସିଭିଡି (ଇଂରାଜୀରେ Cardiovascular disease କିମ୍ବା CVD) ଏକ ରୋଗ ଶ୍ରେଣୀ ରୋଗ ଯେଉଁଥିରେ ହୃତ୍ପିଣ୍ଡ ଓ ରକ୍ତନଳୀ ରୋଗଗ୍ରସ୍ତ ହୋଇଥାଏ । ସିଭିଡି ପର୍ଯ୍ୟାୟର ରୋଗଙ୍କର ନାମ: ଇସ୍କେମିକ ହୃତ୍ପିଣ୍ଡ ରୋଗ ବା ଆଇ.ଏଚ.ଡି. (ischemic heart disease), ସ୍ଟ୍ରୋକ, ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ହୃତ୍ପିଣ୍ଡ ରୋଗ, ରିଉମାଟିକ୍ ହୃତ୍ପିଣ୍ଡ ରୋଗ (ଆର.ଏଚ.ଡି.), ଆଓର୍ଟିକ ଆନିଉରିଜ୍ମ, କାର୍ଡ଼ିଓମାୟୋପାଥି, ଆଟ୍ରିଆଲ ଫିବ୍ରିଲେସନ, ଜନ୍ମଗତ ହୃତ୍ପିଣ୍ଡ ରୋଗ, ଏଣ୍ଡୋକାର୍ଡ଼ାଇଟିସ ଓ ପେରିଫେରାଲ ଧମନୀ ରୋଗ (ପି.ଏ.ଡି.) ଇତ୍ୟାଦି । ସାଧାରଣତଃ ହୃଦପିଣ୍ଡ ଠିକ ଭାବରେ କାମ ନ କଲେ ତାହାକୁ ହୃଦ୍ରୋଗ ବୋଲି କୁହାଯାଏ । କେତେଜଣ ଛୁଆ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ହୁଅନ୍ତି । ତାହାକୁ ଆଜନ୍ମ (congenital) ହୃଦ୍ରୋଗ ବୋଲି କୁହାଯାଏ । ଯଦି ପର ମୂହୁର୍ତ୍ତରେ ଏହି ରୋଗ ହୋଇଥାଏ ତାହାକୁ ଆକ୍ୱାୟାର୍ଡ଼ (acquired) ହୃଦ୍ରୋଗ ବୋଲି କୁହାଯାଏ । ରୋଗର ପ୍ରକାର ଉପରେ ଅନ୍ତର୍ନିହିତ କାର୍ଯ୍ୟକାରୀତା ନିର୍ଭର କରେ । ଆଇ.ଏଚ.ଡି., ସ୍ଟ୍ରୋକ ଓ ପି.ଏ.ଡି. ରୋଗରେ ଆଥେରୋସ୍କ୍ଲେରୋସିସ ଥାଏ । ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଅଧିକ ରକ୍ତ କୋଲେସ୍ଟେରଲ, ଖାଦ୍ୟାଭାବ, ଅଧିକ ମଦ୍ୟପାନ ଯୋଗୁ ଏହା ହୋଇପାରେ । ସିଭିଡି ସମ୍ବନ୍ଧୀୟ ଉଚ୍ଚ ରକ୍ତଚାପ ଯୋଗୁ ୧୩ %, ଧୂମ୍ରପାନ ଯୋଗୁ ୯ %, ଡାଏବେଟିସ ଯୋଗୁ ୬ %, ଓ ମୋଟାପଣ ଯୋଗୁ ୫ % ମୃତ୍ୟୁ ହୁଏ । ଅଣଚିକିତ୍ସିତ ଗଳା ସଂକ୍ରମଣ ଯୋଗୁ ଆର.ଏଚ.ଡି.
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଟ୍ରାଇକ୍ରସପିଡ୍ କପାଟିକା/ଭଲଭ୍ ଷ୍ଟେନୋସିସ୍ ହେଉଛି ଏକ ପ୍ରକାର ଭାଲ୍ଭୁଲାର୍ ହୃଦ୍ ରୋଗ ଯେଉଁଥିରେ ଟ୍ରାଇକ୍ରସପିଡ୍ ଭଲଭ୍ ସଂକୀର୍ଣ୍ଣ ଥାଏ | ପ୍ରାରମ୍ଭିକ ଲକ୍ଷଣଗୁଡିକରେ ବ୍ୟାୟାମ କଲାବେଳେ ଥକ୍କା ଲାଗେ ଏବଂ ନିଶ୍ୱାସ ପ୍ରଶ୍ୱାସକୁ ଛୋଟ ଛୋଟ ହୋଇଯାଏ | ଅଧିକ ଗୁରୁତର ରୋଗରେ ଗୋଡ ଫୁଲିଯାଏ ଏବଂ ଯକୃତ ଜନିତ ସମସ୍ୟା ଦେଖାଦେଇପାରେ | ଏହା ପ୍ରାୟତଃ ମାଇଟ୍ରାଲ ଷ୍ଟେନୋସିସ୍ ସହିତ ଜଡ଼ିତ ଥାଏ | ରିଉମାଟିକ୍ ହୃଦ୍ ରୋଗ ହେତୁ ଏହା ସାଧାରଣତଃ ଦେଖାଯାଏ | ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣକାରୀ ଏଣ୍ଡୋକାର୍ଡାଇଟିସ୍, କାର୍ସିନଏଡ୍ ସିଣ୍ଡ୍ରୋମ, ଲୁପସ୍ ଏବଂ ପେସମେକରର ଜଟିଳତା ଅନ୍ତର୍ଭୁକ୍ତ | ବିରଳ କାରଣଗୁଡ଼ିକରେ ଏବଷ୍ଟାଇନ୍ ଅନୋମାଲି ଏବଂ ଫେନଫ୍ଲୁରାମାଇନ୍ ଔଷଧ ଅନ୍ତର୍ଭୁକ୍ତ | ସାଧାରଣତଃ ଟ୍ରାଇକ୍ରସପିଡ୍ ଭଲଭ୍ ଖୋଲିବା ଆକାର ପ୍ରାୟ ୪ ସେମି୨ | ଏହି ଆକାର ୧ସେମି୨ ରୁ କମ ହେଲେ ଗୁରୁତର ରୋଗ ଭାବରେ ଧରାଯାଏ | ଡାଇଷ୍ଟୋଲିକ୍ ମର୍ମର୍ ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ ଦ୍ୱାରା ରୋଗ ନିଶ୍ଚିତ କରାଯାଇପାରେ | ତରଳ ପଦାର୍ଥ ଓଭରଲୋଡ୍ ହୋଇଗଲେ ଚିକିତ୍ସା ନିମନ୍ତେ ଫୁରୋସେମାଇଡ୍ ବ୍ୟବହୃତ ହୋଇପାରେ | ରୋଗ ଗୁରୁତର ହୋଇଥିଲେ ଭଲଭୋଟୋମି, ଭଲଭ୍ ମରାମତି, ଭଲଭ୍ ପ୍ରତିସ୍ଥାପନ ଇତ୍ୟାଦି ଅସ୍ତ୍ରୋପଚାର ଆବଶ୍ୟକ ଅନୁସାରେ କରାଯାଇପାରେ | ମୂଳ କାରଣ ଉପରେ ଫଳାଫଳଗୁଡିକ ନିର୍ଭର କରେ | ଟ୍ରାଇକ୍ରସପିଡ୍ ଷ୍ଟେନୋସିସ୍ ଏକ ବିରଳ ରୋଗ ଅଟେ, ଯାହା ଟ୍ରାଇକ୍ରସପିଡ୍ ଭଲଭ୍ ରୋଗର ପ୍ରାୟ ୨.୪% ଅଟେ | ଯୁବତୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି | ପ୍ରଥମ ଟ୍ରାଇକସପିଡ କପାଟିକା ପ୍ରତିସ୍ଥାପନ ସନ ୧୯୬୬ରେ ହୋଇଥିଲା
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, କିମ୍ବା ଆଇ ଓ ଟି ଯେଉଁଠାରେ ସାରା ବିଶ୍ୱର କୋଟି କୋଟି ଭୌତିକ ଉପକରଣ ବର୍ତ୍ତମାନ ଇଣ୍ଟରନେଟ୍ ସହିତ ସଂଯୁକ୍ତ । ସେମାନେ ସମସ୍ତେ ତଥ୍ୟ ସଂଗ୍ରହ ଏବଂ ଅଂଶୀଦାର କରୁଛନ୍ତି ।ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ହେଉଛି ଭୌତିକ ବସ୍ତୁର ନେଟୱାର୍କ ଯାହା ଏମ୍ବେଡ୍ ଟେକ୍ନୋଲୋଜି ଧାରଣ କରି ଆଭ୍ୟନ୍ତରୀଣ ସ୍ଥିତି କିମ୍ବା ବାହ୍ୟ ପରିବେଶ ସହିତ ଯୋଗାଯୋଗ କରି ଥାଏ (ଗାର୍ଟନର୍ଙ୍କ ସଂଜ୍ଞା) । ଉପକରଣଗୁଡ଼ିକରେ ସେନ୍ସର ପରି ହାର୍ଡୱେର୍ ଅଛି, ଯାହା ତଥ୍ୟ ସଂଗ୍ରହ କରେ । ସେନ୍ସରଦ୍ୱାରା ସଂଗୃହିତ ତଥ୍ୟ କ୍ଲାଉଡ୍ ମାଧ୍ୟମରେ ଅଂଶୀଦାର ହୁଏ ଏବଂ ସଫ୍ଟୱେର୍ ସହିତ ଏକୀଭୂତ ହୁଏ ।ସଫ୍ଟୱେର୍ସ ତା ପରେ ଏକ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ତଥ୍ୟ ବିଶ୍ଳେଷଣ କରେ ଏବଂ ଉପଭୋକ୍ତାମାନଙ୍କୁ ପଠାଇଥାଏ । ନେଟୱର୍କରେ ତଥ୍ୟ ସ୍ଥାନାନ୍ତରିତ ହେଉଥିବାରୁ ଏହା ମଣିଷଠାରୁ ମନୁଷ୍ୟକୁ କିମ୍ବା ମଣିଷଠାରୁ କମ୍ପ୍ୟୁଟରର ପାରସ୍ପରିକ କଥାବାର୍ତ୍ତା ଆବଶ୍ୟକ କରେ ନାହିଁ । ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ସହଜ ଏବଂ ଅଧିକ ଗତିଶୀଳ କରିବାରେ ସାହାଯ୍ୟ କରିବାକୁ ଆଇ ଓ ଟି କୃତ୍ରିମ ବୁଦ୍ଧିମତା (AI) ଏବଂ ମେସିନ୍ ଲର୍ନିଂର ମଧ୍ୟ ବ୍ୟବହାର କରିପାରିବି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପାଟେଲାର ଟେଣ୍ଡିନାଇଟିସ, ଜମ୍ପର ଆଣ୍ଠୁ ରୂପେ ମଧ୍ୟ ପରିଚିତ, ଆଣ୍ଠୁର ଏକ ଆତ୍ୟଧିକ ଆଘାତ ଜନିତ ରୋଗ । ଏହି ରୋଗର ଲକ୍ଷଣରେ ଆଣ୍ଠୁ ଆଗରେ ଯନ୍ତ୍ରଣା ହୁଏ | ସାଧାରଣତଃ ପାଟେଲାର ନିମ୍ନ ଭାଗରେ ଯନ୍ତ୍ରଣା ଏବଂ ଦରଜ ହୁଏ, ଯଦିଓ ଉପର ଅଂଶ ମଧ୍ୟ ପ୍ରଭାବିତ ହୋଇପାରେ | ସାଧାରଣତଃ ବିଶ୍ରାମ ସମୟରେ ଯନ୍ତ୍ରଣା ହୁଏ ନାହିଁ | ରୋଗ ଜଟିଳତା ପ୍ରାପ୍ତ ହେଲେ ପାଟେଲାର ଟେଣ୍ଡର ଫାଟିଯାଇପାରେ | ଆଥଲେଟିକ୍ସରେ ଜଡିତ ହେଲେ ଏବଂ ଅଧିକ ଓଜନ ଥିଲେ ଏହି ବିପଦ ଆସିପାରେ | ବାସ୍କେଟବଲ୍ ଏବଂ ଭଲିବଲ୍ ଭଳି ଡିଆଁ କ୍ରୀଡ଼ାରେ ଜଡିତ ଥିବା ଆଥଲେଟ୍ମାନଙ୍କଠାରେ ଏହା ବିଶେଷ ଦେଖାଯାଏ | ଏହି କ୍ରିୟାବିଧିରେ ପାଟେଲା ଓ ଟିବିଆ (shinbone) ସହିତ ସଂଯୁକ୍ତ ହୋଇଥିବା ଟେଣ୍ଡନ ଫାଟିଯାଇଥାଏ ବା ଚିରିଯାଇଥାଏ । ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ | ଇନଫ୍ରାପାଟେଲାର ବର୍ସାଇଟିସ୍, କଣ୍ଡ୍ରୋମାଲାସିଆ ପାଟେଲା ଏବଂ ପାଟେଲୋଫେମେରାଲ୍ ସିଣ୍ଡ୍ରୋମ୍ (patellofemoral syndrome) ଇତ୍ୟାଦି ରୋଗମାନଙ୍କରେ ସମାନ ଧରଣର ପରିସ୍ଥିତି ଦେଖାଯାଏ | ଏହାର ଚିକିତ୍ସାରେ ପ୍ରାୟତ ଆଣ୍ଠୁକୁ ବିଶ୍ରାମ ଦିଆଯାଏ ଏବଂ ଶାରୀରିକ ଚିକିତ୍ସା କରାଯାଏ | ବିଶ୍ରାମ ସମେତ ଚିକିତ୍ସାର ଫଳାଫଳର ପ୍ରମାଣ ଭଲ ନାହିଁ | ପୁନରୁଦ୍ଧାର ଏକ ବର୍ଷ ନେଇପାରେ | ସମ୍ପ୍ରତି ପ୍ରାୟ ୧୪% ଆଥଲେଟ୍ଙ୍କର ସାଧାରଣତଃ ଏହି ରୋଗ ହୁଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | "ଜମ୍ପର ଆଣ୍ଠୁ" ଶବ୍ଦଟି ସନ ୧୯୭୩ରେ ସୃଷ୍ଟି ହୋଇଥିଲା
ବାନ୍ତି (ଅନ୍ୟ ନାମ ବମନ, ଉଦ୍ଗିରଣ, ଇଂରାଜୀରେ ଯାହା ଏମେସିସ୍ ଭାବରେ ମଧ୍ୟ ଜଣାଶୁଣା) ରୋଗରେ ପାଟି କିମ୍ବା ନାକ ଦେଇ ପେଟର ପଦାର୍ଥ ଅନିଚ୍ଛାକୃତ, ବାଧ୍ୟତାମୂଳକ ଭାବରେ ବହିଷ୍କାର ହୋଇଯାଏ | ଏହା ଅଇ ସହିତ ଜଡ଼ିତ ଏବଂ ସାଧାରଣତଃ ଦିନେ କିମ୍ବା ଦୁଇ ଦିନ ରହିଥାଏ | ଜଟିଳତା ମଧ୍ୟରେ ନିର୍ଜଳନ, ଶ୍ୱାସନଳୀ ଭିତରକୁ ପ୍ରବେଶ , ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦାନ୍ତର କ୍ଷତି ଏବଂ ଗ୍ରାସନଳୀ ଛିଣ୍ଡିଯାଇପାରେ | ପ୍ରତ୍ୟାବହନଠାରୁ ବା ରିଗର୍ଜିଟେସନଠାରୁ ବାନ୍ତି ଭିନ୍ନ, ସେହି ରିଗର୍ଜିଟେସନରେ ପେଟ କାମୁଡ଼ି ହୁଏନି ବା ଅଇ ହୁଏନି | ସାଧାରଣ କାରଣଗୁଡ଼ିକରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ କିଛି ଔଷଧ କିମ୍ବା ବିଷାକ୍ତ ପଦାର୍ଥ ଅନ୍ତର୍ଭୁକ୍ତ | ଅନ୍ୟାନ୍ୟ କାରଣ ମଧ୍ୟରେ କାନାବିସ୍ ହାଇପରେମେସିସ୍ ସିଣ୍ଡ୍ରୋମ, ସାଇକ୍ଲିକ୍ ବାନ୍ତି ସିଣ୍ଡ୍ରୋମ, ଆନ୍ତ୍ରିକ ଅବରୋଧ, ହେପାଟାଇଟିସ୍, ଇଣ୍ଟାକ୍ରାନିଆଲ୍ ଚାପ, ମାଇଗ୍ରେନ୍, ଖାଇବା ବ୍ୟାଧି, ମଧୁମେହ କେଟୋଏସିଡୋସିସ୍, ଗତି ରୋଗ, ଅଇ ଏବଂ ବାନ୍ତି କିମ୍ବା ଗର୍ଭଧାରଣ, ଆପେଣ୍ଡିସାଇଟିସ ଏବଂ ଲାବିରିନ୍ଥାଇଟିସ୍ ଅନ୍ତର୍ଭୁକ୍ତ | ଶିଶୁମାନଙ୍କ କାରଣରେ ରିଫ୍ଲକ୍ସ, ଭଲଭୁଲସ୍, ପାଇଲୋରିକ ସ୍ଟେନୋସିସ, ମୂତ୍ରନଳୀ ସଂକ୍ରମଣ ଏବଂ ଇଣ୍ଟସସେପସନ ଅନ୍ତର୍ଭୁକ୍ତ ହୋଇପାରେ | ଚିକିତ୍ସାରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବାକୁ ଚେଷ୍ଟା କରାଯାଏ | ଲକ୍ଷଣଗୁଡିକର ଉନ୍ନତି ପାଇଁ ଆଣ୍ଟିଏମେଟିକ୍ସ ବ୍ୟବହାର କରାଯାଏ | ଯଦି ନିର୍ଜଳନ ଉପସ୍ଥିତ ଥାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଉପଯୋଗୀ ହୋଇପାରେ | ଚିନ୍ତାଜନକ ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ବାନ୍ତିରେ ରକ୍ତ, ପ୍ରବଳ ମୁଣ୍ଡବିନ୍ଧା, ନିର୍ଜଳନ ଏବଂ ସବୁଜ ବାନ୍ତି ଅନ୍ତର୍ଭୁକ୍ତ | ଅଷ୍ଟ୍ରେଲିଆରରେ ବାନ୍ତି ଯୋଗୁ ପରିବାର ଚିକିତ୍ସକଙ୍କ ପାଖକୁ ପ୍ରାୟ ୧.୬% ଲୋକ ଚିକିତ୍ସା ପାଇଁ ଯାଆନ୍ତି |
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ଅଠେଇସିଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କୋଶଳା ରାମଚଣ୍ଡୀ ମନ୍ଦିର ଅନୁଗୋଳ ଜିଲ୍ଲାରେ ଥିବା ଏକ ଦେବୀ ପୀଠ । ଏହି ମନ୍ଦିରଟି କୋଶଳା ଗ୍ରାମରେ ରହିଛି, ଯାହାକି ଅନୁଗୋଳଠାରୁ ୬୩ ନମ୍ବର ରାଜ୍ୟ ରାଜପଥରେ ବାଗେଡ଼ିଆ ରାସ୍ତାରେ ଦେବଗଡ଼ ଆଡ଼କୁ ଗଲେ ୨୮ କି.ମି ଦୂରରେ ଅବସ୍ଥିତ । ଦେବୀଙ୍କ ନାମ ଅନୁସାରେ, ଏହି ଗ୍ରାମଟିର ନାମକରଣ କରାଯାଇଥିବା ଲୋକକଥା ରହିଛି । ଏହି କ୍ଷେତ୍ରରେ ଉଭୟ ଶକ୍ତି ଏବଂ ଶିବଙ୍କର ଉପାସନା କରାଯାଇଥାଏ । ଏଠାରେ ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟ ନାରୀମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ଵାସ ଅଛି ।ପୁରାତନ ମନ୍ଦିରର ମୂଳଦୁଆ ନିକଟରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ପୀଠରେ ପାଳିତ ଦୁଇଟି ମୁଖ୍ୟ ପର୍ବ ହେଉଛି ଧୂଳିଆ ପୂଜା ଓ କାଦୁଅଳି ପୂଜା । ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟା ଦିନରେ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ହେଉଥିବା ଏହି ଯାତ୍ରା ରାମଚଣ୍ଡୀ ଯାତ୍ରା ବା କାଦୁଆଳି ଯାତ୍ରା ନାମରେ ପରିଚିତ । ଏହି ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ଓ ହଜାର ହଜାର ଭକ୍ତ ଏଥିରେ ଯୋଗ ଦେଇଥା'ନ୍ତି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ।ସାହିତ୍ୟ ଅକାଦେମୀ ଫେଲୋସିପ ସହିତ ଏହା ଦେଶର ଦୁଇ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଏହା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା । ଏହାର ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ ଗୋଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକଗଣ ଏହି ପୁରସ୍କାର ପାଇପାରିବେ । ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜର ପ୍ରକାଶକ ସାହୁ ଜୈନ ପରିବାରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଇଥାଏ ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ଅପସଂବେଦନ ବା ପାରେସ୍ଥେସିଆ, ଇଂରାଜୀରେ ପିନ୍ ଏବଂ ଛୁଞ୍ଚି (pins and needles) ମଧ୍ୟ କୁହାଯାଏ, ରୋଗରେ ଝିମିଝିମି ଲାଗେ, ଜଳିବା କିମ୍ବା କାଲୁଆ ଅନୁଭବ ହୋଇପାରେ | ଅଳ୍ପ କେତେକ ରୋଗୀଙ୍କର ଥଣ୍ଡା କିମ୍ବା କିଛି ଗୋଟିଏ ଘୁଷୁରୁ ଥିବା (କ୍ରଲ୍) ଅନୁଭବ ପାଉଥିବା ବର୍ଣ୍ଣନା କରାଯାଇପାରେ | ଚର୍ମ ସ୍ପର୍ଶ ନକରି ଏହି ଲକ୍ଷଣମାନ ଘଟେ | ଏହା ଶରୀରର ଯେ କୌଣସି ସ୍ଥାନରେ ହୋଇପାରେ, ସାଧାରଣତଃ ବାହୁ ଏବଂ ଗୋଡ଼ ପ୍ରଭାବିତ ହୋଇଥାଏ | ଏହା ଏକ ସଂକ୍ଷିପ୍ତ କିମ୍ବା ଦୀର୍ଘ ସମୟ ଧରି ହୋଇପାରେ | ସଂକ୍ଷିପ୍ତ ପ୍ରସଙ୍ଗଗୁଡିକର ସାଧାରଣ କାରଣ ହେଉଛି ଏକ ସ୍ନାୟୁ ଉପରେ ଚାପ | କାର୍ପାଲ ଟନେଲ ସିଣ୍ଡ୍ରୋମ, ଷ୍ଟ୍ରୋକ୍, ଏକାଧିକ ସ୍କ୍ଲେରୋସିସ୍, ଟ୍ରାନ୍ସଭର୍ସ ମାୟେଲାଇଟିସ୍, ଟ୍ୟୁମର୍, ଭିଟାମିନ୍ ବି 12 ଅଭାବ, ସୀସା ବିଷାକ୍ତତା, ମଧୁମେହ, ଗୁଇଲେନ୍-ବାରେ ସିଣ୍ଡ୍ରୋମ କିମ୍ବା ଏନସେଫାଲାଇଟିସ୍ କାରଣରୁ ଦୀର୍ଘକାଳୀନ ରୋଗ ହୋଇପାରେ | ଲକ୍ଷଣ, ପରୀକ୍ଷା ଏବଂ ଅଧିକ ପରୀକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ | ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | ଗମ୍ଭୀରତାର ଉନ୍ନତି ପାଇଁ ପ୍ରୟାସରେ କ୍ୟାପସାଇସିନ୍ କ୍ରିମ୍, କାର୍ବାମାଜେପାଇନ୍ କିମ୍ବା ଗାବାପେଣ୍ଟିନ୍ ଦିଅଯାଇପାରେ | ଏହି ଶବ୍ଦଟି ଗ୍ରୀକ୍ "ପାରା" ର ଅର୍ଥ ପାର୍ଶ୍ୱବର୍ତ୍ତୀ "ଆସ୍ଥେସିସ୍" ଅର୍ଥାତ୍ ସ୍ପର୍ଶ | ଡିସ୍ଥେସିଆ ଶବ୍ଦର ସମାନ ଅର୍ଥ ଅଛି; ଅବଶ୍ୟ, ଏହା ସ୍ପର୍ଶ କରିବା ସମୟରେ ଅନୁଭବ କଲେ କେତେକ ଲୋକ ଏହାକୁ ବ୍ୟବହାର କରନ୍ତି ଓ ଏହା ଅସ୍ୱାଭାବିକ ସମ୍ବେଦନଶୀଳ ହୋଇଥାଏ |
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ହିନ୍ଦୁ ପୁରାଣ ମହାଭାରତର ବର୍ଣ୍ଣନା ଅନୁସାରେ ଅମ୍ବିକା ହେଉଛନ୍ତି କାଶୀରାଜାଙ୍କ କନ୍ୟା ତଥା ଅମ୍ବା ଏବଂ ଅମ୍ବାଳିକାଙ୍କ ଭଉଣୀ ।ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କ ସ୍ୱୟଂବର ହେବାକୁ ଯାଉଥିଲା । ଭୀଷ୍ମ ଏହି ତିନି ରାଜକୁମାରୀଙ୍କ ସ୍ୱୟଂବର ବିଷୟରେ ଜାଣିଲେ ଏବଂ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ରାଜକୁମାରୀଙ୍କୁ ଜିତିବା ପାଇଁ ସ୍ୱୟଂବରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଭୀଷ୍ମ ରାଜକନ୍ୟାଙ୍କୁ ସାଥିରେ ନେଇଯିବାର ଇଚ୍ଛା ଘୋଷଣା କରନ୍ତେ ଏକତ୍ରିତ ହୋଇଥିବା ଅନ୍ୟା ରାଜାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ । ଭୀଷ୍ମ ରାଜକୁମାରୀମାନଙ୍କୁ ତାଙ୍କ ରଥରେ ବାଧ୍ୟ କରି ବସାଇ ସେଠାରୁ ଚାଲିଆସିଲେ । ଭୀଷ୍ମଙ୍କ ସହ ଯେଉଁ ଯୁଦ୍ଧ ହେଲା ସେଥିରେ ଅନ୍ୟମାନେ ପରାସ୍ତ ହେଲେ । ଅମ୍ବାଙ୍କ ଭାବୀ ପତି ଶାଲ୍ୱ ରାଜକୁମାର ମଧ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରି ପରାସ୍ତ ତଥା ଆହତ ହୋଇଥିଲେ । ତେବେ ଅମ୍ବାଙ୍କ ଅନୁରୋଧକ୍ରମେ ଭୀଷ୍ମ ତାଙ୍କ ଜୀବନ ରକ୍ଷା କରିଥିଲେ । ଅମ୍ବାଙ୍କ ନିଜ ଅଭିଳାଷ ବିଷୟରେ ଜାଣି ନ ଥିବାରୁ ଭୀଷ୍ମ ହସ୍ତିନାପୁରକୁ ଯାଇ ମାତା ସତ୍ୟବତୀଙ୍କ ସମ୍ମୁଖରେ ତିନି ରାଜକୁମାରୀଙ୍କୁ ଉପସ୍ଥାପନ କଲେ । ଅମ୍ବା ଭୀଷ୍ମ ଏବଂ ବ୍ରାହ୍ମଣ ପରିଷଦ ନିକଟକୁ ଯାଇ ପ୍ରକାଶ କରିଥିଲେ ଯେ ସେ ଏବଂ ଶାଲ୍ୱ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ସ୍ୱୟଂବରରେ ତାଙ୍କ ସ୍ୱାମୀ ଭାବରେ ବାଛିବାକୁ ଯାଉଛନ୍ତି । ଭୀଷ୍ମ ଏକଥା ଜାଣିବା ପରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ଯୁକ୍ତି ଠିକ୍ ଏବଂ ତାଙ୍କୁ ସମ୍ମାନର ସହ ଶାଲ୍ୱଙ୍କ ନିକଟକୁ ପଠାଇଦେଇ ଅମ୍ବିକା ଏବଂ ଅମ୍ବାଳିକାଙ୍କୁ ବିଚିତ୍ରବୀର୍ଯ୍ୟଙ୍କ ସହ ବିବାହ କରାଇଥିଲେ ।ସମୟକ୍ରମେ ବିଚିତ୍ରବୀର୍ଯ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ସେ ଦୁଇରାଣୀ ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ଏକ୍ଉ ତ୍ତରାଧୀକାରିର ଆବଶ୍ୟକତା ଥିଲା । ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁପରେ, ମା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡକାଇ ପଠାଇଲେ । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକାଙ୍କର ଗର୍ଭାଧାନ କରାଇଥିଲେ । ଯେତେବେଳେ ବେଦବ୍ୟାସ ଅମ୍ବିକାଙ୍କ ସହ ପୁତ୍ରାର୍ଥେ ସମ୍ଭୋଗ କରୁଥିଲେ, ସେ ଲଜ୍ଜା ହେତୁ ଆଖି ବନ୍ଦ କରିଦେଲେ । ଏହି କାରଣରୁ ତାଙ୍କ ପୁଅ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ହୋଇଥିଲେ । ସତ୍ୟବତୀ ଅମ୍ବାଳିକାଙ୍କୁ ନିର୍ଦ୍ଦେଶ ଦେଲେକି, ସେ ଅମ୍ବିକାଙ୍କ ପରି ନିଜ ଆଖି ବନ୍ଦ ନ କରନ୍ତୁ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ ପାଣ୍ଡୁଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ ।
ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର । ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା । ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ । ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପଦେଶ, (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମକ୍ରିୟା, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ ପରାଭୌତିକ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି । ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ରଘୁନାଥ ମହାପାତ୍ର (୨୩ ମାର୍ଚ୍ଚ ୧୯୪୩ - ୦୯ ମଇ ୨୦୨୧) ଜଣେ ଓଡ଼ିଆ ପଥର ଶିଳ୍ପୀ ଓ ସ୍ଥପତି ଥିଲେ । ତାଙ୍କ ପଥର ଶିଳ୍ପକଳା ନିମନ୍ତେ ୧୯୭୬ ମସିହାରେ ତାଙ୍କ ଭାରତ ସରକାର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା "ଶିଳ୍ପୀ ଗ୍ରାମ" ଓ "ରଘୁନାଥ କ୍ରାଫ୍ଟସ୍"ର ପ୍ରତିଷ୍ଠାତା ଥିଲେ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ସାରା ଭାରତରେ ଅନେକ ପ୍ରମୁଖ ମନ୍ଦିର ନିର୍ମାଣ କରିଥିଲେ ।
ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ମଣିଷ ଶରୀରର ଛାଞ୍ଚ ଏକ କେତେଖଣ୍ଡି ହାଡ଼ର ଏକ କଙ୍କାଳ ଉପରେ ଗଠିତ। ସେ ସବୁ ହାଡମାନଙ୍କୁ ଚଳାଇବା ପାଇଁ ନାନାପ୍ରକାରର ଅନେକ ମାଂସପେଶୀ ଓ ମାଂସପେଶୀମାନଙ୍କୁ ଚଳାଇବା ପାଇଁ ସ୍ନାଯୁତନ୍ତୁ ରହିଛି । ମଣିଷର ମଥାରେ ଯେଉଁ ଗେରୁ ଅଛି ତହିଁରୁ ଲାଙ୍ଗୁଳ ଭଳି କିଛି ଗେରୁରୁ ଅନେକ ସ୍ନାଯୁତନ୍ତୁ ବାହାରି ସବୁ ମାଂସପେଶୀମାନଙ୍କୁ ଯାଇଛି । ସେମାନଙ୍କ ଦେହରେ ତଡିତ୍ ପ୍ରବାହ ହୋଇ ମାଂସପେଶୀମାନଙ୍କୁ ଉତ୍ତେଜିତ କରାଇ ଚଳାଇଥାଏ ।
ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଅଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean ) ତଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
କୁଜିବର ପତ୍ର ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ଖବର କାଗଜ । ଏହା ୧୮୩୦ ଦଶକରେ ଚୌଦ୍ୱାର ନିକଟସ୍ଥ କୁଜିବର ଗାଁରେ ଥିବା କୁଜିବର ମଠର ମହନ୍ତ ସୁନ୍ଦରା ଦାସ(ସାଧୁସୁନ୍ଦର ଦାସ)ଙ୍କଦ୍ୱାରା ପ୍ରକାଶିତ ହୋଇ ହାତଲେଖା ପତ୍ରିକା ଭାବରେ ବିତରିତ ହେଉଥିଲା । ସେସମୟରେ ଏପରି ହାତଲେଖା ପତ୍ରିକା ସମଗ୍ର ଭାରତବର୍ଷରେ ଏକ ବିରଳ ଘଟଣା ଥିଲା । ଏହି ଖବର କାଗଜଟି ସେସମୟର ସାମାଜିକ, ଧାର୍ମିକ ଓ ଶିକ୍ଷାବ୍ୟବସ୍ଥା ଉପରେ ଆଲୋକପାତ କରୁଥିଲା । ଗଙ୍ଗାଧର ଷଢଙ୍ଗୀ, ରାମଚନ୍ଦ୍ର ଜାଚୁକ ବିଭିନ୍ନ ସମୟରେ ଏହି ଖବର କାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।କୁଜିବର ପତ୍ରର କେତେକ ସଂଖ୍ୟା ଲଣ୍ଡନର ଇଣ୍ଡିଆ ହାଉସ ପାଠାଗାର ବା ବ୍ରିଟିସ ମ୍ୟୁଜିୟମରେ ଥିବା ବିଶ୍ୱାସ କରାଯାଏ । ଏହି ପତ୍ରର ସଂଖ୍ୟା ୭ ଓ ୮ରେ ଲେଖାଯାଇଥିଲା "ଇନ୍ଦ୍ରିୟ ସଂଯମ କର, ଚରିତ୍ରବାନ ହୁଅ, ଆଚାର ବିଚାର ଓ ନୀତି ପରାୟଣ ହୁଅ, ନିଶା ନିଷେଧ, ବୃକ୍ଷ ଛେଦନ କରନାହିଁ, ପଶୁବଧ ମହାପାପ,ଶିଶୁହତ୍ୟା କରନାହିଁ, ସର୍ବଘଟରେ ଈଶ୍ୱର ବିଦ୍ୟମାନ, ନାରୀ ହରଣ କରନାହିଁ, ମିଥ୍ୟ କୁହନାହିଁ, ଚୋରି କରନାହିଁ, କପଟତା ତ୍ୟାଗ କର, ଈର୍ଷା କରନାହିଁ, କ୍ରୋଧ ଓ ଘୁଣାଠାରୁ ଦୂରରେ ରୁହ, ଶତୁକୁ ପ୍ରେମ କର, ସୃଜନ ଓ ପରବାରକୁ ସେମ୍ଳହ କର, ବୟସ୍କମାନଙ୍କୁ ଭକ୍ତି କର, କାହାରିକୁ oକ ନାହିଁ, କାହା ବିରୋଧରେ ମିଥ୍ୟ ସାକ୍ଷୀ ଦିଅନାହିଁ, ଦୁଃଖୀ ଓ ଅଭାବୀ ଲୋକଙ୍କୁ ସାହାଯ୍ୟକର ।"
ଦେବାଶିଷ ପାତ୍ର ଜଣେ ଓଡ଼ିଆ କଥାଚିତ୍ର, ଆଲବମ୍ ଅଭିନେତା ଏବଂ ଦୂରଦର୍ଶନ ତଥା ମଞ୍ଚ ଉପସ୍ଥାପକ । ସେ ପ୍ରଥମେ ଓଡ଼ିଆ ଆଲବମ୍ ଜଗତରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ୨୦୧୦ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଦେବାଶିଷ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ ।
ପଇତା ହେଉଛି ଭାରତୀୟ ହିନ୍ଦୁ ସଂସ୍କୃତିରେ ଧାରଣ କରାଯାଉଥିବା ଏକ ପବିତ୍ର ସୂତ୍ର । ଏହାକୁ ସାଧାରଣତଃ ହିନ୍ଦୁ ବ୍ରାହ୍ମଣମାନେ ଧାରଣ କରିଥାନ୍ତି । ଏହି ପଇତା ବା ଯଜ୍ଞୋପବିତକୁ ଧାରଣ କରିବା ପାଇଁ ବ୍ରତୋପନୟନ ନାମକ ଏକ ସଂସ୍କାରର ଆୟୋଜନ କରାଯାଏ । ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନଙ୍କ ପଇତା ଛଣରେ ଓ ବୈଶ୍ୟମାନଙ୍କ ପଇତା ପଶମରେ ତିଆରି ହୋଇଥାଏ ।
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍ସ୍କାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍, ଗିଲ୍ଗିଟ୍, କାବୁଲ୍, ଗୋମଲ୍ ଓ କୁର୍ରମ୍ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍ ଓ ହିନ୍ଦୁକୁଶର ନଦୀମାନଙ୍କଦ୍ୱାରା ପରିବୃଦ୍ଧ ହୋଇଛି । ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ତରଙ୍ଗ-କଣିକା ଦ୍ୱୈତବାଦ (ଈଂରାଜୀରେ Wave–particle duality) ପ୍ରମାତ୍ର ବିଜ୍ଞାନର ଏକ ମତବାଦ ଯାହା ଅନୁସାରେ ପ୍ରତ୍ୟେକ କ୍ଷୁଦ୍ର କଣିକାଠାରେ କିଛି ତରଙ୍ଗ ପ୍ରକୃତି ମଧ୍ୟ ରହିଥାଏ । ତେଣୁ ପାରମ୍ପରିକ ପଦାର୍ଥ ବିଜ୍ଞାନରେ ତରଙ୍ଗ ଓ କଣିକା ଭିନ୍ନ ଭିନ୍ନ ବୋଲି ଯେଉଁ ପ୍ରବାଦ ରହିଥିଲା ତାହା ପ୍ରମାତ୍ର ବିଜ୍ଞାନରେ ଏକ ସ୍ୱତନ୍ତ୍ର ମତବାଦ ରୂପେ ପ୍ରକାଶ ପାଇଲା । ଏହି ସମ୍ପର୍କରେ ଆଲବର୍ଟ ଆଇନ୍ଷ୍ଟାଇନ୍ ଲେଖିଥିଲେ :