ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।
ବସନ୍ତ ଦାସ (୦୨ ଜାନୁଆରୀ ୧୯୪୦ - ୨୮ ମଇ ୨୦୨୧) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକ ଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସାମ୍ବାଦିକତା କରିଥିଲେ । ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ ୨୦୧୦ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଓଡ଼ିଶା ମିଡ଼ିଆ ଏକାଡେମୀ ସମେତ ବହୁ ସଂଗଠନ ସହିତ ଜଡ଼ିତ ଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଥିଲେ ।
ମ୍ୟୁକୋରମାଇକୋସିସ୍, ପୂର୍ବରୁ ଜାଇଗୋମାଇକୋସିସ୍ ନାମରେ ଜଣାଶୁଣା ଥିଲା ଏବଂ ବେଳେବେଳେ କଳା ଫଙ୍ଗସ୍ ମଧ୍ୟ କୁହାଯାଏ, ଏକ ଗୁରୁତର କବକ ବା ଫଙ୍ଗଲ୍ ସଂକ୍ରମଣ, ସାଧାରଣତଃ ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା କମ୍ ଥିବା ଲୋକମାନଙ୍କଠାରେ ହୁଏ | ଏହାର ଲକ୍ଷଣ ଶରୀରର ସଂକ୍ରମିତ ଅଂଶ ଉପରେ ନିର୍ଭର କରେ । ଏହା ସାଧାରଣତଃ ଅସ୍ଥି କୋଟର ବା ସାଇନସ୍ ଏବଂ ମସ୍ତିଷ୍କକୁ ସଂକ୍ରମିତ କରେ ଯାହା ଫଳରେ ନାକରୁ କ୍ଷରଣ ହୁଏ, ଗୋଟିଏ ପାର୍ଶ୍ୱ ମୁଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, ମୁଣ୍ଡବିନ୍ଧା, ଜ୍ୱର ଏବଂ ତନ୍ତୁ ମୃତ୍ୟୁ ହୁଏ | ଫୁସଫୁସ, ପେଟ ଏବଂ ଅନ୍ତନଳୀ ଏବଂ ଚର୍ମକୁ ମଧ୍ୟ ଏହି ରୋଗ ସଂକ୍ରମିତ କରିପାରେ। ଏହା ସାଧାରଣତଃ ପ୍ରଶ୍ୱାସ ନେବା, ଦୂଷିତ ଖାଦ୍ୟ ଖାଇବା କିମ୍ବା ଖୋଲା କ୍ଷତରେ ମୁକୋରାଲେସ୍ ପ୍ରକାରର ଲୋଲ୍ଡ ବା ଛାଞ୍ଚ ଦ୍ୱାରା ବିସ୍ତାର ପ୍ରାପ୍ତ ହୁଏ | ଏହି କବକଗୁଡିକ ସାଧାରଣତଃ ପଚା ଫଳ ଏବଂ ପନିପରିବା, ପତ୍ର ଏବଂ ପଶୁ ଖତରେ ଥାଏ | ଏହା ଲୋକମାନଙ୍କ ପରସ୍ପର ମଧ୍ୟରେ ସଂକ୍ରମିତ ହୁଏ ନାହିଁ | ମଧୁମେହ, ଲିମ୍ଫୋମା, ଅଙ୍ଗ ପ୍ରତିରୋପଣ, ଆଇରନ୍ ଓଭରଲୋଡ୍, ଏଚ୍.ଆଇ.ଭି / ଏଡସ୍ ଏବଂ ଦୀର୍ଘକାଳୀନ ଷ୍ଟେରଏଡ ବ୍ୟବହାର କିମ୍ବା ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରୁଥିବା ଲୋକଙ୍କର ଏହି ରୋଗ ବିପଦ ଥାଏ । ବାୟୋପ୍ସି ଓ କଲଚର ଦ୍ଵାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗ ସାହାଯ୍ୟ କୁ ରୋଗର ପରିସୀମା ଓ ପରିମାଣ ନିର୍ଦ୍ଧାରଣ କରାଯାଏ । ଚିକିତ୍ସା ସାଧାରଣତଃ ଆମ୍ଫୋଟେରାଇସିନ୍ ବି ଦିଆଯାଏ ଏବଂ ଅସ୍ତ୍ରୋପଚାର କରି କ୍ଷତରେ ଥିବା ଆବର୍ଜନା ନିଷ୍କାସନ କରାଯାଏ | ପ୍ରତିଷେଧ ନିମନ୍ତେ ଧୂଳିପୂର୍ଣ୍ଣ ଅଞ୍ଚଳରେ ଫେସ୍ ମାସ୍କ ପିନ୍ଧିବା, ଜଳ ନଷ୍ଟ ହୋଇଥିବା ଅଟ୍ଟାଳିକା ସହିତ ସମ୍ପର୍କକୁ ଏଡ଼ାଇବା ଏବଂ ଚର୍ମକୁ ମୃତ୍ତିକାର ସଂସ୍ପର୍ଶରେ ଆସିବା ଯେପରିକି ବଗିଚା କିମ୍ବା କିଛି ବାହ୍ୟ କାର୍ଯ୍ୟ ସମୟରେ ସୁରକ୍ଷା ଦେବା ଆବଶ୍ୟକ ହୁଏ । ଏହା ଦ୍ରୁତଗତିରେ ଅଗ୍ରଗତି କରିବାକୁ ଲାଗେ ଏବଂ ପ୍ରାୟ ଅର୍ଦ୍ଧକ ସଂଖ୍ୟକ ସାଇନସ୍ ରୋଗରେ ଏବଂ ବ୍ୟାପକ ସଂକ୍ରମଣର ପ୍ରାୟ ସମସ୍ତ କ୍ଷେତ୍ରରେ ସାଂଘାତିକ ସାବ୍ୟସ୍ତ ହୁଏ |
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ଏକ ପୁରାତନୀ ଲୋକସଂଗୀତ ତଥା ବର୍ତ୍ତମାନର ଜାତୀୟ ସାଂସ୍କୃତିକ ଜୀବନରେ ବିଶିଷ୍ଟ ଲୋକଗୀତ ହେଉଛି ‘ଝୁମର’ । ଓଡ଼ିଶା ଏବଂ ତତ୍ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆସାମ ଆଦି ପ୍ରଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏହି ଲୋକ ସଂଗୀତର ଆବେଦନ ଓ ଆକର୍ଷଣ ଅଧୁନା ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି । ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ପାର୍ବତ୍ୟ ଅଞ୍ଚଳ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ପ୍ରଭୃତି ଉପାନ୍ତ ଅଞ୍ଚଳସ୍ଥ ମାନଭୂମି, ବୀରଭୂମ, ସିଂହଭୂମ, ବାଙ୍କୁଡ଼ା, ପୁରୁଲିଆ, ଶିଖରଭୂମ, ରାଞ୍ଚି, ଛୋଟନାଗପୁର ଆଦି ସ୍ଥାନମାନଙ୍କରେ ଝୁମର ସଙ୍ଗୀତର ଅସପତ୍ନ ପ୍ରଭାବ ଦେଖିବାକୁ ମିଳେ । ସ୍ଥାନ ଭେଦରେ ଏହାର ରୂପ, ଲୟ, ପ୍ରକାଶଭଙ୍ଗୀରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ସତ ; ମାତ୍ର ଏହା ଏତେ ମାତ୍ରାରେ ଭିନ୍ନ ନୁହେଁ, ଯାହା ଅନ୍ୟ ଝୁମର ସହିତ ଥିବା ସମ୍ପର୍କକୁ ଅସ୍ୱୀକାର କରିବ । ତଥାପି ପ୍ରତ୍ୟେକ ପ୍ରଦେଶରେ ସେଗୁଡ଼ିକର ସ୍ୱାତନ୍ତ୍ର୍ୟ ଅଲଗା । ତେଣୁ କୁହା ଯାଇପାରେ – ଆସାମରେ ‘ବିହୁ’, ଉତ୍ତରପ୍ରଦେଶର ‘ଚୈତ୍ରୀ’ ଓ ‘କାଜ୍ରୀ’, ଜମ୍ମୁ-କାଶ୍ମୀରର ‘ଭୋଗ୍ରୀ’ ଭଳି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରର ଲୋକଗୀତ ଭାବରେ ଝୁମର ବେଶ୍ ପ୍ରସଦ୍ଧି ଅର୍ଜନ କରିଛି । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼ ପ୍ରଭୃତି ଅଞ୍ଚଳର ପ୍ରମୁଖ ଲୋକସଂଗୀତ ଭାବରେ ଝୁମର ବେଶ୍ ପରିଚିତ । ବିଶେଷତଃ ନିଜକୁ ‘ହଡ଼୍ ମିତାନ୍’ (୧) ସଂସ୍କୃତିର ଉତ୍ତରସାଧକ ବୋଲି ଉଦ୍ଘୋଷଣା କରୁଥିବା କୁଡ଼ୁମି ମହାନ୍ତମାନେ ନିଜକୁ ଆଦିବାସୀ ବୋଲି ଦାବି କରିବା ସହିତ ସାନ୍ତାଳମାନଙ୍କୁ ସାନଭାଇ ଭାବରେ ଜ୍ଞାନ କରିଥାନ୍ତି । ଆଲୋଚକଙ୍କ ଭାଷାରେ ‘‘ଏମାନେ ଗୋଟିଏ ବାପା ଓ ଦୁଇଟି ମାର ସନ୍ତାନ । ବଡ଼ ମାଆର ପିଲାମାନେ ହେଲେ କୁଡ଼ୁମି ଓ ଛୋଟମାଆର ସନ୍ତାନମାନ ହେଲେ ସାନ୍ତାଳ । ତେଣୁ ସାନ୍ତାଳମାନେ କୁଡ଼ୁମିମାନଙ୍କ ବଡ଼ଭାଇ ବୋଲି ସମ୍ବୋଧନ କରିଥାନ୍ତି । କେବେ ବି ନାମ ଧରି ଡ଼କାଡ଼କି ହୁଅନ୍ତି ନାହିଁ ।’’ (୨) କେହି କେହି ଏହି କୁଡ଼ୁମିମାନଙ୍କୁ ଖଣ୍ଡାୟତ ସଂପ୍ରଦାୟଭୁକ୍ତ କରିଥାନ୍ତି । ଏ ପ୍ରସଙ୍ଗ ଆଲୋଚନା ସାପେକ୍ଷ । ସେ ଯାହା ହେଉନା କାହିଁକି ଆଜି ଝୁମର କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ମଧ୍ୟରେ ଆବଦ୍ଧ ନ ହୋଇ ସର୍ବଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିପାରିଛି । ଉତ୍ତର ଓଡ଼ିଶାରେ କୁଡ଼ିମିମାନଙ୍କ ଦ୍ୱାରା ଏହି ଝୁମରର ବ୍ୟାପକ ପ୍ରଚାର-ପ୍ରସାରକୁ ଆଦୌ ଉପେକ୍ଷା କରାଯାଇ ନ ପାରେ । ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ପ୍ରାକୃତିକ ପରିବେଷର ମନୋଜ୍ଞ ଭୂମିରେ ଝୁମର ସଂଗୀତମାନ ଓ ନୃତ୍ୟକୁ ଯେ କେହି ନ ଦେଖିଲେ ତା’ର ମାଦକତାକୁ ଅନୁଭବ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ କେତେଗୋଟି ପର୍ଯ୍ୟାୟରେ ଝୁମରର ବିଭିନ୍ନ ପ୍ରସଙ୍ଗକୁ ନିମ୍ନରେ ଆଲୋଚନା କରାଯାଇପାରେ । ‘ଝୁମର’ର ଅର୍ଥ ‘ଝୁମର’ କହିଲେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଲୋକ ସଙ୍ଗୀତକୁ ହିଁ ବୁଝାଏ । ସାଦାରଣ ଭାବରେ ଦେଖିଲେ ଏହା ଏକ ଧ୍ୱନ୍ୟାତ୍ମକ ଶବ୍ଦ । ଝମ୍ଝମ୍ ଶବ୍ଦରୁ ଏହାର ସୃଷ୍ଟି । ପାଦରେ ଘୁଙ୍ଗୁରି ବାନ୍ଧି ସମୂହ ନୃତ୍ୟ କଲାବେଳେ ଝମ୍ଝମ୍ ଶବ୍ଦ ହୋଇଥାଏ । ସମ୍ଭବତଃ ଏହି ଧ୍ୱନିରୁ ଝୁମର ଶବ୍ଦ ଗୃହୀତ ହୋଇଥାଇ ପାରେ । ଆଲୋଚକ ଲଳିତ କୁମାର ମହାନ୍ତି ଏହି ପ୍ରସଙ୍ଗକୁ ମଧ୍ୟ ଗ୍ରହଣ କରିଛନ୍ତି ୧ ସେ କହନ୍ତି – ‘ଝୁମୁରା’ ନାଚରୁ ଏ ଶବ୍ଦର ସୃଷ୍ଟି । ଝୁମୁରା ନାଚର ମୁଖ୍ୟ ବିଷୟ ହେଲା ‘ଝମ୍ଝମ୍’ ତାଳ । ଏହି ତାଳ ବର୍ଷା ବର୍ଷିବା ପରି ଝମ୍ଝମ୍ ହୋଇ ବାଜିଥାଏ । ଘୁଙ୍ଗୁର ତିଆରି ହେବାରୁ ବହୁ ପୂର୍ବରୁ ନୃତ୍ୟ ସମୟରେ ନୃତ୍ୟକାରୀମାନେ ଏକପ୍ରକାର ଖୋଳପାରକୁ ପାଦ, ବାହୁ ଓ ଅଣ୍ଟାରେ ବାନ୍ଧି ନାଚୁଥିଲେ । ନାଚ ଓ ଗୀତର ତାଳେ ତାଳେ ସେଥିରୁ ‘ଝମ୍ଝମ୍’ ଶବ୍ଦ ବାହାରୁଥିଲା । କାଳକ୍ରମେ ଗେଣ୍ଡାର ମାଂସତକ ବାହାର କରି ତାକୁ କଣାକରି ଶୁଖାଇ ସେଗୁଡ଼ିକୁ ଘୁଙ୍ଗୁର ପରି ପାଦରେ ବାନ୍ଧୁଥିଲେ । xxx ତା’ସାଙ୍ଗକୁ ଲାଉତୁମ୍ବାରେ ‘ରୁଞ୍ଜ’ ଫଳକୁ ଭର୍ତ୍ତିକରି ଗୀତର ତାଳେ ତାଳେ ତୁମ୍ବାକୁ ହଲାଇବାରୁ ‘ଝମର’ ଶବ୍ଦ ବାହାରିବାକୁ ଲାଗିଲା। ତେଣୁ ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ଗୀତକୁ ‘ଝୁମର’ ଗୀତ ବୋଲି ଆଖ୍ୟାୟିତ କରାଗଲା।(୩) ଓଡ଼ିଆ, ବଙ୍ଗଳା, ହିନ୍ଦୀ ଆଦି ଅଭିଧାନମାନଙ୍କରେ ‘ଝୁମର’ ମାତ୍ରା ବା ଛନ୍ଦ ଭାବରେ ଗୃହୀତ । କେତେକାଂଶରେ ତାହା ବୃତ୍ତ ବା ରାଗିଣୀ ଭାବରେ ମଧ୍ୟ ପରିଚିତ । ଝୁମର ଗବେଷକ ଡ଼ଃ ଆଦିକନ୍ଦ ମହାନ୍ତ ‘ଝୁମର’ ସମ୍ପର୍କରେ ମତଦେଇ କହନ୍ତି- ‘‘ଝୁମର ଶବ୍ଦର ଶାବ୍ଦିକ ଶାସ୍ତ୍ରୀୟ ବ୍ୟାଖ୍ୟାକୁ ଲକ୍ଷ୍ୟ କଲେ ଜଣାଯାଏ – ଝରୟତି/ ଝୁରାୟତେ ଇତି ଝୁମର । ସୁଖଦୁଃଖରେ ସମଦର୍ଶୀ ସ୍ଥିତପ୍ରଜ୍ଞ ରହି ବିଭୁଉକ୍ତିରେ ତଦ୍ଗତ ପ୍ରାଣୀ ହୋଇ ଝୁରି ଝୁରି ମର ଶରୀରକୁ ଅମରତ୍ୱ ଆଡ଼କୁ ନେବାର ସ୍ୱର ଝଙ୍କା ହିଁ ଝୁମର ।’’ (୪) ତେଣୁ ଏ ସମସ୍ତ ଆଲୋଚନାମାନଙ୍କରୁ ଏତିକି ସ୍ପଷ୍ଟ ହୁଏ ଯେ- କର୍ମକ୍ଳାନ୍ତ ମନହେଉ ଅଥବା ଆନନ୍ଦବିଧାନ ନିମନ୍ତେ ବିବିଧ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଝୁମି ନୃତ୍ୟ କରି ଗାନ କରୁଥିବା ଗୀତ ହିଁ ଝୁମର ଭାବରେ ପରିଚିତ । କେବଳ କୁଡ଼ୁମି ସଂପ୍ରଦାୟ କାହିଁକି ଏହା ଏକ ଜାତି ଓ ଦେଶର ସାଂସ୍କୃତିକ ପରମ୍ପରା ଓ ଅମୂଲ୍ୟ ସଂପଦ ଭାବରେ ପରିଚୟ ଲାଭ କରିଛି । ଝୁମରର ବିଭାଗୀକରଣ: ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚକମାନେ ‘ଝୁମର’କୁ ୩ ଭାଗେ ବିଭକ୍ତ କରିଅଛନ୍ତି । ଯଥା- (୧) ଦରବାରୀ ଝୁମର (୨) ଭାଦୁରିଆ ଝୁମର (୩) ରଙ୍ଗୀନ ଝୁମର । ୧- ଦରବାରୀ ଝୁମର : ଯେଉଁ ଝୁମରଗୁଡ଼ିକ ରାଜ ଦରବାରରେ ସୃଷ୍ଟି ହୋଇଛି, ତାହା ଦରବାରୀ ଝୁମରର ନାମରେ ଅଭିହିତ । ଅଷ୍ଟାଦଶ ଶତାବ୍ଦୀରେ ରାଜା-ଜମିଦାରମାନେ ନିଜର ମନୋରଞ୍ଜନ ନିମେନ୍ତ ଦରବାରରେ ବିଭିନ୍ନ ନର୍ତ୍ତକୀ ଓ ନାଚୁଣୀମାନଙ୍କ ଦ୍ୱାରା ଏହି ଝୁମରକୁ ପରିବେଷଣ କରାଉଥିଲେ । ଶାସ୍ତ୍ରୋଚିତ ରାଗରାଗିଣୀ, ଅଳଙ୍କାର, ରସ ମଦିର ମଧୁର ସମନ୍ୱୟ ଏହି ଗୀତମାନଙ୍କରେ ଦେଖା ଯାଇଥାଏ । ଏହି ଝୁମର ପରିବେଷଣ କରିବାର ନିର୍ଦ୍ଦିଷ୍ଟ ସମୟ ରହିଛି । ଫାଲ୍ଗୁନ ମାସରୁ ଆଷାଢ ମାସ ପର୍ଯ୍ୟନ୍ତ ଦରବାରୀ ଝୁମରର ଗାୟନ କାଳ । ୨-ଭାଦୁରିଆ ଝୁମର : ଏହି ଝୁମର ବିଶେଷତଃ କରମାଗୀତ ଉପରେ ପର୍ଯ୍ୟବେସିତ । ଅଷ୍ଟାଦଶ ଶତାବ୍ଦବେଳକୁ ବୈଷ୍ଣବବାଦର ପ୍ରଭାବ ଫଳରେ ଏ ଭାଦୁରିଆ ଝୁମର ନାମରେ ପରିଚିତ ହେଲା । କରମାଗୀତର ଏହା ରୂପାନ୍ତର । ଏହି ଝୁମର ଓଡ଼ିଆ, କୁର୍ମାଳି, ବଙ୍ଗଳା, ନାଗପୁରିଆ, ମୁଣ୍ଡାରୀ, ହୋ, ଖୋର୍ଠା, ପାଜ୍ଞପରଗନିଆ ଆଦି ଭାଷାରେ ପରିଦୁଷ୍ଟ । ବର୍ଷାଋତୁ ଆରମ୍ଭରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଭାଦୁରିଆ ଝୁମର ପରିବେଷଣର ସମୟ । ୩-ରଙ୍ଗୀନ ଝୁମର : ପୂର୍ବୋକ୍ତ ଝୁମର ଭଳି ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିଦୃଷ୍ଟ ହୁଏ ନାହିଁ । ଏହି ଝୁମର ସ୍ୱାଧୀନ ଭାବରେ ଗାନ କରାଯାଇଥାଏ । ବିଭିନ୍ନ ବିଷୟ ଓ ରାଗରାଗିଣୀ ମାଧ୍ୟମରେ ଲୋକ ଜୀବନର ଚଳଣି, ସାମାଜିକ ବିଧିବ୍ୟବସ୍ଥା ଆଦିର ରୂପଛବି ଏଥିରେ ପ୍ରକାଶ ପାଇଥାଏ । ତେଣୁ ଏହାର ସାହିତ୍ୟ ବା ରଚନାଗୁଡ଼ିକ ଲୋକଗୀତର ପର୍ଯ୍ୟାୟଭୁକ୍ତ । ରଙ୍ଗୀନ ଝୁମର ପରିବେଷଣ କରିବାରେ କୌଣସି ଋତୁ ବା ମାସର ଆବଶ୍ୟକତା ପଡ଼େ ନାହିଁ । ଏହା ବର୍ଷର ଯେକୌଣସି ସମୟରେ ଗାନ କରାଯାଇ ପାରେ । ମାର୍ଗଶିର ଓ ପୌଷମାସରେ ଫସଲ କ୍ଷେତ୍ରରେ ବ୍ୟସ୍ତ ରହିବା କାରଣରୁ ଏହି ସମୟରେ କୌଣସି ଝୁମର ଉପଭୋଗ୍ୟ ହୋଇପାରେ ନାହିଁ । ତେରୁ ଏହି ସମୟକୁ ଝୁମରର ବିରତି ସମୟ ଭାବରେ ଗ୍ରହଣ କରାଯାଇଥାଏ । ସେହିଭଳି ନୃତ୍ୟଭିତ୍ତିରେ ମଧ୍ୟ ଝୁମରର ବହୁ ବିଭାଗ ଦେଖିବାକୁ ମିଳିଥାଏ । ପାରମ୍ପରିକ ଏହି ଲୋକସଙ୍ଗୀତ ଗାୟନ ମଧ୍ୟରେ ବହୁ ନୃତ୍ୟର ମଧ୍ୟ ଭିଆଣ କରାଯାଇଛି । ତେଣୁ ଝୁମର କେବଳ ଲୋକଗୀତ ମଧ୍ୟରେ ସୀମିତ ରହିନାହିଁ; ନୃତ୍ୟରେ ମଧ୍ୟ ଅନୁରୂପ ପ୍ରଭାବ ବିସ୍ତାର କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏଠାରେ ପ୍ରକାଶଯୋଗ୍ୟ ଆଲୋଚ୍ୟ ଝୁମରଗୁଡ଼ିକ କୁର୍ମାଳି ଝୁମରର ପର୍ଯ୍ୟାୟଭୁକ୍ତ । ଯଦିଓ ଏହାର ବ୍ୟାପକ ସୀମା ରହିଛି, ତଥାପି ଆଲୋଚନାର ସରଳୀକରଣ ନିମନ୍ତେ, ଓଡ଼ିଆ, ମୈଥିଳୀ ଆଦି ଭାଷାରେ ପରିଦୃଷ୍ଟ କୁର୍ମାଳି ଝୁମର ଗୀତଗୁଡ଼ିକୁ ପ୍ରସଙ୍ଗକ୍ରମେ ଗ୍ରହଣ କରାଯାଇଛି । ଝୁମର ନୃତ୍ୟଗୁଡ଼ିକ ସାଧାରଣତଃ ଏକକ ବା ପଙ୍କ୍ତି ମାଧ୍ୟମରେ ପରିବେଷଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଝୁମର ନୃତ୍ୟର ବହୁ ବିଭାଗ ସୃଷ୍ଟି ହୋଇଛି । ଯଥା- (୧) ପାନ୍ତାଶାଲିଆ ଝୁମର (୨) ନାଚୁଣୀ ଶାଲିଆ ଝୁମର (୩)କାଠିନାଚିଆ ଝୁମର (୪) ଜାଅଆ ନାଚିଆ ଝୁମର (୫) ବିବାହକାଳୀନ ଝୁମର (୬) ଔପାସନିକ ଝୁମର (୭) ସଖୀନାଚିଆ ଝୁମର (୮) ମହଡ଼ା ନାଚିଆ ଝୁମର (୯) ବୈଠକ ଝୁମର (୧୦) ଛଉ ନାଚିଆ ଝୁମର ୧- ପାନ୍ତାଶାଳିଆ ଝୁମର: ପଙ୍କ୍ତି ଶବ୍ଦରୁ ‘ପାନ୍ତା’ ଶବ୍ଦର ସୃଷ୍ଟି । ଏହା ସହିତ ଜଡ଼ିତ ସଙ୍ଗୀତକୁ ପାନ୍ତାଶାଲିଆ ଝୁମର କୁହାଯାଏ । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ‘କରମ ଦେବତା’ଙ୍କୁ ପୂଜା କରିବା ଅବସରରେ ସମବେତ ହୋଇ ଏହି ଝୁମର ପରିବେଷଣ କରାଯାଇଥାଏ । ୨- ନାଚୁଣୀ ଶାଲିଆ ଝୁମର : ଏହା ଏକ ଝୁମର ଭାବେ ପରିଚିତ । ଜଣେ ନାରୀ ନର୍ତ୍ତକୀ ବା ନାଚୁଣୀ ଦ୍ୱାରା ଏହା ପରିବେଷଣ କରାଯାଇଥାଏ । ନାରୀ ଶିଳ୍ପୀର ଆବର୍ତ୍ତମାନରେ ପୁରୁଷ ଶିଳ୍ପୀ ଜଣକ ନାରୀବେଶ ହୋଇ ମଧ୍ୟ ଏହାକୁ ପରିବେଷଣ କରିଥାଏ । ବିବାହ, ଅନ୍ନପ୍ରାସନ, ସାମାଜିକ କ୍ରିୟାନୁଷ୍ଠାନ ଏବଂ ମନୋରଞ୍ଜନ ନିମନ୍ତେ ଏହି ନୃତ୍ୟ କରାଯାଇଥାଏ । ପଶ୍ଚିମ ଓଡିଶାର ‘ରସାରକେଲୀ’ ଏବଂ ରାଜସ୍ଥାନର ‘ଢପ୍’ ସହିତ ଏହାର ସାମ୍ୟ ପରିଲକ୍ଷିତ ହୋଇଥାଏ । ୩- କାଠି ନାଚିଆ ଝୁମର: କାଠି ବା ଲାଠି ସାହାଯ୍ୟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମର ସଙ୍ଗୀତ ଗାନ କରି ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଓଗାଳ, କୈସାବାଡ଼ି ନୃତ୍ୟ ସହିତ ଏହି ଝୁମର ନୃତ୍ୟର ସାମ୍ୟ ଦେଖାଯାଏ । ୪- ଜାଅଆ ନାଚିଆ ଝୁମର : ଜାଆଆ ଏକ ବ୍ରତ । କୁଡ଼ୁମି ସଂପ୍ରଦାୟର କୁମାରୀ କନ୍ୟାମାନେ ‘କରମ ଠାକୁର’ଙ୍କ ନିକଟରେ ଏହି ବ୍ରତ ରଖିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ‘କରମଠାକୁର’ଙ୍କୁ ପୂଜା କରିବା ଅବସରରେ କିଶୋରୀମାନେ ସମବେତ ହୋଇ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଝୁମର ଗୀତ ଓ ନୃତ୍ୟକୁ ପରିବେଷଣ କରିଥାନ୍ତି । ୫- ବିବାହକାଳୀନ ଝୁମର : ବିବାହ ଭଳି ସାମାଜିକ ଅନୁଷ୍ଠାନମାନଙ୍କରେ ଏହି ନୃତ୍ୟ ପରିବେଷଣ କରା ଯାଇଥାଏ । ଉଭୟ କନ୍ୟା ଓ ବରପକ୍ଷ ମଧ୍ୟରେ ବହୁ ଥଟ୍ଟା ପରିହାସ, ଆକ୍ଷେପ ଉକ୍ତି ମଧ୍ୟରେ ଏହି ଝୁମର ଗାନ କରାଯାଇଥାଏ । ୬- ଔପାସନିକ ଝୁମର : ନିଜର ଆାରାଧ୍ୟ ଦେବାଦେବୀଙ୍କ ଉପାସନା ନିମନ୍ତେ ପରିବେଷଣ କରା ଯାଉଥିବା ଝୁମର, ଔପାସନିକ ଝୁମର ନାମରେ ପରିଚିତ । ୭- ସଖୀ ନାଚିଆ ଝୁମର : ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଭାବ ଫଳରେ ଝୁମରରେ ରାଧାକୃଷ୍ଣ ଏବଂ ସେମାନଙ୍କ ସଖା-ସଖୀମାନଙ୍କର ଆବିର୍ଭାବ ଘଟିଲା । ପରେ ସେହି ସଖୀମାନଙ୍କୁ ଉପଜୀବ୍ୟ କରି ଏକ ନୂତନ ନୃତ୍ୟଶୈଳୀର ସୃଷ୍ଟି ହେଲା । ଯାହା ସଖୀନାଚିଆ ଝୁମର ନାମରେ ପରିଚିତ । ୮- ମହଡ଼ା ନାଚିଆ ଝୁମର : ‘ମହଡ଼ା’ ଅର୍ଥ ହେଉଛି ମୁଖା । ଏହି ନୃତ୍ୟରେ ବିଭିନ୍ନ ଦେବାଦେବୀ, ଅସୁର, ପଶୁପକ୍ଷୀମାନଙ୍କ ମୁଖା ବ୍ୟବହାର କରାଯାଇଥାଏ । ବୀର ରସ ପ୍ରକାଶ କରିବାରେ ଏହି ନୃତ୍ୟର ଯଥେଷ୍ଟ ପ୍ରଭାବ ରହିଛି । ରାବଣ ବଧ, ମହିଷାସୁରର ବଧ ଆଦି ଅଭିନୟ ଏହି ନୃତ୍ୟର ମୁଖ୍ୟ ଆକର୍ଷଣ । ୯- ବୈଠକୀ ଝୁମର : ଗ୍ରାମ ବୈଠକରେ ବସି ବିଭିନ୍ନ ସମ୍ବନ୍ଧରେ ତର୍ଜମା କରିବା ଅବସରରେ ଯେଉଁ ଝୁମର ନୃତ୍ୟ ପ୍ରଦର୍ଶିତ ହୋଇଥାଏ, ତାହା ବୈଠକୀ ଝୁମର ଭାବେ ପରିଚିତ । ଆଲୋଚନା-ପ୍ରତ୍ୟାଲୋଚନା ମାଧ୍ୟମରେ ବିବିଧ ଦର୍ଶନ, ଚିନ୍ତା, ସାହିତ୍ୟିକ ଆଭିମୁଖ୍ୟ, ଭକ୍ତିବାଦ ଆଦିକୁ ସ୍ଥାନିତ କରାଯାଇଥାଏ ଏଥିରେ । ୧୦- ଛଉନାଚିଆ ଝୁମର : ଛଉ ନୃତ୍ୟ ମାଧ୍ୟମରେ ଯେଉଁ ଝୁମର ପରିବେଷଣ ହୋଇଥାଏ, ତାହା ଛଉନାଚିଆ ଝୁମର ଭାବରେ ଖ୍ୟାତ । ପ୍ରକାଶଯୋଗ୍ୟ ‘ଛଉନୃତ୍ୟ’ ଆଜି ସମଗ୍ର ବିଶ୍ୱରେ ତା’ର ଅପୂର୍ବ କଳାକୁ ପ୍ରସାରିତ କରିପାରିଛି । ବିଶେଷତଃ ଛଉନୃତ୍ୟ ଉତ୍ତର ଓଡ଼ିଶା (ମୟୁରଭଞ୍ଜ)ର ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ତେଣୁ ଆଲୋଚକମାନେ ‘ଛଉ’କୁ ମୟୁରଭଞ୍ଜରର ସୁଯୋଗ୍ୟ ସନ୍ତାନ ଭାବରେ ଏବଂ ‘ଝୁମର’କୁ ଅଲିଅଳୀ କନ୍ୟାଭାବରେ ଗ୍ରହଣ କରିଥାନ୍ତି । ଆଜି ଝୁମର ଓ ଛଉ ସମୀଭୂତା ହୋଇ ଓଡ଼ିଶାର ଏକ ମୌଳିକ ତଥା ପାରମ୍ପରିକ ଲୋକନୃତ୍ୟ ଭାବରେ ପ୍ରତିଷ୍ଠିତ ହୋଇପାରିଛି । ଏଣୁ ଏ ସଂମ୍ପର୍କରେ କୁହାଯାଏ – ‘‘ନୃତ୍ୟ ଜଗତରେ ‘ଛଉନାଚ’ ଯେପରି ଏକ ବିଶିଷ୍ଟ ସମ୍ପଦ, ସଙ୍ଗୀତ ରାଜ୍ୟରେ ‘ଝୁମର’ ମଧ୍ୟ ଏକ ବିଶ୍ୱସ୍ତ ସମ୍ପଦ । x x ଛଉ ଓ ଝୁମର ଅଙ୍ଗାଙ୍ଗୀଭାବେ ଜଡ଼ିତ । ଛଉନାଚର ତାଣ୍ଡବ ଓ ଝୁମର ନୃତ୍ୟ ଲାସ୍ୟ ଉଭୟେ ପରିପୂରକ । ଛଉନୃତ୍ୟ ପୁରୁଷ ପ୍ରକୃତିରେ ଅଭିନୀତ ଓ ଝୁମର ନୃତ୍ୟ ନାରୀ ପ୍ରକୃତିରେ ଅଭିନୀତ । ଜଗତରେ ସୁନ୍ଦର ବସ୍ତୁମାନଙ୍କ ମଧ୍ୟରେ ଗୋଟିଏ ହେଲା ରମଣୀ ଓ ଅନ୍ୟଟି ରାଗିଣୀ । ଏହି ଦୁଇଟି ସୁନ୍ଦରର ସମାହାର ହେଲା ‘‘ଝୁମର’’ ଉତ୍ତର ଓଡ଼ିଶାର ଏକ ସାଂସ୍କୃତିକ ପରମ୍ପରା ।’’ (୬) ଝୁମରର ଯୁଗବିଭାଜନ : ସାହିତ୍ୟରେ ଯୁଗବିଭାଜନ ପରି ଝୁମରରେ ମଧ୍ୟ ଯୁଗବିଭାଜନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଆଲୋଚକମାନେ ଝୁମରର ଯୁଗବିଭାଜନ କରିଛନ୍ତି । ଯଥା- (୧) ଆଦିଯୁଗ (ପ୍ରାଚୀନରୁ ୧୭୫୦) (୨) ମଧ୍ୟଯୁଗ (୧୭୫୦ – ୧୮୫୦) (୩) ରୀତିଯୁଗ (୧୮୫୦-୧୯୫୦) (୪) ରଙ୍ଗୀନଯୁଗ (୧୯୫୦ ରୁ ଅଦ୍ୟାବଧି) ଆଦିଯୁଗ (ପ୍ରାଚୀନରୁ ୧୭୫୦) : ଆଦିଯୁଗରେ ଝୁମରର ରୂପ ଲୋକଗୀତ ଧାରାରେ ଆବଦ୍ଧ ଥିଲା । କରମା ଗୀତ ସମ୍ବଳିତ ଝୁମର ଏହି ଯୁଗୀୟ ରଚନା । ପରେ ସପ୍ତଦଶ ଶତାବ୍ଦୀର ଶେଷଆଡ଼କୁ ବୈଷ୍ଣବ ଧର୍ମଦ୍ୱାରା ଏହା ପ୍ରଭାବିତ ହୋଇଅଛି । ଏହି କାଳର ଝୁମରର ରୂପ ନିମ୍ନମତେ ଲକ୍ଷଣୀୟ- କୁଳୁଥିରେ ବାଁକା କୁଳିଥି ଭୁଜେ ଲାଗଇ ଛଟକି ନନ୍ଦନ ଭୁଜଇତେ ଭୁଜଇତେ ନଣନ୍ଦ ପୋଡ଼ି ହେଲ ଲାଜେ ହୁଁ ନା ଗେଲାଇଁ ଶଶୁରାଲ ନି ଯାତିରେ ନନ୍ଦାସୁ ଭାଇ ନନ୍ଦ ମୋର ଫୁଲକେରୀ ହାର ।। (ଯାଓ୍ୱାଗୀତ) ଏକ ସାଧାରଣ ଘଟଣାକୁ ନେଇ ଏହା ରଚିତ । ଏହି ଗୀତରେ କବି କହୁଛନ୍ତି- ସାଧାରଣତଃ କୋଳଥଫଳ ଦେଖିବାକୁ ବଙ୍କା । ସେହି ବଙ୍କା କୋଳଥକୁ ଭାଜୁ ଭାଜୁ ଛଟକି ନଣନ୍ଦ ପୋଡ଼ି ହେଲା। ଫଳତଃ ଲାଜରେ ଆଉ ଶ୍ୱଶୁର ଘରକୁ ଗଲା ନାହିଁ । ତା’ସ୍ୱାମୀ ନେବାକୁ ଆସିବା ବେଳେ ଭାଉଜ କହୁଛି – ‘‘ ହେ ନନ୍ଦସୁ ଭାଇ’ (ନଣନ୍ଦର ସ୍ୱାମୀ) ମୋର ନଣନ୍ଦ ଫୁଲଠାରୁ ଆହୁରି କୋମଳ । ସେ ପୋଡ଼ି ହୋଇଛି । ଏଣୁ ଯିବ ନାହିଁ ।’’ ଆଉ ଏକ ଉଦାହରଣ ମାଧ୍ୟମରେ – ଜଣେ ବିଳାସିନୀ ରମଣୀର କେଶ ପ୍ରସାଧନକୁ ଏଠାରେ ଲକ୍ଷ୍ୟ କରାଯାଇପାରେ – ‘‘ହାତ ଦାଁତକେ କାଁକୟା ସୁରଙ୍ଗିକା ତେଲ, ମଚିଆଇଁ ବସିଏ ବିରୁନ୍ ଝାଡ଼େ ଲାଗନ ବେଶେ, ବିରୁନ୍ କତିରଙ୍ଗ ।’’ (କରମ ଗୀତ) ଅର୍ଥାତ୍ ‘‘ବିରୁନ୍ (ସ୍ତ୍ରୀର ନାମ) ଏକ ମାଁଚିଆ ଉପରେ ବସି ମୁଣ୍ଡରେ ସୁରଙ୍ଗି ତେଲ ଲଗାଉଛି ଏବଂ ହାତୀଦାନ୍ତ ପାନିଆରେ ନାନାଭଙ୍ଗୀରେ କେଶ ସଜାଉଛି ।’’ ମଧ୍ୟଯୁଗ (୧୭୫୦-୧୮୫୦) : ଏହି ସମୟରେ ବୈଷ୍ଣବବାଦ ଓ କବୀରବାଦର ପ୍ରଭାବ ପଡ଼ିଛି ଝୁମର ଉପରେ । ରାଧାକୃଷ୍ଣଙ୍କ ପ୍ରେମ, ମିଳନ, ବିଚ୍ଛେଦର କାହାଣୀ ଏଥିରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜା-ଜମିଦାରମାନଙ୍କ ପୃଷ୍ଠପୋଷକତା କାରଣରୁ ଏଥିରେ (ସଙ୍ଗୀତ, ନୃତ୍ୟ, ସାହିତ୍ୟ) ବହୁ ପରିବର୍ତ୍ତନ ମଧ୍ୟ ସଂଗଠିତ ହୋଇଅଛି । କରମାଗୀତ, ବାନ୍ଦରନାଚାଗୀତ, ଟୁସୁଗୀତ, ଡ଼ମକଚ ଆଦି ଏହି ଯୁଗୀୟ ଝୁମର ପର୍ଯ୍ୟାୟଭୁକତ । ଯଥା- (କ) ଫୁଟିଲ ଡ଼ାଲିମେର ଫୁଲ, ନା ଧରିଲ କଷିରେ ଦୁଦିନ ପରୀତିର ଲାଗି ହଇଲାମ୍ ମୁଖ୍ ଦୋଷୀରେ । (କରମାଗୀତ) (ଖ) ‘‘କୋନ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ କୋନ ମହିନା ଆୟଃ ରାଞ୍ଚୀ ମେଲା ଲାଗେ ? ମାଗ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ ଫାଗୁନ ମହିଳା ଆୟଃ ରାଞ୍ଚୀ ମେଲା ଲାଗେ ।’’ (ଡ଼ମକଚ:ନାଗପୁରିଆ) ଅର୍ଥାତ ଝିଅଟି ତା’ର ମା’କୁ ପଚାରୁଛି ‘‘ଆୟଃ (ମୁଣ୍ଡାରୀ ଭାଷାରେ ମା’କୁ ଆୟଃ କୁହାଯାଏ) ‘‘କେଉଁ ମାସରେ ବେଦବ୍ୟାସ ମେଳା ଲାଗେ ଏବଂ କେଉଁ ମାସରେ ରାଞ୍ଚି ମେଳା ଲାଗେ ? ଉତ୍ତରରେ ତା’ ମା କହୁଛି – ମାଘ ମାସରେ ବେଦବ୍ୟାସ ମେଳା ଓ ଫଗୁଣ ମାସରେ ରାଞ୍ଚୀମେଳା ଲାଗେ ।’’ ରୀତିଯୁଗ (୧୮୫୦-୧୯୫୦) : ଏହି ସମୟ ଝୁମର ଇତିହାସର ମହତ୍ତ୍ୱପୂର୍ଣ୍ଣ କାଳ । ଓଡ଼ିଆ ରୀତିଯୁଗୀୟ କବିମାନଙ୍କ ରଚନା ଭଳି ଏହି ସମୟର କିବିମେନ ଅଳଙ୍କାର, ରସ-ରୀତି ଆଦି ଶାସ୍ତ୍ରୀୟ ମର୍ଯ୍ୟାଦାରେ ନିଜର କାବ୍ୟନାୟିକାକୁ ଭୂଷିତ କରଅଛନ୍ତି । ଏହି କାଳରେ ଚିତ ଆଳଙ୍କାରିକ ଝୁମରଗୁଡ଼ିକୁ ପାଠକଲେ ତାହା ଭଞ୍ଜ, ଦୀନକୃଷ୍ଣ ଆଦିଙ୍କ କୃତି ଦ୍ୱାରା ପ୍ରଭାବିତ ହେବାର ସ୍ପଷ୍ଟ ଅବଧାରଣା କରିହୁଏ । ବିଶେଷତଃ ଓଡ଼ିଶା ଓ ସିଂହଭୂମିର ଝୁମର କବିମାନେ ଶାସ୍ତ୍ରୋଚିତ ଅଳଙ୍କାର, ରସାଦିକୁ ଦକ୍ଷତାର ସହିତ ଉପସ୍ଥାପନ କରିପାରିଛନ୍ତି ଆପଣାର ଝୁମର ମାନଙ୍କରେ । ରୌଦ୍ରରସକୁ ବାଦ୍ଦେଲେ ଅନ୍ୟ ସମସ୍ତ ରସର ପ୍ରୟୋଗ ଏହି ସମୟରେ ସୁଲଭ୍ୟ ହୋଇଛି । ବିଶେଷକରି ଶୃଙ୍ଗାର ରସର ପ୍ରାବଲ୍ୟ ସର୍ବପେକ୍ଷା ଅଧିକ ପରିଦୁଷ୍ଟ ହୋଇଥାଏ ଝୁମରମାନଙ୍କରେ । କେତୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ : (କ) ‘‘ଆହାରେ ରମଣୀ ତୁମୋ ଶିରମଣି, ହୃଦୟକୁ ମଣି ଚାହାଁରେ ତୋବିନେ ମଦନ କରୁଛି ଛେଦନ, କହିବି ବେଦନ କାହାରେ ଚାହିଁ ଶୋଭାବନ ଯିବକି ଜୀବନ, ହେଉ ତୋ ଯୌବନ ସାହାରେ ।। ୧ ।। ମାନି ମିନିତିକି ଘେନି ଭକତିକି, ତୋଷ ମତିକି ଉରହାରେ କରିଣ ପୀରତି ରଖତୁ କୀରତି, ଦେଇଣ ସୁରତି ବିହାରେ ତୋହର ସୁତନୁ, ପରଶୋ ଏତନୁ, ତରିବ ଅତନୁ ପ୍ରହାରେ ।। ୨ ।। ସାରସ ବଦନା, କରକ ରଦନା, ଘେନେମୋ ବେଦନା ଗୁହାରେ ମୁଁ ଅଟେ ଚାକର, ଧରୁଛି ତୋ’କର, ରକ୍ଷାକର ପ୍ରାଣ ବାହାରେ ତୋର ଗୁଣଗୀତ କରିଣ ଇଙ୍ଗିତ, ଗାଇି ସଂଗୀତ ଦୋହାରେ ।’’ (ଖ) ନବଘନ ଶ୍ୟାମ, ଜିନି କୋଟିକାମ, ଶିରେ ଶିଖି ପୁଚ୍ଛ ଶୋଭାରା ଶ୍ରୀମୁଖଣ୍ଡଳର କରେ ଝଲମଲ କୋଟି ଦ୍ୱିଜରାଜ ପ୍ରଭାରେ । ମଦନମୋହନ ଶ୍ୟାମ ହେରି ଜଗଜ୍ଜନ ମନ ଲୋଭାରେ । ୧ । ଅଲକା ତିଲକ, କପାଲେ ମାନିକ, ଜିନି ଦାମିନୀର ପ୍ରଭାରେ ପ୍ରଖର ମକର କୁଣ୍ଡଇ କିସ କୁଲବଧୁକୂଇ ନାଶାରେ । ୧ । ପୂର୍ଣ୍ଣଶଶଧର ଶ୍ରୀମୁଖଣ୍ଡମଳ ଗଲେ ଦୋଲେ ବନ ମାଲାରେ ଶ୍ରୀମୁଖ ସରୋଜ, ରଦ କରକଜ, ମାରନାରାଚ ଭ୍ରୁଲତାରେ । ୩ । (ଲୁପ୍ତୋପମା) ଏହିଭଳି ନାନା ପାଣ୍ଡିତ୍ୟପୂର୍ଣ୍ଣ ଝୁମର ଏହି ଯୁଗରେ ଦେଖିବାକୁ ମିଳେ । ଏତଦ୍ଭିନ୍ନ ଏହି ସମୟରରେ ବହୁ ଦେବାଦେବୀଙ୍କ ବନ୍ଦନା, ରାଜବନ୍ଦନା, ଆଧ୍ୟାତ୍ମିକ ଚେତନାଧର୍ମୀ ଝୁମର ସଙ୍ଗୀତ ମଧ୍ୟ ଦେଖିବାକୁ ମିଳିଥାଏ । ରଙ୍ଗୀନ ଯୁଗ (୧୯୫୦ରୁ ଅଦ୍ୟାବଧି) : ଏହି କାଳରେ ଝୁମର ପୂର୍ବର ରୀତିଯୁଗୀୟ କାବ୍ୟିକ ଗୁଣକୁ ପରିହାର କରି ସାଧାରଣ ଜନପଦକୁ ଓହ୍ଲାଇ ଆସିଛି । ଶବ୍ଦକ୍ଳିଷ୍ଟତା, ଆଳଙ୍କ।ରିକ ଅଟୋପତାକୁ ପରିହାର କରି ଲୋକମୁଖୀ ଭାଷାକୁ ଆଦରି ନେଇଛି। ଫଳତଃ ରଚନାମାନଙ୍କରେ ସାମାଜିକ ଜୀବନର ଚିତ୍ରାବଳୀ ବ୍ୟକ୍ତିଜୀବନର ବହୁ ପ୍ରସଙ୍ଗ, ପ୍ରେମ-ପ୍ରଣୟ ଅଭାବ-ଅସୁବିଧା ସବୁକିଛି ସରଳ-ସୁବୋଧ ଭାବରେ ଲୋକକବିର ଲେଖନୀକୁ ଆବୋରି ବସିଛି । ୧୯୫୦ରୁ ଏ ଯାବତ୍ ଏହି ରଚନାର ଧାରା ପ୍ରଲମ୍ବିତ ହୋଇଆସିଛି । ତେଣୁ ଝୁମର କବି ଏହି ଧାରାରେ ବ୍ରତୀ ହୋଇ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଉପଜୀବ୍ୟ କରି ଗୀତ ବାନ୍ଧିବାରେ ଲାଗିଛି । ଯେପରି- ପ୍ରେମ: ଯେ ଦିନୁ ଦେଖିଲି ତାକେ କି ନାଇଁକି ହେଲା ମକେ, ବୁଝାଡ଼ ଦାଇ କହି କଥା ମିଠା, ମୋର ବୁକେ ଅଠା ସେ ଯେ ଲଗାଇଲା ହାୟ କାହାକୁ କହିବି ଓ ମୁଇଁ ଲାଜେ ମରିଯାଏଁ । ପାରିବାରିକ (ସ୍ୱାମୀ-ସ୍ତ୍ରୀ: କେତେ ଢଙ୍ଗେ କାଟୁଛି ଶୀଁତା ଘନେ ଘନେ ପାଦେ ଅଳତା ଗୋ ଦେଖି ଦେଖି ହେଲି ବିଷ ପିତା । ବନାରସୀ ଚୁଡ଼ି ହାତେ ପିନ୍ଧାଇଲି ବରମପୁରିଆ ପାଟ ପିନ୍ଧାଇଲି କଟକୀ ତାରକସି, ପାନ ପତରି ଦେଲି (ଆହୁରି) କୋଜୁଛି ବେଣୀ ବନ୍ଧା ଫିତାଗୋ । ଝୁମରର ଭାଷା: ଅଧୁନା ଭାରତର ବିଭିନ୍ନ ଭାଷାରେ ଅସଂଖ୍ୟ ଝୁମର ପରିଲକ୍ଷିତ ହୋଇଥାଏ । ଓଡ଼ିଆ, ବଙ୍ଗଳା, ସାନ୍ତାଳୀ, କୁର୍ମାଳୀ, ଆସାମୀ, ମୈଥିଳୀ ଆଦି ଭାଷାରେ ଏହା ପରିଦୃଷ୍ଟ । ମାତ୍ର ଆଲୋଚନାରୁ ଜଣାଯାଏ ଯେ ଝୁମର ସଙ୍ଗୀତର ମୂଳଭାଷା ହେଉଛି ମୈଥିଳୀ । କବି ବିଦ୍ୟାପତି ମୈଥିଳୀ ସାହିତ୍ୟର ପ୍ରଥିତଯଶା କବି । ତାଙ୍କ ପ୍ରଭାବିତ ମୈଥିଳୀ ଭାଷାର ରୂପାନ୍ତର ବିହାରର ହିନ୍ଦୀଭାଷା, ନାଗପୁରିଆ ଭାଷା, ଭୋଜପୁରୀ ଓ କୁର୍ମାଳୀ ଭାଷା ବୋଲି ଆଲୋଚକମାନେ ମତ ଦେଇଥାନ୍ତି । ସେମାନଙ୍କ ଭାଷାରେ – ‘‘ଝୁମର ସଙ୍ଗୀତର ଏହି ମୂଳଭାଷା ବିଭିନ୍ନ ପ୍ରଦେଶରେ ବିଭିନ୍ନ ଅକାରରେ ପ୍ରକାଶ ପାଇଛି ଏବଂ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ମାତ୍ର ଏପର୍ଯ୍ୟନ୍ତ ଯେତେ ଝୁମର ରଚୟିତାଙ୍କ ସନ୍ଧାନ ମିଳିଛି, କେହି ହେଲ, ମୂଳଭାଷା ମୈଥିଳୀକୁ ଛାଡ଼ିନାହାନ୍ତି । ସମସ୍ତେ କିଛି ନ କିଛି ମୈଥିଳୀ ଭାଷାରେ ନିଶ୍ଚୟ ଝୁମର ରଚନା କରିଅଛନ୍ତି ।’’ (୭) ତେଣୁ ପ୍ରତ୍ୟେକ ଝୁମର ଯେ ମୈଥିଳୀ ଭାଷା ଦ୍ୱାରା ପ୍ରଭାବିତ, ତାହା ଅସ୍ୱୀକାର କରାଯାଇ ନ ପାରେ । ଓଡ଼ିଆ, ବଙ୍ଗଳାଭାଷାରେ ପ୍ରାପ୍ତ ଝୁମରମାନଙ୍କରୁ ଏହି ସତ୍ୟ ଉଦ୍ଘାଟିତ ହୋଇଥାଏ । ମାତ୍ର ସମୟାନ୍ତରେ ବହୁ ପ୍ରାନ୍ତୀୟ ଭାଷାରେ ଅସଂଖ୍ୟ ଝୁମର ରଚନା ହେବାର ଜଣାଯାଏ । ସାଙ୍ଗୀତିକ ଏବଂ ସାହିତ୍ୟିକ ଦୃଷ୍ଟିକୋଣରୁ ଏହା କୌଣସି ଗୁଣରେ ନ୍ୟୁନ ବୋଲି ମନେହୁଏ ନାହିଁ । ତେଣୁ ପରିବର୍ତ୍ତନର ସ୍ରୋତରେ ସାମିଲ ହୋଇ ବିଭିନ୍ନ ପ୍ରାଦେଶିକ ସ୍ତରରେ ଝୁମର ଆଜି ଭିନ୍ନରୂପ ପରିଗ୍ରହ କରିବା ସହିତ ନିଜର ସ୍ୱାତନ୍ତ୍ର୍ୟ ମହକରେ ସମଗ୍ର ଶ୍ରୋତା, ପାଠକ ଓ ଦର୍ଶକଙ୍କୁ ମତୁଆଲା କରିରଖିଛି, ଏହା କହିବା ବାହୁଲ୍ୟ ମାତ୍ର । ଝୁମରର ରାଗ-ରାଗିଣୀ : ଝୁମର ଏକ ସଂଗୀତ ବୋଲି ପୂର୍ବରୁ ପ୍ରକାଶିତ । ତେଣୁ ସଂଗୀତକୁ ଗାନ କରିବା ନିମନ୍ତେ କେତେକ ରାଗରାଗିଣୀର ଆବଶ୍ୟକତା ହୋଇଥାଏ । ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକୁ ଗାନ କରିବା ପାଇଁ ଯେଭଳି ବିଭିନ୍ନ ରାଗରାଗିଣୀର ଅବତାରଣା କରାଯାଇଛି । ତଦୁପରି ଝୁମର ସଙ୍ଗୀତକୁ ଗାନ କରିବା ନିମନ୍ତେ ଲୋକରାଗରାଗିଣୀ ଭିତ୍ତିରେ ବହୁ ରାଗରର ଭିଆଣ କରାଯାଇଛି । ଯେଉଁଗୁଡ଼ିକ ଆଲୋଚନା ସାପେକ୍ଷ । କେବଳ ଆଲୋଚନାର ସୁବିଧା ନିମନ୍ତେ ଏଠାରେ ସେଗୁଡ଼ିକର ନାମୋଲ୍ଲେଖ କରାଗଲା । ଯଥା- (୧) ଝିଙ୍ଗାଫୁଲିଆ (୨) ଉଦାସିଆ (୩) ରସରସିଆ (୪) ରସପକ୍ଷୀଆ (୫) ଝୁମକା (୬) ଝୁମଟା (୭) ଖେମଟା (୮) ଆଡ଼ଖେମଟା (୯) ରିଝାଁମାଠା (୧୦) ତାମାଳିଆ (୧୧) ଗାଢଓ୍ୱା (୧୨) ଡ଼ମକଚ (୧୩) ନାଗପୁରିଆ (୧୪) ପତରତୁଳା (୧୫) ପାଟିଆମେଧା (୧୬) ଦୋଛୁଟା (୧୭) ଠାଳରିଙ୍ଗା ଇତ୍ୟାଦି । ପୁନଶ୍ଚ ଶାସ୍ତ୍ରୀୟ ସଙ୍ଗୀତର ରାଗରେ ସ୍ଥାୟୀ, ଅନ୍ତରା, ଆଭୋଗ ଆଦିର କ୍ରମସଜ୍ଜୀକରଣ ଶୈଳୀ ଝୁମରରେ ଦେଖା ନ ଗଲେ ହେଁ ସେ ସମସ୍ତର ପ୍ରଭାବ ଝୁମରର ଗାୟନ ମଧ୍ୟରେ ପରିଲକ୍ଷିତ ହୋଇଥାଏ । ତେଣୁ ଏହାର ରାଗିଣୀଗୁଡ଼ିକ ଶାସ୍ତ୍ରୀୟସଙ୍ଗୀତର ତିଳୋକ କାମୋଦ, ଦେଶ, ଜୟଜୟନ୍ତୀର ଆଦି ରାଗକୁ ଭିତ୍ତିକର ସ୍ୱତନ୍ତ୍ର ସ୍ୱାଦରେ ପରିବେଷିତ ହୋଇଥାଏ । ଏତଦ୍ବ୍ୟତିତ ଲୋକଗୀତ ଆଧାରିତ ଭାଟିଆରୀ, କୀର୍ତ୍ତନ, ଛାନ୍ଦ ଆଦି ମଧ୍ୟ ଝୁମରର ଏକକ ବିଶିଷ୍ଟ ରାଗ-ରାଗିଣୀ । ଝୁମରର ବାଦ୍ୟଯନ୍ତ୍ର: ଝୁମର ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦୁଇ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । ଯଥା ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଏବଂ ମଧୁର ଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର । ଆଞ୍ଚଳିକ ଭାଷାରେ ଏହାକୁ ମୋଟାବାଜ୍ନା ଓ ସରୁବାଜ୍ନା କୁହାଯାଏ । ଧାମସା, ମାଦକ, ଢୋଲ, ଚଡ଼ଚଡ଼ି ମୋଟାବାଜ୍ନା ଓ ସାହାନାଇ, ବଂଶୀ, ବେହେଲା, କେନ୍ଦେରା ପ୍ରଭୃତି ସରୁବାଜ୍ନା ଭାବରେ ପରିଚିତ । ଅତୀତରେ କେବଳ ଲୌକିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଥିଲା ବେଳେ, ଅଧୁନା ବହୁ ଶାସ୍ତ୍ରୀୟ ବାଦ୍ୟ ଏବଂ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର କର୍ଣ୍ଣେଟ୍ ଓ କ୍ଲାରିଓନେଟର ମଧ୍ୟ ବ୍ୟବହାର କରାଯାଉଛି । ଏହି ସମସ୍ତ ଆଲୋଚନାମାନଙ୍କରୁ ଝୁମର ସମ୍ପର୍କରେ ଏକ ମୋଟାମୋଟି ଧାରଣା କରାଯାଇପାରେ । ଓଡ଼ିଶାର ଲୋକସଂଗୀତ ତଥା ମୟୁରଭଞ୍ଜର ପାରମ୍ପରିକ ଲୋକଗୀତ-ନୃତ୍ୟ ଭାବରେ ଝୁମର ଯେଉଁ ମର୍ଯ୍ୟୋଦା ଲାଭ କରିଛି, ସେ ସଂପର୍କରେ ସାମାନ୍ୟ ଅବଧାରଣା କରିବା ନିମିତ୍ତ ଝୁମରର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଚୁମ୍ବକରେ ଆଲୋଚନା କରାଗଲା। ଏକ ଉତ୍କୃଷ୍ଟ ଲୋକକଳାର ସ୍ୱାତନ୍ତ୍ର୍ୟ ବହନ କରୁଥିବା ଝୁମର କୁଡ଼ୁମୀ, ଉତ୍ତର ଓଡ଼ିଶା ସର୍ବୋପରି ଭାରତର ସାଂସ୍କୃତିକ ଲୋକ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଙ୍ଗ । କେବଳ ଲୋକ ସଙ୍ଗୀତ ଭାବରେ ତାହାର ମର୍ଯ୍ୟାଦା ଅତୁଟ ରହିନି: ଅଧିକନ୍ତୁ ଏକ ଉନ୍ନତ ସାହିତ୍ୟିକ ଆବେଦନକୁ ମଧ୍ୟ ଏହା ନିଜ ଭିତରେ ସମାହିତ କରି ରଖିଛି । ଜଣେ ଅନିସନ୍ଧିତ୍ସୁ ପାଠକର ମନନେଇ ଯଦି ଏଥିରେ ମନନିଯୋଗ କରାଯାଏ, ତେବେ ବହୁ ଉପାଦେୟ ତଥ୍ୟ, ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଆବିଷ୍କୃତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ‘ଝୁମର’ରେ ପରିଦୃଷ୍ଟ କେତେଗୁଡ଼ିଏ ସାହିତ୍ୟିକ, ସାମାଜିକ ଓ ପାରମ୍ପରିକ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନମତେ ଆଲୋକପାତ କରାଯାଇପାରେ । ଝୁମର ଗୀତରେ ‘ରସ’ : ‘ରସ’ ଧାରା ସଙ୍ଗୀତ ଓ ସାହିତ୍ୟ ଜଗତରେ ଏକ ବହୁ ଆବଶ୍ୟକୀୟ ଉପାଦାନ । ତେରୁ ପ୍ରାଚୀନ କାବ୍ୟଶାସ୍ତ୍ରରେ ରସକୁ କାବ୍ୟର ଆତ୍ମାଭାବରେ ସ୍ୱୀକୃତି ମିଳିଛି । ତେଣୁ କବିମାନେ ନିଜ ରଚନାରେ ବିଭିନ୍ନ ରସ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସଙ୍ଗୀତ କ୍ଷେତ୍ରରେ ଏହା ମଧ୍ୟ ସେହିଭଳି ପ୍ରାଧାନ୍ୟ ଲାଭ କରିଛି । ତେରୁ ରସବିହୀନ ରଚନା ଯଥାର୍ଥ ରଚନା ପଦବାଚ୍ୟ ହୋଇପାରେ ନାହିଁ । ରସର ଏହି ମହନୀୟ ପ୍ରଭାବରୁ ଝୁମର ମୁକ୍ତ ହୋଇପାରିନି । କାବ୍ୟଶାସ୍ତ୍ରୋଚିତ ରସକୁ ଅଙ୍ଗୀକାର କରି ଝୁମର କିଭଳି ଶ୍ରୀବିମଣ୍ଡିତ ହୋଇଛି, ତାହାକୁ ଶ୍ରବଣ ବା ପାଠ କଲେ ସହଜରେ ବୁଝାପଡ଼େ । ଝୁମର କବିର ଲେଖନୀରୁ ନିଃସୃତ କେତେକଗୁଡ଼ିଏ ରସଧର୍ମୀ ଝୁମରଗୀତ ଏଠାରେ ପ୍ରକାଶଯୋଗ୍ୟ । (କ) ଶୃଙ୍ଗାର ରସ : ରସ ଶାସ୍ତ୍ରରେ ‘ଶୃଙ୍ଗାର’ ଅଙ୍ଗୀରସ ବା ଆଦିରସ ଭାବରେ ପରିଚିତ । ନାୟକାନୟିକାଙ୍କ ପ୍ରେମ, ମିଳନ, ଅନୁରାଗ ମାଧ୍ୟମରେ ଏହା ଉଦ୍ଦୀପିତ ହୋଇଥାଏ । ଝୁମରରେ ଶୃଙ୍ଗାର ରସ ହେଉଛି ପ୍ରଧାନ ରସ । ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ପ୍ରୟୋଗେ ଝୁମର ଗୀତର ବିଶେଷ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ସାଧାରଣତଃ ରାଧାକୃଷ୍ଣଙ୍କ ମିଳନ-ବିଚ୍ଛେଦ ମଧ୍ୟରେ ଏହାର ସାର୍ଥକତା ଫୁଟି ଉଠିଛି । ତେଣୁ ଝୁମର କବି ଓ ଗବେଷକ ଗିରିଶ ଚନ୍ଦ୍ର ମହାନ୍ତ ଝୁମରରେ ଏହି ରସର ପ୍ରୟୋଗ ସମ୍ପର୍କରେ କହନ୍ତ – ‘‘ଝୁମରର ପ୍ରଧାନ ରସ ଶୃଙ୍ଗାର । ସ୍ଥାନେ ସ୍ଥାନେ କରୁଣ ଓ ଶାନ୍ତିରସର ପ୍ରୟୋଗ ମଧ୍ୟ ଦେଖାଯାଏ । ମାତ୍ର ଝୁମର କହିଲେ – ଶୃଙ୍ଗାର ରସର ଏକ ଆଧାର ବୋଲି ବୁଝାଯାଏ ।’’ କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ- (୧) ସମ୍ଭୋଗ ଶୃଙ୍ଗାର : ସହଚରି !
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀ ମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟ ମାନଙ୍କ ଭିତରେ ଫରାସୀ ବ୍ୟବସାୟୀ ମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜ ମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଓ ବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ଦେଶର ଅଧିବାସୀ ମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟ ମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି ।
ରାମାନୁଜ ଆଚାର୍ଯ୍ୟ (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ୍ଦୁ ଧର୍ମବିତ, ଦାର୍ଶନିକ ଏବଂ ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । ସେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ଏକ ଗାଁ ଶ୍ରୀପେରୁମ୍ବୁଦୁରରେ । ତାଙ୍କ ଦାର୍ଶନିକ ମତବାଦ ଭକ୍ତି-ଆନ୍ଦୋଳନ ପାଇଁ ପ୍ରଭାବଶାଳୀ ହୋଇଥିଲା । ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ୱୈତ ବେଦାନ୍ତ ପରମ୍ପରାର ପଣ୍ଡିତ ଥିଲେ । ଶ୍ରୀ ବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀ ଓ ଯମୁନାଚାର୍ଯ୍ୟଙ୍କ ଭଲି ଅଲ୍ୱାର ସନ୍ଥ ମାନଙ୍କୁ ଅନୁସରଣ କରିଥିଲେ । ବିଶିଷ୍ଟାଦ୍ୱୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । ସେ ବ୍ରହ୍ମସୂତ୍ର ଓ ଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । ତାଙ୍କଦ୍ୱାରା ପ୍ରଣୀତ ବିଶିଷ୍ଟାଦ୍ୱୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ୱୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନ ଓ ମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମା ଓ ବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷଦ୍ୱାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ଶିବଙ୍କ ପୂଜା କରଯାଏ । ଏହା ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ।ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର 'ମାଘସ୍ନାନ' ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ ।
ବିଷ୍ଣୁ (ଦେବନାଗରୀ : विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି। ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବନମାଳୀ ଦାସ (୧୭୨୦-୧୭୯୩) ଜଣେ ଓଡ଼ିଆ ଭକ୍ତି କବି । "ଦୀନବନ୍ଧୁ ଦଇତାରୀ" , "କେତେ ଛନ୍ଦ ଜାଣେ ଲୋ ସହି" ଓ "ମଣିମା ହେ ଏତିକି ମାଗୁଣି ମୋର" ଆଦି ତାଙ୍କର କେତୋଟି ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣୀ, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ରାଧା (ହିନ୍ଦୀରେ राधा, ରୋମାନ ଲିପିରେ ଉଚ୍ଚାରଣଗତ ଦୃଷ୍ଟିରୁ ମୂଳ ସଂସ୍କୃତ ଶବ୍ଦ Rādhā), ଯିଏ ରାଧାରାଣୀ, ରାଧିକା, ରାଧୀକାରାଣୀ ବା ଶ୍ରୀମତୀ ରୂପେ ହିନ୍ଦୁଧର୍ମର ବୈଷ୍ଣବମାନଙ୍କଦ୍ୱାରା ପୂଜିତା, ବ୍ରହ୍ମ ବୈବର୍ତ ପୁରାଣ ଓ ଗୀତ ଗୋବିନ୍ଦ ଅନୁସାରେ ସିଏ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବାଳସଖି, ପ୍ରେମିକା। ରାଧା ପ୍ରାୟ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୋଇଥାନ୍ତି। ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ନିମ୍ବାର୍କ ସମ୍ପ୍ରଦାୟର ବୈଷ୍ଣବମାନଙ୍କର ମଧ୍ୟ ମୂଖ୍ୟ ଆରାଧିତା ଦେବୀ ହେଉଛନ୍ତି ରାଧା। ନିମ୍ବାର୍କ ଋଷି, ଯିଏ ନିମ୍ବାର୍କ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ, ତାଙ୍କ ମତରେ ରାଧା ଓ କୃଷ୍ଣଙ୍କର ମିଳିତ ସତ୍ତା ହେଉଛି ସତ୍ୟର ପ୍ରତୀକ। କୃଷ୍ଣଙ୍କ ସହିତ ରାଧାଙ୍କର ଅପ୍ରାକୃତ ପ୍ରେମର ବର୍ଣ୍ଣନା ବ୍ରହ୍ମ ବୈବର୍ତ ପୁରାଣ, ଗର୍ଗ ସଂହିତା ଓ ବୃହଦ୍ ଗୌତମୀୟ ତନ୍ତ୍ରରେ ଦେଖିବାକୁ ମିଳେ।
କବାଡି ଭାରତର ବିଭିନ୍ନ ଅଞ୍ଚଳରେ ଖେଳା ଯାଉଥିବା ଏକ ଲୋକପ୍ରିୟ ଖେଳ । ଏହା ସର୍ବପ୍ରଥମେ ଭାରତରୁ ଆରମ୍ଭ ହୋଇଥିବାର ନଜିର ରହିଛି । ଭାରତରେ ବିଭିନ୍ନ ପର୍ବ ପାଳନ ଅବସରରେ ତଥା ଅନ୍ୟ ସମୟରେ ଆମୋଦ ପାଇଁ ମଧ୍ୟ ଖେଳା ଯାଇଥାଏ । ଭାରତ ଛଡା ବିଭିନ୍ନ ସ୍ଥାନରେ ଏହି ଖେଳକୁ ଭିନ୍ନ ଭିନ୍ନ ଆଞ୍ଚଳିକ ନାମରେ ଲୋକମାନେ ଜାଣନ୍ତି । ବଙ୍ଗଳାଦେଶରେ ଏହି ଖେଳକୁ ହୁହୁଡୁ , ମାଳଦ୍ୱୀପରେ ଏହାକୁ ବାନାଟି , ଆନ୍ଧ୍ରପ୍ରଦେଶରେ ଏହାକୁ ଚୀଡୁଗୁଡୁ , ତାମିଲନାଡୁରେ ସାଡୁଗୁଡୁ ଆଦି ନାମରେ ଜଣାଯାଇଥାଏ । ଏହି ଖେଳଟି ବଙ୍ଗଳାଦେଶରେ ଜାତୀୟ ଖେଳ ଭାବରେ ଆଦୃତ ହୋଇଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏବେ ଭାରତରେ ଜାତୀୟ ସ୍ତରରେ ପ୍ରୋ କବାଡି ଲିଗ(Pro Kabaddi League) ଆୟୋଜନ କରାଯାଉଛି । ଯଦିଓ ଏହାର ନାମର ଉତ୍ପତ୍ତିକୁ ନେଇ ସେପରି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ଆଜିଯାଏଁ ମିଳି ପାରିନାହିଁ , ତଥାପି ଉତ୍ତର ଭାରତରୁ ଏହାର ଉତ୍ପତ୍ତି ବିଷୟରେ ସୂଚନା ମିଳେ । ତାମିଲ ଶବ୍ଦ "କାଭିଡି"(ତାମିଲ ଅର୍ଥ ଅଧା ନଇଁ କରି ଖେଳିବାକୁ ବୁଝାଏ) କିମ୍ବା "କାଇ-ପିଡି"(ହାତକୁ ହାତ ଧରିକରି ଖେଳିବାକୁ ବୁଝାଏ )ରୁ "କବାଡି'" ଶବ୍ଦ ଆସିଥିବା ଅନୁମାନ କରାଯାଏ ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା
ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ ଅଟେ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ଭର୍ଟିଓକ୍ସେଟିନ (ଇଂରାଜୀ ଭାଷାରେ Vortioxetine, ଏକ ବିକ୍ରୟ ନାମ ଟ୍ରିଣ୍ଟେଲିକ୍ସ/ Trintellix) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ ଚିକିତ୍ସାରେ ବ୍ୟବହାର କରାଯାଏ । ଭର୍ଟିଓକ୍ସେଟିନ ଏହି ଔଷଧ ଅନ୍ୟାନ୍ୟ ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଭଳି ସମତୁଲ ପ୍ରଭାବଶୀଳ ହୁଏ । ଦୁଇଟି ଆଣ୍ଟିଡିପ୍ରେସାଣ୍ଟ ଔଷଧ ପ୍ରଭାବହୀନ ହେଲେ ଏହି ଔଷଧ ଦିଆଯାଏ । ଏହା ପାଟିରେ ଦିଆଯାଏ । ଭର୍ଟିଓକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ଓ ଅଇ (nausea) ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ରକ୍ତସ୍ରାବ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଏସଆଇଏଡିଏଚ (SIADH) ଓ ରୋଗୀ ବୟସ ୨୫ରୁ କମ୍ ଥିଲେ ଆତ୍ମହତ୍ୟା ପ୍ରବଣ ହୋଇପାରେ । ଏହି ଔଷଧ ଶୀଘ୍ର ବନ୍ଦ କରିଦେଲେ ଉଇଥଡ୍ରାଆଲ ସିଣ୍ଡ୍ରୋମ (withdrawal syndrome) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । ସେରୋଟୋନିନ ମୋଡ୍ୟୁଲେଟର (serotonin modulator ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏ । ଏହାର କାର୍ଯ୍ୟବିଧି ଅଜଣା ଥିଲେ ମଧ୍ୟ ସେରୋଟୋନିନ serotonin) ସ୍ତର ଅଧିକ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । ସନ ୨୦୧୩ରେ ଭର୍ଟିଓକ୍ସେଟିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୭.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୬୮.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୦ତମ ସ୍ଥାନରେ ଥଲା ।
ରୋମୀୟ ସାମ୍ରାଜ୍ୟ (Imperium Rōmānum (ଲାଟିନ୍); ଇମ୍ପେରିଅମ ରୋମାନମ, Βασιλεία τῶν Ῥωμαίων (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ), ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ ଆରୋହଣ ଠାରୁ ତୃତୀୟ ଶତାବ୍ଦୀର ସାମରିକ ଅରାଜକତା, ଏହା ଏକ ପ୍ରଥମତନ୍ତ୍ର ହୋଇ ରହିଥିଲା, ଯାହାର ମାତୃଦେଶ ଇଟାଲୀ ଏବଂ ଏକମାତ୍ର ରାଜଧାନୀ ରୋମରେ ଅବସ୍ଥିତ ଥିଲା । ସାମରିକ ଅରାଜକତା ପରେ, ଏକାଧିକ ସମ୍ରାଟଙ୍କ ଦ୍ବାରା ସାମ୍ରାଜ୍ୟର ଶାସନ ହେଲା । ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଓ ପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ) ର ଶାସନ କଲେ । ଖ୍ରୀ.ଅ.
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଚଉତିଶା ଏବଂ କୋଇଲି ପୁରାତନ ଓଡ଼ିଆ ସାହିତ୍ୟରେ ବ୍ୟବହାର ହେଉଥିବା ପଦାବଳି ଦେଖିବାକୁ ମିଳେ । ଚଉତିଶାରେ ‘କ'ରୁ ‘କ୍ଷ' ପର୍ଯନ୍ତ ୩୪ଟି ପଦରେ ରଚନା ଥିଲାବେଳେ କୋଇଲି ଗୁଡିକ ଏକ କୋଇଲିକୁ ସମ୍ବୋଧନ କରି ରଚନା କରାଯାଇଥାଏ । ପ୍ରାଚୀନତମ କେତୋଟି କବିତା ଉଭୟ କୋଇଲି ଏବଂ ଚଉତିଶାକୁ ନେଇ ରଚିତ । କବି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଏଶ୍ରେଣୀର ସର୍ବ ପ୍ରଥମ ରଚନା । କଂସର ନିମନ୍ତ୍ରଣରେ କୃଷ୍ଣ ଅକୃରଙ୍କ ସହ ମଥୁରା ଗଲାପରେ ଯଶୋଦାଙ୍କ ବିଳାପକୁ ନେଇ ଏହା ରଚିତ । ଏହି ପଦ୍ୟାବଳିରେ ଓଡ଼ିଆ ସମାଜରେ ଲୋକକଥନରେ ବ୍ୟବହାର ହେଉଥିଲା । ଆଦିମ କାଳରୁ ଇଂରାଜୀ ଶିକ୍ଷାର ପ୍ରଚଳନ ପର୍ଯ୍ୟନ୍ତ ପ୍ରତ୍ୟେକ ଚାଟଶାଳୀରେ ବର୍ଣ୍ଣମାଳା ଶିଖିବା ପରେ ପରେ ଏହାକୁ ପଢ଼ାଯାଉଥିଲା । କେଶବ କୋଇଲି ରଚିତ ହେବା ପରେ ପରେ ଅନେକ ଗୁଡିଏ କୋଇଲି-ଚଉତିଶା ଓଡ଼ିଆରେ ରଚିତ ହୋଇଛି । ସେଗୁଡିକ ମଧ୍ୟରେ ବଳରାମ ଦାସଙ୍କ କାନ୍ତ କୋଇଲି, ନାଥିଆ ଲୋକନାଥଙ୍କ ଜ୍ଞାନୋଦୟ କୋଇଲି ଆଦି ପ୍ରମୁଖ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଓ ଏନ.ଡି.ଟି.ଭି.ର ସୂଚିଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
କରୋନାଭୂତାଣୁ ରୋଗ ୨୦୧୯ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନ ଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ରଣପୁର (କ୍ରମିକ ସଂଖ୍ୟା: ୧୧୯) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ହେଲା ରଣପୁର ବ୍ଳକ ଓ ଓଡ଼ଗାଁ ବ୍ଳକର କିଛି ଅଞ୍ଚଳ ।ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁରମା ପାଢୀଙ୍କ ଠାରୁ ୧୬୪୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରମା ପାଢ଼ୀଙ୍କଠାରୁ ୨୧,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
ବିଶ୍ୱରେ ଯେତେ ମନ୍ଦିର ଅଛି ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ସର୍ବାଧିକ ନୀତି ବହୁଳ ମନ୍ଦିର ଅଟେ।ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣୀରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।ଶ୍ରୀକ୍ଷେତ୍ରସ୍ଥ ଦେବାଦେବୀ ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ଉପାସନାର ସମ୍ପର୍କ ଥିବା ପ୍ରଧାନ ମନ୍ଦିର ଗୁଡିକ ହେଲା ଆଲାମଚଣ୍ଡୀ, ଅର୍ଦ୍ଧାଶନୀ, ନାରାୟଣୀ, ଚର୍ଚ୍ଚିକା, ଦକ୍ଷିଣ କାଳୀ, ଜୟଦୁର୍ଗା ମନ୍ଦିର, ଚକ୍ର ନୃସିଂହ/ଚକ୍ର ନାରାୟଣ, ଯମ୍ବେଶ୍ୱର, ଲୋକନାଥ, ନୀଳକଣ୍ଠ, କପାଳମୋଚନ, ମାର୍କଣ୍ଡେଶ୍ୱର ଇତ୍ୟାଦି।ଜଗନ୍ନାଥଙ୍କ ନୀତି ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ଚାରି ଆଶ୍ରମ ଓ ମାର୍କଣ୍ଡ ପୁଷ୍କରିଣୀର ସମ୍ପର୍କ ରହିଛି।ଏହି ପୁରୁଷୋତ୍ତମ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ମହାବିଷ୍ଣୁ ଶ୍ରୀଜଗନ୍ନାଥ ରୁଦ୍ରଙ୍କୁ କ୍ଷେତ୍ର ସ୍ୱାମୀ ରୂପେ ଓ ଶକ୍ତିଙ୍କୁ କ୍ଷେତ୍ର ରକ୍ଷାକାରିଣୀ ରୂପେ ଅଷ୍ଟ ଲିଙ୍ଗ ଓ ଅଷ୍ଟ ଶକ୍ତିଙ୍କୁ ଶ୍ରୀମନ୍ଦିରର ଚତୁର୍ଦ୍ଦିଗରେ ସ୍ଥାପନା କରିଛନ୍ତି।ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ-
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।